ଅରଣ୍ୟର ଅଧିକାର

 

 

 

 

 

 

 

 

 

 

ଅରଣ୍ୟର ଅଧିକାର

ମହାଶ୍ୱେତା ଦେବୀ

 

ଅନୁବାଦ

ଅମିୟବାଳା ପଟ୍ଟନାୟକ

 

ଅଗ୍ରଲେଖ

ଅରଣ୍ୟର ଅଧିକାର- କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜୟିନୀ ମହାଶ୍ୱେତା ଦେବୀଙ୍କଦ୍ୱାରା ରଚିତ ଏକ ବିରଳ ଦଳିତ ଉପନ୍ୟାସ । ଆଦିମ ଅଧିବାସୀ ମୁଣ୍ଡା ସଂପ୍ରଦାୟର ବିର୍ସାମୁଣ୍ଡା ଏହାର ନାୟକ ଏବଂ ଛୋଟନାଗପୁର ମାଳ ଅଞ୍ଚଳର ସାମାଜିକ ଜୀବନ ଉପରେ ଏହା ଆଧାରିତ ଏକ ଚରିତ ପ୍ରଧାନ ଉପନ୍ୟାସ ।

 

ଅରଣ୍ୟର ଅଧିକାରର ଓଡ଼ିଆ ଅନୁବାଦ-ଓଡ଼ିଆ ଭାଷାଭାଷୀଙ୍କ ନିମନ୍ତେ ଏକ ଅପୂର୍ବ ସୁନ୍ଦର ଗ୍ରନ୍ଥ । ଏହାକୁ ଅନୁବାଦିକା ଅମିୟବାଳା ପଟ୍ଟନାୟକ ଉପଯୁକ୍ତ ନ୍ୟାୟ ଓ ମର୍ଯ୍ୟାଦା ଦେବାପାଇଁ ଚେଷ୍ଟା କରିଛନ୍ତି ।

 

ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାକୁ ଅନୁବାଦ କରି, ତାହାକୁ ପ୍ରାଣନ୍ତ ଭାବରେ ସର୍ବଭାରତୀୟ ସ୍ତରରେ ପାଠକମାନଙ୍କ ନିକଟରେ ପହଞ୍ଚାଇବା ସାର୍ଥକ ଅନୁସୃଜନର ଲକ୍ଷଣ ।

 

ଅନୁବାଦ କିମ୍ବା ଅନୁସୃଜନ ଯେକୌଣସି ଭାଷା କିମ୍ବା ସାହିତ୍ୟପାଇଁ ଏକ ଶୁଭସୂଚନା । ନିଶ୍ଚିତ ଗର୍ବ ଗୌରବର ବିଷୟ ।

 

ଆହୁରି ଅଧିକରୁ ଅଧିକ ଏହି ଅନୁବାଦ କାର୍ଯ୍ୟ ଜାରି ରହିଲେ ଏହା ନଦୀ ସଂଯୋଗୀକରଣ ପରି ଭାରତବର୍ଷରେ ସାହିତ୍ୟର ଧାରାମାନ ସୃଷ୍ଟି କରିପାରିବ ଏବଂ ଭାରତୀୟ ସାହିତ୍ୟ ସମୃଦ୍ଧ ହୋଇପାରିବ ।

 

ପୁରୁଷ ପୁରୁଷ ଧରି ସମାଜ ଜୀବନର କରୁଣ ଅବ୍ୟବସ୍ଥା ଭିତରେ ନିଜର ପ୍ରଭୁତ୍ୱ ଓ ଅହଂକାରକୁ ଜାହିର କରି, ସବଳ ଦୁର୍ବଳକୁ ନିମ୍ନଗାମୀ କରାଇବା, ଦୁର୍ବଳ ବ୍ୟକ୍ତିଟିଏ ନିର୍ଯାତନାର ଅପମାନରେ ଅଗ୍ନିସ୍ନାନ କରିବା ହିଁ- ତତ୍‌କାଳୀନ ସାମାଜିକ ଜୀବନର ଅନ୍ୟତମ ନିଷ୍ଠୁର ଆନନ୍ଦ ଥିଲା ।

 

ପ୍ରାକ୍‌-ସ୍ୱାଧୀନତା କାଳର ସେହି ଘନଘୋର ଅଂଧକାରମୟ ସମୟରେ କ୍ଷମତାତନ୍ତ୍ରର ବହୁରୂପୀ ଭ୍ରଷ୍ଟାଚାରୀମାନେ ବିର୍ସାମୁଣ୍ଡା ପରି ଅଗଣିତ ଆଦିବାସୀ ଦେଶପ୍ରେମୀଙ୍କୁ କଳେ, ବଳେ, କୌଶଳେ- ବଶ୍ୟତା ସ୍ୱୀକାର କରାଇବା, ରୁଗ୍‌ଣ କରିବା, କାରାରୁଦ୍ଧ କରିବା ଏବଂ ହତ୍ୟା କରିବା, ଅରଣ୍ୟର ଅଧିକାରର ମୂଳକଥା ।

 

ଏହିପରି ଏକ ନିର୍ମମ ଅଥଚ ସତ୍ୟ ଘଟଣା ଉପରେ ପର୍ଯ୍ୟବସିତ ଅରଣ୍ୟର ଅଧିକାର-ଏକ ସାର୍ଥକ ସୁନ୍ଦର ଉପନ୍ୟାସ । ଉପନ୍ୟାସଟି କ୍ଷୁଧା, ଦାରିଦ୍ର‌୍ୟ ଓ ଅଶିକ୍ଷା ବିରୁଦ୍ଧରେ ସଂଗ୍ରାମରତ ଆଦିବାସୀ ସଂପ୍ରଦାୟର ଜୀବନକାହାଣୀ ।

 

ଜୟନ୍ତୀ ରଥ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଅରଣ୍ୟର ଅଧିକାର

ମୁଖବନ୍ଧ

 

“ପ୍ରାଣୀଙ୍କ କ୍ଳେଶ ବୀଜ ଯେତେ

ପ୍ରକାଶ ହୋଇ ତାର ଚିତ୍ତେ,

ଯେ ବାକ୍ୟ ଭେଦେ ବିମୋଚନ

ତାହାଙ୍କୁ ବୋଲି ସାଧୁଜନ !

(ଅତିବଡ଼ୀ ଜଗନ୍ନାଥ ଦାସ)

ଯେଉଁ ବ୍ୟକ୍ତିମାନେ ସମାଜରେ ଆଚରଣ ଉଚ୍ଚାରଣରେ ଏକନିଷ୍ଠ, ସେହିମାନଙ୍କୁ ସେହି ସାହିତ୍ୟିକମାନଙ୍କୁ ଏଠାରେ ଜଗନ୍ନାଥ ଦାସ ନିଶ୍ଚିତଭାବେ ସାଧୁଜନ ଭାବରେ ଗ୍ରହଣ କରିଛନ୍ତି, ଏବଂ ସେମାନଙ୍କୁ ସମାଜର ଶ୍ରେଷ୍ଠ ନାଗରିକ ଭାବରେ ପ୍ରତିପାଦିତ କରିଛନ୍ତି ।

ସମାଜରେ ଯେଉଁମାନେ ଲାଞ୍ଛିତ, ବଞ୍ଚିତ, ସେମାନେ ଆଖି ଖୋଲି ବହୁଦୂରକୁ ଦେଖିପାରନ୍ତି ନାହିଁ ! ସେମାନଙ୍କର ଦୁଃଖ ଯନ୍ତ୍ରଣାକୁ ହୃଦୟଙ୍ଗମ କରି, ସେମାନଙ୍କ ହାତ ଧରି ସାମାଜିକ ଜୀବନରେ ମାର୍ଗଦର୍ଶନ କରାଇବା, ସାଧୁଜନ ଅର୍ଥାତ୍ କବିର ସାହିତ୍ୟିକର ଧର୍ମ ! କିନ୍ତୁ ସାଧାରଣତଃ ତାହା ହୁଏନାହିଁ । ଏହାହିଁ ମାନବୀୟ ଚିନ୍ତନରେ ବିଡ଼ମ୍ବନା ।

ଓଡ଼ିଆ ଭାଷାର ମୁଖ୍ୟଧାରାର ସାହିତ୍ୟ ଭିତରେ ଆମେ ମାନବବାଦୀ ସାହିତ୍ୟ ବିଷୟରେ କ୍ୱଚିତ କହିଥାଉ । ଅନେକ ସମୟରେ କିଛି ବି କହିପାରି ନଥାଉ । କିନ୍ତୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ ମହାଶ୍ୱେତା ଦେବୀ ଏହି ବିରଳ ମାନବବାଦର ଗ୍ରନ୍ଥକୁ ଏକ ଗଣଧର୍ମୀ କଳା ଭାବରେ ପରିବେଷଣ କରିଛନ୍ତି । ସାରସ୍ୱତ ଜଗତରେ ‘ଅରଣ୍ୟର ଅଧିକାର’ର ସ୍ଥାନ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ମାନବୀୟ ଚେତନାରେ ପରିସ୍ପନ୍ଦିତ ।

‘ଅରଣ୍ୟର ଅଧିକାର’-ଏକ ମାନବବାଦୀ ବିରଳ ସାହିତ୍ୟଗ୍ରନ୍ଥ । ଏଥିରେ ମହାଶ୍ୱେତା ଦେବୀ ଆଦିବାସୀ ଜନଜୀବନର ବିଶ୍ୱାସ, ଆଚରଣ ଓ ମୂଲ୍ୟବୋଧକୁ ଅତି ନିଖୁଣଭାବେ, ପ୍ରାକ୍ ସ୍ୱାଧୀନତା କାଳର ଭିତ୍ତିଭୂମି ଉପରେ ପ୍ରକାଶ କରିଛନ୍ତି । ଯେକୌଣସି ଉପନ୍ୟାସପାଇଁ ଭୂମିକା ଲେଖିବା ସହଜ କଥା ନୁହେ, କିଛି ବିଷୟ ଚୂଡ଼ାନ୍ତ କରି କହି ପକାଇବାବି ନୁହେଁ । ମୁଁ ଅନୁବାଦିକାଟିଏ ଓ ଦର୍ପଣଟିଏ ମାତ୍ର । ମୂଳ କଥାବସ୍ତୁକୁ ଉତ୍ତମରୂପେ ଅକ୍ଷରରେ ପ୍ରତିଫଳିତ କରିବା ମୋର କାର୍ଯ୍ୟ । ଏହାକୁ ସୁନ୍ଦର କରିବାରେ ମୁଁ କେତେଦୂର ସଫଳ ହୋଇଛି, ତାହାର ଉତ୍ତର ଉତ୍ତମରୂପେ ଆପଣମାନେ ହିଁ କହିପାରିବେ ।

ପ୍ରାକ୍‌-ସ୍ୱାଧୀନତା କାଳର ଆଦିବାସୀ ଜନଜୀବନର ମୁକ୍ତିସଂଗ୍ରାମର ପୃଷ୍ଠଭୂମି ଉପରେ ରଚିତ ‘ଅରଣ୍ୟର ଅଧିକାର’-କ୍ଷୁଧା, ଦାରିଦ୍ର‌୍ୟ, ଦୂଷଣ ଓ ଦେଶପ୍ରେମର-ସଂଗ୍ରାମରତ ଦଳିତ ଆଦିବାସୀ ସଂପ୍ରଦାୟର ଜୀବନକାହାଣୀ ।

ଅମିୟବାଳା ପଟ୍ଟନାୟକ

 

ଭୂମିକା

ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ଇତିହାସରେ ବିର୍ସା ମୁଣ୍ଡାଙ୍କର ନାମ ସବୁ ଅର୍ଥରେ ହିଁ ସ୍ମରଣୀୟ ଓ ତାତ୍ପର୍ଯ୍ୟପୂର୍ଣ୍ଣ । ଏ ଦେଶର ଯେଉଁ ସାମାଜିକ ଓ ଅର୍ଥନୈତିକ ପଟ୍ଟଭୂମିକାରେ ତାଙ୍କର ଜନ୍ମ ଓ ଅଭ୍ୟୁଥାନ, ତାହା କେବଳ ମାତ୍ର ଏକ ବିଦେଶୀ ସରକାର ଓ ତା'ର ଶୋଷଣ ବିରୁଦ୍ଧରେ ନୁହେଁ, ବରଂ ତାହା ଏକ ସଙ୍ଗେ ଏହି ବିଦ୍ରୋହ ସମକାଳୀନ ଫ୍ୟୁଡ଼ାଲ ବ୍ୟବସ୍ଥା ବିରୁଦ୍ଧରେ ମଧ୍ୟ ହୋଇଥିଲା । ଆମୂଳଚୁଳଭାବେ ସମୁଦାୟ ଇତିହାସର ଆଲୋଚନା କରିବା ଛଡ଼ା ବିର୍ସା ମୁଣ୍ଡା ଓ ତାଙ୍କର ଅଭ୍ୟୁଥାନର ଯଥାର୍ଥ୍ୟ ବିବେଚନା କରିବା ଅସମ୍ଭବ ।

ଲେଖକ ହିସାବରେ, ସମକାଳୀନ ସାମାଜିକ ମଣିଷ ହିସାବରେ ଜଣେ ବସ୍ତୁବାଦୀ ଐତିହାସିକର ସମସ୍ତ ଦାୟ-ଦାୟିତ୍ୱ ବହନ କରିବାପାଇଁ ଆମେ ସର୍ବଦାହି ଅଙ୍ଗୀକାରବଦ୍ଧ । ଦାୟିତ୍ୱ ଓ ଅଙ୍ଗୀକାରବଦ୍ଧତାର ଅପରାଧକୁ ସମାଜ କେବେବି କ୍ଷମା କରେ ନାହିଁ । ମୋର ବିରସା କୈନ୍ଦ୍ରିକ ଉପନ୍ୟାସ ସେହି ଅଙ୍ଗୀକାରବଦ୍ଧତାର ଫଳଶ୍ରୁତି । ତେବେ ବି ଉପନ୍ୟାସ ସବୁବେଳେ ତା'ର ଆଙ୍ଗୀକ ରୀତି ବହନ କରି ଚାଲିଥାଏ । ସେଥିପାଇଁ ଏହି ଉପନ୍ୟାସଟିକୁ ମଧ୍ୟ ଶେଷ କରିବାକୁ ହେଲା ବିର୍ସାର ମୃତ୍ୟୁରେ । କିନ୍ତୁ ଜୀବନ, ବିଦ୍ରୋହ, ଯାହା କିଛି ଚଳମାନ, ତା'ର ସତ୍ୟତା, କେଉଁ ଦେଶରେ କେଉଁ କାଳରେ ନେତାର ମୃତ୍ୟୁରେ ଶେଷ ହୋଇଯାଏ ନାହିଁ । କାଳେ କାଳେ ଉତ୍ତରାଧିକାର ଧାରାରେ ଅବ୍ୟାହତ ଥାଏ ତା'ର ଅଗ୍ରଗତି ।

ବିଦ୍ରୋହରୁ ଜନ୍ମ ନିଏ ବିପ୍ଳବ । ସେଥିପାଇଁ ଉପନ୍ୟାସର ପରିସମାପ୍ତି ପରେ ମଧ୍ୟ ପରିଶିଷ୍ଟକୁ ଯୋଡ଼ିବାକୁ ହୁଏ । ଏହି ଉପନ୍ୟାସ ରଚନାରେ ସୁରେଶ ସିଂଙ୍କ ରଚିତ- Dust Storm and Hanging Mist ବହିଟି ନିକଟରେ ମୁଁ ବହୁ ଭାବରେ ଋଣୀ । ଉତ୍ତମ ଭାବରେ ଲେଖା ଯାଇଥିବା ଏହି ତଥ୍ୟପୂର୍ଣ୍ଣ ଗ୍ରନ୍ଥଟି ବ୍ୟତୀତ ଅରଣ୍ୟର ଅଧିକାର ଲେଖିବା ସମ୍ଭବପର ହୋଇ ପାରିନଥାନ୍ତା ।

ଅରଣ୍ୟର ଅଧିକାର-୧୯୮୫ ମସିହାରେ ବେତାର ଜଗତ ପତ୍ରିକାରେ ଧାରାବାହିକଭାବେ ପ୍ରକାଶ ପାଇଥିଲେ । ବର୍ତ୍ତମାନର ଏହି ବହିଟି ସେହି ଉପନ୍ୟାସର ଏକ ପରିମାର୍ଜିତ ରୂପ ମାତ୍ର ବହିଟିକୁ ପ୍ରକାଶ କରିବାରୁ ପ୍ରକାଶକ ମୋର ଧନ୍ୟବାଦର ପାତ୍ର ।

ମହାଶ୍ୱେତା ଦେବୀ

 

ଅରଣ୍ୟର ଅଧିକାର

ଅରଣ୍ୟର ଅଧିକାର

ନଅ ଜୁନ୍ ଊଣେଇଶ ମସିହା । ରାଞ୍ଚି ଜେଲ୍ ।

ସକାଳ ଆଠଟାବେଳେ ବିର୍ସା ରକ୍ତବାନ୍ତି କରି ଅଚେତ ହୋଇପଡ଼ିଲା । ବିର୍ସା ମୁଣ୍ଡା, ସୁଗାନା ମୁଣ୍ଡାର ପୁଅ । ବୟସ ପଚିଶ ବର୍ଷ, ବିଚାରାଧୀନ ବନ୍ଦୀ । ଫେବୃଆରୀ ତିନି ତାରିଖରେ ବିର୍ସା ଧରାପଡ଼ିଥିଲା । କିନ୍ତୁ ଫେବୃଆରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବିର୍ସା କିମ୍ବା ଅନ୍ୟମୁଣ୍ଡାମାନଙ୍କ ବିରୁଦ୍ଧରେ ମକଦ୍ଦମାର ଚାର୍ଜସିଟ୍ ପ୍ରସ୍ତୁତ ହୋଇପାରିନଥିଲା । ସେତେବେଳେ ମୁଣ୍ଡାମାନଙ୍କ ତରଫରୁ ବାରିଷ୍ଟର ଜ୍ୟାକବ ମକଦ୍ଦମା ଲଢ଼ୁଥିଲେ । ଏବେ ମଧ୍ୟ ଲଢ଼ୁଛନ୍ତି । ବିର୍ସା ଜାଣେ ଜ୍ୟାକବ୍ ତା ପକ୍ଷରୁ ନିଶ୍ଚୟ ଲଢ଼ିବେ । ବିର୍ସା ଏ କଥାବି ଜାଣେ ତା’ପାଇଁ ଜ୍ୟାକବ୍‌କୁ ବେଶୀ ଲଢ଼େଇ କରିବାକୁ ପଡ଼ିବନି । କ୍ରିମିନାଲ୍ ପ୍ରୋସିଜର କୋଡ଼୍‌ର ଅନେକ ଧାରା ପ୍ରୟୋଗ କରି ବିର୍ସାକୁ ହାତକଡ଼ି ପିନ୍ଧା ହୋଇଛି । କିନ୍ତୁ ବିର୍ସା ଜାଣେ ତାକୁ ଦଣ୍ଡ ହେବ ନାହିଁ ।

ସରଳ ବିର୍ସା ମୂର୍ଖ ହୋଇପାରେ, କିନ୍ତୁ ସେ ସବୁ ବୁଝେ....ସବୁ ଜାଣିପାରେ । ଗୋଟିଏ ଚିତ୍ର ପରେ ଆଉ ଗୋଟିଏ ଚିତ୍ର ସେ ଚିହ୍ନିପାରେ, ସବୁ ଦେଖିପାରେ । ଭାତ ମୁଣ୍ଡା ଲୋକଙ୍କର ଜୀବନରେ ସ୍ୱପ୍ନ ! ପରିତ୍ୟକ୍ତ ଅଦରକାରୀ ଶସ୍ୟ, ସେମାନଙ୍କ ଖାଦ୍ୟ । କୌଣସି ନା କୌଣସି ମତେ ଭାତର ସ୍ୱପ୍ନ ବିର୍ସାର ଜୀବନକୁ ନିୟନ୍ତ୍ରିତ କରି ରଖିଥିଲା । ଅନେକ ସମୟରେ ସାହୁକାରମାନଙ୍କ ଉପରେ ବିର୍ସାର ନାନା ଅଭିଯୋଗ । ମୁଣ୍ଡାମାନେ ଶାଗଡାଳ ଖାଇ କାହିଁକି ବଞ୍ଚିବେ ! ସାହୁକାରମାନଙ୍କ ପରି ସେମାନଙ୍କୁ ଭାତ କାହିଁକି ନ ମିଳିବ ! ଆଉ ସେଇ ଭାତ ରାନ୍ଧୁଥିଲା ବୋଲିତ ସେଦିନ ଫେବୃଆରୀ ତିନି ତାରିଖରେ ବିର୍ସା ଧରାପଡ଼ିଥିଲା । ବିର୍ସା ଶୋଇଥିଲା । ତା ମାଇପ ଭାତ ରାନ୍ଧୁଥିଲା । ନୀଳ ଆକାଶରେ କୁଣ୍ଡଳି ମୋଡ଼ି ଉପରକୁ ଉପରକୁ ଉଠୁଥିଲା ଚୁଲି ନିଆଁର ଧୂଆଁ । ବିର୍ସା ଗାଢ଼ ନିଦ୍ରାରେ ଶୋଇଥିଲା, ସେତିକିବେଳେ ଲୋକେ ଦେଖିଥିଲେ ଆକାଶକୁ ଉଠୁଥିବା ଧୂଆଁ ।

•••

 

ତାପରେ ବଣ ଗାଁ-ତାପରେ ଖୁଣ୍ଟି-ତାପରେ ବିର୍ସାର ହାତରେ ହାତକଡ଼ି, ଦିପାଖରେ ଦିଟା ସିପାହି । ବିର୍ସା ମୁଣ୍ଡରେ ପଗଡ଼ି, ଧୋତି ପିନ୍ଧିଥିଲା. ଦେହରେ ଆଉ କିଛି ନଥିଲା । ସେଥିରେ ପବନ ଆଉ ଖରା ଧାସ ମିଶ୍ରିତ ଭାବରେ ତା ଦେହର ଚମଡାକୁ ଭେଦି ଯାଉଥିଲା । ରାସ୍ତାର ଦୁଇକଡରେ ଲୋକ ଠିଆ ହୋଇଥାନ୍ତି । ସମସ୍ତେ ମୁଣ୍ଡା ଜାତିର । ମାଇପିମାନେ ଛାତିରେ ହାତ ପିଟୁଥାଆନ୍ତି ଆଉ ଆକାଶଆଡ଼କୁ ହାତ ଉଠାଇ ଅଭିସମ୍ପାତ ବର୍ଷୁଥାଆନ୍ତି । ଲୋକେ କହୁଥାଆନ୍ତି ‘ଯିଏ ତତେ ଧରାପକେଇଛି, ସିଏ ମାଘମାସ ଆଉ ଦେଖିପାରିବନିରେ ବିର୍ସା । ସେମାନେ ଯଦି ଜାଲ ବିଛେଇ ଥାଆନ୍ତି ତ ସେଇ ଜାଲରେ ପଡ଼ିଥିବା ଜନ୍ତୁକୁ ସେମାନଙ୍କ ଘରକୁ ନେଇପାରିବେନି । ନେବାକୁ ଦିଆଯିବ ନାହିଁ ।’

କିନ୍ତୁ ସେମାନଙ୍କ ଉପରେ ବିର୍ସାର ରାଗ ବା ଅଭିମାନ ନଥିଲା । ସେମାନେ ତାକୁ ଧରାପକେଇଛନ୍ତି, କାହିଁକି ବା ନଧରାନ୍ତେ? ସେମାନଙ୍କୁ କଅଣ ଡେପୁଟୀ କମିଶନର ଗଣି ଗଣି ପାଞ୍ଚଶହ ଟଙ୍କା ଦେଇ ନଥିବେ, ପୁରସ୍କାରଭାବେ ! ପାଞ୍ଚଶ ଟଙ୍କା ନିଶ୍ଚୟ ଅନେକ କିଛି । କେଉଁ ମୁଣ୍ଡା ପାଖେ କେବେହେଲେ ପାଞ୍ଚଶ ଟଙ୍କା ନଥାଏ ବା ନାହିଁ । ମୁଣ୍ଡାଟିଏ ଯଦି ସାରାରାତି ଶୋଇ ଶୋଇ ଟଙ୍କାର ସ୍ୱପ୍ନ ଦେଖେ, ତେବେ ଅତି ବେଶୀରେ ମହରାଣୀ ମାର୍କା ମହାରାଣୀ ଭିକ୍ଟୋରିଆ ଦଶ ଟଙ୍କିଆଟେ ଦେଖିପାରେ । ଯାହାକୁ ସପନରେ ଦଶଟା ଟଙ୍କା ମିଳିବା ବି କଷ୍ଟ-ସାଧ୍ୟ, ତାକୁ ପାଞ୍ଚଶ ଟଙ୍କା ଯଦି ଠନ୍ ଠାନ୍ ନଗଦ ଇନାମ୍ଭାବେ ମିଳିବ- ତେବେ ବିର୍ସାକୁ ବା କାହିଁକି ଧରେଇ ନଦବ । ଅସଲରେ ନିଜ ଉପରେ ବିର୍ସାର ରାଗ ହେଉଥିଲା । ନିଦ କାହିଁକି ଆସିଥିଲା । ନିଦ ନ ଆସିଥିଲେ ତ’ ସିଏ ଚେତା ଥାଆନ୍ତା । ନିଆଁ ଜାଳି ଭାତ ରାନ୍ଧିବାକୁ ଦେଇ ନଥାନ୍ତା । ଯଦି ନିଆଁ ଜଳି ନଥାନ୍ତା, ଆକାଶକୁ ଧୂଆଁ ଉଠିନଥାନ୍ତା, କେହି ହେଲେ ତ’ ତେବେ ଦେଖନ୍ତା ନାହିଁ । ରାସ୍ତାରେ ଚାଲୁ ଚାଲୁ ବିର୍ସାର ମନରେ ଘାଣ୍ଟି ହେଉଥିଲା । ଏଇ ସମୟରେ ଅଚେତ ବିର୍ସା ମନେ ପକାଇବାକୁ ଚେଷ୍ଟା କଲା । ସେଇ ନିଆଁ ସେ ଲିଭେଇ ଦେଇଥିଲା ନାଇଁ? ମୁଣ୍ଡା ଲୋକେ ବେଶୀ ଦେଖାଦେଖି କରନ୍ତିନି, ଆଗପଛ ଭାବନ୍ତିନି । ହୁତ୍ ହୁତ୍ ଜଳୁଥିବା ନିଆଁରେ ଜଙ୍ଗଲ ଶୁଖିଲା ଆଉ ଗରମ ହୋଇ ରହେ । ଏଠୁ ହିଁ ତ ବିର୍ସା ଉଲଗୁଲାନରେ ସବୁ କିଛି ଭଲଭାବେ ଜାଳିପୋଡ଼ି ଛାରଖାର କରିଦେବାକୁ ଚାହିଁଥିଲା (ଉଲଗୁଲାନ ! ବିର୍ସାମୁଣ୍ଡାଦ୍ୱାରା ସଞ୍ଚାଳିତ ଆନ୍ଦୋଳନ) ଉଲଗୁଲାନରେ ଜଙ୍ଗଲ ଜଳେ ନାହିଁ, ଜଳେ ମଣିଷର ରକ୍ତ, ହୃଦୟ ! ସେଇ ନିଆଁରେ ଜଙ୍ଗଲ ଜଳିପାରେନା ।

ମୁଣ୍ଡାମାନଙ୍କପାଇଁ ଜଙ୍ଗଲ ମା ପରି, ଠିକ୍ ବିର୍ସାର ମା ପରି ଜଙ୍ଗଲୀ ସନ୍ତାନମାନଙ୍କୁ କୋଳରେ ଧରି ବସିଥାଏ ।

 

ସେଇଥିପାଇଁ ତ ବିର୍ସା ଜଙ୍ଗଲ ଅଧିକାର କରିବାକୁ ଚାହିଁଥିଲା ।

ବିର୍ସା ବୁଝିଗଲା, ଏଥର ତାର ଯିବାବେଳ ଆସିଗଲା । ଆଜି ସକାଳେ ସେ ଖୁବ୍ ଜୋରରେ ରକ୍ତ ବାନ୍ତି କରିଥିଲା । ଅଚେତ ହେଉହେଉ ନିଜ ରକ୍ତର ରଙ୍ଗ ଦେଖି ବିର୍ସା ମୁଗ୍ଧ ହୋଇଗଲା । ସମସ୍ତଙ୍କ ରକ୍ତର ରଙ୍ଗ ଲାଲ, ଏଇ କଥା ତାକୁ ବହୁତ ଜରୁରୀ ଲାଗିଲା । ଯେପରି ଏ କଥା କାହାକୁ କହିବା ଦରକାର । କାହାକୁ କହିବ? ଅମୂଲ୍ୟ ଜାଣେ, ବିର୍ସା ଜଣେ, ମୁଣ୍ଡାଏ ବି ଜାଣନ୍ତି । ସାହେବ ଲୋକେ ଜାଣନ୍ତିନି, କିନ୍ତୁ ଜ୍ୟାକବ୍ ଜାଣେ । ଜେଲ୍‌ର ସୁପରିଟେଣ୍ଡେଣ୍ଟ୍‌, ଡେପୁଟୀ କମିଶନର୍ ଏଇମାନେ ଜାଣନ୍ତି ନାହିଁ । ଜାଣନ୍ତି ନାହିଁ ବୋଲିତ ଦଳେ ସିପାହୀ, ବନ୍ଧୁକ, ତୋପ ଧରି ଲେଙ୍ଗୁଟି ବନ୍ଧା ତୀର, ବର୍ଚ୍ଛା, ବୋଲୁଅ ଓ ପଥରଦ୍ୱାରା ଯୁଦ୍ଧ କରୁଥିବା ମୁଣ୍ଡାଙ୍କୁ ମାରିବାକୁ ଆସନ୍ତି । ବିର୍ସା ଯଦି କହିପାରନ୍ତା, ତେବେ କହନ୍ତା- “ସାହେବମାନେ, ରକ୍ତ ରକ୍ତରେ ବି କିଛି ପ୍ରଭେଦ ନାହିଁ । ମାରିଲେ ତମକୁ ଯେମିତି କଷ୍ଟ ଲାଗେ ମୁଣ୍ଡାମାନଙ୍କୁ ବି ସେମିତି ଲାଗେ । ମୁଣ୍ଡାମାନଙ୍କ ଜୀବନ ଉପରେ ତୁମେମାନେ ଜବରଦସ୍ତି ଅଧିକାର......ହକ୍ ଜମେଇଛ । ସେଇ ଅଧିକାରକୁ ଫେରେଇ ଦେବାପାଇଁ ତମକୁ ଯେମିତି ଲାଗୁଛି, ଜଙ୍ଗଲରୁ ମୁଠାଏ ମାଟି ତମକୁ ଦେବାକୁ ମୁଣ୍ଡାମାନଙ୍କୁ ସେମିତି ଲାଗୁଛି ।”

କିନ୍ତୁ ବିର୍ସା କିଛି କହି ପାରିଲା ନାହିଁ । ସେ ଆଖିଖୋଲି ପାରୁନଥିଲା କେଜାଣି କିଏସେ ତା’ଭିତରେ ଯେମିତି ମହୁଆ ତେଲର ମଶାଲ ଓ ଅଗ୍ନିଶିଖା ଲିଭେଇ ଦେଇଥିଲା । କିଏ ଯେପରି ବିର୍ସାକୁ ସ୍ଖଳିତ କରୁଥିଲା । କହୁଥିଲା-ଶୋଇ ଯାଆ, ଶୋଇଯାଆ, ଶୋଇଯାଆରେ !

ସକାଳ ଆଠଟାବେଳେ ବିର୍ସା ରକ୍ତ ବାନ୍ତି କରି ଅଚେତ ହୋଇଗଲା । ସେ ସମୟରେ ରାଞ୍ଚି ଜେଲର ପ୍ରତିଟି କୋଠରୀରୁ ବିଳାପର ଧ୍ୱନି ଗୁଞ୍ଜରିତ ହେଉଥିଲା, କିନ୍ତୁ ରାଞ୍ଚି ଜେଲର ସୁପରିଟେଣ୍ଡେଣ୍ଟ ସାହେବ ତା’ଉପରେ ଦୃଷ୍ଟି ଦେଲେ ନାହିଁ । ସମସ୍ତେ ଭାବୁଥିଲେ ବିର୍ସା ମରିଯିବ । ଲେଫ୍ଟନାଣ୍ଟ-ଗଭର୍ଣ୍ଣରଙ୍କୁ କଅଣ ଖବର ଦେବେ ସେଇଆ ଭାବୁଥିଲେ । ବାରମ୍ବାର ଘଣ୍ଟା ଦେଖୁଥିଲେ । ଏଇ ଲୋକଟିର ଶରୀର ଆଶ୍ଚର୍ଯ୍ୟଜନକଭାବେ ଶକ୍ତିଶାଳୀ ଥିଲା । ମଇ ମାସର ତିରିଶି ତାରିଖରୁ ସଜା ଭୋଗୁଛି ଯେ ଭୋଗୁଛି । ଫେବୃଆରୀରୁ ଏକେଲା ଗୋଟିଏ କୋଠରୀରେ ବନ୍ଦୀ । ତା ଆଗରୁ ଗିରି, କନ୍ଦର, ଜଙ୍ଗଲରେ ବୁଲୁଥିଲା । କଣ ଖାଉଥିଲା ତାକୁ ହିଁ ଜଣାଥିବ । ଶରୀର ଭାଙ୍ଗିପଡ଼ୁନି କି ପ୍ରାଣ ପକ୍ଷୀଟା ଉଡ଼ିଯାଉନି । ଏବେ ସିଏ ମରିଯିବା ଉଚିତ । ନହେଲେ ପ୍ରମାଣିତ ହୋଇଯିବ ବିର୍ସା ପ୍ରକୃତରେ ଭଗବାନ୍ । ଭଗବାନ୍ ନହୋଇଥିଲେ ଏତେ ଦିନରେ ସିଏ ମରିଯାଆନ୍ତାଣି ।

ସକାଳ ନଅଟାବେଳେ ବିର୍ସା ମରିଗଲା । ଜେଲର ସୁପରିଟେଣ୍ଡେଣ୍ଟ ହାତରେ ଘଣ୍ଟା ଧରି ଠିଆ ହୋଇଥିଲା । ବିର୍ସା ଆଖି ବନ୍ଦ । କୁଞ୍ଚିତ କପାଳ । ଏଣ୍ଡରସନ କୌତୂହଳବଶତଃ ଝୁଙ୍କି ପଡ଼ିଲେ ।

ଏବେ ଝୁଙ୍କିବାକୁ ହେବ । ଯେଉଁ ଗୋରାଲୋକ, ଯେଉଁ ଗୋରା ଚମଡାକୁ ସିଏ ଘୃଣା କରୁଥିଲା, ଆଜି ତାହା ତାର କପାଳକୁ ସାଉଁଳୁଛି । ଆଶ୍ଚର୍ଯ୍ୟ ଲାଗିଲା, ଏଇ ସେଇ ବିର୍ସା, ଯାହାଲାଗି ଦି ଦିଟା ଜିଲ୍ଲାର ପୁଲିସଙ୍କ ମଧ୍ୟରେ ଧାଁ ଧପଡ଼ । ସୁକୁମାର ସୁନ୍ଦର ଚେହେରା । କିଏ କହିବ ଇଏ ମୁଣ୍ଡା ପିଲା । ଏଣ୍ଡରସନ ନାଡ଼ି ଚିପିଲେ । ପ୍ରାୟ ନଅଟାବେଳେ ନାଡ଼ି ବନ୍ଦ ହୋଇଗଲା-। ଟଳିଗଲା ଶରୀର, କପାଳରେଖାଗୁଡ଼ିକ ଲିଭିଗଲା, ମୁଖ ଶାନ୍ତ ଓ ସ୍ଥିର ହୋଇଗଲା-। ମୃତ୍ୟୁ ଛଡ଼ା ଆଉ କୋଉ ଶକ୍ତି କି ଘଟଣା ବିର୍ସାକୁ ଏଭଳି ଶାନ୍ତ କରିଦେଇ ପାରିନଥିଲା ।

ମରିଗଲା ବିର୍ସା । ତା ଶରୀରରୁ ଲୁହା ଶିକୁଳି ଖୋଲି ଦିଆଗଲା । ମୁହଁରୁ ରକ୍ତ ପୋଛି ଦିଆଗଲା । ତାକୁ ବାହାରକୁ ଅଣାଗଲା, ତାର ସବୁ ସାଥୀଙ୍କୁ ବି ଅଣାଗଲା । ଭର୍ମୀ, ଗୟା, ସୁଖରାମ, ଡୋନ୍‌କା, ରମଇ, ଗୋପୀ ସମସ୍ତଙ୍କୁ-ଚାରିଶହ ସତୁରୀ କଇଦିଙ୍କୁ ସମୟ ତ ଲାଗିବ- ଏଣ୍ଡରସନ ବିରକ୍ତ ହେଲାଣି । ସିଏ ହିଁ ଥାନାର ସୁପରିଟେଣ୍ଡେଣ୍ଟ, ସିଏ ହିଁ ଡାକ୍ତର, ସିଏ ହିଁ ସବୁକିଛି-। ରାଞ୍ଚିରୁ ବହୁଦୂରରେ ଜେଲ୍‌ରେ ଅଛି । ବଡ଼ କଷ୍ଟକର କାମ । ମୁଣ୍ଡାଏ ଶାନ୍ତ ହେଉ ନାହାନ୍ତି ! ମୃତ ଈଶ୍ୱରକୁ ଘେରାଉ କରି ରଖିଛନ୍ତି ଶିକୁଳି ବନ୍ଧା ଲେଙ୍ଗୁଟି ବନ୍ଧା ମୁଣ୍ଡାମାନେ । ଗୋଟେ ଗୋଟେ ସବୁ ଚାଲିଗଲେ । ଜଣେ ବି କହିଲେନି- ଇଏ ଆମର ବିର୍ସା, ଭଗବାନ !
 

ହିଁ ଜଣେ ରହିଗଲା । କପାଳରେ ଶକ୍ତ ଘା’ । -ସେଇଥିରୁ ଜାଣିଲା, ଇଏ ଭର୍ମୀମୁଣ୍ଡା । ନହେଲେ ସବୁ ମୁଣ୍ଡା ଦେଖିବାକୁ ଏକାପରି, କଳାକଳା ମୁହଁ -ଊର୍ଦ୍ଧ୍ୱ ଉଲଗ୍ନ ଶରୀର ! ଭର୍ମୀ ଛିଡ଼ା ହୋଇଛି ଦେଖୁଛି ।

- “କିଏ? କ’ଣ ଦେଖୁଛୁ?”

ଭର୍ମୀ କିଛି କହିଲାନି । ପୁଣି ତା’ଭିତରୁ ଗୀତ ବାହାରିପଡ଼ିଲା ।

ଅବୋଧ, ମୁଣ୍ଡା ଭାଷାରେ ଗାଇବା, କାନ୍ଦିବାର ସ୍ୱର । ମନ୍ତ୍ର ଉଚ୍ଚାରଣ ପରି ଗମ୍ଭୀର ସ୍ୱର । ଭର୍ମୀ ଗାଇଲା-

“ହେ ଓତେ ସିରଜା

ନି’ଆଲିଆ ଆନାସି

ଆଲାମ ଅନଦୁଲିଆ

ଆମାରେଗେ ଭରସା

ବିଶ୍ୱାସ ମେନା ।”

ଅର୍ଥାତ୍ ହେ ପୃଥିବୀର ସ୍ରଷ୍ଟା, ଆମ ପ୍ରାର୍ଥନା ବ୍ୟର୍ଥ କରନା । ତମ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ।

 

ଅର୍ଥହୀନ ଆକ୍ରୋଶରେ ଚହଲି ଉଠି ଆଣ୍ଡରସନ କହିଲା- “ହଟିଯାଅ ହଟିଯାଅ ।” ୱାର୍ଡ଼ର ଭର୍ମୀକୁ ଧକ୍କା ଦେଲା । ସମସ୍ତେ ଚାଲିଗଲେ ।

ସୁପରିଟେଣ୍ଡେଣ୍ଟ ଲେଖିଲେ- “ବିର୍ସା ରକ୍ତବାନ୍ତି କରିବାରୁ ହଇଜା ହେବା କଥା ଜଣାଗଲା । ପରିଣାମସ୍ୱରୂପ ହୃତ୍‌ପିଣ୍ଡର ବାଁ ପଟରୁ ରକ୍ତ ବହିଲା, ଧୀରେ ଧୀରେ ତା’ର ଶରୀର ନିସ୍ତେଜ ହୋଇ ବିର୍ସା ମରିଗଲା ।” ତା ପରେ ଭାବିଲେ, ବିର୍ସା ତ କେବେ ବି ଜେଲ୍‌ର ପାଣି ପିଇନଥିଲା । ନିଜେ ନିଜକୁ ଧିକ୍କାର କଲେ ହଇଜା କଥା ଲେଖିଥିବାରୁ । ପୁଣି ଲେଖିଲେ-କେମିତି ବିର୍ସାକୁ ହଇଜା ହେଲା, ଜଣାନାହିଁ । ଲେଖୁ ଲେଖୁ ମୁଣ୍ଡ ଉଠାଇଲେ-

“କିଏ?”

- “ବାବୁ କହୁଛନ୍ତି.... ।”

- “କେଉଁ ବାବୁ?”

- “ଡିପ୍‌ଟି ବାବୁ ।”

- “କ’ଣ କହୁଥିଲେ?”

- “ତାର କଣ ହେବ?”

- “କାହାର?”

- “ଭଗବାନର ।”

- “କଣ କହୁଥିଲେ?”

- “ଭଗବାନର କଅଣ ହେବ?”

- “ଚୁପ୍ ରହ ।”

- “ହଉ ହଜୁର ।”

- “ଠିକ୍ କରି କହ ।”

- “ଭଗବାନଙ୍କ ଶରୀରର କଣ ହେବ?”

- “ଯାଅ ଡେପୁଟୀ ବାବୁଙ୍କୁ ପଠାଇ ଦିଅ ।”

- “ବାବୁ ଆସିଛନ୍ତି ।”

- “ଭିତରକୁ ପଠାଅ ।”

ଡେପୁଟୀ-ସୁପରିଟେଣ୍ଡେଣ୍ଟ ଅମୂଲ୍ୟ ଆସିଛନ୍ତି । ବୟସ ଖୁବ୍ କମ୍ । ବ୍ୟବହାର ଭଦ୍ର ଓ ସଂଯତ । ଆଣ୍ଡରସନର ମନେ ହେଉଥିଲା ବିର୍ସାର ବିଦ୍ରୋହର ଖବର କଲିକତାର ‘ଅମୃତ ବଜାର’ ପତ୍ରିକା, "ଦ ବେଙ୍ଗଲି' ଆଉ ‘ଦ ହିନ୍ଦୁ ପେଟ୍ରିୟଟ’ ଖବର କାଗଜକୁ ଇଏ ପଠାଉଥିଲା । ନହେଲେ ମୁଣ୍ଡାଙ୍କ ପ୍ରତି ତା’ର ଏତେ ସହାନୁଭୂତି କାହିଁକି? ସବୁ କୋଠରୀରେ ପିଇବା ପାଣି ଠିକ୍ ଅଛିନା ନାଇଁ କାହିଁକି ପଚାରେ? କଇଦିମାନଙ୍କୁ ଗାଧୋଇବାପାଇଁ ଦୁଇଲୋଟା ପାଣି ବଦଳରେ ଦଶଲୋଟା ପାଣି ବ୍ୟବସ୍ଥା କାହିଁକି କରିଛି । କାହିଁକି କଥା କଥାରେ ‘ଜେଲ୍ କୋଡ଼୍‌ବୁକ୍‌’ ଆଣି କହେ “ସାର୍‌, ଏଥିରେ ଲେଖାଅଛି, ଏମାନଙ୍କୁ ପେଟପୂରା ଭାତ ଖାଇବାପାଇଁ ଚାଉଳ କିଚେନ୍‌କୁ ଦେବାକୁ ହେବ ।”

କେବଳ ଅନୁମାନ, ପ୍ରମାଣ କିଛି ନାହିଁ । ଡେପୁଟୀ ସୁପରିଟେଣ୍ଡେଣ୍ଟ । ଖ୍ରୀଷ୍ଟିଆନ୍ ପିଲା । ମୋଟା ଅଙ୍କର ଦରମା ପାଉଛି । କିନ୍ତୁ ରାଞ୍ଚିରେ ସବୁବେଳେ ସାଇ ସାଇ ବୁଲେ, ସମସ୍ତଙ୍କ ସହ ମିଳାମିଶା କରେ, ସମାଜ ସେବାକରେ ।

- “କଣ ଅମୂଲ୍ୟବାବୁ ।”

ବଡ଼ ଅଜବଲୋକ । ବାବୁ କହିଲେ ରାଗିଯାଏ । ଥରେ ତାଙ୍କୁ କହିଥିଲା, ମିଠା ସ୍ୱରରେ ହସିହସି କହିଥିଲା-“ରାଗିବା ଠିକ୍ ନୁହେଁ, ମୁଁ ଜାଣେ । କିନ୍ତୁ ବାବୁ ଶବ୍ଦ, ମୋପାଇଁ ସାହେବୀ ମାଲିକାନାର ସଙ୍କେତ, ତେଣୁ ବାବୁ ଶବ୍ଦ ଶୁଣି ଅଜବ...!”

ଆଣ୍ଡରସନ କହିଲେ-“କଣ ଅମୂଲ୍ୟବାବୁ?”

- “ମୃତବ୍ୟକ୍ତିର ଅନ୍ତିମ ସଂସ୍କାର ବିଷୟରେ ନିର୍ଦ୍ଦେଶ ମିଳିନାହିଁ ।”

-”ତେବେ ।”

- “କଣ କରିବାକୁ ହେବ?”

- “କିପରି ଅନ୍ତିମ ସଂସ୍କାର ହେବ? ତାଙ୍କର ଏଠିକାର ନିୟମ ତ’ସମାଧି ଦେବା ।”

- “ଜେଲ୍‌ରେ ବିନା ମକଦ୍ଦମାରେ ରହିଥିବା କଇଦି ଅଚାନକ ହଇଜାରେ ମରିଗଲେ ଯେଉଁପରି ଅନ୍ତିମ ସଂସ୍କାର କରାଯାଏ, ଠିକ୍ ସେମିତି ଅନ୍ତିମ ସଂସ୍କାର ହେବ । ସରକାରଙ୍କ ତରଫରୁ ତ’ସେମିତି କିଛି ବ୍ୟବସ୍ଥା ହୋଇନାହିଁ କି ହେବ ନାହିଁ ନିଶ୍ଚୟ । ଏଇଟା ତ’କୋଉ ସରକାରୀ ମାମଲା ନୁହେଁ?”

ପରାଜୟ, ପରାଜୟ । ଆଣ୍ଡରସନ କଣ ବାସ୍ତବରେ ମହତ୍ତ୍ୱ ଦେଉଛି । ମନର କଥା ଲୁଚେଇଦବା ଦରକାର- ଅମୂଲ୍ୟବାବୁର ଚେହେରାରୁ କିଛି ବୁଝାପଡ଼ୁନି ।

- “ଆଲରାଇଟ୍ ସାର୍ ।”

- “ଆଉ କିଛି କହିବାର ଅଛି?”

- “ତା ଭାଇ କନୁମୁଣ୍ଡା କଣ ମୁଖାଗ୍ନି ଦେବ?”

- “ଓ ନୋ? କେବେ ନୁହେଁ । ବିର୍ସାର ବହୁ ଅନୁଗାମୀ ଦେଖିବେ ତ’କାହାଣୀ ତିଆରି ଆରମ୍ଭ ହୋଇଯିବ । କହି ବୁଲିବେ ଧୁମ୍‌ଧାମ୍‌ରେ ବିର୍ସାକୁ ଜଳାଗଲା । ତା ସାଙ୍ଗକୁ ବହୁ ଗୁଜବ ବ୍ୟାପିବ । ମୁଁ, ମୁଁ କଦାପି ଏମିତି କରାଇଦେବି ନାହିଁ ।

ଅମୂଲ୍ୟବାବୁର ଚେହେରା ପଥର ପରି ହୋଇଗଲା ।

- “ସମୟ?

- “ପକେଟ୍‌ରେ ଘଣ୍ଟା ନାହିଁ ।”

- “ସଂସ୍କାରର ସମୟ?”

- “ଆହୁରି ଅନ୍ଧାର ହୋଇଗଲେ ।”

- “ମୁଁ ଯିବି?”

- “ନା, ଏଇଟା ମୋ ଅର୍ଡ଼ର ।”

- “ରାଇଟ୍ ସାର୍ ।”

- “ତମେ ବେଶୀ କାମରେ ବ୍ୟସ୍ତ ରହୁଛ । ଥରେ ଛୁଟି ନେଇ ଘରଆଡ଼େ ବୁଲି ଆସନା? ମକଦ୍ଦମା କେବେ ଆରମ୍ଭ ହେବ କିଏ ଜାଣେ?

“ମୁଁ ଯିବାକୁ କୌଣସି ଜାଗା ନାହିଁ ସାର୍ । ମୁଁ ଅନାଥାଶ୍ରମର ପିଲା । ରାଞ୍ଚି ଅନାଥାଶ୍ରମରେ-

- “ଯାଅ, ଏବେ ଯାଅ ।”

- “ୟେସ୍ ସାର୍ ।”

ଅମୂଲ୍ୟବାବୁ ପୂର୍ବପରି ଭାବହୀନ, ଉଦାସ ମନ ନେଇ ବାହାରି ଆସିଲେ । ଜେଲ୍ ପାଖରେ ତାଙ୍କର କ୍ୱାର୍ଟର । ସେ ସିଧା ଘରେ ଯାଇ ପହଞ୍ଚିଲେ । ଶିବନ୍ ମେହେନ୍ତର ସେତେବେଳେ ଘରେ ଝାଡ଼ୁ ମାରୁଥିଲା । ଶିବନ୍ଆଡ଼କୁ ନଚାହିଁ ଅମୂଲ୍ୟବାବୁ କହିଲେ-“ଆଜି ରାତିରେ ଦାହ ହେବ । କବର ନୁହେଁ । ମେହେନ୍ତର ଲୋକେ ଦାହ କରିବେ । ଯିବୁ ତ’ ଏତିକିବେଳୁ ହିଁ ଜେଲ୍‌କୁ ଯାଆ ।”

- “ହଁ ସାର୍ ।”

- “ମୁଁ ସାହେବ ନୁହେଁ ।”

- “ହଁ ବାବୁ ।”

•••

 

ଶିବନ୍ ଚାଲିଗଲା । ଅମୂଲ୍ୟବାବୁ ଗୋଟେ କାଗଜରେ ଲେଖିଲେ: “ବିର୍ସାମୁଣ୍ଡା ପ୍ରଥମେ ରୋଗରେ ପଡ଼ିଲା, ୧୯୦୦ ସାଲ୍ ମଇ ମାସରେ ୩୦ ତାରିଖରେ ଊଣେଇଶ ସାଲ ମଇ ମାସ କୋଡ଼ିଏ ତାରିଖରେ ସିଂହଭୂମିର ଅନ୍ୟଜଣେ ବିଚାରାଧୀନ ବନ୍ଦୀ ରାଞ୍ଚି ଜେଲ୍‌ରେ ହିଁ ହଇଜାରେ ମରିଥିଲା । ବିର୍ସା ଜେଲ୍‌ରୁ ଅଦାଲତ ଯିବା ରାସ୍ତାରେ ଗାର୍ଡ଼ମାନଙ୍କଦ୍ୱାରା ବୋନପୁରରୁ ମିଳିଥିବା ପ୍ରସାଦ ଖାଇଥିଲା.....”

ବିର୍ସା ସମ୍ପର୍କରେ ସରକାରୀ ବିବରଣୀ ପ୍ରସ୍ତୁତ ହୋଇଗଲା । ସେଥିରେ କୁହାଗଲା, ଜେଲ୍‌ରୁ କଚେରୀ ଯିବା ରାସ୍ତାରେ ବିର୍ସା ବାହାରେ କିଛି ଖାଇଥିଲା । କିନ୍ତୁ ଗାର୍ଡ଼ ଓ କଇଦିମାନଙ୍କୁ କଡାକଡ଼ିଭାବେ ଜେରା କରାଗଲା ପରେ ଜଣାଗଲା ବିର୍ସା କେବଳ ମୁଣ୍ଡ ଓ ବେକ ଧୋଇବାପାଇଁ ରାସ୍ତାରେ ପାଣିମାଗିଥିଲା-ଆଉ ସେଇ ପାଣି ପୁଣି ହାବିଲ୍‌ଦାରର ଢାଳରୁ । ପାଣି ଆଞ୍ଜୁଳେ ବିର୍ସାର ହାତରେ ପଡ଼ୁ ନପଡ଼ୁଣୁ ତା’ଦେହରେ ବନ୍ଧା ଲୁହା ଶିକୁଳି ଟାଣି ଗାର୍ଡ଼ କହିଥିଲା ସମୟ ହୋଇଗଲା-। ତେଣୁ ବିର୍ସା ସେହି ପାଣି ମଧ୍ୟ ବ୍ୟବହାର କରିନଥିଲା ।

ପୁଣି ଚିନ୍ତାକଲା ପରେ ଲେଖିଲେ: “ମଇ ତିରିଶରୁ ହିଁ ବିର୍ସାର ସ୍ୱାସ୍ଥ୍ୟ ଖରାପ ହୋଇ ଆସୁଥିଲା । ସେଇ ଅସୁସ୍ଥ ଅବସ୍ଥାରେ ତା’ର ଚିକିତ୍ସା ବା ପଥ୍ୟ ସମସ୍ତ ଦାୟିତ୍ୱ ଜେଲ୍ ସୁପରିଟେଣ୍ଡେଣ୍ଟ ନେଇଥିଲେ ।”

ଅମୂଲ୍ୟ ବାବୁ କାଗଜଟିକୁ ଲଫାପା ଭିତରେ ବନ୍ଦ କଲେ । ଉପରେ ବାରିଷ୍ଟର ଜ୍ୟାକବ୍‌ଙ୍କ ନାମ ଓ ଠିକଣା ଲେଖିଲେ । ପ୍ରଥମ ଥରପାଇଁ ବିର୍ସା ଯେତେବେଳେ ଗତଥର ବନ୍ଦୀ ହୋଇଥିଲା, ସେତିକିବେଳେ ଅମୂଲ୍ୟବାବୁ କଲିକତା ଯାଇ ତା’ର ମୁକ୍ତି ନିମନ୍ତେ ବାରିଷ୍ଟର ଜ୍ୟାକବ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ । ବାରିଷ୍ଟର ଜ୍ୟାକବ୍ ବିଦେଶୀ ଗୋରାସାହେବ ହେଲେ ମଧ୍ୟ କୋହ୍ଲ ଓରାଓଁ, ମୁଣ୍ଡା ଆଦିବାସୀମାନଙ୍କପାଇଁ ଲଢ଼ୁଥିଲେ । ବାରିଷ୍ଟର ଜ୍ୟାକବ୍ ଦିନେ ପଚାରିଲେ- “ତମେ ମତେ ସାହାଯ୍ୟ କରୁଛ କାହିଁକି ବାବୁ?”

ସମସ୍ତେ ଅମୂଲ୍ୟବାବୁଙ୍କୁ ବାବୁ କହିପାରିବେ । ସେ ସମସ୍ତଙ୍କୁ ସେ ଅଧିକାର ଦେଇଛନ୍ତି, ଖାଲି ଆଣ୍ଡରସନ୍ ଲାଗି ମନା ।

 

ଜ୍ୟାକବ୍ କଥାର କୌଣସି ଉତ୍ତର ଦେଲେ ନାହିଁ ଅମୂଲ୍ୟ ବାବୁ ।

ଜ୍ୟାକବ୍ ପୁଣି ପଚାରିଲେ-“ତମେ ମୋର ସାହାଯ୍ୟ କାହିଁକି କରୁଛ ଅମୂଲ୍ୟ ବାବୁ? କାହିଁକି କରୁଛ?”

 

- “ମୋ ନାଁ କହିବେନି?”

- “ଏଇଟା ତମର ଦୁଃସାହସ ନା ବୋକାମୀ?”

- “ଜାଣେନା ।”

- “ୟା’କୁ ପାଗଳାପଣ ମଧ୍ୟ କୁହାଯାଇପାରେ ଅମୂଲ୍ୟ ବାବୁ ।”

- “ହୁଏତ ଆମେ ସମସ୍ତେ ଟିକେ ଟିକେ ପାଗଳ ।”

- “ତମେ ରାଞ୍ଚିର ପିଲା ନା?”

- “ହଁ ।”

- “ଏଇଠି -ସ୍କୁଲ-କଲେଜରେ ପଢ଼ିଛ?”

 

ଅମୂଲ୍ୟବାବୁ କିଛି ସମୟ ଚୁପ୍ ରହି କହିଲେ-“ଚାଇଁବାସାର ଜର୍ମାନ୍ ମିଶନ ସ୍କୁଲରେ ମୁଁ ବିର୍ସାର ସହପାଠୀ ଥିଲି ।”

 

- “ଓଃ କିନ୍ତୁ ସେଥିପାଇଁ ତମେ ମୁଣ୍ଡାମାନଙ୍କୁ କାହିଁକି ସାହାଯ୍ୟ କରୁଛ ଏକଥା ତ’ମୁଁ ବୁଝିପାରୁନି ।”

 

- “ବୁଝିବା-ବୁଝାଇବା ସେମିତି କିଛି ନାହିଁ ।”

ଅମୂଲ୍ୟବାବୁ ବାହାର ଅନ୍ଧାରଆଡ଼କୁ ଚାହିଁ ରହିଥିଲେ । ଚଉଦ-ପନ୍ଦର ବର୍ଷ ତଳର କଥା । ବିର୍ସା ଅନେକ ବାଟ ଚାଲିଚଲି କ୍ଷତବିକ୍ଷତ ହୋଇ ଚାଇଁବାସା ସ୍କୁଲକୁ ଆସିଥିଲା ।

ଅମୂଲ୍ୟବାବୁ ହସିଲେ । ଜେଲ୍‌ରେ ଭେଟ ହେଲାପରେ ସୁଦ୍ଧା ବିର୍ସା ତାଙ୍କୁ ଜାଣିଶୁଣି ଚିହ୍ନା ପରିଚୟ ହୋଇନଥିଲା । ସେଥର ନୁହେଁ, କିମ୍ବା ଏଥର ବି ନୁହେଁ ।

ରାତି ପ୍ରାୟ ଆଠଟାବେଳେ କାଠର ଖଟୁଳିରେ ବିର୍ସାର ଶବକୁ ମେହେନ୍ତରମାନେ ବାହାରକୁ ଆଣିଲେ । ସେଦିନ ରାତିରେ ମୁଣ୍ଡା କଇଦିମାନେ ରାତ୍ରିଭୋଜନ କଲେ ନାହିଁ । ପ୍ରତିଟି କୋଠରୀରେ ଖୁନ୍ଦାଖୁନ୍ଦି ହୋଇ ଭୟଙ୍କର ଗରମରେ ଝାଳ ଜୁଡ଼ୁବୁଡ଼ୁ ହୋଇ ଏକାସ୍ୱରରେ ଗୁଣୁଗୁଣୁ ହେଲେ । ସେଇ ଗୁଣୁଗୁଣୁ ସ୍ୱରରେ କେମିତି ଏକ କ୍ରନ୍ଦନ ଧ୍ୱନି ତରଙ୍ଗାୟିତ ହେଉଥିଲା, ଆଉ ସେଇ ଗୀତର ସ୍ୱରର ଭାଷା ବି ଦୁର୍ବୋଧ୍ୟ । ଜଙ୍ଗଲର ଛାତି ଉପରେ ଖୁବ୍ ଜୋରରେ ବହି ଯାଉଥିବା ଝଡ଼ର ଭାଷା ପରି ଆଦିମ ସେଇ ଗୁଣୁଗୁଣୁ ଗୀତ, କେଉଁ ଏକ ମନ୍ତ୍ର ପରି ଗମ୍ଭୀର ଜଣାପଡ଼ୁଥିଲା ।

ମଢ଼ ଘରର ସନ୍ତରି, ପୁଲିସ, ଗାର୍ଡ଼, ଶବବୁହାଳି ମେହେନ୍ତର ସଭିଏଁ ସେଇ ଗୁଣୁଗୁଣୁ ଗୀତ ଶୁଣୁଥାଆନ୍ତି ଆଉ ଏକ ଅପରକୁ ଚାହୁଁଥାଆନ୍ତି । ଦୁଃଖରେ ସେମାନଙ୍କ ମନ ବି ତରଳିଗଲା । ଆଜି ରାତିର ଗରମ ପରି ତରଳି ଗଲା ସେମାନଙ୍କ ଦବି ଯାଇଥିବା ଡର, କ୍ଷୋଭ, ଦୁଃଖ । କାହିଁକି ସେହି ଭୟ, କାହିଁକି କ୍ଷୋଭ, କାହିଁକି ଦୁଃଖ । କଣ ହେଲା, ଗୋଟେ ବିଚାରାଧୀନ ବନ୍ଦୀ ମରିଗଲା ତ’ । କିନ୍ତୁ ମୁଣ୍ଡା କଇଦିମାନଙ୍କୁ ବିନା ବିଚାରରେ ପଶୁ ପରି ବାନ୍ଧିରଖିବା ଆଉ ସେଇ ଅବସ୍ଥାରେ ସେମାନଙ୍କର ଅକାଳମୃତ୍ୟୁ ଘଟିବା, ଏହା କଣ ପ୍ରଥମ ଘଟଣା?

•••

 

ଏମିତି ତ’ହୁଏ, ମଝିମଝିରେ ଏମିତି ହୁଏ, ଏଯାଏ ହୋଇ ଆସିଛି । ଆଜି ପ୍ରବଳ ଗରମ । ଏମିତି ଗରମ ଗତ ଦି’ବର୍ଷ ହେଲା ହୋଇ ଆସୁଛି । ଏମିତି କି ଗ୍ରୀଷ୍ମ ପ୍ରଭାବ ମଧ୍ୟରେ ବିର୍ସାର ଆନ୍ଦୋଳନର ଅଗ୍ନିଶିଖା ପରିବେଶକୁ ଆହୁରି ଉତ୍ତପ୍ତ କରିଦେଇଛି । ମନରୁ ବିବେଚନା, ବିଚାର ସବୁ ଆନ୍ଦୋଳନର ଦହନଭିତରେ ଜଳିଯାଇଛି । ଏମିତି ଭସ୍ମ ହୋଇ ଜଳିଯାଇଛି । ମୁଣ୍ଡା କଇଦିମାନେ ଛୋଟ ଛୋଟ କୋଠରୀରେ ଠେସାଠେସି ହୋଇ ପଶୁ ପରି ପଥର କାନ୍ଥର ଲୁହା ଶିକୁଳିରେ ଯେମିତି ବାନ୍ଧି ହୋଇପଡ଼ିଛନ୍ତି, ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ଏପରି ଅମାନୁଷିକତା’ପାଇଁ କାହାରି ବିବେକ ବି ଦଂଶନ କରିନାହିଁ । କେହି ବି ଭାବୁନାହିଁ ଶରୀରରେ ଗୁଳିର କ୍ଷତରେ, ସେଇକଷ୍ଟ ଆଉ ଜ୍ୱରରେ ସଢ଼ିସଢ଼ି ସୁନାରା ମୁଣ୍ଡା କିପରି ମରିଗଲା ।

କିନ୍ତୁ ଏବେ? ବିର୍ସାର ଶରୀରକୁ ଉଠାଇ ଜେଲ୍‌ରୁ ବାହାର କଲାବେଳେ ସମସ୍ତଙ୍କୁ ଲାଗିଲା, ନିଆଁ ପରି ଗରମ ପବନ ଯେମିତି ତେର୍‌ଛେଇ ପଡ଼ୁଛି । ଶିବନ୍ ମେହେନ୍ତର କହି ଉଠିଲା- “ଏଇଆ କ’ଣ ସବୁ ହୋଇଗଲାରେ? ଜାତିର ଲୋକ, ଧର୍ମର ଲୋକ କାନ୍ଧରେ ବୋହି ନେବ, କବର ଦେବ-। ଏସବୁ କ’ଣ ଚାଲିଛିରେ?”

- “ଚୁପ୍ କର ଶିବନ୍ ।”

- “ତୁମେ କ’ଣ କହୁଛ ସିପାହୀ ବାବୁ, ଏଇଟା ତ’ପାପ ହେଲାନା?” ସିପାହୀ ମୁନେଶ୍ୱର ପ୍ରସାଦ କହିଲା- “ପାପ ହେବ ତ’ ସାହେବର ହେବ । ଆମେ ସବୁ ତ’ହୁକୁମର ଚାକର ।”

- “କହିଲୁ, ମରିବାକୁ ଗଲୁ କାହିଁକି?”

- “ତା ବାପ ଜଙ୍ଗଲିଜାତିର, ଜଙ୍ଗଲି ଅକଲ । ମୋ ଜେଜେ ବାପା କାନୁନ୍‌ର ମଞ୍ଜୁରୀରେ ଜମି କିଣିଲେ, କହିଲା, ଆମକୁ କାହିଁକି ତଡ଼ିଦେଲ? କହିଲା, ତମେ ସବୁ ବି ଦିକୁ । କାନୁନ୍ କଣ ବୁଝୁନଥିଲା, ଅଦାଲତ ବୁଝୁନଥିଲା, ଜଜ୍ କଣ କହୁଛି, ବୁଝୁନଥିଲା । ଖାଲି କହୁଥିଲା-“କାହିଁକି? କାହିଁକି ଜଙ୍ଗଲ ଛାଡ଼ିବୁ? ଏଇ ଜଙ୍ଗଲ କଣ ଆମର ନୁହେଁ? ନେ ଶିବନ୍‌, ଏଇ ଲଣ୍ଠନ ନେ । ତମେ ସବୁ ଯାଅ ।”

- “ତମେ କିଏ ଆସିବନି ।”

- “ନା, ହରମୁ ନଦୀ ତ ସେଇପଟେ ଯା, ଚାଲିଯା ।”

- “ବଡ଼ ଅନ୍ଧାର ଆଜ୍ଞା ।”

- “ଅନ୍ଧାରରେ ଯାଆ, ଚୁପ୍‌ଚାପ୍ ଯାଆ । କିଏ ଜଳେଇଲା, କେଉଁଠି ଜଳେଇଲା- କିଏ ଯେପରି ନ ଜାଣନ୍ତି ।”

 

- “ତାକୁ ସେମାନେ ଭଗବାନ କହୁଥିଲେ ।”

- “ବଡ଼ ସାହେବ ଆହୁରି ବଡ଼ ଭଗବାନ ଶିବନ୍ ।”

- “ହରମୁରେ ପାଣି ନାହିଁ ।”

- “ପାଣି କଣ କରିବୁ? ଚିତା ଧୋଇବୁ? ନିଆଁ ଲଗାଇ ଚାଲି ଆସିବୁନି ।”

ଶିବନ୍ ଆଦି ଦେଖିଲେ, ଖାଲି ଦେଖି ରହିଲେ-ସନ୍ତରି, ସିପାହୀ, ଗାର୍ଡ଼, ସମସ୍ତେ ଫେରି ଯାଉଥିଲେ । ସେମାନେ ଯିବାକୁ ଲାଗିଲେ । ଭୂଇଁରେ, ପବନରେ, ଅନ୍ଧକାରରେ ବଡ଼ ଗରମ । ସେମାନଙ୍କ କଥାବାର୍ତ୍ତା ଆପେ ଆପେ ବନ୍ଦ ହୋଇଗଲା । ଚୁପ୍‌ଚାପ୍ ଚାଲୁ ଚାଲୁ ଶିବନ୍‌କୁ ମନେହେଲା ସେମାନେ ଭଗବାନ୍‌ଙ୍କୁ ଗୋଟେ ହେଲେ ନୂଆ ଲୁଗା ଦେଲେ ନାହିଁ ।

ଚିତା ସଜାଇବାକୁ ବେଶୀ ଡେରୀ ହେଲା ନାହିଁ । କାଠ ନଥିଲା । ଶୁଖିଲା ଗୋବରରେ ଚିତା ତିଆରି ହେଲା । ଧରମୁ ମୁଣ୍ଡ ନୁଆଁଇ କହିଲା-“ଏଇଟା ଅଧର୍ମ । ଆମେ ଜାତିର ଲୋକ ନୋହୁଁ । ବିର୍ସା ମୁହଁରେ ନିଆଁ ଦିଆଗଲା ନାହିଁ । ତାର ସ୍ନାନ ହେଲା ନାହିଁ, କବର ଦିଆଗଲା ନାହିଁ, ପୁରୋହିତ ଆସିଲେ ନାହିଁ । କାଠରେ ଜଳାଯାଇଥାନ୍ତା ଭଲା, ରାଞ୍ଚିରେ କଣ କାଠର ଅକାଳ ପଡ଼ିଥିଲା ।”

- “ଏ ଭାଇ, ଜଲ୍‌ଦି ଜଲ୍‌ଦି ଉଠାଅ । ବୋଧେ ସଢ଼ି ଗଲାଣି ।”

ବିର୍ସାକୁ ଚିତା ଉପରେ ଶୁଆଉ ଶୁଆଉ କହିଲା-“କେମିତି ହଇଜା ହେଲା, କଣ କିଛି ହେଲେ ଜଣା ପଡ଼ିଲାନି ।”

 

- “ଦିଅ, ନିଆଁ ଲଗାଅ ।”

ଧରମୁ ହାତୁ ଯୋଡ଼ି କଲା-“ବିର୍ସା ତମେ ସବୁ ଦେଖୁଛ, ସବୁ ଜାଣିଛ । ଆମେ ସବୁ ହୁକୁମର ଚାକର । ହୁକୁମରେ କାମ କରୁଛୁ । ତମେ ଆମକୁ ଦୋଷ ଦେବ ନାହିଁ । ଧରମୁ ଚିତାରେ ନିଆଁ ଲଗାଇଲା ।”

ସେମାନେ ଦୂରକୁ ହଟିଗଲେ । ବିର୍ସାକୁ ଘେରି ନିଆଁ ଜଳି ଉଠିଲା, ଆକାଶ ଆଡ଼କୁ ବି ଉଛୁଳି ଉଠିଲା ।

ଉଛୁଳା ନିଆଁକୁ ଦେଖି ଧରମୁ ମେହେନ୍ତର କହିଲା- ଉଲୁଗୁଲାନ୍‌ରେ ବହୁତ ନିଆଁ ଜଳେଇଥିଲା ବିର୍ସା । ନିଆଁ ତାକୁ ଭଲଭାବେ ଚିହ୍ନେ । ଦେଖ୍‌, କେମିତି ଜଳୁଛି ।

- “ହଁ । ତୋର ଉଲ୍‌ଗୁଲାନ୍‌ର କ’ଣ ଏଠି ଶେଷ କିରେ?”

ଭିଖନ ଚୁଗୁଲି କରୁଥିଲା, କିନ୍ତୁ ତାର ଏଇ ଥଟ୍ଟା ପରିହାସ ଅଧାରେ ରହିଗଲା । ସଭିଏଁ ଡରରେ ଏକ ଅପରରର ମୁହଁକୁ ଚାହିଁ ରହିଲେ ।

 

ସିବନ୍ ନିରେଖି ରହିଥିଲା-ଚିତା ଜଳୁଛି ।

ତାପରେ ଚିତା ଜଳି ଜଳି ଯେତେବେଳେ ପାଉଁଶ ହେବାକୁ ଲାଗିଲା, ହାତରେ ଧରିଥିବା ଠେଙ୍ଗାରେ ଚିତାର ନିଆଁକୁ ଘାଣ୍ଟୁ ଘାଣ୍ଟୁ ସିବନ କହିଲା-“ତମେ ସବୁ ଏଥର ଯାଅ । ମୁଁ ଚିତାକୁ ଧୋଇ ସାରିଲା ପରେ ଫେରିବି ।

- “ତୁ, ଏକୁଟିଆ?”

- “ହଁ, ଏକେଲା ଏକେଲା ମୁଁ ପାରିବି ।”

ସଭିଏଁ ସିବନକୁ ଆଖି ତରାଟି ଚାହିଁଲେ, କିଛି କହିବାକୁ ଚାହୁଁଥିଲେ କିନ୍ତୁ କହିଲେନି । ଆଗପଛ ହୋଇ ଚାଲିଗଲେ ।

•••

 

ସେମାନେ ସଭିଏଁ ଚାଲିଗଲା ପରେ ସିବନ୍ ଆଗକୁ ଚାହିଁ ରହିଥାଏ । ଚିତାର ନିଆଁ ଏବେ ମଧ୍ୟ ଦିକି ଦିକି ଜଳୁଛି । ସିବନ୍ ଜାଣେ ଏମିତି ନିଆଁ ଅନେକ ବେଳଯାଏଁ ଜଳେ ଦିକି ଦିକି ହୋଇ, ଧୂମ କୁଣ୍ଡଳୀ ଊର୍ଦ୍ଧ୍ୱମୁଖୀ ହୁଏ ଅନେକ ବେଳଯାଏଁ । ହଜାରୀବାଗରେ, ତା’ର ପିଲାବେଳେ ଜଙ୍ଗଲରୁ ତା’ର ଘର ଲୋକେ ବସନ୍ତ ଋତୁରେ ବଣରୁ ଶୁଖିଲା କାଠ ଡାଙ୍ଗ ବୋହି ଆଣି ଅଗଣାର ଗୋଟେ କୋଣରେ ଗଦା କରନ୍ତି । ଶୀତଦିନ ଆସିଲେ ସେଇସବୁ କାଠ ଜାଳି ନିଆଁରେ ହାତପାଦ ସେକନ୍ତି-। ସେଇ ନିଆଁ ଅନେକ ବେଳଯାଏଁ କଳେ । ସିବନ୍‌ର ମା’କହିଥାନ୍ତି-ମତେ ଥଣ୍ଡା ଧରେ ନାହିଁଲେ । ମୋ ଛାତିରେ ତୋର ବାପା, ତୋର ଦାଦା, ତୋର ଭାଇ ଏଇ କାଠର ରଡ଼ନିଆଁ ଜାଳି ଯାଇଛନ୍ତି ।

ଶରୀରଟା ଚିତା ଉପରେ ପାଉଁଶ ପାଲଟି ଯାଇଥିଲା । ଦେହରେ ତ’ କିଛି ବୋଲି କିଛି ନଥିଲା, ଯେମିତି ଶୁଖିଲା ପତ୍ରଟିଏ । ତା’ର କୋଠରୀ ସଫା କରିବାକୁ ଗଲାବେଳେ ସିବନ୍ ଅନେକ ଦିନ ଧରି ଲକ୍ଷ୍ୟ କରିଛି ଲୁହା ଶିଙ୍କୁଳିରେ ଭାର ଟାଣି ଟାଣି ବିର୍ସା ସେଇ ଛୋଟ କୋଠରୀରେ ଏପଟ ସେପଟ ହେଉଥିଲା । ଶୁନ୍‌ଶାନ୍ କାଳ କୋଠରୀ । କଥା ପଦେ ହେବାପାଇଁ ପାଖରେ କେହି ନଥାଏ । ସେ ଏକୁଟିଆ କୋଠରୀ ଭିତରେ ଏପଟ ସେପଟ ହେଉଥାଏ । କେଡ଼େ ଛୋଟ କୋଠରୀ । ଏ କାନ୍ଥରୁ ସେ କାନ୍ଥ ମାତ୍ର ଚଉଦ ପାଦ । ତା ପରେ କେବଳ କାନ୍ଥ । ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଚାରି ଦିଗ କେବଳ କାନ୍ଥ । କେବଳ କାନ୍ଥ । ଭରମୀ, ଧର୍ମୀ, ସୁଖରାମ ଓ କନୁ ମୁଣ୍ଡା ଆଦି କାନ୍ଥକୁ କାନ ଡେରି ତା’ର ଲୁହା ଶିଙ୍କୁଳି ଘୋଷଡ଼ାର ଶବ୍ଦ ଶୁଣୁଥାନ୍ତି ।

କନୁ ମୁଣ୍ଡା କହେ- “ପିଲାବେଳୁ ଦାଦାଙ୍କୁ କେହି ବାନ୍ଧିପାରିନଥିଲା ତା’ରି ପରି ଜଙ୍ଗଲ ଓ ପାହାଡ଼ରେ କେହି ବି ଏତେ ଦିନ ବୁଲି ନାହିଁ । ସେ ଉଲୁଗୁଲାନ୍‌ର ଘନ ଘୋର କଳା ଅନ୍ଧକାର ରାତିରେ ପାହାଡ଼ ପରେ ପାହାଡ଼ ଡେଇଁ ଦାଦା ସେଇ ପାଦରେ କେତେ ବାଟ ନଚାଲିଛି ।”

•••

 

କିନ୍ତୁ ୩୦ ତାରିଖ ରାତିରେ ଯେତେବେଳେ ପାଦରେ ବନ୍ଧା ଶିଙ୍କୁଳି ବେଡ଼ିର ସୋର ଶବ୍ଦ ଶୁଭିଲା ନାହିଁ, ଅନ୍ୟ କାଳ କୋଠରୀମାନଙ୍କରେ ବନ୍ଦୀ ମୁଣ୍ଡାମାନେ ଭୟରେ ଏକ ଅପରର ମୁହଁକୁ ଚହିଁଲେ । ଧନୀମୁଣ୍ଡା କୋହ ଫଟାଇ କାନ୍ଦୁ କାନ୍ଦୁ ଡାକ ଛାଡ଼ିଲା- ପାଦ ବେଡ଼ିର ଲୁହା ଶିଙ୍କୁଳି ଝଣ ଝଣ କର ଭଗବାନ । ଥୀର ହେଲ କାହିଁକି? ଆମେ ତ’ ସେଇ ଲୁହା ଶିଙ୍କୁଳିରେ ଶବ୍ଦ ଶୁଣି ଶୁଣି ବଞ୍ଚି ରହିଛୁ ।

•••

 

କିନ୍ତୁ ସେମାନଙ୍କ ଭଗବାନ ଆଉ ଉଠିଲା ନାହିଁ । ମୁଣ୍ଡ ଟେକି ଓ ପାଦ ବେଡ଼ିର ଶିଙ୍କୁଳି ଝଣ ଝଣ କରି ଘଣ୍ଟା ଘଣ୍ଟା ଧରି ସେଇ କାଳ କୋଠରୀ ଭିତରେ ଯେଉଁ ପଦଚାରଣା ହେଉଥିଲା, ସେଇ ଶବ୍ଦ ଆଉ ଶୁଭିଲା ନାହିଁ ।

୩୦ ତାରିଖରୁ ତା’ର ନାଡ଼ି ଦୁର୍ବଳ ଓ ଜୋର୍‌ରେ ଚାଲିବାକୁ ଲାଗିଲା ଜିଭ ଶୁଖିଗଲା ଦେହ କଣ୍ଟା ହୋଇଗଲା ପ୍ରବଳ ଶୋଷରେ ଛଟପଟ ହୋଇ ସେ ବାରମ୍ବାର ମାଗି ମାଗି ପାଣି ପିଉଥିଲା । କିନ୍ତୁ ଦାନାଏ ଖାଦ୍ୟ ପାଟିରେ ଦେଉ ନଥିଲା । ଦିନକ ଭିତରେ ଆଖିର ଜ୍ୟୋତି ହଜିଗଲା । କିନ୍ତୁ ପରଦିନ ପୂର୍ବରୁ ଡେପୁଟୀ କମିଶନର ଆସିପାରିଲେ ନାହିଁ । ଡେପୁଟୀ ସୁପରିଟେଣ୍ଡେଣ୍ଟ ବାବୁ ଡାକ୍ତରୀ ପାସ୍ କରିଛନ୍ତି । କିନ୍ତୁ ସେଇ କୋଠରୀକୁ ଯିବାକୁ ତାଙ୍କୁ ହୁକୁମ ନଥିଲା । ଡେପୁଟୀ କମିଶନରଙ୍କ କଥାରେ ସୁପରିଟେଣ୍ଡେଣ୍ଟ ବାବୁ ଆସି ବିର୍ସାର ସ୍ୱାସ୍ଥ୍ୟ ପରୀକ୍ଷା କଲେ । ବିର୍ସା ଇଂରାଜୀରେ କହିଲା । ସେଇଦିନ ହିଁ ସୁପରିଟେଣ୍ଡେଣ୍ଟ କହିଦେଇଥିଲେ ତାକୁ ହଇଜା ହୋଇଚି । ସେ ବଞ୍ଚିବ ନାହିଁ । ସିବନ୍ ଅନେକଙ୍କୁ ହଇଜା ହେବାର ଦେଖିଛି । ହଇଜା, ଜ୍ୱର, ସାପଦଂଶନ ଏମିତି କେତେ ମୃତ୍ୟୁ ତା’ବସ୍ତିରେ ବୁଲି ବୁଲି ଲୋକଙ୍କୁ ଯମପୁରୀର ଗ୍ରାସ କରିବାପାଇଁ ନେଇଯାଇଛନ୍ତି । କିନ୍ତୁ ବାନ୍ତି ନାହିଁ କି ଝାଡ଼ା ନାହିଁ ଏମିତି ହଇଜା ବିର୍ସା ଭଗବାନଙ୍କୁ ହେଲା କେମିତି?

•••

 

ଚିତା ଲିଭିଗଲା । ଏଥର ସିବନ୍ ଗଭୀର ପ୍ରତ୍ୟାଶାରେ ଚିତାର ନିଆଁରେ ଆଲୋକିତ ବୃତ୍ତର ସେପାରେ ଥିବା ଅନ୍ଧକାରକୁ ଚାହିଁ ରହିଲା । ଅନ୍ଧାର ଭିତରୁ ବାହାରି ଆସିଲେ ସାଥୀ, ଭଗବାନଙ୍କ ଉଲ୍‌ଗୁଲାନ୍‌ର ସାଥୀ, ମିତ୍ର । ସେମାନଙ୍କ କଳା ମଚମଚ ଦେହରେ ଲାଲ୍ ରଙ୍ଗର ବସ୍ତ୍ର ଓ ଆଖିରେ ଅଗ୍ନିଶିଖା ।

ସାଥୀଙ୍କ ହାତରେ ଥିଲା କଳସୀ । ସେମାନେ ସିବନ୍‌କୁ କିଛି ନକହି ହରମୁରୁ ପାଣି ଆଣି ଚିତାରେ ଢାଳିବା ଆରମ୍ଭ କଲେ । ଚିତାରୁ ବାମ୍ଫ ଉଠିଲା । କିଛି ପାଉଁଶ ସହିତ ସେଇ ବାମ୍ଫ ଆକାଶଆଡ଼କୁ ଊର୍ଦ୍ଧ୍ୱମୁଖୀ ହେଲା । ତାପରେ ସବୁକିଛି ଶାନ୍ତ । ଚତୁର୍ଦ୍ଦିଗ ନୀରବ, ନିଶ୍ଚଳ । ସାଥୀମାନେ ମୁଠାଏଁ ଲେଖାଏଁ ପାଉଁଶ ଲୁଗା କାନିରେ ବାନ୍ଧି ସିବନ୍ ପାଖକୁ ଆସିଲେ । ହସିଲେ । ଗମ୍ଭୀର, ସ୍ମିତ, ଆଶ୍ଚର୍ଯ୍ୟଜନକ ହସ । ବିର୍ସା ସେମାନଙ୍କୁ ଏମିତି ହସିବାର ଶିଖାଇଥିଲା । ବଡ଼ ଆଶ୍ଚର୍ଯ୍ୟ ସେ ବିର୍ସା ।

ସାଥୀମାନେ ସିବନ୍ ପାଖକୁ, ଖୁବ୍ ପାଖକୁ ଲାଗି ଆସିଲେ କିନ୍ତୁ ସିବନ୍‌ର ଦେହ ନିଶ୍ଚଳ, ଅଭିବ୍ୟକ୍ତି ବିହୀନ । ଆଉ ସାଥୀମାନେ ପାଖକୁ ଏତେ ପାଖକୁ ଲାଗି ଆସିଲେ ଯେ ସେମାନଙ୍କ ନିଶ୍ୱାସ ସିବନ୍ ଦେହରେ ଅଗ୍ନିଝଞ୍ଜା ପରି ବାଜୁଥିଲା । ସାଥୀଟିଏ କହିଲା-“ତୁ ମୋତେ ଅନେକ କିଛି ଦେଲୁ ସିବନ୍ ।”

- “ଏବେ କ’ଣ କରିବା । ଏଇ ସବୁ ଜଙ୍ଗଲରେ ଉଡ଼େଇଦେବି ।”

- “କାହିଁକି?

- “କହିଥିଲା, ଜଙ୍ଗଲରେ ପାଉଁଶ ଉଡ଼ାଇଦେଲେ ଜଙ୍ଗଲ ଜାଣିପାରିବ ବିର୍ସା ତାକୁ ଭୁଲି ନାହିଁ । ଚିତାର ପାଉଁଶ ଭୂମିର ମାଟିକୁ ସ୍ପର୍ଶ କରିବ, ଭୂମି ଉପରେ ବୃକ୍ଷର ଅଙ୍କୁରୋଦ୍‌ଗମ ହେବ । ଆଉ ସେଇ ବୃକ୍ଷ ଦିନେ ବିଶାଳ ହେବ ସାଥୀ ।”

-“କହିଥିଲା?”

- “ହଁ ।”

- “ତୁ ଚାଲିଯିବୁ ।”

- “ହଁ ।

- “ମୋତେ କିଛି କହିବୁ?”

- “କହୁଛି ଶୁଣ ।”

- “କହ ।”

- “ଉଲ୍‌ଗୁଲାନ୍‌ର ଶେଷ ନାହିଁ । ଭଗବାନର ମୃତ୍ୟୁ ନାହିଁ ।”

- “ମୃତ୍ୟୁ ନାହିଁ ।”

- “ନାହିଁ ।”

- “ତେବେ ମୁଁ କାହାକୁ ଜାଳିଲିରେ?”

- “ନା, ଭଗବାନର ମୃତ୍ୟୁ ନାହିଁ ।”

ସାଥୀଏଁ ଚାଲିଗଲେ-କ୍ଷଣିକ ଭିତରେ କଷଟିର କାଳ ଅନ୍ଧକାରରେ ମିଳେଇଗଲା ।

ସିବନ୍‌ର ରକ୍ତରେ ଚିତାର ଅଗ୍ନି କଣିକା ସବୁ ଗୋଟିଏ ପରେ ଗୋଟିଏ ଜଳିବାକୁ ଲାଗିଲେ-। ଗୋଟିଏ ଗୋଟିଏ ଶବ୍ଦ ଗୋଟିଏ ଅଗ୍ନି କଣିକା-ଉଲୁ୍‌ଗୁଲାନର ଅଗ୍ନିଶିଖା ଶେଷ ନାହିଁ? ଭଗବାନଙ୍କ ମୃତ୍ୟୁ ନାହିଁ?

ସିବନ୍ ଭୟରେ ଚମକି ପଡ଼ି ଆକାଶଆଡ଼କୁ ଚାହିଁଲା । ତା’ର ରକ୍ତ ଅତିକ୍ରାନ୍ତ ଅତୀତର-ସନାତନ କାଳରୁ ତାର ଶରୀରର ଶିରା ପ୍ରଶିରାରେ ପ୍ରବାହ । କୃଷ୍ଣାଙ୍ଗ ଆଦିବାସୀର ରକ୍ତ । ବହୁତ ଆଦିମ ରକ୍ତ । ସେମାନଙ୍କ ରକ୍ତରେ ଅନାହାର, ଦାରିଦ୍ର‌୍ୟ, ଲାଞ୍ଛନା ଗୋଳେଇ ଘାଣ୍ଟି ହୋଇ ରହିଛି । ପରୀ କାହାଣୀରେ, କିମ୍ବଦନ୍ତୀରେ, ଅଲୌକିକତାରେ, ଅସମ୍ଭବ ଭାବରେ ବିଶ୍ୱାସ ରଖି ସେମାନଙ୍କ ରକ୍ତ ଚିର କାଳରୁ ଧମନୀରେ ତୀବ୍ର ବେଗରେ ପ୍ରବାହିତ ହୋଇ ରହିଆସିଛି । ସେମାନଙ୍କ ରକ୍ତରେ ଛଅଟି ଶବ୍ଦ ଛଅଟି ଅଗ୍ନିଶିଖା ପରି ଜଳିଉଠୁଛି ।

ସିବନ୍ କଳସୀ ଫୋପାଡ଼ିଦେଇ ଦୌଡ଼ିବାକୁ ଲାଗିଲା ।

•••

 

ଜେଲ୍‌ରେ ଧାନୀ ମୁଣ୍ଡା ଦି ଆଣ୍ଠୁ ସନ୍ଧିରେ ମୁଣ୍ଡକୁ ଗୁଞ୍ଜି ବସିଥିଲା । ତା ପାଖରେ ବସିଥିଲେ ଭରମୀ, ଗୋପୀ, ରମେଇ ପ୍ରଭୃତି ଶହ ଶହ ମୁଣ୍ଡା । ଲୁହା ଶିଙ୍କୁଳିରେ ବନ୍ଧା । ଲୁହା ଶିଙ୍କୁଳିରେ ବାନ୍ଧି ହୋଇ ଶୋଇବାକୁ ବଡ଼ କଷ୍ଟ ହେଉଥିଲା । ଶହେ ଦଶ, ଶହେ ପନ୍ଦର ଡିଗ୍ରୀ ଗରମର ଉତ୍ତାପରେ ପଥର କାନ୍ଥ ଦିପହରବେଳକୁ ଆହୁରି ଗରମ ହୋଇଯାଏ । ଆଉ ଏହି ତାପ ଅନେକ ରାତି ଯାଏ ରହେ । ଏଇ ଗରମରେ ଆଖିକୁ ନିଦ ଆସେ ନାହିଁ ।

ଛାତିରେ ବିଫଳ ଉଲ୍‌ଗୁଲାନ୍‌ର ଜ୍ୱାଳା ବାହାରେ ଜ୍ୟେଷ୍ଠର ଉତ୍ତାପ-ଆଜି ସେଇ ପ୍ରବଳ ଝଞ୍ଜା ଭିତରେ ବିର୍ସାର ଚିତାରେ ନିଆଁ ଲାଗିଲା । ବନ୍ଦୀ ମୁଣ୍ଡାଙ୍କ ଆଖିରେ ନିଦ ନଥିଲା । ସେମାନେ ବସିଥିଲେ । ଶୋଇଥିଲା କେବଳ ସିନାରା । କିଶୋର, ଅଠର ବର୍ଷର ମୁଣ୍ଡା କିଶୋର ସିନାରା । ସେ ମୁହଁ ମାଡ଼ି ଶୋଇଥିଲା । ଓଠ ତଳ ଥୋଡ଼ିରୁ ରକ୍ତ ବହୁଥିଲା । ଏମିତି କେତେଦିନ ହେଲା ବହୁଛି । ତୋମକାରୀ ଲଢ଼େଇରେ ଛାତିରେ ପଥର ମାଡ଼ ହୋଇଥିଲା । ସେଇ ଲଢ଼େଇରୁ.... ।

ଆଜି ସିଏ ବିର୍ସାକୁ ଦେଖିବାକୁ ଯାଇପାରି ନଥିଲା । ତାର ଚାଲିବାକୁ ଶକ୍ତି ନଥିଲା ।

- “ତୁ ଯାଉନୁ ସିନାରା ।” ଧାନୀ କହିଥିଲା ।

- “ମୋତେ ତମେ ସଭିଏଁ ଟେକିନିଅ ।”

- “ତୁ ଯାଉନୁ ।”

- “ମୋତେ ନେଉନ!”

- “ମରିବୁ?”

- “ତମେ ସଭିଏଁ ଭଗବାନଙ୍କୁ ଦେଖିବ ମୁଁ ଦେଖିବିନି?”

- “ମରିବାକୁ ଚାହୁଁଛୁ, ସିନାରା?”

- “ତମେ କୁଆଡ଼େ ଜାଣିବ, ଭଗବାନ ମତେ କହିଥିଲା, ଯଦି ବିଜୁଳି ପାଲଟି ଲେଉଟି ଆସିବି, ତମେ ସଭିଏଁ ଡରିବ । ଯଦି ବିଜୁଳି ପାଲଟି ଖସି ପଡ଼ିବି, ତମେ ସବୁ ମୂର୍ଚ୍ଛା ଯିବ । ବାଘ ପାଲଟି ଲେଉଟି ଆସିଲେ ତମେ ସବୁ ଡରିବ । ଯଦି ପଶୁ ପାଲଟି ଲେଉଟି ଆସିବି ତମେ ସବୁ ମତେ ଚିହ୍ନିବନି । ତେଣୁ ମୁଁ ପୁଣି ମଣିଷ ରୂପରେ ଲେଉଟି ଆସିବି । ନୂଆ ବସୁଧା ଗଢ଼ିବି । ମୁଁ ମୁଣ୍ଡା ଭାବରେ ପୁଣି ଆସିବିରେ । ଯେଉଁ ମୁଣ୍ଡା ପୁଣି ଉଲ୍‌ଗୁଲାନ୍‌ର କଥା କହିବ, ମୁଁ ତାକୁ ଚିହ୍ନି ପାରିବି ।

- “କହିଥିଲା, କହିଥିଲା?” ଭରମୀ ଚିତ୍କାର କରି ପଚାରିଲା ।

-”କଣ କହିଥିଲା?”

- “ଭର୍ମୀ କହ, ତୁ କହ ।”

- “ମୁଁ କହିବି?”

- “ସେ ତ’ ତତେ ସବୁକଥା କହିଯାଇଛି ।”

- “ତେବେ ତମେ ସଭିଏଁ ଶୁଣ । ସେ ଯାହା କହିଥିଲା, ସେ ଯାହା କହିଥିଲା, ସବୁ କଥା ଭରମୀକୁ କହିଥିଲା ।

 

- “ଭରମୀ ତୁ କହ ।”

- “ମୋତେ କହିଥିଲା-ଭରମୀ, ଜେଲରେ ଏଇ ଚାରି ଶହ ମୁଣ୍ଡାଙ୍କୁ ବଞ୍ଚାଇବାକୁ ପଡ଼ିବ । ମାଜିଷ୍ଟ୍ରେଟ୍ ଯେବେ ଅଦାଲତରେ ଆମ ସମସ୍ତଙ୍କୁ ଧାଡ଼ି ଧାଡ଼ି କରି ଠିଆ କରାଇବ ମୁଁ କହିବି- ତୁମମାନଙ୍କୁ ମୁଁ ଚିହ୍ନି ନାହିଁ । ଯାହାକିଛି କରିଛି, ଅନ୍ୟମାନଙ୍କୁ ନେଇ । ତମ ଭିତରୁ କେହି ଜଣେ ହେଲେ ତାରି ଭିତରେ ନାହିଁ । ତମେ ସଭିଏଁ ବି କହିବ- ମତେ ଚିହ୍ନ ନାହିଁ କି ଜାଣ ନାହିଁ ।”

- “କହିଥିଲା?”

- “କହିଥିଲା- ଏଇ ଲୋକେ ଆମକୁ ଜେଲ୍‌ରୁ ଛାଡ଼ିବେ ନାହିଁ । କିନ୍ତୁ ଆଶା ଛାଡ଼ ନାହିଁ । ତମେ କେହି ଭାବିବା ଉଚିତ ନୁହେଁ ତୁମମାନଙ୍କୁ ମୁଁ ବୁଡ଼େଇ ଦେଇଛି । ସବୁ ହତିଆର ତ ମୁଁ ତମମାନଙ୍କୁ ଦେଇ ସାରିଛି । ସବୁ ବିଦ୍ୟା ତ ଶିଖାଇଛି । ସବୁ ନେଇ ଲଢ଼େଇ କରି ବଞ୍ଚି ରହ ।”

- “କହିଥିଲା?”

- “ଆହୁରି ବହୁତ କିଛି କହିଥିଲା । ମୁଁ ଲେଉଟି ଆସିବିରେ ଭରମୀ, ବୁନ୍ଦୁ, ତମର ସବୁ ଜାଗାରେ ହୋଲିର ନିଆଁ ଜଳେଇବି । ସୋନପୁରରେ ଧୂଳିର ଝଡ଼ ଉଡ଼େଇବି । ଜଣାପଡ଼ିବ ପାହାଡ଼ର ଗଛରେ ଗଛରେ ରେଶମ ପୋକ ଅଣ୍ଡା ଦେଇଚି । ସେଇ ସବୁ ଅଣ୍ଡାରୁ ଯେମିତି ଅଜସ୍ର ପୋକ ବାହାରନ୍ତି ମୋ କଥାରୁ ଅନେକ ନୂଆ କଥା ବାହାରିବ ।”

- “ଚାଲ । ସିନାରାକୁ ସାଙ୍ଗରେ ଧରି ଚାଲ ।”

ତାପରେ ସେମାନେ ସିନାରାକୁ ସାଙ୍ଗରେ ଧରି ଚାଲିଲେ । ବିର୍ସାର ଶରୀରକୁ ଘେରି ସେଇ କୋଠରୀରେ ଠିଆହେଲେ, ସେତେବେଳେ ସିଏ ମୁଣ୍ଡ ଟେକି ସୁଦ୍ଧା ଚାହିଁ ପାରୁନଥିଲା । ଏଥର ସଭିଏଁ ବୁଝି ଯାଇଥିଲେ, ସେ ମରଣ ସହ ଜୁଝୁଛି । ଏକଥା ଜାଣିଛି କି ନାହିଁ ସେ କଥା ବି ସେ ଜାଣେନା ।

ବୟସରେ ସେ ସମସ୍ତଙ୍କଠୁ ସାନ । ଜମିବାଡ଼ି ବୋଲି କିଛି ନଥିଲା-ଗାଈ, ବଳଦ, ଘରବାଡ଼ି କିଛି ନଥିଲା । ଚନ୍ଦୁ ଗାଆଁର ସୁରଜ ସିଂହ ସଞ୍ଜବେଳକୁ ଗୋଟେ ଥାଳିରେ ଥାଳିଏ ଜାଉ ଆଉ ଟେଳାଏ ଲୁଣ ବର୍ଷକୁ ତିନିଟା ମୋଟା ଲୁଗା ଦେଇ ତା’ର ଜୀବନ ମରଣ ସବୁ କିଣି ନେଇଥିଲା । ନିଜର ବୋଇଲେ ତା ପାଖରେ ଥିଲା ଗୋଟେ କାଠର ଠେଙ୍ଗା, ଗୋଟେ ବଂଇଶୀ ଆଉ ଗୋଟେ କମାଣ । ସେସବୁ ସେ ସାଙ୍ଗରେ ଧଣି ଜଙ୍ଗଲରୁ ଜଙ୍ଗଲ ସୁରଜ ସିଂହର ଗାଈ ଚରାଏ । ଶର ମାରି ଗଧିଆ, ବାଘ, ଚିତାଙ୍କୁ ଘଉଡ଼ାଏ । ନୋହିଲେ ଟିଣ ପିଟି ହୁରୁଡ଼େଇ ଦିଏ ।

ଆଉ ଗୀତ ଗାଏ । ବିର୍ସା ସେତିକିବେଳେ ଆନନ୍ଦ ପାଣ୍ଡେର ଘରେ ରହୁଥାଏ, ଭଗବାନଙ୍କ ଗୀତ ଗାଏ । ସିନାରା ତାକୁ ଦୂରରୁ ଦେଖେ । ତା’ର ଗୀତ ଶୁଣେ ।

ବିର୍ସା ଗୀତ ଗାଏ, କେବଳ ଗୀତ ଗାଏ । ଗୀତ ଗାଇଲାବେଳେ ସେ ମଣିଷର ରକ୍ତରେ ମାଦଳ ବଜାଇପାରେ । ସିନାରାର ରକ୍ତରେ ସେଇଦିନଠୁ ଗୀତ ଗୁଞ୍ଜରିତ ହୋଇ ଉଠୁଥିଲା । ତାପରେ ଉଲ୍‌ଗୁଲାନ୍‌ର ଡାକରାରେ ସେ ସୁରଳ ସିଂହର ଗାଈ ଛେଳି ଗୋଠ ମଇଦାନରେ ଛାଡ଼ି ଦେଇ, ସୁରଜର ଘରେ କେମକ ପଥରରୁ ନିଆଁ ଲଗାଇ ଦେଉଥଲା । ବିନା ଘାସର ଦାନା- ଯେଉଁ ଦାନାରୁ ସିଏ ଜାଉ ରାନ୍ଧୁଥିଲା-ସେହି ବିନା ଘାସ ଦାନାର ବସ୍ତାଏ ଦାନା ଓ ହାଣ୍ଡିଏ ଲୁଣ ଲୁଟିନେଇ ବିର୍ସା ପାଖକୁ ଚାଲି ଆସିଲା ଯେ, ଆଉ କେବେ ଲେଉଟିଲାନି ।

ସେଇ ସିନାରା ମୁହଁ ମାଡ଼ି ମରଣ ସହିତ ଲଢ଼େଇ କରୁଛି । ଅନ୍ୟ ମୁଣ୍ଡା ସାଥୀଏ ତା ପାଖରେ ବସିଛନ୍ତି । ସେମାନେ ଭାବୁଥାନ୍ତି, ଦାହ କାର୍ଯ୍ୟ ତ’ସରିଯିବଣି ସିବନ୍ ଏଯାଏଁ ଫେରିଲା ନାହିଁ କାହିଁକି?

ହଠାତ୍ ଘଣ୍ଟି ବାଜି ଉଠିଲା-ଟନ୍ ଟନ୍ ଟନ୍ ଟନ୍ ।

ଘଣ୍ଟି କାହିଁକି ବାଜିଲା? କିଏ ଗାରଦର କଡ଼ା ଚଉକୋଶକୁ ଭାଙ୍ଗି ଚାଲିଗଲା । ଅଚାନକ କ’ଣ ହୋଇଗଲା? ବାହାରୁ ବୁଟ୍‌ର ଖଟ୍ ଖଟ୍ ଶବ୍ଦ କାହିଁକି ଭାସି ଆସୁଛି? ସଂତରୀମାନେ ଏମିତି ଦୌଡ଼ୁଛନ୍ତି କାହିଁକି? କିଏ ଚିତ୍କାର କରୁଛି? କିଏ ଚିତ୍କାର କରି କହୁଛି-“ସାହେବଙ୍କୁ ଖବର ଦିଅ । କାହାର ଏ ଚିତ୍କାର ।”

ଉଲ୍‌ଗୁଲାନ୍‌ର ଅନ୍ତ ନାହିଁ । ଭଗବାନର ମୃତ୍ୟୁ ନାହିଁ!!

ମୁଣ୍ଡାମାନେ ଦୁଇ ଆଣ୍ଠୁ ସନ୍ଧିରେ ମୁଣ୍ଡ ଗୁଞ୍ଜି ବସିଥିଲେ । ବିଜୁଳିର ଚାବୁକ୍ ଚୋଟରେ ସେମାନେ ଯେମିତି ପ୍ରକୃତିସ୍ଥ ହେଲେ । ମୁହଁ ଉଠାଇ ଚାହିଁଲେ । ସଭିଏଁ ଦରଜାଆଡ଼କୁ ଚାହିଁଲେ । ସେଆଡ଼କୁ ଅଗ୍ରସର ହେଲେ । କେବଳ ଧାନୀ, ବୃଦ୍ଧ ଧାନୀ ସିନାରା ପାଖରେ ବସି ରହିଲା । ସେ ଅନେକ ଦିନ ଧରି, ଅନେକ ଦିନ ଧରି ଲଢ଼ି ଆସୁଛି । ସାନ୍ତାଳଙ୍କ ହୁଲା ଆନ୍ଦୋଳନରେ ସେ ତୀର ଚଳାଇଛି । ସର୍ଦ୍ଦାରଙ୍କ ମୁଲକ ଲଢ଼େଇରେ ମିଶିଛି । ବିର୍ସାର ଉଲୁ୍‌ଗୁଲାନ୍‌ରେ ଯୋଗ ଦେଇଛି ।

କେବଳ ସେ ହିଁ ଜାଣେ ଉଲ୍‌ଗୁଲାନ୍ କେବେ ଶେଷ ହୁଏ ନାହିଁ, ଭଗବାନ ମରି ନାହିଁ । ଭଗବାନ ପୁଣି ମୁଣ୍ଡା ହୋଇ କେଉଁ ମୁଣ୍ଡା ମା’ର କୋଳକୁ ଲେଉଟି ଆସିଛି । ସେ ବା କାହିଁକି କାହା କଥା ଶୁଣିବାକୁ ଯିବ? ଯିଏ କିଛି ଜାଣେ ନାହିଁ ସିଏ କେବଳ ଶୁଣେ ।

“ଉଲ୍‌ଗୁଲାନ୍‌ର ମୃତ୍ୟୁ ନାହିଁ । ଭଗବାନ ମରି ନାହିଁ ।”

ସିବନ୍‌ର କଣ୍ଠ ସ୍ୱର । ସିବନ୍ ଚିତ୍କାର କରୁଛି ।

ସିବନ୍‌ର ଚିତ୍କାର ଖୁବ୍ ଜୋର୍‌ରେ ମାଡ଼ି ଆସୁଛି । ଯେମିତି କିଏ ଜଣେ କହୁଛି ସିବନ୍ ମେହେନ୍ତରଟା ପାଗଳ ହୋଇଗଲା ।

- “ଧର, ଧର ତାକୁ ।”

- “ଉଲ୍‌ଗୁଲାନ୍‌ର ଅନ୍ତ ନାହିଁ । ଭଗବାନର ମଧ୍ୟ ମରଣ ନାହିଁ । ମୁଣ୍ଡା ଭାଇମାନେ ମୁଁ ଦେଖି ଆସିଲି । ଉଲ୍‌ଗୁଲାନ୍‌ର, ତମମାନଙ୍କ ଉଲ୍‌ଗୁଲାନ୍‌ର ଅନ୍ତ ହୋଇ ନାହିଁ ।”

ସିବନ୍‌ର କଣ୍ଠ ସ୍ୱର ହଠାତ୍ ଥମିଗଲା ।

କୋଳାହଳ ଶାନ୍ତ । ଚାବୁକର ଚୋଟ, ଲାଠିର ମାଡ଼ ମଣିଷ ଶରୀରରେ ଅନବରତ ଚାଲିଛି-। ଏବେ ତାହାର ଚିତ୍କାର ଶୁଭୁଛି । ବୁଟ୍ ବାଲା ପାଦମାନେ ଘୋଷାଡ଼ି ନେଉଥିବା ମଣିଷର ଚିତ୍କାର ଶୁଣୁଛନ୍ତି ।

ସିନାରା କହିଲା-“ଧାନୀ, ମୋ ମୁହଁଟା ପୋଛି ଦେଲୁ ।”

ଧାନୀ ତା ମୁହଁ ପୋଛି ଦେଲା ।

ଭଗବାନ କହିଥିଲା-“ସିଂହଭୂମିର ସବୁ ଜଙ୍ଗଲ ଓ ଭୂମି ଆମେ ଫେରି ପାଇବା ।”

- “ପାଟି କରନା । ଚୁପ୍ ହୋ ।”

- “ସାରା ଜଙ୍ଗଲ ମିଳିବ । ଆମ ଧରତୀ ମା ଯେମିତି ଆଗେ ଛୋଟ ପିଲା ପରି କୋମଳ ଓ ନିଷ୍ପାପ ଥିଲା, ଆମର ସେଇ ଧରତୀ ମା ପୁଣି ଆମକୁ ମିଳିଯିବ । ଆମର ସେଇ ଧରତୀରେ ନଥିବ ମହାଜନ, ନଥିବେ ଦିକୁ କିମ୍ବା ଦଲାଲ୍ ଅଥବା ସାହେବ । ବାସ୍ । ସାରା ଜଙ୍ଗଲ ଓ ପାହାଡ଼ରେ, ଧାନୀ ।”

 

- “ତୁନି ପଡ଼ ।”

- “ସେଇ ଧରତୀ ତୁ ଦେଖିବୁ, ମୁଁ କିନ୍ତୁ ଦେଖିପାରିବିନି । ମୋ ମୁହଁ ପୋଛିଦେ ଧାନୀ । ଠାକୁରର ନା ଶୁଣିଚୁ ଧାନୀ, ତୁ ସେଇ ଗୀତ ଗା’ । ସେଇ ବିଳାପ ଗୀତ ଶୁଣା, ଯେଉଁ ଗୀତ ମୁଁ ଦିନେ ତୁମମାନଙ୍କୁ ଶୁଣାଉଥିଲି ।”

- “ସିନାରା ମରିଗଲା ଧାନୀ ।”

ଧାନୀ କୌଣସି ଉତ୍ତର ଦେଲା ନାହିଁ । ସିନାରାର ମୁଣ୍ଡକୁ କୋଳରେ ଧରି ହଲେଇବାକୁ ଲାଗିଲା । ତାପରେ ଗୀତ ଗାଇଲା ।

“ବୋଲ ପେ ବୋଲ ପେ ହେ ଗାଆ ମିଶି ହୋନ୍ କୋ

ହୋଇ ଓ ଡୁଡ଼ୁଗାଉ ହିଜୁ ତାନା ବେଲ ପୋ ବେଳ ପୋ.... ।

ଓତେରେ ହୁଡୁଗାର ଶିରିଆରେ କୋ ଆମ୍‌ସୀ

ଦିଶୁମ୍ ତାକୁ ବୁଆଲ୍ ତନା

ବେଲ ପୋ ବେଲୋ ପୋ... ।

ତାର ଓମ୍ ତେ ଦୋ ଠୋରୀ କାପେ ନାମି ଇଆ

ଦିଶୁମ୍ ତାକୁ ମୁବା ଗାନ୍ ।

ବେଲାପେ ବୋଲେ..... ।”

ହୋ ଭାଇ, ହୋ ଭଉଣୀ, ଆରେହୋ ପିଲାଏ ଜୀବନ ବଞ୍ଚାଇବାକୁ ପଳାଅ । ଝଡ଼ ଉଠିଲାଣି । ହୋ ଭାଇ, ହୋ ଭଉଣୀ, ଝଡ଼ ଓ ଧୂଳି ଆକାଶକୁ ଢାଙ୍କି ଗଲାଣି । ଆମ ଦେଶକୁ ସେମାନେ ଛଡ଼ାଇ ନେଲେଣି । ହୋ ଭାଇ, ହେ ଭଉଣୀ.... ପରେ ଆଉ ବାଟ ମିଳିବନି । ଚାରିଆଡ଼େ ଖାଲି ଅନ୍ଧାର ଓ ଅନ୍ଧାର । ହୋ ଭାଇ ହୋ ଭଉଣୀ ।

ଧାନୀ ଅଟକିଗଲା । କିନ୍ତୁ ଅନ୍ୟ ମୁଣ୍ଡାମାନେ ଏକ ସ୍ୱରରେ ରକ୍ତରେ ରକ୍ତରେ ଛାତି ଭିତରୁ, ମନ୍ତ୍ର ପରି, ଯନ୍ତ୍ରଣା ପରି ଗମ୍ଭୀର ଦୁଃଖପୂର୍ଣ୍ଣ ଭାସି ଆସୁଥିବା ଗୀତ ଉଚ୍ଚାରଣ କଲେ ।

“ବେଲୋପେ ବେଲୋପେ....”

•••

 

ଜେଲ୍ ଭିତରେ ବସି ଧାନୀ ମୁଣ୍ଡା, ଭରମୀ ମୁଣ୍ଡା ବିର୍ସାର କଥା ହେଉଥିଲେ....

“ବହୁତ ବହୁତ ବର୍ଷ ପୂର୍ବେ ବିର୍ସାର ଜେଜେବାପାଙ୍କ ଜେଜେବାପା ହୁଏତ ସେମାନଙ୍କ ଜେଜେବାପା ଏହି ଅଞ୍ଚଳକୁ ଆସିଥିଲେ ଘର ବସାଇବାକୁ, ଜାଗା ଖୋଜି ଖୋଜି । ସେ କାଳରେ ଜଙ୍ଗଲ ପାହାଡ଼ ଭୂମିର ମାଲିକ ବୋଲି କେହି ନଥିଲେ । ଜାଗା ଖୋଜି ଖୋଜି ଆସି ପହଞ୍ଚିଲା ପରେ ଯେଉଁଠି ସମତଳ ଭୂମିଟିଏ ମିଳିଗଲା, କୋଦାଳରେ ଗାତ ଖୋଳି ଖୁଣ୍ଟ ପୋତିଦେଲା ପରେ ସେଇଠି ଗୋଟେ ନୂଆ ଗାଆଁର ନିଅଁ ବସି ଯାଉଥିଲା । ସେମାନେ ଦୁଇ ଭାଇ ଆସିଥିଲେ- ଚୁଟିଆ ହରମ ଓ ନାଗୁ । ସେତେବେଳେ ଶ୍ରାବଣ ମାସ । ତୋମ ଡାଗରା ନଦୀର ଦୁଇ କୁଳକୁ ବୁଡ଼ାଇ ବନ୍ୟା ଆସିଥିଲା । ସେଇଠି, ସେଇ ନଦୀ କୂଳରେ ସେମାନେ ଗାଁ ବସାଇଲେ । ସେଇ ଦୁଇ ଭାଇଙ୍କ ନାଁ ଅନୁସାରେ କାଳକ୍ରମେ ସେଇ ଅଞ୍ଚଳର ନାଁ ହେଲା ଛୋଟ ନାଗପୁର ।

ସେମାନେ ଥିଲେ ପୁର୍ତ୍ତି ମୁଣ୍ଡା । ଯେଉଁଠି ଗାଁ ବସାଉଥିଲେ ସେଠାରେ ରହିବାପାଇଁ ଲୋକେ ଆସି ଯୁଟି ଯାଉଥିଲେ । ପୁଣି ଦିନେ ସେମାନଙ୍କ ଭିତରୁ କେହି କେହି ନୂଆ ଜାଗାର ସନ୍ଧାନରେ ଚାଲି ଯାଉଥିଲେ । କଳା ମଚମଚ ପୁରୁଷ ନାରୀ, ଗାଈ, ଛେଳି, ମେଣ୍ଢା, ଦୁନିଆଁର ସାଜସାମାନ, ଟୋକେଇ, କୋଦଳ, ଶାବଳ, ଧନୁ, ତୀର । ଧୀରେ ଧୀରେ ମୁଣ୍ଡ ଟେକିଲା ନୂଆ ବସ୍ତି ତିଳମା, ତମାର, ଓଲିହାଡୁ, ଚାଲକାଡ଼-ଗୋଟିଏ ପରେ ଗୋଟିଏ ଗାଁ । ସେତେବେଳେ ସବୁକିଛି ସହଜ ଥିଲା । ସେମାନେ ଜଙ୍ଗଲରେ ଶିକାର କରୁଥିଲେ । ଜଙ୍ଗଲରେ ଗାଈ ଚରାଉଥିଲେ । ଜଙ୍ଗଲରୁ କାଠ ପତ୍ର ଆଣୁଥିଲେ । ଜଙ୍ଗଲକୁ କାଟି ଚାଷ ଜମି ତିଆରି କରୁଥିଲେ । ସେ ସଭିଏଁ ସବୁ ଦେବତାଠୁ ବଡ଼ ଦେବତା ‘ସିମ୍ବୋଡ଼ା’କୁ ପୂଜା କରୁଥିଲେ । ଯେତେସବୁ ବୋଣ୍ଡାଙ୍କ ଉପରେ ସେଇ ଦେବତାଙ୍କ ଅଖଣ୍ଡ ରାଜତ୍ୱ । ପହାନ ଥିଲା ସେଇ ଦେବତାଙ୍କ ପୂଜାରୀ ।

କିନ୍ତୁ ବିର୍ସା କାହିଁକି? ବିର୍ସାର ଜନ୍ମ ହେବାର ବହୁ ବର୍ଷ ପୂର୍ବରୁ, ହୁଏତ ବିର୍ସାର ବୁଢ଼ା ଜେଜେବାପା ଲକରା ଜନ୍ମ ହେବାର ପୂର୍ବରୁ ସବୁକିଛି ବଦଳି ଯାଇଥିଲା । କିପରି ଭାବରେ ବଦଳି ଯାଇଥିଲା- ସେଇ କଥା କେବଳ ଧାନୀ ମୁଣ୍ଡା ବେଶ୍ ଭଲଭାବେ ଜାଣେ । ଆଉ କେହି ଜାଣେନା । ସେଇ କଥା ଧାନୀ ମୁଣ୍ଡା କଇଦୀ ମୁଣ୍ଡା ଭାଇମାନଙ୍କୁ ବଖାଣି ବସେ । ତା’କଥା ଶୁଣିବାପାଇଁ ମୁଣ୍ଡା କଇଦୀମାନଙ୍କ ପାଖରେ ବହୁତ ସମୟ ଥିଲା । କାରଣ ସେମାନଙ୍କୁ ଜେଲ୍ ଭିତରେ ବନ୍ଦୀ କରି ରଖା ଯାଇଥିଲା । ବିଚାରାଧୀନ କଏଦୀଙ୍କ ଭିତରୁ କେତେକ ଜଣକ ପରେ ଜଣେ ମରିବି ଯାଉଥିଲେ । କିନ୍ତୁ ସରକାରଙ୍କ ଯାଞ୍ଚ ତଥାପି ସରୁନଥାଏ । ଯାଞ୍ଚ ଶେଷ ନହେଲାଯାଏଁ ମକଦ୍ଦମା ଆରମ୍ଭ ହେବାର ପ୍ରଶ୍ନହିଁ ଉଠୁନଥାଏ । ମଝି ମଝିରେ କେତେ ଶହ ଅସହାୟ, ନିରାଶ୍ରୟ ମୁଣ୍ଡା ଲୋକଙ୍କ ଜଙ୍ଗଲ ଅଧିକାର ଲଢ଼େଇ ଏପରି ଭୀଷଣ ଅପରାଧର ରୂପ ନେଉଥିଲା, ଯାହା ଫଳରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ସମଗ୍ର ଶାସନତନ୍ତ୍ର ପ୍ରୟୋଗରେ ସୁଦ୍ଧା ମକଦ୍ଦମା ଚାଲୁ କରିବାକୁ ଅନେକ ସମୟ ଲାଗି ଯାଉଥିଲା । ମୁଣ୍ଡା କଇଦୀମାନଙ୍କୁ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ ଭିତରେ ସଢ଼ିବାକୁ ପଡ଼ୁଥିଲା । ଚାର୍ଜସିଟ୍ ତିଆରି ହୋଇ ପାରୁନଥିଲା ।”

 

- “ଧାନୀ ତୁ ଏକଥା କେମିତି ଜାଣିଲୁ?”

“ମୁଁ ଜାଣନ୍ତିନି ତ ତମେ ସବୁ କେମିତି ଜାଣିଥାନ୍ତ? ମୁଁ କଣ ଆଜିର ମଣିଷ କିରେ? ସାନ୍ତାଳମାନେ ଯେତେବେଳେ ଆନ୍ଦୋଳନ ଆରମ୍ଭ କଲେ, ସେତିକିବେଳକୁ ମୋତେ ପାଞ୍ଚଶ’ ବର୍ଷ ପୂରି ଗଲାଣି । ମୁଁ କାହାକୁ ବା ନଦେଖିଛି, ନଜାଣିଛି? ସିଦ୍ଧୁକୁ ଦେଖିଛି, କାନୁକୁ ଦେଖିଛି । ଭଗନାଦିହୀ ଯାଇ ମୁଁ ପରା ସେମାନଙ୍କ ମେଳିରେ ମିଶିଛି । ଧନୁ ତୀରପାଇଁ ବିଷ କାଢୁଥିଲି, ସାପର ବିଷ । ମୋ ପରି ବିଷ କିଏ କାଢ଼ି ପାରୁଥିଲା? କହିଲୁ ଦେଖି ।”

- “ଭୂଇଁଙ୍କ ମେଳି ଦେଖିଛୁ?”

- “ନାଇଁ ଦେଖିନି । ସେତେବେଳେ ମୋ ପୁଅମାନେ ଥିଲେ ଭେଣ୍ଡା । ଦି’ପୁଅ ଘରେବି ଥିଲେ ମୋର ନାତିମାନେ ।”

 

- “ତେବେ ସେମାନେ କାହାନ୍ତି ।”

- “ସେମାନଙ୍କୁ ମୁଁ ଛାଡ଼ି ଆସିଛି ।”

- “କାହିଁକି?”

- “କହିଦେଇ ଆସିଛି ସାହେବ ଆଗରେ- ସେମାନେ ମୋର କେହି ନୁହନ୍ତି । ନହେଲେ ସେମାନଙ୍କ ପାଦ ଆଉ ହାତରେ ବନ୍ଧାଯାଇଥା’ନ୍ତା ଲୁହା ଶିଙ୍କୁଳି, ଆମରି ପରି ।”

 

- “ସେମାନେବି ବନ୍ଧା ପଡ଼ିଥା’ନ୍ତେ?”

- “ହଁ ରେ, ସେତିକି ବେଳୁ ମୁଁ ଜାଣିଛି ଦିକୁଙ୍କ ଦୟନୀୟତା ଆଉ ସାହେବମାନଙ୍କର ପ୍ରତାପ-।”

 

- “ସେବେଠୁ ଜାଣିଛୁ?”

- “ହଁ । ସେଇଦିନୁ ଜାଣିଛି । ଆଉ ଦେଖ୍‌, ବିସାଁର ବାଉଁଶର ପୂର୍ବପୁରୁଷମାନେ ଛୋଟନାଗପୁର ଗଢ଼ିଲେ, କିନ୍ତୁ ରାଜା ହେଲା ଆଉ ଜଣେ । ସେଇଦିନୁ ଆମ ଭିଟାମାଟି ଉପରେ, ଜଙ୍ଗଲ ଉପରେ ବାହାର ଲୋକେ ଦଖଲ କରିବା ଆରମ୍ଭ କଲେ । ସବୁ ଛଡ଼େଇ ନେଲେ । ଅନ୍ୟ ଦେଶର, ଅନ୍ୟ ଜାତିର ଲୋକଙ୍କ ଶାସନ, ରାଜୁତି ଆରମ୍ଭ ହେଲା ଆମ ଉପରେ । ଚାରିଆଡୁ ଲୋକ ମାଡ଼ି ଆସିଲେ । ଯେଉଁମାନେ ଆସିଲେ, ସେମାନେ ଥିଲେ ‘ଦିକୁ’....ସାହୁକାର । ଧାନୀ ଜାଣିଥିଲା, ମୁଣ୍ଡା ଜାତିର ଯେଉଁ ଆଦିମ ଗ୍ରାମ ବ୍ୟବସ୍ଥା ଥିଲା, ତାହା ଭାଙ୍ଗିଗଲା ପରେ ଯେଉଁମାନେ ମୁଣ୍ଡା ଲୋକଙ୍କୁ ଛଳେବଳେ କୌଶଳେ ଭିଟାମାଟିରୁ ତଡ଼ିଦେଇ, ସେମାନଙ୍କ ସାତପୁରୁଷର ଜମିବାଡ଼ି ସମ୍ପତ୍ତି ସବୁ ଦଖଲ କରିନେଲେ, ସେଇମାନେ ହିଁ ‘ଦିକୁ...ସାହୁକାର’ । ସେମାନେ ମୁଣ୍ଡା ମଣିଷକୁ ଗୋତି କରି ରଖିଲେ । ‘ବେଠିବେଗାରୀ’ ପ୍ରଥା ଚଳେଇଲେ । ବିନା ମୂଲ୍ୟରେ ବେଠି ଖଟିବାକୁ ପଡ଼ୁଥିଲା ।” ଧାନୀ ଜାଣେ, ଜୀବନର ସବୁ ଯାତନା ଯନ୍ତ୍ରଣାର ମୁହୂର୍ତ୍ତ ସବୁ ମୁଣ୍ଡା ଲୋକେ ନାଚ ଗୀତରେ ଭୁଲି ଯାଇଛନ୍ତି । ସେଇ ଗୀତ କିଏ ରଚିଥିଲା, କିଏ ଗାଇଥିଲା, କିଏ ସୂର ଦେଇଥିଲା କାହାକୁ ଜଣା ନାହିଁ ।

ଏକଥା ମନେ ପଡ଼ିଲେ ଧାନୀ ବଖାଣି ବସେ- “ଆଉ ଦେଖ, ଦିକୁ ଯାଆନ୍ତ ସାହୁକାର ଘୋଡ଼ା ଚାହେଁ, ଆଉ ପଇସା ଦିଏ ମୁଣ୍ଡା । ଦିକୁକୁ ପାଲିଙ୍କି ଲୋଡ଼ା, ମୂଲ ଦେବ ମୁଣ୍ଡା । ପୁଣି କାନ୍ଧରେ ବୋହିବ । ଦିକୁର ଯାହା ଇଚ୍ଛା ମୁଣ୍ଡା ଦେବ ସବୁ । ଦିକୁର ଠିକାଦାର ଉପରେ ସାହେବ ଅଦାଲତର ଜୋରିମାନା ପଡ଼ିଲେ ଟଙ୍କା ଜମା କରିବେ ମୁଣ୍ଡାମାନେ । ଆଉ ତା’ପରେ ମୁଣ୍ଡାଙ୍କୁ ଜବରଦସ୍ତି ଟଙ୍କା ଉଧାର ଦେବେ ତା’ପରେ ତାକୁ ଫୋପାଡ଼ି ଫୋପାଡ଼ିବେ । ସେମାନେ ମୂର୍ଖ ମୁଣ୍ଡା ଲୋକଙ୍କୁ କୁଲି କରି ଯୁଆଡ଼େ ଇଚ୍ଛା ସିଆଡ଼େ ନେବେ । ମୋର ଭଉଣୀ ଭିଣୋଇଙ୍କୁ ସେମାନେ କୁଆଡ଼େ ନେଇଯାଇଛନ୍ତି । ଥରେ ଦେଶ ଛାଡ଼ିଲା ପରେ ମୁଣ୍ଡାଏ ଆଉ ଭିଟାମାଟିକୁ ଫେରନ୍ତି ନାହିଁ-। ସେମାନେ ଫେରନ୍ତା ରାସ୍ତାକୁ ଚିହ୍ନି ପାରନ୍ତି ନାହିଁ । ବିଦେଶରେ ଭୋକ ଉପାସରେ ଗୋତି ଖଟି ଶେଷକୁ ଛଟପଟ ହୋଇ ମରନ୍ତି । ଜଣେ ହେଲେ ମୁଣ୍ଡା ବାହାରକୁ ଯାଇ ଭଲ ମୁଠେ ଖାଇବାକୁ ପାଇନାହିଁ । ବସ୍ତ୍ର ନାହିଁ କି ବାସ ନାହିଁ ।”

•••

 

ଏଇଆ ଥିଲା ଧାନୀର ଜୀବନ । ସେଇ ଜୀବନ ଭିତରକୁ ଧସେଇ ପଶି ଆସିଥିଲେ ମହାଜନ, ଜମିଦାର, ମିଶ୍‌ନାରୀ, ଜେଲ୍‌, କଚେରୀ, ପକ୍କା ସଡ଼କ, ରେଳଗାଡ଼ି, ବେନେଟ୍ ବନ୍ଧୁକ, ଗରମ ତାପ, ମରୁଡ଼ି, ଦୁର୍ଭିକ୍ଷ, ଗୋତି, ବେଗେନ୍ । ଭେଣ୍ଡାବେଳେ ଧାନୀ ଗାଉଥିଲା- ‘ବେଠି ଖଟି ଖଟି କାନ୍ଧରୁ ଝରୁଚି ରକ୍ତ ମୋର । ଜମିଦାରର ସିପାହୀ ମତେ ଦିନ ରାତି ଦିଏ ଯନ୍ତ୍ରଣା ଭାର । କାନ୍ଦି କାନ୍ଦି ବିତିଯାଏ ରାତି ମୋର, ବେଠି ଖଟି ଆଜି ଏ ଅବସ୍ଥା ମୋର । ଘର ନାହିଁ କି ଘରଣୀ ନାହିଁ କିଏ ବା ଦେବ ସୁଖ, କାନ୍ଦି କାନ୍ଦି ବିତିଯାଏ ମୋର ଶୋକ, ଲୁହ ପରି ଲୁଣିଆ ହେଲାଣି ରକ୍ତ ମୋର ।’

ଧାନୀର ଯୌବନର ଚାଷ ଜମି, ଜଙ୍ଗଲ, ପାହାଡ଼, ଜନ୍ମକାଳୁ ମିଳିଥିବା ମୁଣ୍ଡାରୀ ସଂସାରରୁ ମୁଣ୍ଡାମାନଙ୍କୁ ତଡ଼ି ଦିଆଯାଉଥିଲା । ସେଇ ଅସହାୟ ଦିନମାନଙ୍କରେ ଧାନୀ ହେରିକା ବୁଢ଼ାମାନଙ୍କ ପାଖରୁ ଶୁଣିଥିଲେ-ଦିନ ଆସିବ, କଳା ମଚମଚ ମଣିଷମାନଙ୍କ ଘର ଭିତରେ ଜନ୍ମ ନେବ ସେମାନଙ୍କ ତ୍ରାଣକର୍ତ୍ତା । ଦିନେ ସେ ନିଶ୍ଚେ ଆସିବ । ସେତିକିବେଳେ ସିଂହଭୂମି ରାଞ୍ଚିର ପଳାଶ ଫୁଲଙ୍କ ଜଙ୍ଗଲରେ ଯେମିତି ଅଗ୍ନି ଉତ୍ସବ ହୁଏ, ସେହିପରି ଏଇ ଖବର ଆକାଶକୁ ଲାଲେଲାଲ୍ କରି ସମଗ୍ର ମୁଣ୍ଡାରୀ ଦୁନିଆରେ ଚମକି ଉଠିବ । କଳା ମଣିଷର କୋଳକୁ ଆସିବ ଅନାର୍ଯ୍ୟ କୃଷ୍ଣ । ସେତିକିବେଳକୁ ମୁଣ୍ଡା ଲୋକଙ୍କ ଜୀବନ କଂସର କାରାଗାର ପାଲଟି ଯାଇଥିବ ।

ହୁଏତ ସିଏ ଆସି ଯାଇଥିଲା, ତେଣୁ ବଡ଼ ଆଶା ନେଇ ୧୮୫୫ ସାଲରୋ ୪୬ ବର୍ଷର ଧାନୀ ମୁଣ୍ଡା ଚାଲିଯାଇଥିଲା ଯୋଦ୍ଧା ପାଲଟି ଭାଗନାଦିହୀର ମଇଦାନକୁ । ସିଦ୍ଧୁ ଆଉ କାନୁ ସାନ୍ତାଳର ଦଳରେ ମିଶିବାକୁ । ମୁଣ୍ଡା ଲୋକଙ୍କ ନିଜ ବ୍ୟବସ୍ଥାରେ ସବୁ ଟୋକାଏ ଚାନ୍ଦା ଦେଇ ଜମିଦଖଲ କରି ପାରିଥାନ୍ତେ । ସାନ୍ତାଳି ଲୋକେ ଜଙ୍ଗଲ କାଟି ଯେଉଁ ଜମି ବାହାର କରୁଥିଲେ ତାକୁ-‘ଦାମିନ-ଇ-କୋ’ କୁହାଯାଏ । ସାନ୍ତାଳିଙ୍କ ଜୀବନରେ ବି, ସେମାନଙ୍କ ଦାମିନ୍‌-ଇ-ଜୋର ଜୀବନରେ ବି ଦିକୁ ଧସେଇ ପଶିଥିଲା ।

- “ସେଥିପାଇଁ ସେମାନେ ବି ମେଳି କରିଥିଲେ ।”

- “ତୁ କ’ଣ କରିଥିଲୁ?”

- “ସେମାନଙ୍କ ବନ୍ଧୁକ ଆଉ ଆମର ଧନୁତୀର । ତଥାପି ମେଳି ଲଢ଼େଇ ଦି ବର୍ଷ ଚାଲିଲା-।”

 

- “ତୁ କ’ର କରୁଥିଲୁ?”

- “ଧନୁପାଇଁ ତୀର ସଜାଡ଼ୁଥିଲି । ବିଷ ତିଆରି କରୁଥିଲି । ତୀର ମୁନରେ ବିଷ ବୋଳୁଥିଲି-। ବିଷକଣ୍ଟିକା ଫଳରୁ ରସ ନିଗାଡ଼ି ସିଝାଉଥିଲି । ସେଇ ରସରେ ତୀର ମୁନ ବୁଡ଼ାଉଥିଲି, ଶୁଖାଉଥିଲି । ତାହା ଥିଲା ମୋର ମୁଖ୍ୟ କାମ ।”

- “ମେଳିରେ ମିଶିବାର କାରଣ?”

- “ଶୁଣିବାକୁ ପାଇଲି ଭଗବାନ ଆସିଯାଇଛନ୍ତି । ଏଇ ଭଗବାନଙ୍କୁ କୋଳରେ ଧରି କେହି ଝୁଲୁହାତୀ କରୁନାହିଁ । ଭଗବାନ ଯୁଦ୍ଧପାଇଁ ପ୍ରସ୍ତୁତ । ତାଙ୍କ ହାତରେ ଧନୁତୀର ଆଉ ଟାଙ୍ଗିଆ ।”

- “ଭଗବାନ ଆସିନାହାନ୍ତି?

- “ଭଗବାନ ଆସିନାହାନ୍ତି?”

- “ତାପରେ ତୁ କ’ଣ କଲୁ?”

- “କୋଡ଼ିଏ ବର୍ଷ ଯାଏଁ ବାତୁଳ ପରି ବୁଲିଲି । ଲୁଚି ଲୁଚି ଘୁରିଲି । ମହାଜନର କ୍ଷେତରେ ଖଟିଲି । ଗାଈ ଚରେଇଲି । ପେଟପାଇଁ ଜାଉ ପିଇଲି । ମୋଟା କପଡ଼ାରେ ଦେହ ଢାଙ୍କିଲି । ଆଉ ତା’ପରେ ହାଟ ବଜାର, ଗାଁଗଣ୍ଡା ବୁଲିଲି । କେହି ହେଲେ କହିଲେ ନାହିଁ ମେଳି କେବେ ହେବ । କିନ୍ତୁ ମୁଁ କାନ ତରାଟି ଥାଏ । ସବୁ ଶୁଣେ । ଦିନେ ସେଇ ଭରମୀ ଯିଏ ଏବେ ବସି ବସି ଭଲ ଲୋକ ପରି ଦିଶୁଚି, ଦିନେ କହିଲା- ଚାଲ ଧାନୀ ଭଗନାଦିହୀ ଚାଲ ।”

- “ତା’ପରେ?”

- “ମୁଁ କହିଲି କାହିଁକି? ସେ କହିଲା ସିଦ୍ଧୁ- କାନୁଙ୍କ ଗାଁକୁ ଯାଇ ସାନ୍ତାଳମାନେ ଏକାଠି ହେଉଛନ୍ତି । ମେଳି ବାନ୍ଧି ପୂଜା କରୁଛନ୍ତି । ମୁଁ ଭାବିଲି ତେବେ ହୁଏତ ଭଗବାନ ଆସିଗଲେଣି । ରହ ! କିଛି ତୀର ଯୋଗାଡ଼ କର । ତା ପରେ ସିଏ ମତେ ଗୋଟେ ଚଟକଣା ମାରିଲା । କହିଲା-ଆରେ ମୂର୍ଖ । ପହିଲେ ଯାଇ ଦେଖିବା ତାପରେ ଅସ୍ତ୍ରଶସ୍ତ୍ର କଥା । ବିଷ ଫଳ କୋଉଠି ବା ମିଳୁଚି । ତା ପରେ ଆମେ ଦୁହେଁ ଚାଲିଲୁ । ଏଥର କିନ୍ତୁ ବାଟ ଅଲଗା ।

- “ରେଳରେ ଚଢ଼ି ଗଲ?”

- “ନାହିଁ, ପାଦରେ । ସେତେବେଳେକୁ ବୟସ ସତୁରୀ । ବୁଢ଼ା ହେଲିଣି । କାହିଁଗଲା ସେ ଯୌବନ? ମୁଁ ବୁଢ଼ାକୁ ସିଏ ଭେଣ୍ଡା । ଦୁହେଁ ବଣ ବାଟରେ ଚାଲିଲୁ । ଯାଇ ଦେଖିଲୁ ସାନ୍ତାଳିମାନେ ନିଜର ପୁରୁଣା ଖାରୁଆ (ଲାଲ ରଙ୍ଗର ମୋଟା କନା) ନାମ ରଖିଛନ୍ତି । ଖାରୁଅରା ତିନି ଦଳ ହୋଇ ଯାଇଛନ୍ତି । ମେଳି ଆନ୍ଦୋଳନ ପରେ ସାନ୍ତାଳ ପରଗଣା ତିଆରି ହୋଇଥିଲା । ସେହି ପରଗାରୁ ହଜାରୀବାଗ ପର୍ଯ୍ୟନ୍ତ ଲଢ଼େଇ ଲାଗି ରହିଥିଲା ।

- “ତୁ କ’ଣ କଲୁ?”

- “ଶର ତିଆରି କଲି । ଶର ତୀରରେ ବିଷ କଣ୍ଟିକା ଫଳର ରସ ବୋଳିଲି । ଖରାରେ ଶୁଖାଇଲି ।”

ଭରମୀ ମୁଣ୍ଡା କହିଲା- “ସେଇଆ ତ’ ତୋର କାମ ।”

- “ହଁ ଏଇ କାମ । ଖାରୁଆ ଦଳ କହିଲେ ସେଇ ହଜାର ଲକ୍ଷ ବର୍ଷ ପୂର୍ବେ ଆମେ ସବୁ ଚମ୍ପା ଦେଶରେ ରହୁଥିଲେ । ସେତେବେଳେ ଆମେ ଥିଲୁ ଖାରୁଆ । ସେତେବେଳେ ଆମେ କାହାରିକୁ ଲଗାଣ ଦେଉ ନଥିଲୁ । ଏବେ ବି ଦେବୁ ନାହିଁ । ଖୁବ୍ ଲଢ଼େଇ ହେଲା । କିନ୍ତୁ ବନ୍ଧୁକ ଆଗରେ ଧନୁତୀରର ଯୁଦ୍ଧ କାଟୁ କଲା ନାହିଁ ।

 

- “କାଟୁ କଲା ନାହିଁ?”

- ତଥାପି ଯୁଦ୍ଧ ଚାଲିଲା ଅନେକ ବର୍ଷ ଯାଏଁ । ଏକତରଫା ଭାବେ ପାଞ୍ଚ ପରଗଣାରୁ ମୁଣ୍ଡା ଲୋକଙ୍କୁ ହଟାଇ ଦିଆଗଲା । ସେଥର ଛୋଟ ନାଗପୁରର ରାଜାର ଭାଇ ସେଇ ହରନାଥ ସାହି, ଆମ ନିଜ ଗାଆଁକୁ ନେଇ ଅନ୍ୟ ଦେଶର ମହାଜନ ଠିକାଦାର ହାତରେ ଟେକି ଦେଇଥିଲେ । ସେଇଠୁ ମୋର ଆରମ୍ଭ ହେଲା ଲଢ଼େଇପାଇଁ ପ୍ରସ୍ତୁତି ।

- “କେବେ ହେଲା?”

- “କେତେ ଥର ତ ତତେ କହିଲିଣି ବିର୍ସା । ଦିକୁ ସାଆନ୍ତ ସାହୁକାରମାନଙ୍କ ହାତରେ ମୁଣ୍ଡାମାନଙ୍କୁ ଶହ ଶହ ଗାଁ ଛାଡ଼ିବାକୁ ପଡ଼ିଲା । ଭିଟାମାଟି ହରାଇ ମୁଣ୍ଡା ଜାତିର ଲୋକେ ଚାଲିଲେ ଖୁଣ୍ଟି, ତାମାର ଆଡ଼କୁ । ଆରମ୍ଭ ହୋଇଗଲା ଲଢ଼େଇ । ସେତିକିବେଳେ ମୁଁ ଜଙ୍ଗଲରୁ ଜଙ୍ଗଲ ବୁଲୁଥିଲି । ତମେ ସବୁ ତ’ ଧନୁତୀର ଗଢ଼ୁଥିଲ କିନ୍ତୁ ମୋ ପରି ପାରୁନଥିଲ । ମୋତେ ଏଇ ବିଦ୍ୟା ଶିଖାଇଥିଲା ଭରମୀର ବାପାର କକା । ସେ ଥିଲା ଆମ ଜାତିର ସର୍ଦ୍ଦାର । ସେ କହିଥିଲା ସଭିଏଁ ଲାଲ୍‌ଦୁଦୁରା ଖୋଜୁଛନ୍ତି । ତୁ କଳା ଦୁଦୁରାରୁ ବିଷ ବାହାର କର । ତୋ ବିଷରେ ସାଙ୍ଗେ ସାଙ୍ଗେ ମୃତ୍ୟୁ ।”

- “ତା ପରେ?”

- “ସେଥର ବି ଭଗବାନ ସାଙ୍ଗରେ ଭେଟ ହେଲା ନାହିଁ । ସିଦ୍ଧୁ କାନୁ ବି ଦେଖାଇଲେ ନାହିଁ-। ଖାରୁଆ ଲୋକେ ବି ଭଗବାନଙ୍କୁ ଦେଖାଇଲେନି । ମୋତେ ବେଶି ବାଧିଲା । ଏଣେ ବୟସ ବଢ଼ି ବଢ଼ି ଯାଉଚି । ଦିକୁ, ସାମନ୍ତ, ସାହୁକାରମାନେ ଦେଶ ସାରା ମାତିଗଲେଣି । ଆମେ ସବୁ ଭିକାରୀ ହୋଇଗଲୁ । କେତେକ ତ ଯାଇ ମିଶନ୍‌ରେ ନାଁ ଲେଖେଇଲେଣି । ଅକାଳ ପରେ ଅକାଳ ଯୋଗୁଁ ଦେଶ ଉଜୁଡ଼ି ଗଲାଣି । ମହାଜନମାନେ ଲୋକଙ୍କୁ ଗୋଡ଼ କରି କିଣି ନେଲେଣି । ମୁଣ୍ଡାମାନେ ଆଙ୍ଗୁଠି ଟିପ ଚିହ୍ନ ଦେଲେଣି । ମୁଁ ବି ଦେଲି ।”

- “ଟିପ ଚିହ୍ନ ଦେଇ ଗୋତି ହେଲୁ? କାହା ପାଖରେ?”

- “ଜଗଦୀଶ ସାହୁ- ଖୁଣ୍ଟି ବଜାରରେ ତାକୁ ଦେଖିନୁ?”

- “ହଁ । ହଁ । ଗୋରୁ ଟଣା ଶଗଡରେ ସେଦିନ ସିଏ ଲାସ୍ ଆଣିଥିଲା ।”

- “ଧେତ୍ । ଜଗଦୀଶ ତ’କେବେଠୁ ମଲାଣି-ଦେଖିଥିବୁ ତା ପୁଅକୁ ।”

- “ଜଗଦୀଶ ମରିଗଲା?”

- “ମରିବନି?” ଖାଇବାକୁ ଜାଉ ଦେଉଥିଲା ଅଳପ ଅଳପ ଓ ଖଟାଉ ଥିଲା ସକାଳୁ ସଞ୍ଜ, ରାତିରୁ ଭୋର । ଶେଷକୁ ତୀର ମାଡରେ ମଲା ।”

 

- “ତାକୁ ମାରି ଫେରାର । ଜଙ୍ଗଲରେ ଫୋପାଡ଼ିଦେଲି । ତା’ମରଣର ଦଶବର୍ଷ ପରେ ବି ତାକୁ ସଭିଏଁ ଖୋଜୁଛନ୍ତି ।”

 

- “ତା ପରେ?”

- “ତାପରେ ମୁଁ ଯାଇ ଚାଲକାଡରେ ପହଞ୍ଚିଲି ।”

- “ତାପରେ?”

- “ତାକୁ ମାରି ଫେରାର । ଜଙ୍ଗଲରେ ଫୋପାଡ଼ି ଦେଲି । ତା’ମରଣର ଦଶବର୍ଷ ପରେ ବି ତାକୁ ସଭିଏଁ ଖୋଜୁଛନ୍ତି ।”

 

- “ତା ପରେ?”

- “ତାପରେ ମୁଁ ଯାଇ ଚାଲକାଡରେ ପହଞ୍ଚିଲି ।”

- ତାପରେ?”

- “ସେତେଦିନ ଯାଏଁ ସର୍ଦ୍ଦାରମାନେ ମିଶନର ମୁଣ୍ଡା ଲୋକଙ୍କୁ ମୁଲକର ଲଢ଼େଇ କଥା କହିଲେ । ଦଶ ବରଷ ଯାଏଁ ସେମାନେ ମୁଲକପାଇଁ ଏକ ଲଢ଼େଇ ଚାଲୁ ରଖିଲେ । ଜେକବ୍ ସାହେବ ସେମାନଙ୍କୁ ତରଫରୁ ମିଶନ୍ ସହିତ, ସରକାର ସହିତ କେତେ ଲଢ଼େଇ କଲେ, କିନ୍ତୁ ଜିତିଲେ ନାହିଁ । ତଥାପି ଲଢ଼େଇ ଚାଲିଥାଏ । ମୁଁ ସେମାନଙ୍କ ପାଖରେ ଥାଏ ।”

- “କାହା ପାଖରେ?”

- “ସର୍ଦ୍ଦାରଙ୍କ ପାଖରେ ।”

- “କଣ କରୁଥିଲୁ ସେଠି?”

- “ଯୁଦ୍ଧପାଇଁ ଶର ତିଆରି କରୁଥିଲି ।”

- “ହସୁଚୁ?”

- “ବା! ହସିବନି? ସେତିକିବେଳକୁ ସୁଗାନା ମୁଣ୍ଡାର ଘରକୁ ଭଗବାନ ଆସିଯାଇଥାନ୍ତି । ବିର୍ସା ଯେତେବେଳକୁ ଛୋଟ ପିଲା । ମୁଁ ତାକୁ ଦେଖେ । ଦେଖେ ଆଉ ସର୍ଦ୍ଦାରମାନଙ୍କୁ କହେ- ଏବେ ଆଉ କୋଉ କଥାକୁ ଦୁଃଖ । କୋଡ଼ିଏ ବର୍ଷ ପୂରିଯାଉ, ଭଗବାନଙ୍କୁ ପାଇବ । ଆମର ଏ ଭଗବାନ ହାତରେ ଧରିବ ଟାଙ୍ଗିଆ ଧନୁ ଆଉ ତୀର ।”

- “ସର୍ଦ୍ଦାରମାନେ କ’ଣ କହୁଥିଲେ?”

-”ସେମାନେ ମତେ କ’ଣ ବା କହନ୍ତେ? କିନ୍ତୁ ସେମାନଙ୍କ ମୁଲକପାଇଁ ଲଢ଼େଇ ଲାଗି ରହିଥାଏ ଧୀରେ ଧୀରେ । କିନ୍ତୁ ବିର୍ସା ଯେବେ ଉଲ୍‌ଗୁଲାନ୍‌ର ଡାକରା ଦେଲା ସଭିଏଁ ଏକାଠି ହେଲେ ।

•••

 

- “ବିର୍ସା ଏବେ ଆଉ ନାହିଁ । ଏଥର କ’ଣ ହେବ?”

- “ଉଲ୍‌ଗୁଲାନ୍‌ର ଶେଷ ନାହିଁ । ଭଗବାନର ମୃତ୍ୟୁ ନାହିଁ । ସିବନ୍‌ର ଚିତ୍କାର ଶୁଣି ପାରିଲୁନି? ଯା, ଶୋଇ ଯା । ଆକାଶକୁ ଦେଖ କେମିତି ହେଲାଣି ଦୁଧବର୍ଣ୍ଣା । ଗୀର୍ଜାର ଘଣ୍ଟା ବାଜିଲାଣି ।”

 

- “ଚଲକାଡରେ ସେତେବେଳେ ତୁ ଥିଲୁ ଧାନୀ? ବାମ୍ବା ଯେବେ ଭଗବାନକୁ ଜନ୍ମ ଦେଲା?”

 

ବିର୍ସାର ବାପା ସୁଗାନା ମୁଣ୍ଡାର ଆଦିମ ଗାଁ ଥିଲା ଉଲିହାତୀ । କିନ୍ତୁ ଉଲିହାତୀରେ ସେଇ ଥେରୋଇଆ ଯୁଦ୍ଧ ପୂର୍ବରୁ ଆଉ ରହିବା ସମ୍ଭବ ହେଲାନି । ଗଲା, ଛପରା, ଫାଗଲପୁର, ତୀରହୁତ ନାନା ସ୍ଥାନରେ ମହାଜନମାନେ ଆଇନ୍‌ର ଭୟ ଦେଖାଇ ମୁଣ୍ଡାମାନଙ୍କ ହାତରୁ ସେମାନଙ୍କ ଗାଁ ଛଡ଼େଇ ନେଉଥାନ୍ତି । ଯେଉଁମାନଙ୍କ ଗାଁ ଥିଲା, ସେମାନଙ୍କୁ କ୍ଷେତ ମଜୁରୀ କାମରେ ରଖା ଯାଉନଥିଲା । ତେଣୁ ଅନ୍ୟସବୁ ମୁଣ୍ଡାମାନଙ୍କ ପରି ସୁଗାନା ବି କ୍ଷେତ ମୂଲମଜୁରୀ କାମର ସନ୍ଧାନରେ କୁରବନ୍ଦା, ବାମ୍ବାଆଡ଼େ ବୁଲିବାକୁ ଲାଗିଲା । ପାଖରେ ସମ୍ପତ୍ତି ବୋଇଲେ ଗୋଟେ ପୁଟୁଳି, ମାଟି କଢ଼େଇ, ମାଟି ହାଣ୍ଡି, ଘାସପଟି ଆଉ ଗୋଟେ ଡବା ଚିନା ଘାସର ଦାନା ଆଉ ମେଞ୍ଚାଏ ଲୁଣ ।

ନିଜ ଭିଟାମାଟିରେ ସୁଗାନାକୁ ଘର କରିବାକୁ ଜାଗା ଟିକେ ମିଳୁ ନଥିଲା । ଜଙ୍ଗଲରେ କାଠ ଡାଳ ପତ୍ରରେ ତ ଘର ବାନ୍ଧିବ, କିନ୍ତୁ ଜମି କାହିଁ? ତାକୁ ତ ଆଇନ ଜଣାନାହିଁ । ନିଜ ଘର ଯେ ନିଜର ଏ କଥା ହାକିମଙ୍କୁ ଅଦାଲତରେ ବୁଝେଇବା ଶକ୍ତି ତାର ନଥିଲା । ଯେଉଁ ମୁଣ୍ଡା ଅଦାଲତକୁ ଗଲା, ସେଠୁ କାଙ୍ଗାଳ ହୋଇ ଫେରିବା ସାର । ସୁଗାନା ମୁଣ୍ଡା ବି ଅଦାଲତକୁ ଯାଇଥିଲା । ଜଗଦୀଶ ସାହୁ ତା’ଘରଦ୍ୱାର ହଡ଼ପ କରି ନେଇ ଯାଇଥିଲା ।

ହାକିମ ଥିଲା ଗୋରା ସାହେବ । ଦୋଷୀ ଆଉ ଓକିଲ ତାକୁ ଯାହା କହନ୍ତି ତାହା ସେ ବୁଝେ-। ସୁଗାନାର କଥା ବା ଅନ୍ୟ କେହି ମୁଣ୍ଡାର କଥା ଗୋରା ସାହେବ ବୁଝି ପାରୁନଥିଲା । ଅଂରେଜୀ ଛଡ଼ା ଅନ୍ୟ ଭାଷା ସାହେବ ବୁଝୁ ନଥିଲା । ମୁଣ୍ଡା, ସାନ୍ତାଳ, ଓରାଂଓ, ହୋ, ଜୋଲ ଆଦି ଲୋକେ ମକଦ୍ଦମା କଲେ ଓକିଲ ଯାହା କହେ ଦୋଭାଷୀଏଁ ଯାହା କହନ୍ତି ତାହା ଶୁଣି ସାହେବ ଫୈସଲା ଲେଖେ ।

ମୋକଦ୍ଦମାରେ ସୁଗାନା ମୁଣ୍ଡା ସବୁକିଛି ହରାଇଲା । ଛେଳି, ମେଣ୍ଢା, ମଇଁଷି, ହଳ ବଳଦ ବିକି ଓକିଲକୁ ପଇସା ଦେଉଥିଲା । କିନ୍ତୁ ହାରିଗଲା । ସୁଗାନା ଜମି ଫେରି ପାଇଲା ନାହିଁ । ଜଗଦୀଶ ସାହୁକାରର ଜମିରେ ଗାଈ ଚରେଇଥିବା ଅପରାଧରେ ଅଲଗା ଜୋରିମାନା ହେଲା ।

ସେଇ ସୁଗାନା ମୁଣ୍ଡା ଛୋଟ ନାଗପୁର ପ୍ରତିଷ୍ଠାତାଙ୍କ ବଂଶଧର ହୋଇ ସୁଦ୍ଧା ଦାଣ୍ଡର ଭିକାରୀ ହୋଇ ଏଣେ ତେଣେ ବୁଲିଲା । ଦରମରା ଅବସ୍ଥା । ଅକାଳ ପଡ଼ିଲା, ମରୁଡ଼ି ହେଲା । ମୁଣ୍ଡାମାନେ ସେମାନଙ୍କ ଛେଳି, ମେଣ୍ଢା, ଗାଈ, ଗୋରୁକୁ ଘାସ ମୁଠେ ଦେବାପାଇଁ ଗାଁ ଗାଁ ବଣ, ପାହାଡ଼ ବୁଲିଲେ ।

ସୁଗାନା ମୁଣ୍ଡା ଏମିତି ବୁଲିବା ଭିତରେ ତା’ର ଗୋଟେ ପୁଅ କେମ୍‌ଜା, ଦି ଝିଅ ଦାସକୀର ଓ ଚମ୍ପା ଜନ୍ମ ହେଲେ । ତା’ପରେ କବାମ୍ବାରେ ଆସି ପହଞ୍ଚିଲା ପରେ ତା’ମାଇପ କାରମୀ ଦିନେ କହିଲା-“ଏଥର ଗୋଟେ ନୂଆଘର ତିଆରି କର । ମୋର ପିଲାପିଲି ହେବେ । ଦିକୁ ଆସି ଉଠେଇଲେ ଚାଲିଯିବା ।”

ସୁଗାନା ନୂଆରେ ଗୋଟେ ଘର ତୋଳିଲା । ସେଇ ଘରେ ଗୋଟେ ପୁଅ ଜନ୍ମ ହେଲା ବିଷ୍ଣୁ ଅବତାରୀ ପୁଅ । ନାଁ ରଖାଗଲା ବିର୍ସା ।

ଜଙ୍ଗଲକୁ ଲାଗି ଘର । ପାହାଡ଼ କଡରେ । ଦାଶନାର ପୁଅକୁ ବାଘ ନେଇଗଲା । ତାପରେ ଦିନେ ଦିକୁ ଆସିଲା- ଭୋଜପୁରୀ ମହାଜନ । ପୁଣି ମୁଣ୍ଡା ଲୋକଙ୍କ ସଂସାର ଉଜୁଡ଼ିଗଲା ।

ସୁଗାନା କହିଲା- “ମୋର ମାଆର ଗାଁ ଚାଲକାଡ଼କୁ ଚାଲିଯିବା । ବୀରସିଂହ ମୁଣ୍ଡା ସେଠାରେ ଅଛି ।”

- “ସେ କ’ଣ କରିବ । ତମକୁ ଗାଁ ଦେବ ।”

କରମୀର କଥାରେ ସେପରି ଜୋର୍ ନଥିଲା । ବିନା ଉତ୍ତେଜନାରେ ବି ସେମାନେ ଜୀବନ ମରଣର କଥାକୁ ହାଲୁକା ଭାବେ ନେଉଥିଲେ । ଦୁର୍ଭାଗ୍ୟର ଆଘାତରେ ସର୍ବସ୍ୱାନ୍ତ ହୋଇ ସୁଦ୍ଧା ଜୀବନ ପ୍ରତି ସେମାନେ ଉଦାସ ନଥିଲେ ।

ସୁଗାନା ଶାନ୍ତ ସ୍ୱଭାବର ମଣିଷ । ବେଦନା ଭରା ଆଖି ଉଠାଇ କରମାକୁ ଚାହିଁଲା । “ନା, ଅଯାଚିତଭାବେ କିଏ କଣ କାହାକୁ ଦିଏ? ସେଠି ଅତ୍ୟନ୍ତ ରହିବାକୁ ବାସ ଟିକେ ମିଳିବ ।”

- “କହିଥିଲା-ମିଶନ୍‌କୁ ଯାଇ ଖୀରସ୍ତାନ ହେବୁ?”

- “ଚାଲ । ଖୀରସ୍ତାନ ହେଇଯିବା । ଭଲ ହେବ । ମିଶନ୍‌ର ସାହେବ ଭଲ ଲୋକ । ଚାଉଳ ଦେଉଛନ୍ତି । ପିଲାଙ୍କୁ ପାଠ ପଢ଼ାଉଛନ୍ତି ।”

 

- “ପାଠ ପଢ଼ି କ’ଣ ହେବ?”

- “ମୋର ଦି ପୁଅ ବଡ଼ ହେଲେଣି । ଆହୁରି ବଡ଼ ହେବେ । ପାଠପଢ଼ା ଶିଖି କଚେରୀରେ ହାକିମଙ୍କ ଭାଷା ବୁଝିପାରିବେ । ନିଜ କଥା ବଖାଣି ପାରିବେ ।”

 

- “ତମେ କ’ଣ କଚେରୀରେ ମୋକଦ୍ଦମା କରିବ?”

- “ଦରକାର ହେଲେ କରିବି । କହିଲୁ କେତେ ଗାଁରେ ଘର ତୋଳୁଥିବି ଆଉ ଦିକୁମାନେ ଆସି ମୋ ଘର ଉଜାଡୁଥିବେ । ନଜର ବୋଲି ବାସ ତ’ ଟିକେ ଲୋଡ଼ା ! ନୋହିଲେ ତ ସଂସାର ବୋଲି କିଛି ରହିବ ନାହିଁ ।”

•••

 

ସଭିଏଁ ଚାଲକାଡ଼ ଚାଲିଗଲେ । ସେଠିକି ଗଲା କ୍ଷଣି ପ୍ରଥମେ ସୁଗାନା, ପାଣନା, କୋସଢ଼ା, ବିର୍ସା-ସଭିଏଁ ଜର୍ମାନ୍ ମିଶନ୍‌ରେ ପଶି ଖୀରସ୍ତାନ ହୋଇଗଲେ । ସୁଗାନାର ନୂଆ ନାଁ ହେଲା-ଖୀରସ୍ତାନ ସୁଗାନା ମସୀହ ଦାସ, ବିର୍ସାର ନାଁ ହେଲା ଦାଉଦୋ ମୁଣ୍ଡା ଜାଦାଉଦୋ ବିର୍ସା ।

ବିର୍ସା ଜାଣିଥିଲା ତାକୁ ଦିନେ ଲେଖାପଢ଼ା ଶିଖିବାକୁ ପଡ଼ିବ । ଦିକୁ ସାମନ୍ତ ସାହୁକାରମାନଙ୍କ ଭାଷା ଶିଖିଲେ ଯାଇ ହିଁ ଦିକୁମାନଙ୍କ ଦାଉରୁ ଘର ଜମିବାଡ଼ି ରକ୍ଷା କରିହେବ । ଏକଥା ତ’ ସଭିଏଁ ଜାଣିଥିଲେ କିନ୍ତୁ ଚାଲକାଡରେ ସୁଗାନା ମୁଣ୍ଡାର ପୁଅ ଆଉ ଲେଖାପଢ଼ାର ଜୀବନ-ଦୁହିଙ୍କ ଭିତରେ ଥିଲା ଅନେକ କାନ୍ଥ- ମହାଜନ, ଗାଁ ମୁଖିଆ, ପୁଲିସ ଦାରୋଗା, ହାକିମ, ପକ୍କା ସଡ଼କ- ଏମିତି ଅନେକ ଅନେକ ବହୁତ ପାଚେରୀ । ଏସବୁ ପାଚେରୀ କାନ୍ଥ କେମିତି ଅତିକ୍ରମ କରାଯିବ । ଏବେ ତ’ ସିଏ ନିହାତି ଛୋଟ ।

ଛୋଟ, କିନ୍ତୁ କୋଉ ହେଲେ ମୁଣ୍ଡା ଟୋକା ଆଠ ବର୍ଷବେଳକୁ ପାଠ ପଢ଼ିବାକୁ ବସେ ନାହିଁ-। ବିର୍ସା ବି ବସିଲାନି । ଛେଳି ଚରେଇ ଜଙ୍ଗଲରୁ କାଠପତ୍ର, ଫଳମୂଳ ଆଣି ଘର କାମରେ ବାପା ମା’ଙ୍କୁ ସାହାଯ୍ୟ କରୁଥିଲା । କରମୀ, ତା ମା’କହେ- “ଘର ତ’ ହେଇଗଲା ଯାହି ତାହି ଏପଟ କାନ୍ଥ ସଜାଡ଼ିଲାବେଳକୁ ସେପଟ ଭୁଷୁଡ଼ି ପଡ଼ୁଛି । ସବୁ ଭୁଷୁଡ଼ିଗଲେ ସଜାଡ଼ିବା କ’ଣ ଆଉ ସହଜ?”

ବିର୍ସା ଜାଣେ ମୁଣ୍ଡା ଲୋକଙ୍କ ଗୃହସ୍ଥ ଜୀବନର ଅବସ୍ଥା ଏହିପରି । ସେଥିପାଇଁ ତା’ର ଦୁଃଖ ନଥିଲା । କେବଳ ଦିନକରେ ଥରେ ଆହାରଭାବେ ଜୁଟୁଥିବା ଜାଉ ସାଙ୍ଗରେ ଲୁଣଟିକେ ନ ମିଳିଲେ ବେଶୀ ବାଧୁଥିଲା ।

ବଡ଼ ଭାଇ କୋମ୍‌ତା କହେ ମୁଁ ବଡ଼ ହେଲେ ହାଟର ବଜାରକୁ ଯାଇ ବସ୍ତାଏ ଲୁଣ ନେଇ ଆସିବି । ଯା’ର ଯେତିକି ଇଚ୍ଛା ଜାଉରେ ଗୋଳି ଖାଇବ । ବିର୍ସା ଭାଇର ଏପରି ଦାମ୍ଭିକତା ପୂର୍ଣ୍ଣ ଅସମ୍ଭବ କଥା ଶୁଣି ହସିଦିଏ । ବଂଇଶୀ ଧରି ଘରୁ ବାହାରି ପଡ଼େ । କେନ୍ଦେରା ଓ ବଂଇଶୀ ତା’ର ଅତିପ୍ରିୟ ।

କେନ୍ଦେରାର ଝଙ୍କାର ଆଉ ବଂଇଶୀର ସ୍ୱରର ତାଳେ ତାଳେ ଘୁରି ବୁଲେ । ଜଙ୍ଗଲ ଭିତରେ ବସି ବଂଇଶୀ ବଜାଏ ।

 

ସେ ଜଙ୍ଗଲକୁ ଯେବେ ଯାଏ ତା’ସାଙ୍ଗରେ ଥାଏ ଧାନୀ ମୁଣ୍ଡା ।

- “ତୁ ମୋ ପଛେ ପଛେ ଏମିତି କାହିଁକି ବୁଲୁଛୁ?”

- “ବୁଲିବାକୁ କ’ଣ ମନା? ଜଙ୍ଗଲକୁ ତୁ କ’ଣ କିଣିଛୁ?”

- “ହଁ କିଣିଛି ।”

ଘରକୁ ଫେରି ଦେଖେ ମା ମହୁଲ ଟୋଲକୁ ଢେଙ୍କିରେ କୁଟୁଛି । ମା କୁଟେ, ଭଉଣୀ ପେଶେ-। ସେଥିରୁ ବାହାରେ ତେଲ । ଘରେ ବତୀ କଳେ । ସେ ସହଳ ସହଳ ବଡ଼ ହେବାର ସ୍ୱପ୍ନ ଦେଖେ । କୋମ୍‌ତା ଭାଇ ସାଙ୍ଗରେ ହାଟକୁ ଯାଇ ଗୋଟେ ଲୁଣ ବସ୍ତା, ଡବାଏ ତେଲ ଆଣି କରମୀ ମାକୁ ରାଣୀ କରିଦେବାର ତା’ର ସାଧ୍ୟ ହୁଅନ୍ତା କି ।

କିନ୍ତୁ ଜଙ୍ଗଲକୁ ଚାଲିଗଲା ପରେ ସେ ଏସବୁ କଥା ଭୁଲିଯାଏ । ଦୂର ଦିଗନ୍ତରେ ବ୍ୟାପ୍ତ ନୀଳ ପାହାଡ଼ ସବୁ ଦେଖି ସେ ନାନା ସ୍ୱପ୍ନରେ ହଜିଯାଏ । ସ୍ୱପ୍ନ ଭିତରେ ସେ କେବଳ ଦେଖେ ତା’ର ଆଦି ପୁରୁଷଙ୍କୁ । ଦୁଇ ଭାଇ ବନ୍ୟାରେ ପ୍ରଗଳ୍ଭ ପାଗଳ ନଦୀକୁ ଅତିକ୍ରମ କରି ଯାଉଛନ୍ତି । ବିଜୁଳି ଆଲୋକରେ ଆଲୋକିତ ଜଣେ ଜଙ୍ଗଲଆଡ଼କୁ କଳା କଳା ହାତ ବଢ଼ାଇ କହେ- “ଏ ସବୁ ଆମର ।” ତା ମୁହଁରୁ ବର୍ଷା ହୁଏ । ନଦୀର ଜଳଧାର ତା’ର ପାଦରେ ଢେଉ ପରି ଅଜାଡ଼ି ହୋଇପଡ଼େ । ଘନ ଜଙ୍ଗଲର ପ୍ରହରୀ ବିଶାଳକାୟ ହାତୀ ଆକାଶଆଡ଼କୁ ଶୁଣ୍ଢ ଉଠାଇ ଖୁବ୍ ଜୋରରେ ତାକୁ ସ୍ୱାଗତ କରୁଛି ।

ନିଜେ ଏକେଲା ଏକେଲା ବଣ ସାରା ବୁଲେ । ତେଣୁ ନିଜକୁ ଭୁଲିଯାଏ ।

ତେଣୁ ସେ କ୍ଷୁବ୍ଧ ହୋଇ ଧାନୀକୁ କହୁଥାଏ, ‘ଏହି ଜଙ୍ଗଲ ମୋର ।’

ଧାନୀ ଅନେକ ସମୟ ଯାଏଁ ତାକୁ ଚାହିଁ ରହେ ।

ତା ପରେ ସହସା ରୁକ୍ଷ କଣ୍ଠରେ କହେ-‘ଏକଥା ମନେରଖ ତୁ ନିଜେ କହିଛୁ ଏ ସବୁ ତୋର-।’

 

ଧାନୀ ଚାଲିଯାଇଥିଲା ।

ଘରକୁ ଫେରି ବିର୍ସା କେନ୍ଦୁଗଛମୂଳେ ବସି ପତର ଦନାରେ ଅଲଣା ଜାଉ ଖାଉ ଖାଉ ବଡ଼ ଭାଇକୁ ପଚାରେ ଧାନୀ ମୁଣ୍ଡା କେମିତିକା ଲୋକ? ପାଗଳା ନା ମତୁଆଲା?

- “ଯୁଦ୍ଧପାଇଁ ମତୁଆଲା ।”

- “କେମିତି?”

- “ଯେଉଁଠି ଯୁଦ୍ଧ, ଯେଉଁଠି ଲଢ଼େଇ, ସେଇଠି ଧାନୀ । ଏବେ ତାର ବୟସ ଆଠ ଶହ ଅଠାଅଶୀ ଚାନ୍ଦ ହେବ । ୟାରି ଭିତରେ ମୁଣ୍ଡା ଯୁଦ୍ଧ, ଖାରୁଆ ମେଳି, ସର୍ଦ୍ଧାରଙ୍କ ମୂଲକ ଲଢ଼େଇ-ସବୁ ଲଢ଼େଇରେ ମିଶିଛି ।”

- “ଏଇ ବୁଢ଼ା?”

- “ବୁଢ଼ା ହେଲେ କ’ଣ ହେଲା? ଧନୁତୀରରେ ତା’ଲକ୍ଷ୍ୟ ପକ୍କା । ତା ପରି ଧନୁର୍ଦ୍ଧାରୀ ଦେଶ ବିଦେଶରେ ଜଣେ କେହି ନାହିଁ ।”

 

- “କିନ୍ତୁ ମତେ ସିଏ ବିରକ୍ତ କରୁଛି ।”

କରମୀ ଝାଡ଼ୁରେ ଦାଣ୍ଡ ଓଳଉ ଓଳଉ କହିଲା-“ତା କଥା ଶୁଣିବୁନୁ ପୁଅ । ଜୀବନସାରା ସେ ଯୁଦ୍ଧ, ଲଢ଼େଇରେ ଦଶ ଦଶଟା ପୁଅକୁ ହରେଇଛି ।”

 

- “ମତେ ସିଏ ମାରି ପାରିବନି ।”

- “ବିର୍ସା ! ଏ ସଞ୍ଜ ବେଳରେ ମରିବା କଥା କହନା ।”

- “ମୁଁ ତାକୁ କୋଉଦିନ ମାରିଦେବି ।”

- “ତୋଠାରୁ ଧାନୀ ବଡ଼ ନା?”

- “ତାହେଲେ ମତେ ସେ କାହିଁକି ବିରକ୍ତ କରୁଛି?”

- “କଣ କହୁଛି?”

କରମୀ ବିର୍ସାର ପାଖରେ ଆସି ଠିଆ ହେଲା । କୋମ୍‌ତା, ଦି ଝିଅ ଅପେକ୍ଷା ବିର୍ସାପାଇଁ କରମୀର କଲିଜା ବେଶୀ ଭାରି ହୁଏ ।

 

ବିର୍ସା କହିଲା-“ବହୁତ କଥା ।”

- “କ’ଣ କହୁଛି?”

- “କହୁଛି ଏ ସାରା ଜଙ୍ଗଲ, ପାହାଡ଼ ସବୁ ମୋର ।”

- “ଏମିତି କହୁଛି ।”

- “ମା, ତୁ କାନ୍ଦୁଛୁ?” ବିର୍ସା ନିଜର ବିସ୍ମୟ ଭରା, ନିଷ୍ପାପ, ନିର୍ମଳ ଚାହାଣିରେ ଅବାକ୍ ହୋଇ ମା’କୁ ପଚାରିଲା ।

 

- “ବିର୍ସାରେ ! ତୁ ମୋର କଲିଜାର ଏକ ଅଂଶ । ଗୋଟିଏ କଥା ଶୁଣିବୁ?”

- “କ ।”

- “ଧାନୀର କଥାରେ ମନ ଦେ ନା ।”

- “କାହିଁକି?”

- “ସେଇଟା ପାଗଳଟା ।”

- “ସେ କାହିଁକି ପାଗଳ ହେଲା?”

- “ସେ ଭଗବାନଙ୍କୁ ଖୋଜୁଛି ।”

- “ଭଗବାନଙ୍କୁ ଖୋଜୁଛି?”

- “ହଁ ରେ ।”

- “ଏଇଟା କେମିତିକା କଥା?”

- “ଏଇ କଥାଟା ସତ ।”

- “ଭଗବାନ କ’ଣ ହାଟ ବଜାରରେ ମିଳନ୍ତି ଯେ ସେ ବୁଲି ବୁଲି ଖୋଜିଲେ ଭଗବାନ ମିଳିଯିବେ ।”

- “ତାକୁ ଜଣା ସେ କୋଉ ଭଗବାନଙ୍କୁ ଖୋଜୁଛି । ସେଇ ଭଗବାନ କାଳେ ମୁଣ୍ଡା ହୋଇ ଜନ୍ମ ହେବେ । ସେ ମୁଣ୍ଡାମାନଙ୍କୁ ସେମାନଙ୍କର ଜମିବାଡ଼ି ଫେରାଇବେ । ସେମାନଙ୍କର ଅଧିକାର ଫେରାଇବ । ସେ ଜନ୍ମ ହେବା ପରେ ଦିକୁମାନେ ରହିବେନି । ସବୁ ମୁଣ୍ଡାମାନଙ୍କୁ ଦେହରେ ପିନ୍ଧିବାକୁ ଲୁଗା, ହାଣ୍ଡିରେ ଜାଉ, ଡବାରେ ଲୁଣ ଓ ଗିନାରେ ମହୁଲ ଟୋଲର ତେଲ ମିଳିବ । ସେତେବେଳେ ମୁଣ୍ଡାମାନେ ରାଜା ହେବେ ।”

- “ଧେତ୍ । କି ପାଗଳା କଥା କହୁଛି?”

- “ହଁ ରେ ବାପା । ତୁ ତା କଥା ଆଦୌ ଶୁଣିବୁନି ।”

- “ମୁଁ କାହିଁକି ଶୁଣିବି?”

- “ସେଇଟା ଗୋଟେ ପାଗଳ । ମୁଣ୍ଡାପିଲାଙ୍କୁ ବିରକ୍ତ କରେ ।”

- “ହଉ ମା । ତା କଥା ଛାଡ଼ । ଗୋଟେ ବଢ଼ିଆ ଦୃଶ୍ୟ ଦେଖିବୁ?

- “କି ଦୃଶ୍ୟ?”

- “ଦେଖ୍ । ଏଇ ସେଇଠି ଗୋଟିଏ ପକ୍ଷୀ ବସିଛି । ତାକୁ ଗଛରୁ ଧରିଆଣିବି । ଦେଖିବୁ?”

- “ତାକୁ ମାରିବୁନି ବାପା । ସେ ତ’ କାହାର କ୍ଷତି କରୁନି? ତାକୁ ତୀର ମାରିବୁନି ।”

- “ଧେତ୍ । ମୁଁ ବା କାହିଁକି ତୀର ମାରିବି?”

- “ତା ହେଲେ?”

- “ତା ହେଲେ ଦେଖ୍ । ମୁଁ କ’ଣ କରୁଛି ।”

କୋମ୍‌ତା କହିଲା-“ମା, ତୁ ତୋ ପୁଅକୁ ଚିହ୍ନିନୁ । ସେ ବଂଇଶୀ ବଜାଇ ହରିଣକୁ ଡାକିଦିଏ, ଠେକୁଆମାନଙ୍କୁ ଏକାଠି କରିଦିଏ । ବଣର ପଶୁପକ୍ଷୀମାନେ ତା’ର ବଂଶୀର ସ୍ୱରରେ ଏକାଠି ହୋଇଯାନ୍ତି ।”

କରମୀ କହିଲା-“ଯା । ମୋତେ ଏଇ କଥାଗୁଡ଼ିକ କହନା ।”

ବିର୍ସା କହିଲା-“ତା ହେଲେ ଦେଖ୍ ।”

ବିର୍ସା ଟୁଁ ଟୁଁ କରି ବଂଇଶୀ ବଜାଇଲା । ବଂଶୀ ଧୀରେ ଧୀରେ ଫୁଙ୍କିଲା । ସେଇ ସ୍ୱର ସନ୍ଧ୍ୟାରେ ମଳୟ ପବନରେ ମିଶିଗଲା । ସେହି ଡାଳ ଉପରେ ବସିଥିବା ପକ୍ଷୀ ସେହି ସ୍ୱରରେ ଗଛରୁ ଉଡ଼ିଆସି ବିର୍ସାର ମୁଣ୍ଡ ଉପରେ ଡେଣା ହଲାଇ ଦେଲା ଓ ତା ପରେ କୁଆଡ଼େ ଚାଲିଗଲା ।

କରମୀ କହିଲା-“ବିର୍ସା ତୋର ହାତରେ କ’ଣ ଅଛି ଯେ ପକ୍ଷୀମାନେ ତୋ ବଶରେ ରହିଯାଉଛନ୍ତି?”

ବିର୍ସା କହିଲା-“ଯାଦୁ ।”

କରମୀ କହିଲା “ତୋତେ ଏହି କାମ କିଏ ଶିଖାଇଲା?”

ବିର୍ସା କହିଲା- “ମା, ଜଙ୍ଗଲକୁ ଯାଉଛୁ, ଜଙ୍ଗଲରେ ବାଜା ବାଜିବା ଶୁଣିନୁ? ପତ୍ର ପତ୍ରରେ ବାଜା ବାଜେ । ସେହି ପତ୍ରର ଶବ୍ଦ ଶୁଣି ମୁଁ ଏ କାମ ଶିଖିଛି ।

କରମୀ କହିଲା- ଜଙ୍ଗଲକୁ ତୁ ଏକା ଏକା ଯାଆନାରେ ପୁଅ ।

- “ଦିନେ ବଂଶୀ ବଜାଇ ତୋପାଇଁ ଶୁଆ ଧରିଦେବି । ମା, ତୁ କହିଥିଲୁ ପରା ଶୁଆ ରଖିଲେ ଘରେ ଶୁଭ ହୁଏ । ସତ ନା ।”

 

କୋମ୍‌ତା କହିଲା-“କେତେଥର କହିଲି ଚାଲ୍‌, କୋଇଲି ଧରିବା, ମାଂସ ଖାଇବା । କିନ୍ତୁ ସେ କେତେ କହିଲେ ଶୁଣିଲାନି ।”

 

- “କାହିଁକି ଶୁଣିବି? କାହିଁକି ମାରିବି? କୋଇଲି ମାରିବି ଜାଲ ଫିଙ୍ଗି ତୀର ମାରିବି । ମୁଁ କାହିଁକି ସେମାନଙ୍କୁ ଧରିବି?”

 

କରମୀ କହିଲା- “ହଉ ଯାଅ ଯାଅ । ଶୋଇବ ଯାଅ । ଅନ୍ଧାର ହେଲାଣି । ଘର ଭିତରକୁ ଯାଅ ।”

•••

 

କରମୀ ରାତିରେ ସୁଗାନାକୁ କହିଲା- “ବିର୍ସାକୁ ଏଥର କୋଉ ହେଲେ ଗୋଟେ କାମରେ ଲଗେଇ ଦିଅ ।”

- “କାହିଁକି?”

- “ମୋତେ ଡର ଲାଗୁଛି ।”

- “ଜାଣେନା । ମୋ ପେଟର ପିଲା । ତଥାପି ଅଚିହ୍ନା ପର ପର ଲାଗୁଛି ।

- “କାହିଁକି?”

- “ସେ କୋମ୍‌ତା ପରି ନୁହେଁ ବା ଅନ୍ୟ ମୁଣ୍ଡା ଟୋକାଙ୍କ ପରି ନୁହେଁ । ଗୋଟେ ବିଚିତ୍ର ଟୋକା ।”

- “ଓ ! ଏଇକଥା । ଏମିତି କଥା ମନକୁ ନିଅନା ।”

କିନ୍ତୁ ସୁଗାନା ମୁଣ୍ଡା ଜାଣେ ତା’ ପୁଅ ବିର୍ସା ମୁଣ୍ଡା ଅନ୍ୟ ମୁଣ୍ଡା ଟୋକା ପରି- ତଥାପି ମନେହୁଏ ସେ ଯେମିତି ଅନ୍ୟ ଜାତିର ପିଲା । ଆଉ ଦେଖିବାକୁ ଗଲେ ତା’ର ଆଖିର ଚାହାଣି ଆଉ ମୁହଁ ଅନ୍ୟ ପରି । ମୁଣ୍ଡା ଟୋକାଏ ବଂଶୀ ବଜାନ୍ତି, କେନ୍ଦରା ବଜାନ୍ତି, ବିର୍ସା ବି ବଜାଏ ।

କିନ୍ତୁ ବିର୍ସା କେଉଁ ଶ୍ୱାସରେ ବଂଶୀ ବଜାଏ? କେଉଁ ସ୍ୱରରେ? ସୁଗାନା ଯେବେ ଛୋଟ ଥିଲା, ମୁଣ୍ଡା ଜାତିର ଆଦି ଦେବତା ହଉମ୍ ଅସୁଲ୍‌ଙ୍କ ପୂଜାବେଳେ ଜୋଆରା ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ହେଉଥିଲା । ଗାଁ ମୁଖିଆ କହୁଥିଲା-“ହଉମ୍ ଅସୁଲ୍‌ଙ୍କୁ ବଂଶୀ ଶୁଣିବାକୁ ଭାରି ଭଲ ଲାଗେ । ତେଣୁ ଜନମ କାଳରେ ଗୋଟେ ଗୋଟେ ମୁଣ୍ଡା ଶିଶୁଙ୍କ ଆଙ୍ଗୁଠି ଆଉ ଓଠରେ ଆଶୀର୍ବାଦ ଅଜାଡ଼ି ଦେଇଥାନ୍ତି ।

•••

 

ବିର୍ସାକୁ କ’ଣ ହରମ ଅସୁଲ ଦେବତାଙ୍କ ଆଶୀର୍ବାଦ ମିଳିଛି? ନୋହିଲେ ସତରେ କେନ୍ଦରା ଆଉ ଅଣ୍ଟାରେ ବଂଇଶୀ ଖୋସି ବିର୍ସା ଯେବେ ମୁଣ୍ଡା ଟୋକାଟୋକିଙ୍କୁ ବାରୋୟାରୀ ନାଚର ମଣ୍ଡପ ଆଖଡ଼ାଆଡ଼କୁ ଘେନିଯାଏ ସେତିକିବେଳେ ସୁଗାନା ବୟସର, ତା’ ମା’ ବାପା ବୟସର ଚାଲକାଡର ସବୁ ମୁଣ୍ଡା ଲୋକେ ବି କ୍ଷଣ କେମିତି ଠିଆ ହୋଇ ଦେଖୁଥିଲେ? ବିର୍ସାର ବଂଇଶୀ ସ୍ୱର କାହିଁକି ଶୁଣୁଥିଲେ? କାନଉଥିଲେ?

ସୁଗାନାର ବଡ଼ ଭାଇ କାନୁ, ସିଏ ତ’ କେବେଠୁ ଖୀରସ୍ତାନ ହୋଇଯାଇଥିଲା । ସୁଗାନା ସାଙ୍ଗରେ ତା’ର ସେମିତି କେବେ ଭେଟ ହେଉ ନଥିଲା । କିନ୍ତୁ ସେ ଗଲାବେଳେ କହିଯାଇଥିଲା ତୋର ଏଇ ପୁଅଟା ବଡ଼ ଅଦ୍ଭୁତରେ, ସୁଗାନା । ତା’ ବଂଇଶୀ ଶୁଣ୍‌, ଏମିତି ସ୍ୱର ମୁଁ କେବେ ଶୁଣି ନାହିଁ । ବିର୍ସା ବୟସର ସବୁ ମୁଣ୍ଡା ଭେଣ୍ଡାଏ ଆଖଡ଼ାରେ ଏକାଠି ହୋଇଥିବା ଜାଣି ବିର୍ସା ବି ଯାଏ । ମୁଣ୍ଡା ମା’ମାନେ କରମୀକୁ କହନ୍ତି- “ଆଲୋ ଏ କରମୀ, ସେଇ ଯୋଉ ଅଡ଼ତିଆ ଦିକୁନନ୍ଦ, ଯେ ଠାକୁର ପୂଜା କରେ ! ତା’ରି ପରି ତୋ ପୁଅ ବଂଇଶୀ ବଜାଉଛି ଲୋ । ସବୁ ମୁଣ୍ଡା ଲୋକଙ୍କ ଘରେ ଟୋକା ବଂଇଶୀ ବଜାଏ । ସେଇ ବଂଇଶୀ ଶୁଣି ଠେକୁଆମାନେ ଦୌଡ଼ନ୍ତି । ଦୁର୍ଦ୍ଦାନ୍ତ ବାର୍‌ହା, ବଣର ହରିଣ ସଭିଏଁ ଶାନ୍ତ ହୋଇ ଉଠନ୍ତି । ଦି ଘଡ଼ି ଅଟକି ଯା’ନ୍ତି । ଏମିତି କେବେ କୋଉଠି ଦେଖିଛୁ?”

ସୁଗାନାର ପୁଅ ଏମିତି କେମିତି ହେଲା ଏଇ କାହାଣୀ, କଥା ସବୁରି ମୁହଁରେ ।

•••

 

- “ବିର୍ସାରେ, ତୁ ସବୁ କଥାରେ ପାରଙ୍ଗମ ହୁଅରେ ପୁଅ !

ମୁଁ ସୁଗାନା ମୁଣ୍ଡା ମୋର ମନେ ନାହିଁ କେବେ ମୋର ପୂର୍ବପୁରୁଷ ଆଉ ନାଗୁ ଆସି ଏଇ ଭୂଇଁରେ ପାଦ ଦେଇଥିଲେ । କୁଆଁରୀ ଧରତୀର କୌମାର୍ଯ୍ୟ ହରଣ କରି ମୁଣ୍ଡାରୀ ଲୋକଙ୍କପାଇଁ ବସ୍ତି ଗଢ଼ିଥିଲେ । ତେବେ ସେମାନଙ୍କ ନାଁ ଉପରେ ଏଇ ବାଘ, ଭାଲୁ, ବାରହାରେ ପରିପୂର୍ଣ୍ଣ, ଶାଳ ପିଆଶାଳ ଶିଶୁ ଗଛରେ ଭର୍ତ୍ତି ଜଙ୍ଗଲ ଆଉ ଈଶ୍ୱର, ଧରତୀର ଉଚ୍ଚ କୁସୁମିତ ପକ୍ଷୀଠାରୁ କମ୍ ଉଚ୍ଚ ପାହାଡ଼ରେ ଢଙ୍କା ଏଇ ଯେଉଁ ଅପରୂପ ଅପୂରୁବ ଦେଶ, ତା ନାଁ ଦେଇଥିଲେ ଛୋଟ ନାଗାପୁର । ଛୋଟ ନାଗାପୁର ଯେଉଁମାନଙ୍କ ନାଁରେ, ସେଇ ବଂଶର ବଂଶଧର ହୋଇ ମୁଁ- ସୁଗାନା ମୁଣ୍ଡା, ଭିକାରୀଠୁ ବି ଅଧମ ଯାହାର ପେଟରେ ମୁନ୍ଦେ ଜାଉ ବି ପଡ଼େ ନାହିଁ । ଚିରାଫଟା କନା ଖଣ୍ଡେ ପିନ୍ଧି ବୁଲୁଛି । କେତେ ଥର ଭାବିଚି ଏମିତି ବଞ୍ଚିବା ଅପେକ୍ଷା ବଣର ପକ୍ଷୀଟିଏ ହୋଇ କ୍ଷେତର ଦାନା ଗଣ୍ଡେ ଖାଇ ଏକାଠି ବଞ୍ଚିବା ଢେର ଭଲ ।

କିନ୍ତୁ ଏଇ କଥା ମୋ ମନରେ ରହେ ନାହିଁ । ମୋ ମୁଣ୍ଡା ଜାତିର ସୈନ୍ୟମାନେ ବି ମୋରି ପରି ଜିଇଁଛନ୍ତି । ମରି ମରି ବଞ୍ଚିଛନ୍ତି । ହଁରେ ମୋ କପାଳରେ ସେଇ ଅଗ୍ନିବର୍ଷାର ନିଆଁ ଅନବରତ ଜଳୁଛି । ସେଇ ଆଦି ଯୁଗରେ ଅଗ୍ନିବର୍ଷଣ ନିଆଁରେ ବସୁଧା ପୋଡ଼ିଜଳି ପାଉଁଶ ହୋଇଯାଇଥିଲା । କିଏ କେଜାଣି ଆକାଶକୁ ନିଆଁ ଫିଙ୍ଗିଥିଲା । ସେଇ ନିଆଁରେ ମଣିଷମାନେ ଜଳି ମରି ଯାଇଥିଲେ । ଗୋଟେ ଚବକାରେ ଥଣ୍ଡା ପାଣି ଥିଲା । ମାଟି ହାଣ୍ଡିର ଥଣ୍ଡା ଜଳ ପରି । ଗୋଟେ ଟୋକା, ଗୋଟେ ଟୋକୀ-ସେମାନେ ମୁଣ୍ଡା-ଶାଳ ବଣର ଛାଇରେ କେନ୍ଦେରା ବଜାଉଥିଲେ । ଟୋକୀଟି ନାଚୁଥିଲା । ନିଆଁ ଦେଖି ସେମାନେ ଚମକିପଡ଼ି ଠିଆ ହେଲେ । ଆକାଶକୁ ନିଆଁ ଫିଙ୍ଗିଥିବା ସିମ୍ବୋଡ଼ା ଆକାଶରୁ ମୁଣ୍ଡ କାଢ଼ି କହିଲା-“ଆରେ ତମେ ସବୁ ପଳାଅ । ତମରି ହାତରେ ଜନମ ମରଣର ଭାର ଅଛି । ତମଠୁ ପୁଣି ଜଗତର ସର୍ଜ୍ଜନା ହେବ ।” ସେ ଦୁହେଁ ପଚାରିଲେ- କୁଆଡ଼େ ଯିବୁ?

ଏଇ ଦେଖ ।

ନିଆଁର ରଙ୍ଗରେ ସାପ, ସିଏ ନାଗ ଦେବତା ନାଗିରା, ସିଏ ଫଣାର ଛାଇ ତଳେ ଟୋକାଟୋକୀ ଦୁହିଁଙ୍କୁ ହୁଙ୍କା ପାଖକୁ ନେଇଗଲା । ଦୁହିଁଙ୍କୁ ଚବକାର ଶୀତଳ ଜଳରେ ବୁଡ଼ାଇ ରଖିଲା । ଦୁହେଁ ଗାଢ଼ ନିଦରେ କେତେଦିନ ଯେ ବିତାଇ ଦେଲେ ସେମାନଙ୍କୁ ଜଣା ନଥିଲା । ତା ପରେ ସେମାନେ ସିମ୍ବୋଡ଼ାର ଡାକରେ ନିଦରୁ ଉଠିଲେ । ବାହାରକୁ ଯାଇ ଦେଖିଲେ, ଜଣା ପଡ଼ୁ ନଥିଲା ଅଗ୍ନିବର୍ଷା କେବେଠୁ ବନ୍ଦ ହୋଇଗଲାଣି । ସିମ୍ବୋଡ଼ା ଯେମିତି ନିଆଁ ବିଛେଇଥିଲା ସେମିତି ଥଣ୍ଡା ଜଳର ବରଷାରେ ସମଗ୍ର ଭୁବନ, ବସୁଧା ଶୀତଳ କରିଦେଇଥିଲା । କେଜାଣି କେବେଠୁ ଅରଣ୍ୟ, ନଦୀ, ପାହାଡ଼, ପଶୁପକ୍ଷୀ, ଫୁଲଫଳ, କୀଟ ପତଙ୍ଗ ଅନେକ କିଛି ସୃଷ୍ଟି କରିଦେଇଥିଲା । ସିମ୍ବୋଡ଼ା ମେଘ ଭିତରୁ ମୁଣ୍ଡ କାଢ଼ି ଜୋର୍‌ରେ କହିଥିଲା- ଯାଅ ସଂସାରରେ ସବୁ ଅଛି । କିନ୍ତୁ ମଣିଷ ନାହାନ୍ତି । ତମେ ମଣିଷ ସର୍ଜ୍ଜନା କର । ଶୁଣ, ମଣିଷ ମଣିଷ, ମୁଣ୍ଡାରୀ ଜାତିର ମଣିଷରେ ସଂସାର ଭରିଦିଅ । ସେଇ ଟୋକାଟୋକୀଙ୍କଦ୍ୱାରା ସମଗ୍ର ମୁଣ୍ଡାରୀ ଜାତି- ମୁଣ୍ଡାରୀ ଜଗତ ଆରମ୍ଭ ହୋଇଥିଲା ।

•••

 

କିନ୍ତୁ ସୁଗାନାର କପାଳରେ ତ ସବୁବେଳେ ଅଗ୍ନି ବର୍ଷାର ଜ୍ୱାଳା । କପାଳରେ ଜ୍ୱାଳା, ପେଟରେ ଜ୍ୱାଳା ପୁଣି ମନରେ ଜ୍ୱାଳା ।

ସିଏ ସବୁ ଦହନକୁ ଗ୍ରହଣ କରି ନେଇଥିଲା । କୌଣସିଟିରେ ପ୍ରତିବାଦ କରି ନଥିଲା । ଏତେ ଜ୍ୱାଳା ଏତେ ନିଆଁ କ’ଣ ଏକା ଥରକେ ଲିଭିଯିବ? ମୁଣ୍ଡା ଜାତିର ଜୀବନରେ ଏମିତି ନିଆଁ ତ ଜଳି ଆସିଚି, ଜଳୁଥିବ ।

ଏଇଥିପାଇଁ ମଧ୍ୟ ସୁଗାନାର ମନରେ ଦୁଃଖ ବୋଲି କିଛି ନଥିଲା । ପେଟ ଭରି ଖାଇବା, ଦେହଟାରେ ପିନ୍ଧିବା, ଭଲ ଘରେ ରହିବା, ଏସବୁ ସେ ଜାଣି ନଥିଲା । ପେଟକୁ ଯାହା ମିଳିଲା ଖାଇବା, ଚିରା ଫଟା ପିନ୍ଧିବା, ଭଙ୍ଗା ଦଦରା ଘରେ ରହିବା ନେଇ ତା’ର ଦୁଃଖ ନଥିଲା ।

ବରଂ ସୁଗାନା ଓ କରମୀ ନିଜ ଭାଗ୍ୟ ଅନୁସାରେ, କପାଳର ଭରସାରେ ବଞ୍ଚିଥିଲେ । ସେମାନେ ଅନ୍ୟମାନଙ୍କଠୁ ଥିଲେ ବହୁତ ଭଲ । ନୌକରୀପାଇଁ ପଟା ଲେଖି ଜୀବନସାରା କାହାର ଦାସ ହୋଇନଥିଲେ । କେଉଁ ଦିକୁ ପାଖରେ ବେଠି ଖଟିବା ଦଣ୍ଡର ଭୟ ନଥିଲା- ସେମାନେ ଥିଲେ ବହୁତ ଭଲ ।

କୋମ୍‌ତା, ବିର୍ସା, କୋଡର ପୁଅ କିନୁ-ତିନିହେଁ ପାଖରେ ଥିଲେ । ଦୁଇଝିଅ ବାହା ହୋଇ ସାରିଥିଲେ ।

 

ଦାଦନ ସାହୁକାର ପ୍ରତିବର୍ଷ ଚାହା ବଗିଚାକୁ କୁଲି ନେବାପାଇଁ ଆସେ ଓ ବହୁତ ଟଙ୍କା ପଇସାର ଲୋଭ ଦେଖେଇ ମୁଣ୍ଡାମାନଙ୍କୁ ନେଇଯାଏ ।

 

କିନ୍ତୁ ସେମାନେ ଗଲେ ନାହିଁ । ନିଜ ଭିଟାମାଟି ହିଁ ଭଲ ।

ଏଇ ଉଧାର-ଋଣ କରଜ ଅଭାବ ଅନାହାର-ସୁଗାନାର ଧାରଣାରେ ଏଇ ଦୁନିଆରେ ତା’ର ପ୍ରାପ୍ୟ । ଏଇ ଦୁନିଆ ଛାଡ଼ି ଅନ୍ୟଆଡ଼େ ଯିବାକୁ ତାକୁ ଭଲ ଲାଗୁ ନଥିଲା ।

ବିର୍ସାଟା ଅଲଗା କେମିତି ହେଲା? ବୋହାମ୍ବା ଜଙ୍ଗଲରେ ତ ତା’ସାଙ୍ଗସାଥୀ ଅନ୍ୟ ମୁଣ୍ଡା ଟୋକାଏ ଗାଈ ଛେଳି ଚରେଇବାକୁ ଯାଆନ୍ତି । କିନ୍ତୁ ଏକେଲା ବିର୍ସା ଜଙ୍ଗଲର ସବୁ ରହସ୍ୟ କେମିତି ଜାଣେ?

କେଉଁ ମାଟି ତଳେ କନ୍ଦା ଅଛି, କେଉଁ ଗାଡ଼ିଆରେ ଅଛି ମାଛ, କେଉଁ ଗଛରେ ମିଠା, କେଉଁ ଗଛରେ ଖଟା ଆମ୍ବ, କେଉଁ ବୁଦାମାନଙ୍କରେ ଠେକୁଆ ଜଙ୍ଗଲି ଜନ୍ତୁ-ଏସବୁ କଥା ଏକେଲା କେମିତି ଜାଣିପାରେ । ସତେ ଯେମିତି ଜଙ୍ଗଲଟା ନିଜର ସବୁ ରହସ୍ୟ ସବୁ ଭେଦ ବିର୍ସା ଆଗରେ ଖୋଲି ଦେଉଛି । ଯେତେସବୁ ଲୁଚାଛପା ଐଶ୍ୱର୍ଯ୍ୟର ଭଣ୍ଡାର କେବଳ ବିର୍ସା ହାତରେ ଅରପି ଦେଉଛି । ଏମିତି କାହିଁକି ହୁଏ?

•••

 

“ବିର୍ସା ତତେ ସବୁଥିରେ ଧୁରନ୍ଧର ହେବାକୁ ପଡ଼ିବ । ଯିଏ ସବୁରି ପରି ହୁଏ ସେଇ ଟୋକା ବାପା ମା’ଙ୍କ କୋଡ଼ରେ ଲାଗିରହେ । ଏଇ ବର୍ଷ ଅକାଳ ପଡ଼ିବାରୁ ମିଶନ୍‌ରେ ଯାଇ ଖୀରସ୍ତାନ ହେବାକୁ ପଡ଼ିବ ପୁଣି କ୍ଷେତରେ ଫସଲ ଠିଆହେଲେ ନିଜ ଧରମକୁ ଲେଉଟି ଆସିବା । ତତେ ସବୁଥିରେ ପାରଙ୍ଗମ ହେବାକୁ ପଡ଼ିବ ବିର୍ସା ।”

ସୁଗାନା ନିଶ୍ଚୟ କଲା ପ୍ରଥମେ ବିର୍ସାକୁ ଗାଈ ଚରେଇବା କାମରେ ଲଗେଇ ଦବାକୁ ପଡ଼ିବ-

•••

 

ସୁଯୋଗ ବି ଆସି ପହଞ୍ଚିଲା । ସୁଗାନା ମୁଣ୍ଡାର ଜୀବନରେ ସାନପୁଅକୁ ଗାଈ ଚରେଇବା କାମରେ ଲଗାଇ ଦେବାର ସୁଯୋଗ ଛୋଟିଆ କାରଣରୁ ଗୃହସ୍ଥି ଦାୟିତ୍ୱର କୌଣସି ଘଟଣା ସହିତ ସମାନ ।

ଦୁଇ ଝିଅଙ୍କ ବିବାହପାଇଁ ସୁଗାନା ଆଣିଥିବା ଋଣର ବୋଝ ଖୁବ୍ ଭାରି ହୋଇଯାଇଥିଲା । ଚଉଦ ପନ୍ଦର ଟଙ୍କାର ଋଣ । ବିର୍ସା ତଳ ଭାଇ କନୁ ମା କୋଡ଼ ଛାଡ଼ି ହାମ୍ବୁଡ଼େଇବା ଭିତରେ ଜାଉ ପିଇବା ଯୋଗ୍ୟ ହୋଇଯାଇଥିଲା ।

ସହସା ଗୃହସ୍ଥି ଜୀବନର ନାନା ଜଞ୍ଜାଳର ମୁକାବିଲା କରିବାକୁ ପଡ଼ିଲା । ଦିନେ କରମୀର ବଡ଼ ବାପା ପୁଅ ଭାଇ ଚାଲକାଡରେ ଆସି ପହଞ୍ଚିଲା । କହିଲା ବୁଝିଲୁ କରମୀ-“ବୋହୁ ଭଲ ନାହିଁ-। କାଉନୁ( ଏକ ପ୍ରକାର ଖାଦ୍ୟ) ବିକିବାରୁ ଦି ଟଙ୍କା ମିଳିଲା । କହିଲା ମଦ ଆଣେ (ସହଳ ଦିଟା କୁକୁଡ଼ା କାଟିଲି ।) । ସେମାନେ ନେଇଗଲେ । କହିଲି ଚାଉଳ କିଣିବି । ଥୁ !”

ନିବାଇ ମୁଣ୍ଡା ଭୂଇଁ ଉପରେ ଥୁକିଲା । କହିଲା-“ଚାଉଳ ମାପି ନେବି । ଶହେ ଡବା ଚାଉଳ ମାପି ନେବି । ମୁଁ ବି ଗୋଟେ ଡବା ଚାଉଳ ବସ୍ତାରୁ ଧରି ଚାଲି ଆସିଚି । ଯା’ଭାତ ରାନ୍ଧି ଦେ’ । ଆଜି ଖୁବ୍ ଖାଇବି ।”

କରମୀ ଜାଲ ପକେଇ ଠେକୁଆ ଧରିଲା । ସଭିଏଁ ମିଶି ଭାତ ଆଉ ମାଉଁସ ଖାଇଲେ । ତା’ପରେ ନିବାଇ କହିଲା ମତେ ଦି ପୁଅ ଦେଇ ଦେ । ଘେନିଯିବି । ତମ ଘରେ ତ ଖାଇବାକୁ ବୋଲି କିଛି ନାହିଁ । ଖାଇବାକୁ ବୋଲି ବଡ଼ ବଡ଼ ପେଟ ଆଉ ମୁହଁ ।

 

“ପୁଅ ଦୁହିଁଙ୍କୁ କୁଆଡ଼େ ନେଇଯିବୁ?”

“ତୋ ବାପାର କ’ଣ ଘର ନାହିଁ? ଦିକଇ ମୁଣ୍ଡା ତୋର ବାପା, ମୋର କକା । ତା’ର କ’ଣ ଘର ନାହିଁ? ଆମେ କ’ଣ ସେଠି ନାହୁଁ?”

 

- “ସେଠିକି ସେ ଦୁହେଁ ଗଲେ ତ’ ତମରି ଘରେ ଖାଇବା ବାଲାଙ୍କ ପେଟ ଓ ମୁହଁ ବଢ଼ିଯିବ । କହିଲୁ ସତ ନା?”

 

- “କୋମ୍‌ତା’ର କାମ କରିବାର ବୟସ ହୋଇଗଲାଣି । ତାକୁ ଧରି କୁଂଡ଼ୀ ବରତୋଲି ଯିବି-। ସେଠାରେ ଭୂରା ମୁଣ୍ଡା ଅଛି ।

 

- “କୋଉ ଭୂରା । ସେହି ଚିକ୍କଣିଆ ଭୂରା ।”

- “ତା ପାଖକୁ କାହିଁକି ନେବୁ?”

- “ଆରେ ! ଏବେ ତ ସିଏ ତିନି କୁଡ଼ା ଭୂଇଁ ଆବାଦ କରି ସେଇଠି କୋଠା ତୋଳିଛି । ପୁଅ ନାହିଁ । ଚାରିଟା ଝିଅ । କୋମ୍‌ତା ଯେମିତି ହେଲେ ଗାଈ ଚରାଇ ଜୀବନ ବିତାଇଦେବ । ସେମାନେ ଭାତ ଖାଆନ୍ତି । ତାଙ୍କ ଘରେ ବସ୍ତା ବସ୍ତା ଲୁଣ । ଡୋଲି ଭର୍ତ୍ତି ଲୁଣ ମୁଁ ପରା ନିଜେ ଦେଖି ଆସିଛି ।”

“କୋମ୍‌ତାକୁ ସିନା ଏବେ ଦଶହେଲା ବିର୍ସା ତ ତା’ଠୁ ଆହୁରି ଛୋଟ ।

“ବାପ୍‌ରେ ବାପ୍‌ ! ଛୋଟ । ମୋର ପରା ତା’ରି ବୟସବେଳେ ତୋ ବାପା ମୋ ପିଠି ଉପରେ ଠେଙ୍ଗା ନଦି ଦେଇଥିଲା? ସେତିକିବେଳେ ମୁଁ ଗାଈ ଚରଉଥିଲି ।”

 

“ସଭିଏଁ କଣ ତୋ ଭଳିଆ?”

“ଆଲୋ ଭଉଣୀ ପୋନି ତାକୁ ଭାରି ଭଲ ପାଏ । ଏବେ ସେ ସେଇଠି ଯାଇ ରହୁ ।”

 

“ଜାଣିଛୁ ସାତଲୁଗାରେ ଜୟପାଳ ନାଗ ରହୁଛି ଫେର ତା’ପାଖରେ ଗାଈ ଜଗୁଆଳ କାମରେ ଲଗେଇ ଦେବି । ହଁ ଦେଖ୍ ଜୟପାଳ ନାଗ ପାଠଶାଳା ଖୋଲିଛି । ସେଇଠି ପଢ଼ିବ ।”

“ପାଠପଢ଼ି କ’ଣ କରିବ?”

“ବାପ୍‌ରେ ବାପ୍‌! ଚାଲକାଡ଼ରେ ରହୁଛୁ, ପବନ କୁଆଡ଼େ ବହୁଛି ଜାଣିପାରୁନୁ? ଏବେ ଖାଲି ଖୀରସ୍ତାନ ହୋଇ ଲାଭ ନାହିଁ । ପଢ଼ା ଲେଖା ଶିଖିଲେ ମିଶନ୍‌କୁ ଯିବ । ପ୍ରଚାରକ ହେବ ମୁଣ୍ଡରେ ପାଗ ଭିଡ଼ି ହାଟ ହାଟ ବୁଲି ଯୀଶୁଙ୍କ କଥା କହିବ ।”

ଭାଇରେ । ସେ କଥା ମୋ ଭାଗ୍ୟରେ ଲେଖା ହୋଇନି । ପିଲା ଦିଟାକୁ ନେବୁ ତ’ ନେ । ମୁଁ ଆଉ ଅଧିକ ଭାବି ପାରୁନି । ତିନି ପୁଅ ଆଉ ପିଲାଙ୍କ ବାପାକୁ କ’ଣ ଖୁଆଇବି କେମିତି ବଞ୍ଚେଇ ରଖିବି ଭାବି ଭାବି ପାଗଳ ହୋଇଯାଉଛି- କିରେ ବିର୍ସା । ମାମୁଁ ସାଙ୍ଗରେ ଯିବୁ?”

ହଁ ଯିବି ।

“ପୁଅ ବଡ଼ ହେଲାଣି । ପେଟପୂରା ଖାଇବାକୁ ଗଣ୍ଡେ ଦେଇପାରୁନି । ସେ କଥା ଭାବିଲେ ଛାତି ଫାଟିଯାଉଚି ସେଇଥିପାଇଁ ତ’ଯିବାକୁ କହୁଚି । ନୋହିଲେ ତ’ କରଛଡ଼ା କରିବାକୁ ଆତ୍ମା ଡାକୁନି ।”

 

“କରମୀ, ତୁ ଭଲ କଥା କହୁଛୁ । ଆଠ ବର୍ଷର ହେଲାଣି ଏତେ ବଡ଼ ପୁଅ କ’ଣ ବସି ଖାଇବ?”

 

- “କେତେ ବା ବଡ଼?”

- “ବହୁତ ବଡ଼ ।”

- “ବହୁତ ବଡ଼?”

- “ହଁ । ବ...ହୁ...ତ ।”

କରମୀର ମା ମନ କହିଲା-“ଆଠ ବର୍ଷର ପୁଅକୁ ପଣତରେ ଗୁଡ଼େଇ ରଖାଯାଏ । କିନ୍ତୁ ସେ ତ’ କେବଳ ମା ନୁହେଁ ଯେତେହେଲେ ବି ସେ ମୁଣ୍ଡାରୀ ମା । ମୁଣ୍ଡାରୀ ମା ଜାଣେ ଆଠ ବର୍ଷର ପୁଅ ଗାଈ ଚରାଏ, କେଉଁଦିକୁ ସାଆନ୍ତର ଗୁହାଳରେ ପଶୁ ଜନ୍ତୁ ଜଗାରଖା କରେ । ପେଟପାଇଁ ଜାଉ ମୁନ୍ଦେ ଯୋଗାଡ଼ କରେ ।

କରମୀର ବାପା ଦିବାଇ ମୁଣ୍ଡା ଜ୍ଞାନୀ ମୁନି ମଣିଷ ଥିଲା । ତା’ପାଖରୁ କରମୀ ଶୁଣିଥିଲା ଏଇ ସବୁ ଜଙ୍ଗଲ, ପାହାଡ଼, ମୁଣ୍ଡା ଓରାଓଁ, ହୋ ଓ ସାନ୍ତାଳମାନଙ୍କ ଦିନେ ନିଜ ସମ୍ପତ୍ତି ଥିଲା । ସେତେବେଳେ ମୁଣ୍ଡାରୀ ମା ମୁଣ୍ଡାରୀ ପୁଅଙ୍କୁ ଦିକୁ ଘର ପୁଅ ପରି ଅନେକ ଦିନ ଯାଏଁ ନିଜ ପାଖରେ ରଖୁଥିଲେ ! ରଖିପାରୁଥିଲେ ।

ଏହା ହଜାର ଲକ୍ଷେ ଚାନ୍ଦ ପୂର୍ବର କଥା । ସେତେବେଳେ ଧରତୀ ମା କଠୋର ନଥିଲା । ସବୁକିଛି ସିଧାସଳଖ ସେମାନଙ୍କ ଆଦି ଦେବତା ହରମ ଅସୁଲଙ୍କ ଶାସନରେ ଥିଲା । ଯେବେ ଟୋକାଟୋକୀଏ ପଥର ଗୁମ୍ଫାରେ ଶୋଉଥିଲେ ସେତେବେଳେ ହରମ ଅସୁଲ ପାଣି ବର୍ଷି ଧରତୀର ନିଆଁ ଲିଭେଇ ଦେଇଥିଲେ ।

ପହିଲେ ଗଡ଼ିଲେ ଜଳଜୀବ । ମାଛମାନଙ୍କୁ ଡାକି କହିଲେ ସମୁଦ୍ର ତଳୁ ମାଟି ଆଣ । ଉଚ୍ଚ ଧରତୀ ଭୂମି ଉପରେ ଜୀବ ସୃଜିବି ।

ସାଗର କାହିଁକି ମାଟି ଦେବ? ମାଛ ମୁହଁରେ ମାଟି ଧରି ଉପରକୁ ଉଠେ, ସମୁଦ୍ରର ଢେଉ ମାଟିକୁ ଭସେଇ ଆଣିଲା । ଏଣେ ହରମ ଅସୁଲ ସିଂହଭୂମିଠୁ ବି ବଡ଼ ଆଉ ଚଉଡ଼ା ହାତ ବଢ଼େଇଲେ, ମାଟି ପାଇଲା ପରେ ମାଟିରେ ଜୀବ ଗଢ଼ିଲେ ।

ଶେଷକୁ କେଞ୍ଚୁଆ ବାହାରିଲା । ପେଟର ମାଟି ମଳ ସହିତ ବାହାର କଲେ ।

ସେଇ ମାଟିକୁ ପାଇ ହରମ ଅସୁଲ ସବୁ ଗଢ଼ିଲେ ।

ତାହା ଥିଲା ସୁଖଶାନ୍ତିର ସରଳ ସହଜ ଦିନ । ସେଇଠି ଥିଲେ ଟୋକା ଓ ଟୋକୀ । ସେମାନଙ୍କ ପୁଅ ହେଲା । ଟୋକାଟା ବେମାରୀରେ ଦରମରା ହୋଇଥାଏ । ସେଇ ଆଦି ମୁଣ୍ଡା ନରନାରୀ ଚିନ୍ତାରେ ପଡ଼ିଥାନ୍ତି । ସନ୍ତାନ ମରିଗଲେ ହରମ ଅସୁଲଙ୍କ ମୁଣ୍ଡାରୀ ଶାସନ, ସିମ୍ବୋଡ଼ାର ମୁଣ୍ଡାରୀ ଧରତୀରେ କଳା କଳା ମଣିଷଙ୍କ ଆତଯାତ କେମିତି ହେବ?

ହେ ଅବ୍‌ବା ହରମ୍ ଅସୁଲ । କହି ସେଇ ଆଦି ଜନନୀ ବହୁତ କାନ୍ଦିଥିଲା । କଠୋର କଳା ପଥରରେ ଗଢ଼ା ମୁହଁରେ ହୀରା ପରି ଧାର ଧାର ଉଜ୍ଜ୍ୱଳ ଅଶ୍ରୁଧାରା ବହୁଥିଲା । ହରମ୍ ଅସୁଲ କହିଲେ-“ଝିଅ, ଜଗତ ଗଢ଼ିଲା ପରେ ମୋ ଆଖିରେ ନିଦ ଛାଇ ଯାଇଥିଲା । ତୁ ମୋ ନିଦ ଭାଙ୍ଗିଦେଲୁ?”

ସେଇ ଜନକ ଜନନୀ କହିଲେ, “ତମେ ଦେଇଥିବା ଆମ କୋଳର ସନ୍ତାନଟି ମରିବାକୁ ଯାଉଛି । ହେ ଦେବତା! ତୁମକୁ ଛାଡ଼ି ଆଉ ଆମେ ଆଉ କାହାକୁ ଡାକିବୁ?”

“ସେଥିପାଇଁ ଦୁଆର ମୁହଁରେ ଅଙ୍ଗାରରେ ଛବି ଆଙ୍କ । ଦେଖିବୁ ରୋଗ-ବ୍ୟାଧି ଘର ଛାଡ଼ି ପଳାଇବ । ମତେ ପୂଜା ଦେ । ଧଳା କୁକୁଡ଼ା ବଳି ପକାଇ ପୂଜା ଦେ ।”

ତହୁଁ ପୂଜା ଦେଲା ପରେ ପୁଅର ବେମାରୀ ଭଲ ହେଲା ।

•••

 

କେତେ ସୁନ୍ଦର ଥିଲା ସେଇ ଧରତୀ ମା । କେତେ ସହଜରେ ଦେବତା ଖୁସି ହେଉଥିଲେ । ଏବେ କରମୀଆଁ ଖୀରସ୍ତାନ ହୋଇ, ପୁଣି ବୋଣ୍ଡାବୋଣ୍ଡିଙ୍କୁ ପୂଜା କରୁଛି । କିନ୍ତୁ ରକ୍ଷକ ଦେବତା ପୁଣି ମୁଣ୍ଡାଙ୍କ ମଝିରେ ଏବେ ମୁଣ୍ଡାମାନଙ୍କ ସମାଧିର ପଥର ପରି ବଡ଼ ବଡ଼ ବାଧା ପାଲଟି ଆସୁଛନ୍ତି । ବୈଷ୍ଣବ ଧର୍ମ, ସନ୍ୟାସୀ ଧର୍ମ, ଗୋସେଇଁ ଧର୍ମ, ଖୀରସ୍ତାନ ଧର୍ମ, ଦିକୁ-କୋର୍ଟ କଚେରୀ, ଅଦାଲତ, ମହାଜନ ସୁଧ, ବେଠିବେଗାରୀ, ଗୋତି ଯେତେସବୁ ବାଧା ପରେ ବାଧା । ଏତେ ବାଧା ଯେ ଦେବତା ଲୋକେ ବି ମୁଣ୍ଡାଙ୍କୁ ବିପଦ ଆପଦରେ ସାହା ହୋଇପାରୁ ନାହାନ୍ତି ।

କରମୀ ଦୀର୍ଘଶ୍ୱାସ ଟାଣି କହିଲା-“ତାହା ହିଁ ହେଉ । ମୁଁ ଆଉ ଅଧିକ ଭାବି ପାରୁନି । ଭୋକ ଉପାସରେ ମୁଣ୍ଡ ବୁଲାଇ ଦେଉଛି । ଆଖିରେ ଜୁଳୁଜୁଳୁ ଦିଶୁଛି । ମୁଣ୍ଡ ଝାଇଁ ଝାଇଁ ।”

•••

 

ଶେଷକୁ ତାହାହିଁ ହେଲା ।

ନିବାଇ ସହିତ ଗଲେ କୋମ୍‌ତା ଓ ବିର୍ସା । କୋମ୍‌ତା ଗଲା କୁଣ୍ଡିବୋର୍‌ତାଲି । ସେଇଠି ସିଏ ଭୂରା ମୁଣ୍ଡାର ଘରେ କାମ କରିବ, ଗାଈ ଚରେଇବ । କରମୀର ଭଉଣୀ ଜୋନି କହିଲା-“ତୁ ଏଇଠି ରହ ବିର୍ସା । ଅନ୍ୟ ଦେଶକୁ କାହିଁକି ଯିବୁ?”

ବିର୍ସା ମୁଣ୍ଡ ନାଡ଼ି କହିଲା- “ମା’କୁ କହି ଆସିଛି । ମୁଁ ବଡ଼ ହେଲିଣି । ଆହୁରି ବଡ଼ ହେବି ।”

ଜୋନି ଖିଲିଖିଲି ହସି ପଣତ କାନିରେ ମୁହଁ ଢାଙ୍କିଲା । କହିଲା-“ତୁ ବାୟା ନା ପାଗଳ? ବଡ଼ ହେବୁ? ବଡ଼ ହୋଇ କ’ଣ କରିବୁ? ମୁଣ୍ଡା ଜାତିରେ ତ ଜନ୍ମ ହୋଇଛୁ!”

- “ମା’କୁ ବସ୍ତା ଭର୍ତ୍ତି ଲୁଣ ଆଣି ଦେବି । ଡବା ଭର୍ତ୍ତି ଦାନା ଆଉ ଡାଲି ଆଣି ଦେବି ।”

- “ତୁ କ’ଣ ଡକେଇତି କରିବୁ?”

- “ନାଇଁ । ପ୍ରଚାରକ ହେବି ।”

- “କେମିତି?”

- “ପାଠଶାଳାରେ ପାଠ ପଢ଼ି ।”

- “ଆଉ କ’ଣ କରିବୁ?”

- “ତୋର ଗାଈ ଚରେଇ ନେବି । ହଳ ଚଷିବି । କାଠ ଆଣିଦେବି ।”

- “ପାଠଶାଳା ଯେ କେତେଦୂର ସେକଥା ଜାଣିଛୁ?”

- “ଜାଣିଛି ।”

- “ଜୟପାଳ ନାଗ କେଡ଼େ ବଦ୍‌ରାଗୀ ଜାଣିଛୁ?”

- “କ’ଣ କରେ? ମାରଧର କରେ?”

- “ନାଇଁ ନାଇଁ । ମାରଧର କରେନି କିନ୍ତୁ ଗାଳିଗୁଲଜ କରେ ।”

- “କିନ୍ତୁ ସେ ମୋ ଉପରେ ରାଗିବନି ।”

- “ନେ ଏ ଡୁଙ୍ଗୁରୀ ପିନ୍ଧ । ତୋ ଲୁଗାପଟା ମଇଳା ହୋଇଛି । ସଫା କରିଦିଏ ।”

ଜୋନି ବିର୍ସାର ଲୁଗାପଟା ଧୋଇଦେଲା । ସଫା ଲୁଗାପଟା ପିନ୍ଧି କାଠ ପଟା, କାଠ ଅଙ୍ଗାର ଆଉ ଗୋଟେ ଖାତା ବିର୍ସା ଜୟପାଳ ନାଗର ପାଠଶାଳାକୁ ଗଲା ଆଉ କହିଲା-“ମତେ ତମ ପାଠଶାଳାରେ ରଖ ।”

 

- “ତୁ କିଏ?”

- “ପିବାଇ ପାହାଣର ନାତି । ମୋ ମା’ ନା କରମୀ । ମତେ ପାଠଶାଳାରେ ନିଅ ।”

- “ତୋ ଘର ଚାଲକାଡରେ ନା?”

- “ଚାଲକାଡରୁ କେହି ସାଲଗା ଆସିପାରିବ? ମୁଁ ଆୟୁ ଭାତୁରୁ ଆସିଚି । ସେଇଠୁ ଆସିବି-।”

- “ସକାଳୁ ସକାଳୁ ପାଠଶାଳା ଚାଲେ । ହୋସିଆରରେ ଆସିବୁ । ବାଟରେ ବଣ ବାଘର ଭୟ ।”

 

- “ମୁଁ ଏମିତି ବହୁତ ବାଘ ଦେଖିଛି ।”

- “ତତେ ଭୟ ଲାଗୁନି?”

- “ନା । ବାଘକୁ ମୋର ଭୟ ନାହିଁ ।”

ବିର୍ସା ବାଳୁତ କାଳୁ କେବେ କାହାକୁ ଡରେ ନାହିଁ । ସେ ବଡ଼ ହେବ ଖୁବ୍ ବଡ଼ଲୋକ ହେବ-। ତାକୁ ବଡ଼ ଲୋକ ହେବାକୁ ପଡ଼ିବ । ଖଟଖଟ ଶବ୍ଦ କରି ଜଙ୍ଗଲର ପାଦଚଲା ରାସ୍ତାରେ ସେ ପାଦରେ ସାଲଗାରୁ ଆୟୁଭାତୁ ଆସେ ଓ ଯାଏ ।

•••

 

ଦିନେ ବିର୍ସା ଖୁବ୍ ଜୋର୍‌ରେ ଚିତ୍କାର କରି ଘରକୁ ଫେରିଥିଲା । ଜୋନି ତା ବାଟକୁ ଚାହିଁ ରହିଥାଏ ।

 

ଜୋନି ପଚାରିଲା-“କ’ଣ ହେଲା?”

ବିର୍ସା ବୀରଦର୍ପରେ କିଛି କ୍ଷଣ ଯାଏଁ ଅଗଣାରେ ନାଚିବାକୁ ଲାଗିଲା । ତା’ପରେ ପଟା ଉଠାଇ କହିଲା-“କ’ଣ ଦେଖୁଛୁ?”

- “ଏଥିରେ କ’ଣ ଅଛି?”

- “ଏଇଟା କ, ଇଏଟା ଖ, ଏଇଟା ଗ-ମୁଁ ପାଠର ସବୁ ଅକ୍ଷର ଶିଖିଗଲି ।”

ଜୋନି ହସିହସି ଆଖିରୁ ଲୁହ ନିଗାଡ଼ିଦେଲା । ବିର୍ସାକୁ କହିଲା-“ତୁ ଏତେ ପାଠ ଶିଖି ଗଲୁଣି?”

- “ହଁ । ଶିଖିଲିଣି ।”

- “ଆ ଖାଇବୁ ଆ ।”

ମାଣ୍ଡିଆର ଜାଉ, ବଣ କାପ୍‌ତାର ମାଂସ ଓ ଜଙ୍ଗଲି କନ୍ଦାର ତରକାରୀ । ମାଉସୀ ପାଖରେ ଖାଇବା ପିଇବାରେ ବହୁତ ସୁଖ ମିଳୁଥିଲା । ଖାଲି ଜାଉ କେବେ ମାଉସୀ ଦେଉ ନଥିଲା । ବଣର ନାନା ଜାତିର କନ୍ଦା, ପକ୍ଷୀମାଂସ, ଠେକୁଆ ମାଂସ, ରାଜକୀୟ ଖାଦ୍ୟ ଖାଇ ଖାଇ ବିର୍ସାର ଧାରଣା ହେଲା ସଂସାରରେ ନାନା ଜାତିର ବହୁତ ଖାଦ୍ୟ ଅଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ତା’ ମା କରମୀକୁ ଜାଉ ସାଙ୍ଗରେ ଟିପେ ଲୁଣ କାହିଁକି ମିଳୁନି?

ମାଉସୀ ଘରେ ବେଶ୍ ଆରାମ ବଡ଼ ସୁଖ ମିଳୁଥିଲା । ମହୁଲ ଟୋଲ ତେଲର ନିଆଁ ଆଲୁଅରେ ମାଉସୀ ଘର ସବୁବେଳେ ଆଲୋକିତ ରହୁଥିଲା ।

କିନ୍ତୁ ଚଢ଼େଇର ବସା ପବନରେ ଦୋହଲୁଥିଲା । ଜୋନିର ଦିନେ ବିବାହ ହୋଇଗଲା ।

‘ମାଉସୀ ଲୋ’ ବୋଲି ବିର୍ସା ତାକୁ ଭିଡ଼ି ଧରି ଖୁବ୍ କାନ୍ଦିଲା । ଜୋନି ତା’ର ହଳଦୀ ମଖା ହାତରେ ବିର୍ସାର ଡେଣାକୁ ଟାଣି କହିଲା-“ତୁ ବି ତ’ ମୋ ସାଙ୍ଗରେ ଖଟଗାଁ ଯିବୁ କାନ୍ଦୁଛୁ କାହିଁକି?”

 

- “କିନ୍ତୁ ସେମାନେ ରହିବାକୁ ଦେବେ ନାହିଁ ।”

- “ଚୁପ୍ । ସେଠି ବଣିଆ ଘରେ ଗାଈ ଚରେଇବୁ । ମୋ ପାଖେ ରହିବୁ?”

- “ହଁ । ରହିବି ।”

ଜୋନୀ ବିର୍ସାର ମୁଣ୍ଡ ବାଳରେ ହାତ ବୁଲାଇ କହିଲା- “ତୁ ତ’ ବଡ଼ ହୋଇଗଲୁଣିରେ-ତତେ ବଡ଼ ଲୋକ ହେବାକୁ ପଡ଼ିବରେ କେତେ ବଡ଼ ? ଏତେ ବଡ଼ ହେ ନା’ରେ ।”

 

- “କାହିଁକି?”

- “ମତେ ଛାଡ଼ି ରହିପାରିବୁନି?”

- “ତୁ ଚାଲିଗଲେ ମତେ କିଏ ଖାଇବାକୁ ଦେବ?”

- “ଏକଥା ତ’ ସତ ।”

କିନ୍ତୁ ବିର୍ସା ମାଇଁ ନିବାଇ ମୁଣ୍ଡାର ବୋହୂ କହିଲା-“ତୁ ଯାଆନା । ବିର୍ସା । ତୁ ଚାଲିଗଲେ ତୋ ବଂଇଶୀର ସ୍ୱର ଆଉ ଶୁଭିବନି । କେନ୍ଦରା ବଜାଇ ନାଚିବ କିଏ? ଏ ଆୟୁଭାତୁ ଗାଁ ତୋ ବିନା ଶୁନ୍‌ଶାନ୍ ହୋଇଯିବ ରେ ।”

 

ଜୟପାଳ ନାଗ କହିଲା-“ତୁ ଯାଆନା ବିର୍ସା । ତୋ ପରି ପିଲାଟିଏ ପାଠଶାଳାରେ ନାହିଁ । ମୁଁ ଯାହା ଜାଣେ, ଯେତିକି ଜାଣେ ତତେ ସବୁ ଶିଖେଇବି, ସବୁ ବତେଇବି ।”

 

ଗାଁ ଟୋକାଏ କହିଲେ-“ବିର୍ସା ତୁ ଯାଆନାରେ । ତୁ ଚାଲିଗଲେ ଆମ ଆଖଡ଼ା ନଷ୍ଟ ହୋଇଯିବ ।”

 

ବିର୍ସା କହିଲା-“ମତେ ବଡ଼, ଖୁବ୍ ବଡ଼ ଲୋକ ହେବାକୁ ପଡ଼ିବ । ମୁଁ ଏଠି ରହିଲେ କ’ଣ ବଡ଼ଲୋକ ହୋଇପାରିବି?”

•••

 

ବିର୍ସାକୁ ମୁଣ୍ଡାରୀ ଜଗତ ଓ ଜୀବନରୁ କେଉଁ ବାହ୍ୟ ଆକର୍ଷଣ ଟାଣୁଥିଲା ସେ କଥା ଜୋନି ଜାଣିନଥିଲା, ଜୟପାଳ ନାଗ ଜାଣି ନଥିଲା, ଗାଁର ଟୋକାଏ ଜାଣି ନଥିଲେ, ଏପରି କି ନିଜେ ବିର୍ସା ବି ଜାଣି ନଥିଲା ଯେ ବିର୍ସାକୁ ମୁଣ୍ଡା ଜଗତ ଆଉ ଜୀବନ ବାହାରୁ ଆଉ କୌଣସି ଆକର୍ଷଣ ଟାଣୁଛି-

ଭୀଷଣ, ଦୁର୍ଦ୍ଦମନୀୟ, ପ୍ରବଳ ଆକର୍ଷଣ!

ମୁଣ୍ଡା ଜୀବନ-ସତେ ଯେମିତି ହଜାରେ ଅନୁଶାସନରେ ଦବାପେଷା, ଆଉ ପ୍ରତି ରକ୍ତ କଣିକାରେ ଅନେକାନେକ ବିଶ୍ୱାସ । ଆଜି ତୁ ମୁଣ୍ଡା, କାଲି ଖୀରସ୍ତାନ, ପୁଣି ମୁଣ୍ଡା, ପୁଣି ଖୀରସ୍ତାନ କିନ୍ତୁ ତୁମର ନାମ ଆଜି ସୁଗାନୀ, କୋମ୍‌ତା, ଡୋଲ୍‌କା, ଧାନୀ-କାଲି ପଲୁସ, ଜାଉଦ, ମେଥ୍ୟୁ, ଜୋହାନା, ଆବ୍ରାହାମ କିଛି ହେଉନା କାହିଁକି? ରକ୍ତରେ ଥାଏ-ସିମ୍ବୋଡ଼ାର ଶାସନ, ହରମ୍ ଅସୁଲର ପରମ୍ପରା ।

ତେଣୁ ତ’ ଯେଉଁ ଜଙ୍ଗଲ-ପାହାଡ଼-ଝରଣା- ଏସବୁ ତମର ମାଆ-ଏମାନଙ୍କୁ ତମେ କେତେ ଭୟଙ୍କର । ସବୁବେଳେ ଭୟ, ବାପ୍‌ରେ ବାପ୍ । ସିମ୍ବୋଡ଼ା ଯେତେବେଳେ ଅସୁରକୁ ଜାଳି ମାରିଥିଲା, ସେତେବେଳେ ଅସୁରର ପତ୍ନୀମାନେ ତା ପାଖକୁ ଯାଇ ପ୍ରାର୍ଥନା କରିଥିଲେ ।

ଆଉ ସିମ୍ବୋଡ଼ା ଅସୁରମାନଙ୍କ ପତ୍ନୀଙ୍କର କେଶକୁ ମୁଠା କରି ଟାଣି ନେଇ ସେମାନଙ୍କୁ ପହାଡ଼ ଆଉ ଜଙ୍ଗଲରେ କଚାଡ଼ିଦେଲା । ସେବେଠାରୁ ସେମାନେ ଦୁଷ୍ଟ ଆତ୍ମାର ରୂପ ଧରି ଝାଡ଼-ଜଙ୍ଗଲରେ ବୁଲନ୍ତି ।

ସେମାନଙ୍କର ଅଭିମାନ, କ୍ରୋଧ-ସବୁ ମନୁଷ୍ୟମାନଙ୍କ ଉପରେ । କେବେ ଅପରୂପା ଯୁବତୀ, ଆଉ କେବେ ଚକିତନୟନା ହରିଣୀ, କେବେ ମୁହଁରୁ ଅଗ୍ନି ବର୍ଷୁଥିବା ଶିଆଳ ବେଶରେ ମୁଣ୍ଡା ଆଦିବାସୀଙ୍କୁ ଭୁଲେଇ ଘନ ଜଙ୍ଗଲକୁ ନେଇଯାଆନ୍ତି ।

ସେଠାରେ ସେମାନଙ୍କୁ ହତ୍ୟା କରନ୍ତି ।

ବିର୍ସା ଏହି ବିଶ୍ୱାସରେ ବଡ଼ ହେଲା । ସେ ଜାଣେ ମୁଣ୍ଡା ହୋଇ କେତେ ଲକ୍ଷ ମୁଣ୍ଡା ଯେମିତି ଜୀବନ ବିତାନ୍ତି ତାକୁ ବି ସେମିତି ଜୀବନ ବିତାଇବାକୁ ପଡ଼ିବ । ଏମିତିକି ବାହାର ଜୀବନ ବିଷୟରେ ଚିନ୍ତା କରିବା ମଧ୍ୟ ମହାପାପ ।

କିନ୍ତୁ ବିର୍ସା ସେଇ ମହାପାପ କରୁଥିଲା । ତା’ର ରକ୍ତରେ କେଜାଣେ କିପରି ବିରୋଧ ପ୍ରଜ୍ଜଳିତ ହେଉଥିଲା ଠିକ୍ ମଶାଲ ପରି ।

 

ଖଟଗାଁରେ ଜୋନୀର ବର କର କହିଲା-“ତୁ ପିଲାକୁ ଭଲ ପାଉଛୁ । ତେବେ ତାକୁ ଆଉ କାହା ପାଖରେ କାହିଁକି ରଖିଛୁ । ସେ ଆମର ଏଠାରେ ଗାଈ ଚରାଇବ ।”

ଜୋନୀ ମଧ୍ୟ ଏଇଆ ଚାହୁଁଥିଲା । ବର ପାଖରେ ତିନିଟା ପଶୁ ଆଉ ସାତଟା ବତକ ଅଛି ତାହା ସେ ଜାଣିଥିଲା । ଏହାଛଡ଼ା ବର ପାଖରେ କିଛି ଜମିବାଡ଼ି ମଧ୍ୟ ଥିଲା ।

 

ଜୋନୀ ବିର୍ସାକୁ କହିଲା- “ଏଇଟା ତୋପାଇଁ ଭଲ । ମୋ ପାଖେ ପୁଅ ପରି ରହିବୁ ।”

ମଉସା କହିଲା-ଗୋଟେ କଥା । ମୁଁ ଶିକ୍ଷିତ ମୁଣ୍ଡାକୁ ଦେଖି ପାରିବିନି । ଗାଈ ଚରେଇ, ପେଟଭରି ଖାଇ, ଆଖଡ଼ାରେ ନାଟ-ତାମସା କରିବାକୁ ହେବ । ମୁଣ୍ଡା ଯେତେବେଳେ ପାଠ ପଢ଼େ ସେତେବେଳେ ସେ ଦିକୁ ହୋଇଯାଏ । ଜନ୍ମ ହେବ ମୁଣ୍ଡା ହୋଇ, ମରିବ ଦିକୁ ହୋଇ । ମୁଣ୍ଡା ହୋଇ ପାଠପଢ଼ିବା-ଚାଲବଜାର ଲକ୍ଷଣ ।

କିଛିଦିନ ପରେ ବିର୍ସା ଜାଣିନେଲା, ଯେ ତା’ମଉସା ଖରାପ ଲୋକ ନୁହେଁ ତଥାପି ସବୁବେଳେ ଖିଟିଖିଟି ହେଉଥାଏ । ଖଟଗାଁ ଗାଁରେ ଏମିତି କେହି ନାହିଁ ଯାହା ସହିତ ତା’ର ଝଗଡ଼ା ହୋଇନି । ତାର ଝଗଡ଼ାଳୁ ସ୍ୱଭାବ ଚାରିଆଡ଼େ ବ୍ୟାପ୍ତ । ତେଣୁ ଏଗାର ମାଇଲ ଦୂରରେ ବାହା ହେଲା । ପାଖ ଆଖରେ କେହି ଝିଅ ଦେଲେନି ।

ତାର ସବୁଠୁ ବଡ଼ ଝଗଡ଼ା ଘାସି ମୁଣ୍ଡା ସହିତ ହେଲା । ଘାସି ମୁଣ୍ଡା ଆଉ ତାର ଜମି ପାଖ ପାଖରେ ଥିଲା । ଦୁହିଁଙ୍କ ଜମି ମଧ୍ୟରେ ହିଡ଼ ଥିଲା । କିନ୍ତୁ ମଉସା କେମିତି ଜାଣିପାରିଲା ଯେ ଘାସି ହିଡ଼ ଭାଙ୍ଗି ତାର ଅନେକ ଜମି ଦଖଲ କରି ନେଇଛି ।

ସେଇ ହିଡ଼, କଣ୍ଟାରେ ବେଢ଼ା ବାଡ଼କୁ କେହି ଭାଙ୍ଗିପାରିବ ନାହିଁ-ଏହା ତାକୁ କେହି ବୁଝାଇ ପାରିଲେ ନାହିଁ । ଏମିତି କି ଗାଁର ପହାଣ ବି ନୁହଁ । କିଛି କହିଲେ ସିଏ କହେ-‘କିଏ କହୁଛି, କିଏ ଦେଖିଛି ।’

ଲୋକେ ତାକୁ ଉତ୍ତେଜିତ କରିବାକୁ ବି ଡରନ୍ତି । ସିଏ ବଦ୍‌ରାଗୀ, ଔଷଧପତ୍ର, ଗୁଣି ଗାରେଡ଼ି ବି ଜାଣେ ।

 

ସମସ୍ତେ ଜାଣନ୍ତି, ବିର୍ସାର ମଉସା ସହ ଦୁଷ୍ଟ ଆତ୍ମା ନାସାନ୍ ବୋଣ୍ଡାମାନଙ୍କର କଥା ହୁଏ । ତାକୁ ଜଣା- ଝରଣା, ନାଳ, ଗାତ ମଧ୍ୟରେ ବୋଣ୍ଡା ନାଗ ରହନ୍ତି, ସେଇଠି ରହି ଅନ୍ୟର ଅନିଷ୍ଟ କରନ୍ତି ।

 

କେଉଁଠି ଏବେ ନାଗଇରା ଅଛି, ତାହା ଖାଲି ବିର୍ସାର ମଉସା ହିଁ କହି ପାରିବ ।

ତେଣୁ ପହାଣ ତା’ର ଖୁବ୍ ଆଦର କରେ ।

ଦୁର୍ଭିକ୍ଷ, ଅନାବୃଷ୍ଟି, ଅତିବୃଷ୍ଟି-ଦାବାନଳ- ପଶୁମାନଙ୍କ ବେମାରି-ଚେଚକ ହଇଜା କେଉଁ କେଉଁ ନାସାନ୍ ବୋଣ୍ଡାର ଅଭିଶାପରେ ହୁଏ, ତାହା ବି ବିର୍ସାର ମଉସା ହିଁ କହିପାରିବ ।

ସେ ଡାହାଣୀ ବି ଧରିପାରେ । ଯଦି ଡାହାଣୀ କେବେ କାଳି ବିଲେଇ, କେବେ ଆଙ୍ଗୁଠି ଉଚ୍ଚ ମଣିଷ ରୂପ ଧରି ମୁଣ୍ଡାମାନଙ୍କ ଘରେ ବସି ତା ଉପରେ ଛେପ ପକାଇ ଦିଏ । ସେଇ ମୁଣ୍ଡା ନିଶ୍ଚୟ ମରିବ ।

କେଉଁ ଡାହାଣୀ, କିପରି ଅନ୍ୟ ମଣିଷର ଆୟୁ ଚୋରେଇ ନିଜ ଆୟୁ ବଢ଼େଇ ଦିଏ- ତାହା କେବଳ ବିର୍ସାର ମଉସା ହିଁ କହିପାରିବ ।

ଏମିତି ଲୋକ ସହିତ ଘାସିମୁଣ୍ଡା ବି ଶେଷରେ କଳି କଲା ନାହିଁ । ବିର୍ସା ବି ମଉସାର କେଉଁ କଥାର ବିରୋଧ କରେ ନାହିଁ । ତାର ମନେହେଲା, ମାମୁଁ ବି କେମିତି ଲୋକ? ଜୋନୀ ଭଳି ଝିଅକୁ ଗୋଟେ ଯୁବକ ସହିତ ବିଭା ଦେଇ ପାରିଲାନି । ଗୋଟେ ଭଲ ବଳଶାଳୀ ମୁଣ୍ଡା ଯିଏ ଟୁଇଲା ବଜାର, ବଂଶୀବଜାଇ, ନାଚି ଗାଇ ଗାଁରୁ ମସ୍ତ କରିପାରନ୍ତା ।

କିନ୍ତୁ କିଛିଦିନପରେ ବିର୍ସା ବି ଜାଣିଗଲା ଯେ ନିତି ପେଟଭରା ଖାଇ, ଦେହ ମୁଣ୍ଡରେ ତେଲ ଲଗେଇ, ବିନା ଚିରା ଫଟା ଗାମୁଛା ପିନ୍ଧିବା-ଏମାନଙ୍କର ଏକ ସୁଖ । ସେଇ ସୁଖ ମନୁଷ୍ୟରେ କିଛି ଦୁର୍ବଳତା ସୃଷ୍ଟି କରିପାରେ । ଏଇଟା ଗୋଟେ ବଡ଼ ତାମସା । ଖାଇବାକୁ ନମିଳେ, ପିନ୍ଧିବାକୁ ନମିଳେ ତ ମଣିଷ ବିର୍ସାର ବାପା ପରି ଦୁର୍ବଳ, ଭୀରୁ ହୋଇଯାଏ । ସେତେବେଳେ ବାପା ମା’ ମନେ ପଡ଼ନ୍ତି । ଜୋର୍‌ରେ କହିବ ନି, ଯେମିତି କେହି ରାଗି ନଯାଏ ।

ଆଉ ଖାଇବା, ପିନ୍ଧିବା, ତେଲ ଲଗେଇବା, ସବୁ ସୁଖ ପାଇ ମଧ୍ୟ ଜୋନୀ ମାଉସୀ ଭଳି ଦୁର୍ବଳ, ଭୀରୁ ହୋଇଯାଏ । ସେତେବେଳେ ମନରେ ପ୍ରଶ୍ନ ଉଠେ । ମାଇ ବାପ ! ଜୋର୍‌ରେ କଥା କହନା । ଏଇ ସୁଖ ଯେମିତି ଚାଲିନଯାଏ ।

ଜୋନୀ ବହୁତ ବଦଳିଗଲା । କରମା ପରବରେ ନାଚରୁ ସେ ‘କିଏ ତାର ଗୋଡ଼ ମୋଡ଼ି ଦେଲା’ କହି, ମୁଣ୍ଡରୁ ଫୁଲ କାଢ଼ି ଚାଲିଆସିଲା ।

 

କିନ୍ତୁ ମଉସା ହାତରୁ ମାଡ଼ ଖାଇ ସେ ସବୁ ମାନିନେଲା ।

ବିର୍ସା ମନରେ ଦୟାଜାତ ହେଲା ।

•••

 

ଦିନେ ଜୋନୀ ବିର୍ସାକୁ କହିଲା: ରୋଗୀ ଲୋକ, କିନ୍ତୁ ସାମର୍ଥ୍ୟ ବହୁତ । ବହୁତ କିଛି ଜାଣିଛି, ଦେଖିଛି, ନାଇଁ? ତୁ ତାକୁ ଧରି ରଖ । ସେ ତତେ ସବୁ ଶିଖାଇବ । ତୁ ଗୁଣୀ ହୋଇ ଯଶ ପାଇବୁ । ତୋର ଗୁହାଳରେ ଗାଈ, ବଳଦ, ଛେଳି, ମେଣ୍ଢା ରହିବେ । କୋଠାରେ ଶସ୍ୟ ଭରପୂର ହୋଇ ରହିବ ।

ବିର୍ସା କିଛି କହିଲାନି । ସେ କହିବାକୁ ଚାହୁଁଥିଲା ମାଉସୀ, ମୋର ବାବା ମିଶନ୍‌ରେ ଯାଇ ନାଁ ଲେଖେଇ ଦେଇଚି । ସେ ଏବେ ଖୀରସ୍ତାନ । ମୁଁ ଏବେ ମଧ୍ୟ ବିର୍ସା ଦାଉଦ । ମୋ ଜାତିଗତ ଲୋକ ଆଖପାଖର ମିଶନ୍‌କୁ ଯା’ଆସ କରନ୍ତି । ମିଶନ୍‌ରେ ନାଁ ଲେଖେଇଥିବା କେତେକ ମୁଣ୍ଡା ପ୍ରଚାରକଙ୍କୁ ମୁଁ ଦେଖିଛି । ମିଶନ୍‌ରେ କହନ୍ତି-“ନାସାନ୍ ବୋଣ୍ଡା, ନାଗ ଆଦି ସମସ୍ତେ ମିଛ । ସିମ୍ବୋଡ଼ା, ହରମ ଅସୁଲ ସବୁ ମିଛ । ରୋଗ ହୁଏ ଛୁଆଁଛୁଇଁରୁ । ହଇଜା ହୁଏ ଦୂଷିତ ପାଣିରୁ ।” ଏକଥା ସତ ନା ମିଛ ମୁଁ ଜାଣିନି । କିନ୍ତୁ ତୁମ ପରି ଗୁଣୀ-ଗାରେଡ଼ି-ଯାଦୁ ମନ୍ତ୍ର- ଏଥିରୁ ମଧ୍ୟ ଭୟ କମ୍ ହୋଇଯାଏ ।

ଜୋନୀ କହିଲା- “କିଛି କହିଲୁନି ଯେ?”

- ‘ଭାବୁଛି ।’

- “କ’ଣ ଭାବୁଛୁ?”

- “ମୋ କହିବାରେ ହେଇଯିବ? ମା ନାହିଁ ବାପ ନାହିଁ!”

- “ମୁଁ କହିଲେ ବି ହେବନି ।”

ଜୋନୀକୁ ଯେମିତି ଏକ ବଡ଼ ଆଘାତ ହେଲା । ସେ କହିଲା-“ତୁ ଆଗ, ମୋ ପେଟରେ ଯିଏ ଅଛି ସେ ତୋ ପରେ । ମୋର କହିବାରେ କିଛି ହେବନି ।”

 

ବିର୍ସା ଯେମିତି ଅଚାନକ ବଡ଼ ହୋଇଗଲା । ଜୋନୀର ବାପା ଦିବାଇ ମୁଣ୍ଡା ବଞ୍ଚିଥିଲେ ଯେମିତି ସାନ୍ତ୍ୱନା ଦେଇଥାନ୍ତା, ସେପରି ସାନ୍ତ୍ୱନା ଦେଇ କହିଲା-“ତୋ କଥା ଓ ମୋ କଥା ମଧ୍ୟରେ ବହୁତ ତଫାତ୍‌ରେ । ମଉସା ଖୁସି ରହିଲେ ନା ।”

 

- “ଖୁସିରେ ତ’ ରହୁଛି ।”

- “ବେଶୀ ରାଗି ଯାଉଛି ।”

- “ସେ ତ ସେମିତିକା ଲୋକ, ରାଗିବନିତ ଆଉ କ’ଣ କରିବି?”

ଜୋନୀ ଦୀର୍ଘଶ୍ୱାସ ମାରିଲା । କହିଲା-“ତୁ ନଥିଲେ ମୁଁ ମରି ଯାଇଥାଆନ୍ତି । ମୁଣ୍ଡ ନୁଆଇଁ ଘର ଲିପିବା, ଝରଣାରୁ ପାଣି ଆଣିବା କାମରେ ତ ମୁଁ ବହୁତ ଥକି ଯାଉଛି ।

ବିର୍ସା ଘରକୁ ଝାଡ଼ୁରେ ସଫା କରିଦେଲା । ଗୁହାଳରେ ଧୂଆଁ ଦେଇ ଗାଈଗୋରୁଙ୍କୁ ବାନ୍ଧିଦେଲା । ତାପରେ ମାଠିଆ ଧରି ଝରଣାରୁ ପାଣି ଆଣିବାକୁ ଗଲା ।

•••

 

ସନ୍ଧ୍ୟା ହୋଇ ଆସୁଥିଲା । ବିଷର୍ଣ, ଶୀର୍ଣ ଓ କ୍ଲାନ୍ତ ସନ୍ଧ୍ୟା । ତାର ମା ପରି । ସନ୍ଧ୍ୟା ତାରାର ଚମକ ତାର ମାଆର ଆଖିର ଚମକ ପରି ଲାଗୁଥିଲା ।

ଲୁକାସ୍ ଆସିଥିଲା, ଲୁକାସ୍ ପ୍ରଚାରକ । ମିଶନ୍‌ର କାମରେ ଆସିଥିଲା । ବିର୍ସାର ମଉସା ତାକୁ ଘଉଡ଼ି ଦେଇଥିଲା ।

ଲୁକାସ୍ ବିର୍ସାକୁ କହିଲା-“ଗାଈଗୋରୁ ଚରେଇ ଜୀବନ କଟେଇବୁ? ଚାଲ୍‌, ଲେଖାପଢ଼ା ଶିଖ୍ । ବହୁତ କାମ କରି ଶିଖିବୁ ।

•••

 

ବିର୍ସା ଲେଖାପଢ଼ା ଶିଖିବାକୁ ଚାହୁଁଥିଲା । ସେ କାହିଁକି ଗରିବ ବାପର ପୁଅ ହେଲା? ବାପା ଖାଇବାକୁ ଦେଇ ପାରୁନି, ତେଣୁ ମାଉସୀ ଘରେ ରହୁଛି । ମାଉସୀର ବାହାଘର ହୋଇଗଲା ପରେ ମାଉସୀ ପାଖରେ ଏଠାରେ ଅଛି । ଏଠାରେ ଜୀବନର ଅର୍ଥ-ଗାଈ ଚରାଅ, ପେଟପୂରା ଜାଉ ଖାଅ, ଖୁସିରେ ରୁହ ।

କିନ୍ତୁ ବିର୍ସା ଜାଣିଥିଲା, ସେ ଖୁସି ନାଇଁ ।

ସେ ଦୀର୍ଘଶ୍ୱାସ ନେଲା । କଳସୀ ଉଠାଇ ଠିଆ ହେଲା । ଚାରିଆଡ଼େ ଉନ୍ମୁକ୍ତ ବଣ ଅଞ୍ଚଳ ଓ ପାହାଡ଼ ଥିଲା । ଆଖି କୋଉଠି ଅଟକୁ ନଥିଲା । କିନ୍ତୁ ଏପରି ଲାଗୁଥିଲା-ଯେପରି ଜୀବନଟା ବାନ୍ଧି ହୋଇ ଯାଇଛି । ଖଟଗାଁ ବହୁତ ବିଚ୍ଛିନ୍ନ ଗାଁ । ଚାଲକାଢ଼ରେ ସବୁ ଥିଲା । ଦୁଃଖ, ଦାରିଦ୍ର‌୍ୟ, ଅନାହାର ସବୁ ଥିଲା । ଗୋଟିଏ ବୋହିଯାଉଥିବା ଜୀବନଧାରା ଚାଲକାଢ଼କୁ ଛୁଇଁଯାଉଥିଲା । ହାଟକୁ ଆସୁଥିବା ଲୋକେ ଚାଲକାଡ଼ ପାଖ ଦେଇ ଯାଉଥିଲେ । ମିଶନ୍‌ରୁ ଲୋକମାନେ ଆସୁଥିଲେ । ରାଞ୍ଚି, ଖୁଣ୍ଟି, ତାମାର, ବନଗାଁ-ସବୁ ଜାଗାର ଖବର ମିଳୁଥିଲା ।

ଖଟଗାଁ ଏହି ସବୁ ଗାଁ’ଠୁ ବହୁତ ଦୂରରେ ଅଛି । କେମିତି ବନ୍ଦୀ, କଇଦୀ ପରି ଲାଗୁଥିଲା ଏଠି ରହି ।

 

ଖରାଦିନେ ବଣର ସବୁ ଝରଣା ଓ ନଦୀ ଶୁଖି ଯାଉଥିଲା । କେଉଁଠି କେଉଁଠି ମଧ୍ୟ ପାଣି ରହି ଯାଉଥିଲା । ଏହି ଖବର କେବଳ ଜାଣି ପାରୁଥିଲେ ବିର୍ସା ଓ ଜୀବଜନ୍ତୁମାନେ ।

•••

 

ସେହିଥର ଲୋକମାନେ ପାଣି ଆଣୁଥିବା ପୋଖରୀ ମଧ୍ୟ ଶୁଖିଗଲା । ଝରଣା ଓ ନଦୀରୁ ଟୋପାଟୋପା ଜଳ ପଡ଼ି ଜମା ହେଉଥିଲା ପୋଖରୀରେ । ରାତି ନପାହୁଣୁ ସ୍ତ୍ରୀଲୋକମାନେ ସେହି ପାଣିକୁ ନେଇ ଆସୁଥିଲେ, କାରଣ ସୂର୍ଯ୍ୟ ଉଦୟ ହେଲେ ସେହି ପୋଖରୀର ପାଣି ଶୁଖିଯାଉଥିଲା-

ବିର୍ସା ଥରେ ଜଙ୍ଗଲ ଭିତରକୁ ଗଲା । ଗମ୍ଭୀର ଗହନ ବଣ ଭିତରକୁ । ସେଠାରେ ଦେଖିଲା ଗୋଟେ ଗାଡ଼ିଆ ଶୁଖିଯାଇଛି । କେବଳ ମଝିରେ ମଝିରେ ଅଳ୍ପ ପାଣି ଅଛି । ଆଉ ଆଖ ପାଖରେ ଖାଲ ହୋଇ ମଇଳା ହୋଇ ରହିଥିଲା ।

ସେ ଦେଖିଲା, ଗୋଟେ ବଡ଼ ହରିଣ ସେଇ ଖାଲରେ ପଡ଼ି ଯାଇଛି । ପାଦର ବହୁତ ଅଂଶ ଖାଲର କାଦୁଅରେ ପଶିଯାଇଥିଲା । ବୋଧହୁଏ ସେ ଖାଲରୁ ବାହାରିବାପାଇଁ ଚେଷ୍ଟା କରିଥିଲା । କିନ୍ତୁ କାଦୁଅରେ ତାର ଗୋଡ଼ ଭିତରକୁ ପଶିପଶି ଯାଇଥିଲା ।

ହରିଣ ଜାଣିଯାଇଥିଲା, ସାମ୍ନାରେ ଜଳ ଥିଲେ ମଧ୍ୟ ସେ ସେଠାକୁ ଯାଇ ପାଣି ପିଇ ପାରିବ ନାହିଁ କିମ୍ବା ଖାଲରୁ ଗୋଡ଼ ବାହର କରି ପାରିବ ନାହିଁ । ଚାରିଆଡ଼େ ବଣ ଜଙ୍ଗଲ ଥିଲେ ମଧ୍ୟ ସେ ମୁକ୍ତଭାବେ ଜୀବିତ ରହି ପାରିବ ନାହିଁ । ତା ସାମ୍ନାରେ ଭୟଙ୍କର, ନିର୍ମମ ମୃତ୍ୟୁ ଆସି ଠିଆ ହେଲା-। ସେ ଆତ୍ମ-ସମର୍ପଣ-ଭାବରେ ଠିଆ ହୋଇଥିଲା ।

ବିର୍ସା କଣ ଏବେ ସେହି ହରିଣକୁ ଖୋଜୁଛି? ଚାରିଆଡ଼େ ମୁକ୍ତ ଆଉ ବୃହତ୍ତର ଜୀବନ, ତଥାପି ସେ ଏଠି ଫସି ଯାଇଛି । ଭାବିବାକୁ ବି ଡର ମାଡ଼େ !

ହରିଣର ଓଦାସରସର ଶବ ଖାଲ ଭିତରେ-ବର୍ଷା ନ ଛାଡ଼ିଲା ପର୍ଯ୍ୟନ୍ତ ସେ ସେଇଠି ଠିଆ ହୋଇ ରହିଲା ।

ବିର୍ସା ପାଣି କଳସୀ ନେଇ ଘରକୁ ଫେରିଲା । ଆଜିକାଲି ସେ ଦିନରାତି ଏଇକଥା ଭାବେ । ଯେତେବେଳେ ଭାବେ, ସେତେବେଳେ କେଉଁଠି ଅଛି, ଚାରିଆଡ଼େ କ’ଣ ଅଛି, କ’ଣ ହେଉଛି, ସବୁ ଭୁଲିଯାଏ । ମନରେ କିଛି ମଧ୍ୟ ପଶେ ନାହିଁ ।

 

ମଣିଷ ପଶୁ ନୁହେଁ-ତେଣୁ ଭୟଙ୍କର ଅସୁବିଧା-ବିବଶତାରୁ ସହସା ମୁକ୍ତି ପାଇପାରେ ।

ବିର୍ସା ସେହି ମୁକ୍ତି ପାଇଗଲା ।

ମାଉସୀର ଗାଈ-ଛେଳିମାନଙ୍କୁ ସେ ଚରାଇବାକୁ ନେଉଥିଲା । ସେଇ ସମୟ ଫାଲ୍‌ଗୁନର ଶେଷ ଥିଲା । କ୍ଷେତରେ ବସନ୍ତର ଫଳଭରା ବୃକ୍ଷ ।

ଗୋଟେ ସିଧା ଗଛ ତଳେ ବସି ବିର୍ସା ମନକୁ ମନ କିଛି ଭାବୁଥିଲା । ତାପରେ ଶୀତଳ ଛାୟାରେ, ପବନ ସୁଖରେ ସେ ଶୋଇପଡ଼ିଲା । ମଉସାଙ୍କର ଲାଠି ତା’ଉପରେ ବାଜିବା ପୂର୍ବରୁ ତା’ର ନିଦ ଭାଙ୍ଗିନଥିଲା ।

ତା’ର ମଉସାଙ୍କ ଜାତକରେ ଯେଉଁ ଅପରାଧମାନଙ୍କପାଇଁ କ୍ଷମା କରିବାର ସମ୍ଭାବନା ହିଁ ନଥିଲା, ବିର୍ସା ସେସବୁ କରିସାରିଥିଲା ।

ସେ ଗାଈ ଚରାଇ ଆସି ଶୋଇଯାଇଥିଲା ।

ଗାଈମାନେ ଘାସି ମୁଣ୍ଡାର କ୍ଷେତରେ ପଶି ରବି ଫସଲ ଚରିଗଲେ । ଘାସି ଲାଠି ଫିଙ୍ଗି ମାରିଲା । ଯାହାଦ୍ୱାରା ଗୋଟେ ଛେଳିର ଗୋଡ଼ ଭାଙ୍ଗିଗଲା । ସେଇଟାକୁ ଏବେ ମାରି ଖାଇବାକୁ ପଡ଼ିବ ।

ଘାସି ସବୁବେଳେ ଅପରାଧୀ ଆଉ ମଉସା ନିରପରାଧ ! ଏଇଟା ପ୍ରମାଣିତ କରିବାର ଗୋଟେ ବାହାନା ମିଳିଗଲା ।

ମଉସା ବିର୍ସାକୁ ଖୁବ୍ ପିଟିଲା । ବିର୍ସା କିଛି ବି କହିଲା ନହିଁ । ଚୁପ୍‌ଚାପ୍ ମାଡ଼ ଖାଇଲା ।

ଜୋନୀର ମନରୁ ମଧ୍ୟ ସତେ ଯେମିତି ଡର ଚାଲିଗଲା । ସେ ତେଲ ଗରମ କରି ବିର୍ସାର କ୍ଷତ ଜାଗାରେ ତେଲ ମାଲିସ କଲା । ତା ପରେ ସ୍ୱାମୀକୁ ଗାଳି ଦେଲା ।

“ଅଭାଗା ! ବୁଢ଼ା ହୋଇଗଲାଣି । ଜାଣିଲା ପିଲାଟା ମୋ ପୁଅ ପରି । ସେଥିପାଇଁ ତା’ଉପରେ ହାତ ଉଠେଇଲା । ମୁଁ ନିଜର ପେଟର ପିଲା ତତେ ଦେବିନି । ତାକୁ ନେଇ ଦାଦା ପାଖକୁ ଚାଲିଯିବି ।” ପୁଣି କହିଲା-

- “ବେଶୀ ଗୁଣୀ ବୋଲେଇ ହେଉଛି! ବେଶୀ କିଛି ଜାଣିଛି ତ’ ଗର୍ବ କରୁଛି । ଏମିତି ଜାଣିଥିବାରୁ ତ’ ଘର ପାଖରେ ବୋହୂ ମିଳିଲେନି । ଏପରି କର୍ମପାଇଁ । ତୁ ରହିଥାଆ ନିଜର ଏହି ପ୍ରକୃତି ଧରି । ମୁଁ ତୋର ଭାତ ଖାଇବିନି । ମୋ ଦାଦା ପାଖକୁ ଚାଲିଯିବି ।

ଶରୀର ଓ ପାଦରେ ବହୁତ କଷ୍ଟ ହେଉଥିଲା ତଥାପି ବିର୍ସାକୁ ହସ ଲାଗିଲା । ସେ ଜାଣିଗଲା ଜୋନୀକୁ ନିଜର ସ୍ୱାମୀର ଦୁଷ୍ଟ ଆଚରଣରେ ବହୁତ ଆଘାତ ଲାଗିଛି । ସେ ରାଗରେ ଓ ଦୁଃଖରେ ସବୁ ଡର ଭୟ ଭୁଲି ଏମିତି କଥା କହିବାକୁ ଠିଆ ହୋଇଯାଇଛି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ମଉସା ଚୁପ୍‌ଚାପ୍ ବସି ସବୁ ଶୁଣୁଥିଲା । ଜୋନୀ ତା’ପରେ ମୁହଁ ଫୁଲାଇ କାନ୍ଦିବାକୁ ଲାଗିଲା ।

ମଉସା କହିଲା-“ଆରେ, ନିଜ ଦୁଲାରୀ ଝିଅକୁ କିଛି ହେଲେ ଶିଖେଇନି ରେ ।”

- “କ’ଣ ଶିଖେଇନି?” ଜୋନୀ ବଡ଼ ପାଟିରେ କହିଲା ।

- “ଗର୍ଭବତୀ ମହିଳା ସଞ୍ଜବେଳରେ କାନ୍ଦିଲେ ବର୍ଷା, ପବନ ପେଟରେ ପଶି ପିଲାର କ୍ଷତି କରେ । ତେଣୁ ଉଠ, ମୁହଁରେ ଆଖିରେ ପାଣି ପକା । ମତେ ଖାଇବାକୁ ଦେ, ବିର୍ସାକୁ ଖାଇବାକୁ ଦେ । ନିଜେ ଖା । ମତେ ତ’ ବହୁତ ଗାଳି ଦେଇସାରିଲୁଣି । ରାଗରେ ଯାହା କିଛି କରିଦେଲି । ମୋର ଟିକେ କଥାକୁ ରାଗ । କହିଲୁ କ’ଣ କରିବି?”

ସ୍ୱାମୀର ଏହି କଥା ହାର ମାନିନେଇଥିବା ପରି ମନେ ହେଲା । ଶତ୍ରୁ ହାର ମାନିଗଲେ ତା’ସାଙ୍ଗରେ ଆଉ ଲଢ଼େଇ କରାହୁଏନି । ଜୋନୀ ଉଠିଲା । ମୁହଁ ଆଖି ଧୋଇଲା । ସ୍ୱାମୀକୁ ଖାଇବାକୁ ଦେଲା । ବିର୍ସାକୁ ଖାଇବାକୁ ଦେଲା ଓ ନିଜେ ଖାଇଲା ।

ତା’ପର ଦିନ ସକାଳୁ ବିର୍ସା ହାଡ଼ ଯୋଡୁଥିବା ଗୋଟେ ଲତା ନେଇ ଆସିଲା । ଯେଉଁ ଛେଳିର ହାଡ଼ ଭାଙ୍ଗି ହୋଇ ଚମଡାକୁ ଫଡ଼ା କରି ବାହାରକୁ ଚାଲିଆସିଥିଲା, ତାର ଗୋଡ଼କୁ ଟାଣି ଆଣି ହାଡ଼ ବାନ୍ଧିଦେଲା । ସେହି ଲତାକୁ ପେଶି ତାକୁ ଛେଳିର ଗୋଡ଼ରେ ଲେପି ଦେଲା । ପୁଣି ତା ଉପରେ ରେଣ୍ଡି ପତ୍ର ବାନ୍ଧି ଗୋଟିଏ ପତଳା ବାଡ଼ି ବା ଗୋଡ଼ରେ ବାନ୍ଧିଦେଲା । ତା ଉପରେ ଆଉ ଗୋଟେ ଘେରା ବାନ୍ଧିଦେଲା ।

ମଉସା ସବୁ ଦେଖୁଥିଲା । କହିଲା-“ହଁ ରେ, କାମ ଚଳିଯିବ? ଗୋଡ଼ ପୁଣି ଠିକ୍ ହୋଇଯିବ?”

 

“ଦିକୁ ମାନଙ୍କ ଘୋଡ଼ାର ଗୋଡ଼ ଭାଙ୍ଗିଲେ ଏମିତି ଯୋଡ଼େ । ଏଇ ଲତା ଖୁବ୍ ଭଲ ।”

ମଉସା ବୋଧେ ଖୁସି ହୋଇଗଲା କାରଣ ସେଇଦିନ କିଛି ସମୟ ପରେ ଗୋଟେ ପିତ୍ତଳ ଫ୍ରେମ୍ ଥିବା ଦର୍ପଣ ଦେଇ କହିଲା-“ମୁଁ ମୁହଁ ଦେଖୁନି, ବୟସ ହେଲାଣି । ତୁ ଦେଖିବୁ, ପାଖରେ ରଖିଥା ।”

 

ଜୋନୀ କହିଲା-“ନାଇଁରେ, ରାଗରେ ମାରିଥିଲା । କିନ୍ତୁ ଯେମିତି ଜଣାପଡ଼ୁଛି ବେଶୀ ମାଡ଼ ହୋଇନି ।”

ବିର୍ସା ସନ୍ଧ୍ୟା ପୂର୍ବରୁ ଘରର ଅନେକ କାମ ସାରିଦେଲା । ଝରଣାର ପାଣି ଆଣି ଡ଼ୋଲରେ ରଖିଦେଲା । ଅଗଣା ସଫା କଲା । ଶୁଖିଲା କାଠ ଏକାଠି କରି ଲତାରେ ବାନ୍ଧି ଅଗଣାର ଗୋଟେ କୋଣରେ ରଖିଦେଲା । ଗୁହାଳ ବି ସଫା କଲା ।

 

ଜୋନୀ ହସି କହିଲା-“ପାଗଳ ହୋଇଗଲୁ କି? ଶଶୁରଘରୁ କିଏ ଆସୁଛି ନା କଣ?”

ବିର୍ସା କହିଲା-“ମୁଁ ବାହାରେ ବୁଲୁଛି, ଏସବୁ କରିବାକୁ ତତେ ବେଶୀ କଷ୍ଟ ହେଉଛି ।”

•••

 

ପ୍ରତିଦିନ ପରି ବିର୍ସା ଶୋଇବାକୁ ଗଲା । କିନ୍ତୁ ଭୋର୍ ହେବା ପୂର୍ବରୁ ସେ ଉଠିଗଲା । ଚୁପ୍‌ଚାପ୍ ବାହାରି ଆସିଲା, ଘରୁ ବାହାରିଲା, ତାପରେ ଭୋର୍‌ରେ ତାରା ଦେଖି ଠିକ୍ ରାସ୍ତାର ଅନୁମାନ କରି ଚାଲିବାକୁ ଲାଗିଲା । ସେ ଯିବ କୁଣ୍ଡିବରତଳି । ସେଠାରେ ଭୁରା ମୁଣ୍ଡା ଘରେ କୋମ୍‌ତା କାମ କରୁଛି । କୋମ୍‌ତା ତ’ ଗାଈର କାମ କରୁଛି କିନ୍ତୁ, ସମସ୍ତେ ଜାଣନ୍ତି ସେଇ ଘରେ ତା’ସ୍ଥାନ ଖୁବ୍ ଉଚ୍ଚରେ, କାରଣ ସେ ଖୁବ୍‍ଶୀଘ୍ର ଭୁରାର ଜୁଆଇଁ ହେବ । କୋମ୍‌ତା ପାଖକୁ ଯାଇ ବିର୍ସା ସବୁ କିଛି ଖୋଲି କହିବ ।

ଜୋନୀ ଖୁବ୍ ଦୁଃଖ କରିବ । କଣ କରିବ ବିର୍ସା । ତାକୁ ବି ଦୁଃଖ ଲାଗୁଛି । ଏତେଦିନ ଦୁଃଖସୁଖ ବାଣ୍ଟି ରହିଲେ । କିନ୍ତୁ ସେଦିନ ମଉସା ତାକୁ ପିଟି ଭଲ କଲା । ନହେଲେ ସେ ଖଟଣାଁରୁ କେମିତି ବାହାରନ୍ତା ।

ଆଉ ବିର୍ସା ଭଲଭାବେ ଜାଣେ, ଜୋନୀ ତା ଉପରେ ନିର୍ଭର କରେ, କାରଣ ଜୋନୀ ଖୁବ୍ କଷ୍ଟରେ ଅଛି-ଏଇଟା ବି ସତ୍ୟ । ତା’ର ରହିବା ନରହିବାରେ ଏବେ ଆଉ ପତିପତ୍ନୀ ଭିତରେ ମାଡ଼ଗୋଳ ହେବ ନାହିଁ । ମଉସା ଭାବିଲା, ସିଏ ପିଟବାରୁ ବିର୍ସା ଘରଛାଡ଼ି ଚାଲିଗଲା । କିନ୍ତୁ ବିର୍ସା ଗରିବୀର ସାହାରା ନେଇ କହିପାରେ ସେ ରାଗିପାରେନା, କାରଣ ମଉସା କିଛି ଖରାପ କରିନି । ଜାତି ଶତ୍ରୁର କ୍ଷେତ ଉଜାଡ଼ିବାର ମଉକା ମିଳିଗଲା । ଗୋଟେ ପଶୁର ଗୋଡ଼ ଭାଙ୍ଗିଗଲା । ଭଲ ଅବଶ୍ୟ ହୋଇଯିବ କିନ୍ତୁ ସେ ଖୁସି କାହିଁକି ହେବେ?

•••

 

ତୃତୀୟ ପହର ବେଳକୁ ବିର୍ସା କୁଣ୍ଡି ବରତଳିରେ ପହଞ୍ଚିଗଲା । କିନ୍ତୁ କୋମ୍‌ତା ମିଳିଲାନି । ସିଏ ଆଖଡାକୁ ଯାଇଥିଲା । ଭୁରାମୁଣ୍ଡାର ସ୍ତ୍ରୀ ତାର ସତ୍କାର କଲା । ଗହମ ଛତୁଆ ଖାଇବାକୁ ଦେଲା । କାଚ ବୋତଲରେ ତେଲ ମଧ୍ୟ ଗୋଡ଼ରେ ଲଗେଇବାକୁ ଦେଲା । କୋମ୍‌ତା ଘରକୁ ଆସିବାରୁ ଭୁରା କହିଲା-“ତୋ ଭାଇ ଆସିଛି । କିଛି କହିବୁନି । ପିଲାଟା ଏକଜିଦିଆ ଉଦ୍ଧତ । ନହେଲେ ଏତେଦୂର ଚାଲି ଆସନ୍ତା !”

ରାତିରେ ବଡ଼ ଭାଇ ପାଖରେ ଶୋଇ ବିର୍ସା କହିଲା-“ତୁ ଏଇଠି ବାହାହେବୁ!”

- “ହଁ ରେ ।”

- “ଝିଅ ଦେଖିବାକୁ କେମିତି?”

- “ସୁନ୍ଦର ନୁହେଁ । ନାକରେ କଥା କହେ, ଧୀରେ ଧୀରେ କାମ କରେ, ଧିମେଇ ଧିମେଇ ଚାଲେ ।”

 

- “ତେବେ ବିଭା ହେବୁ କାହିଁକି?”

- “ଭୁରାର ଶଶୁର ପାଖରେ ଖୁବ୍ ଜମି ଅଛି । ତିନିଟା ମଇଁଷି । ତା’ର ପୁଅ ନାହିଁ । ଭୁରାର ସ୍ତ୍ରୀ ହିଁ ଗୋଟେ ବୋଲି ସନ୍ତାନ । କହୁଛି, ବଡ଼ ନାତୁଣୀ ବାହା ହେଲେ ବହୁତ କିଛି ଦେବ ।”

- “ଭୁରା କଣ କହୁଛି?”

- “କହୁଛି ସମସ୍ତଙ୍କୁ ଆଣି ଏଇଠି ରହ ।”

- “ବାପା ଆସିବେ?”

- “ଆସିଲେ ଭଲରେ ବିର୍ସା । ମତେ ଗାର୍ହସ୍ଥ୍ୟର ଆକର୍ଷଣ ଭଲ ଲାଗୁଛି ।”

କୋମ୍‌ତା ଉଠି ବସିଲା । ବିର୍ସା ଆଉ କୋମ୍‌ତା ମଧ୍ୟରେ ପିଲାଦିନର ବହୁ କଥା ହେଲା । କୋମ୍‌ତା ଗରିବ ବାପର ପୁଅ । ତା ମନରେ ଚିନ୍ତା, ତିନି ଭାଇ, ମାଆ ବାପା ସମସ୍ତେ ଗୋଟେ ଛାତ ତଳେ ରହନ୍ତୁ । ବାପା ଅସମର୍ଥ-ତେଣୁ କୋମ୍‌ତା ଭାବେ, ଝିଅ ଅସୁନ୍ଦରୀ ହେଉ ପଛେ ସେ ବିଭା ହୋଇଗଲେ ହିଁ ଭଲ । ବାପାକୁ ସେବା କରିବ ।

କୋମ୍‌ତାର ସ୍ୱଭାବରେ ଆଉ ଗୋଟେ କଥା ଥିଲା । ସେ ଜାଣିଥିଲା ବିର୍ସା ତା ଠାରୁ ଅଲଗା-। ଭାଇର ସ୍ୱତନ୍ତ୍ର ପ୍ରବୃତ୍ତି ପ୍ରତି ତାର ଶ୍ରଦ୍ଧା ଥିଲା । ସେତେବେଳେ ସେ ବିର୍ସାକୁ କହିଲା-“ଏବେ ତୁ କଣ କରିବୁ?”

- “ତୁ କଣ କହୁଛୁ?”

- “ମୋ କଥା ଛାଡ଼ ।”

- “ମୋର ତ ଇଚ୍ଛା ଲେଖାପଢ଼ା କରିବାକୁ ।”

କୋମ୍‌ତା ଗରିବୀ ଭିତରେ ବଢ଼ିଥିଲା । କିଛି ସମୟ ଭାବି କହିଲା-“କିଛି ଖରାପ ନୁହେଁ ରେ-।”

 

- “କଣ?”

- “ଏଇ ପଢ଼ାପଢ଼ି ।”

କୋମ୍‌ତା ପୁଣି ବିବଶ ତଥା କରୁଣ ସ୍ୱରରେ ହସି କହିଲା-“ନାଇଁ ମୋଦ୍ୱାରା ହେବ ନାହିଁ ରେ ।”

- “ତୋପାଇଁ କିଏ କିସ କଲା? ଉଦ୍ୟମ କରି କରିନପାରନ୍ତା ତ’ କହିଥାଆନ୍ତୁ । ଏବେ ଠାରୁ କାହିଁକି କହୁଛୁ?”

- “କଣ ଉଦ୍ୟମ କରିବିରେ ବିୀର୍ସା? ବାପା ଆଉ ମାଆ ବହୁ କଷ୍ଟକରି ଆମକୁ ବଞ୍ଚାଇଲେ, ଭୀଷଣ ଅକାଳରେ ଆମକୁ ସାହା ହୋଇ ନିଜେ କଷ୍ଟ ସହିଲେ । କେମିତି ପଢ଼ାନ୍ତେ !”

- “ଜାଣେ ।”

- “ତୁ ପାରିବୁ । ଜାଣୁ କାହିଁକି? ତୁ ବେଶୀ ବୁଦ୍ଧିଆ । ତା ଛଡ଼ା ମୁଁ ଘରର ଭାର ନେଇଛି । ତୋ ଉପରେ ନାହିଁ, ତୁ ପଢ଼ିପାରିବୁ ।”

- “ତୁ କହୁଛୁ, ମୁଁ ପଢ଼ିବି?”

- “ହଁ ରେ । ତୁ ମିଶନ୍‌ରେ ରହିଲେ ଆମର ବଳ ଭରସା ମଧ୍ୟ ବଢ଼ିବ ।”

- “ତେବେ କୁଆଡ଼େ ଯିବି?”

- “କାହିଁକି? ଲୁକାସ ପ୍ରଚାରକ ଖଟଗାଁ ଯାଇଥିଲା ନା । ସେ ଏଇଠି ଅଛି । ତତେ ବୁର୍ଜୁରେ, ଜର୍ମାନ ମିଶନ୍‌ରେ ନେଇଯିବେ ।”

ବିର୍ସା ଜାଣିଗଲା, ଭାଗ୍ୟ ତାକୁ ବାହାରକୁ ଟାଣୁଛି । ମୁଣ୍ଡା ଜୀବନର ବାହାରକୁ ।

•••

 

ଲୁକାସ ପ୍ରଚାରକ ତାକୁ ଜର୍ମାନ୍ ମିଶନ୍‌ରେ ନେଇଗଲେ । ରେଭରେଣ୍ଡ ପୁଟ୍‌ସକିଙ୍ଗ୍ କହିଲେ: ଭର୍ତ୍ତି କରିଦେବି । କିନ୍ତୁ ଗୋଟେ କଥା । ଲୋଅର ପ୍ରାଇମେରୀ ପରୀକ୍ଷା ଦେବାକୁ ହେବ । ମୁଣ୍ଡାପିଲାମାନେ ବୁଦ୍ଧିଆ କିନ୍ତୁ ପରିସ୍ଥିତିରେ ପଡ଼ି ପାଠ ପଢ଼ନ୍ତିନି । ପାଠ ଛାଡ଼ି ଚାଲିଯାଆନ୍ତି ।

ବିର୍ସା କହିଲା-“ମୁଁ ଯିବିନି ।”

ବୁର୍ଜୁର ଜର୍ମାନ ମିଶନ୍ ଅଲଗା ଥିଲା । ବସ୍ତିରୁ ବହୁତ ଦୂର । ସେଠାରେ ବିର୍ସାର ଆଉ ଏକ ଜୀବନ ଆରମ୍ଭ ହେଲା । ମିଶନ୍ ସଫାସୁତରା ଜୀବନରେ ବିର୍ସାର ଜୀବନ ବିଲକୁଲ ଅଲଗା । ବିର୍ସା ସେହି ଜୀବନରେ ବୁଡ଼ିଗଲା ।

ପାଠପଢ଼ାର ଦୁନିଆ ଗୋଟେ ନୂଆ ଦୁନିଆ । ଗୋଟେ ଗୋଟେ ଅକ୍ଷର, ଗୋଟେ ଗୋଟେ ଶବ୍ଦ ପଢ଼ିପାରିବାର ବିଜୟ ଅନୁଭବ ହୁଏ-ପ୍ରତିଟି କୋଣ ଅନୁକୋଣରେ ଉଲ୍ଲାସ-ତୀରରେ ଲକ୍ଷ୍ୟ ବିନ୍ଧିବାର ଉଲ୍ଲାସ । ମୂର୍ଖ ବିଲୁଆ ଆଉ ଖଟା ଅଙ୍ଗୁରର କାହାଣୀ ଯେଉଁଦିନ ସେ ପଢ଼ିଲା, ପଢ଼ିପାରିଲା, ଇଂରାଜୀ ବୁଝିପାରିଲା ସେଦିନ ସେ କାନ୍ଦି ଉଠିଲା । ସେ ପଢ଼ିଲା, ପଢ଼ି ବୁଝିପାରିଲା-। ଏକ ଅପୂର୍ବ ବିଜୟ ଥିଲା । ବିର୍ସାର ଭାଗ୍ୟ ତାକୁ ଆଉ ଗୋଟେ ଜୀବନରେ ବାନ୍ଧି ଦେଇଥିଲା । ସେଇ ଅନୁଶାସନକୁ ହେୟକରି ବିର୍ସା ଅନ୍ୟ ଏକ ଜୀବନରେ ଜନ୍ମ ହୋଇଥିଲା । ସେ ପ୍ରମାଣିତ କରି ଦେଇଥିଲା ସେ ପୁରୁଷ -ନିୟତିର ନିର୍ଦ୍ଦେଶର ଅମୋଘ ଆଉ ଅନ୍ତିମ ସେ ମାନେନା-

- “ୱାନ୍ ଡେ ଏ ଫକ୍‌ସ.....” ବିର୍ସା ପୁଣି ପଢ଼ିଲା । କ୍ଲାସରେ ରେଭରେଣ୍ଡ କହିଲେ-“ତୁମେ ପାରିବ ।”

ବିର୍ସା ଲୋଅର ପ୍ରାଇମେରୀ ପରୀକ୍ଷା ଦିବର୍ଷରେ ପାସ୍ କରିଦେଲା । ରେଭରେଣ୍ଡ କହିଲେ- ଆମର ଏଠି ଆଉ ପଢ଼ିବାର ବ୍ୟବସ୍ଥା ନାହିଁ । ତୁମେ ଚାଇଁବସା ଯାଅ । ପାଠପଢ଼ା ଛାଡ଼ିବନି । ତୁମର ଭବିଷ୍ୟତ ଉଜ୍ଜ୍ୱଳ ।

•••

 

ଏଗାର ବର୍ଷର ବିର୍ସା ଦିନେ ଚାଲକାଡ଼ ଫେରିଆସିଲା । ସୁଗନାକୁ କହିଲା-“ଆବା ! ମୁଁ ଚାଇଁବସା ଯିବି । ଆହୁରି ପଢ଼ିବି ।”

- “ଚାଇଁବସା ଯିବୁ?”

ସୁଗାନା ମମତା ଭରା ଆଖି ବିସ୍ଫାରିତ କରି ପୁଅ ଆଡ଼କୁ ଚାହିଁ କହିଲା । ମିଶନ୍‌ର ସାହେବ ପଢ଼ିବାକୁ କହନ୍ତି । ପଢ଼ିବାକୁ ଗଲେ ଜୟପାଲ ନାଗର ପାଠଶାଳା, ବୁର୍ଜୁର ମିଶନ୍ ସ୍କୁଲ ଯେଉଁଠିକି ଗଲେ ବି ଜାଣି ହୁଏ ଦୁନିଆ ବଡ଼ । ଏହି ଦୁନିଆର ସ୍ୱରୂପ, ସ୍ୱଭାବ, ଲକ୍ଷ୍ୟ, ଜୀବନ-ଅନ୍ୟ ପ୍ରକାରର-

ଭୟଭୀତ ସୁଗାନା ହସିଲା । ତାର ଦୁନିଆ ବାସ୍ ଏଇ ଚାଲକାଡରୁ ବାମ୍ବା, ବାମ୍ବାରୁ କୁରବନ୍ଦା ପର୍ଯ୍ୟନ୍ତ ବ୍ୟାପିଛି । ମହାଜନଠାରୁ ଖାଲି ହାତରେ ଫେରି ଏ ଗାଁରୁ ସେ ଗାଁ ବୁଲିଲା ।

ତାର ଦୁନିଆ ବି ଅନେକ ସୀମାରେ ବନ୍ଧା । ସେ ଏଇ ଭୂଇଁରେ ଦି’ବକତ ଦି ଥାଳି ଜାଉ, ବର୍ଷରେ ଚାରିଟା ମୋଟା ଲୁଗା, ଶୀତଦିନେ ମହାଜନଠାରୁ କାମରୁ ଛୁଟି, ଆଲୁଅ ଟିକେପାଇଁ ମହୁଆର ତେଲ, ଜାଉ ଖାଇବାପାଇଁ ଟିକେ ଲୁଣ, ଜଙ୍ଗଲରେ ହରିଣ, ଠେକୁଆ, ଚଢ଼େଇଙ୍କ ମାଂସ ଏସବୁ ମିଳିଯାଆନ୍ତା ତ’ ସେ ରାଜା ହୋଇଯାଆନ୍ତା ।

ସୁଗାନା କହିଲା-“ବହୁତ ପଢ଼ିଲୁରେ । ଏତେ ପଢ଼ିଲୁ ଯେ ଏ ଅଞ୍ଚଳରେ ଏତେ କେହି ପଢ଼ିନି-। ହାତ ଗୋଡ଼ ଧରିଲେ ମିଶନ୍‌ର ସାହେବ ପାଖେ ମାଳି କାମ ମିଳିଯିବ । ସାହେବର ମାଳି ହେଲେ ଦୁଇବେଳା ଭାତ ଖାଇବାକୁ ମିଳିବ, ବାହାଘରେ, ପୂଜାରେ ଯେମିତି ଭାତ ମିଳେ, ସେମିତି ଭାତ!”

- “ଆବା, ମୁଁ ଚାଇଁବସା ଯିବି । ଆହୁରି ପଢ଼ିବି ।”

- “ଆହୁରି ପଢ଼ି କଣ କରିବୁ? ବେଶୀ ପଢ଼ିଲେ ହିଁ ଦୁଃଖ । ମତେ ଦେଖ, ମୁଁ ପଢ଼ିନି, ଲେଙ୍ଗୁଟି ଭିଡ଼ି ବୁଲୁଛି । ତୁ ପଢ଼ିଲେ, ଆଉ ମୁଣ୍ଡାମାନେ ସବୁ ଅସଭ୍ୟ ଲାଗିବେ । ତୁ ପଢ଼ିଲେ, ତତେ କେହି ବାବୁ କହିବନି । ଗାଁର ମୁଖିଆ କରିଦେବନି । ଶେଷରେ କ୍ଷେତନର ପୁଅପରି କୋଇଲା କାମ କରିବୁ । ମଜୁରିଆ-ଠିକାଦାରଙ୍କ ସହ ଚା-ବଗିଚାକୁ ଯିବୁ । ତୁ ଘରେ ରହ । ମୁଁ କରଜ-ଉଧାର କରି ଆଉ ଗୋଟେ ଗାଈ କିଣି ଆଣିବି, ଚରେଇବୁ ।”

ବିର୍ସା ଶାନ୍ତ ଦୃଷ୍ଟିରେ କହିଲା- “ଆବା ! ମୁଁ ପଢ଼ିଲେ ସାହେବ ହୋଇଯିବି, ସାହେବ କହୁଛନ୍ତି-।”

ସୁଗାନା ଦୀର୍ଘଶ୍ୱାସ ଛାଡ଼ିଲା-“ତାହାହେଲେ ଲୁଗା ସଫା କରିଦେ । କ୍ଷେତନ ଘରୁ ସୂତା ମାଗି ଆଣ୍ । ମାଆକୁ କହ ଲୁଗା ସିଲେଇ ଦେବ ।”

ଆଉ ତିନିଜଣ ବି ଯିବେ । ଲାନ୍ଦିରୁଲିର ଅଭିରାମ, କୁନ୍ଦାରିର ଇଲାକ ଆଉ ବାମ୍ବା ।

•••

 

ପାଖ ଆଉ ଦୂର ବୋଲିବା କଥା ମନ ଉପରେ ନିର୍ଭର କରେ । ବେଳେବେଳେ ପାଖ ବି ଦୂର ଲାଗେ ଆଉ ଦୂର ଲାଗେ ପାଖ ।

ଚାଲକାଡରୁ ଚାଇଁବସା ନିଶ୍ଚୟ ଦୂର । ସାଲ ୧୮୮୬ରେ ଚାରିଜଣ ସୁଗାନା ମୁଣ୍ଡା ସହ ଚାଇଁବସା ଗଲେ, ଲାନ୍ଦିରୁଲି ଯୋହାନାର ପୁଅ ଅଭିରାମ, ମସିହା ଦାସର ପୁଅ ବାମ୍ବା, କୁନ୍ଦାରୀ ପ୍ରଚାରକ ଦାଉଦର ପୁଅ ଇଶାକ ।

 

ବିର୍ସା ଜାଣି ନଥିଲା- ସେ ଚାଲିଥିଲା ଗୋଟେ ଜୀବନରୁ ଆଉ ଗୋଟେ ଜୀବନ ଆଡ଼କୁ ।

ସୁଗାନାକୁ ବିର୍ସା ଯେମିତି ଖୁବ୍ ଅପରିଚିତ ଲାଗୁଥିଲା ।

ସୁଗାନା ବୁଝେ ଜମିବାଡ଼ି, ଖେତିଆରି ହୋଇ ରହିବା । ସୁଗାନାର ସାନଭାଇ ଗସାନା ତ ବାମ୍ବାରେ ହିଁ ରହିଗଲା । ସେତେବେଳେ ବିର୍ସା ଛୋଟ ପିଲା । ପସାନାର ପୁଅକୁ ଚିତା ଉଠାଇ ନେଇଗଲା । ସେତେବେଳେ ବିର୍ସା ଛୋଟ ଥିଲା-କିନ୍ତୁ ଏବେ ମନେହୁଏ, ବିର୍ସା କେବେ ଛୋଟ ନଥିଲା । ସେ ସବୁବେଳେ ବୁଦ୍ଧିମାନ ! ବଡ଼ । କେବେହେଲେ ଆଣ୍ଠୁମାଡ଼ି ଚାଲି ନାହିଁ କି ଆବା କହି ସୁଗାନା କୋଳରେ ଡେଇଁ ନାହିଁ !

କୋମ୍‌ତା ବି ସୁଗାନା ଭଳି ଗୃହ-ଗାର୍ହସ୍ଥ୍ୟ ବୁଝେ । ବିର୍ସା ଗୃହସ୍ଥର ଯେତେ କରିପାରେ କୋମ୍‌ତା ସେତେ କରିପାରେନା । କିନ୍ତୁ ବିର୍ସା ଉପରେ କୌଣସି ବନ୍ଧନ ନାହିଁ ।

ସୁଗାନା ମନକୁ ମନ କହିଲା-“ଓ ବିର୍ସା, ତୁ ଚାଇଁବସା ଯାଆନା । ଚାଲ ଘରକୁ ଚାଲ । କରମାରେ ନୂଆ ଧୋତି ଦେବି । ତୁ ବାଳରେ ଗୁଜା ଫଳ ବାନ୍ଧି ନାଚିବୁ । ଚାଲକାଡ଼ ଫେରିଚାଲ ।

ବିର୍ସା କହିଲା-“ହେଇ ! ମିଶନ୍ ଘର ଦିଶୁଛି, ଦେଖ୍ ଆବା ।”

- “ଦେଖୁଛିରେ!” ସୁଗାନା କରୁଣ କଣ୍ଠରେ କହିଲା ।

ବିର୍ସା କହିଲା-“କେତେବଡ଼ ଘର । ବାପ୍‌ରେ ! କେତେଇଟା ! ସେଇଥିପାଇଁ ତ ଗୁମ୍ବଜଟିଏ ପରି ହୋଇଛି ।”

 

ସୁଗାନା କହିଲା-“ବହୁତ ଇଟା ।”

- “ମୁଁ ଏଇଠି ପଢ଼ିବି?”

- “ହଁ ।”

- “ଭାଇ... ।”

- “କଣ କହିଲୁ?”

- “ଜୀବନ ସାରା ଗୃହସ୍ଥି ଧରି ବସି ରହିଲା । କିଛି ପଢ଼ିଲାନି କି ଜାଣିଲାନି ।”

- “ଦେଖ୍ ବିର୍ସା, ଆମେ ପହଞ୍ଚିଗଲେ ।”

•••

 

ଯେତେବେଳେ ସେମାନେ ଚାଲକାଡ଼ରୁ ଚାଲିଚାଲି ଚାଇଁବସାରେ ପହଞ୍ଚିଲେ ସେତେବେଳେ ସନ୍ଧ୍ୟା ହୋଇସାରିଥିଲା । ରେଭରେଣ୍ଡ ସାହେବ କହିଲେ, “ଭର୍ତ୍ତି ହେବାର ସମୟ ଚାଲିଗଲାଣି । ତୁମେ ସବୁ ଫେରିଯାଅ ।”

- “ଦକ୍ଷିଣ ତାମାର, ସବୁଆଡ଼ୁ ତ’ ପିଲାଏ ଏଠିକୁ ଆସନ୍ତି, ଆମେ ମଧ୍ୟ ଆସିଛୁ ।”

- “ଜାଗା ନାହିଁ ।”

- “ଜାଗା ନାହିଁ ।” ସେମାନେ ପରସ୍ପରକୁ ଚାହିଁଲେ ।

ବିର୍ସା କହିଲା-“ମୁଁ ଫେରିଯିବି ନାହିଁ । ମୋର ଗୋଡ଼ରେ ମାଡ଼ ବାଜିଛି । ମୁଁ ଚାଲିପାରିବିନି-।”

 

- “ମାଡ଼ ଭଲ ହୋଇଯିବ । ଔଷଧ ଦେଉଛି ।”

- “ନା, ମତେ ବୁର୍ଜୁସାହେବ ଚିଠି ଦେଇଛନ୍ତି ।”

- “ସେଠାରେ ଯାଇ ପଢ଼ ।”

- “ସେଠି ଆଉ ପଢ଼ିବାକୁ ନାହିଁ । ପାସ୍ କରି ସାରିଛି ।”

- “ଆଛା କାଲି ଆସ, ଭର୍ତ୍ତି କରିଦେବି ।”

ସେମାନେ ମିଶନ୍‌ର ଗଛ ତଳେ ରାତି ବିତାଇଲେ । ସକାଳେ ସାହେବ ବିର୍ସାକୁ ଭର୍ତ୍ତି କରିଦେଲେ । ବାମ୍ବା, ଅଭିରାମ, ଇଶାକକୁ ଫେରାଇଦେଲେ ।

ମିଶନ୍‌ରେ ସେମାନେ ବିର୍ସାକୁ ଦେଲେ-ଦୁଇଟା ସାବୁନ୍‌, ଦୁଇଟା କମିଜ, ଦୁଇଟା ପେଣ୍ଟ୍‌, ଗୋଟେ ଗାମୁଛା । ଗୋଟେ ପିଲାକୁ କହିଲେ-“ତାକୁ କେମିତି ସାବୁନ୍ ଲଗାଇବା ଶିଖାଇ ଦିଅ ।”

 

ପିଲାଟିର ନାଆଁ ଅମୂଲ୍ୟ । ଶାନ୍ତ ଚେହେରା! ସେ ବିର୍ସାଠାରୁ ନିଶ୍ଚୟ ବଡ଼ !

ସେ ବିର୍ସାକୁ ସାବୁନ ଲଗେଇବା ଶିଖାଇଲା । ଗୋଟେ ଡୋର ଦେଇ କହିଲା- “ଏହାକୁ ପ୍ୟାଣ୍ଟରେ ବାନ୍ଧିଦିଅ । ସାର୍ଟକୁ ଏମିତି ପିନ୍ଧ ।”

- “ତୋ ନାଁ ।”

- “ଅମୂଲ୍ୟ ।”

- “ତୁ କଣ ବାବୁ ।”

- “ହଁ ବଙ୍ଗାଳୀ ।”

- “ତୁ ମୁଣ୍ଡାରୀ କହୁଛୁ!”

- “ମୁଁ ଅନାଥାଶ୍ରମର ପିଲା । ମୁଣ୍ଡାରୀ ଜାଣେ ।”

- “ତୁ ମୋ ସଙ୍ଗେ ରହିବୁ?”

- “ରହିବି । ଶୁଣ, କାହାକୁ ‘ତୁ’ କହିବନି । ‘ତୁମେ’ କହିବ । ଏମିତି କହିଲେ ଦେଖିବ ଗୋରାଲୋକେ ଚକିତ ହୋଇଯିବେ । ସେମାନେ ସବୁଠାରୁ ପ୍ରଥମେ ମୁଣ୍ଡା ପିଲାଙ୍କୁ ଏଇଆ କହନ୍ତି ଯେ ‘ତୁ’ କୁହାଯାଏ ନାହିଁ ।”

ବିର୍ସା କିଛି ସମୟ ଚୁପ୍ ରହି କହିଲା-“ତୁମେ ବଡ଼ ହେଲେ କଣ ଦିକୁ ହୋଇଯିବ! ବାବୁ ଲୋକେ ତ ଦିକୁ ହୋଇଯାଆନ୍ତି ।”

- “ଅନ୍ୟମାନେ ହୁଏତ ହୋଇଯାଆନ୍ତି । ମୁଁ ହେବି ନାହିଁ ।”

- “କଣ ହେବ?”

- “ଡାକ୍ତର ହେବି ।”

- “ଓଃ!”

- “କାହିଁକି?”

- “ତୁମେ କଣ ଜାଣନା ଚାକିରୀ କଲେ ଦିକୁ ହୋଇ ଯଆନ୍ତି !”

- “ତୁମେ କଣ କରିବ?”

- “ପଢ଼ିବି । ବହୁତ ପଢ଼ିବି । ତାପରେ କଚେରି ଯାଇ ବାପାକୁ ଜମି ଫେରାଇବି ।”

- “ତାପରେ?”

- “ପ୍ରଚାରକ ହେବି । ସମସ୍ତଙ୍କୁ ଯୀଶୁଙ୍କ କଥା କହିବି ।”

- “ତାପରେ?”

- “ସେତେବେଳେ ଦେଖାଯିବ ।”

•••

 

ବିର୍ସା ସେଠାରେ ଖୁବ୍ ଭଲଭାବରେ ରହିଲା । ସେ ମିଶନ୍‌ର ଯେଉଁ ସବୁ ଗୀତ ଶିଖିଥିଲା ସେ ସବୁର ସ୍ୱରକୁ ବଂଶୀରେ ବଜାଇଲା । ଅମୂଲ୍ୟ ତାକୁ ନକ୍ସା ବନେଇବା, ହିସାବ କରିବା, ବହି ପଢ଼ିବା ଶିଖାଉଥିଲା । ସ୍କୁଲ ପଢ଼ା ଶେଷ ହେଲା ପରେ ବିର୍ସାକୁ ଅମୂଲ୍ୟ ପଢ଼ଉଥିଲା ।

ବିର୍ସା ତାକୁ ଦେଶର, ଗାଁର, ଜଙ୍ଗଲର ନାନା କଥା କହୁଥିଲା ।

ଦିନେ ସେମାନେ ସାହେବକୁ କହି ସହର ବୁଲିବାକୁ ଗଲେ । ସେଠାରେ ଆଖୁ ଓ ଗରମ ଗରମ ରାଶିଲଡ଼ୁ କିଣିଲେ ।

ବିର୍ସା କହିଲା- “ଦୋକାନରେ କେତେ ଲୁଣ ଅଛି । ଦେଖିଛୁ?”

- “ଲୁଣ ତ’ ଦୋକାନରେ ସବୁବେଳେ ବିକ୍ରୀ ହୁଏ ।”

- “ଆଉ ତେଲ ମଧ୍ୟ କେତେ ଅଛି !”

- “ଦୋକାନରେ ତେଲ ରହିବନି?”

“ମୁଁ ବଡ଼ ହେଲେଥର ଥର କରି ବସ୍ତା ବସ୍ତା ଲୁଣ କିଣି ମା’କୁ ଦେବି । ଆଉ ତେଲ ମଧ୍ୟ ଘରକୁ ନେଇଯିବି । ମୋ ମା ବତୀ ଜାଳିବ ।”

 

- “ଥର ଥର କରି ବସ୍ତା ବସ୍ତା ଲୁଣ !” ଅମୂଲ୍ୟ ଅବାକ୍ ହୋଇ ପଚାରିଲା ।

- “ହଁ । ଲୁଣ ସହିତ ଜାଉ ଖାଇଲେ ବହୁତ ବଢ଼ିଆ ଲାଗେ । ମା ଆମମାନଙ୍କୁ ସବୁ ଲୁଣ ବାଣ୍ଟି ଦେଇଦିଏ । ନିଜେ ଅଲଣା ଜାଉ ଖାଏ । ସେଥିପାଇଁ ତ ତା’ର ଦେହ ଶୁଖି ଶୁଖି ଯାଉଛି ।”

- “ବିର୍ସା, ତତେ ସେ ବୁଢ଼ା ଡାକୁଛି ।”

ବିର୍ସା ପଛକୁ ବୁଲି ଅନେଇଲା । ଧାନୀ ମୁଣ୍ଡା ଠିଆ ହୋଇଥିଲା । ସାଥିରେ ଗୋଟେ ବୁଢ଼ୀ ଥିଲା ।

- “ତୁ ଏଠାକୁ ମଧ୍ୟ ଆସିଗଲୁ?”

- “ଆସିବିନି? ଚାଇଁବସା କଣ ତୁ କିଣିନେଇଛୁ?”

ପୁରୁଣା କଥା ମନେପକାଇ ବିର୍ସା ହସିଲା । ହସି ହସି କହିଲା-“ହଁ । ହଁ । ମୁଁ ହିଁ ତ କିଣିନେଇଛି ।”

- “ଦେଖିବି ।”

- “କଣ ଦେଖିବୁ?”

- “ତତେ ଦେଖିବିରେ । ଧାନୀ ସହିତ ଯେଉଁ ବୁଢ଼ୀ ଆସିଥିଲା, ସେ କହିଲା-“ତୁ କିଏରେ, ତୁ କିଏ?”

- “ମୁଁ ବିର୍ସା ।”

- “ତା ହେଲେ ଚାଲି ଯା’ । ତୁ ଏଠାରୁ ଚାଲି ଯା’ ।”

- “କୁଆଡ଼େ ଯିବି?”

- “ତୋତେ ସେମାନେ ଖୋଜୁଛନ୍ତି ।”

- “କିଏ ଖୋଜୁଛି?”

- “ସର୍ଦ୍ଧାର ଲୋକେ ! କାହିଁକି?”

- “ମୁଲକ ଲଢ଼େଇର କଥା ଶୁଣିନୁ? ତୁ କେମିତିକା ମୁଣ୍ଡା କିରେ?”

•••

 

ବିର୍ସା ସେମାନଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲା । ତାକୁ ଖୋଜୁଛନ୍ତି-ସୁଗାନା ମୁଣ୍ଡାର ଷୋହଳ ବର୍ଷର ପୁଅକୁ । କିଏ? କାହିଁକି?

 

ଆଶ୍ଚର୍ଯ୍ୟ ମିଶନ୍‌ରେ ହିଁ ସବୁ କଥା ଶୁଣିବାକୁ ମିଳିଲା ।

ମିଶନ୍‌ରେ ଅଛନ୍ତି ଡାକ୍ତର ଏ.ନଂଟ୍ରଟ୍ । ଦିନେ ତାଙ୍କ ପାଖକୁ ସେଇମାନେ ଆସିଲେ, ଜର୍ମାନ୍ ଲୁଣଥରନ୍ ଚର୍ଚ୍ଚରେ ଯେଉଁମାନେ ଖୀରସ୍ତାନ ହୋଇଥିଲେ । ସେମାନେ ହିଁ ଥିଲେ ମୁଣ୍ଡା ଲୋକ ।

 

- “ଗୋଟେ ଆବେଦନ ଅଛି ।”

- “କେମିତିକା ଆବେଦନ?”

- “ଛୋଟ ନାଗପୁରର କାସ୍ତକାରୀର ଆଇନ୍ କହୁଛି ଯେଉଁମାନଙ୍କର ଜମି ଅଛି ସେମାନେ ଜମି ରଖିପାରିବେ । ତମେ ସାହେବ । ଆମମାନଙ୍କ ଗାଁ ଆମକୁ ଫେରାଇ ଦିଅ ।”

 

- “ତୁମର ନିଜ ଗାଁ ବୋଲି କିଛି ଅଛି?”

- “ନାଇଁ ।”

- “ତା ହେଲେ? ନାଇଁ ଯେତେବେଳ ଗାଁ ମିଳିବ କିପରି?”

- “କାହିଁକି ମିଳିବନି? ଦିକୁମାନେ ଆମ ଗାଁକୁ ନେଇଯାଇଛନ୍ତି ସେଥିପାଇଁ ନା’ ।”

- “ତା ହେଲେ ମୁଁ କଣ କରିବି?”

- “ତମେ ସାହେବ । ଦେଶର ସରକାର ମଧ୍ୟ ସାହେବ । ସାହେବ ସରକାରଙ୍କୁ କହି ଆମପାଇଁ କିଛି ବ୍ୟବସ୍ଥା କରିଦେବ ।”

 

- “ମୁଁ ମିଶନ୍‌ର ସାହେବ । ସରକାର ମୋ କଥା ଶୁଣିବେନି ।”

- “ତା ହେଲେ ମର । ଆମେ ତୋ ମିଶନ୍‌ରେ ରହିବୁନି । ଚାଲିଯିବୁ ତୋରପା ମିଶନ୍ । କେଥଲିକ୍ ମିଶନ୍ ବହୁତ ଭଲ । ମୁଣ୍ଡା ଲୋକଙ୍କ ଦୁଃଖ ତୋରପା ମିଶନ୍‌ରେ ଲିୟେମ୍ବେସ୍ ସାହେବ ବୁଝୁଛନ୍ତି ।”

•••

 

ସେମାନେ ଜର୍ମାନୀ ମିଶନ୍ ଛାଡ଼ି ତୋରପା ଚାଲିଗଲେ । ଲିୟେମ୍ବେସ୍ ସାହେବ ପାଖକୁ ଯାଇ କେଥଲିକ୍ ହୋଇଗଲେ । ବିର୍ସା ଶୁଣିଲା ଯେ ଲିୟେମ୍ବେସ୍ ସାହେବ କହନ୍ତି- “ଯିଏ ଅତ୍ୟାଚାରୀ ତା ସାଙ୍ଗରେ ଲଢ଼ । ଲଢ଼ିଲେ ସେ ମୁଣ୍ଡ ନୁଆଁଇବ ।”

ବିର୍ସା ଶୁଣିଲା ଯେ ସରକାର ଫୌଜ ପଠାଇ ସର୍ଦ୍ଦାରମାନଙ୍କୁ ଧରୁଛି । ଲିୟେମ୍ବେସଙ୍କୁ ବଦଳି କରିଦିଆଗଲା । ସର୍ଦ୍ଦାରମାନେ ଧରାପଡ଼ିବାକୁ ଲାଗିଲେ । ଚାଳିଶ ଜଣଙ୍କ ନାମରେ ମକଦ୍ଦମା ଚାଲିଲା । ବନ୍ଦୀ ଘର ଭିତରକୁ ଯିବା ପୂର୍ବରୁ ଆଠ ଲୋକ ମରିଗଲେ ।

ଶୁଣିଲା ଯେ ସର୍ଦ୍ଦାରମାନେ ଯେଉଁ ଓକିଲଙ୍କୁ ମକଦ୍ଦମା ଲଢ଼ିବାପାଇଁ ଠିକ୍ କରିଥିଲେ ସେମାନେ କିଛି କଲେନି । ମୁଣ୍ଡା ଲୋକଙ୍କପାଇଁ କେବଳ ବାରିଷ୍ଟର ଜେକବ୍ ଲଢ଼ିଥିଲେ । କଲିକତାରୁ ଆସି ସେ ମକଦ୍ଦମା ଲଢ଼ିଥିଲେ ।

•••

 

ବିର୍ସା ବଡ଼ ଦିନ ଛୁଟିରେ ଘରକୁ ଗଲା । ରୋକୋମ୍ବାରୁ ଧାନୀ ମୁଣ୍ଡା ତା ସହିତ ଚାଲିଲା । ଧାନୀକୁ ସେତେବେଳେ ବହୁତ ବୟସ ହୋଇଯାଇଥିଲା ।

 

ଧାନୀ ରାଗରେ, ବିର୍ସାକୁ କହିଲା-“ନଅ ଶ’ଷାଠିଏ ଚାନ୍ଦ, ବର୍ଷ ହୋଇଗଲା, ଜଣେ ହେଲେ ଭଗବାନ ଆସିଲାନିରେ ।”

 

- “ଭଗବାନ ତ’ ଜଣେ । ସାହେବ କହୁଥିଲେ ।”

- “ତା କଥା ଛାଡ଼ ।”

- “ତା ହେଲେ ଭଗବାନ କିଏ?”

- “ଯିଏ ମୁଣ୍ଡା ହୋଇ ଜନ୍ମ ହେବ । ମୁଲକ ଲଢ଼େଇର ଅଗ୍ନିବର୍ଷାରେ ସବୁ କିଛି ଜାଳିଦେବ-।”

 

- “ତାପରେ?”

- “ସାହେବ- ଦିକୁ- ମହାଜନ ସମସ୍ତଙ୍କୁ ଘଉଡ଼ାଇବ । ଆମ ଗାଁରେ ମୁଣ୍ଡା ଲୋକମାନଙ୍କ ବସ୍ତି ରହିବ ।”

 

- “ତୁ ଏସବୁ କଥା ମତେ କାହିଁକି କହୁଛୁ?”

- “ବିର୍ସା, ତୁ କରିପାରିବୁ । ଛୋଟନାଗପୁର ତୋର ଆଦି ପୁରୁଷମାନେ କରିଛନ୍ତି । ତୁ ଭଗବାନ ହୋଇପାରିବୁ ।”

 

ଅରଣ୍ୟର ଅଧିକାର

- “ଧାନୀ ତୁ ଘରକୁ ଯା’ ।”

- “କାହିଁକି?”

- “ନ ହେଲେ ବଣକୁ ଯା’ । ଶୁଣିଛି ତୋତେ ଖୋଜିବାପାଇଁ ଏଠାକୁ ପୁଲିସ ଆସୁଛି ।”

- “ଏମିତି କଥା?”

- “ହଁ । ଅନ୍ଧାର ଅନ୍ଧାରରେ ଚାଲି ଯା’ ।”

- “ହଁ । ଆଜିଠୁ ସର୍ଦ୍ଦାରମାନେ ସାହେବ ସହିତ ଲଢ଼ିବେ । ଜମିଦାର ଆଉ ମହାଜନ ସହ ଲଢ଼ିବେ ।”

- “ଧୀରେ ଧୀରେ ଲଢ଼ିବେ?”

- “ସେତେବେଳେ ଦେଖିବୁ, ପୁରୁଣା ସର୍ଦ୍ଦାରମାନଙ୍କଦ୍ୱାରା କାମ ଚଳିବନି ।”

- “ତା ହେଲେ?”

- “ନୂଆ ଲୋକ ଦରକାର?”

ବିର୍ସା ଧୀର ଭାବରେ କହିଲା-“ଜଙ୍ଗଲକୁ ଚାଲି ଯା’ । ତୁମମାନଙ୍କୁ ଧରିବାପାଇଁ ଏବେ ସାହେବ ପାଞ୍ଚ ଟଙ୍କା ଲେଖାଏଁ ବକ୍‌ସିସ୍ ଦେଉଛି ।

- “ତୁ ସେ ମିଶନ୍ ଛାଡ଼ି ଦେ । ସାହେବମାନେ କହୁଛନ୍ତି ମୁଣ୍ଡା ଜଙ୍ଗଲି, ନଗ୍ନ । ସବୁ ମୁଣ୍ଡା ଚୋର ଆଉ ଡାକୁ । ତୁ ସେ ମିଶନ୍ ଛାଡ଼ି ଦେ ।”

- “ତୁ ଚାଲିଯା’ ଧାନୀ ।”

•••

 

ଛୁଟି ପରେ ବିର୍ସା ମିଶନ୍‌କୁ ଫେରିଲା । ତା’ର ମନ ମନ୍ଥି ହୋଇ ଯାଉଥିଲା । ମୁଣ୍ଡାମାନଙ୍କ ଭିତରୁ ଯେଉଁମାନେ ଖୀରସ୍ତାନ ହୋଇ ଯାଇଥିଲେ ସେମାନେ ଜର୍ମାନ୍ ଲୁଥ୍‌ରନ୍ ଚର୍ଚ୍ଚର ଖୀରସ୍ତାନ ଥିଲେ, ରୋମନ୍ କୈଥଲିକ୍ ଚର୍ଚ୍ଚର ଖୀରସ୍ତାନ- ପୁଣି ସର୍ଦ୍ଦାରର ମୁଲକ ଲଢ଼େଇରେ ସାମିଲ୍ ହୋଇଯାଇଥିଲେ । ବିର୍ସା ଶୁଣି ଆସିଥିଲା ସେମାନେ କହୁଥିଲେ ମିଶନ୍‌ର ସାହେବ ଆଉ ସାହେବ ସରକାର ସମସ୍ତେ ଏକ । ସାହେବ ଲୋକମାନଙ୍କଠାରୁ ମୁଣ୍ଡା ଲୋକମାନଙ୍କର କୌଣସି ଭଲ ହେବନାହିଁ । ତାଙ୍କର କଥା ମୁଣ୍ଡା ଲୋକମାନଙ୍କ ମଧ୍ୟରେ ଧୀରେ ଧୀରେ ବ୍ୟାପୁଥିଲା ।

ମିଶନ୍‌ରେ ବିର୍ସାକୁ ଅନ୍ୟ ମୁଣ୍ଡା ଟୋକାମାନେ ବଡ଼ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । ଏଲିୟାଜେର୍‌, ଜଡ଼ିୟନ୍‌, ଜୋହନା, ମାଇକା, ଟୋଗା, ଭୁଟ୍‌କା-ସମସ୍ତେ ତାକୁ ଘେରିଗଲେ ।

- “କହ ବିର୍ସା, କ’ଣ ଶୁଣିଆସିଲୁ?”

- “ସର୍ଦ୍ଦାରମାନଙ୍କ ଲଢ଼େଇ ଆରମ୍ଭ ହୋଇଗଲାଣି ।”

- “ଆମେ କ’ଣ କରିବା?”

- “ସାହେବ କ’ଣ କହୁଛନ୍ତି? ଫାଦର ନଂଟ୍ରଟ୍‌?”

- “ଫାଦର କହୁଛନ୍ତି, ତୁମକୁ କିଛି କହିବିନି । ବିର୍ସା ଆସିଲେ ତା ସହିତ କଥା ହେବି ।”

- “ତା ହେଲେ ଏଇ କଥା ।”

- “ତୋ ବାପା କ’ଣ କହୁଛି?”

- “ବାପ ଦୋମୁହାଁ କଥା କହୁଛି । ପ୍ରଥମେ କହିଲା-ସର୍ଦ୍ଦାରମାନେ ଯାହା କହୁଛନ୍ତି ତାହା ଶୁଣ । ମିଶନ୍ ଛାଡ଼ି ଚାଲି ଆ । ପୁଣି କହୁଛି ତୁ ଏମିତି କାମ କରନାରେ ମୋ ପୁଅ । ମିଶନ୍‌କୁ ଛାଡ଼େନା ।”

- “ଫାଦର ତୁମମାନଙ୍କୁ କ’ଣ କହୁଛନ୍ତି ଶୁଣ ।”

ପୁଣି ଆଉ ଜଣେ କହିଲା “ତୁ ଯାହା କହିବୁ ଆମେ ତାହା ମାନିବୁ ।”

ଆଉ ଜଣେ କହିଲା-“ତୁ ଆମମାନଙ୍କର ସର୍ଦ୍ଦାର ।”

ବିର୍ସା କହିଲା-ଚୁପ୍ । ସର୍ଦ୍ଦାର କହୁଛୁ? ମିଶନ୍‌ରେ ଏମିତି କଥା କରନ୍ତିନି । ଘଉଡ଼ି ଦେବେ-।”

ମୁଣ୍ଡା ଟୋକାଏ କହିଲେ-“ତୁ ଅମୂଲ୍ୟ ସହିତ କାହିଁକି ମିଶୁଛୁ? ସେ ବାବୁ, ବଡ଼ ହୋଇ ଦିକୁ ହେବ । ସେ ଆମମାନଙ୍କର ଶତ୍ରୁ ।”

- “କିଏ କହିଲା?”

ଏଇଟା ଆମମାନଙ୍କର କଥା । ଗୋଟେ ବାବୁ କେବେ ମୁଣ୍ଡା ଟୋକା ସହିତ ସାଙ୍ଗ ହୋଇଛି? ହୋଇପାରିବ ନାହିଁ ।

ବିର୍ସାର ଆଖି ଲାଲ୍ ହୋଇଗଲା । କହିଲା-ପଢ଼ିବା ଶିଖ, ଲେଖିବା ଶିଖ-ମୁଣ୍ଡା ହୋଇ ରହିଯାଆନା । ଅମୂଲ୍ୟ ମୋର ସାଙ୍ଗ । ମୁଁ ତାକୁ ଛାଡିପାରିବି ନାହିଁ । ଯଦି ତୁମେମାନେ ମୋତେ ଛାଡ଼ିବାକୁ ଚାହଁ, ଛାଡ଼ିଦିଅ ।

ମୁଣ୍ଡା ଟୋକାଏ ପରସ୍ପରକୁ ଚାହିଁଲେ । ତା’ପରେ ଟେଙ୍ଗା କହିଲା-“ମିଛ ସତପାଇଁ ଆଖି କାହିଁକି ଲାଲ୍ କରୁଛୁ? ତୁ ଆମମାନଙ୍କଠାରୁ ଭଲ । ଯଦି ତୁ ଚାହୁଁଛୁ ତା ହେଲେ ସେ ଆମର ବନ୍ଧୁ-।”

•••

 

ଫାଦର ନଂଟ୍ରଟ ଜାଣି ସାରିଥିଲେ ମୁଣ୍ଡା ପିଲାମାନଙ୍କୁ ବାହାର ବାତାବରଣ ଲାଗିଗଲାଣି । ତେଣୁ ସେ ବିର୍ସାକୁ ଡକାଇ କହିଲେ: “ତୁମେମାନେ ଆମର ବିଶ୍ୱସନୀୟ । ବିଶ୍ୱାସ କର: ସର୍ଦ୍ଦାରମାନେ ଯାହା ସବୁ କହୁଛନ୍ତି, ସେସବୁରେ ତମମାନଙ୍କର ତିଳେମାତ୍ର ଭଲ ହେବ ନାହିଁ । ମିଶନ୍ ଛାଡ଼ିକରି ଗଲେ କଣ ଲାଭ କହିଲ?”

- “ଜାଣେନା । ମୁଁ କଛି ବୁଝିପାରୁନି ।”

- “ଦେଖ ମିଶନ୍‌ରେ ରହିଲେ ସବୁଦିଗରୁ ଭଲହେବ । ମୋ କଥା ମାନି ଚଳିଲେ ସରକାର ତମ ଉପରେ ଖୁସି ହେବେ । ଭଲରେ ରହିବ ।

- “ଜମି ୱାପସ ମିଳିବ?”

- “ନିଶ୍ଚୟ ।”

- “ସମସ୍ତେ ଫେରିପାଇବେ?”

- “କେବଳ ମିଶନ୍‌ର ମୁଣ୍ଡାମାନେ ପାଇବେ ।”

- “ମିଶନ୍‌ର ପିଲାମାନଙ୍କୁ କହିବି?”

- “ସର୍ଦ୍ଦାରମାନେ ମକଦ୍ଦମା କରିବାକୁ ଯାଇଛନ୍ତି । ମକଦ୍ଦମା କଣ ଚାଲିପାରିବ? କାନୁନ୍‌ର ନିୟମ ସାମ୍ନାରେ ସେସବୁ ତ ଫିକା ପଡ଼ିଯିବ ।”

 

ବିର୍ସା ଚୁପ୍ ରହିଲା । ସାହେବକୁ ସବୁ କଥା କୁହାଯାଇ ପାରେନା । ସାହେବ ବି କଣ ବୁଝେ?

•••

 

କିନ୍ତୁ ଅମୂଲ୍ୟ ବୁଝେ ।

ଅମୂଲ୍ୟ କହିଲା-“ଏସବୁ ତ ସାଧାରଣ କଥା ବିର୍ସା । ମୁଣ୍ଡାଏ ଓକିଲ କରନ୍ତି । ଓକିଲ ପଇସା ନିଏ- ହାକିମ ବୁଝେ ଓଲଟା ।”

- “ମୁଣ୍ଡାଙ୍କୁ ଦେଖି ସମସ୍ତେ ଦିକୁ ହୋଇଯାଆନ୍ତି ନା!”

- “ବୋଧହୁଏ ।”

- “ମୋର କିନ୍ତୁ ବିଶ୍ୱାସ ହେଉନି ।”

- “ବୁଝେ ।”

- “ତୁମେ ଆଜି ଭଲ ଅଛ । ଯେତେବେଳେ ମିଶନ୍‌ରୁ ବାହାରିବ, ଯଦି ଡାକ୍ତର ହେବ, ସେତେବେଳେ କଣ ଭଲ ରହିବ? ମୋ ସହିତ କଥା ହେବାକୁ ବି ଲାଜ ଲାଗିବ ।”

- “କେବେ ନୁହେଁ ।”

- “କେବେ ନୁହେଁ?”

- “କେବେ ନୁହେଁ ।”

- “ଦେଖିବା ।”

- “ଦେଖି ନେବ ।”

- “ଦେଖିବି ନିଶ୍ଚୟ ।” ବିର୍ସାର ଆଖି ଚମକି ଉଠିଲା ।

- “ଫାଦର କିଛି କହିଲେ?”

- “କହିଲେ, ଅନେକ କଥା ।”

- “କହିଲେ କଣ ହୋଇପାରିବ?”

ଅମୂଲ୍ୟ ଜାଣିନଥିଲା । ବିର୍ସା ବି ଜାଣିନଥିଲା ।

୧୮୭୯ ସାଲରେ ମୁଣ୍ଡାମାନେ ସରକାରକୁ ସ୍ମାରକପତ୍ର ଦେଇଥିଲେ ଯେ ଛୋଟନାଗପୁର ସେମାନଙ୍କର ଜମି । ତାର ଅଧକାର ସେମାନଙ୍କୁ ଦିଆଯାଉ ।

 

ଏହି ସ୍ମାରକପତ୍ରର କୌଣସି ଉତ୍ତର ମିଳିଲା ନାହିଁ । ୧୮୮୧ରେ ସର୍ଦ୍ଦାରମାନଙ୍କର ଗୋଟେ ଦଳ ମୁଣ୍ଡା, ମିଶନ୍ ଭାଙ୍ଗିଦେଲେ । କିନ୍ତୁ ସେମାନଙ୍କର ଦୁଃସାହସର ଫଳ ସେମାନଙ୍କୁ ଭୋଗିବାକୁ ହେଲା । ସମସ୍ତଙ୍କୁ ଜେଲ୍‌ରେ ଠୁଙ୍କି ଦିଆଗଲା । ଜେଲ୍‌ରୁ ମୁକୁଳି ସେମାନେ ନଂଟ୍ରଟ ପାଖକୁ ଯାଇ ଜିଦ୍ କଲେ ଆମର ଜମି ଆମକୁ ଦେଇଦିଅ । ତାପରେ ଆମେ ସବୁ ଫାଦର ଲିୟେବେନ୍‌ସଙ୍କ ପାଖକୁ ଚାଲିଯିବୁ ।

ସବୁକିଛି ଓଲଟପାଲଟ ହୋଇଗଲା । ମୁଣ୍ଡାମାନେ ମିଶନ୍‌ରେ ବିଶ୍ୱାସ ରଖିପାରିବେ ନାହିଁ । ସର୍ଦ୍ଦାରମାନଙ୍କ ଆନ୍ଦୋଳନରେ ସମସ୍ତଙ୍କୁ ସାମିଲ ହେବାକୁ ହେବ । ସମସ୍ତେ ମିଶନ୍ ଛାଡ଼ି ଚାଲିଯିବେ । ପ୍ରବୀଣ ସର୍ଦ୍ଦାର କହନ୍ତି: ସିମ୍ବୋଡ଼ା କଣ ଖରାପ ଥିଲା? ସେତେବେଳେ ମୁଣ୍ଡାମାନଙ୍କ ଜୀବନ ଆଲୋକିତ ଥିଲା । ଯେଉଁଦିନ ଦିକୁମାନେ ଆସିଲେ ସେଦିନରୁ ଜୀବନ ଅନ୍ଧକାରମୟ । ତେବେ ମିଶନ୍‌କୁ ଆସି କଣ ଲାଭ ହେଲା? ଜୀବନର ଅନ୍ଧକାର ତ’ ବଢ଼ିଗଲା ।

ଚାଇଁବାସାର ଶାନ୍ତ ପରିବେଶରେ ସର୍ଦ୍ଦାରଙ୍କ କଥା ହଇଚଇ ସୃଷ୍ଟି କଲା ।

ଫାଦର୍ ନଂଟ୍ରଟ୍ ଭୟଭୀତ ହୋଇଗଲେ । ମୁଣ୍ଡାମାନେ ଆଉ ମିଶନ୍‌ରେ ବିଶ୍ୱାସ ରଖୁନାହାନ୍ତି । ସେମାନଙ୍କର ବିଶ୍ୱାସ କଲିକତାର ବାରିଷ୍ଟର ଜ୍ୟାକବ୍ ଉପରେ । ଜ୍ୟାକବ୍ ଇଂରେଜମାନଙ୍କ ବିରୋଧୀ । ସେ ମୁଣ୍ଡାମାନଙ୍କୁ ଶିଖାଏ ଅଧିକାରପାଇଁ କାନୁନ୍‌ର ସହାୟତାରେ ହିଁ ଲଢ଼ିବା ଉଚିତ । ଫାଦର ନଂଟ୍ରଟ୍ ଡରୁଥିଲେ ।

ସେ ସବୁ ପିଲାଙ୍କୁ ଡାକି କହିଲେ: ତୁମେମାନେ କିଙ୍ଗ୍‌ଡମ୍ ଅଫ୍ ହେଭନ୍‌ରୁ ବିଶ୍ୱାସ ହରାଇବ ନାହିଁ । ମିଶନ୍‌ରେ ବିଶ୍ୱାସ ରଖ । ତୁମର ଜମି ତୁମକୁ ଫେରାଇଦିଆଯିବ ।

ଅମୂଲ୍ୟ ବିର୍ସାକୁ କହିଲା- “ଫାଦର ତୁଚ୍ଛାଟାରେ ଡରୁଛନ୍ତି । ନହେଲେ ଏମିତି କଥା କାହିଁକି କହନ୍ତେ ।’’

•••

 

ସମୟ କିନ୍ତୁ ବିର୍ସାକୁ ଅନ୍ୟଆଡ଼େ ଟାଣୁଥିଲା । ସାଲ ୧୮୮୭-୮୮ରେ ସର୍ଦ୍ଦାର ଆଉ ମିଶନ୍ ମଧ୍ୟରେ ପରସ୍ପର ଛକାପଞ୍ଝା ଚାଲିଥିଲା ।

 

ଦିନେ ଫାଦର ନଂଟ୍ରଟ୍ କହିଲେ-ସର୍ଦ୍ଦାରମାନେ ବିଶ୍ୱାସଘାତକ । ସେମାନେ ଠକ ।

ବିର୍ସା ମନ ଦୁଃଖ କଲା । ସିଏ କିଙ୍ଗ୍‌ଡମ୍ ଅଫ୍ ହେଭନ୍‌ରେ ବିଶ୍ୱାସ ରଖୁଥିଲା । ସେ ଭାବୁଥିଲା ଫାଦର ନଂଟ୍ରଟ୍‌ଙ୍କ ଲୁଗା ଯେମିତି ସ୍ୱଚ୍ଛ ହୃଦୟ ବି ସେମିତି ସ୍ୱଚ୍ଛ ହୋଇଥିବ । ସେ ଚାହୁଁଥିଲା ଅସଲି ଖୀରସ୍ତାନ ଭେଦଭାବ ନରଖୁ । ତା’ର ତ ଏଇ ପରିବେଶ ପ୍ରତି ପ୍ରେମ ଥିଲା, ଆକର୍ଷଣ ଥିଲା ସୁନ୍ଦର ପ୍ରାର୍ଥନା ସଭା, ଆଉ ଗୀର୍ଜା ସଙ୍ଗୀତ ପ୍ରତି । ସେ ଫାଦରଙ୍କ ପ୍ରତି କୃତଜ୍ଞ କାରଣ ସେ ତାକୁ ପଢ଼ାଇଛନ୍ତି-ଦେଖାଇଛନ୍ତି ଜ୍ୟୋତିର୍ମୟ ଜଗତ ।

କିନ୍ତୁ ସର୍ଦ୍ଦାର ତ’ ମୁଣ୍ଡା । ସେ ତ’ ମୁଣ୍ଡାମାନଙ୍କର ହିତ ଚାହେଁ । ନହେଲେ ଜେଲ୍ କାହିଁକି ଯାଆନ୍ତା ଭଲା? ସର୍ଦ୍ଦାରଙ୍କୁ ଠକ, ବିଶ୍ୱାସଘାତକ କହିବାରୁ ବିର୍ସାର ମୁଣ୍ଡା ରକ୍ତ ତାତି ଉଠିଲା ।’’

ବିର୍ସା ମୁଣ୍ଡା ପିଲାମାନଙ୍କୁ କହିଲା: “ଫାଦରମାନେ ବଦମାଶ୍ । ସେମାନେ ସର୍ଦ୍ଦାରଙ୍କୁ ଠକ କହୁଛନ୍ତି । ସର୍ଦ୍ଦାରମାନେ ମିଶନ୍ ଛାଡ଼ି ଚାଲିଗଲେ । ତେଣୁ ଫାଦରମାନେ ରାଗୁଛନ୍ତି ।

ଫାଦର ନଂଟ୍ରଟ୍ ବିର୍ସାକୁ ଡକେଇଲେ । କହିଲେ: “ବିର୍ସା ଦାଉଦ ! ତୁମେ ମିଶନ୍‌ରେ ଚୁଗୁଲି କାହିଁକି କରୁଛ?’’

 

- “ଆପଣ ସର୍ଦ୍ଦାରଙ୍କୁ ବିଶ୍ୱାସଘାତକ କାହିଁକି କହୁଛନ୍ତି?’’

- “କାରଣ ସେମାନେ ବିଶ୍ୱାସଘାତକ ।

- “ନା ।”

ବିର୍ସା ଚିତ୍କାର କଲା ।-“ସର୍ଦ୍ଦାରମାନେ କଣ ବିଶ୍ୱାସଘାତକତା କଲେ? ସେମାନେ ମୁଣ୍ଡାମାନଙ୍କ ହିତପାଇଁ ଲଢ଼ିଲେ, ଜେଲ୍‌ଗଲେ, ଶହୀଦ ହେଲେ । ସେମାନେ ବିଶ୍ୱାସଘାତକ ନୁହନ୍ତି-। ନା-ନା-ନା ।’’

ଫାଦର କମ୍ପି କମ୍ପି କହିଲେ-“ସବୁ ମୁଣ୍ଡା ଏକାପରି । ମିଶନ୍‌କୁ ଆସନ୍ତି ଭିକାରୀ ପରି, କିନ୍ତୁ ଭିତରେ ଭିତରେ ସର୍ଦ୍ଦାରଙ୍କ କଥା ମାନନ୍ତି । ସବୁ ମୁଣ୍ଡା ବେଇମାନ ।”

- “ନା । ନିଜ କଥାକୁ ଫେରାଇନିଅ । ମୁଣ୍ଡାମାନେ ବେଇମାନୀ ଜାଣନ୍ତି ନାହିଁ । ସେମାନେ ବେଇମାନ ହୋଇଥିଲେ ମିଶନ୍‌କୁ ଉଡ଼ାଇ ଦେଇଥାଆନ୍ତେ ।”

- “ତୁମେ ଚାଲିଯାଅ ।”

- “ଚାଲିଯିବି ।”

ବିର୍ସାର ଆଖି ଜଳି ଉଠିଲା । ସେ ଗର୍ଜିଉଠିଲା-“ସବୁ ସାହେବ ଏକାପରି । ସରକାର ଯେପରି, ମିଶନ୍ ସେପରି, ସବୁ ଏକାପରି ।”

•••

 

ବିର୍ସା ମିଶନ୍ ଛାଡ଼ି ଚାଲିଯିବ, ଏହା ଶୁଣି ଅମୂଲ୍ୟ ଦୌଡ଼ି ଆସିଲା । କହିଲା-“ଯାଅନା ବିର୍ସା-। ସାହେବଙ୍କୁ ଥରେ କ୍ଷମା ମାଗିନେ ।”

- “ନା ।”

- “ତୁମର ପାଠପଢ଼ା? ତୁମର ଭବିଷ୍ୟତ?”

- “ମୁଣ୍ଡାମାନଙ୍କର ଭବିଷ୍ୟତ? ପାଠପଢ଼ା? ମୁଣ୍ଡା କଣ ବାବୁ? ମୁଣ୍ଡା କଣ ଦିକୁ?”

- “ବିର୍ସା ମୋ କଥା ଶୁଣ ।”

- “ନା ।”

ଅମୂଲ୍ୟ ହାତ ଧରି ପକାଇଲା । ହସି ହସି କହିଲା-“ହାତ ଧରିଲେ କଣ ଛଡ଼ାଇନେବ । ମୁଁ ତୁମର ବନ୍ଧୁ । ତୁମେ କ୍ଷମା ମାଗିନିଅ ବିର୍ସା । ମିଶନ୍‌ରେ ପଢ଼ାପଢ଼ି କରି ବଡ଼ ମଣିଷଟିଏ ହେବ । ମୁଣ୍ଡାମାନଙ୍କର ଉପକାର କରିବ ।”

- “ହାତ ଛାଡ଼ ।”

- “ଯଦି ନ ଛାଡ଼େ ।”

ବିର୍ସା ଜୋର୍‌ରେ ଝଟ୍‌କା ମାରିଲା । ଅମୂଲ୍ୟ ହାତ ଛାଡ଼ିଲା ନାହିଁ । ବିର୍ସା ଆଉ ଗୋଟେ ଝଟ୍‌କା ଦେଲା । ଅମୂଲ୍ୟ ହାତ ଛାଡ଼ିଦେଲା । ବିର୍ସାର ହାତ କବାଟରେ ଯାଇ ବାଜିଲା । ହାତରୁ ରକ୍ତ ବାହାରିଲା ।

•••

 

ବିର୍ସା ଚାଇଁବାସା ମିଶନ୍ ଛାଡ଼ି ଚାଲକାଡ଼ ଚାଲିଗଲା । ତାଠାରୁ ସବୁ ଶୁଣି ସୁଗାନା ତାଜୁବ ହୋଇଗଲା ।

 

ସୁଗାନା କହିଲା-“ଗାଳି କଲୁ କାହିଁକି?”

- “ସର୍ଦ୍ଦାରମାନେ ମୁଣ୍ଡା । ମୁଁ ବି ତ’ ମୁଣ୍ଡା ।”

- “ତେବେ, ଏବେ କଣ କରିବୁ?”

- “ଆବା, ସବୁ ସାହେବ ଏକାପରି । ଚାଲ ଧର୍ମ ବଦଳେଇଦେବା ।”

- “ଭାବିନେ, ବଦଳେଇ ଦେଲେ । ତାହାହେଲେ କଣ ପୁଣି ସିମ୍ବୋଡାକୁ ପୂଜିବା । ନା ହିନ୍ଦୁ ମତ ନେଇଯିବା । ନା ସନ୍ୟାସୀ ହୋଇଯିବା ।”

 

- “ସେତେବେଳେ ଦେଖିବା ।”

- “ତୋର ହାତ କେମିତି କଟିଲା ।”

- “ଗୋଟେ ବାବୁ ପିଲା ହାତ ଧରିଦେଲା । ତା ନାଁ ଅମୂଲ୍ୟ । ତାଠାରୁ ହାତ ଛଡ଼ାଇଲା ବେଳେ କଟିଗଲା । ମୋପାଇଁ କାନ୍ଦୁଥିଲା । କହି ଆସିଛି, ଯଦି ଦିକୁ ନହେବ ତେବେ କଥାହେବି- ନହେଲେ ନାହିଁ ।”

 

- “ଚାଲ ନାଁ କଟାଇ ଆଣିବା ।”

•••

 

କିନ୍ତୁ ଧାନୀ ଛାଡ଼ିଲା ନାହିଁ । ଦିନେ ଚାଲି ଆସିଲା । କହିଲା-“ସର୍ଦ୍ଦାରଙ୍କ ଲଢ଼େଇ ବନ୍ଦ ହୋଇଯିବ । ତୁ ସେଠାକୁ ଯାଆ ।”

 

- “ତୁ ସ୍ୱପ୍ନ ଦେଖୁଛୁ ଧାନୀ ।”

- “କାହିଁକି?”

- “ତୁ କହିଲେ ମୁଁ ଚାଲିଯିବି ।”

- “ତେବେ?”

- “ମୁଁ କିଛି ବୁଝିପାରୁନିରେ ।”

- “ଜଙ୍ଗଲରେ ଅସ୍ଥିର ପରି ବୁଲୁଛୁ କାହିଁକି?”

- “କିଏ କହିଲା?”

- “ମୁଁ ଜାଣେ ।”

- “ଜାଣେନା । କେତେ କଥା ମନରେ ଉଠୁଛି । ମୁଁ କୁଆଡ଼ୁ ଆସିଲି, କେମିତି ଆସିଲି, କାହିଁକି ଆସିଲି ।”

 

- “ତୁ କଣ ସିଙ୍ଗେଲ ବା’ଙ୍କ ନିଆଁର କାହାଣୀ ଶୁଣିନୁ?”

- “ଶୁଣିଛି ।”

- “ତେବେ?”

- “ଏଇ କାହାଣୀରେ ମୋର ମନ ମାନୁନି ।”

- “ତେବେ କଣ କରିବୁ?”

- “ବୁଝିବାକୁ ଯିବି । ଦେଖିବି କିଏ ଜାଣିଛି କି ନାହିଁ ।”

- “କୁଆଡ଼େ?”

- “ବନଗାଁର ଜମିଦାର ଜଗମୋହନ ସିଂହଙ୍କ ପାଖକୁ । ତାଙ୍କର ମୁନ୍‌ସୀ ଆନନ୍ଦ ପାଣ୍ଡେ ସବୁ ଜାଣେ । ସେ ଶିଖେଇବ କହିଥିଲା ।”

 

- “କଣ ଶିଖେଇବ?”

- “ଠାକୁର-ଭଗବାନଙ୍କ କଥା ।”

- “ସିଏ କହିଦେଲା, ତୁ ଯା’, ଭଗବାନ ହଅ । ମୁଣ୍ଡା ଘରେ ଜନ୍ମ ହେଲୁ, ମୁଣ୍ଡାକୁ ଦେଖ । ଯାଆ, ପଇତା ପିନ୍ଧି ପୂଜା କରିବୁ ।”

 

- “ଯଦି କରିବାକୁ ହେବ କରିବି । ଯାଆ, ତୁ ବିରକ୍ତ କରନା ।”

- “ଯିବନି ତ’ କଣ ଏଇଠି ରହିବି ।”

ଧାନୀ ରାଗିଯାଇ ଚାଲିଗଲା । ବିର୍ସା ଗଲା ବନଗାଁ, ଆନନ୍ଦ ପାଣ୍ଡେ ପାଖକୁ । ପଇତା ପିନ୍ଧିଲା, ଚନ୍ଦନ ଲଗେଇଲା, ପୂଜା କଲା ।

 

କିନ୍ତୁ ତା’ର ଅସ୍ଥିରତା କମିଲା ନାହିଁ । ସେ ବଡ଼ ଅସ୍ଥିର, ଅଶାନ୍ତ ଥିଲା । କିନ୍ତୁ ଖୁବ୍ ସୁନ୍ଦର ଦେଖାଗଲା । ମୁଣ୍ଡା ଘରେ ଏମିତି ସୁନ୍ଦର କିଏ ଅଛି?”

 

ସୁଖନାଥ ଆଉ ଆନନ୍ଦ କହିଲେ-“ବିର୍ସା, ତୁ କୁଆଡ଼େ ବୁଲୁଛୁରେ?”

ବିର୍ସା କହିଲା-“ବୁଲେ ।”

- “କାହିଁକି?”

- “ମୋର ରକ୍ତ ବଡ଼ ଚଞ୍ଚଳ ତ’ ।”

- “ହଁ, ତୋର ବୟସ ପରା ଏଇଆ ।”

- “ଛି ।”

- “କାହିଁକି?”

-“ତୁମେ ବୁଝିବନି ।”

- “କାହିଁକି ବୁଝିବୁନି । ତୋର ବଇଁଶୀ ସ୍ୱନରେ ତ ସବୁ ବୁଝନ୍ତି !”

- “କେହି କିଛି ବୁଝନ୍ତିନି ।”

- “ଶାନ୍ତ ହୁଅ । ଜପପୂଜା କର ।”

- “ତୁମଦ୍ୱାରା ସମସ୍ତଙ୍କୁ ଶାନ୍ତି ମିଳେ, ମୁଣ୍ଡାମାନଙ୍କୁ ମିଳିବ?”

- “ସମସ୍ତଙ୍କୁ ମିଳିବ । ସବୁ ଭଗବାନ ଏକରେ ବିର୍ସା ।”

ମନ ବଡ଼ ଅସ୍ଥିର । ସେଇଥିପାଇଁ ତ ବିର୍ସା ସନ୍ଧ୍ୟାବେଳେ ପୋଖରୀ କୂଳେ ବସିଥାଏ । ସେତେବେଳେ ଧାଇଁ ଧାଇଁ ଆସିଲେ ଦୁଇଜଣ ମୁଣ୍ଡା ଝିଅ-ଗୁଞ୍ଜା ଆଉ ରାତା । କହିଲେ: ତୁ ଆମକୁ ନେଇଚାଲ ବିର୍ସା, ଗାଁକୁ ନେଇଚାଲ ।”

- “କାହିଁକି?”

- “ତତେ ବାହାହେବୁ ।” ଗୁଞ୍ଜା କହିଲା ।

ରାତା କିଛି କହିଲା ନାହିଁ ।

ଦିନେ ରାତା ତାକୁ କହିଲା-ମୋ ବାବା ମାନ୍‌କି ଗାଁରେ ରହେ । କହୁଛି ମତେ ବାହାଦେବ । ଜୁଆଇଁକୁ ଢେର ଯୌତୁକ ଦେବ ।”

ବିର୍ସା କହିଲା-“ତୁ ଘରକୁ ଯାଆ ।’

•••

 

ବିର୍ସା କହିଥିଲା-ତୁ ଘରକୁ ଯାଆ ରାତା!

- “ତୁ ଗୀତ ଗାଉ?”

- “ଗୀତ ଗାଏ ନାହିଁ । ସୁର ଜାଣେ ।”

ସର୍ଦ୍ଦାରମାନେ ଜଙ୍ଗଲରେ ଗୀତ ଗାଆନ୍ତି । ସ୍ୱର ଖୁବ୍ ସୁନ୍ଦର । ହେଲେ ଏଇକଥା ବିର୍ସା ଅବା କେମିତି ଜାଣନ୍ତା ।

ସୁନାରା ମୁଣ୍ଡା ଗୀତ ଗାଇଜାଣେ । କିନ୍ତୁ ବିର୍ସାକୁ ସମସ୍ତେ ଡରନ୍ତି । ଏମିତି କୋଉ ମୁଣ୍ଡା ଅଛି, ସାହେବକୁ ଗାଳି ଦେଇ ପାରିବ । ପୁଣି ବ୍ରାହ୍ମଣ ଘରକୁ ଯାଇ ପଇତା ପିନ୍ଧିବ । ସବୁବେଳେ ଅସ୍ଥିର, ଚଞ୍ଚଳ, ଆନମନା । କାହିଁକି କିଛି ହେଲେ ତାକୁ ଖୁସି କରିପାରେନା ।

କେହି ତା ପାଖକୁ ଆସେନା । ଦିନେ ସୁନାରା ତା ପାଖକୁ ଆସିଥିଲା । କହିଲା-“ମୁଁ ସବୁ ଗୀତ ଜାଣେ ।”

- “ତାହାହେଲେ ସବୁ ଗାଆ ।”

ସୁନାରା ସବୁ ଗାଇଲା । ବିର୍ସା ପାଖକୁ ଡାକିଲା । ଗୀତ ଶିଖିଲା ।

- “ଏସବୁରୁ କଣ ଲାଭରେ ସୁନାରା ।”

- “ଜାଣେନା ।”

- “ତାହାହେଲେ କାହିଁକି ଗାଉ?”

- “ଏଇ ଗୀତ ଯିଏ ଗାଏ, ଯିଏ ଶୁଣେ ସମସ୍ତେ ଭାଇ-ଭାଇ ।”

ବିର୍ସା ଚାଲିଯିବାକୁ କହିଲା ।

•••

 

କିନ୍ତୁ ଯେଉଁଦିନ ତା ପାଖକୁ ଭରମୀ, ଦାସୋ ଆଉ ମାତାରିଙ୍କୁ ସୁଗାନା ପଠେଇଲା, ସେଦିନ ବିର୍ସା ଯିବାକୁ କହିପାରିଲା ନାହିଁ ।

 

ଭରସୀ ଆଜି ସୁଗ୍ରିଡ଼ାରୁ ଆସିଥିଲେ । ଭରମି କହିଲା-“ବାହାରକୁ ଆ’ ବିର୍ସା । ଜପ କରି କଣ ମିଳିବ?”

 

- “କଣ ହେଲା ।”

- “ଆମକୁ ଜଙ୍ଗଲରୁ ଘଉଡ଼ିଦେଲା ।”

- “କିଏ?

- “ସରକାର । ତୋର ସାହେବ ସରକାର ।”

- “ମୋ ସାହେବ ସରକାର?”

 

ବିର୍ସା ଗୋଟେ ଚାପୁଡ଼ା ମାରିଲା । କହିଲା-“ମୋର ସରକାର? ମୋର? ମୋର ପୁଣି କହିଲୁ?”

 

ଭରମି ମୁହଁ ପୋଛି ନେଲା । କହିଲା-“ଏ କଣ? ତୋ ହାତ କଣ ଲୁହାରେ ତିଆରି?”

- “କହିଲୁ? ପୁଣି କହିବୁ?”

- “ଜଙ୍ଗଲ ଆଇନ ଲାଗୁ ହୋଇଛି ।”

- “କେଉଁଠି ?”

- “ପଲାମୁ, ମାନଭୂମି, ସିଂହଭୂମିରେ ।”

- “ସିଂହଭୂମିରେ ନୂଆ କଣ ହେଲା? ୧୮୭୮ ରେ ତ’ ଲାଗୁ ହୋଇଛି!”

- “କାନୁନ ଥିଲା, ଚାଲୁ ତ’ ହୋଇନଥିଲା ନା ! ଏବେ ଢୋଲ ପିଟା ହେଲା । ସବୁ ଜଙ୍ଗଲ ଛଡ଼େଇ ନିଆଗଲା । ସେଇଠି ଏବେ କେହି ଗାଈ ଚରାଇପାରିବ ନାହିଁ । କାଠ-ପତ୍ର-ଛାଲି ଆଣି ପାରିବ ନାହିଁ । ଶିକାର କରିପାରିବ ନାହିଁ । ଜଙ୍ଗଲ ଭିତରେ ଯେତେ ଗାଁ ଥିଲା ସବୁ ଉଜୁଡ଼ି ଗଲା ।”

- “ନାଁ ।” ବିର୍ସା ଚିତ୍କାର କଲା । ସେ ଉତ୍ତେଜିତ ହୋଇଗଲା । ସେ ‘ନା’ କହିଥିଲା । ସେ କହିନଥିଲା, କହିଥିଲା, ତା’ର ରକ୍ତ । ତା’ର ରକ୍ତ କୁହାଇଥିଲା ।

•••

 

ବିର୍ସା କିନ୍ତୁ ଘରକୁ ଫେରିଲା ନାହିଁ । ସେ ସେଠାରୁ ଚାଇଁବାସା ଚାଲିଗଲା । ଆବେଦନ ପତ୍ର ଦାଖଲ କଲା ।

 

ଆବେଦନ ପତ୍ର ଦେଖି ଅଫିସର ହୋ-ହୋ ହୋଇ ହସିଲା । କହିଲା: “କଣ କରିବ?”

- “ଜଙ୍ଗଲ ଆମର । ଅଧିକାର, ଦେବାକୁ ହେବ ।”

- “କିଏ ଦେବ?”

- “ସରକାର ।”

- “ସମୁଦ୍ରରେ ପହଁରି ବିଲାତ ଯାଅ । ସେଇଠି ମହାରଣୀ ଅଛନ୍ତି । ସେ ମୁଣ୍ଡାମାନଙ୍କ ଡରରେ କମ୍ପୁଛନ୍ତି ।”

 

- “ଫାଇଲ କର ।”

- “ଫାଇଲ କହୁଛୁ ? ବୋଧେ ପାଠପଢ଼ା ଶିଖିଛୁ ।”

- “ତୁ-ତୁ କଣ କହୁଛୁ? ମୁଣ୍ଡା କଣ ଲୋକ ନୁହେଁ? ସାହେବକୁ ଦେଖି ଆପଣ କହୁଛୁ, ବେପାରୀକୁ ଦେଖିଲେ ତୁମେ କହୁଛୁ, ମୁଣ୍ଡା ଦେଖିଲେ ତୁ କହୁଛୁ !”

 

- “ଚୁପ୍ ରହ ।”

- “ଏ ସାହେବ ! ମୋ ନାଁ ବିର୍ସା । ମୁଁ ସାହେବକୁ ଡରେନା । ଠିକ୍ ଭାବେ କଥାବାର୍ତ୍ତା କର-।”

- “ଓହୋ !”

- “ନହେଲେ କୁଚଲା ବାଣ ଛାଡ଼ିଦେବି ।”

ଫୁତ୍କାର କରି ବିର୍ସା ଚାଲିଆସିଲା । ଭରମି ଆଦିଙ୍କୁ କହିଲା-“ଆବେଦନ, ସରକାର କ’ଣ ଏସବୁ ଶୁଣେ ! ସବୁଠାରେ ଅଫିସରର ଦୌରାତ୍ମ୍ୟ । ଆବେଦନ ପତ୍ର ସବୁ ଏଠିସେଠି ଫୋପଡ଼ା ହୁଏ ।”

- “ତେବେ କଣ ହେବ?”

- “ସରକାର ସହରରେ ରହେ । ଆଇନ ଗଢ଼େ । ଯିଏ କାନୁନ୍ ଗଢ଼େ ସିଏ ମୁଣ୍ଡା-କୋହ୍ଲ-ଓରାଙ୍ଗଙ୍କ କଥା ଭାବେ ନାହିଁ ।”

- “ତେବେ !”

- “ତେବେ ଜଣ ନିଜେ ଚିନ୍ତା କର । କେହି ଚିନ୍ତା କରିବ ନାହିଁ । ତୁମେ ତାଙ୍କ ସହ ମିଶିବ, ସେମାନେ ଚାଲିଯିବେ, ତୁମେ ଜେଲ ଯିବ । ମରିବ ହଇଜାରେ । ମଦପିଇବା ଶିଖିଛ, ଜୀବନରେ ନିଆଁ ଲାଗିଯିବ । ଏବେ ଜଙ୍ଗଲ ଚାଲିଯିବାରୁ ଉତ୍ତେଜିତ ହେଉଛ, ଆଉ କିଛି ସମୟ ପରେ ମଦପିଇ ସବୁ ଭୁଲିଯିବ ।”

- “ତୁ କଣ କରିବୁ ।”

- “ଦେଖିବି !”

- “ତୋ ବାପ-ମା ଭୋକରେ ମରୁଛନ୍ତି ।”

- “ମରିବେ ନିଶ୍ଚୟ । ଜଙ୍ଗଲରୁ ଖାଇବାକୁ ମିଳୁଥିଲା ।”

- “ଚିନା ଘାସ ଦେଖିଛୁ? ଯାହାର ଦାନା ଜାଉଠାରୁ ବି ମୋଟା !”

- ‘‘ଦେଖିଛି ।''

•••

 

କ୍ଷୋଭରେ ଉତ୍ତେଜିତ, ଉତ୍‌କ୍ଷିପ୍ତ ବିର୍ସା ବନ ଗାଁ ଚାଲିଆସିଲା । କିନ୍ତୁ ଆନନ୍ଦ ପାଣ୍ଡେ କହିଲେ: “ତୋପାଇଁ ଜାଗା ନାହିଁ ।”

 

- “କାହିଁକି?”

- “ସରକାର ପାଖକୁ ଯାଉଛୁ, ସର୍ଦ୍ଦାରଙ୍କ କଥା କହୁଛୁ, ତତେ ରଖିଲେ ଜମିଦାର ରାଗିବେ-।”

ବିର୍ସା କହିଲା-“ଚାଲିଯିବି । କିନ୍ତୁ ଗୋଟିଏ କଥା କହିଲ ?”

- “କଣ?”

- “ମୁଣ୍ଡା ନହୋଇଥିଲେ ଫେରାଇଥାଆନ୍ତ?”

- “ମାନେ?”

- “ମାନେ ଆଗରୁ ବୋକା ଥିଲୁ, ଗାଈ ଚରାଉଥିଲୁ । ଆଜି ମୁଣ୍ଡା ଚିଲଉଛି । ଦାବି କରୁଛି । ସେଇଥିପାଇଁ ଫେରାଇ ଦେଉଛ’ ନା ।”

 

- “ଯାଆ , ତୁ ପାଗଳ ହୋଇଗଲୁଣି ।”

- “ତୁମର ଭଗବାନ ତୁମକୁ ଏଇଆ ଶିଖାଇଛି? ଏମିତି ଭଗବାନ ମୋର ଲୋଡ଼ା ନାହିଁ ।”

- “ଯାଆ, ସିମ୍ବୋଡାକୁ ପୂଜାକର ।”

- “ସିମ୍ବୋଡାକୁ ପୂଜା କରିବିନି, ତୁମ ଭଗବାନକୁ ବି ନୁହେଁ । ତୋ ଲୁଣ ଖାଇଥିଲି । ତେଣୁ ବଞ୍ଚିଗଲୁ ।”

 

- “ନହେଲେ?”

- “ନହେଲେ, ପଥର ମାରି ମୁଣ୍ଡ ଫଟେଇ ଦେଇଥାଆନ୍ତି ।”

•••

 

ବିର୍ସା ଚାଲକାଡ଼ ଚାଲିଗଲା । ତା’ର ମନ ଆଉ ବୁଦ୍ଧିରେ ଅନ୍ଧକାର ଛାଇଥିଲା । ସେ କିଛି ବୁଝିପାରୁନଥିଲା ।

ସେତେବେଳେ ସୁଗାନା ଆଉ କରମି ଉପବାସରେ ମରୁଥିଲେ । କରମି କହିଲା-ରେ ବିର୍ସା-। ତୁ କୋଉଠୁ, ଟିଣ, ମାଟିର ତେଲ ଆଣିବୁ । ଗାଈ-ବଳଦ, ଜମି ଆଣିବୁ । ବାପାକୁ, ମାଆକୁ ଦେଖିବୁ । ତୋର ଏ କି ଅବସ୍ଥା । ମିଶନ୍ ଛାଡ଼ି ତୋର ଏ ଅବସ୍ଥା କେମିତି ହେଲା । ଭିକ ମାଗି ହେଲେ ଚଳନ୍ତେ । ସାହେବମାନେ ଭିକ ବି ମଗାଇ ଦେବେ ନାହିଁ!”

ବିର୍ସା କିଛି କହିଲାନି । ତା’ର ଅନ୍ତ ଜଳୁଥିଲା । ଭାବୁଥିଲା, ସେ ଜୀଇଁବ, ନା ମରିବ ।

କିନ୍ତୁ ବହୁତ ଭୋକ ଲାଗୁଥିଲା । ଜଙ୍ଗଲ ଭିତରେ ପଶି ହେଉ ନଥିଲା । ମୁଖିଆ ଆଦି ଏବେ ଜଙ୍ଗଲର ଅଫିସକୁ ଯାଇ ସମ୍ବାଦ ଦେବେ । ସମ୍ବାଦ ଦେଉ ଦେଉ ଜୋରିମାନା ।

ଜୋରିମାନା ଆଉ ଜେଲ୍ । ଦିନେ ଘର ପାଖ ଜମି ଚାଲିଯିବ ଜଙ୍ଗଲ ଅଫିସ ଅଧୀନକୁ ଜଙ୍ଗଲର ବୋଲି ।

 

ବିର୍ସା, ବାପାକୁ କହିଲା: “ନଦୀରେ ମାଛ ନାହିଁ ?”

- “ନା ।”

- “ରାତିରେ ଜଙ୍ଗଲରୁ କନ୍ଦମୂଳ ମିଳୁନି? ଶାକରକନ୍ଦା ବି!”

- “ନାଇଁରେ ।”

- “ତେନ୍ତୁଳି ପତ୍ର ଚୋବେଇ ଖାଇଛ?”

- “ବାନ୍ତି ହୋଇ ଯାଉଛି ।”

ବିର୍ସାକୁ ସବୁ ଅଜବ ଲାଗିଲା । ଅଦୃଶ୍ୟ ଶକ୍ତିମାନେ ତାକୁ ପରାଜିତ କରିଦେଉଛନ୍ତି । ସେ ପୁରୁଣା କଥାରେ ବିଶ୍ୱାସ ରଖିପାରେନା । ତେଣୁ ବୋଣ୍ଡା ଅନ୍ଧକାର ଶକ୍ତି ପରି ତାକୁ ହରାଇ ଦେଉଛି !

ସେଇଆ ହେବ । ଏହା ନିଶ୍ଚୟ ବୋଣ୍ଡାମାନଙ୍କ ପ୍ରତିଶୋଧ । ବିର୍ସାର ମନ କାହିଁକି ଆଦି ଦେବତାଙ୍କୁ ସ୍ୱୀକାର କରୁନାହିଁ । ସେ କାହିଁକି ଖୀରସ୍ତାନ ହେଉଛି ପୁଣି ଆନନ୍ଦ ପାଣ୍ଡେ ପାଖକୁ ଯାଉଛି? ଏହି କାରଣରୁ ବୋଣ୍ଡା ତା’ଉପରେ ପ୍ରତିଶୋଧ ନେଉଛିକି?

ସେ ଗାଁରୁ ବାହାରକୁ ଚାଲିଗଲା । ସେଠାରେ ଶ୍ମଶାନ ଥିଲା । ବୋଣ୍ଡାକୁ ହେୟ କରି କବରର ଢାଙ୍କୁଣୀ ଖୋଲିଲା । ମନକୁ ମନ କହିଲା- “ଡରନା ବିର୍ସା ।” ପ୍ରକୃତରେ ସେ ଡରିଲା ନାହିଁ । ବିର୍ସା ବୁଝିପାରିଲା ଭୋକ, ପେଟର ଭୋକର ଶକ୍ତି ସବୁବେଳେ ଅପରାଜେୟ । ଭୋକ ହିଁ ବୋଣ୍ଡାର ଶକ୍ତିକୁ ଉପେକ୍ଷା କରିବାର ସାହସ ଯୋଗାଏ । ସେ ମୁଦି ଆଉ କିଛି ଟଙ୍କା ଧରି ବଡ଼ାବାଙ୍କୀ ବଜାର ଆଡ଼କୁ ଦୌଡ଼ିଲା । ଏଇ ଟଙ୍କା ଓ ମୁଦି ସେ ସେଇ କବରରେ ଥିବା ଶବ ପାଖରୁ ପାଇଥିଲା ।

•••

 

ସେଠାରେ ଶନିଚର ହାଟରେ ସେ ରୂପା ମୁଦି ବିକିଦେଲା, ଆଠ ଅଣାର ଚାଉଳ କିଣିଲା । ସୁଗାନା ଆଉ କରମି ଭାତ ଖୁବ୍ କରି ଖାଇ ପାରିଥାଆନ୍ତେ ।

ସେଠାରେ ତାକୁ କୋମ୍‌ତାର ଶଳା ଦେଖି ଦେଇଥିଲା । ସେ ଏକଥା ଚାଲକାଡ଼ରେ ପ୍ରଚାର କରିଦେଲା ।

କରମି ରାଗ ଓ ଦୁଃଖରେ କାନ୍ଦି ପକାଇଲା । ସେ କହିଲା-“ତତେ ଘରୁ କାଢ଼ି ଦେବିରେ ବିର୍ସା । ତୁ ଆଉ ମଣିଷ ହୋଇ ନାହୁଁ । ତୁ ପିଶାଚ ହୋଇ ଯାଇଛୁ ।”

ଗାଳି ଦେଉ ଦେଉ କରମି ଚାଉଳକୁ ଲାତ ମାରି ଫିଙ୍ଗିଦେଲା ।

ବିର୍ସାର ମନରେ ନିଆଁ ଲାଗି ଯାଇଥିଲା । ସେ ମାଆକୁ ମନେ ମନେ ଅଭିଶାପ ଦେଲା । ପ୍ରେତାତ୍ମା କିଛି ନାହିଁ । ଲାତ ମାରି ଚାଉଳ ଫିଙ୍ଗିଦେଲୁ ! ଚାଉଳ ଫିଙ୍ଗିଦେଲୁ! ତୁ ଏ କଣ କଲୁ ମାଆ!”

ଏମିତି କହି କହି ବିର୍ସା ଜଙ୍ଗଲକୁ ଚାଲିଗଲା ।

ବଣକୁ ଗଲେ ବିର୍ସାକୁ ଶାନ୍ତି ମିଳେ । କିନ୍ତୁ ଏବେ ଆଉ ମିଳେନା । ‘ସବୁ ମୋର, କିଏ ମତେ ରୋକିପାରିବ ନାହିଁ ।’- କହୁ କହୁ ସେ ଜଙ୍ଗଲ ଭିତରେ ପଶିଗଲା । ତାକୁ ଶୁଭୁଥିଲା କରମିର ଆର୍ତ୍ତ ଚିତ୍କାର- ତତେ ଜେଲ୍‌ରେ ପୂରେଇ ଦେବେରେ ବିର୍ସା!

ବିର୍ସା କିନ୍ତୁ ବୁଝୁଥିଲା: ତାର ଜଙ୍ଗଲ ମାଆ କାନ୍ଦୁଛି । ସେ ଆଜି କାନୁନ୍‌, ଦିକୁମାନଙ୍କଦ୍ୱାରା ବନ୍ଦୀ । ସେ କହୁଛି: “ମତେ ବଞ୍ଚା ବିର୍ସା । ମୁଁ ପୁଣି ଶୁଦ୍ଧ, ପବିତ୍ର, ନିଷ୍କଳଙ୍କ ହେବି ।”

ବିର୍ସା ଭୂଇଁରେ ମୁଣ୍ଡ ରଗଡ଼ୁଥିଲା । ସେ ଅସମ୍ଭବ ବଚନ ଦେଉଥିଲା- “ତତେ କରିବି, ଶୁଦ୍ଧ କରିବି । ତୁ ଖାଲି ମୋ ମାଆ ନୁହେଁ, ସବୁ ମୁଣ୍ଡାଙ୍କର ମାଆ ।” ବଚନ ଦେଲାପରେ ସେ ସତର୍କ ଓ ସଚେତ ପକ୍ଷୀ ଭଳି କାନ୍ଧରେ ମୁଣ୍ଡ ମାଡ଼ି ରହିଲା କାରଣ ତାର ରକ୍ତ ଜଙ୍ଗଲର କଥା କହୁଥିଲା । ଅଭିମାନରେ ଅବୁଝା, ଦରିଦ୍ର, ନିଃସ୍ୱ, ଶୀର୍ଣ୍ଣଦେହୀ ମୁଣ୍ଡା ଜନନୀ ପରି ଜଙ୍ଗଲ କାନ୍ଦୁଥିଲା- ବିର୍ସା ଶୁଣୁଥିଲା ।

- “ଆରେ, ମୁଁ ଅପବିତ୍ରରେ ।”

- “ଶୁଦ୍ଧ କରିଦେବି ମାଆ ।”

- “ଆରେ ଦେଖ୍‌, ଦିକୁ-ସାହେବମାନେ ମତେ ଅପବିତ୍ର କରିଛନ୍ତି ।”

- “ଶୁଦ୍ଧ କରିଦେବି ମାଆ ।”

- “ମୋ ପୁଅମାନଙ୍କୁ ଘରୁ ତଡ଼ିଦେଲେ ।”

- “ସେମାନଙ୍କୁ ଫେରାଇ ଆଣିବି ମାଆ ।”

- “ସବୁ ଚାଲି ଯାଉଛନ୍ତିରେ ।”

- “ଯିବାକୁ ଦେବିନି ମା ।”

- “ମୋର କ୍ରନ୍ଦନ କିଏ ଶୁଣୁନିରେ ।”

- “ମୁଁ ଶୁଣୁଛି ମାଆ ।”

- “ମତେ କିଏ ଦେଖୁନାହିଁ ।”

- “ତୁ କେଉଁଠି ଅଛୁ ମାଆ?”

- “ତୋ ଛାତିରେ, ତୋ କଲିଜାରେ ।”

- “ମୋ ଛାତିରେ, ମୋ କଲିଜାରେ?”

- “କେଉଁଠି?”

- “ଧ୍ୟାନର ସହ ଦେଖ୍ ।”

ବିର୍ସା ତାର ରକ୍ତକୁ ଦେଖିଲା ।-ମୁଣ୍ଡା ଯୁବତୀ ପରି, ନଗ୍ନ ଦେହ, ତାର ଜଙ୍ଗଲ ମାଆ-କିନ୍ତୁ ନଗ୍ନତା ଦେଖି ଲୋଭ ହେଉନାହିଁ- ଲାଳସା ହେଉ ନାହିଁ-ବୁକୁତଳେ ନିଆଁ ଜଳି ଉଠୁଛି ।

- “ତତେ କିଏ ଉଲଗ୍ନ କଲା ମାଆ?”

- “ଯିଏ ଅପବିତ୍ର କରିଥିଲା ।”

- “ତତେ ମୁଁ ରକ୍ତ ଦେବି ।”

- “ଦେ, ବାପ, ଦେ ।”

- “ତୋର ଲାଜ ଢାଙ୍କିଦେବି ମାଆ ।”

- “ଢାଙ୍କି ଦେ । କିନ୍ତୁ ତତେ ବହୁତ କଷ୍ଟ ସହିବାକୁ ପଡ଼ିବ ।”

- “କାହିଁକି ମାଆ?”

- “ତତେ ସେମାନେ ବହୁତ କଷ୍ଟ ଦେବେ ।”

- “କାହିଁକି?

- “ତତେ ଭଗବାନ ହେବାକୁ ହେବ ।”

- “ଭ-ଗ-ବା-ନ୍ ।”

- “ହଁ ବାପା, ଧରିତ୍ରୀର ଆବା ହେବାକୁ ହେବ । ଧରିତ୍ରୀର ବାପା ହିଁ ମୋର ଲାଜ ଢାଙ୍କି ପାରିବ ।”

- “ତେବେ, ମୁଁ ଭଗବାନ୍ ହେବି ।”

- “ତତେ ସେମାନେ ମାରିଦେବେ ।”

- “ଭଗବାନ୍ ହେଲେ ମାରିଦେବେ ! ଯୀଶୁଙ୍କୁ ମାରିଥିଲେ କ୍ରୁଶବିଦ୍ଧ କରି । କୃଷ୍ଣଙ୍କୁ ବି ତୀରରେ ମାରିଥିଲେ ।”

- “କଷ୍ଟ ପାଇବୁ, ସୁଖ ଦେବୁ ।”

- “ସୁଖ ଦେବି?”

- “ତୋଠାରୁ ସବୁ ମୁଣ୍ଡା ସୁଖ ପାଇବେ ରେ ।”

•••

 

ବିର୍ସା ଚିତ୍କାର କଲା- “ଦେବି, ସମସ୍ତଙ୍କୁ ସୁଖ ଦେବି । ହଁ ମୁଁ ଭଗବାନ୍ ହେବି- ବିର୍ସା ଭଗବାନ୍ । ଧରିତ୍ରୀର ଆବା ହେବି । ମୋଦ୍ୱାରା ମୁଣ୍ଡାମାନେ ଜୀବିତ ରହିବେ । ହିଁ ମୁଁ ମୋ ରକ୍ତକୁ ଚିହ୍ନେ ।” ଭୀଷଣ ଶବ୍ଦରେ ବଜ୍ରପାତ ହେଲା । ହାତୀର ଚିତ୍କାର, ବାଘର ଗର୍ଜନ ଶୁଭିଲା । ବିର୍ସା ବର୍ଷାଜଳ ପାଟିରେ ଭର୍ତ୍ତି କରି କହିଲା- “ଏ ଜଙ୍ଗଲ ମୋର ! ମୁଁ ଧରିତ୍ରୀର ଆବା!”

ତେଣେ ଚାଲକାଡ଼ରେ କାହାର ଆଖିରେ ନିଦ ନାହିଁ ।

ସମସ୍ତେ କହୁଛନ୍ତି, “ସୁଗାନାର ପୁଅ ପାଗଳ ହୋଇଗଲା ।” କରମି କହୁଥାଏ-“ନା-ନା-ନା-।”

ସମସ୍ତେ କହିଲେ-“ମିଶନରେ ଜାକର ସାହେବ ସହ ଯୁକ୍ତିତର୍କ କଲା ।”

- “ପିଲାବେଳୁ ଏକଜିଦିଆ ।”

- “ପଇତା କାହିଁକି ପିନ୍ଧିଲା? ଆନନ୍ଦ ପାଣ୍ଡେ ପାଖରେ କାହିଁକି ରହିଲା?”

- “ସବୁବେଳେ ଚଞ୍ଚଳ ।”

- “କବରରୁ ଟଙ୍କା-ମୁଦି କାହିଁକି କାଢ଼ିଲା?”

- “ମତେ ଚାଉଳ ଦେବାପାଇଁ ।”

- “ଜଙ୍ଗଲରେ ବୁଲୁଛି କାହିଁକି?”

- “ମୋ ଉପରେ ରାଗିକି ଚାଲିଯାଇଛି ।”

- “ତୋ ପୁଅ ପାଗଳ ।”

କରମି ମୁଣ୍ଡ ପିଟି ଅଗଣାରେ ବସିଗଲା । ସୁଗାନା କହିଲା-“ଯାହା କପାଳରେ ଅଛି ହେବ । କପାଳରେ ନଥିଲେ କଣ କେବେ ଘଟେ?”

 

- “ସେ ଜଙ୍ଗଲରେ କେମିତି ଥିବ, କଣ କରୁଥିବ?”

- “ମୁଁ କଣ କରିବି?”

- “ତୁମେ ତା ବାପ ।”

- “ତେବେ କଣ ହେଲା?”

- “ହାତ ପାଦ ବାନ୍ଧି ବସିରହିଲେ ଚଳିବ?”

ସୁଗାନା କହିଲା- “ମୋ କଥା କ’ଣ ସିଏ ଶୁଣିବ? କେବେ ଶୁଣିଛି ! ଯାହା କହିଛି ଶୁଣିଛି କିନ୍ତୁ ଯେଉଁ କାମ କରିବାକୁ କହିଲି ମନା କଲା । ମୋ ପୁଅ, କିନ୍ତୁ ମୁଁ ତାକୁ ଚିହ୍ନି ପାରିଲି ନାହିଁ, ତୁ ବି ଚିହ୍ନି ପାରିଲୁନି । କାହା ଘରେ ଏମିତି ପିଲା ଅଛି?

 

- ‘ହୁଁ, ତମେ ବି ଏମିତି କହୁଛ?”

- “କହୁଛି ।”

- “କହୁନାହିଁ । ମତେ ଡର ଲାଗୁଛି, ମୁଁ ଡରି ଯାଉଛି । ଏମିତି ପିଲା, ଏମିତି ପିଲା କେମିତି ପିଲା? ସମସ୍ତଙ୍କ ପରି ହୋଇଥିଲେ ମତେ ଡର ଲାଗି ନଥାନ୍ତା । ଇଏତ ଅଲଗା । ତାର କ’ଣ ହେବ? ମୋର ମାଆ ମନ । କେମିତି ଥିବ?”

 

- “ତୁ’ କଣ କିଛି କରିପାରିବୁ, ସର୍ଦ୍ଦାରମାନଙ୍କ ଆଖି ତା ଉପରେ ।”

- “ଜାଣେ ।”

କରମି କାନ୍ଦୁଥିଲା । ମୁଣ୍ଡ ପିଟି ପିଟି କାନ୍ଦୁଥିଲା । କହୁଥିଲା-“ମାଆର ବ୍ୟଥା କୁଆଡ଼େ ବୁଝିବରେ ।”

ତାପରେ ବଜ୍ର-ବିଦ୍ୟୁତ୍-ଶିଳା ବୃଷ୍ଟିରେ, ପବନରେ ଚାବୁକରେ ଶାଳ-ମହୁଆ-ଶାଗୁଆନ-କେନ୍ଦୁ ବୃକ୍ଷର ହାହାକାର ମଧ୍ୟରେ । ତାର ଦରଜା ସାମ୍ନାରେ ଘଣ୍ଟି ବାଜିଲା ।

ଏହି ଘଣ୍ଟି ପ୍ରଧାନ ଘରେ ରହେ । ବଡ଼ ବିପତ୍ତି, ଦାବାନଳ, ବଢ଼ି, ପୁଲିସର ଅତ୍ୟାଚାରରେ ପ୍ରଧାନ ଏହି ଘଣ୍ଟି ବଜାଏ । ଏହି ଘଣ୍ଟିର ଶବ୍ଦ ବଡ଼ ଭୀଷଣ, ଗମ୍ଭୀର, ରକ୍ତକୁ କମ୍ପାଇ ଦେଲାଭଳି ଥିଲା । ସୁଗାନା ଦରଜା ଖୋଲିଲା ।

- “କ’ଣ ହେଲା?”

ସମସ୍ତେ କହିଲେ-“ଧ୍ୟାନର ସହ ଦେଖ । ଧରିତ୍ରୀର ଆବାକୁ ଦେଖ ।”

ସମସ୍ତେ ମୁଣ୍ଡ ନୁଆଇଁଦେଲେ ।

ସେଟା ଗୋଟେ ଅଦ୍ଭୁତ ଦୃଶ୍ୟ ଥିଲା । ସେହି ଦୃଶ୍ୟକୁ ଦେଖିଲେ କଲିଜା କମ୍ପିଉଠେ । ନଗାଡ଼ା ଗମ୍ଭୀରତାର ସହ ବାଜୁଥିଲା । ଜଙ୍ଗଲ ତୋଫାନର ଆର୍ତ୍ତନାଦ କରୁଥିଲା । ଆକାଶ ବଜ୍ର-ବିଦ୍ୟୁତ୍‌ରେ ହସୁଥିଲା । ଆକାଶ ଆଡ଼କୁ ହାତ ଉଠାଇ ବିର୍ସା ଆସୁଥିଲା । ତା ମୁହଁ ବର୍ଷା ପାଣିରେ ଓଦା ଥିଲା, ତାର ଦୃଷ୍ଟି ଉଜ୍ଜ୍ୱଳ, ଭୀଷଣ-ଭବିଷ୍ୟତ ଭଳି, ମୁଣ୍ଡାମାନଙ୍କର ଭବିଷ୍ୟତ ଭଳି- ଭୀଷଣ ଥିଲା ।

ବିର୍ସା ଆଗରେ ଆସୁଥିଲା । ମୁଣ୍ଡ ଉଚ୍ଚା କରି, ହାତ ଉଠାଇ । ସୁଗାନା ଆଉ କରମି ଚୁପ୍ ଥିଲେ ।

•••

 

“ବିର୍ସା ।” କରମିର ଚେହେରାର ଅବିଶ୍ୱାସ ଭାବ ଥିଲା ।

- “ବିର୍ସା କହନା ମାଆ! ମୁଁ ଭଗବାନ୍‌, ମୁଁ ହିଁ ଭଗବାନ୍ । ମୁଁ ମୁଣ୍ଡାମାନଙ୍କର ଭଗବାନ୍ । ମୁଁ ସବୁ ଜିତି ଆଣିଦେବି । ଏମାନେ ଭଗବାନ୍ ଚାହିଁଥିଲେ ମାଆ, ମୁଁ ଭଗବାନ୍ ହୋଇ ଫେରି ଆସିଛି-।”

- “ଆ, ମୋ କଲିଜାରେ ଲାଗିଯାଆ ।”

କରମୀର ଶୀର୍ଣ୍ଣ, କୁଞ୍ଚିତ ଛାତିରେ ବିର୍ସା ମୁଣ୍ଡ ଲଗାଇ ଦେଲା, ପୁଣି କରମିର ହାତ ନିଜ ହାତରେ ଧରି କହିଲା- “ମୁଁ ଭଗବାନ୍ ମାଆ । ତୋର କୋଳ ମତେ ସମ୍ଭାଳି ପାରିବ ନାହିଁ । ମୁଁ ଏହି ଧରିତ୍ରୀର ଆବା ।”

 

କରମିର ଆର୍ତ୍ତ ଚିତ୍କାର-ହାହାକାର ମୁଣ୍ଡାମାନଙ୍କ ଜୟୋଲ୍ଲାସ ମଧ୍ୟରେ ହଜିଗଲା ।

ମୁଣ୍ଡାମାନେ ଚିତ୍କାର କଲେ: “ବିର୍ସା ଭଗବାନ ହୋଇଗଲା । ସେ ଆମକୁ ବଞ୍ଚାଇବ, ଭୋକିଲାମାନଙ୍କୁ ଭାତ ଦେବ ।”

 

ନଗାଡ଼ା ଘଣ୍ଟିକୁ ବାରମ୍ବାର ଶବ୍ଦମୟ କରାଯାଉଥିଲା ।

ସୁଗାନା କାନରେ ହାତ ଦେଇଦେଲା । କହିଲା “କରମି, ମୁଁ ତତେ କହିଥିଲି ନା, ଏଇ ପୁଅ ଆମକୁ ହସେଇବ, କନ୍ଦେଇବ ।”

 

- “ହଁ, ଏବେ କ’ଣ ହେବ?”

- “ମୁଁ ଭଗବାନ୍‌ର ବାପ । ତୁ ଭଗବାନର ମାଆ । ଯେମିତି ହସେଇବ, କନ୍ଦେଇବ, ହସିବା, କାନ୍ଦିବା ।”

 

ସୁଗାନା ଗହନ, ଅଜାଣତ ଦୁଃଖରେ ମୁଣ୍ଡ ହଲାଉଥିଲା ।

•••

 

କିଛି ଦିନ ପରେ ସୁଗାନାର ଘର ତୀର୍ଥ ହୋଇଗଲା ।

ବିରିସି ମୁଣ୍ଡା, ଯିଏ ଏଇ ଗାଁକୁ ବସାଇଥିଲା, ସରଦାରମାନଙ୍କ ଦଳରେ ବହୁତ ଦିନରୁ ଥିଲା, ସିଏ ସର୍ଦ୍ଦାରମାନଙ୍କ ମଧ୍ୟରେ ଏହି ଖବର ପ୍ରଚାର କରିଦେଲା ।

ମୁଣ୍ଡାମାନଙ୍କର ସମସ୍ତ ପ୍ରତ୍ୟାଶାକୁ ପୂରାକରି ଭଗବାନ ମନୁଷ୍ୟ ରୂପରେ ଜନ୍ମ ହୋଇଛନ୍ତି । ଦଳ ଦଳ ହୋଇ ସମସ୍ତେ ଭଗବାନଙ୍କୁ ଦେଖିବାକୁ ଆସୁଛନ୍ତି ।

 

ସୁନାରାମୁଣ୍ଡା ସେଦିନ ଗୀତ ଶୁଣାଇଥିଲା “ବେଲୋପି.......ବେଲୋପି....ମିସି ହୋନ୍ କୋ... ।” ଏଇ ଲୋକମାନେ କ’ଣ ଗାଉଛନ୍ତି?

- ଏଇ ଦେଶରେ ଧରିତ୍ରୀର ଆବା ଭାଦ୍ରବ ମାସରେ ଜନ୍ମ ହେଲା, ଆମେ ସବୁ ଦଳ ବାନ୍ଧି ପ୍ରାର୍ଥନା କରୁଛୁ ଆଉ ଚାଲିଯାଉଛୁ ।.....ଚାଲ ଯିବା, ଆନନ୍ଦ ମନେଇବା, ଦଳ ବାନ୍ଧି ଯିବା, ଧରିତ୍ରୀର ଆବାକୁ ପ୍ରଣାମ କରିବା ।

ସେ ଆମର ଶତ୍ରୁମାନଙ୍କୁ ଭାଦ୍ରବ ମାସରେ ବନ୍ଦୀ କରିବ ।

ସୁନାରା ଆଶ୍ଚର୍ଯ୍ୟ ହେଲା ।

ଜାଲି ସୁନାରା ମାଲିକ ସହ ହାଟକୁ ଗଲା । ହାଟରେ କେତେ ନୂଆ କଥା ଶୁଣିଲା ।

ଶୁଣିଲା, ବିର୍ସା ଧରିତ୍ରୀର ଆବା, ଏବେ ପରା ଜାତି ଜାତି ମଧ୍ୟ ପ୍ରତିବନ୍ଧକ ନାହିଁ, ବିର୍ସା ପାଖକୁ ଜନସ୍ରୋତ ମାଡ଼ି ଚାଲିଛି । ବିର୍ସା ଏବେ ଧରିତ୍ରୀର ଆବା । ଓରାମ୍ବ, କୋଲ, ଖାରିଆମାନଙ୍କ ରକ୍ଷା ଏବେ ସିମ୍ବୋଡ଼ା କରିପାରିବ ନାହିଁ । ସେମାନଙ୍କୁ ଏମିତି ଦେବତା ଦରକାର ଯିଏ ‘କିଙ୍ଗ୍ ଅଫ୍ ହେଭେନ’ କଥା କହିବ ନାହିଁ । ଯିଏ କହିବ: ‘ଭୂତପ୍ରେତ ନୁହେଁ, ଦିକୁ, ସରକାରଙ୍କୁ ସମାପ୍ତ କର । ନିଜ ଅଧିକାର ଛଡ଼ାଇ ଆଣ ।’

ଯିଏ କହିବ: ‘ଦରକାର ହେଲେ ଆତ୍ମବଳି ଦିଅ, ମରିବାପାଇଁ ପ୍ରସ୍ତୁତ ରୁହ ।’

ଏହି ଦେବତାର କଥା ଦୂର ଦୂରାନ୍ତର ଯାଏଁ ବ୍ୟାପିଗଲା । କାହିଁ ପଲାମୁ, କାହିଁ ଛୋଟ ନାଗପୁର । ପଲାମରୁ ଦୁଇ ବିଶେଷ ପର୍ବରେ ଏହି ଖବର ବ୍ୟାପିଗଲା । ଅଧିକାଂଶ ଓରାମ୍ବ ଆଉ ମୁଣ୍ଡା ବିର୍ସାର ଅନୁଗାମୀ ହୋଇଗଲେ ।

 

ଜାତି-ଧର୍ମ-ବର୍ଣ୍ଣ ମଧ୍ୟରେ ପ୍ରତିବନ୍ଧକ ରହିଲା ନାହିଁ । ହିନ୍ଦୁ, ମୁସଲମାନ, ଖୀରସ୍ତାନ ସବୁ ଚାଲକାଡ଼ ଆଡ଼କୁ ଚାଲିଲେ ।

- ‘ସେଇ ବିର୍ସାକୁ ଦେଖିବା’ ମୁଣ୍ଡାମାନେ ଗାଉଥିଲେ, ଗାଉଥିଲେ ହିନ୍ଦୁମାନେ । ‘ତୁମର ଗୋଡ଼ ଧରୁଛି, ଚାଲକାଡ଼ କେତେଦୂର କହିଦିଅ । କିଏ କହୁଛି ପୂର୍ବରେ, କିଏ କହୁଛି ଦକ୍ଷିଣରେ । ମୁଁ ଧୀରେ ଧୀରେ ଯିବି । ଜଙ୍ଗଲରେ ଚିତାବାଘ ଗର୍ଜୁଛି, ଭାଲୁ ରଡ଼ି ଛାଡୁଛି । ଆରେ ମୁଁ ଧୀରେ ଧୀରେ ଯିବି । ଦଳରେ ମିଶିବି । ବିର୍ସା କଥାରେ କ’ଣ ଚମତ୍କାର ଅଛି? ମୁଁ ଧୀରେ ଧୀରେ ଯିବି । ତାର ବାଣୀ ଶୁଣିବି ।’

ହାଟରେ ସୁନାରା ଶୁଣି ଆସିଲା ଯେ ସରକାର ପାଖରେ ବି ଖବର ପହଞ୍ଚିଗଲା । ସେ କହୁଛି-ରୋଗୀ, ଭୋଗୀ ସମସ୍ତେ ଚାଲକାଡ଼ ଦୌଡୁଛନ୍ତି । ଚାଲକାଡ଼ କେତେଦୂର, କେତେ ଦୁର୍ଗମ ଜଙ୍ଗଲ । ସେଠାରେ ରହିବାକୁ ଜାଗା ନାହିଁ । ତଥାପି ଭକ୍ତମାନଙ୍କର ମେଳା ଛୁଟୁଛି ।

ସୁନାରାକୁ ଗୋତଙ୍ଗ ମୁଣ୍ଡା କହିଲା- “ମୁଁ ବି ଯାଉଥିଲି ।”

- “ଦେଖିଲି ।”

- “ହଁ ।”

- “କ’ଣ ଦେଖିଲୁ?”

- “ଭଗବାନ୍ ।”

- “ଭଗବାନ୍ ।”

- “ହଁରେ ଆଗରୁ କେତେ ଦେଖିଥିଲେ, ତୁ ବି ଦେଖିଥିଲୁ । ଏବେ କିନ୍ତୁ ଚିହ୍ନି ହେଉନି । ସେଦିନ କି ବର୍ଷାରେ । ତଥାପି ଏତେ ଗହଳି । ମୁଁ ତ କୋଉଠି ବସିପଡ଼ିଲି ଜଣାନାହିଁ । ସାଙ୍ଗରେ ଛତୁଆ, ଲୁଣ ନେଇ ଯାଇଥିଲି । ଯେତେଦିନ ଚାଲିଲା, ଟିକେ ଟିକେ ଖାଇ ବସିଲି । ଖାଇବା ସରିଗଲା, ଫେରି ଆସିଲି । ଏତେଲୋକ ଯାଇଥିଲେ ଯେ କ’ଣ କହିବି?”

- “କଣ’ ଦେଖିଲୁ?”

- “କେତେ ଛୋଟା-ଅନ୍ଧ-କାଲ-ରୋଗୀ-ଦୁଃଖୀ ସବୁ ବସିଥିଲେ । ରାଲୁଡ଼ୁର ଗୋମୀ ମୁଣ୍ଡା କେଡ଼େ ସୁନ୍ଦର ଗୀତ ଗାଇଲା ।”

 

- “କ’ଣ ଗାଇଲା?”

- “ଚାଲ୍‌, ତତେ ଶୁଣେଇବି ।”

- “କୁଆଡ଼େ?”

- “ତେବେ ଶୁଣ୍ ।”

- “ଚାଲ୍‌ରେ ମିତ ଚାଲକାଡ଼ ଯିବା । ନୂଆ କଥାନେଇ ଚାଲକାଡ଼ ଯିବା । ଚାଲ୍ ତାରା ଦେଖି ଦେଖି ଯିବା । ହଠାତ୍ ମିଳିଯାଇଛି ତାକୁ ଦେଖିବାକୁ ଯିବା ।”

•••

 

ବିର୍ସା କ’ଣ କହିନଥିଲା, ସାହେବମାନଙ୍କର ରଙ୍ଗ ! ମୁର୍ଗୀ ବି ଧଳା, କୁକୁର ବି ଧଳା । ସବୁ ଅପବିତ୍ର । ସେଇଥିଲାଗି ମୁଣ୍ଡାଏ ଧଳା ମୁର୍‌ଗୀ, ଧଳା କୁକୁରକୁ କାଟି ଖାଆନ୍ତି ।

 

ବିର୍ସା ଆକାଶ-ବତାସ- ଜଙ୍ଗଲ, ଧରିତ୍ରୀର ଗତି ଦେଖି କହିଲା-“ସାଲ୍ ୧୮୯୫-୮୬ରେ ଭୀଷଣ ଅକାଳ ହେବ ! ସବୁକିଛି ପାପରେ ଭରି ଗଲାରେ ।”

ଅଗ୍ନି ବର୍ଷା-ସିଙ୍ଗେଲ- ବାର ଅଗ୍ନିରୁ ବି ବଡ଼ ବିନାଶ ଆକାଶରୁ ଓହ୍ଲାଇବ !

ସବୁ ଅବିଶ୍ୱାସୀ ମରିଯିବେ !

କେବଳ ବିର୍ସାର ବିଶ୍ୱାସୀ ବଞ୍ଚିରହିବେ !

ତାପରେ ଆସିବ ସୁଖର ଦିନ !

ସୁଖର ପ୍ରତ୍ୟାଶାରେ ଆଦିବାସୀମାନେ ଖେତିବାଡ଼ି-କାମଧନ୍ଦା, ଛାଡ଼ି ଦେଉଥିଲେ । ଆସିବ ଅବିଶ୍ୱାସୀମାନଙ୍କୁ ଧ୍ୱଂସ କରିବାର ପ୍ରଳୟ । ପାପରାଜ୍ୟର ନାଶ ହେଉ । କ୍ଷେତି, କାମ କରି, ବେଗାରୀ ଦେଇ, ମେହେନତ କରି ଦିକୁ ମହାଜନମାନଙ୍କର ପେଟକୁ ଖାଇବାକୁ ଦେଲେ କ’ଣ ହେବ?

ସର୍ଦ୍ଦାରମାନେ କହିବୁଲୁଛନ୍ତି-“ଭଗବାନ୍ କହୁଛି-ମହା ସର୍ବନାଶ ଆସୁଛି । କେହି କ୍ଷେତିବାଡ଼ି କର ନାହିଁ । ଲଗାଣ ନଦେଇ, ନିଜର ଫସଲ ନିଜେ ଖାଅ !”

ଏହା ଶୁଣି ମୁଣ୍ଡାମାନେ ଆନନ୍ଦରେ, ଭୟରେ ପାଗଳ ହୋଇଗଲେ । ଏଇଟା ସର୍ଦ୍ଦାରଙ୍କ କଥା କି ଭଗବାନ୍‌ଙ୍କ କଥା କେହି ଭାବିଲେ ନାହିଁ । ଗାଈ, ବାଛୁରୀମାନଙ୍କୁ କ୍ଷେତକୁ ଛାଡ଼ିଦେଲେ । ଶୀତ ଦିନର ଫସଲର କୋମଳ ଚାରା ସବୁ ନିର୍ମୂଳ ହୋଇଗଲା । ନିଜ ନିଜର ମୁର୍‌ଗୀମାନଙ୍କୁ ଖାଇନେଲେ । ସବୁ ବିକି ଭାଙ୍ଗି ହାଟରୁ ନୂଆ ଲୁଗା କିଣିଲେ । ନୂଆ ନୂଆ ଲୁଗା ପିନ୍ଧି ଭଗବାନ୍ ପାଖକୁ ଗଲେ । ତନ୍ତୀର ମନ ଲୁଗା ବିକି ପୁଲକିତ ହୋଇଗଲା ।

ସୁନାରା ମୁଣ୍ଡ ନାଡ଼ିଲା । କିଛି ଜାଣି ପାରିଲା ନାହିଁ । କଟୁଈଗାଁରେ ହଇଜା ମାତିଛି । ଖବର ପାଇ ଭଗବାନ୍ ଦୌଡ଼ିଗଲା । କହିଲା-“ରୋଗୀକୁ ଅଲଗା ରଖ, ଲୁଣ ସିଝାଇ ପାଣି ପିଅ । ତୋ ଲୁଗା ପୋଖରୀ, କୂଅରେ ଧୁଅ ନାହିଁ । ସମସ୍ତେ ସିିଝା ପାଣି ପିଅ । ଭାତ-ପଖାଳ, ଜାଉ-ଯାହା ଖାଇବ, ଘୋଡ଼େଇ ରଖ । ସଢ଼ା ଭାତ ଖାଅନା ।”

- ‘ଭଗବାନ୍‌, ତୋର ପୂଜା କରିବୁ !’

- “ସେଇଟା ତ ମୋର ପୂଜା ।”

- “ତାହା ହେଲେ ମନ୍ତ୍ର ବତେଇବ ନାହିଁ ।”

- “କହିବି ।”

ଭଗବାନ ଧୁରା ନଦୀ ପାଖକୁ ଗଲେ । କହିଲେ-“ପଥରରେ ପାଣିକୁ କିଏ ଘେରା ଦେଇଛି? ରହି ରହି ପାଣି ସବୁଜ ହୋଇଗଲାଣି ।”

- “ଆମେ ସବୁ କରିଛୁ ।”

ଭଗବାନ୍ ପଥରକୁ ଉଠାଇ ଫିଙ୍ଗିଦେଲେ । ହାତଯୋଡ଼ି କହିଲେ-“ଭଗବାନ୍‌, ଏମାନଙ୍କୁ ଜ୍ଞାନ ଦିଅ, ବୁଦ୍ଧି ଦିଅ । ମୁଣ୍ଡାମାନେ ହଇଜା ରୋଗରେ ମରୁଛନ୍ତି ।”

କହିଲେ-“ଏହି ପାଣିପିଅ । ମନ୍ତ୍ର ପଢ଼ିଦେଇଛି । ଏବେ ଆଉ ହଇଜା ହେବ ନାହିଁ । ସମସ୍ତେ ଚେରମୂଳ ଔଷଧ ଗୁଣ୍ଡକରି ଖାଇବାକୁ ଭୁଲିବନାହିଁ ।

•••

 

ସତକୁ ସତ କାହାକୁ ହଇଜା ହେଲା ନାହିଁ । ସର୍ଦ୍ଦାରମାନେ କହିଲେ-“ଦେଖିଲ? ହଇଜା ବୁଢ଼ୀ ଭଗବାନଙ୍କ ମନ୍ତ୍ର ଶୁଣି କେମିତି ଚଢ଼େଇ ପରି ଉଡ଼ିଗଲା !”

ସୁନାରା ମୁଣ୍ଡ ହଲେଇଲା । ବିର୍ସା ଯଦି ଭଗବାନ୍ ତେବେ ସୁନାରା ତାର ଚେଲା ହୋଇଯିବ-। ଯଦି ସେଙ୍ଗେଲ-ଦାର ନିଆଁ ବର୍ଷିବ ତେବେ ଏହି ସାହୁକାରମାନଙ୍କର ଗୋଲାମ ହୋଇ କାହିଁକି ରହିବ ଭଲା ! ମାଲିକ, ତାର ବଂଶଧର, ମହାଜନ, ଜମିଦାର-ସବୁ ପାଗଳ ହୋଇଗଲେଣି ।

- ‘ଜଣେ ପାଗଳ, ପ୍ରେମିକ । ନବ-ଯୌବନ ପ୍ରାପ୍ତ ପିଲା, ସ୍ୱଭାବ ବଦଳିଲେ ଯାହା କରିବା ଉଚିତ ନୁହେଁ, ସେଇ କହି ଭୂତମାନଙ୍କୁ ଚିଡ଼ଉଛି ।’

ଏହି କଥା ମାଲିକ ଓ ମହାଜନମାନଙ୍କ ମଧ୍ୟରେ ହେଲା । ମହାଜନ କହିଲେ-“ଏଇଥର ଆକାଶର ଅବସ୍ଥା ଦେଖିଲ । ପାଣିର ନାଆଁ ନାହିଁ ।”

 

- “ନା, ପୁଅ ଏଥର କହୁଛି ସବୁ ଜଳିଯିବ । ଫସଲ ନଷ୍ଟ ହୋଇଯିବ ।”

- “ସର୍ଦ୍ଦାରମାନେ କ’ଣ କମ୍ ବଦମାସ୍ । କହୁଛନ୍ତି, କ୍ଷେତରେ ନିଆଁ ଲଗାଇଦବୁ । ମୁଣ୍ଡାମାନେ ବୁଝିବେ ଭଗବାନ୍ ଠିକ୍ କହିଥିଲେ ।”

- “କିନ୍ତୁ ଅବସ୍ଥା ଖୁବ୍ ଖରାପ ।”

- “କାହିଁକି?”

- “ଅକାଳ ଆସିବ । ମୁଣ୍ଡାମାନେ ଆସୁଛନ୍ତି । ସେମାନଙ୍କୁ କିଣି ନେବା, ତାପରେ କେତେ ଆରାମ୍ ହେବ । କ୍ଷେତରେ କାମ କରିବେ, ପାଲିଙ୍କି ଧରିବେ, ଘର ଜଗିବେ, ଘରେ ଠାକୁର, ଭଗବାନ୍ ଦେଖିଲେ ଡରିବେ !”

- “ଅବୁଝା, ବୁଦ୍ଦୁ ।”

- “ଏବେ କିନ୍ତୁ କେହି ବିକିହେବାକୁ ଆସୁନି । ସର୍ଦ୍ଦାରମାନେ କହିଛନ୍ତି ବିକି ହେବା ଖରାପ କାମ । ଆରେ, ଏଇଟା ତ ଆମେ ବି ଜାଣୁ ।”

- “ହଁ, ମୁଁ ବି ଶୁଣିଛି । ଏଥର ସବୁ ଜଳିଯିବ । ତେବେ ପୁଣି ଡର କାହାକୁ? ଦେଖ, ଯେଉଁମାନେ ସବୁବେଳେ ଡରି ରହନ୍ତି, ସେମାନେ ଯେତେବେଳେ ଡର ଛାଡ଼ିଦିଅନ୍ତି, କ୍ଷେତ ଉଜାଡ଼ି ଦିଅନ୍ତି, ଅବସ୍ଥା ଅସମ୍ଭାଳ ହୋଇଯାଏ । ଏଇ ବିର୍ସା ଆମର ବହୁତ କ୍ଷତି କରିବ । ଏବେ ଯାଏଁ ମୁଣ୍ଡାମାନେ କ’ଣ କରୁଥିଲେ, ଆମକୁ ଡରୁଥିଲେ ନା ନାହିଁ ।”

- “ବିର୍ସା ସେମାନଙ୍କୁ କହିଛି, ମରିବା ତ ମରିବା, କାହିଁକି ଡରିବା ।”

“ଆମେତ ଆମେ, ସାହେବମାନେ ବି ଡରୁଛନ୍ତି । କେହି ଖ୍ରୀଷ୍ଟିୟାନ୍ ହେବାକୁ ରାଜି ହେଉ ନାହାନ୍ତି । ସମସ୍ତେ ମିଶନ ଛାଡ଼ି ଚାଲିଗଲେ । ସେମାନେ କହୁଛନ୍ତି-ଆମ ପାଖେ ରହି ଚାରିବର୍ଷରେ ଯାହା ଶିଖିଲା, ପୁଅ ସେଇଆ କହି ମୁଣ୍ଡାମାନଙ୍କୁ ଆକର୍ଷିତ କରୁଛି ।”

 

- “ବିର୍ସାକୁ ଡର । ସେ କ’ଣ କହୁଛି, କିଛି ଜଣାପଡ଼ୁନି ।”

- “ବୁଝିଲା ପରେ ଡର ଲାଗେ ନାହିଁ । ନବୁଝିଲେ ଡର ଲାଗେ ।”

ସୁନାରା ସବୁ ବୁଝୁଥିଲା । ସେ ଦେଖିଥିଲା ଲୋକଟି ଚାଲକାଡ଼ ଆଡ଼କୁ ଯାଉଛି ।

ବିର୍ସା, କରମି ପରଷା ଖାଉଥିଲା । କରମିର ଘରେ ହିଁ ଶୋଉଥିଲା । କିନ୍ତୁ କରମି ଜାଣିଥିଲା, ତାର କୋଳ ଏବେ ଆଉ ବିର୍ସାକୁ ସମ୍ଭାଳି ପାରିବ ନାହିଁ । ସେ ଏବେ ଧରିତ୍ରୀର ଆବା । କରମିର ସାହସ ହେଉନାହିଁ କହିବାକୁ-“ପୁଅରେ, ତତେ ଦେଖି ମୋର ଡର ହେଉଛି, ତୋପାଇଁ ଡର ଲାଗୁଛି । ଏତେ ଲୋକ ଯାହାର ପୂଜା କରୁଛନ୍ତି, ତା’ପାଇଁ ଆଶଙ୍କିତ ହେବା ଉଚିତ । ଲୋକମାନେ ଭୁଲିଯାଆନ୍ତିରେ ବିର୍ସା, ଆଜି ତୋପାଇଁ କହୁଛନ୍ତି କାଲି ହୁଏତ... ।”

ହରମୁ ଓଝା ଡରୁଛି । ଏବେ ବିର୍ସା ଯଦି ସିମ୍ବୋଡ଼ା ହୋଇଯାଏ ତେବେ ତାପରି ଶକ୍ତିମାନର କଥା ନମାନି, ହରମୁ କଥା କାହିଁକି ମାନିବେ?

 

ବିର୍ସା କହୁଛି-ମନ୍ତ୍ରତନ୍ତ୍ରରେ ବିଶ୍ୱାସ ରଖ ନାହିଁ । ଦୁର୍ଦ୍ଦିନ ଆସୁଛି ।

ଯେତେବେଳେ ଗାଁକୁ ମହାମାରୀ ଆସିଲା, ସେତେବେଳେ ହରମୁ କହିଲା, ବିର୍ସାର ପାପ ଯୋଗୁଁ ମହାମାରୀ ଆସିଛି ।

ବିର୍ସା କହିଲା- “ମୁଁ ଚାଲିଗଲେ, ଚାଲିଯିବ?”

- “ହଁ, ଚାଲିଯିବ ।”

ବିର୍ସା ଚାଲକାଡ଼ ଛାଡ଼ି ଚାଲିଗଲା । କିନ୍ତୁ ମହାମାରୀ ଗଲା ନାହିଁ, ଅନେକ ମଲେ ।

ମୁଣ୍ଡାମାନେ କହିଲେ -ତୁ ଭଗବାନ୍‌କୁ ତଡ଼ିଦେଲୁ । ତତେ ଆମେ ମାରି, ତୋର ଶବକୁ ନାଳରେ ଫିଙ୍ଗିବୁ ।”

 

ହରମୁ ଡରିଗଲା । ବିର୍ସାକୁ କହିଲା-“ମୁଁ ବୁଝିନଥିଲିରେ । ତୁ ଧରିତ୍ରୀର ଆବା । ତୁ ଫେରିଚାଲ । ମହାମାରୀକୁ ତଡ଼ିଦେ ।”

ବିର୍ସା ଫେରି ଆସିଲା । ସମସ୍ତଙ୍କୁ ଡାକି କହିଲା-“ଯାହାକୁ ରୋଗ ହୋଇନି ନିମପତ୍ରକୁ ସିଝେଇ, ଧଳା ତୁଳସୀ ପତ୍ରର ରସକୁ ଅଦା ରସରେ ମିଶାଇ ପିଅ, ଦାନା ବାହାରି ପଡ଼ିବ । ତାପରେ ରୋଗୀକୁ କଲରା ପତ୍ର ଆଉ ହଳଦୀ ରସ ମିଶାଇ ପିଆଇବ ।”

- “ଆଉ?”

- “ଯିଏ ରୋଗୀର ମୁହଁ ପୋଛିବ, ଖାଇବାକୁ ଦେବ, ସିଏ ଅଲଗା ରହିବ । ଅନ୍ୟମାନେ ଯେଉଁ ଘରେ ମହାମାରୀ ହୋଇନାହିଁ, ସେଇଠି ପଡ଼ୋଶୀ ସହ ମିଶି ରହିବେ । ମୋ କଥା ମନଦେଇ ଶୁଣ ।”

- “ମୋ ପୁଅ, ବହୁତ ଛୋଟ, ଚାଲିନି, ତାକୁ ରୋଗ ହୋଇଛି ।”

- “ମୁଁ ତାକୁ ଦେଖିବି । ହଁ: ଦେଖ, ଯିଏ ମରିଯିବ, ତାର ଲୁଗାକୁ ଧୋଇ ପିନ୍ଧିବ ନାହିଁ । ପୋଡ଼ିଦେବ । ସିଏ ଯେଉଁ ଘାସ ପଟିରେ ଶୋଉଥିଲା, ତାକୁ ବି ପୋଡ଼ିଦେବ ।”

- “ତାପରେ ।”

- “ଚନ୍ଦନ ବାଟି ଲେପ ଦେବ ।”

ବିର୍ସା ଘର ଘର ବୁଲିଲା । ଲୋକେ ହଇଜା-ମହାମାରୀ, ସାପକାମୁଡାକୁ କପାଳ ଲିଖନ ଭାବୁଥିଲେ । ବିର୍ସା ତା’ସହ ବି ଲଢ଼ିବା ଶିଖେଇଲା ।

ଗାଁରୁ ମହାମାରୀ ଚାଲିଗଲା । କରମି କହିଲା- “ବିର୍ସା, ତୁ ସତ ଭଗବାନରେ । ମହାମାରୀରେ କୋଡ଼ିଏ ପଚିଶ ଜଣ ନମରିବା କ’ଣ ଏ ଆଖି ଦେଖିଥିଲା?”

 

ବିର୍ସା କହିଲା-“ଏତେ ଲୋକଙ୍କ ଭିତରେ ମୁଁ ତୋର ବିର୍ସା ନାହିଁ ମା । ମୁଁ ଧରିତ୍ରୀର ଆବା ।”

 

- “ହଁ, ଆବା ତ’ ନିଶ୍ଚୟ ।”

- “ଭଗବାନ୍ ହୋଇ ଆସିଛି । ତୁମମାନଙ୍କୁ ରାସ୍ତା ଦେଖାଇବି । ତାପରେ ଚାଲିଯିବି । ଦିକୁମାନେ ମୋର କ୍ଷମତା ଦେଖି ଈର୍ଷା କରୁଛନ୍ତି ।”

•••

 

ବିର୍ସା ବୁଝିଲା, ନୂଆ ଧର୍ମର ପ୍ରସାର-ମହାମାରୀ ରୋକିବାର ଉପାୟ ବତାଇବା- ଏତିକିରେ ସେ ଧରିତ୍ରୀର ଆବା ହୋଇପାରିବ ନାହିଁ । ଏତେଦିନ ସେ ଯାହା ଶିଖାଇଲା ତାହା ପଛରେ ତାର ମିଶନାରୀ ଜୀବନର ଶିକ୍ଷା-ଆଉକିଛି ବୈଷ୍ଣବ ଧର୍ମର ଶିକ୍ଷା-ଆଉ ବିଗତ ଛଅ ବର୍ଷର ଅନୁଭୂତି । କିନ୍ତୁ ଏଥର ତାକୁ ଅନ୍ୟ ଏକ ନୂଆ ଭୂମିକା ଆପଣେଇବାକୁ ହେବ ।

ଅନ୍ତର ଭିତରେ ସେ ଜଙ୍ଗଲ ମାଆର କ୍ରନ୍ଦନ ଶୁଣୁଥିଲା ।

ସେଇ ଅନ୍ତର ଭିତରେ ପୁଣି ସେ ନିଜ ରକ୍ତର ନଦୀ ଭିତରେ ତାର ମାଆକୁ ଦେଖୁଥିଲା-ଲଙ୍ଗଳା, ମୁଣ୍ଡା ଯୁବତୀ ଭଳି କୃଷ୍ଣବର୍ଣ୍ଣା ମାଆ-ଆଦିମ ଜଙ୍ଗଲ-କାନ୍ଦୁଛି ଆଉ କହୁଛି- ମୁଁ ନିର୍ବସନା ରହିବି ନାହିଁ । ଏଇମାନେ ମୋର ଲଜ୍ଜା ସରମ ଛଡ଼େଇ ନେଇ ଲଙ୍ଗଳା କରି ଆକାଶ ତଳେ ଛିଡ଼ା କରାଇ ଦେଇଛନ୍ତି ।

ବିର୍ସା ଅସ୍ଥିର ହୋଇ ଉଠିଲା ।

•••

 

ତାର ଅସ୍ଥିରତାକୁ ହେତୁକରି କରମି ଦିନେ ରାତିରେ ଉଠି ଆସି କହିଲା-“ଧରିତ୍ରୀର ଆବା ହୋଇଗଲୁ, ତଥାପି କାହିଁକି ଛଟପଟ ହେଉଛୁରେ । ଜାଲରେ ପଡ଼ିଥିବା ବାଘ ପରି ତୁ ରାତି ସାରା ଏମିତି କାହିଁକି ହେଉଛୁ । ଆରେ ବିର୍ସା, ତୁ କ’ଣ ଚାହୁଁ?”

- “ମାଆ, ତୁ କ’ଣ ରାତିରେ ଶୋଉନୁ?”

- “ନାଁରେ, ଯେଉଁଦିନୁ ତୁ ଧରିତ୍ରୀର ଆବା ହୋଇଗଲୁ, ମୋ ଆଖିରୁ ନିଦ ଗାଏବ ହୋଇଯାଇଛି ।”

 

- “କାହିଁକି ମାଆ, କେମିତି!”

ତୁ ବୁଝିପାରିବୁନିରେ ବାପା । ତୁ ଆଉ ମୋର ବ୍ୟଥା ବୁଝିପାରିବୁନି । ତୁ ତ ଏବେ ସମସ୍ତଙ୍କର ବ୍ୟଥା ବୁଝିବୁ । କିଏ ବୁଝୁନଥିଲେ, କି ଜାଣିନଥିଲେ ମତେ । ଏବେ ମତେ ଦେଖି ମୁଖିଆ ବି ଉଠିପଡ଼ନ୍ତି । ବାପ୍‌ରେ ବାପ୍ । ତୋ ପୁଅ ଭଗବାନ୍‌, ତୋ ଆଗରେ ଆମେ ବସି ପାରିବୁ!”

- “ସେଇଥିରେ ତୋର ସୁଖ ନା ଦୁଃଖ!”

- “ଯେତିକି ଦୁଃଖ, ସେତିକି ସୁଖରେ ବିର୍ସା । ତୁ କୋମ୍‌ତା ପରି ହୋଇଥାଆନ୍ତୁ, ଘରକୁ ବୋହୂ ଆଣନ୍ତୁ, ପିଲାଛୁଆ ହୁଅନ୍ତେ, ତ’ ଦୁଃଖ ହୁଅନ୍ତା ନାହିଁ । ତୁ ଭଗବାନ୍ କାହିଁକି ହେଲୁରେ ବିର୍ସା? ଏତେ ବଡ଼ ଯେ ମୋର କୋଳ ତତେ ଅଣ୍ଟୁ ନାହିଁ, ସମ୍ଭାଳି ପାରୁନାହିଁ । କାହିଁକି କହୁଛୁ, ଚାଲିଯିବୁ? କାହିଁକି ଧାନୀର ଭଉଣୀ ଚାଇଁବାସାରେ ସମସ୍ତଙ୍କୁ କହିଲା-“କରମି ପେଟରୁ ଭଗବାନ୍ ଜନ୍ମ ନେଇଛି । କାହିଁକି କାହିଁକିରେ?”

- “ଚାଲ, ଶୁଆଇ ଦେବି ।”

- “ସମସ୍ତେ ଶୋଇଛନ୍ତି, ଭଗବାନ୍‌ର ଆଶ୍ରାରେ । ମୁଁ ଭଗବାନ୍‌ର ମାଆ, ମୋ ଆଖିରେ ନିଦ କାହିଁ? ମୋ ଭଗବାନ୍‌ର କ’ଣ ହେବ, ସେଇ ଡରରେ କାନ୍ଦୁଛି ।”

- “ଚାଲ ମାଆ । ତୋ’କୋଳରେ ଶୋଇବି ।”

- “କେବେ ମୋ ପାଖେ ଶୋଉଥିଲୁ, ବ୍ୟଥା ହେଲେ ମୁଁ କାନ୍ଦୁଥିଲି, ଏବେ କ’ଣ ତାହା ହୋଇପାରିବ?”

 

- “ଚାଲ ମାଆ ।”

- “ଶୁଣିଛି, କୋଉ ମୁଣ୍ଡା ମାଆର ପୁଅ କାଠ ଆଣିବାକୁ ଯାଇଥିଲା । ପୁଅର ବାଟ ଚାହିଁ ଚାହିଁ ନଈ କୂଳରେ ବସି କାନ୍ଦିକାନ୍ଦି ମାଆ ପଥର ହୋଇଲା । ମୁଁ ଜାଣେ, ମୁଁ ବି ପଥର ହୋଇଯିବି-।”

- “ନା ମାଆ! ଡରନା ।”

- “ଆ । ମୋ ପାଖକୁ ଆ ।”

- “ଶୋଇଯାଆ ମାଆ ।”

- “ତୁ ଆଜି ମୋ ପାଖରେ ଅଛୁ । ମୋତେ ନିଦ ହୋଇଯିବ ।”

- “ଦିନ ସାରା କାହିଁକି ଖଟୁ ମାଆ ।”

- “ଏଇଟା ଭଗବାନ୍‌ର ଘର । ମୁଁ ଖଟିବିନି ତ କିଏ ଖଟିବ?”

- “ଏବେ ଶୋଇଯା ।”

କରମି ଶୋଇଗଲା । ବିର୍ସା ସର୍ଦ୍ଦାରମାନଙ୍କ କଥା ଭାବିଲା ।

ମାଝିଆ ମୁଣ୍ଡା, ବୁଧୁମୁଣ୍ଡା, ପରାନ ମୁଖିଆ, ତାର ସବୁ ପାଖଲୋକ କହନ୍ତି ଭଗବାନ୍‌, ସର୍ଦ୍ଦାରମାନେ ତୁମର କାନ୍ଧରେ କୁରାଢ଼ୀ ରଖି ଶାଳ ଗଛ କାଟିବା ଚାହାଁନ୍ତିରେ ।”

ବିର୍ସା ଜାଣେ, ସବୁ ବୁଝେ ।

ସର୍ଦ୍ଦାରଙ୍କ ଆନ୍ଦୋଳନର ଅର୍ଥ-ସର୍ତ୍ତମୂଳକ ଆନ୍ଦୋଳନ । ଏହା ଗୋରାଙ୍କ ବିରୋଧୀ କି ନୁହେଁ ତାହା ଅସ୍ପଷ୍ଟ । ସରକାର ପରି ମିଶନବାଲାମାନେ ବି ମୁଣ୍ଡାମାନଙ୍କର ହିତ ବିରୋଧୀ । ସର୍ଦ୍ଦାରମାନେ ମୁଣ୍ଡାମାନଙ୍କ ଅଧିକାରପାଇଁ ସଂଗ୍ରାମ କରୁଥିଲେ, କିନ୍ତୁ ସେଇଟା ଛୋଟ ନାଗପୁରପାଇଁ । ସେଇଥିପାଇଁ ସେ ମିଶନ ଛାଡ଼ିଲା । ସବୁ ସର୍ଦ୍ଦାର ତା ସହ ମିଶୁଛନ୍ତି, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ନିଶ୍ଚୟ ଅଲଗା ।

ଏଥର ଉଦ୍ଦେଶ୍ୟ ପକ୍କା, ସାଧନା ମାର୍ଗରୁ ହତାଶ ହୋଇ ଅସୁବିଧା ସହ ସଂଗ୍ରାମର ପ୍ରୟାସ ନିଶ୍ଚୟ ।

 

ଏଇତ ବୀରସିଂ ମୁଣ୍ଡା । ବଡ଼ ହୁସିଆର ସର୍ଦ୍ଦାର । ସାଲ ୧୮୩୧-୩୨ରେ କୋଲ୍‌ହ ବିଦ୍ରୋହ ବେଳେ ତାର ଜେଜେବାପା ନିଜର ଜମିଦାରୀ ଫେରାଇ ଦେଇଥିଲେ । ବିରସିଂ, ବିର୍ସାଦ୍ୱାରା ସେଇ ଜମିଦାରୀ ଚାହେଁ ।

ମାଗା ମୁଣ୍ଡା, ଜନ୍ ମୁଣ୍ଡା, ମାର୍ଟିନ ମୁଣ୍ଡା ପରି ସର୍ଦ୍ଦାରମାନେ ତା ପାଖକୁ ଆସିଥିଲେ । ସେମାନେ ସର୍ଦ୍ଦାରୀ-ଆନ୍ଦୋଳନ ଦୁର୍ବଳ ହେବାର ଜାଣନ୍ତି ।

 

ସେମାନଙ୍କୁ ଜଣାଥିଲା, ବିର୍ସା ଉପରେ ମୁଣ୍ଡାମାନଙ୍କର ଅସୀମ ଆସ୍ଥା । ସେମାନେ ବିର୍ସାକୁ ପ୍ରୟୋଗ କରିବାକୁ ଚାହୁଁଥିଲେ ।

ଠିକ୍ ଅଛି । ବହୁତ ଭଲ ।

ତାର ଆନ୍ଦୋଳନରେ ସର୍ଦ୍ଦାରଙ୍କ ଆନ୍ଦୋଳନ ମିଶିଯାଉ, କିନ୍ତୁ ବିର୍ସା ସର୍ଦ୍ଦାରଙ୍କ ହାତର ଖେଳନା ହେବ ନାହିଁ । ସିଏ ହେବ ନେତା ।

 

ତେବେ ବିର୍ସା କ’ଣ ମୁଣ୍ଡା ସାମ୍ରାଜ୍ୟ ଦାବି କରିବ । ସାରା ବିଦେଶୀ ତଡ଼ି ହୋଇ ଯିବେ? ବିର୍ସା ହେବ ପ୍ରଧାନ ।

ବିର୍ସା ବୁଝିଗଲା: କେବଳ ଗୋଟେ ଈଶ୍ୱରର ଧର୍ମ, ନୂଆ ରୀତିର ଉପାସନା କଥା କହି ସେ ଧରିତ୍ରୀର ଆବା ହୋଇପାରିବ ନାହିଁ । ଆହୁରି ଅନେକ କାମ କରିବାକୁ ହେବ ।

ବିର୍ସା ନିଶ୍ଚୟ କଲା, ମୁଣ୍ଡାମାନଙ୍କ ଛଡ଼ା ଆଉ କାହା ସହ କଥା ହେବ ନାହିଁ । ବଣିଆ ଆଉ ମହାଜନ, ଦିକୁମାନଙ୍କୁ ସଭାକୁ ଆସିବାକୁ ଦେବ ନାହିଁ । ଜମିଦାର, ବଣିଆ, ମହାଜନ-ମୁଣ୍ଡାମାନଙ୍କ ଶତ୍ରୁ-ଏକଥା ମୁଣ୍ଡାମାନଙ୍କୁ କହିଦେବ ।

•••

 

ଦିକୁମାନେ କିନ୍ତୁ ବିର୍ସାକୁ ଡରୁଥିଲେ । ବିର୍ସାକୁ ଜଣା ନଥିଲା, ସର୍ଦ୍ଦାରମାନେ ତା ଦଳରେ ମିଶିବା କଥା ମିଶନର ସାହେବଙ୍କ ଅଫିସକୁ ଚାଲିଗଲାଣି । ସାହେବମାନେ ରିପୋର୍ଟ କରିଛନ୍ତି । ଚାଇଁବସା ଓ ରାଞ୍ଚିର ପୋଲିସ ଖବର ପାଇଛନ୍ତି । ମୁଣ୍ଡାମାନେ ଦୁର୍ଭିକ୍ଷ, ସରକାର, ପୋଲିସ୍‌ର ଭୟ ଭୁଲି ଯାଇଛନ୍ତି । ସାହେବ-ସରକାର ସମସ୍ତେ ଡରୁଛନ୍ତି ।

ବିର୍ସା ଜାଣିନଥିଲା, ତା ନାଁରେ ବଡ଼ ବଡ଼ ରିପୋର୍ଟ ଲେଖାଯାଉଛି । ମିଶନର ସାହେବ ଲେଖିଛନ୍ତି: ବିର୍ସା ଆମ ପାଖେ ରହି ଯାହା ଯାହା ଶିଖିଲା, ସେହି କାହାଣୀ କହି ମୁଣ୍ଡାମାନଙ୍କୁ ଠକୁଛି-। ଆମେ ଯେମିତି ସେବା ଶୁଶ୍ରୂଷା କରିବାର ଦେଖିଲା ସେହିପରି ସେବାକରି ମୁଣ୍ଡାମାନଙ୍କୁ ଠକୁଛି । ଏଇଟା ତ ବଦମାସ୍‌, ଠକ୍‌, ମୂର୍ଖ ।”

ସରକାରୀ ଚିଠି ଆସିଲା-‘ଯଦି ଏକଥା ସତ ତେବେ ତାମାରରୁ ମୁଣ୍ଡା ଲୋକେ ତା ପାଖକୁ କାହିଁକି ଯାଆନ୍ତି? ବିର୍ସା କାହାର ପୁନର୍ଜନ୍ମ ଚାହେଁ? ଗୋଟେ ଆଦିମ ଧର୍ମ ବିଶ୍ୱାସର ନା ବିଦ୍ରୋହର-! ମନେ ରଖିବାକୁ ହେବ, ସାଲ୍ ୧୮୩୧-୩୨ରେ ତାମାର ବିଦ୍ରୋହ ମାତିଥିଲା । ସର୍ଦ୍ଦାରଙ୍କ ବିଦ୍ରୋହରେ ସାହେବ ସରକାରଙ୍କ ବିରୁଦ୍ଧରେ କୌଣସି ବିରୋଧ ନଥିଲା । ସର୍‌ଦାର ଦିକୁମାନଙ୍କ ବିରୋଧରେ ଲଢ଼ୁଥିଲେ । ସାହେବ- ସରକାର ଶତ୍ରୁ, ଏକଥା ତାଙ୍କ ମନରେ ପରେ ଆସିଲା । ଏବେ କିନ୍ତୁ ସାହେବ ସରକାର ଶତ୍ରୁ ଏକଥା ସର୍ଦ୍ଦାରମାନେ ଜାଣନ୍ତି ।’

ଜବାବ ଗଲା-‘ବିର୍ସା ଯାହା ବି କହେ, ମୁହଁରୁ କେତେ ଧର୍ମ କଥା କହିଲେ ମଧ୍ୟ ତାର ଭକ୍ତମାନେ ହତିଆର ଜମା କରି ବସିଛନ୍ତି । ବିର୍ସାର ଧର୍ମ କଣ, ବୁଝାପଡ଼ୁନି । ଏଥର ଘୋର ଦୁର୍ଭିକ୍ଷ-। ତଥାପି ମୁଣ୍ଡାମାନେ ମିଶନରେ ଆସି ଅନ୍ନଛତ୍ର ଖୋଲିବାକୁ ମନା କରୁଛନ୍ତି । ବିର୍ସାର ପ୍ରଭାବ ଏମିତି ବଢ଼ିଚାଲିଛି ଯେ ସର୍ଦ୍ଦାରମାନେ ବେକାର ବସିଛନ୍ତି । ତାର ଗୋଟେ ଇସାରାରେ ସବୁ ମୁଣ୍ଡା ବିଦ୍ରୋହ କରିଦେବେ !

ସାହେବଙ୍କ କଥା ନଜାଣିହିଁ ବିର୍ସା ମୁଣ୍ଡାମାନଙ୍କୁ ଆହ୍ୱାନ ଦେଇଥିଲା-“ତୁମେମାନେ ସବୁ ଜାଣିସାରିଛ ଯେ ମୁଁ ଭଗବାନ୍ ।”

- “ଜାଣିଛୁ ।”

- “ଏବେ ଶୁଣ ।” ବିର୍ସା କହିଲା- “ମୁଣ୍ଡାମାନେ ବନ୍ଧନରେ ଫଶିଛନ୍ତି । ଦିକୁମାନେ ମୁଣ୍ଡାମାନଙ୍କ ଧାର କରଜ-କୋଇଲା ଖାଦାନ, ରେଳ୍‌, ଜେଲ୍‌, ଅଦାଲତ ଆଦି ହଜାର ଜାଲରେ ବାନ୍ଧି ରଖିଛନ୍ତି । ଆମକୁ ସ୍ୱାଧୀନ ହେବାକୁ ହେବ । ସବୁ ବିଦେଶୀଙ୍କୁ ତଡିଦେବା । କାହାକୁ ଲଗାଣ ଦେବା ନାହିଁ, ସବୁ ଜଙ୍ଗଲ ନେଇଯିବା । ଯେମିତି ଆଗରୁ ନେଇଥିଲେ, ସେଇମିତି ନେବା ।”

- “କେବେ?”

- “ମୁଁ କହିବି । ଆଜିଠାରୁ ମୁଁ କୌଣସି ଗୋରା ସହ କଥା ହେବି ନାହିଁ । ମତେ ବାବୁ କହିବ ନାହିଁ ।”

- “ନାହିଁ, କହିବୁ ନାହିଁ ।”

- “କେତେବେଳେ ଲଢ଼େଇ ହେବ କହିଦେବି । ଆଜିଠାରୁ ଗାଁ ଗାଁରେ ସବୁ ତୀର ପଠାଅ । ତୀର ପଠାଇବାର ଅର୍ଥ ମୁଁ ଲଢ଼େଇପାଇଁ ଡାକୁଛି ।”

- “ପଠେଇବୁ, ପଠେଇବୁରେ, ତୀର ପଠେଇଦେବୁ, କୁଚିଲା-ତୀର ।” ଖୁସିରେ ନାଚି ଉଠିଲା ଧାନୀମୁଣ୍ଡା । ଧଳା ବାଳ କମ୍ପାଇ, କଳା, ସୁଦୃଢ଼ ହାତ ଉଠାଇ ଚିଲ୍ଲେଇଲା- “ନେଇ ଯାଅ, ତୁମେମାନେ । ପାଞ୍ଚବରଷ ହେଲା ମୁଁ ବହୁତ ତୀର ରଖିଛି । ମୁଁ ଜାଣିଥିଲି ଦିନେ ବିର୍ସା ନିଶ୍ଚୟ ତୀରପାଇଁ ରାଜି ହେବ ।”

•••

 

ଧାନୀ ତିଆରି କରିଥିବା ସବୁ ତୀର ଗାଁରେ ପହଞ୍ଚିବା ପୂର୍ବରୁ କିଛି କିଛି ସରକାରୀ କୁଚକ୍ରର ପ୍ରଭାବରେ ଗତି ବଦଳାଇବାକୁ ଲାଗିଲେ ।

ମୁଣ୍ଡାମାନେ ଚାଷ କରୁନାହାନ୍ତି, ଧାର ନେଉନାହାନ୍ତି ।

ବହୁତ ଡରି ଯାଇଥିଲେ ଜମିଦାର ଜଗମୋହନ ସିଂହ, ମହାଜନ ସୂରଜ ସିଂହ, ପଟୱାରୀ ବନରାମ ସାବ୍ ଆଉ ମଜୁରିଆମାନଙ୍କ ଠିକାଦାର ଶିବଲାଲ ପରି ଲୋକମାନେ । ଲଗାଣ ଦେବାକୁ ହେବ ନାହିଁ । ସୁଧ ଦେବାକୁ ହେବ ନାହିଁ, ଜମି ବନ୍ଧା କରି କେହି ଧାନ, ଗହମ ଧାର ନେବ ନାହିଁ । କୁଲି କାମ କରିବାକୁ ଚାହା ବଗିଚାକୁ କିଏ ଯିବ ନାହିଁ ।

 

ଡରି ଯାଇଥିଲେ ମିଶନର ସାହେବମାନେ । କେହି ଖ୍ରୀଷ୍ଟିଆନ୍ ହେବାକୁ ରାଜି ନୁହନ୍ତି । ମିଶନ ଛାଡ଼ି ସମସ୍ତେ ଚାଲିଯାଉଛନ୍ତି ।

ସରକାର ଡରିଗଲେ । ଏହା ଯଦି ବିଦ୍ରୋହର ପ୍ରସ୍ତୁତି ନୁହେଁ ତେବେ କ’ଣ? କ’ଣପାଇଁ ସେମାନେ କ୍ଷେତବାଡ଼ି କାମ କରୁ ନାହାନ୍ତି । କ୍ଷେତବାଡ଼ି କାମ କରି ବର୍ଷ ସାରା ଆକାଶ ଆଡ଼କୁ ଚାହିଁ, ଆକାଶର ଦୟାରେ ମଧ୍ୟ ଯେଉଁମାନଙ୍କୁ ଦିବେଳା ଜାଉବି ମିଳୁନଥିଲା, ସେମାନଙ୍କ ମନରେ ଏମିତି ସାହସ କିଏ ଭରିଦେଲା !

ଡେପୁଟୀ କମିଶନର ସାହେବ ତାମରର ଦାରୋଗାଙ୍କୁ ଖବର ପଠାଇଲେ । ସାଲ ୧୮୯୫ର ଛଅ ଅଗଷ୍ଟରେ ତାମାରରେ ଖବର ପହଞ୍ଚିଲା-‘ବିର୍ସା କହିଛି, ସରକାରଙ୍କ ଅଧିକାର ଶେଷ ହୋଇଛି । ଏବେ ମୁଣ୍ଡାମାନଙ୍କର ଶାସନ ହେବ । ତେଣୁ ଦାରୋଗା ଗୋଟିଏ ହେଡ଼୍‍ କନେଷ୍ଟବଲ ଆଉ ଦୁଇଟି କନେଷ୍ଟବଲ ସେଠାକୁ ପଠାଇଲେ ।

ସେମାନେ ଚାଲକାଡ଼ରେ ପହଞ୍ଚିଲେ । ସୁଗାନାର ଘର ଆଖପାଖରେ ବିର୍ସାର ଅନୁଗାମୀମାନେ ଠିଆ ହୋଇଥିଲେ । ପୋଲିସ ଗୋଟେ ଘରେ ପଶି ବସି ପଡ଼ିଲା । ବିର୍ସାର ଅନୁଗାମୀମାନେ ଘର ଘର ବୁଲି ତୀର ବାଣ୍ଟୁଥିଲେ । ଅନ୍ଧାର ରାତି ! ପାଣି ବର୍ଷୁଥାଏ ।

ସକାଳେ ଦୁଇଜଣ କନେଷ୍ଟବଲ ବିର୍ସା ଘରେ ପହଞ୍ଚିଲେ । କହିଲେ-“ବିର୍ସା, ତତେ ଗିରଫ କଲୁ ।”

କିନ୍ତୁ ବିର୍ସାକୁ ଗିରଫ କରାଗଲା ନାହିଁ । ସୁଗାନା ଓ ଅନ୍ୟମାନେ କହିଲେ-“ଚାଲିଯାଅ ।”

ବିର୍ସା କହିଲା-ସେଇ ଘରେ ଆରାମ୍ କର । ଏତେ ପାଣିରେ ଫେରି ଯାଅନା ।”

ହେଡ଼୍‍-କନେଷ୍ଟବଲ କହିଲା-ସୁଜା ଚୌକିଦାର, ତୁମେ କୋଚାଙ୍ଗ ଯାଅ । ପଲୁସ ପ୍ରଚାରକକୁ ନେଇ ଆସ । ପଲୁସ ପ୍ରଚାରକ ଓ ୟୁସୁଫ୍ ଖାଁ କନେଷ୍ଟବଲ ଦୁଇଶହ ମୁଣ୍ଡା, ମହତୋ ଆଉ ପହାଣକୁ ନେଇ ଫେରିଆସିଲେ । ସେମାନେ ବିର୍ସା ଘରକୁ ପୁଣି ଆସିଲେ ।

ବିର୍ସା ହସି ପଚାରିଲା-“ସରକାରୀ ଲୁଣ ଖାଉଛ, ଲାଗୁଛି ଧରିବାପାଇଁ ଆସିଛ । କାହିଁକି ଆସିଛ ଧରିବାକୁ? ମତେ ଧରି କ’ଣ ପାଇବ?”

 

 

ଏକତ୍ରିତ ମୁଣ୍ଡା କହିଲେ-“ଜବାବ ଦିଅ ।”

- “ତୁ ମୁଣ୍ଡାମାନଙ୍କୁ ଠକୁଛୁ ।”

- “ମୁଁ ତ ଧର୍ମର କଥା କହୁଛି ।”

- “ମୁଣ୍ଡାମାନେ କାହିଁକି ଆସୁଛନ୍ତି ?”

- “ସେମାନଙ୍କୁ ପଚାର ।”

- “ଲଗାଣ କାହିଁକି ଦେଉନାହାନ୍ତି?”

- “ସେମାନଙ୍କୁ ପଚାର ।”

- “ଚାଷ କାହିଁକି କରୁନାହାନ୍ତି ?”

- “ସେମାନଙ୍କୁ ପଚାର ।”

- “ତୁ କହ । ସରକାର ତତେ ଧରିବାକୁ କହିଛନ୍ତି । ତୁ ତାଙ୍କ କାମରେ ବାଧା ଦେଉଛୁ ।”

ବିର୍ସା ଧୀରେ ଧୀରେ କହିଲା-“ପଲୁସ, ତୁମେ ସେଇ ପୋଲିସ୍‍ବାଲାଙ୍କୁ ପଚାରି ଦେଖ । ଆମେ ଜାଣୁ ଏମାନେ ନଅ ତାରିଖ ରାତିରୁ ସେଇଠି ଅଛନ୍ତି । ଆମେ ଏମାନଙ୍କୁ ମାରିପାରନ୍ତୁ, ଫେରାଇପାରନ୍ତୁ । ଆମେ କିଛି କହିଲୁ ନାହିଁ, କଲୁ ନାହିଁ । ବର୍ଷା ପାଣିରେ ବାହାରକୁ ଯିବାକୁ ଦେଲୁ ନାହିଁ, ଭୁଲ୍ ହେଲା । କୌଣସି ଅସୁବିଧା ହେବାକୁ ଦେଲୁ ନାହିଁ । ଭୁଲ ହେଲା । ତାଙ୍କୁ କେହି ଚାଉଳ ଦେଉନଥିଲେ, ମୁଁ କହିବାରୁ ବିକିଲେ । ସେଇଟା ବି ମୋର ଭୁଲ୍ । ଏବେ କୁହ, ତମେ ମୁଣ୍ଡା ହୋଇ ମତେ ଏଠାକୁ ଧରିବାକୁ ଆସିଛ!”

 

- “ତୁମେ ସରକାର ଶତ୍ରୁ ।”

- “ମୁଁ ଭଗବାନ୍‌, ମୁଣ୍ଡାମାନଙ୍କ ଭଗବାନ୍ । ହଁ, ମୁଁ ଏଇ ସରକାରର ଶତ୍ରୁ, ଯିଏ ମୋ ଜାତିର ଶତ୍ରୁ । ଆଜି ତୁମେ ପ୍ରଚାରକ ହୋଇଛ ! ତମେ ଏବେ ମୁଣ୍ଡା ହୋଇ ରହିନାହଁ । ତେଣୁ ସେମାନଙ୍କ ଦୁଃଖ ତୁମେ ବୁଝିପାରୁନାହଁ । ତୁମେ ବି ଶତ୍ରୁ ।”

- “କାହାର?”

- “ମୁଣ୍ଡାମାନଙ୍କର । ମିଶନରେ ମତେ କେହି ‘ତୁ’ ଛଡ଼ା ‘ତୁମେ’ କହୁନଥିଲା । କାରଣ ମୁଁ ମୁଣ୍ଡା । ମୁଣ୍ଡା କେତେ ପଢ଼ିଲେ ବି ସରକାର ତାକୁ ଚାକିରୀ ଦେବ ନାହିଁ । ଏଇମାନେ ତ ମୋତେ ଦିନେ ନିଶ୍ଚୟ ଧରିବେ, କିନ୍ତୁ ତୁମେ କିପରି ମୁଣ୍ଡା, ତୁମେ କିପରି ପ୍ରଚାରକ ପଲୁସ?”

- “ବିର୍ସା, ତୁମର କଥା ବହୁତ ଖରାପ ଲାଗୁଛି ।”

- “କାହିଁକି, ଏମିତି କଥା ଶୁଣିନାହଁ ନା କ’ଣ? ଶୁଣ ପଲୁସ, ମୁଁ ଲାଶ କାଢ଼ି ଟଙ୍କା ଚୋରି କରିଥିଲି । ମାଆ ରାଗିବାରୁ ଜଙ୍ଗଲକୁ ଚାଲିଗଲି । ଏଠି ସେଠି ବୁଲିଲି । ଏମିତି ଦିନେ ଯେବେ ଆକାଶରେ ବିଜୁଳି ଚମକିଲା, ଘଡ଼ଘଡ଼ି ମାରିଲା, ମତେ ଲାଗିଲା ସବୁ ଶାନ୍ତ । ମୁଁ ବିର୍ସା, ମୁଁ ଭଗବାନ, ମୋ ପାଖରେ ସବୁ ଶକ୍ତି ଅଛି । ମୁଁ ଶକ୍ତିମାନ ।”

ପଲୁସ ଭୟରେ କମ୍ପିବାକୁ ଲାଗିଲା । ଦେଖିଲା ହେଡ଼୍-କନେଷ୍ଟବଲଆଡ଼କୁ । ତା ଆଖିରେ ବି ଡର । ମୁଣ୍ଡାମାନେ ସେମାନଙ୍କୁ ଘେରି ରହିଥିଲେ । ତାଙ୍କ ଆଖିରେ ଦୁଃସାହସର ଅଗ୍ନି ଜଳୁଥିଲା-

- “ମତେ ସରକାର ଧରିବ ! ଧରିଲେ ରଖିପାରିବନି । ମାରିବ? ମାରି ପାରିବ ନାହିଁ? ଯେତେବେଳେ ଗୋଟିଏ ମୁଣ୍ଡା ଗୋଟେ ଧାନର ଚାରା ଲଗାଇବ, ଗୋଟେ ଗଛ କାଟିବ, ଗୋଟେ ଘର ତୋଳିବ, ମୁଁ ସେଇଥିରେ ରହିବି, ପଲୁସ ସାହେବ । ମୁଁ ଧରିତ୍ରୀର ଆବା । ମୋର ବିନାଶ ହେବ ନାହିଁ । ତୁମର ହାତରେ ମୋର ବିନାଶ ହେବ ନାହିଁ ।

ପଲୁସ ଯେଉଁ ମୁଣ୍ଡାମାନଙ୍କୁ ଧରି ଆସିଥିଲା, ସେମାନେ ବିର୍ସା ଆଗରେ ନିଜର ଲାଠି ନୁଆଇଁଦେଲେ । କହିଲେ-“ମହାପାପ କରିବାରୁ ଆସିଥିଲୁ । ଭଗବାନ୍‌, ଆମକୁ କ୍ଷମା କରିଦିଅ ।”

ବିର୍ସା ଚିତ୍କାର କଲା-“ଏଇ ଲୋକମାନଙ୍କୁ ତୁମେ ଘଉଡ଼ାଇଦିଅ । ବାହାର କରିଦିଅ । ଏମାନଙ୍କୁ ଭଗାଇଦିଅ ।”

 

ମୁଣ୍ଡାମାନେ କନେଷ୍ଟବଲମାନଙ୍କୁ ଘଉଡ଼ାଇବାକୁ ବାହାରିଲେ । ହାତରେ ବର୍ଚ୍ଛା ଧରି ପୁଲିସ ପିଠିରେ ଦେଇ ଚାଲିଥିଲେ । ମୁଣ୍ଡା ସ୍ତ୍ରୀମାନେ ଗାଳି ଦେଉଥିଲେ । ଧାଉଁ ଧାଉଁ ପଲୁସ କେମିତି ଜୀବନ ଧରି ପଳେଇବ ସେଇଆ ଚିନ୍ତା କଲା ।

•••

 

ଏଥର ଆସିଲେ ରାଞ୍ଚିର ପୁଲିସ ଡେପୁଟୀ ସୁପରିଟେଣ୍ଡେଣ୍ଟ ପିଅର୍ସ । ସାଥିରେ ମୁରହୁ ମିଶନ୍‌ର ରେଭରେଣ୍ଡ ଲାଷ୍ଟି, ବନଗାଁର ଜମିଦାରର ଜଗନମୋହନ ସିଂ । ତା ସାଙ୍ଗରେ ବିଶାଳ ଫୌଜ ।

ଚାଲକାଡ଼ ଗାଁକୁ ଘେରି ପୁଲିସ ଆଗେଇଲେ । ପ୍ରତିଘର ଆଗରେ ପୁଲିସମାନେ ବନ୍ଧୁକ ଧରି ଛିଡ଼ାହେଲେ । ବିର୍ସା ସେତେବେଳେ ଶୋଇଥିଲା । ପୁଲିସ ସହଜରେ ଧରିନେଲା । ବିର୍ସା ବାହାରକୁ ଆସି କହିଲା-“ଭୟ କରନା । ମୁଁ ପୁଣି ଆସିବି । ଚିନ୍ତା କରନା ।”

ତାପରେ ମୁଣ୍ଡାରୀରେ ସୁଗାନାକୁ କିଛି କହିଲା । ପିଅର୍ସ ଲାଠି ଉଠାଇଲା । ରେଭରେଣ୍ଡ ଲାଷ୍ଟି କହିଲା-“ବିର୍ସା କହୁଛି-କୌଣସି ମୁଣ୍ଡା ବାଧା ଦିଅନାହିଁ ।”

- “ଧାନୀ, ଧାନୀ କଣ କହିଲା?”

- “ଏମିତି କିଛି କହିଲା-ଧାନୀର ତୀର ଏବେ ବି ମଜଭୁତ ଅଛି, ଏବେ ବି ସମୟ ଅଛିରେ-।”

 

- “ଭଗବାନ୍‌କୁ ଧରିଲୁ, ଭଗବାନ୍ କିଛି ବି କରିପାରିଲାନି । କ’ଣ କହିଲା?”

- “କହିଲା ! ଧୂର୍ତ୍ତ, କହିଲା-ଏଇଟା ତାର ଈଶ୍ୱର ହେବାର ପରୀକ୍ଷା !”

- ‘ଶେଷରେ ହସି କ’ଣ କହିଲା?”

- ‘ପ୍ରଳାପ ।”

- “ହଉ, କୁହ ଶୁଣିବା !”

- “କଳା ଘୁଘୁଞ୍ଚିର ଚାରା ଖୋଜିବାକୁ କହିଲା ।”

- “ସେଇଟା କ’ଣ?”

- “ସେଇଟା, ସେମାନେ, ହଁ, ହଁ, ତା’ ତେଲ ସେମାନେ ମୁଣ୍ଡରେ ଲଗାନ୍ତି ।”

•••

 

କିନ୍ତୁ ଚାଲକାଡ଼ଠାରୁ ରାଞ୍ଚି ପର୍ଯ୍ୟନ୍ତ ଖୁଣ୍ଟି, ତାମାର, ବନଗାଁ, କୋଚାଙ୍ଗ- ଧୁଧୁ ହୋଇ ଜଳିବାକୁ ଲାଗିଲା । ମରହୁରୁ ଲାଷ୍ଟି, ବନଗାଁର ଜଗମୋହନ ପୁଲିସ ପହରାରେ ରହିଲେ ।

ପ୍ରଦେଶ ସରକାର କହିଲେ-“ଗୋଟେ କୋଡ଼ିଏ ବର୍ଷର ପାଗଳ ଟୋକାକୁ ରାଞ୍ଚିର ଅଧିକାରୀମାନେ ଡରୁଛନ୍ତି । ପିଅର୍ସ, ଏତେ କିଛି ନକରିଥିଲେ ଚଳନ୍ତା । ତେବେ ଡରିବାର କ’ଣ ଅଛି?”

ରାଞ୍ଚିରୁ ରିପୋର୍ଟ ଗଲା-ଚାଲକାଡ଼ ଆଉ ଅନ୍ୟ ବସ୍ତିମାନଙ୍କରେ ଭୟଙ୍କର ଜନ ଅସନ୍ତୋଷ ବ୍ୟାପିଛି । ମୁଣ୍ଡାମାନେ କିଛି କହୁନାହାନ୍ତି । ଜମିଦାର ଆଉ ମହାଜନମାନଙ୍କ କଥା ମାନୁ ନାହାନ୍ତି । କ୍ଷେତ-ମଜୁରୀ କରୁନାହାନ୍ତି, ବେଗାରୀ ଦେଉନାହାନ୍ତି । ‘ନଖାଇ ମରିବ’ କହିଲେ କହୁଛନ୍ତି, “ଆମେ କଣ ଦିକୁ ଯେ, ଖାଇବାକୁ ନମିଳିଲେ ଡରିଯିବୁ?”

ପ୍ରଦେଶ ସରକାର ଜାଣିବାକୁ ଚାହିଁଲେ: ଦୁର୍ଭିକ୍ଷ ତ ମାଡ଼ି ଆସିଲାଣି, ଖାଉଛନ୍ତି କଣ?

ଜବାବ ଗଲା: ଘାସ ଦାନାର ଜାଉ । ଯେବେ ମିଳେ ଖାଆନ୍ତି, ନମିଳିଲେ ଖାଆନ୍ତି ନାହିଁ ।

•••

 

ସହସା ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିଚଳିତ ହେଲେ । କି ଅସୁବିଧା ! ଜମିଦାର-ମହାଜନ କ୍ଷୁବ୍ଧ । ମୁଣ୍ଡାମାନେ ଚାଷକାମ କରୁନାହାନ୍ତି । ଧାର ନେଉନାହାନ୍ତି, ଭିକ ମାଗୁନାହାନ୍ତି । ଘାସର ଦାନା ଖାଉଛନ୍ତି । ଘାସଦାନା ସରକାରୀ ଲଗାଣର ଅନ୍ତର୍ଭୁକ୍ତ ନୁହେଁ । ଘଟଣା ଯେମିତି ସାମାନ୍ୟ ଲାଗୁଥିଲା, ସେମିତି ସାମାନ୍ୟ ଘଟଣା ନୁହେଁ ।

ବଡ଼ଲାଟ ସେତେବେଳେ ସିମଳାରେ ଥିଲେ । ଲେଫ୍ଟନାଣ୍ଟ-ଗଭର୍ଣ୍ଣର ଶିମଳାକୁ ଖବର ପଠେଇଲେ: ‘ସରକାର ଧ୍ୟାନ ଦିଅନ୍ତୁ ଯେ ମୁଁ ଏଠି ବାରୁଦର ଗଦା ଉପରେ ଠିଆ ହୋଇଛି ।’

ଶିମଳାରେ ଏଇ ବାର୍ତ୍ତା ପହଞ୍ଚିବା ପରେ ସେଇ ଶୈଳନିବାସରେ ଯେମିତି ହସର ଫୁଆରା ଛୁଟି ଉଠିଲା ! ବାରୁଦର ଗଦା, ମୁଣ୍ଡା କ’ଣ ଜୀବନ୍ତ ବାରୁଦ ! ସେଠି ଦେଶ ଅଛିନା-ପଥର, ପାହାଡ଼, ଜଙ୍ଗଲ ଓ ତା’ଉପରେ ଧରିତ୍ରୀର ଦେଶ । ଫସଲ ହୁଏ ମୁଣ୍ଡାମାନଙ୍କ ଜମିରେ । ସେଇଟା ପୁଣି ଆବଶ୍ୟକତା ପୂରଣପାଇଁ ନୁହେଁ ।

ଏଇ ଦେଶ କ’ଣ ସୁଜଳା-ସୁଫଳା ଦେଶ ! ସେମାନେ କେମିତିକା ଆଦିବାସୀ ! ପ୍ରାୟ ନଗ୍ନ, ଶରୀରର ରଙ୍ଗ କୋଇଲାଠାରୁ ବି କଳା, ଗୋଟେବେଳା ଘାସର ଦାନା ରାନ୍ଧି ଖାଆନ୍ତି, ଶରୀରରେ ବଳ ନାହିଁ, ଡରୁଆ ଭୀରୁ ! ତାଙ୍କୁ ପୁଣି ପ୍ରଦେଶ ସରକାରର ଭୟ !

ବଡ଼ଲାଟ କଥାଟାକୁ ଉଡ଼େଇ ଦେଲେ । ଲେପ୍ଟେନାଣ୍ଟ ଗଭର୍ଣ୍ଣର ପିଅର୍ସର ରିପୋର୍ଟ ଦେଖି ପଠେଇ ଦେଲେ ।

ପିଅର୍ସ ଜଣାଇଲା, ସେ ଏଥିଲାଗି ନିଶ୍ଚିତ ଯେ ବିର୍ସାର ଆନ୍ଦୋଳନ ଆଉ ସର୍ଦ୍ଦାରଙ୍କ ମୁଲକ ଲଢ଼େଇ ଏକ ଆଉ ଅଭିନ୍ନ । ଦ୍ୱିତୀୟତଃ, ପ୍ରଥମ ଥର ଯେଉଁ ହେଡ଼୍‍-କନେଷ୍ଟବଲ୍ ବିର୍ସାକୁ ଧରିବାକୁ ଯାଇଥିଲା, ତା’ର କହିବା ଅନୁସାରେ-ମୁଣ୍ଡା ଜନତାଦ୍ୱାରା ବିର୍ସାର ବିରୁଦ୍ଧରେ କୌଣସି କାମ କରାଯାଇପାରିବ ନାହିଁ । ତା’ର ବିଶ୍ୱାସ ବିର୍ସା ସେମାନଙ୍କପାଇଁ ଭଗବାନ୍ । ତୃତୀୟତଃ, ଗୀର୍ଜାର ମିଶନାରୀମାନେ କହିଥିଲେ, ବିର୍ସାକୁ ଛାଡ଼ିଦେଲା ପରେ ରାଞ୍ଚି ଓ ଚାଇଁବସାରେ ଅଶାନ୍ତି ବ୍ୟାପିଯିବ-। ବିର୍ସା ଥରେ କହିଥିଲା ମୁଣ୍ଡା ଲୋକମାନେ ମୃତ୍ୟୁର ପରୱା ନକରି ଲଢ଼େଇରେ ଛିଡ଼ା ହୋଇପଡ଼ିବା ଅଦ୍ଭୁତ ନୁହେଁ ।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ଚାହିଁଲେ, ବିର୍ସା ସମ୍ବନ୍ଧରେ ମୁଣ୍ଡା ଲୋକଙ୍କ ମନରେ ଅବିଶ୍ୱାସ ଓ ସନ୍ଦେହ ଉପୁଜାଇବାର ଉପାୟ କ’ଣ?

 

ପିଅର୍ସ କହିଲା: ଡାକ୍ତରଙ୍କଦ୍ୱାରା ବିର୍ସା ପାଗଳ ହେବାର ଘୋଷଣା କରିଦିଅନ୍ତୁ ।

ରାଞ୍ଚିର କମିଶନର ଡାକ୍ତର ରାଜର୍ସକୁ ଡକାଇଲେ ।

ରାଜର୍ସ କହିଲେ- ଆପଣ ଯେମିତି କହିଲେ, ସେହିପରି ସାର୍ଟିଫିକେଟ ମୁଁ ଲେଖିପାରିବି ନାହିଁ ।

- “କାହିଁକି?”

- “ବିର୍ସା ପାଗଳ ନୁହେଁ ।”

- “କ’ଣ?”

- “ବିର୍ସା ପାଗଳ ନୁହେଁ ।”

- “କିନ୍ତୁ ସିଏ କହୁଛି, ସିଏ ଭଗବାନ୍ ।”

ରାଜର୍ସ କ୍ଷୁବ୍ଧ ହୋଇ ଉଠିଲା । ଶୁଖିଲା ଗଳାରେ କହିଲା-“ଏଇଟା ୟୁରୋପ ନୁହେଁ । ପ୍ରାଚ୍ୟଦେଶ । ଯୀଶୁ ବି ପୂର୍ବବାସୀ ଥିଲେ । ସିଏ ବି ନିଜକୁ ଅଲୌକିକ ଶକ୍ତିଯୁକ୍ତ ମାନୁଥିଲେ ।”

 

- “ଯୀଶୁ ସହିତ ବିର୍ସାର ତୁଳନା ଆପଣ କରୁଛନ୍ତି?”

- “ନା । ମୁଁ କହୁଛି ଯୀଶୁଙ୍କୁ କେହି ପାଗଳ ଭାବିନଥିଲେ । କୌଣସି ମନୁଷ୍ୟ ଅଲୌକିକ ଶକ୍ତିସମ୍ପନ୍ନ ହେବାର ଅର୍ଥ ନୁହେଁ ଯେ ସିଏ ପାଗଳ । ତା ଛଡ଼ା ତା ସହ କଥାହେଲା ପରେ ସେ ସମ୍ପୂର୍ଣ୍ଣରୂପେ ସାଧାରଣ, ତାର ବୁଦ୍ଧି ଅଛି ଓ କଥାରେ ମଧ୍ୟ ଦମ୍ ଅଛି ।”

 

- “ତେବେ ସେ ମୁଣ୍ଡାମାନଙ୍କୁ ଉତ୍ତେଜିତ କାହିଁକି କରୁଛି? ସେ କ’ଣ ଜାଣିନାହିଁ, ଏହାର ପରିଣାମସ୍ୱରୂପ ମୁଣ୍ଡାମାନେ ଅସୁବିଧାରେ ପଡ଼ିବେ?”

ରାଜର୍ସ ଧୀରେ କହିଲେ-“କମିଶନର, ଆପଣ କିମ୍ବା ମୁଁ ମୁଣ୍ଡା ନୋହୁଁ । ବିର୍ସା ବୋଧେ ମୁଣ୍ଡାମାନଙ୍କ ଉପରେ କିଛି ବିପଦର ଆଶଙ୍କା କରୁଥିବ । ସେମାନେ ଜମି-ଘରଦ୍ୱାର-ଗାଈବଳଦ-ସବୁ ଗୋଟି ଗୋଟି କରି ହରାଇଛନ୍ତି । ଆମଦ୍ୱାରା ସୃଷ୍ଟ କାନୁନ୍ ଯୋଗୁଁ ତାଙ୍କ ଜମି ଅନ୍ୟମାନେ ଅଧିକାର କରିନେଇଛନ୍ତି ।”

- ‘କାନୁନ୍ ମୁଣ୍ଡା ଓ ଅନ୍ୟ ଲୋକ ମଧ୍ୟରେ ଭେଦଭାବ ଦେଖେନା ।”

- “ସେଇଟା ତ ଲେଖାପଢ଼ାର କଥା । କାମରେ ଆସେ ନାହିଁ । ଏଇଟା ସବୁଠାରୁ ଭଲଭାବେ ଜାଣନ୍ତି ଆପଣ । ମୁଣ୍ଡାମାନେ ହିନ୍ଦୀ, ବଙ୍ଗାଳୀ, ଇଂରାଜୀ ଜାଣନ୍ତି ନାହିଁ । ନ୍ୟାୟାଧୀଶ କେବେ ମୁଣ୍ଡା ସହ ହିନ୍ଦୀରେ କଥାହୁଏ ନାହିଁ । ଦୋଭାଷୀ ଲାଞ୍ଚ ନେଇ ମନଇଚ୍ଛା ମିଛ କଥା କହିଦିଏ । ତାପରେ ମୁଣ୍ଡାକୁ ହୁଏ ବର୍ଷେ-ଦି ବର୍ଷ ଜେଲ୍‌, ଏମିତି ସବୁବେଳେ ହୁଏ ।”

- “ଗଡ଼୍ ।”

“ବିର୍ସାର ଯଦି ମନେହେଉଛି ଯେ ଇଂରେଜୀ ଶାସନରେ ମୁଣ୍ଡାମାନେ କଷ୍ଟ ଭୋଗୁଛନ୍ତି, ତେବେ ମୁଁ ତାକୁ ଦୋଷ ଦେଇପାରିବି ନାହିଁ ।”

 

“ହ୍ୱାଟ୍ ଆର୍ ୟୁ ଟକିଂ? ଆପଣ କ’ଣ କହୁଛନ୍ତି?”

- “ଜଣେ ବିଶ୍ୱସ୍ତ କର୍ମଚାରୀ, ଇଂରେଜଭାବେ ମୁଁ ତାକୁ ସମର୍ଥନ କରିନପାରେ, କିନ୍ତୁ ଦୋଷ ମଧ୍ୟ ଦେଇପାରିବିନି । ବିର୍ସା ନିଜ ଜଙ୍ଗଲବାସୀ ସାଥୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି । ଏବେ ଏହା ପ୍ରଥମ ଥରପାଇଁ ଦେଖାଯାଉଛି ଯେ ମୁଣ୍ଡା, ମୁଣ୍ଡା ହୋଇ ଜନ୍ମ ହେବାରୁ ଖୁସି ଅନୁଭବ କରୁଛି । ନହେଲେ ଆଗରୁ ମୁଣ୍ଡା ନିଜକୁ ଦୋଷ ଦେଉଥିଲା, ଦୁଃଖୀ ହେଉଥିଲା ।

- “ଆପଣ ମଧ୍ୟ କ’ଣ ତା’ର ତନ୍ତ୍ରମନ୍ତ୍ରରେ ବଶୀଭୂତ ହୋଇଗଲେ !”

- “ଆପଣ ମଧ୍ୟ ତା ସହିତ ଦିନ-ଦିନ ଧରି କଥାହେଲେ ତାର କଥାରେ ମୁଗ୍ଧ ହୋଇଯିବେ-।”

- “ଆଉ ଆପଣ ମେନ୍ ଅଫ୍ ସାଇନ୍ସ...!”

- “ଏଇଥିପାଇଁ ତ ମୁଁ ତାକୁ ପାଗଳ କହିପାରିବିନି ।”

- “ତାହାହେଲେ ସାମାନ୍ୟ ଅପରାଧୀ ପରି ତାର ବିଚାର କରିବାକୁ ହେବ ।”

- “ସେଇଟା ଆପଣଙ୍କର ଭାବନା । କିନ୍ତୁ..... ।”

- “କ’ଣ?”

- “ବିଚାର କରିବାରେ ଡେରି କରିବେ ନାହିଁ । ସମ୍ଭବ ହେଲେ ମୁଣ୍ଡାରୀ ଜାଣିଥିବା ଜଣେ ଲୋକ, ଯିଏ ମୁଣ୍ଡାଙ୍କୁ ପଶୁ ଭାବିବନି, ତାହାଦ୍ୱାରା ବିଚାର କରିବେ ।”

ରାଜର୍ସ ବିଦାୟ ନେଲା । କମିଶନର ସେତେବେଳେ ନିଶ୍ଚୟ କଲା: ରାଜର୍ସକୁ ଶୀଘ୍ର ବଦଳି କରିବାକୁ ହେବ ।

କମିଶନର ପତ୍ତା ଲଗେଇଲା ଜେଲର କର୍ମଚାରୀ ମଧ୍ୟରେ କିଏ ଭଲ ମୁଣ୍ଡାରୀ ଜାଣେ । ଶୁଣିଲା, ମେଡ଼ିକାଲ ଆସିଷ୍ଟାଣ୍ଟ ଅମୂଲ୍ୟ ବାବୁ ଜାଣନ୍ତି । ମେଡ଼ିକାଲ ସ୍କୁଲର ପିଲା-ତରୁଣ ବଙ୍ଗାଳୀ-ଡାକ୍ତର ଅମୂଲ୍ୟ ବାବୁ !

ତାକୁ ନେଇ ବିର୍ସା ସହ ଦେଖା କରିବାକୁ କମିଶନର ଗଲେ । ବିର୍ସାର କୋଠରୀରେ ଚୌକି ନେଇ ବସିଲେ । ବିର୍ସା ଅମୂଲ୍ୟ ବାବୁକୁ ଦେଖିଲା । ତା’ଓଠରେ ହାଲ୍‌କା ହସର ଜୁଆରଟି ନାଚି ଉଠିଲା ।

କମିଶନର କହିଲେ: “ପଚାର, ସିଏ ମୁଣ୍ଡାମାନଙ୍କୁ କାହିଁକି ଉତ୍ତେଜିତ କରେ?”

ଅମୂଲ୍ୟବାବୁ କିଛି କହିବା ପୂର୍ବରୁ ବିର୍ସା କହିଲା: “ମୁଁ ମୁଣ୍ଡାମାନଙ୍କୁ ଉତ୍ତେଜିତ କରିନାହିଁ?”

- “ଏ କ’ଣ? ତୁମେ ଇଂରାଜୀ ଜାଣ ।”

- “ମୋ ଫାଇଲ୍‌ରେ ବୋଧେ ଏଇଟା ଲେଖାଯାଇନି ।”

- “ଲେଖାଅଛି, ମାମୁଲି ଭାବେ ଜାଣ ।”

- “ଠିକ୍ ଲେଖାଅଛି ।”

- “ସେତେବେଳେ ଡାକ୍ତରକୁ କାହିଁକି କହିଥିଲ, ନା, ନା, ସେ ନିଜେ କହିଥିଲେ ଯେ, ମୁଣ୍ଡାରୀ ଜାଣିଥିବା ନ୍ୟାୟାଧୀଶ ଦରକାର?”

 

- “କାହିଁକି ନ କହିବେ?”

- “ତମେ ତ ଇଂରାଜୀ ଜାଣିନେବ ।”

- “ବୋଧେ ମୋ ଉପରେ ଏକେଲା ମୋକଦ୍ଦମା ହେବ!”

କମିଶନର ଚୁପ୍ ରହିଲେ । ବିର୍ସାକୁ କେତେ ଜଣା, କେତେ ଜଣା ନାହିଁ । ଅନ୍ୟକଥା ଉଠାଇଲେ ।

 

- “ଚାଲକାଡ୍‍ରେ ତମେ କ’ଣ କଲ?”

- “କ’ଣ କଲି?”

- “ମୁଣ୍ଡାମାନଙ୍କୁ ଉତ୍ତେଜିତ କରୁଥିଲ ।”

- “ଧର୍ମ କଥା କହୁଥିଲି ।”

- “ଧର୍ମକଥା କହିବାକୁ ତମେ କିଏ?”

- “ମୁଁ ସେମାନଙ୍କ ଭଗବାନ ।”

- “ତୁମେ ନିଜେ ଜାଣିଛ, ଏହି କଥା ସତ୍ୟ ନୁହେଁ ।”

- “ତେବେ ସତ୍ୟ କ’ଣ?”

- “ତୁମେ ଭଗବାନ୍ ନୁହଁ, ତୁମେ ଧର୍ମ କଥା କହୁନାହିଁ, ବିଦ୍ରୋହପାଇଁ ସେମାନଙ୍କୁ ଉସୁକାଉଛ ।”

 

- “ମୁଁ ଭଗବାନ୍ । ସେମାନଙ୍କୁ ଧର୍ମକଥା କହେ ।”

- “ଯଦି ଭଗବାନ୍‌, ତେବେ ଜେଲ୍‌ରେ ରହିପାରିବ ନାହିଁ?”

- “ନା ।”

- “ଯୀଶୁ ବନ୍ଦୀ ହୋଇନଥିଲେ? ତାଙ୍କ ଉପରେ ମକଦ୍ଦମା ହୋଇନଥିଲା? ତାଙ୍କୁ ମୃତ୍ୟୁଦଣ୍ଡ ମିଳିନଥିଲା?”

 

- “ତୁମେ ପାଗଳ, ବିଶ୍ୱାସଘାତକ, ମୂର୍ଖ ।”

- “ଏଇଟା ତ’ ମୋର ଜବାବ ନୁହେଁ?”

- “ତୁମର ଜବାବ ଦେବାପାଇଁ ମୁଁ ବାଧ୍ୟ ନୁହେଁ ।”

- “ତେବେ ଆମେ କି କଥା ହେଉଛେ?”

- “ମୁଁ ପ୍ରଶ୍ନକରିବି, ତୁମେ ଜବାବ ଦେବ ।”

- “ମୁଁ ଜବାବ ଦେବାପାଇଁ ବାଧ୍ୟ ନୁହେଁ ।”

- “ମୁଁ କିନ୍ତୁ ତୁମକୁ ପ୍ରମାଣିତ କରିଦେବି, ତୁମେ ମୂର୍ଖ, ଠକ, ବିଶ୍ୱାସଘାତକ ।”

- “ଠିକ୍ ଅଛି ।”

- “ତୁମର ପକ୍ଷ ସମର୍ଥନପାଇଁ ତୁମକୁ ଓକିଲ ମଧ୍ୟ ମିଳିବେ ।”

- “ଓକିଲ?”

- “ହଁ, ଓକିଲ ।”

- “ମୋର ଦରକାର ନାହିଁ ।”

- “କାହିଁକି ?”

- “ଓକିଲ ମିଳିଲେ ବି ମୁଣ୍ଡା ଜେଲ୍ ଯାଏ । ଜୀବନ ସାରା ଦେଖିଛି । ଓକିଲ ନମିଳିଲେ କ’ଣ ହୁଏ ଦେଖିବି । ପରିଣାମ ଗୋଟିଏ, ତେବେ ଓକିଲ ରଖିବି କାହିଁକି?”

•••

 

କମିଶନର ବାହାରିଗଲେ । ଅମୂଲ୍ୟ ବାବୁ ମଧ୍ୟ ମୁଣ୍ଡ ନୁଆଇଁ ବାହାରିଗଲେ ।

କମିଶନର କହିଲେ-“ଲୁକ୍ ଆଫ୍‌ଟର ହିମ୍‌, ବାବୁ । ତା ଉପରେ ଦୃଷ୍ଟି ଦେବ ।”

- ‘ୟେସ୍ ସାର୍ ।’

- “ବଦମାଶ, ବେପରୁଆ । ତାକୁ କାଠଘରାରେ ବାନ୍ଧିବି, ଦେଖେଇଦେବି ସେ ବିଶ୍ୱାସଘାତକ । ଦେଖ, ବେମାର ପଡ଼ିନଯିବ ଯେମିତି । କେମିତି ଦୁଃସାହସ, ହୁଁ !”

ଅମୂଲ୍ୟବାବୁ କିଛି କହିଲେ ନାହିଁ । ପରେ ରାତିରେ ବିର୍ସାର କୋଠରୀକୁ ଗଲେ ।

- “କାହିଁକି ଆସିଲ?”

- “ତମକୁ ଦେଖିବାକୁ ।”

- “କାହିଁକି?”

- “ତୁମେ ଯେପରି ରୋଗରେ ନପଡ଼, ଏଇଟା ମୋର ଡ୍ୟୁଟି ।”

ଅମୂଲ୍ୟ ବିର୍ସାର ହାତ ଧରି ପକାଇଲେ । ବିର୍ସା କହିଲା-“ମତେ ଛୁଅଁନା, ଛୁଅଁନା । ତୁମେ ଦିକୁ ।”

 

- “ନା, ବିର୍ସା, ନା ।”

- “ତୁମେ ଦିକୁ ।”

- “ନା ।”

- “କେଉଁଥିପାଇଁ ଦିକୁ ହେଲ? ଖାଇବାପାଇଁ, ପିନ୍ଧିବାପାଇଁ, ପାଲ୍‌କି ଚଢ଼ିବ, ଟମ୍‌ଟମ୍ ଚଳାଇବ, ରାୟ ସାହେବ ହେବ? ଏଇଥିପାଇଁ ।”

 

- “ନା ।”

- “ମୋ ସହିତ କଥା ହେବନାହିଁ, ମୁଁ ବି କଥା ହେବି ନାହିଁ । ତୁମେ ଯେଉଁ ବିର୍ସାକୁ ଜାଣ ମୁଁ ସିଏ ନୁହେଁ, ମୁଁ ଯେଉଁ ଅମୂଲ୍ୟକୁ ଜାଣେ ତୁମେ ସିଏ ନୁହଁ ।”

- “ନା, ବିର୍ସା । ତୁମେ ସେମିତି ଅଛ । ତୁମେ ଦିନେ ବଡ଼ ହେବ, ମୁଁ ଜାଣିଥିଲି ।”

- “ଗୋଟେ ଉପକାର କରିବ?”

- “ତୁମର? କୁହ ବିର୍ସା, କେମିତି ଉପକାର?”

- “ସରକାର କଣ କଣ ବ୍ୟବସ୍ଥା କରିଛି କହିପାରିବ? ମୁଁ ଜାଣେ, ସରକାର ବ୍ୟବସ୍ଥା କରିବ-।”

- “କରିବି । ତିନି ଚାରିଦିନ ଲାଗିବ ।”

- “ଠିକ୍ ଅଛି ।”

- “ଶୁଣିଛି, ଖୁବ୍‍ଶୀଘ୍ର ନ୍ୟାୟ ହୋଇଯିବ ।”

- “ନା ।”

ବିର୍ସା ଧୀରେ କହିଲା, ମୁଣ୍ଡ ହଲେଇଲା, କମ୍ବଳ ଟାଣି ଚିତ୍ ହୋଇ ଶୋଇପଡ଼ିଲା । ତାର ପ୍ରତ୍ୟେକ ଭଙ୍ଗିମା, ମୁଣ୍ଡ ହଲେଇବା, ଦେଖିବା, ଆଙ୍ଗୁଳି ନଚେଇବା, ସବୁଥିରେ ଅପାର ଆତ୍ମବିଶ୍ୱାସ, ସ୍ଥିରତା, ବ୍ୟକ୍ତିତ୍ୱ ଆଉ-ଆଉ ଅନ୍ୟ ଏକ ଜୀବନ, ସେଇ ଜୀବନରେ କେତେ ସାମର୍ଥ୍ୟ, ସିଏ ଜାଣେ ।

ଅମୂଲ୍ୟ ବାବୁ ମୁଗ୍ଧ ହେଉଥିଲେ ଅଭିଭୂତ ହେଉଥିଲେ । କାହିଁକି ଅଭିଭୂତ ହେଉଥିଲେ? ଇଏ ତ ବିର୍ସା, ସେଇ ବିର୍ସା ଦାଉଦ । ହତଭାଗା ଗରିବ ସୁଗାନା ମୁଣ୍ଡାର ପୁଅ । ପଢ଼ିବ, ତେଣୁ ଚାଇଁବାସା ମିଶନ୍ ଯାଇଥିଲା । ମୁଠା ମୁଠା ଚାଉଳ ନେଇ ଭାତ ଖାଉଥିଲା । କମିଜ୍‌, ପ୍ୟାଣ୍ଟ କେମିତି ପିନ୍ଧନ୍ତି ଜାଣି ନଥିଲା-ଅମୂଲ୍ୟ ବାବୁ ତାକୁ ଚଢ଼େଇ ପରି ଶିଖଉଥିଲେ ।

ମିଶନ୍ ଛାଡ଼ିଲା ପରେ ବିର୍ସା କେତେ ରାସ୍ତା ପାରିହୋଇ ଆସିଛି? କେମିତି ସେ ମୁଣ୍ଡାମାନଙ୍କୁ ଭରସା ଦେଇଛି? ବିଶାଳ ଇଂରେଜ ସାମ୍ରାଜ୍ୟର ସୂର୍ଯ୍ୟକୁ ଧରିବାପାଇଁ ସେଇମାନେ ଆକାଶ ମାର୍ଗକୁ ବି ଲମ୍ଫ ଦେବାକୁ ପ୍ରସ୍ତୁତ ।

ବିର୍ସା ପୁଣି କହିଲା: “ଝଟପଟ ଫଇସଲା ହେବ ନାହିଁ । କେବେ ହୋଇଛି? ନା କରିଛି, ନା କରୁଛନ୍ତି, ନା କରିବେ ।”

 

- “ତୁମେ ଜାଣିଛ, ମକଦ୍ଦମାରେ ଡେରି କରିବେ? ବିର୍ସା, ବିର୍ସା ତୁମେ କ’ଣ ପ୍ରକୃତରେ ପ୍ରୋଫେଟ୍‌?”

ବିର୍ସା ଆଖିରେ ହାତ ରଖିଲା । କହିଲା-“ମୁଣ୍ଡା, କୋହ୍ଲ, ଓରାଂମ, ସର୍ଦ୍ଦାରମାନଙ୍କର ଫଇସଲା କେବେ ଜଲ୍‌ଦି ହୋଇଛି? ଜେଲ୍‌ରେ ରଖିଦେବେ । ପ୍ରମାଣ ମିଳୁନି, ରିପୋର୍ଟ ପ୍ରସ୍ତୁତ ହୋଇନି, କୈଦୀର ମାନସିକ ଅବସ୍ଥା ଭଲ ନାହିଁ ଏସବୁ ସାଧାରଣ କଥା । ତେଣୁ ମୋର ଫଇସଲାରେ ବି ଡେରି ହେବ । ଏହା ଜଣା କଥା ବୋଲି କହିଲି, ଏଇଥିପାଇଁ ଯଦି ମୋତେ ପ୍ରୋଫେଟ୍‍ କୁହ ତେବେ ପ୍ରୋଫେଟ୍ କିନ୍ତୁ... ।”

- “କ’ଣ?”

- “ମୁଁ ମୁଣ୍ଡାମାନଙ୍କର ଭବିଷ୍ୟତ ଜାଣେ, ମନେରଖ । ମୁଁ ଜାଣେ, ଆଉ କିଏ ଜାଣେ ନାହିଁ-।”

 

ଅମୂଲ୍ୟବାବୁ ବୁଝିପାରିଲେନି ବିର୍ସା କ’ଣ କହିବାକୁ ଚାହେଁ । ଯେଉଁମାନଙ୍କର ବର୍ତ୍ତମାନ ନାହିଁ, କେବଳ ଅତୀତ, ତାଙ୍କର ଭବିଷ୍ୟତ କେମିତି ହେବ? ଅତୀତ-ବର୍ତ୍ତମାନ-ଭବିଷ୍ୟତ -କ’ଣ ଏକ ଅପର ଉପରେ ନିର୍ଭରଶୀଳ ନୁହେଁ ।

ବିର୍ସା କହିଲା-“ମତେ କହିଯିବ ।”

ବିର୍ସାକୁ ଯେତେବେଳେ ପ୍ରଥମଥର ଧରିବାକୁ ଆସି ପୋଲିସ ଫେରିଯାଇଥିଲେ, ସେତେବେଳୁ ହିଁ ଅଶାନ୍ତି ଓ ବିକ୍ଷୋଭ ପୁନ୍ଧୁଆ ହୋଇ କୁହୁଳୁଥିଲା । କାଠ-କବାଡରେ ଲାଗିଥିବା ନିଆଁ ରହି -ରହି ଜଳୁଥିଲା । ଆଉ ଅନୁକୂଳ ପବନ ପାଇ ତାହା କେତେବେଳେ ହେଲେ ଦାବାନଳ ହୋଇଯାଇପାରେ ।

ସେଇ ସମୟରେ ମୁଣ୍ଡାମାନଙ୍କର ଗ୍ରାମ ପଞ୍ଚାୟତରେ ଜୋର୍‌ରେ ଆଲୋଚନା ଚାଲୁଥିଲା । ହାୱା ଗରମ....ବହୁତ ଗରମ । ପିଅର୍ସ କିମ୍ବା ଲାଷ୍ଟି ଏହି କଥା ଭଲ ଭାବେ ଜାଣି ନଥିଲେ ।

ଯେଉଁମାନେ ଗାରୁଆ ଆଉ ସର୍ଦ୍ଦାରମାନଙ୍କର ଲଢ଼େଇ ଲଢ଼ିଥିଲେ, ସେ ସବୁ ମୁଣ୍ଡା କହୁଥିଲେ: ‘କେଉଁଦିନ ହେଲେ ମୁଣ୍ଡାମାନଙ୍କୁ ଠିକ୍ ଫଇସଲା ମିଳିଲା ନାହିଁ, ମିଳିଲା ନାହିଁ । ଦେଖ, ବିର୍ସା ଭଗବାନ୍ ଯେଉଁ କଥା କହିଥିଲେ, ସେଥିରେ ଏହିକଥା ନଥିଲା?’

- “କ’ଣ?”

- “ରାଜା, ଜମିଦାର, ଦିକୁ, ରାଜପୁତ, ଅହୀର, ବ୍ରାହ୍ମଣ, ଗୋସାଇଁ-ସମସ୍ତେ ସରକାର ସଙ୍ଗେ ମିଶିଛନ୍ତି ।”

 

- “ହଁ, ଏଇକଥା ତ ଭଗବାନ କହିଥିଲେ ।”

- “ମୁଣ୍ଡାମାନଙ୍କ ବିରୁଦ୍ଧରେ ଯାହାହୁଏ, ସବୁଥିରେ ସରକାର ମିଶନାରୀ, ରାଜା ଓ ଜମିଦାରମାନଙ୍କୁ ସାହାଯ୍ୟ କରିଛି ।”

- “ହକ୍ କଥା ।”

- “ମୁଣ୍ଡାମାନଙ୍କର ଲଗାଣ ବଢ଼ୁଛି ।”

- “ସତ କଥା ।”

- “ଅଦାଲତ ସାହୁକାରମାନଙ୍କର ପକ୍ଷରେ । ବହୁତ ନିବେଦନରେ ସାହେବ ମୁଣ୍ଡା ଦେଶକୁ ଆସେ ।”

 

- “ଖାଇ-ଶିକାର କରି ଚାଲିଯାଏ ।”

- “ହଁ, ଚାଲିଯାଏ ।”

- “ଫଇସଲା କରନ୍ତି ଦିକୁ, ବାବୁ ।”

- “ବାବୁ !”

- “ସେମାନେ ଜମିଦାରଙ୍କ ଅମାରରେ ଧାନ ଭରନ୍ତି, ଫଇସଲା, ବିଚାର କରନ୍ତି ।”

- “ସେମାନେ ହିଁ ବିଚାର କରନ୍ତି ।”

- “ଦାରୋଗା କ’ଣ ହିସାବ କରେ ନାହିଁ । ଆସେ, ମୁଖିଆର କଥା ଶୁଣି ଟଙ୍କା କମାଏ ।”

 

- “ସତକଥା ।”

- “କିନ୍ତୁ, ଏମିତି ଚଳିବନି ।”

- “ଚଳିବନି !”

- “ଝଡ଼ ଉଠିବ, ସେଇ ଝଡ଼ ସରକାରକୁ ଉଡ଼େଇ ନେଇଯିବ, ଭଗବାନ୍ କହିଛନ୍ତି ।”

 

- “ସତ କଥା ।”

ବିର୍ସା ଜାଣିନଥିଲା, ତା’ର ପ୍ରଥମ ଗିରଫଦାରୀରେ ପଞ୍ଚାୟତରେ ଏକଥା ଚାଲିଛି । ‘ଭଗବାନ କହିଛନ୍ତି’- କହି ଏଇକଥା ଯେଉଁମାନେ କହୁଥିଲେ, ସେମାନେ ବହୁ ଲଢ଼େଇରେ ଆହତ ପ୍ରବୀଣ ଯୋଦ୍ଧା ଥିଲେ । ବିର୍ସା ବିଲ୍‌କୁଲ ଜାଣିନଥିଲା, ଏହା କରିବା ଠିକ୍ ହେବ ନାହିଁ । କିଛି କିଛି ତା’ କାନରେ ବି ପଡ଼ିଥିଲା । କିନ୍ତୁ ଜଙ୍ଗଲରେ ଝଡ଼ ଉଠିବା ପରେ ଗଛପତ୍ର ଗୋଟେ ସବୁ ମିଶି ପବନ ବତାସରେ ପଡ଼ି ଚକ୍କର ଖାଇ ଯାଉଥିଲେ । ସେଇ ଭଉଁରୀରେ ଶାଳ ଓ ପିଆଶାଳରେ ପ୍ରଭେଦ ଜାଣିବା କଷ୍ଟ । ମୁଣ୍ଡା ଜୀବନରେ ଯେଉଁ ଝଡ଼ ଉଠିଲା, ସେଇ ଝଡ଼ରେ ମୁଣ୍ଡା ଜୀବନର ପ୍ରବଞ୍ଚନାର ଲକ୍ଷେ, ହଜାରେ କଥା ଉଡ଼ିଯାଏ ।

କୋଉଟା ବିର୍ସାର କଥା ଆଉ କୋଉଟା ସର୍ଦ୍ଦାରର, ଏଇଟା ଜାଣିବା କଷ୍ଟ । ଆଉ ସମୟ ବୁଝି, ପ୍ରହର ବୁଝି କଥା ଚଳେଇ, ନିଆଁ ଲଗେଇବାରେ ସର୍ଦ୍ଦାରମାନେ ପାରିବାର-ଚତୁର । ବିର୍ସା ତରୁଣ । ଆଉ କହିବାରେ ବିର୍ସାର କଥା ବି ବେଶୀ । ତାକୁ କେବେ ବନେଇଚୁନେଇ କହିବାର କିଏ ଦେଖିନାହିଁ ।

ଏସବୁ ଆଗରୁ ହୋଇଗଲା । ତାପରେ ବିର୍ସା ଗିରଫଦାର ହେଲା । ଏବେ ଅମୂଲ୍ୟବାବୁ ଖବର ଆଣିଲେ, ଖୁଣ୍ଟି ଆଉ ତାମାରଠାରେ ଥାନାରେ ଅତିରିକ୍ତ କନେଷ୍ଟବଲ ପହରା ଦେଉଛନ୍ତି । ଜଗମୋହନ ସିଂହ ଆଉ କୋରଙ୍ଗ୍‌ର ପହରା ଦେବାପାଇଁ, କଣ ହେବ ନହେବ ଏଇଥିପାଇଁ ଦୃଷ୍ଟି ଦେବାକୁ ଡିଷ୍ଟ୍ରିକ୍ଟ ରିଜର୍ଭ ଫୋର୍ସର ଚାଳିଶ ଜଣ ସିପାହୀ ବନ ଗାଁ ପଠାଯାଇଛି ।

ରେଭେରେଣ୍ଡ ଲାଷ୍ଟିଙ୍କ ସୁରକ୍ଷାପାଇଁ ଗୋଟେ ବାହିନୀ ଡିଟେଚ୍‌ମେଣ୍ଟ ମୁରୁହୁ ପଠାଗଲା । ରାଞ୍ଚିର ଡେପୁଟୀ କମିଶନର ସେନାବାହିନୀର ଗୋଟେ କମ୍ପାନୀ ମାଗିଥିଲେ । ତାଙ୍କର ଭୟ ଥିଲା ବିକ୍ଷୁବ୍ଧ-ବିଦ୍ରୋହୀ ମୁଣ୍ଡାମାନେ ସିଂହଭୂମିକୁ ଅତିକ୍ରମ କରି ଅନ୍ୟତ୍ର ବି ବିଦ୍ରୋହର ନିଆଁ ଖେଳାଇ ନେବେ ।

ରାଞ୍ଚିର କମିଶନର ଏଇ ପ୍ରସ୍ତାବକୁ ରଦ୍ଦ କରିଦେଇଥିଲେ । କହିଥିଲେ ଚାଲକାଡ଼ ଓ ଅନ୍ୟ ଗାଁମାନଙ୍କରେ ପାଞ୍ଚ ମାସ ଯାଏଁ ସ୍ପେଶାଲ୍ ଫୋର୍ସ ମୁତୟନ ରଖାଗଲେ ଅଶାନ୍ତି ଆହୁରି ବଢ଼ିବ । ମୁଣ୍ଡାମାନଙ୍କର ଗାଁ ବୋଇଲେ ଦୁଇ ତିନୋଟି ଘରକୁ ନେଇ ଗୋଟିଏ ଗାଁ । ଚାରିଆଡ଼େ ଛିନ୍ନଛତ୍ର । ଗାଁରେ ରହୁଥିବା ଲୋକେ ନିହାତି ଗରିବ । ନିଜ ପେଟକୁ ଦାନା ନାହିଁ, ସେମାନଙ୍କ ଗାଁମାନଙ୍କରେ ସ୍ପେଶାଲ୍ ଫୋର୍ସ ମୁତୟନ ରହିଲେ ଖର୍ଚ୍ଚ ସମ୍ଭାଳିବା ସେମାନଙ୍କ ଶକ୍ତି ଭିତରେ ନାହିଁ । ପୁଣି କୌଣସି ମତେ ସେମାନଙ୍କ ଉପରେ ଚାପ ପଡ଼ିଲେ ସର୍ବନାଶ ହେବାର ସମ୍ଭାବନା ଅଛି । ପୁଣି ମୁଣ୍ଡାମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ବିଦ୍ରୋହ- ଏଥିରେ କମିଶନର୍‌ଙ୍କର କୌଣସି ସନ୍ଦେହ ନଥିଲା । ସେ ବିଦ୍ରୋହୀ ମୁଣ୍ଡା ଜାତିର ଉତ୍ତେଜନା ହ୍ରାସ ଓ ସମସ୍ୟା ସମାଧାନର ପନ୍ଥା ଖୋଜୁଥିଲେ । କିଛି ମୁଣ୍ଡା ଗୋଟିଏ ଜାଗାରେ ଏକାଠି ହେଲେ ନିଶ୍ଚୟ କିଛି ନା କିଛି ଘଟିବ । ବିର୍ସାର ସମର୍ଥକମାନେ ନିଶ୍ଚୟ ସଭା ଡାକିବେ । ତରାଇପଟିର ମୁଖିଆ ସର୍ଜୁମୁଡ୍ଡିର ଠାକୁର ଓ ଆଖପାଖର ଜମିଦାରମାନଙ୍କୁ ଜଣେଇ ଦିଆଯାଉଥିଲା, ବିର୍ସା ଲୋକେ ସଭା ଡାକିଲେ ସେଇ ସଭାକୁ କୋହ୍ଲ ବା ମୁଣ୍ଡାମାନେ ଯେପରି ନଯିବେ ତାହା ତଦାରଖ କରିବା ସେମାନଙ୍କ ଦାୟିତ୍ୱ । ଖରସବାନର ଠାକୁର ଓ ସିଂହଭୂମିର କମିଶନରଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଥିଲା ।

•••

 

ଅମୂଲ୍ୟବାବୁ ପୁଣି କହିଲେ: “ବିର୍ସା, ଯେତିକି କଥା ତମକୁ ଜଣାଇ ଦେଲିଣି, ଏଥିପାଇଁ ମୋର ଚାକିରି ଚାଲିଯାଇପାରେ, କିନ୍ତୁ ଏକଥା ତମକୁ ଜଣାଇଦେବା ମୋର ଦାୟିତ୍ୱ ବୋଲି ଭାବୁଛି-।”

- “କାହିଁକି?”

- “ସେ କଥା ଜାଣେନା ।”

- “ଆଉ କିଛି ସୂଚନା ଅଛି?”

- “ଛୋଟଲାଟଙ୍କ ପାଖକୁ ସବୁ ଖବର ଚାଲିଯାଇଛି ।”

- “ସେ ବି ଜାଣିଲେଣି ।”

- “ହଁ, ତମେ ତ’ ଜାଣ, ଛୋଟଲାଟ ସବୁକିଛି, ସର୍ବେସର୍ବା ନୁହନ୍ତି ।”

- “କାହିଁକି? ତାଙ୍କ ଉପରେ ବି କିଏ ଅଛି ।”

- “ହଁ, ବଡ଼ଲାଟ ।”

- “ବଡ଼ଲାଟ ସବୁରି ଉପରେ !”

- “ଭାରତରେ ସମସ୍ତଙ୍କଠାରୁ ବଡ଼, ସର୍ବେସର୍ବା ।”

- “ସେ କ’ଣ କହୁଛନ୍ତି?”

- “ବଡ଼ଲାଟ, ସେକେଣ୍ଡ ଲାଟ, ଏଲ୍‌ଗିନ୍‌ଙ୍କ ନିକଟତମ ଛୋଟଲାଟ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବ୍ୟତିବ୍ୟସ୍ତତାକୁ ଅଯୌକ୍ତିକ, ଅଯଥାର୍ଥ ଓ ନିହାତି ଅତିରଞ୍ଜିତ ଭାବୁଛନ୍ତି ।”

ଶିମଳା ଓ ଦିଲ୍ଲୀ ବହୁତ ଦୂର-ଖୁଣ୍ଟି, ତାମାର, ରାଞ୍ଚିଠାରୁ ବହୁତ ଦୂର । ଶିମଳା ଭାରତର ଗ୍ରୀଷ୍ମକାଳୀନ ରାଜଧାନୀ । ଶିମଳାର ଲାଟ ସାହେବଙ୍କ ପ୍ରାସାଦର ବିଶାଳ ଇନ୍ଦ୍ରପୁରୀ ସମାନ ମହଲରେ ଯେତିକି ଆଲୋକ ସଜ୍ଜା, ମେଜ ଉପରେ ଯେତେସବୁ ଖାଦ୍ୟ ସାମଗ୍ରୀ ଓ ଜାତି ଜାତିର ମଦ ବୋତଲ, ବଗିଚାରେ ନାନା ଜାତିର ଫୁଲପାଇଁ ଯେତେସବୁ ଆୟୋଜନ, ସେସବୁ ବାବଦରେ ଯେତିକି ଖର୍ଚ୍ଚ, ସେତିକି ଅର୍ଥରେ ମୁଣ୍ଡାମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯାଇପାରେ । ସେଇଠି ବସିଲେ ଜଙ୍ଗଲ ଅବାସ୍ତବ ଲାଗେ-କଳା, ପ୍ରାୟତଃ ଲଙ୍ଗଳା ଲୋକ-ସେମାନଙ୍କର ଜାଉ ଖାଇବା-ସେମାନଙ୍କର ଲୁଣ ମୁଠାଏର ସପନ-ସେମାନଙ୍କ ବିନା ପତ୍ରର ଝୋପଡ଼ି ! ସେକେଣ୍ଡ ଲାଟ ଏଲ୍‌ଗିନ୍ ବୁଝି ପାରୁନଥିଲେ ଗୋଟେ କୋଡ଼ିଏ ବର୍ଷର ଅଧପାଗଳା ମୁଣ୍ଡା ଯୁବକକୁ ନେଇ ଛୋଟଲାଟ ଏତେ ଚିନ୍ତିତ କାହିଁକି? ନାଁ ଟା ବି କେମିତି ଅଖାଡ଼ୁଆ! ବିର୍ସା ମୁଣ୍ଡା ! ଏମିତିଆ ଲୋକ କେଉଁଠି ରହନ୍ତି? କାହିଁକି ଏସବୁ ବର୍ବର, ଅସଭ୍ୟ ନାମ ସରକାରୀ ରିପୋର୍ଟରେ ସ୍ଥାନ ପାଏ? ଏମିତି କାହିଁକି ହୁଏ?

ବିର୍ସା ଅମୂଲ୍ୟବାବ ଠାରୁ ସବୁ ଶୁଣିଲା । ତା’ ନେତ୍ରର ଦୃଷ୍ଟି ଗମ୍ଭୀର ହୋଇ ଉଠିଲା-ସ୍ୱପ୍ନ ଗମ୍ଭୀର ।

 

ବିର୍ସା କହିଲା: “ଥାଉ । ଆଉ କିଛି ମତେ କୁହନା ।”

- “କାହିଁକି ବିର୍ସା, କାହିଁକି?”

- “ତୁମର ରାସ୍ତା, ତୁମର ଜୀବନ-ମୋର ରାସ୍ତା, ମୋ ଜୀବନଠାରୁ ଅଲଗା ।”

- “ଜାଣେ ।”

- “ଝଟପଟ ଭାବିବି, ଏଇ ଗର୍ବୀ କମିଶନର ସମ୍ବନ୍ଧରେ ।”

- “ଜାଣେ ନା ।”

ବିର୍ସା କିଛି ଭାବୁ ଭାବୁ କହିଲା-“ଯାହା ଶିଖିଛି, ସବୁ ଭୁଲିଯିବାକୁ ହେବ । ମତେ ମୁଣ୍ଡାଠାରୁ ଅଧିକ ମୁଣ୍ଡା ହେବାକୁ ହେବ । ତମର ରାସ୍ତା ଅଲଗା ।”

ଅମୂଲ୍ୟ ବାବୁ ବାହାରିଗଲେ ।

କମିଶନର ଯାହା ଚାହିଁଥିଲା, ତାହା ହେଲା ନାହିଁ । ଅଗଷ୍ଟରେ ବିର୍ସାକୁ ଧରି ଆଣିବାକୁ ହେଲା । କେଶ୍ ଆରମ୍ଭ ହେଲାବେଳକୁ ଅଗଷ୍ଟ ଶେଷ ହୋଇଗଲା । ଶେଷରେ ଦିନେ ମୁଣ୍ଡାମାନଙ୍କୁ ଜଣେଇଦେବାକୁ ପଡ଼ିଲା ସେମାନଙ୍କ ସାମ୍ନାରେ ବିର୍ସା ଉପରେ ମକଦ୍ଦମା ଚାଲିବ । ପ୍ରମାଣିତ ହୋଇଯିବ ବିର୍ସା କେତେ ବଡ଼ ବିଶ୍ୱାସଘାତକ । ସିଦ୍ଧ ହୋଇଯିବ ବିର୍ସା ଭଗବାନ୍ ତ ନୁହେଁ-ତା ଛଡ଼ା ଅସାଧାରଣ ମଧ୍ୟ ନୁହେଁ । ବିର୍ସା ଏକ ସାମାନ୍ୟ ଅଶିକ୍ଷିତ ମୁଣ୍ଡା ।

•••

 

ତାମାରର ହେଡ଼୍‍ କନେଷ୍ଟବଲ ଓ କୋଗଙ୍ଗ୍‌ର ବୁଢ଼ାମୁଣ୍ଡା, ବିର୍ସା ଓ ତାର ଅନୁଗାମୀଙ୍କ ନାମରେ ଫୌଜଦାରୀ ନାଲିସ ଦାଖଲ କଲେ । ବନଗାଁରେ ରହି ପିଅର୍ସ ତାର ଚେକିଂ କଲେ । ସେଇ ଚେକିଂର ଆଧାରରେ ହିଁ ଆରୋପ ପ୍ରସ୍ତୁତ କରାଗଲା ।

ପିଅର୍ସ ଡେପୁଟୀ କମିଶନରଙ୍କୁ ଜଣାଇଲା ଯେ, ବିର୍ସାର ଆନ୍ଦୋଳନ ଓ ସର୍ଦ୍ଦାରମାନଙ୍କ ଆନ୍ଦୋଳନ ଏକ ଓ ଅଭିନ୍ନ । ମୁଣ୍ଡା ସର୍ଦ୍ଦାର ଓ ଆନ୍ଦୋଳନକର୍ତ୍ତା ବିର୍ସାର ଆନ୍ଦୋଳନରେ ମିଶିଗଲେଣି, ଏଥିରେ ସନ୍ଦେହ ନାହିଁ ।

ହେଡ଼୍‍ କନେଷ୍ଟବଲ୍‌କୁ ନେଇ ଯେଉଁ ଘଟଣା ଘଟିଲା, ସେଥିରେ କୋଚାଙ୍ଗ୍ ଓ ଅନ୍ୟ ସ୍ଥାନର ମୁଣ୍ଡାମାନଙ୍କର ବିର୍ସାକୁ ମିଳୁଥିଲା । ସାରା ମୁଣ୍ଡା ଜାତି ବିର୍ସାର ପକ୍ଷରେ ଥିଲେ । କେବଳ କୋଚାଙ୍ଗ୍‌ର ବୁଢ଼ା ମୁଣ୍ଡା ଗଲାନାହିଁ । ପରିଣାମସ୍ୱରୂପ ତାକୁ ହତ୍ୟାର ଧମକ ଦିଆଗଲା ।

ଲେଖୁ ଲେଖୁ ପିଅର୍ସ ଭାବିଲେ: ବୁଢ଼ା ମୁଣ୍ଡା କହିଥିଲା: “ଧାନୀ ମୋ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଛି । ତାକୁ ସମସ୍ତେ ଡରନ୍ତି ସାହେବ । ତାର କୋଚିଲା ବାଣ ଖୁବ୍ ଖତରନାକ୍ ।”

ପିଅର୍ସ ଲେଖିଲେ, ‘ଦେବକୀ ପାଣ୍ଡେ ଓ ସାହେବ ମୁଣ୍ଡା କହନ୍ତି, ବିର୍ସା ମୁଣ୍ଡାମାନଙ୍କୁ ଠକିନାହିଁ । କେବଳ ଏଇଆ କହିଛି, ବୋଣ୍ଡାମାନଙ୍କୁ ପୂଜା କରନାହିଁ । ମୋର ମନେ ହେଉଛି କ୍ୟାଥଲିକ୍ ଓ ପ୍ରୋଟେଷ୍ଟେଣ୍ଟ ଦୁଇ ପ୍ରକାରର ମିଶନ୍‌ର ଲୋକେ ଯାହା କହନ୍ତି ତାହା ଠିକ୍ । ବିର୍ସା ଏଇଠିକୁ ଫେରିଆସିଲେ ଅସୁବିଧା ହେବ । ଏଠି ଅବସ୍ଥା କାବୁ ହୋଇଯାଇଛି କିନ୍ତୁ ଗୋଟେ ବି ଛୋଟ ଘଟଣା ଦୁର୍ଘଟଣା ଘଟିଗଲେ ଦଳଦଳ ମୁଣ୍ଡା ଆସି ବିର୍ସାକୁ ସହଯୋଗ କରିବେ ।

ଡେପୁଟୀ କମିଶନର ଏହି ରିପୋର୍ଟକୁ ସତ୍ୟ ମନେକଲେ । ଯେଉଁସବୁ ଅଭିଯୋଗର ଆଧାରରେ ବିର୍ସାର ଗିରଫଦାରୀ ପରୱାନା ବାହାରିଥିଲା, ସେ ମଧ୍ୟରୁ ଗୋଟିଏକୁ ହିଁ ମକଦ୍ଦମାର ବୁନିଆଦିରୂପେ ବଛାଗଲା । ଥରେ ଭାବିଲା, ବିର୍ସା ଓ ବିର୍ସାର ଅନୁଗାମୀମାନେ ଯେଉଁ ଅସନ୍ତୋଷ ସୃଷ୍ଟି କରିଛନ୍ତି-ଏହିପରି ଅଭିଯୋଗ ଯଦି ସାଧାରଣ ଜନତାଙ୍କ ଆଡ଼ୁ ଲଗାଯାଏ-ଏହି ଆଧାରରେ ନ୍ୟାୟ ହେବ । ନଚେତ୍ ମକଦ୍ଦମା ଗଢ଼ା ଯାଇପାରିବ ନାହିଁ ।

ସେତେବେଳେ ମକଦ୍ଦମାର ସ୍ଥାନ ରାଞ୍ଚିରୁ ହଟାଇ ଖୁଣ୍ଟିକୁ ନେବାକୁ ପଡ଼ିଲା । ବିର୍ସାର ମକଦ୍ଦମା ମୁଣ୍ଡାମାନଙ୍କ ସାମ୍ନାରେ ଖୁଣ୍ଟିରେ ହେବ । ମୁଣ୍ଡାମାନେ ବିର୍ସାର କଥାରେ ଭୁଲିଯାଇଛନ୍ତି । ବିର୍ସା ସେମାନଙ୍କର ତ୍ରାତା-ପାଳକ-ଭଗବାନ୍‌, ଏଇ ମୋହରେ ମୁଣ୍ଡାମାନେ ମୋହିତ ହୋଇଛନ୍ତି । ଏବେ ଅତ୍ୟନ୍ତ ସାମାନ୍ୟ ଲୋକଙ୍କ ପରି ତା ଉପରେ ମକଦ୍ଦମା ଚଳେଇ ଦେଖାଇ ଦିଆଯିବ ଯେ ବିର୍ସା ସାଧାରଣ, ଲୋଭୀ, ପ୍ରବଞ୍ଚକ ମାତ୍ର ।

୨୪ରେ ମକଦ୍ଦମା ହେବ । ୨୩ ତାରିଖ ରାତିରେ କର୍ଣ୍ଣେଲ୍ ଗାର୍ଡ଼ନ ଦେଖିଲେ ଦୂରଦୂରାନ୍ତର, ପାହାଡ଼ର ତୀରେ ତୀରେ, ନଦୀର କୂଳଧରି, ଜଙ୍ଗଲୀ ରାସ୍ତାରେ କ୍ଷୀଣ ଆଲୁଅର ଜୁଲୁସ ଆସୁଛି । ଦେଖିକରି ଦାରୋଗା ପଚାରିଲେ: “ସେଇଟା କ’ଣ?”

- “ହଜୁର, ମୁଣ୍ଡା ଆସୁଛନ୍ତି ।”

- “ମୁଣ୍ଡା!”

- “ହଁ ହଜୁର । କମିଶନର୍ ସାହେବ ଏଇଆ କହିଥିଲେ । ମୁଣ୍ଡା ଆସିବେ- ବିର୍ସାର ମକଦ୍ଦମା ଦେଖିବେ ।”

 

- “କିନ୍ତୁ.....ଏତେ ମୁଣ୍ଡା?”

- “ଏବେ ସମସ୍ତଙ୍କୁ ଖବର ମିଳିନି ହଜୁର । ଖବର ପାଇଲେ ଆହୁରି ଆସିବେ ।”

- “ଏମାନଙ୍କୁ ଖବର କିଏ ଦେଲା?”

- “ଆମେ ଏଇକଥା, ହୁକୁମ ଅନୁସାରେ ଗାଁର ମୁଖିଆମାନଙ୍କୁ ଦେଇଦେଇଥିଲୁ । ଏଠି ଟେଲିଗ୍ରାଫ୍ ନାହିଁ ହଜୁର । ମଶାଲ ଦେଖି ସବୁ ବୁଝିଯାଆନ୍ତି ।”

- “ଆସିବାକୁ ହେବ । ଏଇଆ କେମିତି କହନ୍ତି?”

- “ଏମାନଙ୍କୁ ସବୁ ଜଣା, ଲେଖାପଢ଼ା ଛଡ଼ା । ଜଙ୍ଗଲୀ ନା, ତେଣୁ କେତେବେଳେ ତିନିଟା ମଶାଲ ଗୋଟେ କରି ବାନ୍ଧନ୍ତି, କେବେ ଦୁଇଟା, ଚାରିଟା । ଦେଖୁ ଦେଖୁ ଲୋକେ ବୁଝନ୍ତି ରାଞ୍ଚି ଯିବେ ନା ତାମାର, ବା ରୋଗାତା ।”

- “ଏତେ ମୁଣ୍ଡା ଆସୁଛନ୍ତି?”

- “ଏବେ କ’ଣ ଦେଖୁଛନ୍ତି ହଜୁର । କାଲି ଦେଖିବେ କେତେ ଆସୁଛନ୍ତି? ବିର୍ସାକୁ ଦେଖିବେ-ଏଇ ଆଶାରେ ସବୁ ଆସୁଛନ୍ତି । ଯେଉଁମାନେ ଆସୁଛନ୍ତି, ବାଟର ସବୁ ଗଛ, କାଟି କାଟି ଆସୁଛନ୍ତି । ସମସ୍ତେ କ୍ଷଣିକରେ ରାସ୍ତା ଜାଣିନେବେ । କି ସୁନ୍ଦର ଉପାୟ ।”

- “ହତିଆର ନେଇ ଆସୁଛନ୍ତି?”

- “ହତିଆର ତ’ସେମାନଙ୍କର ସଦା ସାଥୀ ହଜୁର । ଜଙ୍ଗଲ ଯାଆନ୍ତି, ଜଙ୍ଗଲରେ ଚାଷ କରନ୍ତି, ପୋଡ଼ୁଚାଷ । ମାଇପିମାନେ ବି ସେଇକାମ କରନ୍ତି । ଧାନୀମୁଣ୍ଡାର ଭଉଣୀ ଏବେ ଚାଇଁବାସାରେ ଭିକ ମାଗେ । ଦିନେ ତା ନାତିକୁ ସାପ ମାରିଦେଲା-ଏମିତି ଦିନେ ସନ୍ଧ୍ୟାରେ । ଓଝାର ଘରେ ଦି’ଟା ଜଙ୍ଗଲ ପରେ । ପିଲାକୁ ପିଠିରେ ଧରି ଜଙ୍ଗଲ ପାରିହେଲା । ଆମେ ସେମିତି କରିପାରିବା ନାହିଁ । ବାଘ ଭାଲୁର ଡର-ଡାହାଣୀ- ଚିରିଗୁଣୀ, ଜଙ୍ଗଲରେ କ’ଣ ନାହିଁ କହିଲେ?”

କର୍ଣ୍ଣେଲ ଗାର୍ଡ଼ନ ଏହାକୁ ପାଗଳାମି ଭାବି କହିଲେ-“ବଡ଼ ଅସୁବିଧା ହେଲା!”

- “ନା, ହଜୁର । ବିର୍ସାକୁ ଦେଖିବାକୁ ଆସିଛନ୍ତି । ଆଉ କିଛି ନୁହେଁ ।”

- “ତାକୁ ଏଠାକୁ ଆଣିବା ଠିକ୍ ହେଲାନାହିଁ ।”

- “ଆମେ ସେଇକଥା କହିଥିଲୁ । ଏହି ଜାତି ରକ୍ତ ବୁହାଇ ମେହେନତ କରିବ, କଥା କହିବନି । ଆମେ ତାଙ୍କ ଆଗରେ ଭାତ ଖାଇବା । ସେମାନେ ଜାଉ ଖାଇବେ । ଗୋଟେ ଛୋଟ ପିଲା ମଧ୍ୟ ଭାତ ମାଗିବନି । କିନ୍ତୁ ରାଗିଗଲେ... ।”

- “ରାଗିଗଲେ କ’ଣ କରନ୍ତି?”

- “ମାଲିକ ଉପରକୁ କଣ୍ଟା ଫୋପାଡ଼ିବାକୁ ବି ଡରିବେନି । ଆମେ ଦି’ ତିନିଟା ଗୁଳି ଚଳେଇବା, କିଛି ମରିବେ, ପୁଣି ଆଗେଇବେ । କିଛି କହିହେବନି । ଏହା ଦେଖି ମୋର ଖୁବ୍ ଭୟ ହୁଏ ହଜୁର ।”

- “ହତିଆର ନେଇ ଆସୁଛନ୍ତି । ଯଦି କିଛି ବିଗିଡ଼ିଯାଏ ।”

- “ନା, ହଜୁର । ମୁଁ ସେମାନଙ୍କ ସ୍ୱଭାବ ଜାଣେ । ମୁଣ୍ଡାର ମୁହଁ ପଥର ପରି । ଫାଶୀରେ ଚଢ଼ିଲେ ବି ମୁଣ୍ଡା ଡରେ ନାହିଁ । ତା’ର ଚେହେରା ଦେଖି ଆପଣ ବୁଝିପାରିବେ ନାହିଁ । ଆମେ ବୁଝିପାରିବୁ । ସେମାନେ ତାଙ୍କର ଗ୍ରୋପ୍ତାର ଭଗବାନ୍‌କୁ ଦେଖିବାକୁ ଆସିଛନ୍ତି । ଭଗବାନ୍ ବିହୁନେ ସେମାନଙ୍କର ପାତାଳ ପରି ଅବସ୍ଥା । ଏ ଅବସ୍ଥାରେ ସେମାନେ କାହାକୁ ମାରିବେ ନାହିଁ । ମୁଁ ଜାଣେ ।”

- “ତମେ ଏମାନଙ୍କୁ ଭଲଭାବେ ଜାଣ?”

- “ହଁ ହଜୁର । ଥାନାରେ ଜୀନ୍ଦେଗି ବିତିଗଲା । ବପା ଗଲାପରେ ମୁଁ କାମରେ ଲାଗିଛି । ମୁଁ ସେମାନଙ୍କ କଥା ଜାଣିବିନି । ପୂର୍ବେ ସେମାନେ ଆମ ପାଖକୁ ଦଶହରା, ହୋଲିରେ ଖୁବ୍ ଆସୁଥିଲେ । ଏଇ ଜଗମୋହନ ସିଂ, ସୂରଜ ସିଂ- ଏମାନଙ୍କ ପରି ଲୋକ ବେଠି, ବେଗାରୀ ନେଇ, ସୁଧ ଟଙ୍କା ନେଇ କଥା କଥାରେ ସେମାନଙ୍କ କ୍ଷେତରେ ହାତୀ ଚଳେଇ ସେମାନଙ୍କୁ ବିଗାଡ଼ି ଦେଲେ ।”

- “ପାଜିଗୁଡାକ, ସେଇଥିପାଇଁ ବିଗିଡ଼ିଗଲେ ।”

- “ନା, ହଜୁର । ସେମାନେ ସେମିତି ନଥିଲେ । ଏହି ଅଞ୍ଚଳରେ କେତେ କମ୍ ଭଲ ଲୋକ ଅଛନ୍ତି । ମୁଣ୍ଡାମାନେ ଯଦି ପାଜି ହୋଇଥାନ୍ତେ ତାହେଲେ ଦଙ୍ଗା ହେଲାବେଳେ ଗୋଟେ ହେଲେ ଭଲ ଲୋକ ଏଠାରେ ରହିପାରି ଥାଆନ୍ତା?”

- “ହେଲେ ମଧ୍ୟ ସଦା ଜାଗ୍ରତ ରୁହ ।”

- “ହଁ, ହଜୁର ।”

•••

 

ସକାଳେ ଖୁଣ୍ଟୀର ଥାନା-ଅଦାଲତକୁ ଘେରି ଶହ ଶହ ମୁଣ୍ଡା ବସିବାର ଦେଖାଗଲା । ସ୍ତ୍ରୀ, ବୁଢ଼ା, ପିଲା, ଅନ୍ଧ, ମୂକ-କିଏ ବାକି ନଥିଲେ ।

 

ତିରିଶି ଜଣ ମୁଣ୍ଡା ଯୁବକ ଆଗକୁ ଆସିଲେ । ସଫା ଧଳା ଧୋତି ପିନ୍ଧିଥିଲେ । ହାତରେ ଗୋଟିଏ ହେଲେ ହତିଆର ନଥିଲା । ମୁଣ୍ଡ ଉପରକୁ ଉଠାଇ, ଅଭିବ୍ୟକ୍ତି ହୀନ ଭାବରେ ଚାହିଁଲେ ।

- “ଗୋଟେ ଆବେଦନ ଅଛି ।”

କର୍ଣ୍ଣଲ୍ ଗାର୍ଡ଼ନ୍‌, ଡେପୁଟୀ କମିଶନର୍ ଆଗକୁ ଆସି ସାମ୍‌ନାରେ ଠିଆ ହେଲେ । ରୁକ୍ଷ ସ୍ୱରରେ କହିଲେ-“କେମିତିକା ଆବେଦନ?”

- “ଆମେ ଧରତୀର ଆବା ସହିତ ମିଶିବାକୁ ଚାହୁଁଛୁ ।”

- “କିଏ ଧରତୀର ଆବା?”

- “ଯାହାକୁ ତମେ ଧରି ବାନ୍ଧି ରଖିଛ ।”

- “କାହିଁକି ମିଶିବାକୁ ଚାହୁଁଛ?”

- “ପୂଜା କରିବୁ । ଫୁଲ ଚଢ଼ାଇବୁ-ଆମେ ବହୁତ ସମୟରୁ ଅପବିତ୍ର ହୋଇଛୁ । ତାକୁ ଦେଖିବୁ ।”

 

ଗାର୍ଡ଼ନ୍ ଦେଖିଲା ଯେ ସ୍ତ୍ରୀମାନଙ୍କର ହାତରେ ପତ୍ର ଆଉ ଫୁଲ ଥିଲା । ତାକୁ ଲାଗିଲା ଯେ ତା’ର ସାମ୍‌ନାରେ ଗୋଟେ ଭାରୀ କାନ୍ଥ ଠିଆ ହୋଇଗଲା । ସେ କୌଣସି ମତେ ସେହି କାନ୍ଥକୁ ଭାଙ୍ଗି ସେମାନଙ୍କ ପାଖକୁ ଯାଇପାରୁ ନଥିଲା । ସେ ମନେ ମନେ କମିଶନରକୁ ଗାଳି ଦେଲା । ବିର୍ସା ପ୍ରତି ସେମାନଙ୍କର ଅନ୍ଧ ଭକ୍ତି ଓ ଅଟଳ ବିଶ୍ୱାସକୁ ଭାଙ୍ଗିବାକୁ ପଡ଼ିବ । କିନ୍ତୁ କିପରି?

ସେ ହାତ ଉଠାଇଲା । “ଶୁଣ । ଏବେ ମକଦ୍ଦମା ଚାଲୁଛି । କଚେରୀ ବନ୍ଦ ହେଲା ପରେ ଯେତେବେଳେ ତାକୁ ଥାନାକୁ ନିଆଯିବ, ସେତେବେଳେ ତାକୁ ଦେଖିନେବ ।”

- “ଆମେ ଭଗବାନକୁ ଦେଖିବୁ ।”

- “ଭଗବାନ ନାହିଁ, ତମମାନଙ୍କ ପରି ଗୋଟେ ମାମୁଲି ଲୋକ ବିର୍ସା । ଭଗବାନ ବୋଲି ତାକୁ କାହିଁକି କହୁଛ? କୁହ, ବିର୍ସାକୁ ଦେଖିବୁ ।”

ତିରିଶି ଜଣଯାକ ମୁଣ୍ଡା ପଛକୁ ବୁଲି ଦେଖିଲେ । ଶହେଜଣ ମୁଣ୍ଡା ଭିତରୁ ବାହାରି ଆଗକୁ ଆସିଲେ । କହିଲେ-“ସାହେବ କ’ଣ କହିଲା?”

 

- “ବିର୍ସା ଭଗବାନ ନୁହେଁ ।”

- “ବିର୍ସା ଭଗବାନ ନୁହେଁ?”

- “ନା !”

ଭରମୀ ମୁଣ୍ଡାକୁ ସବୁବେଳେ ଲୋକମାନେ ବିପଦ ଆପଦରେ ଡାକୁଥିଲେ । ଭରମୀର କଥା ବାଜା ପରି ଜୋର୍ ଥିଲା । ଭରମୀ ଜୋର୍‌ରେ କହିଲା-“ପୁଣି କହିଲୁ ।”

 

- “ବିର୍ସା ଭଗବାନ ନୁହେଁ ।”

- “କିଏ କହିଲା ଯେ ସେ ଭଗବାନ ନୁହେଁ?”

- “ଯଦି ସେ ଭଗବାନ ତା ହେଲେ ତା’ର ମକଦ୍ଦମା କେମିତି ଚାଲୁଛି?”

- “ସେ ଆମମାନଙ୍କର ଗୁରୁ ଭଗବାନ, ସର୍ଦ୍ଦାର ! ତୁ ଜାଣିନୁ ସାହେବ, ସେ ବନ୍ଦୀ । ତେଣୁ ଆମେମାନେ ପାତକ ଅଛୁ । କିଏ ମଧ୍ୟ ତେଲ ଛୁଉଁନି । ଶିକାର କରୁନି । ସେ ଆମମାନଙ୍କର ଭଗବାନ । ଆମମାନଙ୍କ ସହିତ ଜିଇଁବ, ଆମମାନଙ୍କ ସହ ମରିବ । କେମିତି କହୁଛୁ ବିର୍ସା ଭଗବାନ ନୁହେଁ? ଆରେ ଧାନୀ, ତୁ କାହିଁକି କିଛି କହୁନୁ? ତୁ କହ । ତୁ ସମସ୍ତଙ୍କଠୁ ବଡ଼ । ତୁ କହ-

- “ମୁଁ ଆଉ କ’ଣ କହିବିରେ ଭରମୀ, ସାହେବର କଥା କିଛି ବୁଝାପଡ଼ୁନି । ମୁଁ ମୂର୍ଖ ମୁଣ୍ଡାଟା, ସାହେବ ! ମୁଁ ପଚାରୁଚି, ଯଦି ମକଦ୍ଦମା କରିବ ତାହେଲେ ତୁ, ସରକାର ମକଦ୍ଦମା କାହିଁକି ଚଳାଉନ । ତାକୁ ତିନି ମାସ ଜେଲ୍‌ରେ କାହିଁକି ବାନ୍ଧି ରଖିଛ?”

ସାହେବ ଆଖି ମିଲିମିଲି କରି ସେମାନଙ୍କୁ ଦେଖିଲା । ତା’ପରେ ଦାରୋଗାକୁ ଡାକିଲା । କହିଲା-“ସେମାନଙ୍କୁ ବୁଝାଇଦେ ।”

 

- “କିଏ ବୁଝାଇବ? ସେ ଭରତ ଦାରୋଗା? ସେ ଆମକୁ କ’ଣ ବୁଝାଇବ?”

ଜନତାଙ୍କ ମଧ୍ୟରେ ବ୍ୟଙ୍ଗ ପରିହାସ ଖେଳିବାକୁ ଲାଗିଲା । ଦାରୋଗା ଗଳା ସଫା କରି କହିଲା-“ତୁମେମାନେ ଘରକୁ ଚାଲିଯାଅ ନ ହେଲେ ଆରାମରେ ବସ ।”

 

- “ତୁ ବସ ।”

- “ନହେଲେ ଘରକୁ ଆସ । କଚେରୀ ତିନିଟାରେ ବନ୍ଦ ହେବ । ସେତେବେଳେ ଦେଖା ହେବ ।”

 

- “କାହିଁକି?”

- “ମକଦ୍ଦମା ଏବେ ବନ୍ଦ କର । ଆମେ ଭଗବାନକୁ ଦେଖିବୁ । ନହେଲେ ମସୀଦାସକୁ ଜାଣିଛୁ । ସେ ବଡ଼ ରାଗୀ ମର୍ଦ୍ଦ ।

 

“ମସୀଦାସ, ତୁ ସେମାନଙ୍କୁ ବୁଝାଅ ।”

ମସୀଦାସ କହିଲା-“ମୁଁ ତ ନିଜେ ବୁଝି ପାରିଲିନି, ମୁଁ କ’ଣ ବୁଝାଇବି? ଦେଖ ଦାରୋଗା । ଯଦି ଭଗବାନକୁ ଦେଖାଇବୁନି ତାହେଲେ ମୁଁ ସହ୍ୟ କରିପାରିବିନି । ତୁ ମତେ ଜାଣିଛୁ!”

- “ଏ ! ଏ ! ମାଡ଼ିଆସୁଛୁ କ’ଣ? ମାରିବୁ?”

- “କାହିଁକି ମାରିବି? ମୋ ହାତରେ ତ କିଛି ନାଇଁ ।”

- “ତାହେଲେ ମାଡ଼ି ଆସୁଚୁ କାହିଁକି? ନିଶାରେ ଅଛୁ?”

- “ନିଶାରେ ତୋ ବାପ ଥିବ । ମୁଁ ମୁଣ୍ଡା । ବୀର ସାଇତ ହୋଇ ମଦ ପିଇ ଭଗବାନକୁ ଦେଖିବାକୁ ଆସିବି ।”

- “ଧାନୀ ତୁ ମସୀଦାସକୁ ପଛକୁ ଫେରାଇ ଦେ ।”

- “କାହିଁକି ଡାକିନେବି? ଏବେ ମକଦ୍ଦମା କର । ମକଦ୍ଦମା କରି ଆମ ଭଗବାନକୁ ଫେରାଅ । ନହେଲେ ମୋର ଗଳା କାଟିଦିଅ । ନିଅ । କାଟ । ମୁଣ୍ଡାପାଇଁ ତୁମର ଖୁବ୍ ହାତ ଉଠେନା !”

- “ହଜୁର, ଏଇମାନେ ବିଗିଡ଼ି ଗଲେଣି ।”

ମସୀ ଦାସ ଚିଲ୍ଲେଇଲା- “ଆରେ, ସେ ଆଡ଼କୁ କାବା ହୋଇ ଚାହିଁଛ କଣ? ଜଗମୋହନ ସିଂହକୁ କଣପାଇଁ ଆଣିଛ । ସରକାରୀ ସାକ୍ଷୀ କରିବ? ସାକ୍ଷୀ ଦିଆଇବ?”

ଧାନୀ ଥୁ ଥୁ କରି ଛେପ ପକାଇ କହିଲା-“ବାବୁ ଜଗମୋହନ ! ବାବୁଙ୍କୁ ବାବୁ ନକହିଲେ ଭାରି ରାଗ । ସେହି ସମୟରେ ବାବୁ ହାତୀ ଉପରେ ଚଢ଼ନ୍ତି ଓ ହାତୀରେ ହାତୀଶୁଣ୍ଢ ଭଳି ଚାବୁକରେ ମୁଣ୍ଡାମାନଙ୍କୁ ପିଟନ୍ତି । ବାବୁ କହ ମସୀଦାସ, ବାବୁ ।”

ମସୀଦାସ ରାଗୀ ପିଲାଟାଏ । କହିଲା-“ମୁଁ ଦିକୁମାନଙ୍କୁ ବାବୁ କହେନା ।”

ପାତ୍ରାମୁଣ୍ଡା, ଭରମୀ ଚିଲ୍ଲାଇଲେ-“ମକଦ୍ଦମା ହେବ ନାହିଁ । ମକଦ୍ଦମା ବନ୍ଦକର ।”

ବଡ଼ ଅସୁବିଧା ହୋଇଗଲା । ସବୁ ମୁଣ୍ଡା ପାଟିକରୁଥିଲେ । ଭରମୀ କହୁଥାଏ-“ମୋ ସହ ପାଟିକର । ଭଗବାନ୍ ଜାଣନ୍ତୁ ଆମେ ଆସିଗଲୁଣି ।”

ଭରମୀ ପାଟିକଲା-“ଭ-ଗବାନ!” ମୁଣ୍ଡାଏ ପାଟିକଲେ-“ଭ-ଗବାନ ।

- “ଆମେ ଆସିଗଲୁଣି ଧରିତ୍ରୀର ଆବା ।”

- “ଆମେ ସବୁ ଆସିଗଲୁଣି ।”

- “ତୁ ଜେଲ୍ ଗଲାପରେ ଆମେ ସବୁ ଅପବିତ୍ର ହୋଇଗଲୁଣି ।”

- “ଆମ ଉପରେ ପାତକ ।”

- “ତୁ ଆସିଲେ ଆମେ ପବିତ୍ର ହେବୁ ।”

- “ତୁ ଆସିଲେ ହିଁ ।”

•••

 

ଗାର୍ଡ଼ନ୍ ଘୋଡ଼ା ଚଢ଼ି କଚେରି ଆସିଲେ । ମକଦ୍ଦମା ବନ୍ଦ ହୋଇଗଲା । ପୋଲିସ୍‌ର ଗୋଟେ ଦଳ କୋରଡ଼ା, ହାତକଡ଼ି ନେଇ ଆସିଲେ । ଗୋଟେ ପୋଲିସ ଘୋଡ଼ା ଚଢ଼ି ରାଞ୍ଚି ଗଲା ।

ପୋଲିସ ହାତରେ ହାତକଡ଼ି ଥିଲା । ଏଣେତେଣେ ଚାହିଁ ପାତ୍ରା ଝପଟି ଆସିଲା-“ମୋ ହାତରେ ହାତକଡ଼ି ବାନ୍ଧିଦିଅ । ମୁଁ ଭଗବାନ୍ ପାଖରେ ଜେଲ୍‌ରେ ରହିବି ।”

 

- “ମୋ ହାତରେ ହାତକଡ଼ି ଲଗାଅ ।”

ଅରଣ୍ୟର ଅଧିକାର

ପୋଲିସ ହତାକଡ଼ି ଲଗାଇଲା । ନିଜକୁ ଧରେଇବାପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଲା ।

 

ରାଞ୍ଚିରୁ ଫୌଜ ଆସିଲେ । ବିର୍ସାକୁ ରାଞ୍ଚି ନିଆଗଲା ।

•••

 

ରାଞ୍ଚିରେ ମୁଣ୍ଡାରୀ ବୁଝୁଥିବା ଡେପୁଟୀ ବାବୁ କାଳୀକୃଷ୍ଣ ମୁର୍ଖାଜୀଙ୍କଦ୍ୱାରା ମକଦ୍ଦମା ହେଲା । ଯେତେ ଗିରଫ ହୋଇଥିଲେ, ସମସ୍ତଙ୍କର ମକଦ୍ଦମା ହେଲା । ସମସ୍ତେ ନିରପରାଧ ସାବ୍ୟସ୍ତ ହେଲେ । ଫଇସଲାରେ ଲେଖିଲେ: ମୁଣ୍ଡାମାନଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା । ସେମାନଙ୍କ କଥା ଡେପୁଟୀ କମିଶନର ବୁଝିପାରିନଥିଲେ । ସବୁ ଅଭିଯୋଗ ନିରାଧାର ।

କମିଶନର ଡେପୁଟୀ କମିଶନରଙ୍କର ବଦଳି କରିଦେଲେ । କିନ୍ତୁ ସେ ଯେଉଁ ଅଭିଯୋଗ କରିଥିଲେ ତାକୁ ରଦ୍ଦ କଲେ ନାହିଁ । କଳୀକୃଷ୍ଣ ମୁଖାର୍ଜୀ ମଧ୍ୟ ନିଜ ଫଇସଲାକୁ ଖାରଜ କରିଦେଲେ-। ମୁଣ୍ଡାମାନେ ପୁଣି ଗିରଫ ହେଲେ ।

ଏବେ ନୂଆ ଡେପୁଟୀ କମିଶନରଙ୍କଦ୍ୱାରା ମକଦ୍ଦମା ଚାଲିଲା । ବିଚାରରେ ନ୍ୟାୟକର୍ତ୍ତା କହିଲେ: ସର୍ଦ୍ଦାର ଆନ୍ଦୋଳନ ଆଉ ବିର୍ସାର ଆନ୍ଦୋଳନରେ ସାମ୍ୟ ରହିଛି । ମୁଣ୍ଡା ଜନତା ବିକ୍ଷୁବ୍ଧ-ଏହାକୁ ବିର୍ସା ବ୍ୟବହାର କରିଛି । ବଡ଼ ଦୁଃଖର କଥା ତାକୁ ତାର ଯୋଗ୍ୟ ଦଣ୍ଡ ଦିଆ ଯାଉନାହିଁ । ବିର୍ସା ହିଁ ଆନ୍ଦୋଳନର କର୍ତ୍ତା ପ୍ରବର୍ତ୍ତକ । ତା ଯୋଗୁଁ ଲୋକମାନଙ୍କ ମନରେ ଇଂରେଜ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି ହୋଇଛି । ପରିଣାମସ୍ୱରୂପ ଆଜି ହାଟ-ବଜାରରେ କହି ବୁଲୁଛନ୍ତି ଯେ ସରକାର ଶେଷ ହୋଇଗଲା । ଏବେ ଲୋକମାନଙ୍କୁ ମତାଉ ଥିବାରୁ ଯେଉଁ ଦଣ୍ଡ ସବୁଠାରୁ ବଡ଼, ତାହା ହିଁ ଦିଆଯାଉ ।

ସାଲ ୧୮୯୫ର ୧୯ ନଭେମ୍ବରରେ ବିର୍ସାକୁ ଦୁଇବର୍ଷ କାରାଦଣ୍ଡ ମିଳିଲା । ଅନ୍ୟମୁଣ୍ଡାମାନଙ୍କୁ କୋଡ଼ିଏ ଟଙ୍କା ଜୋରିମାନା । ନଦେଲେ ତିନିମାସ କଡ଼ା ଜେଲ୍ ଦଣ୍ଡ ।

 

ବିର୍ସାକୁ ନିଜ ପକ୍ଷ ସମର୍ଥନ କରିବାକୁ କୁହାଗଲା । ବିର୍ସା ମୁଣ୍ଡ ହଲେଇଲା ।

ଫଇସଲା ଶୁଣି ଭରମୀ କହିଲା-“ଏ କ’ଣ ହେଲା, ଭଗବାନ୍‌?”

ବିର୍ସା କହିଲା-“ଦି ବର୍ଷ କ’ଣ ଅନନ୍ତ କାଳ?”

- “ସରକାର ଜୁଲୁମ କରିବ ।”

- “କରୁ । କେବେ କରୁନଥିଲା?”

•••

 

ମୁଣ୍ଡାମାନେ ଦଳଦଳ ହୋଇ ଖୀରସ୍ତାନ ହେବାକୁ ଗଲେ । ଧାନୀ କହିଲା-“କାହିଁକି ଯିବୁନି । ଦି ବର୍ଷପରେ ଦେଖାଯିବ ।”

 

ତଥାପି ଅନେକ ଗଲେ ନାହିଁ, ହଫ୍‌ମ୍ୟାନ୍ ମୁଣ୍ଡ ହଲେଇଲା । ଚର୍ଚ୍ଚ ଦ୍ୱାର ସବୁବେଳେ ଖୋଲାରହେ । ଚର୍ଚ୍ଚକୁ ଆସି କେହି ଫେରିଯାଇନାହିଁ ।

 

ବାପ୍ତିମାର ପବିତ୍ର ଜଳ ଛିଞ୍ଚୁ ଛିଞ୍ଚୁ ପଲୁସ ପ୍ରଚାରକ କହିଲା-“ବାପୁ, ସମସ୍ତେ କାହିଁକି ଆସୁଛ? ପୁଣି ତ ଯାଇ ଭଗବାନ୍‌ର ଚେଲା ହେବ ।”

 

ଜାନକୀ ମୁଣ୍ଡାନି କହିଲା-“ତତେ କି ଦରବାରରେ ପଲୁସ । ତୁ ନୌକର, ଜଳ ଛିଞ୍ଚିବାକୁ କହିଲି, ଛିଞ୍ଚି । ଏତେ କଥା କ’ଣପାଇଁ ।”

 

- “କୋଉଠି ଛିଞ୍ଚିବି? କହରା ବାଳରେ ତ ଗିର୍ଜା ଆସିଛ, ମୁହଁ ସାରା ଧୂଳି ।”

- “କୋଉ ମୁଣ୍ଡା ଘରେ ତେଲ ନାହିଁ ।”

- “ଜଙ୍ଗଲରେ କୁସୁମର ବୀଜ ନାହିଁନା କ’ଣ?”

- “ଅଛି, ମୁଁ ତେଲ ତିଆରି କରିବାକୁ ଭୁଲିଯାଇଛି ।”

ପଲୁସ ମୁଣ୍ଡ ହଲେଇଲା । କହିଲା-“ତମେମାନେ ବହୁତ ଚାଲାକ ଅଛ । ବିର୍ସା ଜେଲ୍‌ରେ ଅଛି । ତେଣୁ ମନ ଧରୁଛ ।”

 

- “ଧେତ୍ ତେରେ କି! ତୁ ଛିଞ୍ଚୁଥିଲୁ, ଛିଞ୍ଚ୍‌ନା!”

- “ସାଲୀ ଆସିନି?”

- ‘ନା ।”

- “କାହିଁକି?”

- “ତୋର କ’ଣ ଦରକାର, ତତେ କାହିଁକି କହିବି?”

- “ନେ, ଜଳ, ନେ ।”

ସାଲୀ ବିଷୟରେ ପଲୁସ ପ୍ରଚାରକ ଜାଣିବାକୁ ଚାହିଁଲା । ସାଲି ଖୀରସ୍ତାନ୍ ହେବାକୁ ଗଲା ନାହିଁ । ଶୀତଦିନ । ଜଙ୍ଗଲରେ ପତ୍ର ଝାଡ଼ିଲେ ଝଡ଼ି ପଡ଼ୁଛି । ସାରା ଦିନ ଝରଝର-ସରସର ଶବ୍ଦ । ଜଙ୍ଗଲରେ ଜଙ୍ଗଲୀ କୋଳି ପାଚିଗଲାଣି । କୋଳି, ପାଚିଲା ଆମ୍ବ, କରଞ୍ଜ ଖାଇବାକୁ ଭାଲୁ ଆସନ୍ତି, ହରିଣ ଆସନ୍ତି । ଜୀବନକୁ ବିପଦାପନ୍ନ କରି ସାଲୀ କୋଳି ଗୋଟାଉଛି । ଟୋକେଇ ଭର୍ତ୍ତି ହୋଇଗଲେ, ଦୁଇଦିନ ଖାଇବା ବଳିଯିବ ।

ଭରତ ଦାରୋଗା, କିଛି ଦୂରରେ ବସିଛି । ସାଲୀ ଉପରେ ନଜର ରଖି କିଛିଦିନ ହେଲା ସେ ତା ପଛରେ । ସାଲୀ ଉପରେ ନଜର ରଖିଲେ ଧାନୀମୁଣ୍ଡାର ଖବର ମିଳିପାରେ । ରାଞ୍ଚିରୁ ଫେରାର୍ ହୋଇ ଧାନୀ ସାଲୀ ଘରେ ଅଛି । ଜେଲ୍‌ରେ ଥିଲା । କଇଦୀମାନଙ୍କଦ୍ୱାରା ପଥରକାଟି ସଡ଼କ ତିଆରି କାମ କରେଇବାକୁ ଦାରୋଗା ତାକୁ ନେଇଥିଲା । ସେଇଠୁ ଧାନୀ ଫେରାର୍ ।

ଭରତ କହିଲା- “ଧାନୀକୁ ଧରେଇଦେଲେ, ତତେ କୋଡ଼ିଏ-ପଚିଶ ଟଙ୍କା ମିଳନ୍ତାରେ ।”

 

ସାଲୀ ରାଗି ତମତମ ଠିଆ ହୋଇ ପଡ଼ିଲା । ପେଟରେ ପିଲାର ଭାର, ଶରୀର କ୍ଲାନ୍ତ, ଅବସନ୍ନ ! କ୍ଲାନ୍ତ ସ୍ୱରରେ କହିଲା-“କେତେଥର କହିଲି, କିଏ କ’ଣ, ମତେ ଜଣାନାହିଁ । ମୁଁ କଣ ଜାଣେ ସେ ବୀରସାଇତ ହୋଇଗଲା ! ବୁଢ଼ାଲୋକ ! ପାଣି ମାଗିଲା, ଦେଲି । ଢେର୍ । ଛେଳିମାନଙ୍କ ମଝିରେ ଶୋଇପଡ଼ିଲା । ପରେ କେତେବେଳେ ଚାଲିଗଲା । ପରେ ଶୁଣିଲି ବୁଢ଼ା ବୀରସାଇତ ଥିଲା । ଜାଣିଥିଲେ ଘରେ ପୂରେଇ ଥାଆନ୍ତି? ପଚିଶି ଟଙ୍କା କ’ଣ, ପଚିଶ ପଇସା ମିଳିଥିଲେ ବହୁତ । ଧାନୀ ମିଳିଲେ ତାର ଗୋଡ଼ ହାତ ଭାଙ୍ଗିଦେବି । ତା’ପରେ ତମକୁ ଖବର ଦେବି ।”

- “ବୀରସାଇତ ଉପରେ ତୋର ଏତେ ରାଗ କାହିଁକିରେ, ତୋର ମରଦ ଡୋନ୍‌କା ବି ତ’ ବୀରସାଇତ ହୋଇଗଲା ।”

- “ହବନି? ଧାନ ବିକି ସବୁ ବୀରସାଇତଙ୍କୁ ଖୁଆଇଦେଲା । ସଫାଲୁଗା ଦରକାର- ହଳଦି ଦରକାର, ବଡ଼ ବଡ଼ ବାହାନା । ଆଉ ମୋର ତ ଗୋଟେ କୋଳରେ, ଗୋଟେ ପେଟରେ । ତୁ ବୁଢ଼ା ହୋଇ ଜେଲ୍ ଗଲୁ । ମୋର ଅବସ୍ଥା କ’ଣ? ତୁମେମାନେ ବି କୋଉଠି ମାନିଲ? ମୋର ଧାନ କୋଠା ଭାଙ୍ଗିଦେଲ? ମୋର କଣ ଦୋଷ?”

- “ତାକୁ ଠିକ୍‌ରେ ରଖି ପାରିଲୁନି?”

- “ରଖିଲେ ସେ ଶୁଣନ୍ତା? ମୁଣ୍ଡା ଲୋକ କେମିତି ଜିଦ୍‌ଦି, ତୁମେ ଜାଣିନ । କହିଲା ଭଗବାନ୍ ତତେ ସବୁ ଦେବେ । ଏଇସବୁ ଦେଲା । ଟୋକେଇ ଦେଇଛି । କୋଳି, ପତ୍ର ଗୋଟଉଛି-। ଭାଲୁ ତଡୁଛି ।”

- “ତୋର ଶରୀର କ’ଣ ହୋଇଗଲା !”

- “ଭାଗ୍ୟ ନଥିଲେ, ଶରୀର ରହିବରେ ।”

- “ସେଇଟା ତ କହୁଛି ।”

- “ଭାଗ୍ୟ ଖରାପ ନଥିଲେ ଡୋନ୍‌କାକୁ ବିଭାହୁଅନ୍ତି । ସିଏତ ବୁଢ଼ା, ମୁଁ ତା’ର ନାତୁଣୀ ଭଳି ନା ନାହିଁ ।”

 

- “ତତେ କ’ଣ ବିର୍ସା ବାହା ହେବାକୁ କହିଥିଲା?”

- “ନାହିଁରେ । ସେଇ ଶଙ୍କରୀ ଗାଁର ପରମୀ ନାହିଁ? ଧୁରାଇ ମୁଣ୍ଡାର ଭଉଣୀ । ଧୁରାଇ ବଡ଼ ବୀରସାଇତ ହୋଇଗଲା । ବିର୍ସା କହିଲା-“ଭଉଣୀକୁ ବାହା କରିଦେ । ବାହା ଏମିତି ନାଁକୁ ରହିବ । ସେମାନେ ପତି-ପତ୍ନୀ ରହିବେ ନାହିଁ । ଭଗବାନ୍‌ର କାମ କରିବେ ।”

- “ଆରେ ! ପରମୀ ତ କନୁ ସାଙ୍ଗରେ ବୁଲୁଥାଏ?”

- “କୋଉ କନୁ କଥା କହୁଛୁ?”

- “ବିର୍ସାର ଭାଇ କନୁ ।”

- “ଓ ! କନୁ ତ ପରମୀ ମନରେ କେବେଠାରୁ ବସିଛି । ଏଡ଼େ ଟିକିଏ ଥିଲା କହୁଥିଲା କନୁକୁ ବାହାହେବ ।”

- “ବିର୍ସା ସବୁ ଜାଣି ସେଇଝିଅକୁ ଚାହିଁଥିଲା?”

- “ତୁମେ ବୁଝିବନି । ବିର୍ସା କହିଲା: ଧୁରାଇ, ତୋର ଝିଅକୁ ବିଭା ହେବି, ଯଦି ତୋର ଭଉଣୀ ମତେ ପତି ଭାବିବନି । ମୋର କାମ କରିବ ।”

- “ଓଃ । ଆମର ସେଇ ମହାଜନ ! ମୁହଁରେ ବଡ଼ ବଡ଼ କଥା ।”

- “ମୁଁ ତ ସେଇ କଥା କହୁଛି, ତୁ ଭିକାରୀ ମୁଣ୍ଡା । ତୋ ମୁହଁରେ ବଡ଼ ବଡ଼ କଥା କାହିଁକି?”

- “ଝିଅ କ’ଣ କହିଲା?”

- “କହିଲା, କନୁ ବିନା ମୋର ଗତିନାହିଁ । ସିଏ ମୋର ମନର ମଣିଷ ।”

- “ତମେ ସବୁ ଭଲକଥା ଶୁଣିବ ନାହିଁ । ସେଇଥିପାଇଁ ତମେ ସବୁ ଅସୁବିଧାରେ ପଡ଼ିଥାଅ-। ମରିଥାଅ ।”

- “କାହିଁକି? ମୁଁ ତ ପରମୀ-କନୁ ବିର୍ସା କଥା କହୁଛି । ମରିବା କଥା କୁଆଡ଼ୁ ଆସିଲା?”

- “ଶୁଣ, ମୁଣ୍ଡାମାନଙ୍କର ମୃତ୍ୟୁ କିପରି? ଆଜି କହୁଛନ୍ତି-ଲଗାଣ ଦେବେ ନାହିଁ, କାଲି କହୁଛନ୍ତି- ବେଗାରୀ ଦେବେ ନାହିଁ, ପୁଣି କହିବେ- ମହାଜନକୁ ମାନିବେନି । ଏମିତି ପାଟିତୁଣ୍ଡ ହାତୀକୁ ଶୋଭାପାଏ । ପିମ୍ପୁଡ଼ିକୁ ଶୋଭାପାଏ?”

ସାଲୀ ମୁଣ୍ଡ ହଲେଇଲା । ତାର ମନରେ କି କଥା ଥିଲା । କହିଲା-“ମୁଣ୍ଡା ମରଦ ସବୁ ଏମିତି । କଥା କୋଳି ଗଛର କଣ୍ଟା ଭଳି ତୀକ୍ଷ୍ଣ ।”

- “ହଁରେ, ତୁ ତ ଜଙ୍ଗଲରେ ବୁଲୁଛୁ । ତୋ ପିଲା କାହିଁ !”

- “ମାଆ ପାଖରେ ରଖିଛି ।”

- “ସାରାଦିନ !”

- ‘ଆଉ କୋଉଠି ରଖିବି? ମତେ କୋଉଦିନ ଭାଲୁ ଖାଇଦେବ । ତାକୁ ବି ମାରିଦେବି ନା କ’ଣ?”

 

- “ଇସ୍ । ତତେ ତ ବଡ଼ କଷ୍ଟ । ତୋ ଘରେ କେତେ ବଡ଼ କୋଠା ଥିଲା?”

- “ସ-ବୁ ଚାଲିଗଲା ।”

- “ଯିବନି? ବୀରସାଇତ କାହିଁକି ହେଲୁ?”

- “ମୁଁ?”

ସାଲୀ ରାଗରେ ନାଲି ପଡ଼ିଗଲା । କହିଲା-“ମୁଁ ବୀରସାଇତ ହେବି? ମୋ ସୁନା ସଂସାରକୁ ବିର୍ସା ଉଜାଡ଼ିଦେଲା । ମୋ ମରଦ ତ ବୁଦ୍ଦୁ....ସେ ବିର୍ସା ନାଁରେ ଡେଇଁଲା । କହିଲା- ସାଲୀ, ଏମାନେ ସବୁ ବୀରସାଇତ, ଭାତରାନ୍ଧ୍ ।”

- “ଆଉ କ’ଣ କହୁଥିଲା?”

- “କଣ କହିବ? ମୋର ଧାନର କୋଠା ଥିଲା । ଅକାଳରେ ସବୁ ଦେଇଦେଲି । କୋଉ ଦିନ ଜାଉ ଖାଇନି, ଜଙ୍ଗଲ ଯାଇନି, ଫଟାଲୁଗା ପିନ୍ଧିନି । ହେଲେ ଏବେ ସବୁ କରିବାକୁ ପଡ଼ୁଛି ।”

- “ଆହା ।”

- “ଏଇ ବିର୍ସା ଯୋଗୁଁ ସବୁ ହେଲା । ତା ଯୋଗୁଁ ଆମେ କଷ୍ଟ ପାଉଛୁ ।”

- “ତୁମମାନଙ୍କର ସିଏ ପରା ଭଗବାନ୍‌ ! ଧରତିର ଆବା ! ତାକୁ ବିର୍ସା କହୁଛୁ?”

- “ସୁଗାନା ମୁଣ୍ଡାର ପୁଅ ଭଗବାନ୍‌ ! ସେମିତି ହେଲେ ତ ପିମ୍ପୁଡ଼ି ହାତୀ ବୋଲାଇବ ଆଉ ବୁରୁଡ଼ିହ ହେବ ରାଞ୍ଚି !”

ସାଲୀ କୋଳି ଟୋକେଇ ଉଠାଇ ବୁରୁଡ଼ିହର ରାସ୍ତା ଧରିନେଲା । ଭରତ ଭାବିଲା-ଦିନ ପୂରି ଆସିଲାଣି, କେମିତି ଚାଲୁଛି, ମୁହଁ ଗଠନ କେମିତି ଓଜନିଆ ! କିଏ କ’ଣ ମନକୁ ମନ ଥାନାରେ କହିପାରେ? ମୁଣ୍ଡା ମାଇପି ତ କଳା-କିନ୍ତୁ ଦେଖିଲେ ରକ୍ତ ତାତି ଉଠେ । କିନ୍ତୁ ବଡ଼ ଅଭଦ୍ର-ବଜ୍ଜାତ, ହାତ ଧରିପକାଇଲେ, ବେକ କାଟି ଦେବେ ।

ଭରତ ପଛେ ପଛେ ଯାଉ ଯାଉ କହିଲା-“ଆଲୋ ଏ ସାଲୀ । ଶୁଣ୍ ।”

- “କହୁନୁ ।”

- “ରାତିକ ତୋ ଗୋଠରେ ରହିବାକୁ ଦବୁ?”

- “କାହିଁକି?”

- “ଏତେ ରାତିରେ ଫେରିବି? ଡର ଲାଗିବ ।”

- “ହଉ ।”

କିଛି ଦୂର ଦୁହେଁ ଚାଲିଲେ ।

ସହସା ସାଲି ବସି ପଡ଼ିଲା । ପେଟକୁ ଚାପି ଧରିଲା ।

- “କ’ଣ ହେଲା?”

ସାଲୀ ଚିତ୍ ହୋଇ ଶୋଇପଡ଼ିଲା । କହିଲା- “ପେଟରେ କଷ୍ଟ ହେଉଛି ଦାରୋଗା । କ’ଣ ହୋଇଯିବ ।”

 

- “କ’ଣ ଏମିତି କହୁଛୁ ।”

- “ତୁ ଚାଲିଯାଆ ।”

- “ତତେ ଛାଡ଼ି ଚାଲିଯିବି?”

- “ଏଇ ସମୟରେ ପୁରୁଷ ଲୋକ ପାଖରେ ରହିବା ଉଚିତ ନୁହେଁ । ତୋ ଘରେ ସ୍ତ୍ରୀଲୋକ ନାହାନ୍ତି?” ତତେ ଜଣାନାହିଁ?”

 

- “ତୁ ଏକେଲା ଅଛୁ ।”

- “ଶୁଣ୍ ଦାରୋଗା, ସେ-ଇ ଗୋଟିଏ ଗାଁ ଦେଖାଯାଉଛି । ତୁ ଯାଇ ମାନୀ ପହାନୀକୁ ଡାକିଦେ । କେବଳ ମାନୀ ପହାନୀକୁ, ଆଉ କାହାକୁ ନୁହେଁ । ବୁଝିଲୁ ।”

 

- “ତୁ ଏଠାରେ ଏକେଲା ରହିବୁ?”

- “ପହାନୀ ଔଷଧ ଆଣିବ, ଠିକ୍ କରିଦେବ । ପିଲା ଜନ୍ମ ହୋଇଗଲେ ଛୁଟି ମିଳିବ । ଆଉ ଗୋଟେ କଥା ଶୁଣ୍ ।”

 

- “କ’ଣ?”

- “ବୁରୁଡ଼ିହରେ ରହିବୁନି । ବୁରୁଡ଼ିହରେ କେହି ନାହିଁ । ବିର୍ସା ଯୋଗୁଁ ପୁଲିସ ଗାଁକୁ ଆସି ସମସ୍ତଙ୍କୁ ଗାଁରୁ ଘଉଡ଼ାଇଦେଲା । ଯେଉଁମାନେ ଅଛନ୍ତି ସେମାନେ ପଶୁ ହୋଇଗଲେଣି । ପୁଲିସ୍‌ର ନାଁ ଶୁଣିଲେ ଚିଡ଼ି ଉଠନ୍ତି । ରାତାରାତି ଧନ ସମ୍ପତ୍ତି ଲୁଟନ୍ତି । ପୋଲିସ୍‌କୁ ମାରନ୍ତି । ତୁ ଯଦି ସେଠାରେ ରହିବୁ, ତତେ ତ ମାରିବେ, ତା ସଙ୍ଗରେ ମତେ ବି ମାରିବେ ।

- “କ’ଣ କହୁଛ? ମତେ ମାରିବେ?”

- “ହଁ । ଏବେ ମଧ୍ୟ ଆକାଶ ଲାଲ୍ ଅଛି । ଅନ୍ଧାର ହୋଇନି । ଲାତୁ ଗାଁକୁ ଚାଲି ଯା’ । ସେଠାରେ ରହିଲେ କିଛି ଭୟ ନାହିଁ ।

 

ଭରତ ଦାରୋଗା ଚାଲିଗଲା ।

ସେ ଚାଲିଗଲା ପରେ ମୁହଁ, ବାଳ, କପଡ଼ାରୁ ଧୂଳି ଝାଡ଼ିଦେଇ ସାଲୀ ଉଠିଲା । ପେଟର କପଡ଼ା ଖୋଜି ଗୋଟେ ବୋଝ ତୀରର ଫଳ ମାଟିରେ ରଖିଲା । ଇସ୍ପାତଲୁହାର ତୀକ୍ଷ୍ଣତୀର, କୋଚିଲା ଫଳର ବିଷରେ ଜରଜର, ମୁଣ୍ଡା ଯୁବତୀ ଭଳି କଳାରଙ୍ଗର ଲୁହା । ମୁଣ୍ଡା ଯୁବତୀମାନଙ୍କ ଭଳି ଲୋଭନୀୟ, ଉଦ୍ଧତ ।

ଟୋକେଇର କୋଳି ମାଟିରେ ଢାଳିଦେଲା । ତା ପରେ ଟୋକେଇରେ ତୀର ଫଳ ରଖି ସବୁ ଉପରେ କୋଳି ରଖିଲା । ବସି କୋଳି ଖାଇଲା ।

ମାନୀ ପହାନୀ ଧାଇଁ ଧାଇଁ ଆସିଲା ।

ସାଲୀ କହିଲା-“ଏତେ ଡେରିକଲୁ? ମୁଁ କଷ୍ଟ ପାଉଥିଲି, ଜାଣିନୁ?”

- “କଷ୍ଟ ତ ହେଲା, ପିଲା କାହିଁ?”

- “ସେଇ ଟୋକେଇରେ ।”

- “ତୁ କୁଆଡ଼େ ଯାଉଛୁ?”

- “ଆଉ ଫଳ ଆଣିବାକୁ ।”

- “ପୁଣି ଯିବୁ?”

- “ଯିବିନି? କାଲି ପୁଣି ଭରତ ଆସିବ । ତାକୁ ପେଟ ଦେଖେଇବାକୁ ପଡ଼ିବ । ସିଏ ପିଛା ଛାଡ଼ିବ?”

 

- “କାହିଁକି ପଡ଼ିଛି କହିଲୁ?”

- “ସେ ଭାବୁଛି, ଏମିତି କଲେ ଧାନୀର ପତ୍ତା ପାଇଯିବ ।”

- ‘ଏଇ ଅନ୍ଧାରରେ ପୁଣି ଯିବୁ?”

- “ଧାନୀ ବସିଥିବ ।”

- “ଯାଆ ।”

- “ଭରତ ଚାଲିଗଲା?”

- “ହଁ ।”

- “ଡରିଗଲା?”

- “ମୁଁ ତାକୁ ଡରେଇଦେଲି । କହିଲି, ଅକାଳରେ ସବୁ ପାଗଳ ହୋଇଯାଇଛନ୍ତି । ଦାରୋଗା ଦେଖିଲେ ମାରିବେ । ଆମେ କେତେ ପୁଅ-ଝିଅ ଅଛୁ । ତତେ ରଖିଲେ, ମତେ ସବୁ ମାରିଦେବେ । ଶୁଣି ଡରି ଧାଇଁଲା ।”

- “ଧାଉଁ । ଲାତୁ ଗାଁରେ କେହି ରହିବାକୁ ଦେବେନି ।”

- “ରାସ୍ତାରେ ବାଘ ଖାଇଯିବ ।”

- ‘ବାଘ ଦାରୋଗାକୁ ଖାଇବ ! ଦାରୋଗାକୁ ସବୁ ଡରନ୍ତି ।”

- “ଆଉ ତୁ ଡରୁନୁ? ଏହି ଅନ୍ଧାରରେ ପୁଣି ଯିବୁ, ଆସିବୁ । ବିର୍ସାପାଇଁ ତୋର ଏତେ... ।”

- “ଚୁପ୍ ରହ ।” ପୁଣି ମାନୀ ପହାନୀ କହିଲା-

“ତୁ ମତେ କହ ସାଲୀ । ଏହି ଘୋର ଅନ୍ଧାର, କାହାକୁ କାହାର ଚେହେରା ଦିଶୁନି । ମୁଁ ତ ବୁଢ଼ୀ, ଥୁଣ୍ଟା ବରଗଛ, ମୋ ପେଟର କଥା କେହି କାଢ଼ି ପାରିବନି ।”-“କ’ଣ କହିବି?”

- “ବିର୍ସାକୁ ଭଗବାନ୍ ଭାବି ଏସବୁ କରୁଛୁ । ଯିଏ ଚଞ୍ଚଳିଆ ଟୋକା, ତୁ ଯୁବତୀ.... ।”

- “ଚୁପ୍ ରହ ।”

ସାଲୀ ଗାଳିକଲା । କହିଲା-“ଏମିତି କଥା ଭାବିବା ଉଚିତ ନୁହେଁ । ମୁଁ ବି ନୁହେଁ । ଭାବିବା ପାପ ।”

 

- “କେମିତି? ଭଗବାନ୍ ସମସ୍ତଙ୍କପାଇଁ ଭଲ । ଏ ଗୁଲାନ ମତେ ଭଲ ଲାଗୁନି ।”

- “କ’ଣ?”

- “ନାଚ-ଗୀତ, ମହୁଆ-ତାଡ଼ି, ଫୁଲରେ ସଜେଇହେବା....ସବୁ ରୋକି ଦେଇଛି ।”

- “ପୁରୁଣା ରାସ୍ତା ନ ଛାଡ଼ିଲେ, ନୂଆ ରାସ୍ତା ଧରିବା କିପରି? ଏହି ଫଗୁଣରେ ଶାଳଫୁଲର ଗନ୍ଧ ମତୁଆଲା ହୋଇଯାଏ । ବଣରେ କେତେ ଫୁଲ । ଗୋଟେ ବି କିଏ ଛୁଉଁନି, ମୁଣ୍ଡରେ ଲଗାଉନି । କରମାରେ ବି ନାଚୁନି ।”

 

- “ବଡ଼ ମୁସ୍କିଲ । ମୋର ପାଦରେ ବଳ ନାହିଁ । ତଥାପି ବହୁତ ନାଚି ପାରିବି?”

- “ତୁ ବୁଢ଼ୀ ହେଲେ ଟୋକି କିଏ?”

ମାନୀ ହସିଲା ଓ ଗର୍ବର ସହ କହିଲା- “ପହାନ ଥିଲାଯାଏଁ କାଠି କାଟିବାକୁ ଦେଇନଥିଲା । ଏବେ କୁରାଢ଼ୀରେ ପୂରା ଗଛଟିଏ ହାଣିଦେଇପାରେ । ତୁ ପାରିବୁନି ।” ମାନୀ ଟୋକେଇ ମୁଣ୍ଡ ଉପରକୁ ଉଠାଇଲା ।

 

- “ଏବେ ନାହିଁ ମାନୀ । ଅନ୍ଧାର ହେଲାଣି ।”

- “ତୁ ଯିବୁନି ।”

- “ଯାଉଛି ତ !”

ପବନ ଖୁବ୍ ବେଗରେ, ତୀର ଭଳି ପବନର ମୁହଁରେ ପିଟି ହୋଇଯାଉଥାଏ । ଏଇ ଜଙ୍ଗଲ, ଏଇ ରାସ୍ତା, ସବୁ ତା’ର ଚିହ୍ନା-ତାର ଶରୀର ଭଳି ନିଜସ୍ୱ । ଜଙ୍ଗଲର ହୃଦୟରେ ନିର୍ଜନ ଛୋଟ କୁଣ୍ଡରେ ଯେତେବେଳେ ସିଏ ଗାଧାଏ, ତା ପୂର୍ବରୁ ନିଜର ଛାୟାକୁ ପାଣିରେ ଦେଖିନିଏ । ସେଇ ନିଶ୍ଚଳ ପ୍ରତିବିମ୍ବରେ ପ୍ରତ୍ୟେକ ରେଖା, ଭାଙ୍ଗ, ଉଚ୍ଚନୀଚ ମୋଡ଼ ଆଉ ଗୋଲାକାର ତାର ଯେପରି ପରିଚିତ, ଠିକ୍ ସେହିଭଳି ଏହି ଜଙ୍ଗଲ ମଧ୍ୟ ପରିଚିତ । ରାସ୍ତା ଛାଡ଼ି ଜଙ୍ଗଲ ଭିତରେ ପଶିଲା । ପାହାଡ଼ର ଢାଲୁରେ ପହଞ୍ଚିଲା । ଢାଲୁ ତଳେ ନଦୀ- ଯାହାର କଲିଜା ଆଜି ଶୁଖିଲା । ନଦୀର ତୀରେ ତୀରେ ପାହାଡ଼ର ଢାଲୁରେ ଗୁମ୍ଫା । ଗୁମ୍ଫାର କଣ୍ଟା ହଟେଇ ସେ ଭିତରେ ପଶିଗଲା ।

- “କିଏ ସାଲୀ?”

- “ହଁ । ବହୁତ କଷ୍ଟରେ ଆସିଛି । ଭରତ ପିଛା କରୁଥିଲା । ବିଲ୍‌କୁଲ ଛାଡ଼ିବାକୁ ଚାହୁଁନଥିଲା-। ତା’ଆଖିରେ ଧୂଳିଦେଇ ଆସିଲି । ଏ ଶଳାକୁ ମୁଁ ଦିନେ ଟାଙ୍ଗିଆ ଭୂଷିଦେବି ।

- “ଭୁଲାଭୁଲି କରି ନେଇ ଆସିବୁ ।”

- “ନା-ନା । ଦାରୋଗାକୁ ମାରିଲେ ପୂରା ଗାଁକୁ ଜଳାଇଦେବେ ।”

- ‘ଏଇଟା ବି ସତ ।”

- “ତୀର ଫଳ?”

- “ଏଇଟା ।”

- ‘ଦେ । ବାନ୍ଧିକରି ରଖିଛୁ ନା?”

- “ହଁ ।”

ଧାନୀର ହାତରେ ଟାଙ୍ଗିଆ ଖୁବ୍ ସୁନ୍ଦର ଦେଖାଯାଉଥିଲା । ଟାଙ୍ଗିଆ ଆଉ ଚକ୍‌ମକ୍ ପଥର ଥିଲେ ଧାନୀକୁ କୌଣସି ଜିନିଷର ଆବଶ୍ୟକତା ନାହିଁ । ବର୍ଷା ହେଲେ ଧାନୀ ଜଙ୍ଗଲର ଡାଳ କାଟି ପକାଇବ । ଟାଙ୍ଗିଆରେ ଗଛର ଡାଳ କାଟି ତାକୁ ଫିଙ୍ଗି ହରିଣ ମାରିପକାଇବ । ସେଇଥର ମୁଲକ ଲଢ଼ାଇରେ ଜମିଦାରର କୋଠାଘର ଜଳାଇ ସେ ଯେତେବେଳେ ଜଙ୍ଗଲଆଡ଼କୁ ପଳାଇ ଆସିଥିଲା, ସେତେବେଳେ ଟାଙ୍ଗିଆରେ ଗଛର ଡାଳପତ୍ର କାଟି ଗଛ ତଳେ ଗୋଟେ ସୁନ୍ଦର ଘର ତିଆରି କରିଥିଲା । ବହୁତ ଦିନ ଯାଏଁ ସେଠାରେ ରହିଥିଲା ।

ଟାଙ୍ଗିଆରେ ଡାଳ କାଟି ତୀର ଫଳ ଆକାରର କରି ସେ ସୁନ୍ଦର ଫଳ ବନାଇଥିଲା । ସେ ସେଇଟାକୁ ସାଲୀକୁ ଦେଲା ।

 

ସାଲୀ କହିଲା- “ଆଜି କ’ଣ ଖାଇଲୁ?”

- “ଗୋଟେ ଠେକୁଆ ମାରିଥିଲି । ଖାଇବୁ । କିଛି ନେଇଯିବୁ?”

- “ନା । ଆମ ଅଗଣାରେ ବୁଲୁଛନ୍ତି । କେତେବେଳେ ଜାଲ ପକାଇ ଧରିନେବି ।”

- “ଘରକୁ ଯା ।”

- “ହଁ ଯିବି । ପୁଅ ଅଛି ।”

- “କାଲି ଲୁଣ ଆଣିଦେବୁ ।”

- “ଆଣିଦେବି ।”

- “ଫାଶ ଆଣିଦେବୁ ।”

- ‘ହଁ ।”

- ‘ଅନ୍ଧାର ହୋଇଗଲାଣି ।”

- “ଭଗବାନ୍‌ର ନାଁ ଧରି ଧରି ଚାଲିଯିବି ।”

ଅନ୍ଧାର ସହିତ ମିଶି ସାଲୀ ଚାଲିଗଲା । ଏବେ ଅନ୍ଧାରକୁ ଡରୁନି । କୌଣସି ଜିନିଷକୁ ଡରୁନି । ପ୍ରଥମେ ଡରୁଥିଲା । ଏବେ ଲାଗୁଛି-ଏଇ ଦିନ ମଧ୍ୟ ଦିନ ନାହିଁ ଏବେ ଯାହା ହେଉଚି, ଯେମିତି ଦିନ କଟି ଯାଉଚି ସବୁ ମାଟିରେ ମିଶିଯିବ । କେବଳ ବିର୍ସା ଆସିଲେ ଯାହା ହେବ । ବିର୍ସା ଆସିଲେ ସବୁ ବଦଳିଯିବ ।

•••

 

ବହୁତ ଦିନରୁ ତା’ର ମନ ଯେମିତି ଅନ୍ଧକାରରେ ଭରି ରହିଥିଲା । ଛୁଟପନଠାରୁ ସାଲୀ ଶୁଣିଥିଲା ଯେ ସେ ବହୁତ ସୁନ୍ଦରୀ । ଯେତେବେଳେ ତା’ର ବିବାହ ହେବ ସେତେବେଳେ ଲୋକମାନେ ତାକୁ ଦେଖିବାକୁ ଭିଡ଼ ଜମାଇବେ । କିନ୍ତୁ ଡୋନ୍‍କା ସହିତ ବିବାହ ହେବାରୁ ତା’ର ମନରେ ସୁଖ ନଥିଲା । ଡୋନ୍‍କାକୁ ସେ ବାହା ହେବା ଆଗରୁ ଡୋନ୍‍କାର ଦୁଇଟି ସ୍ତ୍ରୀ ମରିସାରିଥିଲେ । ଡୋନ୍‍କା ଗୋଟେ ଅଞ୍ଚଳର ମୁଖିଆ ଥିଲା । ସେଇ ଅଞ୍ଚଳରେ ୧୧ଟି ଗାଁ ଥିଲା ।

ଗାଁ ମଧ୍ୟ ଏମିତିକା ଥିଲା-ଜଙ୍ଗଲର ଗାଁ । କେଉଁଠି ଦଶଟା ଘର ଥିଲା ତ’ କେଉଁଠି କୋଡ଼ିଏଟା । ଯେଉଁମାନେ ରହୁଥିଲେ ସେମାନଙ୍କର ଅବସ୍ଥା ମଧ୍ୟ ଏପରି ଥିଲା । ଜାଉ ମିଳିଲେ ଲୁଣ ମିଳୁନଥିଲା । ତଥାପି ଡୋନ୍‍କାର ଅବସ୍ଥା ସେମାନଙ୍କଠାରୁ ଭଲ ଥିଲା । ତା’ର ବୟସ ବହୁତ ହୋଇଯାଇଥିଲା । ତଥାପି ସେ ସବୁ ଦେଇ-ନେଇ ସାଲୀକୁ ଘରକୁ ନେଇ ଆସିଲା । ସାଲୀର ବାପକୁ କହିଲା- ମୁଁ ବା କେତେ ଦିନ ଜିଇଁବ? ସବୁ କିଛି ତୁମ ଝିଅର ।

ସାଲୀର ବାପମା’ ସେହିଦିନଠୁ ଏଇ ଗାଁକୁ ଚାଲି ଆସିଲେ । ବାପ ଦିନେ ମରିଗଲା । ସାଲୀର ମନରେ ସୁଖ ନଥିଲା । ବିବାହର କିଛି ସୁଖ ମିଳିଲାନି । ତଥାପି ପେଟପାଇଁ ଭାତ, ପିନ୍ଧିବାପାଇଁ ଲୁଗା, ମୁଣ୍ଡପାଇଁ ତେଲର ଆବଶ୍ୟକତା ଥିଲା । ବୁଢ଼ା ବରକୁ ବାହା ହେବାର ଦୁଃଖ ସାଲୀ ଭୁଲିଗଲା ।

ଧୀରେ ଧୀରେ ସେଇ ସୁଖ ମଧ୍ୟ ଚାଲିଗଲା । ଡୋନ୍‍କା ଦିନେ ଧଳା କପଡ଼ା ପିନ୍ଧି, ମୁଣ୍ଡରେ ପଗଡ଼ି ବାନ୍ଧି ଘରକୁ ଆସିଲା । ସାଙ୍ଗରେ ଚାରିଜଣ ମୁଣ୍ଡା ଥିଲେ । କହିଲା- ଏମାନଙ୍କପାଇଁ ଭାତ ରାନ୍ଧି ଦେ’ ।”

- “କାହିଁକି?”

- “ଏମାନେ ବୀରସାଇତ । ମୁଁ ମଧ୍ୟ ବୀରସାଇତ ହୋଇଗଲି । ବୀରସାଇତ-ବୀରସାଇତ ଭାଇ ଭାଇ । ନିଜ ଭାଇମାନଙ୍କୁ ମୁଁ ଭାତ ଦେବି ।”

ବୀରସାଇତମାନଙ୍କୁ ଖୁଆଇ-ଖୁଆଇ, ଦେଇ ଦେଇ, ଧାନ କମିବାକୁ ଲାଗିଲା । ଯେତେବେଳେ-ସେତେବେଳେ ଲୋକେ ଆସିବାକୁ ଲାଗିଲେ । ସେମାନଙ୍କର କଥାବାର୍ତ୍ତା ହେଉଥିଲା । ତେଣୁ ଡୋନ୍‍କା ସାଲୀ ଓ ତା’ର ପୁଅକୁ ଆଉ ଗୋଟିଏ ଘରକୁ ପଠାଇଦେଲା । ସାଲୀର ମନରେ ନିଆଁ ଲାଗିଗଲା । ଡୋନ୍‌କାର କେମିତିକା ସତ୍ୟାନାଶୀ ବୁଦ୍ଧି? ସେ ଗାଳିଦେବାକୁ ଲାଗିଲା-ନିଜ ବାପକୁ, ଡୋନ୍‍କାକୁ, ଭାଗ୍ୟକୁ । ଶେଷରେ ଦିନେ ଡୋନ୍‍କା କହିଲା-“ଭଗବାନ୍‌ର କାମରେ ମୁଁ ଯାଉଛିରେ ।”

•••

 

ବିର୍ସା ପାଖରେ ଡୋନ୍‍କା ରହିଗଲା । ସାଲୀର କ୍ଷେତବାଡ଼ି ନଷ୍ଟ ହୋଇଗଲା । ରାଗରେ ଜଳି ଜଳି ସାଲୀ ବିର୍ସା ପାଖକୁ ଗଲା । ମୁଖିଆର ବୋହୂ । ସେଥିପାଇଁ ବାଳରେ ତେଲ ଲଗାଇ, ଜୁଡ଼ା ବାନ୍ଧି, ଜୁଡ଼ାରେ ଫୁଲ ଖୋସି, ସଫା ଲୁଗା ପିନ୍ଧି ଗଲା । ମନର ନିଆଁ ତା’ର ଚାଲିଚଳଣରୁ ଜଣା ପଡ଼ିଯାଉଥିଲା ।

ବିର୍ସା କହିଲା-“ତୁ ଡୋନ୍‍କାକୁ ଗାଳି ଦେ’ନା । ସେ ମୋର କାମ କରୁଛି ।”

- “ହାୟରେ । ତୁମର କାମ । ସବୁ ଉଡ଼େଇଦେଲା । ପୁଅକୁ ଦେଖୁନି, ତା’ର କଥା ଭାବୁନି । ସବୁ ନାଶ କରିଦେଲା । ଗାଳି ଦେବିନି?”

ବିର୍ସା ଅଗଣାକୁ ଆସିଲା । ତା’ର ମୁଣ୍ଡ ଉପରେ ହାତ ରଖିଲା । ତା’ର ମୁହଁକୁ ଟାଣି ଆଣିଲା-। ସତେ ଅବା ସେ କୌଣସି ମନ୍ତ୍ର ଧୀରେ କହିବାକୁ ଲାଗିଲା । ତାର ଆଖିରେ ଜ୍ୟୋତି ଝଲକୁ ଥିଲା । ତା’ର ଆଙ୍ଗୁଳିରେ ସତେ ଯେମିତି କୌଣସି ଦେବତାର ସ୍ପର୍ଶ ଥିଲା । ସାଲୀକୁ ଲାଗିଲା ସତେ ଯେମିତି ତା’ର କ୍ଷୁବ୍ଧ, କ୍ରୁଦ୍ଧ, ଉଦାସ ମନ ବର୍ଷା ପାଣିରେ ଧୋଇ ହୋଇଯାଇଛି ।

ସାଲୀ ପଚାରିଲା-“କ’ଣ ଦେଖୁଛ?”

- “ତତେ ।”

- “ମତେ?”

- “ହଁ ।”

ବିର୍ସା କହିଲା- “ଡୋନ୍‍କା ପାଖରେ ମୋର ବହୁତ କାମ ଅଛି । ତୋ ପାଖରେ ତା’ଠାରୁ ଆହୁରି ଅଧିକ କାମ ଅଛି ।”

 

- “ମୋ ପାଖରେ?”

- “ହଁ ।”

- “ମୁଁ କିଏ, ବତାଇଲ?”

- “ତୁ ସାଲୀ ।”

- “ପୁରୁଷ ଲୋକଙ୍କ ହାତରେ ଲଢ଼େଇ କାମ ହୁଏ ।”

- “ହଁ ହୁଏ । ମୁଁ ତତେ ଶିଖେଇଦେବି ।”

•••

 

ସାଲୀ ଆଶ୍ଚର୍ଯ୍ୟରେ ମୁଣ୍ଡ ନୁଆଁଇ ଘରକୁ ଚାଲି ଆସିଥିଲା । ଡୋନ୍‍କାକୁ କହିଥିଲା-“ତୁ ତ ମୁଖିଆ । ଆଉ କ’ଣ ମିଳିବ ଯେ ବିର୍ସା ପାଖକୁ ଯାଇଥିଲୁ?”

ଡୋନ୍‍କା ହସି ହସି କହିଲା- “ତାକୁ ଦେଖିଲେ, ତା’ର କଥା ଶୁଣିଲେ ଲାଗୁଛି ଯେମିତି ପାହାଡ଼ ଖଣ୍ଡ ଖଣ୍ଡ ହୋଇଯାଉଛି । ତା’ପାଖକୁ ଯାଇ ମତେ ଜଣାପଡ଼ିଲା ଯେ ମୁଣ୍ଡା ହେବା କେତେ ଭାଗ୍ୟର ବିଷୟ ।”

ସାଲୀ ବୁଝିଗଲା ଯେ ଡୋନ୍‍କା କାହିଁକି ବିର୍ସାର ଭକ୍ତ ହୋଇଗଲା । ମୁଣ୍ଡା ଅର୍ଥାତ୍ ଜଙ୍ଗଲୀ, ଅସଭ୍ୟ । ମୁଣ୍ଡାମାନଙ୍କର ଜୀବନ ଦିକୁପାଇଁ । ଦିକୁମାନଙ୍କର ଗୋଦାମ ଘରକୁ ଧାନ-ଆଖୁ ଆସିବ-। ଦିକୁ ଆସି ଜଙ୍ଗଲ ହାସଲ କରି ଜମି ଉପରେ ଦଖଲ କରିବ । ବୋଣ୍ଡା ବୋଂଡ଼ିଙ୍କ ସ୍ଥାନ, ବଳି ହେବା ଜାଗା-ଆଦି ଗାଁର ସବୁ ଆଦିମ ଚିହ୍ନ ସଫାକରି ସେଠାରେ ଦିକୁମାନେ ନିଜର ଦେବଦେବୀମାନଙ୍କର ସ୍ଥାନ ତିଆରି କରିବେ । ମୁଣ୍ଡାମାନେ କାହିଁକି ମୁଣ୍ଡା ବୋଲି ଗର୍ବ କରିବେ? କେମିତି ନିଜର ଆତ୍ମବିଶ୍ୱାସ ବଜାୟ ରଖିବେ?

ନା, ବିର୍ସା କୌଣସି ମୁଣ୍ଡାକୁ ଜାଉ ବଦଳରେ ଭାତ, ସ୍ୱାଧୀନତା, ଜେଲ୍ କଚେରୀରୁ ମୁକ୍ତି, କ୍ଷେତ ବାଡ଼ି, ଜମି, ରହିବାପାଇଁ ଘର-ଜଙ୍ଗଲର ଅଧିକାର ଦେଇ ପାରିଲାନି ।

କିନ୍ତୁ ଡୋନ୍‍କାର ହୃଦୟରେ ସାହସ ଆଉ ଗର୍ବ ଭରି ପାରିଲା । ସାଲୀ ଦୀର୍ଘଶ୍ୱାସ ନେଲା । କହିଲା-ମୁଁ ବି ଚାଲ୍‌କାଡ଼ ଯିବି । ପତି-ପତ୍ନୀ ଯେମିତି ରହନ୍ତି ମୁଁ ସେମିତି ରହିବିନି । ମୁଁ ବି ଯାଇ ଚାଲକାଡ଼କୁ ତା’ର କଥା ଶୁଣି ଆସିବି ।

- “ଯିବୁ?”

- “ନହେଲେ କ’ଣ ତୁ ହିଁ ଯିବୁ? ତୁ ବୁଢ଼ାଟା । ତତେ ରାତିରେ ଦେଖାଯାଉଛି?”

ସାଲୀ ସବୁ କିଛି କଲା । ବିର୍ସାପାଇଁ ବହୁତ କାମ କରି ସେ ବିର୍ସାର ଆଖିରେ ପ୍ରଶଂସାର ଭାବ ଦେଖିବାପାଇଁ ସବୁ କିଛି କଲା । ଯେତେବେଳେ ଧାନୀ ତୀର ଫଳ ବାଣ୍ଟୁଥିଲା, ସେତେବେଳେ ବିର୍ସା ଧରା ପଡ଼ିଲା । ଡୋନ୍‍କା ମଧ୍ୟ ଜେଲ୍ ଗଲା ।

•••

 

ସାଲୀ ପ୍ରତି ଗାଁରେ ପୁଲିସ୍‌ର ନୃଂଶସତା ଦେଖିଲା । ଦେଶରେ ତ ଅକାଳ ପଡ଼ିଥିଲା । ମୁଣ୍ଡା ଲୋକମାନେ ପୁଣି ଦଳଦଳ ହୋଇ ଖୀରସ୍ତାନ ହେବାକୁ ଚାଲିଗଲେ ।

ଦେଖିଲା ଯେ ବିର୍ସାର ଶତ୍ରୁମାନେ କହୁଥିଲେ-“ମୁଣ୍ଡାମାନେ, ବିର୍ସାର ପାପ ଯୋଗୁଁ ସବୁ କିଛି ଜଳିପୋଡ଼ିଗଲା ।”

 

- “ତା ହେଲେ?”

- “ତା ହେଲେ କ’ଣ? ସବୁ ବୋଣ୍ଡା ବୋଣ୍ଡି ଛାଡ଼ି ଏକେଲା ବିର୍ସାକୁ ଭଗବାନ ମାନି ପୂଜା କଲେ ଦେବତା ରାଗି ଯିବେନି?”

 

- “ତା ହେଲେ?”

- “ଯାଇ ପୂଜା କର । ପାଣି ନାହିଁ । କ୍ଷେତ ନାହିଁ । କୌଣସି ବୋଣ୍ଡା ବୋଣ୍ଡିଙ୍କ ପାପ ଯୋଗୁଁ ଏସବୁ ହେଉଛି । ପହାନ କହିଦେବ ।”

 

- “ତା ପରେ?”

- “ସେଇ ବୋଣ୍ଡା ବୋଣ୍ଡିଙ୍କୁ ସନ୍ତୁଷ୍ଟ କର । ଯାଅ ।”

ତା ପରେ ସିମ୍ବୋଡ଼ା ପାଖରେ ବଳି ଚଢ଼ିଲା । ଗୋଟେ ଛେଳି ବଳି ଦିଆଗଲା । ତାପରେ ପହାନ ରକ୍ତରେ ଭର୍ତ୍ତି ଗୋଟିଏ ମାଠିଆ ସେଇ ଶୁଖିଲା କୂଅ, ଶୁଖିଲା ନଦୀରେ ଢାଳିଦେଲା । ତାପରେ ସୁଖୀ ଡାଇନ୍ ଆସି ଝାଡ଼ଫୁଙ୍କ ମନ୍ତ୍ରତନ୍ତ୍ର ଆରମ୍ଭ କଲା ।

ଏସବୁ ଦେଖି ସାଲୀର ମନ ଦୁଃଖ ହେଲା । ଏମିତି କାନ୍ଦ ଥରେ ଆସିଥିଲା । ଯେତେବେଳେ ତା’ର ବାପା ଡୋନ୍‍କା ସହିତ ତା’ର ବାହାଘର କରିଦେଇଥିଲା । ଲାଗୁଥିଲା ଯେମିତି ସେ ମରିଯିବ ।

ଜଙ୍ଗଲ ଜଳି ଯାଇଥିଲା । ହରିଣମାନେ ଗାଁକୁ ଆସି ଧାନ ଖାଇ ଯାଉଥିଲେ । ଘର ଭିତରେ କାଠ ଖମ୍ବ ଘେରା ଗୋଟେ ଜାଗା ଖାଲି ଥିଲା । ସେଠାରେ ମା ତା’ର ସାନ ପୁଅକୁ ଧରି ଶୋଉଥିଲା । ସାଲୀ ଘରର ବାହାରେ ଟାଙ୍ଗିଆ ଧରି ଶୋଉଥିଲା ।

ଦିନେ ରାତିରେ ଗଛର ଶବ୍ଦ ଶୁଭିଲା । ସାଲୀ ବୁଝିଲା ଯେ ବାହାରେ କେହି ଜଣେ ଅଛି । ସେ ଟାଙ୍ଗିଆ ଉଠେଇ ନେଲା । ଧୀର ସ୍ୱରରେ କହିଲା-“କିଏ?”

 

- “ଧାନୀରେ, ଧାନୀ ମୁଣ୍ଡା ।”

ସାଲୀ କବାଟ ଖୋଲିଲା । ଧାନୀ ଭିତରକୁ ଆସିଲା । କହିଲା-“ଜେଲ୍‌ରୁ ଲୁଚି ପଳେଇ ଆସିଚି ।”

 

- “ତୁ ଏକେଲା?”

- “ହଁ ।”

- “ଏଠାକୁ ଆସିଲୁ?”

- “କୁଆଡ଼େ ଯିବି?”

- “ତୋର ପିଛା କରି ପୁଲିସ ଆସିବ ।”

- “ଗୋଟେ ଦିନ ରହିବାକୁ ଦେବୁ !”

ତା’ପର ଦିନ ରାତିରେ ସାଲୀ ଧାନୀକୁ ଗୁମ୍ଫାକୁ ନେଇଗଲା । କହିଲା-କାହାକୁ ଖବର ଯାଇନି ନା? ଦିନରେ ସଫା କରି ଦେଇଥିଲି । ତୁ ଏଠାରେ ରହ । ପରେ ଆସିବି । ନ ଆସିଲେ ଜାଣିବୁ ଯେ ଗାଁକୁ ପୁଲିସ ଆସିଥିଲା । ସେଥିପାଇଁ ଆସିଲିନି । ଭୋକ ଲାଗିଲେ ଏଇ ମକ୍କାର ଦାନା ଖାଇଦେବୁ । ହାଣ୍ଡିରେ ପାଣି ଅଛି । ପି’ନେବୁ ।

•••

 

ସେହିଦିନଠୁ ଧାନୀ ଏଇଠି ଅଛି । ଧାନୀକୁ ଏଠାକୁ ପଠାଇ ସାଲୀକୁ ଳାଗିଲା ନା, ସବୁ ଠିକ୍ ଅଛି । ଧାନୀ କହିଲା ଯେ ବିର୍ସା ଦି’ବର୍ଷ ପରେ ଫେରିବ । ଯେତେ ଦିନ ପର୍ଯ୍ୟନ୍ତ ନ ଫେରିଛି, ସେମାନଙ୍କୁ କହିବାକୁ ହେବ ଯେ ସବୁ ଠିକ୍‌ଠାକ୍ ଅଛି ।

ହୃଦୟରେ ସାହସ ବାନ୍ଧି ସାଲୀ ଫେରିଲା । ପୁଣି ଜୀବନ ସ୍ୱାଭାବିକ ଲାଗିଲା । ଲାଗିଲା ସବୁ ଠିକ୍ ଅଛି । ପୋଲିସ ଧାନୀର ତଲାସରେ ଆସି ଧାନର କୋଠା ଭାଙ୍ଗିଦେଲା । ସାଲୀ ମାକୁ କହିଲା-“କାହିଁକି କାନ୍ଦୁଛୁ? ଧାନ ମଡ଼ାଇହୋଇ ତୋର ଅଗଣାରେ ରହିଲା । ମୋର ବୁଢ଼ାର ଘରଟା କେମିତି ଭାଙ୍ଗିଗଲା ଦେଖିଲୁ?”

 

- “ଏବେ କ’ଣ ଖାଇବା?”

- “ପ୍ରଥମେ ଯାହା ଖାଉଥିଲେ ।”

ସାଲୀ ଜଙ୍ଗଲରେ ବୁଲିଲା । ଜଙ୍ଗଲରେ ଫଳ ଫଳେ, କନ୍ଦା ହୁଏ । ଠେକୁଆ, ବାର୍‌ହା ମାରି ମଧ୍ୟ ଘର ଚଳାଯାଏ । କଥା କଥାରେ ମନର କଥା ସାଲୀ ବୁଝି ଜାଣିଲା-ନା ସମସ୍ତେ ବିର୍ସାର ନାଁରେ କମ୍ପନ୍ତିନି ।

ମାନୀ ପହାନୀ ତାକୁ ବୁଝେଇଲା । କହିଲା- “ଯେଉଁ ହାଟକୁ ଦିକୁମାନେ ଆସନ୍ତି ସେଇ ହାଟକୁ ଯିବିନି । ଛୋଟ ଛୋଟ ଜଙ୍ଗଲ ଭିତରେ ଗାଁରେ ବାଡ଼ି କରି ଉପରେ ଶାଗ, କଦଳୀ, ପନିପରିବା ଲଗାଇବି । ତାକୁ ଟୋକେଇରେ ବିକିବି । ସେଇ ଟୋକେଇ ମୁଁ ନେବି । ମୋ କଥା ଶୁଣ୍ ।”

ସାଲୀ ମାନୀ କଥା ଶୁଣିଲା । ସମସ୍ତେ ଦେଖିଲେ ସାଲୀ, ଡୋନ୍‍କା ମୁଖିଆର ପତ୍ନୀ, ପେଟରେ ପିଲା ନେଇ ଜଙ୍ଗଲରେ ବୁଲୁଛି । ଏବେ ଅକାଳ ଦୁର୍ଭିକ୍ଷ-ଜଙ୍ଗଲ ବିନା ମୁଣ୍ଡାର ଗତି ନାହିଁ-। ଦିକୁମାନେ ବି କହନ୍ତି: “ତୁମେମାନେ ତ ଦିକୁମାନଙ୍କୁ ତଡ଼ିବାକୁ ଚାହଁ । ଦିକୁ କାହିଁକି ତମର ଫିକର କରିବ?”

ବଡ଼ ଅକାଳ, ବଡ଼ ଦୁର୍ଦ୍ଦିନ-ବିର୍ସା ଜେଲ୍ ଗଲା ଯେ, ତା ପରଠାରୁ ଏମିତି ଚାଲିଛି ।

•••

 

ବର୍ଷା ହେଲା ନାହିଁ । ଭୂମି ଜଳି ଶୁଖିଲା । ଦି’ବରଷ ହେଲା ଥଣ୍ଡା ହାୱାଟିକେ ବହିନି । ଶୀତଦିନେ ବି କାକର ପଡ଼ୁନି । ସକାଳେ ଜଙ୍ଗଲର ପତ୍ର ପୋଡ଼ିଯାଇଥିବା ପୁଣି ଦିଶୁଛି । ସ୍ତ୍ରୀମାନେ ନଈକୂଳରେ ଗାତ ଖୋଳି ରହନ୍ତି । ଗାତରେ ଟିକେ ବି ପାଣି ହୁଏ ନାହିଁ । ସାଲ ୧୮୯୭ରେ ଛୋଟନାଗପୁରରେ ଖରିଫ୍ ଫସଲ ଜଳିଗଲା । ରବି ଫସଲ ବି ହେଲା ନାହିଁ ।

ସାଲ୍ ୧୮୯୭ ନଭେମ୍ବରରେ ବିର୍ସା ଜେଲ୍‌ରୁ ଫେରିଲା ।

ଏହି ସମାଚାର ନିଆଁ ଭଳି ବ୍ୟାପିଗଲା । ପୁରୁଷ-ସ୍ତ୍ରୀ ସବୁ ନାଚିଲେ-ଗୀତ ଗାଇଲେ । ଯେଉଁମାନେ ଖ୍ରୀଷ୍ଟିୟାନ୍ ହୋଇଥିଲେ ପଲୁସ୍ ପ୍ରଚାରକକୁ କହିଦେଲେ-“ଆମେ ଆଉ ତୋର ଗୀର୍ଜାଘର ଯିବୁନାହିଁ । ଭଗବାନ୍ ଆସିଗଲେ ।”

- “ମିଶନ୍ ତମକୁ ଅକାଳରେ ଖୁଆଇଥିଲା କି ନାହିଁ ।”

- ‘ଖୁଆଇଲେ କ’ଣ ହେଲା?”

- “ତମେ ସବୁ ଆମକୁ ଅସୁବିଧାରେ ପକେଇଲ ।”

- “ଅସୁବିଧାରେ ତୁ ନିଜେ ପଡ଼ିଲୁ ।”

- “ଦେଖ, ପୁଣି ସେକଥା ଉଠଉଛ ।”

- “ଯା, ତୋ ଗୀର୍ଜାଘର ଯା ।”

ରାଞ୍ଚିରୁ ଚାଲ୍‌କାଡ଼ ଆସି ବିର୍ସା ଦେଖିଲା ସବୁ ଜଳିପୋଡ଼ି ଯାଇଛି । ସେ ଦୀର୍ଘଶ୍ୱାସ ନେଲା-। ମୁଣ୍ଡାମାନଙ୍କର ଅନାହାର, ଉପବାସ, ଦାରିଦ୍ର‌୍ୟ ତାକୁ ବ୍ୟସ୍ତ କଲା । ସିଏ ଭଗବାନ୍‌, ମୁଣ୍ଡାମାନଙ୍କର ଭଗବାନ୍‌ ! କମିଶନର୍‌କୁ କଥା ଦେଇଛି ମୁଣ୍ଡାମାନଙ୍କୁ ମତେଇବ ନାହିଁ । କିନ୍ତୁ ସିଏ ଏହି ବଚନ ରକ୍ଷା କରିପାରିବନି ବୋଲି ଜାଣେ । ଏବେ ମନରେ କେଉଁଠି-ପ୍ରତିଧ୍ୱନି ଭଳି-ଶୁଖିଲା ପବନ ପ୍ରତିଧ୍ୱନିରେ ଫେରିଆସି ମାଆଠାରୁ ଶୁଣିଲା ପ୍ରାଚୀନ ଗୌରବ କଥା ! ଚୁଟିଆ ଜଗନ୍ନାଥପୁର, ନୌରତନରେ ମୁଣ୍ଡାମାନେ ମନ୍ଦିର କରିଥିଲେ । ସେଇ ମନ୍ଦିର ବେଦିର ତଳେ ଠିଆ ହୋଇ ସିମ୍ବୋଡ଼ା ସହ କଥା ହେଉଥିଲେ । ଈଶ୍ୱର ଓ ମୁଣ୍ଡାମାନଙ୍କ ମଧ୍ୟରେ ସାମୀପ୍ୟ ଥିଲା । ତା ପରେ ମାଆ କହେ- ଦିକୁମାନେ ସ....ବୁ ନେଇଗଲେ । ମୁଣ୍ଡାମାନେ ବେଦଖଲ ହୋଇଗଲେ ।

ସେମାନେ ଚାଲକାଡ଼ରେ ପହଞ୍ଚିଲେ ।

ଡିସେମ୍ବର ସାତ ତାରିଖରେ କମିଶନର ସ୍ୱୟଂ ଚାଲକାଡ଼ ଆସି ତାକୁ ଧମକ ଦେଲେ । କହିଲେ: “ସରକାରକୁ କଥା ଦେଇଛୁ । କଥା ଭାଙ୍ଗିଲେ କଡ଼ା ସଜା ମିଳିବ ।”

 

ବିର୍ସା କହିଲା: “ମନେ ଅଛି ।”

କମିଶନ୍‌ର ଦିପହରକୁ ଚାଲିଗଲେ । ସନ୍ଧ୍ୟାକୁ ବିର୍ସାର ଅଗଣା ଭରିଗଲା । ସୋମା, ଧାନୀ, ଗୟା, ସୁରାଇ, ଭରତୋ, ମୁଣ୍ଡା-ସର୍ଦ୍ଦାର ଆସିଲେ ।

କିଏ ଜଣେ ମଶାଲ ଜାଳି ଦେଲା । ମଶାଲ ଆଲୁଅରେ ସବୁ ଆଲୋକିତ ହୋଇଗଲା । ବିର୍ସାର ଚେହେରା ଗମ୍ଭୀର ଥିଲା । କହିଲା- “ଜଣେ ଜଣେ କୁହ । ସୋମା ତୁ କହ ।”

- “ତମେ ଜେଲ୍‌ରେ ଥିଲ । ଏଠାରେ ଶ୍ରାବଣ-ଭାଦ୍ର ଆସୁ ଆସୁ ଶୁଣିଲୁ ସରକାର ଅକାଳପାଇଁ ବ୍ୟବସ୍ଥା କରିଛି । ଗାଁଗଣ୍ଡାରେ କରଜରେ ଧାନ ଚାଉଳ ସବୁ ମିଳିବ । ଆମେ ଟିକେ ଆଶ୍ୱସ୍ତ ହେଲୁ । ପରେ ଶୁଣିଲୁ, ଚାଉଳ ଆସି ସମସ୍ତଙ୍କୁ ମିଳି ରିପୋର୍ଟ ଚାଲିଗଲାଣି । ହେ ଭଗବାନ୍‌, ମୁଁ ଆଉ କ’ଣ କହିବି ।”

- “ଗୟା, ତୁମେ କୁହ ।”

- “ମୁଁ ଥାନାକୁ ଯାଇ କହିଲି-ଖୁଣ୍ଟି, ସିସଲ, ବାସିଆ ଥାନେ ଶତାଧିକ ଲୋକ ଅନାହାରରେ ମରୁଛନ୍ତି । ରିପୋର୍ଟରେ ଲେଖାଗଲା ଚଳିଶ ପଚାଶ ମଲେ । କେବଳ ଚାଳିଶ ଜଣ ମଲେ ତାହାକୁ ସେମାନେ ଅକାଳ କହନ୍ତି ନାହିଁ ।”

- “ଭରତୋ, କ’ଣ କହୁଛ?”

- “ହଁ, ମିଶନ୍‌ର ସାହେବ, ଅନ୍ନଛତ୍ର ଖୋଲିଦେଲେ । ତମାମ ଲୋକଙ୍କୁ ଖୁଆଇଲେ । କିନ୍ତୁ ଜମିଦାର ! ହେ ଭଗବାନ୍‌ ! ସାହେବ ଋଣ ଦେଉନଥିଲେ, ଯେତେ ଧାନଚାଉଳ ଥିଲା ସବୁ ଗାଏବ କରିଦେଲେ । ଦୁଃଖୀ ଆଉ ରକୁଆ ଉପରେ ବି ମିଛ ମକଦ୍ଦମା କଲେ, ଜଙ୍ଗଲରେ ବାଉଁଶ ଭାଙ୍ଗିବାରୁ ।”

- “କାନୁନ୍ କିଏ ଜାଣେ?”

- “ମୁଁ ଜାଣେ ।” ଧାନୀ କହିଲା ।

- “ତୁମେ । ଜେଲ୍‌ରୁ କାହିଁକି ଫେରାର୍ ହେଲ?”

- “ହୁଅନ୍ତିନି? ଭାତ କାହିଁକି ଦେଲେନି? ଘରେ ଜାଉ, ଜେଲ୍‌ରେ ବି ଜାଉ?”

- “ଭୁଲ କଲୁ ।”

- “ଆଉ କରିବିନି ।”

- “କାନୁନ୍ ବିଷୟରେ ଜାଣୁ ! କ’ଣ ଜାଣୁ କହ ।”

- “ଗୋଟେ ଗୋଟେ କରି କହିବି?”

- “କହ ।”

- “ଲଗାଣ ବଢ଼େଇବାର କାନୁନ୍ ହେଲା, ଲଗାଣ ନେବାର କାନୁନ୍ ହେଲା । କାନୁନ୍ କହିଲା- ଲଗାଣ ବଢ଼ିବ, ଯେତେବେଳେ ଉଚ୍ଚତର ସାମର୍ଥ୍ୟ ନଥିବ, ଲଗାଣ ମାଫ୍ ହେବ । ଜମିଦାର ମୁହଁ ଦେଖି ଲଗାଣ ବଢ଼େଇଲା । କହିଲା-ଆଜିକାଲିର ଦର ଦେଖୁଛ । ଲଗାଣ ନବଢ଼େଇଲେ ମରିଯିବି । ଯିଏ ଲଗାଣ ଦେଇପାରିବନି, ବେଗାରୀ ଦେବ । ବେଗାରୀ ନଦେଲେ ଟଙ୍କା ଦେଇ ରିହାତି ପାଇବ ।”

- “କାମ କ’ଣ ହେଲା?”

- “ସୋମାରା ପାଞ୍ଚଲୋକଙ୍କୁ ଡାକି ଜ୍ୟାକବ୍‌କୁ ଚିଠି ଲେଖିଲା । ଜ୍ୟାକବ୍ ରାଞ୍ଚି ଆସିଲା । କାହିଁକି, ତମେ ଶୁଣିନ?”

- “ଶୁଣିଥିଲି, ଜ୍ୟାକବ୍ ସରକାରକୁ ବହୁତ କହିଲା । ନିଜ ଖର୍ଚ୍ଚରେ ମକଦ୍ଦମା ଦାଏର କଲା । କିନ୍ତୁ ଜମିଦାରର ସୁବିଧା ପନ୍ଦର ଅଣା । ତମେ ସବୁ ତ ଜାଣ । ମୁଣ୍ଡା ରହେ ଜଙ୍ଗଲରେ । କହିଲା-ସରକାର ଲଗାଣ କରିଛି, ମୁଣ୍ଡା ଦେଇପାରିବନି । ସାମର୍ଥ୍ୟ ନାହିଁ । ମୁଣ୍ଡା ଯଦି ମୁଣ୍ଡାରୀରେ ରଡ଼ି ଛାଡ଼ିବ ତେବେ ସରକାର ଜାଣିବ ।”

- “ନା । ଶୁଣିବନି । ସରକାରର କାନ ଖରାପ ।”

- “ତାହେଲେ ?”

- “ମକଦ୍ଦମା ଦାଏର କରି ସରକାରକୁ ବୁଝେଇବାକୁ ପଡ଼ିବ ।”

- “ନା, ମକଦ୍ଦମା ଦାଏର କରିବାର ସାମର୍ଥ୍ୟ ମୁଣ୍ଡାର ନାହିଁ, ନଥିବ । ଜ୍ୟାକବ୍ ଏସବୁ କଥା ସରକାରକୁ କହିଲା । କିଛି ହେଲା ନାହିଁ । କାନୁନ୍ ପାସ୍ ହୋଇଗଲା । ଆଉ କ’ଣ କହିବି । ଆଉ ଗୋଟେ ମଶାଲ ଦେଲ ।”

ନୂଆ ମଶାଲ ଦିଆଗଲା ।

ବିର୍ସା କହିବାକୁ ଲାଗିଲା-“କମିଶନର୍ ସ୍ପଟଫିଲ୍ଟ ଜ୍ୟାକବ୍‌ର ସାଗ ଆପତ୍ତି ଫାଇଲ କଲା । କହିଲା- ମୁଁ ସବୁ ରେକର୍ଡ଼ କରୁଛି । ଏଇ କାନୁନ୍ ନୂଆରେ ହେବ । କିନ୍ତୁ କଲିକତାରୁ ଜନବୁଡ଼ବନ ଛୋଟଲାଟ୍‍ ଆସିଲା । କହିଲା ବିର୍ସା ସବୁ ହଇରାଣ କରୁଛି । ତେଣୁ କୌଣସି ନୂଆ କାନୁନ୍ ହେବନି ।”

ଗୟାମୁଣ୍ଡା କହିଲା-“ତାକୁ ଦେଖ । ଜମିଦାର ବେଗାରୀ ମାଗୁଛି, ଲଗାଣ ମାଗୁଛି । କିଏ ଦବ? କାହା ଘରେ ଦି’ଟା ରୂପାଟଙ୍କା ଅଛି? ତମେ ଜେଲ୍‌ରେ ଥିଲ । ତମେ ଧରିତ୍ରୀର ଆବା । ଧରିତ୍ରୀ ଫସଲ ଦେବ ! ଭୂଇଁ ଜଳି ଶୁଖିଗଲା । ଜମିଦାର କହିଲା, ତମପାଇଁ ସରକାର କାନୁନ୍ କରୁଛି । ମକଦ୍ଦମା କର । ଏଇଥିପାଇଁ ଆମେ ଚୋର ।”

- “ଚୋରି ହବାରୁ?”

- “ହଁ ଭଗବାନ୍ । ତମେ ଜେଲ୍‌ରେ ଥିଲ । ଏଣେ ଦି’ବରଷ ଫସଲ ହେଲାନି, କର୍ଜ ଉଧାର ମିଳିଲାନି, ଲଗାଣ ବଢ଼ି ବେଗାରୀ ବେଶୀ ହେଲା । ଧାନୀ କହିଲା-ଚାଲ ଧାନ ଲୁଟି ନେବା । ଜମିଦାର ଖାଇବ, ଆମେ ଭୋକରେ ମରିବୁ? ଆମେ ଧାନ ଚୋରିକଲୁ । ସରକାର ଦଣ୍ଡ ଦେଲା । ତେଣୁ ଆମେ କଥାବାର୍ତ୍ତା ହୋଇ ଧାନ ଚାଉଳ ଚୋରେଇ ରାତି ରାତି ଫେରିଯାଉ । ମୁଣ୍ଡାମାନଙ୍କୁ କହୁ, ସବୁ ଚାଲିଯାଅ । ଗାଁରେ କେହି ନଥିଲେ ଦଣ୍ଡ ଦେବ କାହାକୁ?”

ଧାନୀ କହିଲା-“ପଳେଇ ଯାଉ । ପୁଣି ଚାଲି ଆସୁ । ଏବେ ସମସ୍ତେ ଜାଣୁ, ତମ ବିନା ଆମର ଗତି ନାହିଁ ।”

ବିର୍ସା କହିଲା- “ବୋର୍ଣାଦିରେ ସାଲୀ ଘରକୁ ସବୁ ଆସିବ । ସେଇଠି ସବୁ ଠିକ୍ କରିବି ।”

- “କରିବ?”

- “ହଁ ।”

•••

 

ଜଣେ ଜଣେ ହୋଇ ସବୁ ଚାଲିଗଲେ । ତଥାପି ବିର୍ସାକୁ ନିଦ ହେଲାନି । ଖଟିଆ ଉପରେ ଶୋଇ ଆକାଶକୁ ଚାହୁଁଥିଲା । ସିଏ ଭଗବାନ୍ । ଭଗବାନ୍ ନ ହୋଇଥିଲେ ତା କଥାରେ ମୁଣ୍ଡା କାହିଁକି ଶୁଣନ୍ତେ । ଯେତେବେଳେ ଗୋଟେ ଯୁଗ ଶେଷ ହୁଏ ଭଗବାନ୍ ଆସେ । ଏବେ ବି ତ ଗୋଟେ ଯୁଗ ଶେଷ ହେବା ଉପରେ । ଆଉ ଗୋଟେ ଯୁଗର ଲକ୍ଷଣ । ସିଙ୍ଗେଲ-ଦାର ନିଆଁରେ ମୁଣ୍ଡ ଦେଶ ଜଳିଗଲା । ତା ଭିତରେ ଦିକୁମାନଙ୍କ ଦୁନିଆ ଜାଲ ଭଳି ମାତିଛି । ସେଇଥିପାଇଁ ଭଗବାନ୍ ଦରକାର ।

କିନ୍ତୁ ବିର୍ସାକୁ ଅନ୍ତରରୁ ଯେଉଁ ନିର୍ଦ୍ଦେଶ ମିଳୁଥିଲା, ସେଇଟା ବନ୍ଦ ହୋଇଗଲା କାହିଁକି? କ’ଣ ଜେଲ୍‌ରେ ରହି ଅପବିତ୍ର ହୋଇଯିବାରୁ ।”

 

- “କିଏ ମାଆ?”

- “ହଁରେ, ଶୋଇନୁ?”

- “ନା । ଏଇ ରେଜେଇ କେଉଁଠୁ ଆଣିଲୁ?”

- “ତୋପାଇଁରେ । କତାରେ କରିଛି । ତୁଳା କେଉଁଠୁ ଆଣିବି? ତୋ ଦିଦି କପଡ଼ା ଆଣିଥିଲା-। ଦୁହେଁ ମିଶି ସିଲେଇଲୁ ।”

 

- “ଏମିତି ରେଜେଇତ ତୁ କେବେ ତିଆରି କରିନଥିଲୁ ।”

- “ପିଲାଦିନେ ସମସ୍ତେ କତା ତଳେ ପଶି ଶୋଉଥିଲେ ।”

- “ସେତେବେଳେ କେମିତି ହୁଏ?”

- “ରେଜେଇ ଉଠେଇ ପାରନ୍ତି ନାହିଁ, ଗେଲ ହୋଇ ପାରନ୍ତିନି ।”

- “ଭାଇ, ଖୁବ୍ କାନ୍ଦୁଥିଲା ।”

- “କାନ୍ଦୁଥିଲା, ଏବେ ଦୁଃଖ ଦେଉଛି ।”

- “ଏତେ ଦୁଃଖ କାହିଁକି ମାଆ ?”

- “ହଁରେ । ସାରା ଦୁନିଆର ଦୁଃଖ ତୁ ବୁଝୁଛୁ । କିନ୍ତୁ ତୋ ମାଆର ଦୁଃଖ ବୁଝିପାରୁନୁ? ତୁ ଭଗବାନ୍ ହେଲୁ, ଠିକ୍ ଅଛି । କିନ୍ତୁ ତୁ ଯେଉଁ ରାସ୍ତାରେ ଯାଉଛୁ, ତତେ ସରକାର ମାରିଦେବ ।”

- “ସରକାର ଆଉ ରହିବନି ମାଆ ।”

- “ରହିବନି!”

- “ନା ମା । ଏଇଦେଶ ଆମର ହେବ । ମୁଁ ଏସବୁ ଜିତିକରି ଆଣିଦେବି । ତୁ ଦୁଃଖ କାହିଁକି କରୁଛୁ?”

କରମୀ କାନ୍ଦିକାନ୍ଦି କହିଲା-“କାଲି ତୁ ସମସ୍ତଙ୍କର ହୋଇଯିବୁ । ମୋ ପାଖକୁ ଆଉ ଆସିବୁନି । ଆଜି ମୋ ପାଖେ ଟିକେ ରହିଯା । ତତେ ମୋ କଲିଜାରେ ଟିକେ ଲଗାଇଦେବି ।”

ବୃଦ୍ଧା କରମୀ ଏଇ ଦେବତାକୁ କୋଳ କରି ଧରିଲା । ବାହାରେ ଥଣ୍ଡା ପବନ । କରମୀର ମୌନ ରୋଦନ ପରି ଜଙ୍ଗଲ ପବନର ଚାପୁଡ଼ାରେ ବିଳାପ କରୁଥିଲା ।

•••

 

ଭଗବାନ୍ ଆସିବ । ତା ଘରକୁ ଆସିବ । ସାଲୀ, ମାନୀ ପହାନୀ ଆଉ ଅନ୍ୟ ମୁଣ୍ଡା ମାଇପିମାନେ ଅଗଣା ପୋଛାପୋଛି କରୁଥିଲେ । ଡୋନ୍‍କା ଆଉ ଅନ୍ୟମାନେ ବୀରସାଇତମାନଙ୍କୁ ନୂଆ କୋଠରୀରେ ବସାଇଲେ । ଆଉଗୋଟେ କୋଠରୀ ତିଆରି ଅଗଣା କୋଣରେ । ସେଇଠି ଭଗବାନ୍ ବସିବେ ।

କାହାଘରେ ଚାଉଳ ମୁଠାଏ ନାହିଁ । ଯାହାଘରେ ଯାହାଥିଲା ନେଇଆସିଲେ । ମୁଖିଆର ଅଧିକାରରେ ସାଲୀ ସବୁ ଚାଉଳ, ଲୁଣ, ଡାଲି ଟୋକେଇରେ ରଖିଲା । ବୀରସାଇତମାନେ ଆସିବେ । ତାପରେ ମହୁଆ ତେଲ ମୁଣ୍ଡରେ ଲଗେଇ, ରିଠା ଫାଳେ ନେଇ ଗାଧୋଇବାକୁ ଗଲା । କୁଣ୍ଡରେ ଗାଧୋଇଲା । ରିଠା ଫଳରେ ମୁହଁ ସଫାକଲା । ବସ୍ତାଏ ରିଠା ସାଲୀ ଘରେ ହିଁ ଅଛି । ତାପରେ ଗାଧୋଇ ବାହାରିଲା । ସଫାଲୁଗା ପିନ୍ଧି, ଚଉଡ଼ା ପଥର ଉପରେ ବସି ବାଳ ଖୋଲିଲା । ବାଳ ଶୁଖେଇବ, ଘରକୁ ଯିବ ।”

ଟପ୍ ହୋଇ ପଥରଟିଏ ତା ଗୋଡ଼ ପାଖରେ ପଡ଼ିଲା । ହାତରେ ଟାଙ୍ଗିଆ ଧରି ସାଲୀ ଉଠିଲା । ତାପରେ କହିଲା-

 

“କିଏ ପରମୀ? ଧୁରାଇ ମୁଣ୍ଡାର ଭଉଣୀ?”

- “ହଁ ।”

- “ଏଇଠିକୁ ଆସିଛୁ?”

- “ତୋ ସହ କଥା ହେବାକୁ ।”

- “ମୋ ସହିତ?”

- “ତୁ ମତେ କହିଦେ, ମୁଁ କ’ଣ କରିବି?”

- “କଣ?”

- “ଦେଖ୍‌, ଭଗବାନ୍ ଜେଲ୍ ଯିବା ଆଗରୁ ବାପାକୁ ବୁଡ଼ି, କଙ୍କଣ, ଶାଢ଼ୀ ଦେଇଯାଇଥିଲା । କହିଥିଲା, ତୋ ଝିଅକୁ ବାହା ହେବି ।”

 

- “ତୋର ଭାଗ୍ୟ ।”

ପରମୀ ମୁହଁ ଫେରାଇ କାନ୍ଦିଲା ।

- “କାନ୍ଦୁଛୁ କାହିଁକି ?”

- “ମୁଁ ଏମିତି ବିଭା ଚାହୁଁନି । ସିଏ କୋଉଠି ରହିବ, ମୁଁ କୋଉଠି ରହିବି? ପତି-ପତ୍ନୀ ସମ୍ପର୍କ ନାହିଁ । କେବଳ ବୀରସାଇତମାନଙ୍କପାଇଁ ରାନ୍ଧିବ । ହଳଦୀ ପେଶିବ । ଏମିତି ବାହାଘର ମୁଁ ଚାହୁଁନି ।”

- “କନୁ କ’ଣ କହୁଛି ?”

- “ଆଉ କଣ କହିବ? ବୀରସାଇତ ହୋଇଗଲା । ବାପା, ଭାଇ ସବୁ ସେଇଆ । ଭଗବାନ୍‌ର ଶାଢ଼ୀ, ଚୁଡ଼ି, କଙ୍କଣ- କନୁ ଆଉ ବାହା ହବ ମତେ !”

 

- “ମତେ କାହିଁକି କହୁଛୁ?”

- “ତୋ ଘରକୁ ଆସୁଛନ୍ତି । ତୁ ଭଗବାନ୍‌ଙ୍କୁ କହିବୁ । କହିବୁ ସାଲୀ ।”

- ‘ଏଇ କଥା?”

ସାଲୀର କଲିଜାରୁ ପଥର ଉତରିଗଲା । ସାଲୀ କହିଲା-“କହିବି । ଦେଖ୍ ପରମୀ । କୁଣ୍ଡ ଏତେ ଦୂର । କିଏ ଆସୁନି । କୁନ୍ଦୁରୁ ପାଚିଗଲାଣି । ତୋଳି ନେଲେ, କଣ୍ଡୁଏ ତେଲରେ କୁନ୍ଦୁରୁ ଭାଜିବି ।”

 

- “ରହ । ପତ୍ର ଛିଣ୍ଡେଇ ଦାନା ତିଆରି କରୁଛି ।”

ଦୁହେଁ କୁନ୍ଦୁରୁ ତୋଳିଲେ ।

•••

 

ସାଲୀ ବିର୍ସାର ପାଦରେ ପାଣି ଛିଞ୍ଚିଲା । ପୋଛିଲା । ବସିବାପାଇଁ ଚୌକି ଦେଲା । ଅନ୍ୟମାନେ ହାତଯୋଡ଼ି ବସିଥିଲେ ।

 

ଭଗବାନ୍ । ଗୋଟେ କଥା ଅଛି ।”

- “କହ ।”

- “ପରମୀର ଚୁଡ଼ି, କଙ୍କଣ ଫେରାଇ ନେଇଯାଅ । ସେ ଚାହୁଁଛି ଘର, ପିଲାପିଲି । ସେ ବାହାହୋଇ ମୁଣ୍ଡରେ ତେଲ ଓ ସିନ୍ଦୂର ଲଗାଇବାକୁ ଚାହୁଁଛି ।”

 

- “ସେ ଯାହା ଚାହୁଁଛି ସେୟା ହେବ ।”

- “ତୁମେ ତା ପାଖକୁ ଯିବନି ।”

- “ନା ।”

- “ହଁ । ଏତିକି କଥା ଥିଲା । ଆଉ କିଛି କହିବାର ନାହିଁ ।”

- “ତୁ ମତେ କିଛି ଦେବୁନି?”

- “କ’ଣ ଦେବି? ମୋ ପୁରୁଷକୁ ନେଇଯାଇଛ । ତୁମର କାମପାଇଁ ଘର-ଅଗଣା-କୋଠା ସବୁକିଛି ଦେଇଦେଇଛି । କେବଳ ସମ୍ପତ୍ତି କହିଲେ ଗୋଟେ ପୁଅ ।”

 

- ‘ତାକୁ ଦେବୁନି?”

- “ସ-ବୁ ନେଇଯିବ?”

- “ସ-ବୁ !”

ସାଲୀ ପୁଅକୁ କୋଳକୁ ଉଠାଇ ଆଣିଲା । କହିଲା-“ନିଅ, ତୁମକୁ ଦେଇଦେଲି । ଏତେ ଛୋଟପିଲା ନେଇ ତମେ ୟାକୁ କ’ଣ କରିବ?

 

- “ତା ଯୋଗୁଁ ମୋ ନାଁ ରହିବ ।”

ସାଲୀର ଆଖି ତଳକୁ ହୋଇଗଲା । ବିର୍ସା ତା’ପୁଅର ମୁଣ୍ଡରେ ହାତ ରଖିଲା । କହିଲା-“ତୁମେମାନେ ଜାଣିନିଅ ଯେ ସାଲୀ ଆଉ ଡୋନ୍‍କାର ପୁଅକୁ ମୁଁ କୋଳରେ ଧରିଲି । ତାକୁ ମୁଁ ନାମ ଦେଲି, ପରିବା । ତୁମେମାନେ ତାକୁ ମୋ ପୁଅ ଭାବିବ ।”

ବିର୍ସା ଗୋଟେ ହଳଦିଆ ସୂତା ପରିବାର ହାତରେ ବାନ୍ଧି ଦେଲା । ସାଲୀର ଆଖି ଲୁହରେ ଭରିଗଲା ।

 

- “କାନ୍ଦୁଛୁ କାହିଁକି?”

- “ମତେ ନିଜ କାମ କରିବାକୁ ଦିଅ ।”

- “ତୁ’ତ ନିଜ କାମ କରୁଛୁ ।”

- “କରୁଛି ତ ।”

ସାଲୀ ଆଖି ପଛକୁ ଆଣି ହସି ଉଠିଲା । କହିଲା-“ମୁଁ, ମାନୀ, ଫୁଲ୍‌ନା, ଆମେ ସମସ୍ତେ କରୁଛୁ । ପ୍ରଥମେ ଲୋକମାନେ ବହୁତ ହସୁଥିଲେ । କହୁଥିଲେ, ‘ତୁମେ ସ୍ତ୍ରୀଲୋକ । ତୁମେ ଯାଇ ଭଗବାନ୍‌ଙ୍କର କାମ କରିବ !’ ପୁଲିସ ତ ଦୁଇବର୍ଷ ହେଲା ଲୋକମାନଙ୍କର ପିଛା କରୁଛି । ଆମେ ସ୍ତ୍ରୀ ଲୋକମାନେ କାମ କରୁଥିଲୁ । ଏବେ କିଏ ମଧ୍ୟ ହସୁନି । ଚାଲ, ବାହାରକୁ ଚାଲ । ସମସ୍ତେ ଆସି ଗଲେଣି । ସମରାଇ, ରମାଇ, ବାଙ୍ଗିଆ, ସବୁ ମୁରବୀ ଆସିଗଲେଣି । ବୁଦ୍ଧୁ ବଞ୍ଚିଛି ଏକଥା ଜଣା ନଥିଲା ।”

- “ଚାଲ ।”

ନୂଆ ଘରର ପିଣ୍ଡା ଉପରେ ବିର୍ସା ଆସି ଠିଆହେଲା । ତା’ର ଆଦେଶରେ ଢୋଲ ପିଟି ଡୋନ୍‍କା ମୁଣ୍ଡା ସମସ୍ତଙ୍କୁ ଅଟକାଇ ଦେଲା । ବିର୍ସା ଉଜ୍ଜ୍ୱଳ ସଫା ଧଳା ପୋଷାକ ପିନ୍ଧିଥିଲା । ମୁଣ୍ଡରେ ପଗଡ଼ି ଓ ପାଦରେ କଠାଉ ଥିଲା ।

ବିର୍ସା କହିବାକୁ ଲାଗିଲା- “ମୁଣ୍ଡାମାନେ, ଶୁଣ ! ତୁମେମାନେ ବହୁତ ଭଲ ଯୁଦ୍ଧକୁ ଆସିଛ । ଜେଲ୍‌ରେ ମୁଁ ବସି ବସି ଭାବୁଥିଲି ଯେ କେମିତି ତୁମମାନଙ୍କୁ ପୁଣି ଭଲ ବାଟକୁ ନେଇ ଆସିବି ! ଏବେ ବାଟ ମିଳିଗଲା । ତୁମମାନଙ୍କୁ ବାଟ ଦେଖାଇବି ।

 

- “ଦେଖାଅ, ହେ ଧରିତ୍ରୀର ଆବା!”

- “ପ୍ରଥମେ ହିଁ କହିଦେଉଛି ଯେ ସେହିବାଟରେ ଚାଲିଲେ ଶରୀର ରହିବ ନା ନାହିଁ ଏହି କଥା ଭାବିଲେ ଚଳିବନି ।”

 

- “ଭାବିବୁନି ।”

- “ତାହେଲେ ଶୁଣ । ଆଜିଠାରୁ ଯିଏ ମତେ ପୂଜା କରିବ ସିଏ ବୀରସାଇତ । ତମମାନଙ୍କ ପାଖରେ ସମୟର ଅଭାବ । ଏତେ ଦିନ ଧରି ଭାବୁଥିଲି ମୁଣ୍ଡାମାନଙ୍କର ଶତ୍ରୁ କିଏ? ଏଇ ଜମିଦାର-ମହାଜନ-ଦିକୁ? ଏମାନେ ଆସି ଆମମାନଙ୍କର କ୍ଷେତବାଡ଼ି ଦଖଲ କରି ନେଇଗଲେ, କ’ଣ ଏମାନେ ହିଁ ଶତ୍ରୁ, ନା ସେ ସରକାର, ଯିଏ ଆମ ଗାଁକୁ ଜମିଦାର ହାତରେ ଟେକି ଦେଇଛି?”

- “ତୁମେ କୁହ କିଏ ଶତ୍ରୁ?”

- “ସମସ୍ତେ ଶତ୍ରୁ । ଆମର ଲଢ଼େଇ ସମସ୍ତଙ୍କ ସାଥିରେ । ଏମିତି ଲଢ଼େଇ ମୁଣ୍ଡାମାନେ କେବେ ଲଢ଼ି ନାହାନ୍ତି । ସବୁ ଦିକୁମାନଙ୍କ ସହ ଏହି ଲଢ଼େଇ-। ଏହି ଲଢ଼େଇ ସରକାର ସହିତ ମଧ୍ୟ-।”

- “ତା ପରେ....?”

- “ଆମର ଜଙ୍ଗଲ ଅଛି । ଆମେ ଜଙ୍ଗଲ-ଜଙ୍ଗଲ, ପାହାଡ଼-ପାହାଡ଼ ଯିବା । ଘାଟି ତିଆରି କରିବା । ସେମାନଙ୍କ ପାଖରେ ବନ୍ଧୁକ ଅଛି କିନ୍ତୁ କେତେ ଲୋକଙ୍କୁ ବନ୍ଧୁକ ଚଳାଇବେ? ଆମେ ହଜାର ହଜାର ଲୋକ ଅଛୁ ।

- “ତାହେଲେ କୁହ ।”

- “ତାହେଲେ ଶୁଣ । ଏହି ସମୟରେ ଦି’ଆଡ଼ୁ କାମ ଅଛି । ଆମର ଧର୍ମର କାମ, ଆମର ଲଢ଼େଇର କାମ । ଜଲମାଇର ସୋମା ମୁଣ୍ଡାକୁ ତୁମେମାନେ ଜାଣିଛ । ସର୍ଦ୍ଦାର ସୋମା । ମୁଲକ ଲଢ଼େଇବେଳେ ସେ ବହୁତ ମାଡ଼ ଖାଇଛି । ବହୁତ ଜେଲ୍ ଯାଇଛି । ମୁଁ ତାକୁ ଧର୍ମ କାମରେ ଅନ୍ୟଆଡ଼େ ରଖିଛି । ଆମ ଧର୍ମରେ ସନ୍ନ୍ୟାସୀ ହେଲେ କାମ ଚଳିବନି । ଯିଏ ଲଢ଼ିପାରିବ ସିଏ ଦରକାର ।

- “ସତ କହିଲ, ଭଗବାନ୍‌ !”

- “ଆଜିଠାରୁ ସବୁ ବୀରସାଇତମାନଙ୍କ ଘର ଏହି ଲଢ଼େଇର ଗଡ଼ ହେବ । ସେଠାରେ ବିରପ୍ପନକୁ ଆଉ ଇତବାରକୁ ସମସ୍ତେ ମିଶିବେ । ଧର୍ମକଥା, ଲଢ଼େଇ କଥାହେବା । ଏକାଠି ହେବା, ରାତିରେ ହିଁ ଏକାଠି ହେବା ।”

- “ରାତିରେ ଏକାଠି ହେବା ।”

- “ଆଜି ଏଇ ଗାଁରେ, କାଲିକି ପାଞ୍ଚକୋଶ ଦୂରରେ ଥିବା ଗାଁରେ, ସବୁ ଦିଗରେ ଆମମାନଙ୍କର ସଭା ବସିବ । ଏସବୁ ଖବର ତୁମକୁ ଦୁଇ କନୁଠାରୁ ମିଳିବ । ମୋ ଭାଇ କନୁ ଆଉ ଶଙ୍କରା ଗାଁରେ କନୁ ମୁଣ୍ଡା ।”

- “ଆମେ କ’ଣ କରିବୁ?”

- “ଗୋଟେଦଳ, ଯେଉଁମାନଙ୍କ ଘର ଜଙ୍ଗଲ ଭିତରେ, ଥାନାଠାରୁ ବହୁତ ଦୂର, ସେମାନେ ହେବେ ପ୍ରଚାରକ । ଏମାନଙ୍କ ଘରେ ସୋମବାର ପୁଣି ଗୁରୁବାରରେ ସମସ୍ତେ ମିଶିବେ । ସେଇଠି ସମସ୍ତେ ଶୋଇବେ । ସାଙ୍ଗରେ କିଛି କିଛି ନେଇଥିବେ, ରାନ୍ଧି ଖାଇବେ ।”

- “ଏଇଟା ଠିକ୍ । ନହେଲେ ଦଶଲୋକଙ୍କୁ ଖାଇବାକୁ ଦେବାକୁ କାହାର ସାମର୍ଥ୍ୟ ଅଛି?”

- “ଆଉ ଦଳେ ତମେ ସବୁ । ସର୍ଦ୍ଦାର, ଯେଉଁମାନେ ବୟସ୍କ, ତମେମାନେ ଆମକୁ ଲଢ଼େଇ ଶିଖେଇଛ । ତୁମେ ପୁରୁଣା ଲୋକ । ଲଢ଼େଇ ଶିଖେଇବ । କୁଆଡ଼େ ଧାଇଁବା, ଲୁଚିବା, ଗଡ଼ି ତିଆରି କରିବା, କେମିତି ହିତିଆର ଜମା କରିବା- ଏସବୁ ଶିଖେଇବା ତୁମର ଅସଲ କାମ ।”

- “କରିବୁ ଭଗବାନ କରିବୁ ।”

- “ସୋମା, ଡୋନ୍‍କା କାମର ଲୋକ ବାଛିବେ । ବୀରସାଇତ ବାଛିବେ । ନୂଆ ବୀରସାଇତ ଭର୍ତ୍ତି କରିବେ । ନୂଆମାନେ ସୋମ, ଗୁରୁବାର ପଞ୍ଚାୟତରେ ବସିବେନି । ସେମାନେ ପୁରୁଣାମାନଙ୍କଠାରୁ ଲଢ଼େଇ ଶିଖିବେ ।”

- “ଠିକ୍ କହିଲ ଭଗବାନ୍ ।”

- “ଏମିତି ଧୀରେ ଧୀରେ ଚଳିବନି । ପ୍ରଥମେ ସବୁ ମିଶି କରିବା । ପ୍ରଥମେ ଆମେ ନିଜର ଦଖଲ ପାଇବାକୁ ହେବ । ପୁରୁଣା ଦେବସ୍ଥାନ ଅଧିକାର କରିବାକୁ ହେବ । ଚୁଟିଆ ଓ ଜଗନ୍ନାଥପୁରର ମନ୍ଦିର ଛଡ଼େଇ ନେବା । ମନ୍ଦିର ଆମର-କିନ୍ତୁ ଆମେ ପଶିପାରୁନେ । ଦିକୁ, ରାଜା ଜମିଦାରମାନଙ୍କ ଆଗରେ ଧୋତି, କୁର୍ତ୍ତା ପିନ୍ଧିପାରୁନେ । ପିତ୍ତଳ, କଂସା ପାତ୍ରରେ ଖାଇପାରୁନେ, ମନ୍ଦିରରେ ପଶିପାରୁନେ ।”

- “ମନ୍ଦିର ଛଡ଼େଇ ନେବା ।”

- “ଦଖଲ କରିବା ।”

ବିର୍ସା ଦୁଇହାତ ଉଠେଇଲା, ଓହ୍ଲେଇ ଆସିଲା । କହିଲା: “ଆଉ ଧିମେଇ ଧିମେଇ ଲଢ଼େଇ ହେବନାହିଁ । ଏକାଥରେ ସବୁମୁଣ୍ଡା ଲଢ଼ିବେ । ଏଇ ଲଢ଼େଇର ନାଁ ହେବ ଉଲଗୁଲାନ । ବୁଝିଲ? ଉଲଗୁଲାନ୍ ।”

 

- “ଉଲଗୁଲାନ?”

- “ଉଲଗୁଲାନ!”

ବିର୍ସା ଦୁଇହାତରେ ଢୋଲ ବଜେଇଲା । ସମସ୍ତେ ଏକସ୍ୱରରେ କହିଲେ-“ଉଲଗୁଲା...ଆ...ଆ...ନ ।”

ଉଲଗୁଲାନ ! ନୂଆପିଲା-ନାନକଙ୍କ ଦୀକ୍ଷା ମନ୍ତ୍ରରେ ଏହି ପାଞ୍ଚ ଅକ୍ଷର । ହାଟ, ଜଙ୍ଗଲ, ପାହାଡ଼, ସହରରେ ଦିଟା ମୁଣ୍ଡା ମିଶିଲେ ଜଣେ କହେ- “ଉଲ ।”

ଆଉ ଜଣେ କହେ-“ଗୁଲାନ ।”

ଦୁହେଁ ଏକ ସ୍ୱରରେ କହନ୍ତି-“ଉଲଗୁଲାନ ।”

ହାଟ ବଜାରରେ ବଇଁଶୀ ବଜେଇ ବୁଲିବା ସେମାନଙ୍କର ଅଭ୍ୟାସ । ଏବେ ଦେଖାଗଲା ବହୁତ ଗାଁର ମୁଣ୍ଡା ମିଶିଲେ ଜଣେ ଗୋଟେ ଗୀତର ଅଳ୍ପ ସୁରବୋଲେ । ଦ୍ୱିତୀୟ ଆଉଗୋଟେ ସୁର କାଢ଼େ, ତୃତୀୟଟି ଆଉଗୋଟେ । ତାପରେ ଆଉ ଜଣେ ପୂରା ସ୍ୱର ବୋଲେ ।”

•••

 

ପଲୁସ ପ୍ରଚାରକକୁ ମୋହନ ଦାସ ଆଢ଼ତିଆ କହିଲା: “ଏଇଟା ବଂଶୀ ବଜେଇବାର କି ତରିକାରେ । ଏମିତି ତ କେବେ ଶୁଣିନି ।”

- “ଏ ଶଳେ ବି ସହରୀ ଢଙ୍ଗ ବୁଝିବେଣି । ସହରଯାଇ ନାଟକ, ମେଳା ଦେଖୁଛନ୍ତି-ଢଙ୍ଗ ଢାଙ୍ଗ-ଗୀତ ଶିଖି ବଜଉଛନ୍ତି । ଆଉ କ’ଣ ବାକି ଅଛି?”

 

ପଲୁସ ପ୍ରଚାରକକୁ ଭରତ ଦାରୋଗା କହିଲା: “ତୁ ତ ମୁଣ୍ଡା । କିଛି ବୁଝିପାରୁଛୁ?”

 

- “ନା ।”

ପଲୁସ ମନେ ମନେ ଭାବିଲା-“ବୁଝିପାରିଲେ ବି କହିବିନି । ମୁଁ ଏବେ ବାହାରିଗଲା ପରେ ମୁଣ୍ଡାମାନେ ମୋର ବିଶ୍ୱାସ କରୁନାହାନ୍ତି । ମୋର ସବୁ ନିଜ ଲୋକ ଅକାଳରେ ମରିଗଲେ । ଖୀରସ୍ତାନ ହେବାରୁ ବି ଖାଇବାକୁ ମିଳିଲା ନାହିଁ । ମୁଁ ଯଦି ଭଲ କରିପାରିବିନି, ଖରାପ କରିବି କାହିଁକି?”

ଭରତକୁ ପଚାରିଲା-“ତମେ କାହାକୁ ଖୋଜୁଛ ।”

- “ସୁନାରାକୁ । ସୁରୁଜ ସିଂହର ମୁଣ୍ଡାକୁ । ଶଳା, ନେଗାରି ପଟି ନେଇ ସୁରଜ ଘରେ ନିଆଁ ଲଗେଇ ପଳେଇଲା । ତା ଘରେ ଟୋକେଇ ଛଡ଼ା କିଛି ନଥିଲା । କିନ୍ତୁ ଚୋରୀ ତ କଲା । ମକଦ୍ଦମା ହେଲା ।”

- “କ’ଣ ଚୋରି କଲା?”

- “ଚିନିଦାନା ବସ୍ତାଏ । ଲୁଣ ବସ୍ତାଏ । ଶଳା ବୋକା । ଚିନିର ଓଜନ ଯାହା ଚାଉଳ ବି ତାହା । ଏଇଟା ନେଲା, ସେଇଟା କାହିଁକି ନନେଲା!”

- “କୋଉଠି ଅଛି !”

- “ଧରି ନିଆଗଲାଣି ।”

- “ଦି ମାସ ଜେଲ୍ ହେବ ।”

- “ହଁ, ବିର୍ସାତ ଭାଙ୍ଗିପଡ଼ିଛି । ମୁଣ୍ଡାମାନେ ବି ଦୁର୍ବଳ ହୋଇପଡ଼ିଛନ୍ତି । ଜେଲ୍ ଯିବାକୁ ଡରୁଛନ୍ତି ।”

ପଲୁସ ପ୍ରଚାରକ ତାଜୁବ ହୋଇ ମୁଣ୍ଡ ହଲେଇଲା । ମୁଣ୍ଡାମାନଙ୍କର କ’ଣ ହେଲା । ବେଗାରୀ ପଟିବାନ୍ଧି ମାଲିକ ଘରେ ନିଆଁ ଲଗେଇ ଦେଇପାରେ ।

 

ଭରତ ଦାରୋଗା କହିଲା: “ମୁଣ୍ଡା ଚୋର ନଥିଲା, କି ଦିନ ଆସିଲା ।”

- “ଯାଅ ଯାଅ । ବେକାର କଥା କୁହନାହିଁ । ମତେ ଦି’ତିନି ଜାଗାରେ ପ୍ରବଚନ ଦେବାର ଅଛି ।

•••

 

ରୋଗୋତାର ଏଇ ହାଟ ବଡ଼ ହାଟ ଥିଲା । ହାଟରେ ବୁଲୁଥିବା ମୁଣ୍ଡାମାନଙ୍କୁ ଦେଖି ପଲୁସ ପ୍ରଚାରକର ଆଖିରେ ଲୁହ ଭରିଗଲା । ଏମିତି ଫସଲ ବିକି ପଇସା ଧରି ମୁଣ୍ଡାମାନେ ହାଟକୁ ଆସୁଥିଲେ । ମଜାମଉଜ କରି ଚୁଡ଼ି-ଖେଳଣା-ବଂଇଶୀ କିଣୁଥିଲେ । ଧଳା ଗୁଡ଼, ପେଡ଼ା କିଣୁଥିଲେ-। ଗାମୁଛା, ଲୁଗା କିଣୁଥିଲେ । ଏଇଥର କାହାର ହାତରେ ପଇସା ନଥିଲା । କିଣିବାର ରୁଚି ମଧ୍ୟ ନଥିଲା । ଛୋଟ ପିଲାଙ୍କୁ ବି ବୋଧେ ଜଣାପଡ଼ିଗଲା ଯେ ଜିଦ୍ କଲେ ଜିଦ୍ ମାନିବେନି । ସେଥିପାଇଁ ସେମାନେ ଉଦାସ ଚେହେରା କାଢ଼ି ଯାଉଛନ୍ତି- ବୁଢ଼ାମାନେ ପେଡ଼ା ଝିଲାପିଆଡ଼େ ଆଖି ମଧ୍ୟ ଉଠାଉନଥିଲେ । ମୁଣ୍ଡା ଝିଅମାନଙ୍କ ଚେହେରାରେ ହସ ଟିକେ ନଥିଲା ।

ଘରକୁ ଫେରିବାବେଳେ ପଲୁସ୍‌ର ମନ ଖରାପ ହୋଇଗଲା । ସେ ଗୋଟେ ପଥର ଉପରେ ବସିଗଲା । ବଂଶୀରେ ଯେଉଁ ଗୀତ ବାଜୁଥିଲା ସେ ତାହା ଶୁଣିଲା ।

ସେ ଉଚ୍ଚ ପଥରର ଶିଖର ଉପରେ ବସିଥିଲେ । ତଳେ ସଡ଼କ ଥିଲା । ମୁଣ୍ଡା ଲୋକେ ଗାଁର ଦଳ କରି ଯାଉଥିଲେ । ଗୋଟେ ଗାଁର ଲୋକେ ପଛରେ ଥିଲେ । ଗୋଟେ ଧାଡ଼ି, ଏ ଗାଁର ଲୋକେ ଗାଉଥିଲେ ଓ ଅନ୍ୟ ଗାଁର ଲୋକେ ଆଉ ଗୋଟିଏ ଧାଡ଼ି ଗାଉଥିଲେ ।

‘ବୋଲୋପେ ବୋଲୋପେ ହେଗା ମିସି ହୋନ୍ କୋ...’

ସେମାନଙ୍କର ସ୍ୱର ଧୀର ଓ ମୁଣ୍ଡ ନଇଁ ଯାଇଥିଲା । ସମସ୍ତେ ଗାଇଲେ ପୁଣି ଗାଇବା ବନ୍ଦ ହେଲା । ସେମାନେ ଚାଲିଯାଉଥିଲେ, ଚାଲି ହିଁ ଯାଉଥିଲେ । ପଲୁସ ପ୍ରଚାରକର କଲିଜାରେ ଅବ୍ୟକ୍ତ ପୀଡ଼ା ହେଲା । ସେମାନେ ସମସ୍ତେ ଗାଉଥିଲେ କାରଣ ଏଇଟା ମହାପ୍ରଳୟର ଆଶଙ୍କା ଏକତ୍ରିତ ହେବାର ଗୀତ ହେଲା । ପଲୁସ ପ୍ରଚାରକ ଆଖି ପୋଛିଲା । ସେ ଦଳରୁ ଅଲଗା ହୋଇଯାଇଥିଲା । ଏବେ ମୁଣ୍ଡାମାନେ ଯେତେବେଳେ ଏକ ହେବେ, ତାହେଲେ ସେମାନେ ପଲୁସ ପ୍ରଚାରକକୁ ନିଜ ଦଳକୁ ନେବେନି !

•••

 

କିଛି ଭାବି, କିଛି ନ ଭାବି ତା’ର ହୃଦୟ ଗର୍ବରେ ଭରିଗଲା । ତଥାପି ତ ସୁନାରା, ସେଇ ଅଭାଗା ଭୋକିଲା ଟୋକା, ଚାକିରୀପତ୍ରର ଭୟାନକ ଅନୁଶାସନରେ ଲୁଚି ପଳାଇବାକୁ ବସିଛି । ଚାକିରିପତ୍ର, ଜମିଦାର-ମହାଜନ ଯେଉଁ ଭାଷାରେ ଲେଖୁଥିଲେ ସେହି ଭାଷା ମୁଣ୍ଡାମାନେ ବୁଝୁ ନଥିଲେ । ମୁଣ୍ଡା ଲୋକଙ୍କୁ ଜଣା ନଥିଲା ଯେ ଚାକିରି ପତ୍ର ବେଆଇନ୍ । ସେମାନେ ଆଙ୍ଗୁଠି ଚିହ୍ନ ପକାଇ ଚିରଦିନପାଇଁ ଗୋଲାମ ହୋଇଯାଉଥିଲେ । ମୁଣ୍ଡାମାନଙ୍କୁ ଯଦି ବା ଜଣାପଡ଼ିଲା, ତଥାପି ସେମାନେ କିଛି କରିପାରୁନଥିଲେ କାରଣ ସେତେବେଳେ ମାଲିକ ଚାକିରି ପତ୍ରର ଅସ୍ତିତ୍ୱକୁ ଅସ୍ୱୀକାର କରିଦେଉଥିଲା । ମୁଣ୍ଡା ମୁର୍ଖ ବନିଯାଉଥିଲା । ମୁଣ୍ଡା ଚିତ୍କାର କରୁଥିଲା-ତାହେଲେ ମୁଁ କ’ଣ ମିଛ କହୁଛି?”

ଅଦାଲତରେ ସମସ୍ତେ ହସୁଥିଲେ ।

- “ତା ହେଲେ ଓକିଲ ବାବୁ କାହିଁକି କହିଥିଲେ ଯେ ତୋ ଉପରେ ମକଦ୍ଦମା ଚଳାଇବି?”

ଅଦାଲତରେ ସମସ୍ତେ ହସୁଥିଲେ ।

- “ଚାକିରି ପତ୍ର ଉପରେ ଆଙ୍ଗୁଠିର ଚିହ୍ନ ଲଗାଇବାନି-ଏଇକଥା କହିଲେ ବି କିଛି ଲାଭ ହେଉନଥିଲା, କାରଣ ଅକାଳ ହେଲେ, ବଢ଼ି ହେଲେ, ମରୁଡ଼ି ହେଲେ ଗାଁ ଗାଁ ବୁଲି କହିବେ-“ଚାକିରିପତ୍ର ଉପରେ ଛାପ ଲଗାଇ ଆମକୁ କିଣିନିଅ । ଜାଉ ଦେଇ ଆମର ପ୍ରାଣ ବଞ୍ଚାଅ-। ମରଣ ପର୍ଯ୍ୟନ୍ତ ଆପଣଙ୍କର କ୍ଷେତରେ, ଗୋଠରେ, ଘରେ କାମ କରିବୁ ।”

ମୁଣ୍ଡା ଲୋକଙ୍କ ଜୀବନ ହିଁ ଏୟା । ସମସ୍ତେ ଜାଣନ୍ତି, ଚାକିରିପତ୍ର ମୁଣ୍ଡା ଲୋକଙ୍କ ଜୀବନରେ ବାନ୍ଧି ହୋଇଥିବା ବହୁତ ନାଗଫାଶ ମଧ୍ୟରୁ ଗୋଟିଏ ଫାଶ ! ଦିକୁମାନେ କଳାନାଗ ପରି ବିଷଧର ।

ସେମାନେ ମୁହଁ ବୁଲାଇ ବସିଛନ୍ତି । ଭୋକିଲା କାଳନାଗ ବା ଶଙ୍ଖଚୂଡ଼କୁ ଭୋଜନପାଇଁ କୁଆଡ଼େ ଯିବାକୁ ପଡ଼େନି । ଅନ୍ୟ ସାପମାନେ ଆପେ ଆପେ ତା’ର ମୁହଁରେ ପଶିଯାନ୍ତି ।

•••

 

ଗୋଟେ ପିଲା ଝକମକ ପଥରରେ ନିଆଁ ଜଳାଇ ପଳାଇଗଲା । ପଲୁସ ପଥର ଉପରୁ ଓହ୍ଲାଇଲା । ନିଜ ଗାଁର ବାଟ ଧରିଲା ।

ଆଉ ସେହି ଟୋକା ସୁନାରୀ ସେହି ଦିନଠାରୁ ବିର୍ସାର ପାଖରେ ଘାସର ଦାନାର ଜାଉ ଆଉ ଲୁଣ ରଖି ନାନକ ହୋଇଗଲା । କରମୀ କହିଲା-“ତୋର ମଧ୍ୟ କ’ଣ କେହି ନାହିଁ ପୁଅ?”

- “କାହିଁକି, ଭଗବାନ ନାହିଁ?”

- “ସବୁ ଲୋକଙ୍କ ମୁହଁରେ ସେଇ ଗୋଟିଏ କଥା । ପଚାରୁଛି, ବାପା ନାହିଁ? ମା ନାହିଁ? ଭାଇଭଉଣୀ ମଧ୍ୟ ନାହିଁ?

 

- “ନା, ମୁଁ ସେବକ ହୋଇଗଲି ।”

କରମୀ ମୁଣ୍ଡ ହଲାଇଲା । କିନ୍ତୁ ସୁନାରା ଚାଲକାଡ଼ି ଛାଡ଼ି ଗଲାନି । ଦିନେ କରମୀ କହିଲା-“ଭଗବାନ ପଛରେ ନଯାଇ ଜଙ୍ଗଲରେ ମୋ ପଛରେ କାହିଁକି ଆସିଲୁ?”

ସୁନାରା କାଠ କାଟି, ବାନ୍ଧି, ବୋଝେଇ ନେଇଆସିଲା । କହିଲା-ତମେ ଘରକୁ ଯାଅ । ମୁଁ କାଠ ଆଣିଦେବି ।

 

- “ତୋ ଭଗବାନ୍‌କୁ କହିଦେବି !”

- “ଭଗବାନ୍ କହିଛି ।”

- “କ’ଣ?”

- “ମୋ ମା’କୁ ଦେଖିବ ।”

- “ତା’ର ମା’? ତୁ ଦେଖିବୁ?”

- “ଦେଖିବାକୁ ହିଁ ପଡ଼ିବ । ଘର ତ’ ତମର ନାହିଁ । ଭଗବାନର ଘର । ଭଗବାନ ଯାହା କହିବ ତାହା କରିବାକୁ ହେବ ।

 

- “ସେ ଘରେ ରହୁନି । ମା’ର କଥା ତା’ର ମନରେ ରହୁଛି?”

- “ରହୁଛି ।”

ସୁନାରା ଘୋଷାରି କାଠ ସବୁ ଆଣିଲା । ଝରଣାରୁ ପାଣି ଆଣିଲା । ଜଙ୍ଗଲରୁ ଆମ୍ବୁଲ, କନ୍ଦ, ଶାକରକନ୍ଦା, ବାଉଁଶର କଢ଼ ଆଣି ଜମାକଲା । ଦିନେ କରମୀପାଇଁ ଆୟୁର୍ବେଦୀୟ ଔଷଧ ମଧ୍ୟ ଆଣିଦେଲା ।

- “ପୁଅ ଦେଖାଶୁଣା କଲାନାହିଁ, ସେଇଥିପାଇଁ ତୁ କରୁଛୁ?”

- “ତମ ପୁଅ କୋମ୍‌ତା, କନୁ ସମସ୍ତେ ଭଗବାନ୍‌ର କାମ କରୁଛନ୍ତି, କେମିତି କରିବେ?”

- “ତୁ କାହିଁକି କରୁଛୁ?”

- “ମୁଁ ନାନକ । ଯେତେବେଳେ ଡାକରା ଆସିବ ଲଢ଼େଇକୁ ଯିବି ।”

- “ଲଢ଼େଇ କରିବାକୁ ଯିବୁ? ଠେକୁଆ ଟିଏ ପରା ତୁ ମାରିପାରୁନୁ?”

- “ତାହେଲେ? ସେଇଥିରେ କ’ଣ ଅଛି?”

କରମୀ ଦୀର୍ଘଶ୍ୱାସ ନେଲା । କହିଲା: “ଛେଳିମାନଙ୍କୁ ନେ । ଘରକୁ ଯା । ଆଜି ବିର୍ସା ଆସିବ-। କାମ ଅଛି ।”

 

- “କିନ୍ତୁ କାଲି ଆଉ ଆସିବିନି ।”

- “କୁଆଡ଼େ ଯିବୁ?”

- “ଯୁଆଡ଼େ ଭଗବାନ୍ କହିବେ ।”

- “ଆଉ ଆସିବୁନି ।”

- “କେଜାଣି ।”

- “କୁଆଡ଼େ ଯିବୁ?”

- “ଭଗବାନ୍ ଯେଉଁଆଡ଼େ କହିବେ ।”

ସନ୍ଧ୍ୟାବେଳକୁ ବିର୍ସା, କୋମ୍‌ତା, କନୁ-ତିନି ପୁଅଙ୍କୁ ଗୋଟେ ଥରେ ଦେଖି କରମୀ ଆଶ୍ଚର୍ଯ୍ୟ ହେଲା । କହିଲା: ଦାସକି ଆଉ ଚମ୍ପା ଦି ଭଉଣୀ କୁଆଡ଼େ ଗଲେ? ସେମାନଙ୍କର ବରମାନେ କାହାନ୍ତି?”

 

ବିର୍ସା ହସିଲା । କହିଲା: “କାହିଁକି?”

- “ସମସ୍ତେ ଆସିଲେ, ସେମାନେ କୁଆଡ଼େ ଗଲେ?”

- “ସେମାନେ ବି ଆସିବେ ।”

- “ତୁ ଭଗବାନ ହେଲୁ, ଏଁ । କୋମ୍‌ତା, କନୁ ବିଭାହେଲେ, ଝିଅମାନେ ବର ଘରକୁ ଗଲେ-। ସମସ୍ତଙ୍କୁ ପୁଣି ଟାଣୁଛୁ କାହିଁକି?”

ସଫା ସଫା ରାଗକଥା । କିନ୍ତୁ ରାତିରେ ଯେତେବେଳେ ବିର୍ସା ମଞ୍ଚାରେ ଚଢ଼ି ଯୁଦ୍ଧର କଥା କହିଲା-କରମୀ ସବୁ କାମ ଛାଡ଼ି ପଛରେ ବସିପଡ଼ିଲା । ପୁଅପାଇଁ ତାର ଯେତିକି ଗର୍ବ, ସେତିକି ଭୟ । ଅଜ୍ଞାତ ଭୟରେ ତା’ର କଲିଜା ଥରହର । କରମୀର ମନେ ଅଛି ଘରେ, ତା ବାପା ଦିବାଇ ମୁଣ୍ଡାର ଗୋଟେ ବଡ଼ ଢୋଲ ଥିଲା । ଜଙ୍ଗଲରେ ନିଆଁ ଲାଗିଲେ, ଚଢ଼ି ଆସିଲେ, ଜଙ୍ଗଲୀ ହାତୀମାନେ ବାହାରିଲେ ସେଇ ଢୋଲ ବାଜେ ।-ଦିମ୍‌-ଦିମ୍‌-ଦିମ୍‌!”

ସେତେବେଳେ ସମସ୍ତେ ବୁଝନ୍ତି, ଅସୁବିଧା ଆସିଲା ।

ବୀରସାଇତମାନେ ଠିଆହେଲେ । ସେମାନଙ୍କର ପରିଧାନ ଧଳା ଧୋତି । ଆଣ୍ଠୁ ନ ଲୁଚା । ପାଦରେ କଠାଉ । ଅଭ୍ୟାସ ନଥିବାରୁ ସେଥିରେ ଦଉଡ଼ି ବାନ୍ଧିଛନ୍ତି । କାନ୍ଧରେ ହଳଦିଆ ଗାମୁଛା । ଚିତା କାଟି ଗୋଟିଏ ଗୋଟିଏ ବୈଷ୍ଣବ ଭଳି ଦିଶୁଛନ୍ତି ।

ସାମ୍ନାରେ ବୟସ୍କମାନେ ଠିଆ ହୋଇଛନ୍ତି । ତାପରେ ପ୍ରଚାରକ, ତାପରେ ନାନକ ।

ବୟସ୍କମାନେ କହିଲେ- “ସବା ଉପରେ ଥିବା ଭଗବାନ୍‌ର ଜୟ । ପୃଥ୍ୱୀର ଭଗବାନ୍ ବିର୍ସାର ଜୟ । ଏ ଧରତିର ଆବା, ଆମର ଶତ୍ରୁମାନଙ୍କର ବିନାଶ ହେଉ ।”

ଏଥର ସମସ୍ତେ କହିଲେ-

“ହେ ଧରତିର ଆବା, ରାସ୍ତାରେ ଯେତେ କଣ୍ଟା

ଶତ୍ରୁମାନଙ୍କ ହିଂସା, ଦ୍ୱେଷ....ପୀଡ଼ା

ଦୁଃଖର ଦିନ....ଦୁଃସ୍ୱପ୍ନ

ସବୁରୋଗ- ପାପ ଆଉ ଇଂରେଜ ସରକାର

ସବୁ କଣ୍ଟା ଦୂର ହେଉ ! ଦୂର ହେଉ ! ଦୂର ହେଉ !”

ଏଥର ପ୍ରଚାରକମାନେ କହିଲେ:

“ହେ ଅବା ! ହେ ବିର୍ସା ! ତମର ଧର୍ମ ଯେମିତି

ଆମର ବି ସେମିତି,

ତମର ଆଦର୍ଶ ପୃଥିବୀ ସାରା ବ୍ୟାପିଯାଉ ।

ହେ ଧରିତ୍ରୀର ଆବା, ତମେ ଆମର ପିତା, ମାତା, ତ୍ରାତା ।

ଆମକୁ ପବିତ୍ର କର ।”

ବିର୍ସା ଆକାଶଆଡ଼କୁ ହାତ ବଢ଼ାଇଲା । ଉପରକୁ ଚାହିଁଲା ତାପରେ କହିଲା-“ବଡ଼ ଶୁଭ ଦିନ । ମୋର ଯୁଗ ଆରମ୍ଭ ହେଲା । ଆଜି ଜମିଦାରମାନେ ମୁଣ୍ଡାମାନଙ୍କୁ ଦେଖି ହସୁଛନ୍ତି । କିନ୍ତୁ ସେମାନଙ୍କ ଯୁଗ ଶେଷ ହେଲା । ଆମର ସମୟ ଆସିଲା ।”

ବିର୍ସାର ସ୍ୱର ଭୀଷଣ ଗମ୍ଭୀର ଥିଲା ।

- “ଆମର ଯୁଗ ଆସିଗଲା । ତୁମମାନଙ୍କୁ ତମ ଦେଶ ଫେରାଇଦେବି । ଆମ ରାଜ୍ୟରେ ମଝି ମଝିରେ ହିଡ଼ ନଥିବ । ପୂରା ଧରିତ୍ରୀ ସମସ୍ତଙ୍କର । ସବୁ କ୍ଷେତ ସମସ୍ତଙ୍କର । କୌଣସି ମୁଣ୍ଡା ଏକେଲା ମାଲିକ ନଥିବ । ଲଢ଼େଇ ନଥିବ । ଥିବ ଧର୍ମର ଜୟ । ଲାଠି, ହତିଆରରେ ରାଜ୍ୟ ଚାଲିବନି ।”

କରମୀର ଆଖି ବନ୍ଦ ହୋଇଗଲା । କଲିଜାରେ ଥଣ୍ଡା ପବନ ବହୁଥିଲା । ଶୁଖିଲା ତପନକୁ ଶାନ୍ତ କଲାଭଳି । ହୃଦୟରେ ବର୍ଷା । କ୍ଷେତରେ ଧାନଚାରାଗୁଡ଼ିକ ଠିଆ ହେଉଥିଲେ- “ବିର୍ସା, ତୁ କହୁଛୁ, ତୁ ସତରେ ଭଗବାନ୍ ।”

- “ଜମିଦାରମାନେ ଜମି ଛଡ଼େଇନେଇ ହୁକୁମ ବଜାଉଛନ୍ତି । ଯେଉଁମାନଙ୍କର ହକ୍‌, ସେମାନଙ୍କୁ ଜମି ମିଳିବ । ସବୁ ଶତ୍ରୁଙ୍କୁ ହଟାଇଦେବା । ରାଜା, ଜମିଦାର, ଇଂରେଜ....ଯେତେସବୁ ଶଇତାନ, ପିଶାଚ, ସମସ୍ତଙ୍କୁ ତଡ଼ିଦେବା ।”

 

- “ତମେ ସବୁ ସାବଧାନ ରୁହ ।”

ବିର୍ସା ଟିକେ ହଲିଲା ! ମାଘ ମାସର ଥଣ୍ଡାରେ ବି ତାର ମଥାରେ ଝାଳ ବହୁଥିଲା । କରମୀର ମନେ ହେଲା ତାର ମୁହଁ ଶୁଖିଲା । ତାର ମନେହେଲା ବିର୍ସା ଜନ୍ମ ହେଲାପରେ ଚବିଶଟା ହୋଲି ବି ଯାଇନି, ଅଥଚ ସେ ନିଜର ବାପା-ଭାଇମାନଙ୍କଠାରୁ ବି ବୟସ୍କ ହୋଇଗଲା । ଭାବିଥିଲି-ପୁଅ ବାହାହୋଇ, ବୋହୂ ଧରି ଘରେ ରହିବ । କିନ୍ତୁ ନିୟତି ଏମିତି ଯେ ସବୁ ମୁଣ୍ଡାମାନଙ୍କର ବୋଝ୍ ତା ଉପରେ ।

- “ତମେ ସବୁ ସାବଧାନ ହୋଇଯାଅ । ଏହି ଧରିତ୍ରୀର ମହାପ୍ରଳୟରେ ନାଶ ହେବ । ମୁଁ ଧରତି ଫାଡ଼ି ଜଳ କାଢ଼ିବି । ପାହାଡ଼କୁ ଭାଙ୍ଗି ସମତଳ କରିଦେବି । ଶତ୍ରୁ ଫୌଜ କୁଆଡ଼େ ପଳେଇଲେ ବି ଘୋଷାରି ଆଣିବି । କୁଆଡ଼େ ଯିବେ?”

- “ବିଜୟ ଆମର ହେବ । ତୁମେ ସବୁ ଆନନ୍ଦ ମନେଇବ । ଯେଉଁମାନେ ମତେ ମାନିବେ ନାହିଁ ମାଟିରେ ମିଶିଯିବେ । ଯେଉଁମାନେ ମାନିବେ ମୁଁ ସେମାନଙ୍କର ଦେଖାଶୁଣା କରିବି ।”

ଆଞ୍ଜୁଳେ ପାଣି ନେଇ ବିର୍ସା ଛିଞ୍ଚିଲା । କହିଲା, “ଆମେ ସବୁ ଆଡ଼େ ଯିବା । ଆଶୀର୍ବାଦ ନେବା । କାଲି ଚୁଟିଆ ଯିବା । ଯେଉଁଠି ପୂର୍ତ୍ତିମୁଣ୍ଡା ସିମ୍ବୋଡ଼ାର ପୂଜାପାଇଁ ବେଦୀ କରିଛି, ସେଇଠି ରଘୁନାଥ ରାଜା ତିନିଶହ ବର୍ଷ ତଳେ ମନ୍ଦିର କରିଥିଲେ । ସେଇଠୁ ତୁଳସୀ ନେବା ।”

- “ଆଉ?”

କରମୀ ଉଠି ଠିଆହେଲା ।

- “କ’ଣ କହୁଛ?”

- “କନୁର ବାପା କହିବ ।”

ସୁଗାନା ଉଠି ଠିଆହେଲା । କହିଲା-“ଆଉ ତୋର ପଟ୍ଟା ଅଛି । ତାମ୍ର ପଟ୍ଟାରେ ଲେଖା ହୋଇଛି ଦିକୁମାନେ ଯାହାକୁ ଛୋଟନାଗପୁର କହନ୍ତି, ରେକର୍ଡ଼ କହୁଛି ସେଇଟା ଉପରେ ଆମର ଅଧିକାର ଅଛି । ସେଇ ପଟ୍ଟା ମନ୍ଦିରରେ ଅଛି, ଆମକୁ ହାସଲ କରିବାକୁ ହେବ ।”

-“ନେବା । କାଲି ଆମେ ବୋତାର୍ଦ୍ଦି ଯିବା । ସେଇଠୁ ତିନିଦଳରେ ବାଣ୍ଟିହୋଇ ଚୁଟିଆ ଯିବା-। ମୁଁ ତୃତୀୟ ଦଳ ଆଗରେ ରହିବି । ପ୍ରଥମ ଓ ଦ୍ୱିତୀୟ ଦଳର ଆଗରେ ରହିବେ ରୋକନ୍ ଆଉ କୋମ୍‌ତା ମୁଣ୍ଡା । କାଲି ଆମେ ସବୁ ଯିବା । ପୁରୁଖାମାନେ ବୁଝିବେ ଯେ ମୁଣ୍ଡା କେବଳ ମାଡ଼ ଖାଏ ନାହିଁ, ଶୋଇ ରହେ ନାହିଁ, ସେ ଜାଗ୍ରତ ହେଲାଣି ।”

ସବୁ ବୀରସାଇତ କହିଲେ-

“ଜୟ ସ୍ୱର୍ଗର ଈଶ୍ୱରଙ୍କ-ଜୟ ପୃଥିବୀର ଭଗବାନ୍‌ଙ୍କର ।”

ପୁଣି ମାଇପିମାନେ କହିଲେ-

“ଜୟ ସ୍ୱର୍ଗର ଈଶ୍ୱରଙ୍କର-ଜୟ ପୃଥ୍ୱୀର ଭଗବାନ୍‌ଙ୍କର ଜୟ ।”

କରମୀ ଗଲାନାହିଁ, କୌଣସି ମାଇପି ଗଲେ ନାହିଁ । ଗଲାବେଳକୁ କହି ଯିବୁ ବୋଲି କରମୀ ବିର୍ସାକୁ ନିବେଦନ କଲା ।

•••

 

ସେମାନେ ଏଇଠିକୁ ଆସିବେ, ଏଇ ଆଶାରେ ଘର ପୋଛାପୋଛି କଲା । ବିର୍ସା ଚାଲକାଡ଼ରେ ନୂଆ କୋଠରୀରେ ରହୁଥାଏ । କରମୀର ଘରେ କେତେ କୋଠରୀ ଥିଲା । ବିର୍ସାର ଧର୍ମ ସମସ୍ତଙ୍କପାଇଁ ସଫା ରହିବା ଜରୁରୀ । ଘର-ଘରରେ କାଠ ଜମା ଥିଲା । କାଠ ତିଆରି ବହୁ ମେଜ । ବିର୍ସାର କୋଠରୀକୁ କରମୀ ଗେରୁରେ ଲେପିଲା । ପୁଣି ସେଇଥିରେ ରଙ୍ଗ ମାରିଲା । ସବୁ ଚକମକ ଦିଶି ସୁନ୍ଦର ଦିଶିଲା ।

ଗୁରୁବାର ବିର୍ସାର ଜନ୍ମଦିନ । ସେଦିନ ଜୀବହତ୍ୟା ହେବ ନାହିଁ । ବିର୍ସାପାଇଁ ଚମଡ଼ାରେ ରାସ୍ତା ସଜେଇଲା କରମୀ ।

 

କିନ୍ତୁ ବିର୍ସା ଆସିଲା ନାହିଁ ।

ଆସିଲା ସୁନାରା ।

- “ସିଏ ଆସିଲା ନାହିଁ ।”

- “ନା । ସିଏ ଆସିବ? ବୋର୍ତୋଦିକୁ ଯାତ୍ରା, ସେଇଠିକୁ ଫେରିବାକୁ ହେବ ।”

- “ଫେରିବାକୁ ହେବ?”

- “ହଁ, ଖବର ଦେବାକୁ ଆସିଛି । ଭଗବାନ୍ ପଠେଇଛନ୍ତି ।

ଗାଁର ଅନ୍ୟ ସ୍ତ୍ରୀପିଲା ସବୁ ଜମାହେଲେ । ସୁନାରୀକୁ ଘେରି ଠିଆହେଲେ । ସୁନାରା ବଡ଼ ଗର୍ବିତ ହେଲା । ସମସ୍ତେ ତା କଥା ଶୁଣିବାକୁ ଜମା । ଭଗବାନ୍ ଆସିଲେ ତାକୁ କିଏ ଦେଖେ? ତା କଥା ଶୁଣେ? କନୁ ଆସିଲେ ବି କେହି ତାକୁ ଚାହାଁନ୍ତିନି । କନୁ କହିଲେ ସବୁ କାମ ଛାଡ଼ି ଶୁଣିବାକୁ ହେବେ ।

- “କହରେ ନାନକ ।”

- “ରୁହ ଭାଇ ଟିକେ ଆରାମ୍ କରିବୁ । ତା ପରେ କହିବି ।”

- “ଆଗେ କହ, ତାପରେ ଆରାମ୍ କରିବୁ ।”

- “ତାହାହେଲେ ଶୁଣ । ଆମେ ତ ବୋର୍ତାଦିରୁ ଚାଲିଲୁ । ରାସ୍ତା ବହୁତ । ଗୋଟେ ଦିନ ବି ଯଥେଷ୍ଟ ନୁହଁ । କେଉଁଠି ବୋର୍ତାଦି ଆଉ କେଉଁଠି ଚୁଟିଆ । ଭଗବାନ୍ ଯେମିତି କହିଥିଲେ, କୋମ୍‌ତା ଆଉ ରୋକନ କହିଲେ-ଆମେ ଜମ୍ବୁଲରୁ ଯିବା । ଚୁଟିଆ ଗଲେ, ତାକୁ ଅଛୁଆଁ ରଖି ପୂଜା କରିବା । ଆମ ଭିତରୁ କେହି କିଛି କହିଲେ ନାହିଁ । ହାଟିଆ ପହଞ୍ଚିଲାବେଳେ ସନ୍ଧ୍ୟା ହୋଇଗଲା । ସେଇଠି ଭଗବାନ୍ ଆମକୁ କହିଲେ । କ’ଣ କହିଲେ ଜାଣ?”

- “କୁହ ।”

- “ସେଇ ପଥର-ମାଟି କଥା । ତଳେ ତିନୋଟି ପଥର, ପଥର ଉପରେ ମାଟି ଜମେଇ ଚୁଲି ହୋଇଗଲା । ଭଗବାନ୍ ସେଇଠି ବସିଲେ । କହିଲେ-ଦେଖ! ପଥର ଉଠୁଛି, ମାଟି ପଶି ଯାଉଛି ।”

- “ଜୟ ଭଗବାନ୍ ।”

- “ସମସ୍ତେ ଥରେ ଥରେ ଦେଖିଲେ । ପଥର ତଳକୁ ଯାଉଥିଲା ମାଟି ଉଠୁଥିଲା । ଭଗବାନ୍‌ଙ୍କୁ କହିଲୁ-ଦେଖ, ମାଟି ଉଠୁଛି ପଥର ପଶୁଛି । କିନ୍ତୁ ଭଗବାନ୍ ପୁଣି ଦୋହରାଇଲେ । ସମସ୍ତେ ଯାଇ ଦେଖିଲୁ ପଥର ଉପରେ ଜମା ।” ପୁଣି ସୁନାରା ଥୟ ଧରି କହିଲା-

“ଭଗବାନ୍ କହିଲେ, ମୁଁ ବୁଝାଇ ଦେଉଛି । ଦିକୁମାନେ ଆଜି ତମକୁ ଚାପିଧରିଛନ୍ତି । କିନ୍ତୁ ଉଲୁଗୁଲାନ୍‌ରେ ସବୁ ଜଳିଯିବେ । ତମେ ଉପରକୁ ଉଠିବ, ସେମାନେ ଦବିଯିବେ ।”

ବୀରସିଂ ମୁଣ୍ଡାର ସ୍ତ୍ରୀ ଗିରିମୁଣ୍ଡାନୀ କାନ୍ଦିପକାଇଲା । କହିଲା-“ତମେ ସ୍ୱାମୀ ସ୍ତ୍ରୀକୁ ଆମେ ଏଇଠି ରଖିଲୁ । ଭଗବାନ୍ ଏଡ଼ିକି ଟିକେ ହୋଇଥାଏ । ମୋ ପାଖରେ ରଖି ଜଙ୍ଗଲକୁ ଯାଉ । ମୁଁ କହିନଥିଲି, ଇଏ ଦିନେ ବଡ଼ ହେବ । ହେଲା ନା ନାହିଁ?”

ବୀରସିଂ ମୁଣ୍ଡା କହିଲା-“ହଁ, ସତେ ଯେମିତି ତୁ ଏକା ଚିହ୍ନିଥିଲୁ । ମୁଁ ଯଦି ଚିହ୍ନିନଥାନ୍ତି, ଏଇଠି ରହିବାକୁ ଦେଇଥାଆନ୍ତି?”

କରମୀ ବିରକ୍ତ ହୋଇ ଉଠିଲା, କିନ୍ତୁ ଭଗବାନ୍‌ର ମାଆ ହେଲେ କ୍ଷମା ବି ଶିଖିବା ଉଚିତ । ବିରକ୍ତି ଭାବ ଦେଖାଇବା ଠିକ୍ ନୁହେଁ । ସେ କହିଲା: “ତମେ ଜାଗା ଦେଲ, ଜୀବନ ବଞ୍ଚେଇଲ, ଯେତେଦିନ ଘର ତିଆରି ହୋଇନଥିଲା ରହିବାକୁ ଦେଲ । ଏଇକଥା ତ ମୁଁ ସମସ୍ତଙ୍କୁ କହେ ।”

ବୀରସିଂ ମୁଣ୍ଡା କହିଲା:“ଏବେ ଶୁଣ, ନାନକ କ’ଣ କହୁଛନ୍ତି ! ଆହା, ମୁଁ ବୁଢ଼ା ଲୋକ, ହତଭାଗା-ଭଗବାନଙ୍କୁ ଦେଖିପାରିଲି ନାହିଁ । ଦେହରେ ପ୍ରଚଣ୍ଡ ତାତି । ରୋଗ ହେଲେ ଦେହ ଅଶୁଦ୍ଧ ହୋଇଯାଏ । ଆଉ ଗଲି ନାହିଁ । ତୁ ପ୍ରଥମେ କହ ପୁଅ ।”

ସୁନାରା କହିଲା : “ହାଟିଆରୁ ଆମେ ଚୁଟିଆ ଗଲୁ । ରାଞ୍ଚି ବହୁତ ପାଖରେ ଥିଲା । ସମସ୍ତେ ମନେ ମନେ ଭାବିଲେ- ସାହେବ ଜାଣିଲେ କ’ଣ ହେବ? କିନ୍ତୁ ଭଗବାନ୍‌ର ମୁହଁ ଦେଖି ସବୁ ଡର ଚାଲିଗଲା । ଚୁଟିଆରୁ ଆମେ ପିତା-ପୁରୁଷ, ଆଦି-ଦେବତା, ଧରତିର ଆବା-ସମସ୍ତେ ଗୀତ ଗାଇ ଗାଇ ନାଚିଲେ । ଓଃ, ବୁଢ଼ା ଧାନୀ ଖୁବ୍ ନାଚିଲା, ତା’ପରି କିଏ ଡେଇଁ ପାରିବ ନାହିଁ । ତା’ପରେ ମନ୍ଦିରରେ ପଶି ଆମେ ସବୁ ଠାକୁରଙ୍କର ନାଶ କଲୁ, ତୁଳସୀ ନେଲୁ, କିନ୍ତୁ ତମ୍ବାପଟ୍ଟା କେତେ ଖୋଜିଲେ ବି ମିଳିଲା ନାହିଁ ।”

- “ମିଳିଲା ନାହିଁ ।”

- “ନା ।”

- “ତା’ପରେ?”

- “ତା’ ପରେ ଅନେକ ଲୋକ ଆସିଲେ । ବହୁ-ତ ପାଟି ତୁଣ୍ଡ ହେଲା । ଭଗବାନ୍ କହିଲେ: “ଆମ ପୂର୍ବପୁରୁଷଙ୍କ ମନ୍ଦିର । ଆମେ ଦଖଲ କରିଦେଇଛୁ । ଦିକୁମାନଙ୍କ ଦେବତାଙ୍କୁ ଅପବିତ୍ର କରିଦେଇଛୁ । ମୂଳ-ତୁଳସୀ ଗଛ ଉପାଡ଼ି ଦେଇଛୁ ।”

- “ତା’ପରେ?”

- “ତା’ପରେ ଆମେ ଗଲୁ ସିରୁମଟୋଲି । ରାସ୍ତାରେ ଭଗବାନ୍ ସମସ୍ତଙ୍କୁ କହିଲେ-ଆଉ ଚାଲନାହିଁ । ସିରୁମଟୋଲିରେ ଆମେ ଶୋଇଲୁ ସେଇଠି କି ବୋଧେ ପଲୁସ ପ୍ରଚାରକ ମିଶନ କାମରେ ଆସିଥିଲେ । ସିଏ ଭଗବାନ୍‌ଙ୍କୁ ଉଠାଇଲା ଓ କେଜାଣି କ’ଣ କହିଲା । ଭଗବାନ୍ ଆମକୁ ରାତିରେ ଉଠାଇ ବୋର୍ତାଦି ନେଇଗଲେ । କହିଲେ: ‘ଚୁଟିଆରୁ ପୂଜାରୀ ରାଞ୍ଚି ଖବର ପଠେଇଛି । ସାହେବ କହିଛି-ସକାଳେ ଖବର ଯିବ-ଭଗବାନ୍ ପୁଣି ମୁଣ୍ଡାମାନଙ୍କୁ ମତେଇଛି, ଦଙ୍ଗା କରାଉଛି, ଯିଏ ତାକୁ ଧରେଇବ, ପୁରସ୍କାର ପାଇବ ।’ ସମସ୍ତେ ଆସିଲେ । ରସଇ ମୁଣ୍ଡା ଆସିଲା ନାହିଁ, ସିଏ ଆମ ସହିତ ନଥିଲା ।

ସେମାନେ ଧରାପଡ଼ିଲେ ।

- “ହଁ ଭାଇ, ସବୁ କଥା ଜାଣି ଆସିଲି । ତଥାପି ଦିନଟେ ଡେରି ହୋଇଗଲା । କନୁ ପ୍ରଚାରକ କହୁଥିଲା ଯେ ଚୈତା, ରମଇ, କାଶୀ କହୁଥିଲେ ଏବେ କରିବା କ’ଣ? ଯାହା କଲୁ ଭଗବାନ୍‌ର ଆଦେଶରେ । ଆମେ କୌଣସି ଦଙ୍ଗା କରିନୁ ।” ଦାରୋଗା ଗାଳିକରି କହିଲା- ‘ମନ୍ଦିରକୁ କାହିଁକି ଯାଇଥିଲ?’ ସେମାନେ କହିଲେ ‘ଯାଇଥିଲୁ ତ!’ ‘କିନ୍ତୁ ସମସ୍ତେ ଜାଣିଛନ୍ତି ଏହି ମନ୍ଦିର ମୁଣ୍ଡାମାନଙ୍କର ଦେବସ୍ଥାନ ।’

- “ଏବେ ସେମାନେ?”

- “ବୋର୍ତାଦିରେ ଅଛନ୍ତି ।”

- “ସେଠାକୁ ପୁଲିସ ଯାଇପାରିବନି?”

- “ନା, ଜଣାପଡ଼ିବନି । ଅକାଳ ସମୟରେ ସେଠାକୁ ଦାରୋଗାମାନେ ଯାଆନ୍ତିନି । ସମସ୍ତେ ଦଶ ମାଇଲ୍ ଦୂରରେ ଥିବା ସ୍ଥାନରେ ବସି ରିପୋର୍ଟ ଲେଖନ୍ତି-ଯାଇ ଦେଖି ଆସିଲି-ସବୁ ଥଣ୍ଡା ହୋଇଗଲା । ବହୁତ ଘୋଡ଼ା ଧାନୀ ଆଜି ମାରିଦେଲେନା? ତାକୁ ସେମାନେ ଡରନ୍ତି ।

କିଛି ସମୟ ଭାବିବା ପରେ କରମୀ କହିଲା- “ପଲୁସ ପ୍ରଚାରକ? ସେ ବିର୍ସାର କେବେ ଭଲ ଚାହିଁଛି? ଏଇ ଅଗଣାକୁ ତ ସେ ପୁଲିସ ସହିତ ଆସିଥିଲା ।

 

ବୀରସିଂ ମୁଣ୍ଡା ଓ ଅନ୍ୟମାନେ ଭର୍ତ୍ସନା କରି କହିଲେ-“ତୁ ଗୋଟେ ଉଲିବାୟାଣୀ ଲୋ । ତୋ ପାଟିରେ ବାଡ଼ ବତା ନାହିଁ । ମନେ ମନେ ଯାହା କହୁଛୁ, ମୁହଁରେ ବିର୍ସାର ନାଁ କାହିଁକି କହୁଛୁ? ଏମିତି କହିବା ଭଲ ନୁହେଁ ।”

 

- “ଭୁଲ୍ ହୋଇଯାଉଛି । ତା’ର ଚିନ୍ତାରେ ମୋର ମୁଣ୍ଡ କାମକରୁନି । କିନ୍ତୁ ତୁମେମାନେ ମୋ ପ୍ରଶ୍ନର ଉତ୍ତର ଦେଲନି!”

ବୀରସିଂ ମୁଣ୍ଡା ଶୁଖିଲା ଗଳାରେ କହିଲା-“ତା’ଜାତିର ବହୁତ ବୀରସାଇତ ଗତ ବର୍ଷ ଅକାଳରେ ମରିଗଲେ । ଏବେ ସାହେବମାନେ ଭାବୁଛନ୍ତି ଯେ ସେ ଦେଖାଇବାପାଇଁ ସହାନୁଭୂତି ରଖୁଛି-କିନ୍ତୁ ମୁଣ୍ଡା ଲୋକମାନଙ୍କ ସହ ମିଶି ବୀରସାଇତ ହୋଇଗଲାଣି । ମୁଣ୍ଡା ଲୋକମାନେ ତାକୁ ନିଜର ମତ ଜଣାଉଛନ୍ତି । ଏବେ ପଲୁସ ଆଉ କିଛି ଖରାପ କାମ କରିବନି ।”

- “ପରେ କରିବ?”

- “ଏବେ କରିବନି । ସେ ପବନକୁ ଚିହ୍ନେ । ପାଗ ବଦଳିଗଲା ପରେ କ’ଣ କରିବ ଜଣାନାହିଁ । ଯଦି ପାଗ ବଦଳିଯା’ନ୍ତା ବା ପବନ ବହନ୍ତା ନାହିଁ ତା ହେଲେ କ’ଣ କରନ୍ତା ଜଣାନାହିଁ । ଏବେ ସେମିତି କିଛି କରିବନି ।”

କରମୀ ମୁଣ୍ଡ ହଲାଇଲା । କହିଲା-“ତୁ କ’ଣ କରିବୁ, ସୁନାରା?”

- “କାଲି ସକାଳୁ ଫେରିଯିବି ।”

- “କାହିଁକି?”

- “ଜଗନ୍ନାଥପୁରରୁ ଚନ୍ଦନ ଆଣିବି, ନୌରତନ ଗଡ଼ରୁ ମାଟି ଆଣିବି ।”

- “ଏବେ ସେମାନେ ଆସିବେନି?”

- “ଜାଣିନି । ନାନକକୁ କ’ଣ ଜଣା? ଯାହା ହୁକୁମ ସେମିତି କାମ ମୁଁ କରୁଛି । ତୁମକୁ କେତେଥର ବୁଝାଇଲିଣି ।”

 

- “ବୁଝାଇଲୁଣି ତ’ । କିନ୍ତୁ ଭୁଲିଯାଉଛି ।”

ବୀରସିଂ ମୁଣ୍ଡା କହିଲା-“ଭଗବାନ ଠିକ୍ କାମ କରିଛନ୍ତି । ଆମର ପୂର୍ବପୁରୁଷମାନଙ୍କର ଯେତେସବୁ ଜାଗା ଅଛି ସବୁ ସ୍ଥାନରୁ ଆଶୀର୍ବାଦ ନେବା । କରମୀ, ତୁ ବଡ଼ ଭାଗ୍ୟବତୀ ଲୋ!”

 

-“ଭାଗ୍ୟବତୀ?”

ଧୀର ସ୍ୱରରେ କହି କରମୀ ଘର ଭିତରକୁ ଚାଲିଗଲା । କୋମ୍‌ତାର ସ୍ତ୍ରୀ କହିଲା-“ଭଗବାନପାଇଁ ମା’ ରାତିରେ ଲୁଚି ଲୁଚି କାନ୍ଦେ । ତାଙ୍କର କଥା କହେ ଓ ବହୁତ କାନ୍ଦେ । କହେ-ତା’ପାଇଁ ମା’ର କଲିଜା ଧଡ଼ ଧଡ଼ ହୁଏ ।”

 

- “ସେ ବଡ଼ ଅବୁଝା ।”

ସମସ୍ତେ ଜଣ ଜଣ ହୋଇ ଚାଲିଗଲେ ।

•••

 

ସେମାନେ ଜଗନ୍ନାଥପୁର ଚାଲିଗଲେ । ତା’ ପରେ କିଛି ଖବର ନାହିଁ, କୌଣସି ଖବର ନାହିଁ । ବୀରସିଂ ମୁଣ୍ଡା ଓ ଅନ୍ୟ ମୁଣ୍ଡାମାନେ ବି ଚାଲିଗଲେ । କରମୀ ଘରଛାଡ଼ି ଯାଇପାରୁନଥିଲା । ବିର୍ସା ତାକୁ କହିଥିଲା-ମା ! ତୁ ଘରେ ରହ । କରମୀକୁ ଲାଗୁଥିଲା-ଯେମିତି ଗୋଟେ ବିପଦ ମାଡ଼ି ଆସିବ ।

କରମୀ କାନ୍ଦି ପାରୁନଥିଲା-କାଳେ ଅମଙ୍ଗଳ ହେବ । ସୁଗାନାକୁ ଗାଳି ଦେଇ ପ୍ରଥମେ ଶାନ୍ତି ମିଳୁଥିଲା କିନ୍ତୁ ଏବେ ମିଳୁନି । ନାତୁଣୀମାନଙ୍କ ବାଳ ବାନ୍ଧିବା, ସେମାନଙ୍କ ସହିତ କଥା ହେବାକୁ ଭଲ ଲାଗୁନଥିଲା । ବୋହୂ କହିଲା-ମା’, ତୁ କ’ଣ ଉପାସ ରହି ରହି ଶୁଖି ଶୁଖି ମରିଯିବୁ? କାହିଁକି ଖାଉନୁ?

- “ଦେହ ଭଲ ଲାଗୁନି ।”

- “ଜଙ୍ଗଲକୁ ଯିବି? ଔଷଧ ଆଣିଦେବି? କହ, କ’ଣ ହେଲା?”

- “କିଛି ହେଇନି ଲୋ ।”

- “କାହିଁକି ଶୋଉନୁ?”

- “ନିଦ ଆସୁନି ।”

- “ସେମାନେ ଆସିବେ? ଧରତୀର ଆବା ସହିତ ଯାଇଥିଲେ ସେମାନଙ୍କ ସହିତ ମୋ ସ୍ୱାମୀ ଯାଇଛି । ତଥାପି ମନରେ ଡର ନାହିଁ ।”

•••

 

ସକାଳୁ ଉଠି କରମୀ ଗୋଟେ କୁରାଢ଼ୀ ଓ ଗୋଟେ ଟୋକେଇ ନେଲା । ନାତୁଣୀକୁ କହିଲା-“ଚାଲ୍‌, ବଣରୁ କନ୍ଦା ଆଣିବା । ଖାଇକରି ଦେଖିବୁ ଯେ ରାନ୍ଧିଲେ କେମିତି ସୁଆଦିଆ ଲାଗେ । ଚାଲ, ଟୋକେଇ ଉଠା । ପିଜୁଳି ଆଣିବା, ଆମ୍ବୁଲ ଶୁଖି ପଡ଼ିଛି ଆଣିବା । ତା’ପରେ ଝରଣାରେ ଗାଧୋଇ ଆସିବା ।”

ସେମାନେ ବଣକୁ ଗଲେ । ଏଇ ବଣରେ ପଳାଶ, କେନ୍ଦୁ, ମହୁଆ, ପିଆଶାଳ, ଶାଳର ବହୁତ ଗଛ ଥିଲା । ବୃକ୍ଷହୀନ ଜାଗାମାନଙ୍କରେ ଜଙ୍ଗଲୀ ଫୁଲର ଗଛ ସବୁ ଉଠିଯାଇଥିଲା ।

କୁରାଢ଼ୀରେ କନ୍ଦା ଖୋଳି କରମୀ କହିଲା-“କାହାକୁ ବୋଧେ ଜଣାନାହିଁ ଏଠାରେ କନ୍ଦା ଅଛି ବୋଲି । ନହେଲେ ଜଙ୍ଗଲ ସାରା ଖୋଳି ପକାଇ କନ୍ଦା ନେଇ ଯାଆନ୍ତେ ।”

ଝରଣା ଜଳରେ ସେମାନେ ଗାଧୋଇଲେ । କରମୀ କହିଲା-“ତୁ ଘରକୁ ଯାଅ । ମୁଁ ଏଠି ନିଆଁ ପାଖରେ କିଛି ସମୟ ବସୁଛି । ବୁଢ଼ୀ ହାଡ଼କୁ ବେଶୀ ଶୀତ ଲାଗେ । ହାଡ଼ କମ୍ପେ ।”

ସେ ଚାଲିଯିବା ପରେ କରମୀ ନିଆଁର ଉଷୁମ ଗରମରେ ବସିଲା । ପ୍ରଥମେ ମୁଣ୍ଡାମାନେ ଯାହା ଯାହା କରୁଥିଲେ, ଏବେ କିଛି କରୁନାହାନ୍ତି । ହୋଲିରେ ‘ଜାପି’ ନାଚଗୀତ ହେଉନି, ମୁଣ୍ଡାମାନେ ଶିକାରକୁ ଯାଉନାହାନ୍ତି । ଘରର ବାସ୍ତୁ ଦେବତା, ପିତର ସମସ୍ତଙ୍କୁ ଅର୍ଘ୍ୟ ଦେବା ବନ୍ଦ ହୋଇଯିବାରୁ କରମୀକୁ ଡର ଲାଗୁଥିଲା । କିନ୍ତୁ ବିର୍ସାର ଧର୍ମରେ କିଛି ହେଲେ ପର୍ବ ନଥିଲା ।

ଶାଳ ଗଛରେ ଫୁଲ ହେଲେ କରମୀ ଆଦି ଯୁବତୀ ଥିବା ସମୟରେ ଫୁଲର ଏକ ଉତ୍ସବ ପାଳନ କରୁଥିଲେ । ମୁଣ୍ଡରେ ଫୁଲ ଲଗାଇ ପୁରୁଷ ଓ ସ୍ତ୍ରୀମାନେ ନାଚ କରୁଥିଲେ । ବିର୍ସା ସେଇଟାକୁ ମଧ୍ୟ ବନ୍ଦ କରିଦେଲା । ଯେଉଁ ପର୍ବମାନଙ୍କରେ ବୋଣ୍ଡା ବୋଣ୍ଡିଙ୍କ ପୂଜା, ବଳିଦାନ, ନାଚ ଥିଲା-ସବୁ ବିର୍ସା ମନ କରିଦେଲା । ସ୍ତ୍ରୀ ଲୋକମାନେ ଫୁଲ ଲଗାଇବା, କାନରେ ଗହଣା ପିନ୍ଧିବା-ସବୁ ବନ୍ଦ ହୋଇଗଲା ।

- “ହାୟରେ, ତୁ ସ-ବୁ ବନ୍ଦ କରିଦେଲୁ?”

ବିର୍ସା ମା’କୁ କହିଲା-“ମୁଣ୍ଡାଙ୍କ ଜୀବନରେ କେବଳ ଦୁଃଖ ଲେଖା ହୋଇଛି । ଏତେ ବୋଣ୍ଡାବୋଣ୍ଡିଙ୍କୁ ପୂଜା କରି, ନାଚି ଗାଇ କ’ଣ ଦୁଃଖ କମିଗଲା? ‘କରମ’ ସେମାନଙ୍କର ପୂଜା ନାହିଁ-। ଆମର ନୂଆ ଧର୍ମ ଅନ୍ୟ ପ୍ରକାର ମା’ । ଆମେ ସେମାନଙ୍କୁ ନା ଝୁଲାଇବୁ ନା ଭୁଲାଇବୁ । ତାଙ୍କୁ ଜୀବିତ ରଖିବା ଶିଖାଇବୁ, ତାଙ୍କୁ ମାରିବା ବି ଶିଖାଇବୁ ଓ ମରିବା ମଧ୍ୟ ଶିଖାଇବୁ । ତେବେ ଯାଇ ମୋର ଧର୍ମରେ ନୂଆ ରୀତି-ନୀତି ଚାଲିବ ।”

- “ତୁ କହିଲୁ ଦେଖି ।”

- “ସେଇଟା ଏମିତି କିଛି ଧର୍ମ ନାହିଁ । ବୀରସାଇତ ହେବାପାଇଁ ନୂଆ ଜନ୍ମ ନେବାକୁ ପଡ଼ିବ-। ପୁରୁଣା ନୀତି ଛାଡ଼ିବାକୁ ହେବ । କଷ୍ଟ ଉଠାଇବାକୁ ପଡ଼ିବ ।”

ଧୀର ପବନରେ, ପତ୍ରମାନଙ୍କର ଝରଝର-ସରସର ଶୁଣି ଶୁଣି କରମୀକୁ ପୁରୁଣା କଥା ମନେ ପଡ଼ିଗଲା । ମା’ ସେମାନଙ୍କୁ କୋଳରେ ନେଇ ଅଗଣାରେ ବସୁଥିଲା । ଚଣା ଶାଗ ଖୁଣ୍ଟି ଖୁଣ୍ଟି ପାଥର-ମାର କାହାଣୀ ଶୁଣାଉଥିଲା ।

କରମୀର ମା’ ଖୁବ୍ କହାଣୀ ଶୁଣାଉଥିଲା । ଗଛ, ଲତା, ଘର, ଢେଙ୍କି, ସପ-ସବୁ ଜିନିଷର ଗୋଟିଏ ଗୋଟିଏ କାହାଣୀ ଶୁଣାଉଥିଲା । ପାଥର-ମାର କାହାଣୀ କହୁଥିଲା, କେମିତି ଗୋଟେ ଯୁଗରେ ଗୋଟେ ପୁଅ ତା’ର ମା’କୁ କହିଥିଲା-“ମା, ତୁ ଭାତ ରାନ୍ଧେ । ମୁଁ ଭାତ ହୋଇଯିବା ଆଗରୁ ଶିକାର ମାରି ଆଣିବି ।” ସେଇଟା ପୁରଣା କାଳର କଥା । ସବୁ ମୁଣ୍ଡା ସେତେବେଳେ ଭାତ ଖାଉଥିଲେ ।

କିନ୍ତୁ ସେତେବେଳେ ଦେଶରେ ମଜୁରୀପାଇଁ ଠିକାଦାର ଆସିଯାଇଥିଲା । ସେଇ ଠିକାଦାର ଯବାନ୍ ଟୋକାମାନଙ୍କୁ ନେଇ ଯାଉଥିଲା । ଟୋକାମାନେ ଆଉ ଫେରୁନଥିଲେ । ପୁଅକୁ ଚାହିଁ ଚାହିଁ ସେଇ ମା’ ପଥର ହୋଇଗଲା ।

କରମୀ ଧୀରେ ଧୀରେ ଉଠିଲା । ତାକୁ ଏଇ ଅଲକ୍ଷଣ କଥାଗୁଡ଼ିକ କାହିଁକି ଜୁଟୁଛି?

ସେଇଟା ପୁରୁଣା କଥା-ଯେତେବେଳେ କରମୀ ପିଠି ସିଧା ଥିଲା, ସେ ଛୋଟ ଥିଲା । ମୁଣ୍ଡରେ ପୁଟୁଳି ରଖି ସ୍ୱାମୀ ଓ ଦିଅର ସହିତ କ୍ଷେତ ମଜୁରୀ କାମରେ କୁରୁମଦା ଯାଇଥିଲା । କେତେବେଳ କଥା? ବଡ଼ ପୁଅ କୋମ୍‌ତା ଓ ବଡ଼ ଝିଅ ଦାସକୀ ଜନ୍ମ ହୋଇଥିଲେ । ସେତେବେଳେ କରମୀ ଭାବୁଥିଲା ଯେ ଏଇଟା ଏକ ବଢ଼ିଆ ଜୀବନ । ମଜୁରୀ ଆଣୁଛୁ, ଜାଉ ଖାଉଛୁ, ସବୁଆଡ଼େ ଭଲ ।

ସେଠାରୁ ବାମ୍ବା, ଚମ୍ପା ଜନ୍ମ ହେଲେ, ବିର୍ସା ଜନ୍ମ ହେଲା । ବାଉଁଶର ଘର, ଚାଞ୍ଚର କବାଟ, ଚାଳ ଛାଉଣୀ । କରମୀ ଭାବୁଥିଲା-ଏଇଟା ତ ଭଲ ଜୀବନ । ମଜୁରୀ ଆଣୁଛୁ, ଜାଉ ଖାଉଛୁ, ସବୁଆଡ଼େ ଭଲ । ପୁଅ, ଝିଅ ସେମାନଙ୍କର ବାପ ମଧ୍ୟ ସାଙ୍ଗରେ ଅଛି ।

ସେଠାରୁ ଚାଲକାଡ଼ । କିଏ ପଚାରୁ ନଥିଲା । କାହାକୁ ଜଣା ନଥିଲା ଘରେ ଭଗବାନ ଜନ୍ମ ହୋଇଛି । ମେଳାରେ ବଣିଆ ଟୋକାଙ୍କ ଦେହରେ ଲାଲ କୁର୍ତ୍ତା ଦେଖି କରମୀକୁ ମଧ୍ୟ ଇଚ୍ଛା ହୋଇଥିଲା ଏହିପରି ଲାଲ କୁର୍ତ୍ତା ନିଜ ପୁଅମାନଙ୍କୁ ପିନ୍ଧାଇବାକୁ ।

ପୁଅ ଝିଅମାନଙ୍କ ପେଟ ଖାଲି ହୋଇଗଲେ ଭୋକ ଲାଗୁଥିଲା । କରମୀ କୋଳ ପୁଅ କନୁକୁ ପିଠିରେ ଧରି, ଟାଙ୍ଗିଆ ହାତରେ ଧରି, ଜଙ୍ଗଲକୁ ଯାଇ, ପିଜୁଳି, ଆମ୍ବ, ଅଁଳା, କନ୍ଦା, ଠେକୁଆ-ଯାହା ମିଳୁଥିଲା ଆଣି ସେମାନଙ୍କୁ ଖୁଆଉଥିଲା । କେବେ ମଧ୍ୟ କହୁ ନଥିଲା- “ନାଁ, ଘରେ କିଛି ନାହିଁ ।”

ସେତେବେଳେ ସୁଖ ଥିଲା ନା ଏବେ? ଏବେ ସମସ୍ତେ ଜାଣନ୍ତି । ସଙ୍ଗେ ସଙ୍ଗେ ଚିହ୍ନି ଦିଅନ୍ତି-। ସମସ୍ତେ ଆଦର କରନ୍ତି ଗଛର ଫଳ, ତରକାରୀ, ଛେଳି-ଗାଈର ଦୁଧ, ପ୍ରଥମେ କରମୀକୁ ଦିଅନ୍ତି । ତା’ପରେ ନିଜେ ନିଅନ୍ତି । କୋଲ ଦୁଲ୍‌ହୀନ୍‌ର ଶାଶୁ ବୋହୂକୁ ସାଥିରେ ନେଇ କରମୀକୁ କହୁଥିଲା-“ଟିକେ ଛୁଇଁଦେ, ପିଲା ଠିକ୍ ରହିବ, ଭଗବାନର ମା!” କହେ- “କିଏ ଜାଣିଥିଲା ଯେ ମା’ ଏମିତି ଅଦ୍ଭୁତ ପୁଅକୁ ଜନ୍ମ ଦେବ । ଆଖଡ଼ାରେ ନାଚୁଥିଲା, ବଂଶୀ ବଜାଉଥିଲା । ଦେଖ ତା’ର ନାକ କେତେ ଲମ୍ବା, କୌଣସି ଅଙ୍ଗ ମଧ୍ୟ ମୁଣ୍ଡାମାନଙ୍କ ପରି ନୁହେଁ । ଭାବେ, ତୁମେ ଚୁଟିଆନାଗୁର ବଂଶଧର, ସେଥିପାଇଁ । ନାହିଁରେ । ଏବେ ବୁଝିଲି ଯେ ସେ ଭଗବାନ ସେଥିପାଇଁ ତା’ର ଏତେ ରୂପ ହେଲା!”

•••

ଏବେ ସୁଖ ଅଛି । କରମୀ ମୁଣ୍ଡ ହଲାଇଲା । ପ୍ରଥମେ ଏତେ ପୁଅଝିଅ ମଧ୍ୟରେ ସେ ବିର୍ସାର କଥା ଏତେ ଭାବୁ ନଥିଲା । ଏବେ ଭାବେ । ସେ ଆଖି ପୋଛିଲା । ଭଗବାନର ମା’ କାନ୍ଦିବା ଉଚିତ ନୁହେଁ ।

ହଠାତ୍ ତା’ର କାନ ଏକ ଧ୍ୱନିର ଶବ୍ଦ ଶୁଣିଲା । ଜୟ ଜୟ ଧ୍ୱନି ବାଜୁଥିଲା । କରମୀ ଧାଇଁଲା ।

ବିର୍ସା ଆସିଛି । ପାଦ ଧୂଳିରେ ଭର୍ତ୍ତି ହୋଇଯାଇଛି । ଯାଉଥିଲୁ? ତତେ ଦେଇନି, ସେଥିପାଇଁ ଚାଲକାଡରେ ଆଉ କାହାକୁ ବି ଜଗନ୍ନାଥପୁରର ଚନ୍ଦନ ଏ ଯାଏଁ ଦେଇନି । ଚନ୍ଦନ ଲଗେଇବୁ- କ’ଣ ଏଥିପାଇଁ ଗାଧୋଇଛୁ?”

ହାତ ଯୋଡ଼ି କରମୀ ମଥାରେ ଚନ୍ଦନ ଲଗାଇଲା । ସମସ୍ତଙ୍କ ମୁଣ୍ଡରେ ଚନ୍ଦନ ଲାଗିଲା ।

ବିର୍ସା କହିଲା- “ନୂଆ ଚାଉଳ, ପଇସା ନେଇ ଯାଇଥିଲି । ତିନିଶହ ବର୍ଷ ତଳେ ଦେବତାଙ୍କ ଆଦେଶରେ ସାହି ମନ୍ଦିର ଆମ ପୂର୍ବପୁରୁଷମାନେ କରିଥିଲେ । ମୁଣ୍ଡାମାନେ ସେହି ମନ୍ଦିରକୁ କେବେ ଯାଇନଥିଲେ । କାଳେ ପଳାଇବେ ସେଥିପାଇଁ ଚାରିଆଡ଼େ କବାଟ ଓ କାନ୍ଥ କରାଯାଇଛି । ମନ୍ଦିରରେ ପଶିଲି ମୋ ହାତରେ ଯାହା ଥିଲା ସେଇଟାକୁ ଚାରିଆଡ଼େ ବୁଲାଇଲି । ତା’ପରେ ମନ୍ଦିରର ସମସ୍ତଙ୍କୁ ଚନ୍ଦନ ଦେଲି ।”

- “ଏତେ ଡେରି କରିଦେଲୁ?”

- “ସେଠାରୁ ବୋର୍ତାଦି ଗଲି । ତା’ ପରେ କିଛି ଲୋକଙ୍କୁ ନେଇ କାୟେଲ ନଦୀରୁ ନାଗଫେଣୀ ଗଲି । ସେଠାରୁ ପାଲକୋଟ ହୋଇ ଗଲି । ଏବେ ନୌରତନ ଗଡ଼ରୁ ମାଟି ଆଣିବାକୁ ହେବ । କିନ୍ତୁ ନୌରତନ ଗଡ଼ରୁ ମାଟି ଆଣିଲା ପରେ ଉଲ୍‌ଗୁଲାନ୍ କରିବାକୁ ଆଉ ବେଶୀ ସମୟ ଲାଗିବନି । ସବୁ ମୁଣ୍ଡା । ଆଜିଠୁ କାମ ଆରମ୍ଭ ହେବ । କାମ ବୋର୍ତାଦିରେ ଆରମ୍ଭ ହେବ । ଚାଲକାଡ଼ରୁ ବନଗାଁ ପାଖ । ଏବେ ସହଜରେ ଆସି ହେଉଛି । ବୋର୍ତାଦି ଜଙ୍ଗଲର ମଝି ଅଂଶରେ ପାହାଡ଼ ଘେରା ହୋଇଥିବା ଅଞ୍ଚଳ । ସେଠାରେ ଆମର ପ୍ରଥମ ଘାଟୀ ଗଢ଼ାହେବ ।”

 

ଏହା ଶୁଣି କରମୀର ଛାତିରେ ଏକ ବଡ଼ ଆଘାତ ହେଲା ।

ବୀର୍ସା କହିଲା- “ଉଲ୍‌ଗୁଲାନ୍ ଆସିଗଲାଣି ।”

କରମୀ କାନ ଉପରେ ହା ରଖିଦେଲା । ସେ ଜାଣିପାରିଲା ଯେ ଚାଲକାଡ଼ର ଜୀବନରେ ବିର୍ସା ଆଘାତ ସୃଷ୍ଟି କରୁଛି । ଉଲ୍‌ଗୁଲାନ୍ ହୋଇସାରିଲା ପରେ ବୀର୍ସା ତା ପାଖକୁ ପୁଅ ହୋଇ ଫେରିବନି । ଯଦି ଫେରିବ, ତା ହେଲେ ଭଗବାନ ହୋଇ, ଯୋଦ୍ଧା ହୋଇ ।

ତାହେଲେ କରମୀ କ’ଣ ପଥର-ମା ହୋଇଯିବ? ଅପରୂପ-ଅଲୌକିକ-ଆଶ୍ଚର୍ଯ୍ୟଜନକ ତ’ କିଛି ଜିନିଷ ନାହିଁ । ଅଲୌକିକ ସଂସାରରୁ ତ’ ବିର୍ସା ମୁଣ୍ଡା ଜୀବନରୁ ନିର୍ବାସିତ କରିଦେଇଛି!

ଏଥିପାଇଁ ତା ହେଲେ କରମୀ ନିଷ୍ପ୍ରାଣ ପଥର ହୋଇପାରିବନି । ପଥର ପରି ନିଶ୍ଚଳ ହୋଇ ବସି ରହିବ । ସବୁ ଲୋକେ କହିବେ-“ଦେଖ, ତା’ର ପୁଅ ସାଧାରଣ ଟୋକା ଥିଲା ଭଗବାନ ହୋଇଗଲା । ଉଲ୍‌ଗୁଲାନ୍‌ର ଭଗବାନ୍‌, ଏଥିପାଇଁ ମା ପଥର ହୋଇଗଲା ।

ସହସା କରମୀର ଚେତା ବୁଡ଼ିଗଲା । ସବୁଲୋକ ହାତ ଯୋଡ଼ି ଗୀତ ଗାଉଥିଲେ । କରମୀ ମଧ୍ୟ ହାତ ଯୋଡ଼ିଲା । ବାଷ୍ପରୁଦ୍ଧ ସ୍ୱରରେ କହିଲା-

“ଶିର ମାରେ ଫିରୁନ୍ ରାଜାର ଜୟ!

ଧରତୀର ପୁଡ଼ୋଇ ରାଜାର ଜୟ!”

•••

 

ଚାଲ୍‌କାଡ଼ରୁ ବୋର୍ତାଦି ।

କରମୀ ଡରି ଡରି ସୁଗାନାକୁ ପଚାରିଲା-“ମୋର କ’ଣ କେଉଁଠି କିଛି ଭୁଲ୍ ରହିଗଲା?”

“କାହିଁକି, ଭୁଲ୍ କାହିଁକି ହେବ?”

ସୁଗାନା ଆଶ୍ଚର୍ଯ୍ୟ ହୋଇଗଲା । ଆଜିକାଲି ସୁଗାନା ଏକ ବ୍ୟାପକ ଆନନ୍ଦର ନିଶାରେ ଖୁସି ରହେ । ଏତେ ସୁଖ ଥିଲା ତା’ର ଜୀବନରେ? ଲୁଗା ପିନ୍ଧୁଛି, ଗାଁର ବହୁତ ଲୋକ ତାକୁ ଆଦର କରନ୍ତି । ଏତେ ସୁଖ ! ଏମିତିରେ ନିଶା ହୋଇଯାଏ । ମହୁଲୀ ଆଦି ନିଶା ତ’ ରାତିକପାଇଁ । କିନ୍ତୁ ଏଇ ନିଶା ସବୁଦିନପାଇଁ । କରମୀକୁ ସୁଖୀ ନ ଦେଖି ସୁଗାନା ଚକିତ ହେଲା?

ସୁଗାନା ଚକିତ ହେଲା ତାଙ୍କ ସମାଜ ପୁରୁଷ-ଶାସିତ ନଥିଲା । ତାଙ୍କ ସମାଜରେ ପୁରୁଷ-ସ୍ତ୍ରୀ ସମାନ ରୂପରେ ପରିଶ୍ରମ କରୁଥିଲେ, ସମାନ ରୂପେ କମାଉଥିଲେ, ସମାନ ରୂପେ ସମ୍ମାନ ପାଉଥିଲେ । ମୁଣ୍ଡା ସମାଜରେ ମାତାର ସମ୍ମାନ ବେଶୀ ଥିଲା । କରମୀ ବହୁତ ଦିନ ସେହି ସମ୍ମାନ ପାଇଲା । ଗର୍ବରେ ମୁଣ୍ଡ ଉଠାଇ ବୁଲୁଥିଲା ।

କିନ୍ତୁ ଆଜି କରମୀ କାହିଁକି ଏତେ ଦୀନ ଆଉ କରୁଣ ଦେଖାଯାଉଛି? ଏମିତି ଡରି ଡରି ବିର୍ସା ବିଷୟରେ କାହିଁକି କହୁଛି?

 

ସୁଗାନା ପୁଣି ପଚାରିଲା- “ଭୁଲ୍ ହୋଇଗଲା ବୋଲି କ’ଣ କହୁଛୁ?”

- “ସେ ଚାଲକାଡ଼ରୁ ଡେରା ଉଠାଇ ବୋର୍ତାଦି କାହିଁକି ଯାଉଛି । ସେଥିପାଇଁ ପଚାରୁଛି କ’ଣ ମୋର କିଛି ଭୁଲ୍ ରହିଗଲା?”

 

- “ନା ନା!”

- “ତା ହେଲେ? ସେଠାରେ ଡୋନ୍‍କା ମୁଣ୍ଡା ଘର ତା’ର ଘାଟି କାହିଁକି ହେଲା?”

- “ତୁ ବୁଝିବୁନି ।”

- “ବୁଝି ପାରିବି । ଡୋନ୍‍କାର ସ୍ତ୍ରୀ ସାଲୀକୁ ଦେଖିଛୁ?”

- “ଦେଖିଛି । ବଡ଼ କାମିକିଆ ସ୍ତ୍ରୀ ।”

- “ଖୁ-ବ୍ କାମିକିଆ । ନଦୀ ପରି ପ୍ରଖର । ଆଷାଢ଼ର ନଦୀ ପରି ।”

- “ହଁ । ସେୟା ।”

- “ବିର୍ସାକୁ ଦେଖି ନଦୀରେ ବଢ଼ି ଆସେ ।”

- “ଛିଃ ।”

- “ଛିଃ କ’ଣ? ତା’ର ମୁହଁରୁ ଚମକ ଆସିଯାଉଛି ।”

- “ଛିଃ ।”

- “ମୁଁ ନିଜ ପୁଅକୁ ଜାଣିଛି । କିନ୍ତୁ- କିନ୍ତୁ ତାକୁ ପାଖରେ ରଖିଲେ ବିପଦ ଆସିପାରେ । ଆମେ ବାପ-ମା, ଆମେ ବିପଦକୁ ଉଠାଇ ପାରିବା । ସେ କାହିଁକି ବିପଦ ଉଠାଇବ?”

 

- “ସେମାନେ ବୀରସାଇତ ହୋଇଗଲେଣି ।”

- “ତୁମର ଏଇ ପୁଅ ନିଆଁ ଲଗାଇଦେବ । ତା’ର ହସ ଟିକେ ଦେଖିବାପାଇଁ ମୁଣ୍ଡା ମାଇପିମାନେ ନିଆଁରେ ହାତ ଜଳାଉଛନ୍ତି । ମତେ ସବୁ ଜଣା ।”

- “ଏମିତି କଥା ଆଉ କେବେ କହିବୁନି ।”

- “ସେ ତ’ ପଥର । ନହେଲେ କୋଉ ଗୋଟେ ଭଲ ଝିଅ ସହିତ ବାହାହୋଇ ସଂସାର କରିଥାନ୍ତା । କୋମ୍‌ତା ଓ କନୁ ପରି ଘର ବସାଇଥାନ୍ତା ।”

 

ବଡ଼ ପୁଅ କୋମ୍‌ତା ହସିକରି କହିଲା-“ମା । ତୁ ଏତେ ଅବୁଝା କାହିଁକି ହେଲୁ? ଯେତେ ବର୍ଷ ପାର କଲେ ମଣିଷ ବୁଝାଏ ହୁଏ, ସେ ବର୍ଷ ତ ତତେ ହୋଇନି!”

 

- “ଦେଖ୍ କୋମ୍‌ତା, ମୋ ମୁଣ୍ଡକୁ ରାଗ ଚଢ଼ାନା ।”

- “ତୁ ରାଗିଗଲୁ?”

- “ହଁ, ହୋଇଗଲା ।”

- “କାହିଁକି?”

- “ଗୋଟେ କଥା କହିଲି । ତା’ର ଉତ୍ତର ମିଳିଲାନି । ବୀରସାଇତ ମାନଙ୍କର ଧର୍ମରେ ଲେଖା ଅଛି ଯେ ସବୁ କଥା ଭଲଭାବେ ବୁଝାଇବା ଉଚିତ । ଏଇଟା ଦେଉଁରା-ପହାନର ଧର୍ମ ନହିଁ-। ସେମାନେ କେଉଁ କଥାକୁ ମଧ୍ୟ ଭଲଭାବେ ବୁଝାନ୍ତିନି । ସେମାନେ ହୁକୁମ ଦିଅନ୍ତି, ମୁଣ୍ଡାମାନେ ମାନନ୍ତି । ତୁ କାହିଁକି ବୁଝାଉନୁ? କହ, କୋମ୍‌ତା...”

- “ଛାଡ଼ । ମତେ ଏତେ କଥା ଜଣା ନାଇଁ ।”

- “କୁଆଡ଼େ ଯାଉଛୁ?”

- “ଘରେ କିଳେଣୀ ଲଗାଇବି ।”

- “ଏବେ ।”

- “ବୋର୍ତାଦି କେବେ ଯିବାକୁ ପଡ଼ିବ, ସେତେବେଳେ କ’ଣ ସମୟ ମିଳିବ? ସେତେବେଳେ ଭଗବାନ କ’ଣ ସମୟ ଦେବେ?”

କରମୀ ନାକ ଖୁଣ୍ଟି ଖୁଣ୍ଟି କହିଲା-“ତୁ କିଳେଣୀ ତିଆରି କରିବୁ? ତୁ ତିଆରି କଲୁ, କନୁ ତିଆରି କଲା, କିଳେଣୀ ଖୋଲିଯାଉଛି । ସେ କିଳେଣୀ ଲଗାଇଲେ ଖୋଲୁ ନଥିଲା ।

କୋମ୍‌ତା ଟିକେ ରାଗିଗଲା । କହିଲା-“ମା, ତା’ର ଦୁଃଖରେ ତୋର ଅକଲ ମରିଗଲା । ସେ କେବେ କିଳେଣୀ ତିଆରି କରିଛି? ଦୁନିଆରେ କୌଣସି କାମ କରିଛି? ଯଦି କାମ କରିଛୁ, ମୁଁ, କନୁ ।”

ସୁଗାନା ବୁଝିପାରିଲା ଯେ ବହୁତ ଦୁଃଖରେ କରମୀ ଇଆଡ଼ୁ ସିଆଡ଼ୁ ଓଲଟା ସିଧା କଥା କହୁଛି । ସେ କହିଲା-“ଏଠାକୁ ଆ’ । ଗୋଟେ କଥା ଶୁଣ୍ । ଏଇଠି ଆସି ବସ ।

 

- “ଏ, ଏ, ହାତ ଲଗାନା । ବୀରସାଇତ ହୋଇଗଲୁଣି ।”

- “ନା, ନା, ନିଷେଧକୁ ଭୁଲିନି । ଏଠାରେ ବସ୍ ।”

- “ହଉ । ବସିଗଲି ।”

- “ଦେଖ । ଚାଲକାଡ଼ର ନାମ ଏବେ ସରକାରୀ କାଗଜରେ ବଢ଼ିଗଲାଣି ।”

- “କାହିଁକି?”

- “ତା’ର ଘର ଏଠି ଅଛି, ସେଥିପାଇଁ !”

କୋମ୍‌ତାର ବଡ଼ ଝିଅ କହିଲା-“ଗୀତ ଶୁଣିନି । ଚାଲକାଡ଼ରେ ତମାମ ଗୀତ ସବୁ ଅଛି ।”

 

“କୋଉ ଦେଶରେ ନୂଆ ରାଜାର ଜନ୍ମ ହୋଇଛି?

ଆରେ, ତୁ ମୁହଁ ଉଠାଇ ଦେଖ-ଆକାଶରେ ସେ ଧୂମକେତୁ ।

ଚାଲକାଡରେ ନୂଆ ରାଜାର ଜନ୍ମ ହୋଇଛିରେ !

ପଶ୍ଚିମରେ ସେ ଧୂମକେତୁ !

ମୁଣ୍ଡା-ରାଜ ଫେରିବ- ସେଥିପାଇଁ ନୂଆ ରାଜାର ଜନ୍ମ !

ଧରିତ୍ରୀକୁ ଶୁଦ୍ଧ କରିଦେବ ସେଇ ଧୂମକେତୁ !”

- “କ’ଣ କହୁଛୁ । ଚାଲକାଡ଼ରେ ଏମିତି ଗୀତ ଅଛି?”

- “ବ-ହୁତ ଗୀତ ।”

- “ଜଙ୍ଗଲର ମଧ୍ୟଭାଗରେ ଚାଲକାଡ଼ ଗ୍ରାମରେ ଧରତୀର ଆବା ଜନ୍ମ ହେଲା । ଆଉ-‘ସୂର୍ଯ୍ୟ ପରି ଉଦୟ ହେଲା ବିର୍ସା ।’ ପୁଣି-ତୁମର କଥା ଶୁଣିବାପାଇଁ ଆମେ ଦୂରରୁ ଆସିଲୁ ଚାଲକାଡ଼ ।’ ଆଉ-‘ଦିନ-ରାତି ଧରତୀର ଆବାକୁ ଡାକିଲୁ ।’ ପାହାଡ଼ ବଣର କୋଳରେ....ଚାଲକାଡ଼ ଚାଲିଯିବୁ....ଧରତୀର ଆବାର ଗୀତ ଗାଇବୁ !”

କରମୀ କହିଲା-“ତା’ର ଜନ୍ମ ତ’ ଏଠାରେ ହୋଇନି ।”

- “ତତେ କେମିତି ଜଣା? ବାରମ୍ବାରେ ଜନ୍ମ ହେଲା, ଏଇଟା କିଏ ଜାଣିଛି? ସମସ୍ତେ ଜାଣିଛନ୍ତି ତା’ର ଏଇଠି ଜନ୍ମ ହୋଇଛି ।”

 

- “କ’ଣ ହେଲା ମା ତା’ର ଜନ୍ମକୁ ନେଇ ଏତେ ଗୀତ ଗାଉଛି ! କେଉଁଠି, କେମିତି ହେଲା, ଏହା ଜଣା ନାହିଁ !”

ସୁଗାନା କହିଲା-“ତା ହେଲେ ଦେଖ୍ । ଚାଲକାଡ଼ ଅଧିକାଂଶ ଲୋକ ଜାଣିଗଲେଣି । ରାଞ୍ଚିରୁ, ବନ ଗାଁରୁ, ଖୁଣ୍ଟିରୁ ଚାଲକାଡ଼ ଆସିପାରେ । ପୁଲିସ କ୍ଷଣିକରେ ତାକୁ ଧରିପାରେ ।”

 

- “ସେ ତ’ ଧରିପାରିବ ।”

- “ବୋର୍ତାଦିକୁ ପୁଲିସ ସହଜରେ ଯାଇପାରିବନି । ବହୁତ ଦୂର । ଜଙ୍ଗଲର ରାସ୍ତାରେ ଯିବା ମୁସ୍କିଲ୍ । ବୋର୍ତାଦି ପାଖରେ ଡୋମ୍ବାରୀ ପାହାଡ଼ ଅଛି । ସେହି ଡୋମ୍ବାରୀ ପାହାଡ଼ ପାଖରେ ଘାଟୀ ତିଆରି କରାଯାଇଛି । ତୁ ଡୋମ୍ବାରୀ ଦେଖିନୁ ବୋଧେ?”

- “ନା, ଶୁଣିଛି ସେଇଟା ପାହାଡ଼ରେ ଘେରା ହୋଇଛି....ସେଲରାକାର...କେରା- ଓରା, ବିଚା-ବୁରୁ, ତିରିଲକୁଟି- ବୁରୁ । ଗୋଟେ ପଟେ ଟିକେ ଖୋଲା ଅଛି...ସେ ପଟେ ଡୋମ୍ବାରୀ ଭିତରକୁ ଯାଇହେବ । ଯାଇସାରିଲା ପରେ ବଡ଼ ବଡ଼ ପଥର ଜମା କରିଦେଲେ ପୁଲିସ ଯାଇପାରିବନି ।

- “ତୁମେମାନେ ଯିବ?”

- “ଯେତେବେଳେ ଉଲ୍‌ଗୁଲାନ୍ ହେବ, ଲୁଚିକରି ରହିବାକୁ ଜାଗା ତ’ ଦରକାର । ସେଠାରେ ପାହାଡ଼ରେ, ଜଙ୍ଗଲ ଭିତରେ ଲୁଚି ରହିବାକୁ ସୁବିଧା । ବୋର୍ତାଦିର ସବୁ ଜାଗା ପାଖରେ ପାଖରେ ଅଛି । ସେଥିପାଇଁ ବୋର୍ତାଦି ଯାଇଛନ୍ତି । ତୁମ-ମୋ କାରଣରୁ ଚାଲକାଡ଼ ଛାଡ଼ି ନାହାନ୍ତି ।

- “ସେଥିପାଇଁ ସେଠାକୁ ଯାଇଛି?”

- “ହଁ ।”

- “ଡୋ-ମ୍‌...ବା....ରୀ ।”

•••

 

ଡୋମ୍ବାରୀ !

ଦୁର୍ଗମ, କଷ୍ଟସାଧ୍ୟ ପାହାଡ଼ରେ ଭରା ଡୋମ୍ବାରୀ ଘାଟୀ । ଏଠାରେ ଜଙ୍ଗଲ ଘନ ଓ ଦୁର୍ଭେଦ୍ୟ । ଏଇ ଜଙ୍ଗଲରେ କେଉଁ ଦିନବି ଠିକାଦାର ଗଛ କାଟିନି । କୌଣସି ଗଛ ଉପରେ କୁରାଢ଼ୀର ଚୋଟ କେବେ ପଡ଼ିନି ।

ପ୍ରାଚୀନ ଶାଳ, ପିଆଶାଳ, କେନ୍ଦୁ, ତେନ୍ତୁଳି, ପଲାଶ, ଶିଶୁଆ, କୁସୁମ ଗଛର ଜଙ୍ଗଲ । କେଉଁଠି ଲତାର ଜାଲରେ ଜଙ୍ଗଲର ରାସ୍ତା ବନ୍ଦ । ଶୀତରେ ଜଙ୍ଗଲରେ ବନ-ଶେଫାଳୀ ଫୁଟି ଚାରିଆଡ଼ ମହକାଇଦିଏ । ବର୍ଷା ହେଲେ ଗାଡ଼ିଆରେ ପାଣି ଭର୍ତ୍ତି ହୋଇ ଯାଉଥିଲା । ସେଇ ଲତାର ଫୁଲରୁ ମହା-ଆକର୍ଷକ ସୁଗନ୍ଧ ବାହାରୁଥିଲା ।

ଏଇ ଜଙ୍ଗଲରେ ଲୋକମାନଙ୍କର ବସ୍ତି ନଥିଲା । ଗଛ ତଳେ ସୁରକ୍ଷିତ କନ୍ଦା କୌଣସି ମୁଣ୍ଡା ସ୍ତ୍ରୀ ଜମା କରୁନଥିଲା । ପିଜୁଳି ଆଦି ଫଳ ରାକ୍ଷସମାନେ ହିଁ ଖାଉଥିଲେ । ବାଉଁଶର ଅଙ୍କୁର ସେମିତି ହିଁ ବଢ଼ି ରହୁଥିଲା ।

କେବଳ ମଝିରେ ମଝିରେ ପଥର ଢାଙ୍କି ହୋଇଥିବା ଦେଖାଯାଉଥିଲା-ଗୋଟେ ପରେ ଗୋଟିଏ । ଲାଗୁଥିଲା ଯେ ଏଠାରେ ବୋଧେ କେବେ ମୁଣ୍ଡା ଲୋକଙ୍କ ଗାଁ ଥିଲା । ଏଇଟା ସମାଧି ଉପରେ ରଖିବା ପଥର । ପରେ ମୁଣ୍ଡାମାନେ ଗାଁ ଛାଡ଼ି ଚାଲି ଯାଇଥିବେ ।

ଏଇ ଜଙ୍ଗଲରେ ବାଘ, ଭାଲୁ, ଚିତା, ହରିଣ, ଗଧିଆ ବୁଲୁଥିଲେ । ଶିକାର-ଉତ୍ସବ ଦିନ ମଧ୍ୟ କୌଣସି ମୁଣ୍ଡା ଯୁବକ ସେମାନଙ୍କୁ ବର୍ଚ୍ଛାରେ ମାରୁନଥିଲା । ପାହାଡ଼ର ପାଦଦେଶରେ ଗମ୍ଭୀର ଗର୍ଜନ କରି ଗୋଟେ ନଦୀ ବହୁଥିଲା । ସେଇ ନଦୀରେ ବିଭିନ୍ନ ରଙ୍ଗର ମାଛ ସବୁ ଖେଳୁଥିଲେ ।

ଏଇ ଜଙ୍ଗଲରେ ପଶୁମାନେ ଯିବା ଆସିବା ରାସ୍ତାରେ ମୁଣ୍ଡାମାନେ ଯାଇପାରୁଥିଲେ, ଦିକୁମାନେ ନାହିଁ । ଦିକୁମାନେ ହାଟ-ବଜାର-ଥାନା-ଡାକଘର ଯେଉଁଠି ଅଛି ସେଠାରେ ରାସ୍ତା ଖୋଜୁଥିଲେ । ଯେଉଁଠି ପକ୍କା ରାସ୍ତା ଥିବ ସେହି ରାସ୍ତା ଦିକୁମାନେ ଖୋଜୁଥିଲେ ।

ଏଇ ଜଙ୍ଗଲ ଆଜି ବି ମୁଣ୍ଡାମାନଙ୍କର । ପାହାଡ଼ର କୋଳରେ, ଜଙ୍ଗଲର ହୃଦୟରେ, ଜଳଧାରା ପାଖରେ, ବୋର୍ତାଦିର ବହୁତ ଛୋଟ ଗାଁ ହୋଇଯାଇଥିଲା । ସେଇ ସବୁ ଗାଁରେ ପଥର ଢାଙ୍କି ଓ ନାଗଫେଣୀ ଗଛ ଘେରି ହୋଇଥିଲା । ଦୁର୍ଗ ପରି ସୁରକ୍ଷିତ ଥିଲା ।

ଡୋମ୍ବାରୀ ପାହାଡ଼ ତଳେ ଜାଗରୀ ମୁଣ୍ଡାର ଘରେ ବୀରସାଇତମାନେ ପ୍ରଥମ ସଭା କଲେ ଫେବୃୟାରୀ ମାସରେ । ଜାଗରୀ ମୁଣ୍ଡାର ଘର ଲିପାପୋଛା ହୋଇ ସଫା କରାଯାଇଥିଲା ।

ଅଗଣାରେ ଧର୍ମ-ଚୁଲ୍ଲୀ ଜଳିଲା । ସବୁ ବୀରସାଇତ ଡାଲି-ଚାଉଳ, ଚିନା ଘାସର ଦାନା, ମସୁର, ଜଙ୍ଗଲୀ ସୁଆଁ, ସୁଆଁର ବୀଜ-ଯାହାର ଯେତିକି ସାମର୍ଥ୍ୟ-ନେଇଆସିଥିଲେ । ସବୁକୁ ଗୋଟେ କଡ଼େଇରେ ପକାଇ ରନ୍ଧାହେଲା । ସମସ୍ତେ ଏକା ସାଙ୍ଗରେ ବସି ଖାଇଲେ ।

ତା ପରେ ଘର ଭିତରେ ଆସି ବସିଲେ ।

ବିର୍ସା କହିଲା-“ଦେଖ! ସଫା ସଫା କହିଦେଉଛି । ଯାହା କରିବାକୁ ଯାଉଛି ସମସ୍ତେ ଜାଣିନିଅ । ଆଖି ବନ୍ଦକରି ତୁମେମାନେ ଉଲଗୁଲାନ୍‌ରେ ବାହାରିଯାଅ ଏଇଟା ମୋର ଇଚ୍ଛା ନୁହେଁ-।”

- “କୁହ, ହେ ଭଗବାନ୍ ।”

- “ଦୁଇଟା ରାସ୍ତା ଅଛି ।”

- “କେମିତିକା ।”

- “ଗୋଟେ ରାସ୍ତା ଅଛି-ଶାନ୍ତିର ରାସ୍ତା ।”

ନିବାଇ ମୁଣ୍ଡା ପୁରୁଣା ଦିନର ସର୍ଦ୍ଦାର ଥିଲା । ସେ ବହୁତ ଥର ଅନେକ ଆନ୍ଦୋଳନରେ ସାମିଲ୍ ହୋଇଥିଲା । ନିବାଇର ନାକ ଅଗରେ ରାଗ, ସେ ବହୁତ ଚିଡ଼୍‍ଚିଡ଼ା । ସେ କହିଲା-“ଶାନ୍ତି ପଥରେ ରହି ତୁମେ ମୁଣ୍ଡାମାନଙ୍କର ମୁଣ୍ଡାରୀ-ରାଜ ଆଣିଦେବ ।”

- “ବାଟ ଯେତେବେଳେ ଅଛି କହିବାକୁ ତ’ ପଡ଼ିବ ।”

- “ତା ହେଲେ କୁହ ଆମେ ଶୁଣିବୁ ।”

- “ଶାନ୍ତି ପଥରେ ଚାଲିଲେ କେତେ ଦିନରେ ଫଳ ମିଳିବ-ଜାଣିନି । ସେଇ ପଥରେ ଚାଲିଲେ କାମ ପୂରା ହେବାରେ ସମୟ ଲାଗିବ ।”

- “ସେଇଟା କେମିତିକା ବାଟ?”

- “ନିବାଇ ତୁ ପୁରୁଣା ସର୍ଦ୍ଦାର । ତତେ କ’ଣ କହିବି? ତୁମେ ସର୍ଦ୍ଦାରମାନେ ଆଜି ପର୍ଯ୍ୟନ୍ତ ସେହି ବାଟରେ ଚାଲିଆସିଛ । ସେଇଟା ହେଲା-ଆବେଦନ କର, ଆଇନପାଇଁ ଲଢ଼ ।

- “ବହୁତ ଲଢ଼ିଛୁ । ଯେତେ କାଗଜ ଉପରେ ସର୍ଦ୍ଦାରମାନେ ଆବେଦନ ଲେଖିଛନ୍ତି, ସେହି କାଗଜ ସବୁ ଏକା କରି ବିଛାଇଦେଲେ ଛୋଟ ନାଗପୁର ଦିଶିବନି । ନଦୀରେ ବଢ଼ି ହେଲେ ଯେତିକି ପାଣି ହୁଏ, ଆମେ ଯେତିକି ଆବେଦନ ଲେଖିଛୁ ତାହାଠୁ ବେଶୀ ।”

 

ଜାଗରୀ ମୁଣ୍ଡା କହିଲା-“ଶୁଣିବାକୁ ଦେ’ । ନିବାଇ ମୁଣ୍ଡା, ତୁ ବହୁତ କଥା କହୁଛୁ ।”

ଡୋନ୍‍କା କହିଲା-“କୁହ ହେ ଭଗବାନ!”

ବିର୍ସା କହିଲା-“ଜଙ୍ଗଲ କାଟି ଜମି ଦଖଲ କରନି । ଘର ଭିତର ବାଡ଼ିରେ ପରିବା ଲଗାଅ । ଆମ୍ବ, କାକୁଡ଼ି ଆଦି ଫଳ ବିକ । ତୀର, ଟାଙ୍ଗିଆ, ବର୍ଚ୍ଛା, କୁରାଢ଼ୀ ଲୁଚାଇ ରଖ । ନିଜର ଅଧିକାରପାଇଁ ଲଢ଼ । ଏଇଟା ହେଲା ଶାନ୍ତିର ପଥ । ଦିକୁମାନଙ୍କ ମଧ୍ୟରେ, ମିଶନ୍‌ର ସାହେବମାନଙ୍କ ମଧ୍ୟରେ, ରାଞ୍ଚି ଓ ଚାଇଁବାସାର ବାବୁମାନଙ୍କ ମଧ୍ୟରୁ ସେମାନେ ଭଲ ଯିଏ ମୁଣ୍ଡା ଲୋକଙ୍କପାଇଁ ଚିନ୍ତା କରନ୍ତି ଓ ମୁଣ୍ଡା ଲୋକଙ୍କ ଦୁଃଖ କିପରି ଦୂର ହେବ ସେହି ଚିନ୍ତା କରି ଚୌକି ଉପରେ ବସି ଦୁଧ-ଚା’ପି’ ପି’ ଦୁଃଖ ପ୍ରକଟ କରନ୍ତି । ଶାନ୍ତି ପଥରେ ଚାଲିଲେ ବି ଖୁସି ହେବା-ଭାବିନିଅ ।”

ଜାଗରୀ ମୁଣ୍ଡା କହିଲା-“ଶାନ୍ତି ପଥରେ କଣ୍ଟା ଅଛି ଭଗବାନ ! କାନୁନ୍ ବାଟରେ ଯାଇ କେତେ ଠକରେ ପଡ଼ିଯାଇଛେ ।”

 

ତିରାଇ ମୁଣ୍ଡା କହିଲା-ଦ୍ୱିତୀୟ ପ୍ରକାର ବାଟ କେମିତିକା?”

ବିର୍ସା ହସିଲା । ହସିଲେ ତା’ର ଭିତରର ପ୍ରକାଶ ପ୍ରଦୀପ୍ତ ହୋଇ ଉଠୁଥିଲା । ଚେହେରାର ହସ ଦୂର ହୋଇଯିବା ପରେ ମଧ୍ୟ ଦୁଇ ଆଖି ବହୁତ ସମୟ ପର୍ଯ୍ୟନ୍ତ ଚମକୁ ଥିଲା । ହସି, ମଧୁର ସ୍ୱରରେ ବିର୍ସା କହିଲା-“କାହିଁକି? ଲଢ଼େଇର ପଥ !”

 

- “ସେଇ ପଥରେ କଣ୍ଟା ନାହିଁ?”

- “ନିଶ୍ଚୟ ଅଛି ।”

- “ତା ହେଲେ?”

ବିର୍ସା କହିଲା-“ଲଢ଼େଇ ପଥରେ କଣ୍ଟା ବହୁତ ଅଛି । ଅସୁବିଧା ତା’ଠୁ ଆହୁରି ବେଶୀ । ହୋଇପାରେ-ଦେହ ମଧ୍ୟ ତ୍ୟାଗ କରିବାକୁ ପଡ଼ିବ । ଭୋକିଲା ମରିବାକୁ ହେବ । ଜେଲ୍‌ରେ ରହିବାକୁ ହେବ । କିନ୍ତୁ ଅନ୍ୟ କୌଣସି ବାଟ ମଧ୍ୟ ତ’ ନାହିଁ ।”

 

- “ସତରେ ନାହିଁ ।”

ମିବାଇ କହିଲା-“ତୁମେ ତା ହେଲେ ସେହି ପଥରେ ନେଇଯିବାକୁ ଚାହୁଁଛ?”

- “କାହିଁକି ନେବିନି !

“ମୁଁ ତୁମର ଭଗବାନ ନା? ମୁଁ କାହାକୁ କୋଳରେ ରଖି ଝୁଲାଇବିନି । ମୋତେ ତୁମେମାନେ ଅପେକ୍ଷା କଲ, ମୋତେ ପାଇଗଲ । ମୁଁ ତୁମକୁ କନ୍ଦେଇବି, ଦୁଃଖ ଦେବି, ହସେଇବି, ସୁଖ ଦେବି ।”

 

- “କେମିତିକା ସୁଖ?”

- “ସ୍ୱାଧୀନ ମୁଣ୍ଡା ରାଜ୍ୟରେ ସ୍ୱାଧୀନ ହୋଇ ବଞ୍ଚି ରହିବାର ସୁଖ !”

ନିବାଇ ରହି ରହି କହିଲା-“ସ୍ୱା-ଧୀ-ନ-ମୁଣ୍ଡା-ରୀ-ରା-ଜ୍ୟ ! ସ୍ୱା-ଧୀ-ନ ହୋଇ ବଞ୍ଚିବା?”

- “ହଁ । ମିବାଇ ।”

ବିର୍ସା ନିଆଁ ଉପରକୁ କାଠ ଫିଙ୍ଗିଲା । ନିଆଁ ହୁତ୍‌ହୁତ୍ ହୋଇ ଜଳିଉଠିଲା । ନିଆଁ ହିଁ ମୁଣ୍ଡାମାନଙ୍କର ଶୀତ ପୋଷାକ । ମୁଣ୍ଡାମାନେ ଆଉ କୌଣସି ଗରମ ଲୁଗା ସହିତ ପରିଚିତ ନଥିଲେ ।

ନିବାଇ ଯେମିତି ଅଭିଭୂତ ହୋଇଗଲା । କହିଲା-“ମୋତେ ବହୁତ ବୟସ ହୋଇଗଲାଣି । ଏମିତି ଗୋଟେ ଦିନ ମଧ୍ୟ ମନେ ପଡ଼ୁନି ଯୋଉଦିନ ମୁଣ୍ଡାମାନଙ୍କପାଇଁ ଲଢ଼ିନି । କିନ୍ତୁ ଗୋଟେ ମଧ୍ୟ ଜିନିଷ ମିଳିନି । ମତେ ନେଇଚାଲ ଭଗବାନ, ତମ ବାଟରେ ନେଇଚାଲ ।”

ନିବାଇ ସମସ୍ତଙ୍କଆଡ଼କୁ ଚାହିଁଲା । କହିଲା-“ଜଣା ନାହିଁ, ତମେମାନେ କ’ଣ କହିବ? ମୁଁ କହୁଛି- ଲଢ଼େଇର ରାସ୍ତା । ଦେଖ ! ମୁଁ ଯେତେବେଳେ କୋମଳ ଫୁଲ ପରି ଛୋଟଥିଲି, ସେତେବେଳେ ଶୁଣିଥିଲି ଦିନେ ଭଗବାନ ମୁଣ୍ଡା ହୋଇ ଜନ୍ମ ହେବ । ମୁଣ୍ଡାଘରେ ଜନ୍ମ ହେବ । ସେ ଯୀଶୁ, କୃଷ୍ଣ ନାଇଁ ମୁଣ୍ଡା ହୋଇ ଜନ୍ମହେବ, ମୁଣ୍ଡା ହୋଇ ! ବୀର୍ସା ଆମମାନଙ୍କର ସେଇ ଭଗବାନ । ଚାଲ ଭଗବାନ । ତୁମେ କହିଥିବା ବାଟରେ ଆମେ ଚାଲିବୁ । ଏଇ ଶରୀର ବହୁତ କଷ୍ଟ ଉଠାଇଛି, ବହୁତ ସୁଖ ଭୋଗ କରିଛି । ଏବେ ଏଇ ଶରୀର ତୁମର କାମରେ ଲାଗିବ ।”

ବୀର୍ସା କହିଲା-“ତୁମେମାନେ କ’ଣ କହୁଛ?”

- “ଲଢ଼େଇକୁ ଯିବୁ ।”

- “ହଁ ଭଗବାନ୍‌, ଲଢ଼େଇକୁ ଗଲେ ଆଉ ବେଗାରୀ ପଟ୍ଟା ନେବାକୁ ହେବ ନାହିଁ । ବେଗାରୀ ଦେବାକୁ ହେବ ନାହିଁ ।”

 

ଗୋନ୍ତା ମୁଣ୍ଡା କିଶୋର ବୟସର, ତିବାଇର ନାତି । ସିଏ କହିଲା: “ଓଃ, ଭଗବାନ୍‌ଙ୍କର ଆଦେଶ ମିଳିଲେ ସେ ହରିରାମ ବଣିଆକୁ ଖୁବ୍ ପିଟିବି । ଶଳା ମତେ ଠିଆ ରଖି ସମସ୍ତଙ୍କୁ ସଉଦା ଦେଉଥିଲା । କହୁଥିଲା, ତୁ ତ ମୁଣ୍ଡା । ତିନି ପଇସାର ସଉଦା ମାଗୁଛୁ!”

ବିର୍ସା କହିଲା- “ସବୁ ଦିଗରେ ସଭା କରିବାକୁ ହେବ । ସମସ୍ତଙ୍କର ମତ ନେବା । ଏଥରର ସଭା ହେବ ସିମ୍ବୋଡ଼ା ପାହାଡ଼ ଉପରେ ହୋଲି ଦିନ ।”

ସିମ୍ବୋଡ଼ା ପାହାଡ଼ ସରୋଭାଡ଼ା ମିଶନର ସାମ୍ନାରେ ଥିଲା । ହୋଲି ଦିନ ରାତିରେ ପାହାଡ଼ ଉପରେ ନିଆଁ ଜଳାଗଲା । ସେଇଥିରେ ମିଶନାରୀମାନଙ୍କୁ ତାଜୁବ ହେଲା ନାହିଁ । ହୋଲିରେ ମୁଣ୍ଡା ନିଆଁ ଜାଳନ୍ତି, ନିଆଁ ଚାରିପଟେ ନାଚନ୍ତି ଆଉ ଗୀତ ଗାଆନ୍ତି । ଏଥର ବି ନିଆଁ ଜଳିଲା, ନାଚଗୀତ ହେଲା । କିନ୍ତୁ ଏଥର ପୂଜାପର୍ବର ଗୀତ ନଥିଲା । ତିନିଶହ ମୁଣ୍ଡା ଧନୁତୀର ଧରି ଆସିଥିଲେ ।

ବିର୍ସା କହିଲା: “ଇଂରେଜ ରାଣୀର ମୂର୍ତ୍ତି ସେଇ କଦଳୀଗଛ । ହୋଲିରେ ଆମେ ସେଇ ମନ୍ଦୋଦରୀର ଶିର କାଟିବା, ରାବଣ ରାଜ୍ୟ ଶେଷ କରିବା ।”

ଜଗାଇ ମୁଣ୍ଡା ଗୋଟେ ଥରରେ କଦଳୀ ଗଛକୁ କାଟି ପକାଇଦେଲା । ବିର୍ସା କହିଲା-“ଏମିତି ରାଜା ଓ ହାକିମଙ୍କୁ କାଟିବାକୁ ପଡ଼ିବ । ବାଜା ବଜାଇ ନାଚ କର ।”

କିନ୍ତୁ ହୋଲିର ନିଆଁ ବହୁ ସମୟ ଯାଏଁ ଜଳି ରହିଲା । ପରେ ପୁଲିସ ଆସି ଯାଞ୍ଚ କରି ଗଲା-। କିଛି ବୁଝି ପାରିଲାନି ।

ତା ପରେ ସଭା ହେବ ଡୋମ୍ବାରୀ ପାହାଡ଼ରେ । ବିର୍ସା ପୁଣି କହିଲା- “ଦୁଇଟା ରାସ୍ତା ପୁଣି ବତାଉଛି । କେଉଁ ବାଟରେ ଚାଲିବ? ତୁମେମାନେ କୁହ ।”

 

ଜଣେ ନାନକ କହିଲା-“ଲଢ଼େଇ ପଥରେ । ଯେଉଁମାନେ ରାଜ୍ୟ ନେଇଯାଇଛନ୍ତି ସେମାନେ କାହିଁକି ଛାଡ଼ିବେ? ଆମେ ଛଡ଼େଇ ନେବୁ ।”

- “ଏଇ କଥା ବି ଶେଷ କଥା ନୁହେଁ । ଡୋମ୍ବାରୀ ପାହାଡ଼ରେ ସଭା ହେବ । ଚାରିଆଡ଼େ ସଭାର ପ୍ରଚାର କରିବା । ତା ପୂର୍ବରୁ ନୌରତନଗଡ଼ ଯାଇ ମାଟି ଆଣିବା । ଡୋମ୍ବାରୀରେ ସଭା ହେବା ଆଗରୁ ମଣିହାତୁରେ ସଭା କର । ସେଠାକାର ବୀରସାଇତମାନଙ୍କ ସହିତ ମୋର ଚିହ୍ନା ପରିଚୟ ନାହିଁ ।

ମଣିହାତୁର ସଭାରେ ମାନୀ ପହାନୀ କହିଲା-“ମୁଁ ଗୋଟେ କଥା କହିବି, ଭଗବାନ !”

- “କହ !”

- “ମୁଁ ମଧ୍ୟ ତୁମର ଭକ୍ତ । ଲଢ଼େଇ ହେଲେ ମୁଁ ମଧ୍ୟ ଲଢ଼ିବି । ତୁମେ ମତେ କିଛି କାମ ଦେଲନି, କୁଆଡ଼େ ଯିବାକୁ ଦେଲନି ଏଥିପାଇଁ ମୋ ମନରେ ଦୁଃଖ ହେଉଛି ।”

- “ତୁ ବି ନୌରତନ ଯିବୁ?”

- “ସମସ୍ତେ ଯିବେ । ବୁଢ଼ା, ସ୍ତ୍ରୀ, ପିଲା-ସମସ୍ତେ ଯିବେ । ମୁଁ କହିଦେବି । ମୋର ପୂର୍ବପୁରୁଷମାନେ ନୌରତନଗଡ଼ରେ ପ୍ରଥମେ ଗଡ଼ ବନାଇଥିଲେ ।”

 

- “ଜାଣିଛ?”

- “ପରେ ସ-ବୁ ଦିକୁମାନେ ଦଖଲ କରିନେଲେ ।”

•••

 

ସରକାର ଚୁପ୍ ବସି ନଥିଲେ, କିନ୍ତୁ ଏଇଥର ସରକାରୀ ଚକ ଏତେ ଧୀରେ କାହିଁକି ବୁଲୁଛି ଏ କଥା ଅମୂଲ୍ୟ ବାବୁ ବୁଝି ପାରିନଥିଲେ । ପାଞ୍ଚ ସାତ ଦିନ ଭାବି ଅମୂଲ୍ୟ ବାବୁ ଡେପୁଟୀ ମୁଖାର୍ଜୀଙ୍କ ଘରକୁ ଗଲେ । ମୁଖାର୍ଜୀ କହିଲେ-“ବଦଳି ହୋଇଯାଉଛି । ସେଥିପାଇଁ ମିଶିବାକୁ ଆସିଛ, ଅମୂଲ୍ୟ ବାବୁ ।”

- “ହଁ । ଆପଣ କ’ଣ ଚକ୍ରପୁର ଚାଲିଲେ?”

- “ହଁ ।”

- “ପ୍ରଥମେ କଲିକତା ଯିବେ?”

- “ଭାବିଛି ।”

- “ମୋର ଗୋଟେ ଉପକାର କରିବେ?”

- “କୁହ । ତୁମେ ମୋର ପୁଅର ପ୍ରାଣ ବଞ୍ଚାଇଥିଲ ସେଥିପାଇଁ ମୁଁ ଶପଥ କରିଥିଲି ଯେ ମୋ ସାଧ୍ୟ ମତେ ତମର ଉପକାର କରିବି ।”

 

- “ଗୋଟେ ଲଫାଫା କଲିକତା ଯାଇ ଡାକବାକ୍ସରେ ପକାଇଦେବେ । ଆଉ... ।”

- “ଆଉ କ’ଣ?”

- “ଏଇ କଥା କାହାକୁ କହିବିନି ।”

- “ହଉ । କିନ୍ତୁ ଦେଖ ମୋ ଉପରେ ଯେମିତି କିଛି ବିପଦ ଆସିବନି ।”

- “ନା, ନା । ବିପଦର ପ୍ରଶ୍ନ ଉଠୁନି । କିନ୍ତୁ ସରକାରୀ କାମ କଲେ ଗୋଟେ ଗୋଟେ କଥାରେ ଗୋପନୀୟତା ରଖିବାକୁ ପଡ଼ୁଛି ।”

ଅମୂଲ୍ୟ ବାବୁ ତାଙ୍କର ଆଖିକୁ ଚାହିଁଲେ । ମୁଖାର୍ଜୀ ଆଖି ନୁଆଁଇଲେ-ଥରେ ମୁଣ୍ଡା ଲୋକମାନଙ୍କର ଜୋରିମାନା ପଇସା ଲୁଚାଇ ନିଜେ ଦେଇ ଦେଇଥିଲେ ଓ ଦି’ ଜଣଙ୍କୁ ଛାଡ଼ି ଦେଇଥିଲେ । ସରକାରୀ କାମରେ ଗୋପନୀୟତା ରଖି ଚଳିବାକୁ ତ’ ପଡ଼େ ।

କହିଲେ-“ଠିକ୍ ଅଛି, ଚିଠି କାହିଁ?’

- “କାଲି ଆଣିଦେବି । କଥାବାର୍ତ୍ତା ହୋଇଗଲା, ଏବେ ଲେଖିବି ।”

- “ଜ୍ୟାକବ୍‌କୁ ଚିଠି ଲେଖୁଛ?”

- “ଆପଣ କେମିତି ଜାଣିଲେ?”

- “ବୁଝୁଛି ଭାଇ ସବୁ ଜାଣୁଛି । ତମଠାରୁ କୋଡ଼ିଏ ବର୍ଷ ବଡ଼, ବୁଝିବିନି ! ମୁଣ୍ଡାମାନଙ୍କ ବିଷୟରେ ମୁଁ ବି ବହୁତ କିଛି ଭାବିଛି । କିନ୍ତୁ କରିବି କ’ଣ? ଅଦାଲତରେ କ’ଣ ହେଉଛି ସେ ବିଚରାମାନେ ଗୋଟେ ଅକ୍ଷର ବି ବୁଝିପାରନ୍ତି ନାହିଁ । ଯିଏ ମୁଣ୍ଡାରୀ ଜାଣିଥିବ- ସେହିପରି ଓକିଲଟିଏ ମକଦ୍ଦମା ଲଢ଼ିପାରିବ ବୋଲି କାନୁନ୍ ହେବା ଆବଶ୍ୟକ । ସେମାନେ କ’ଣ ବୁଝନ୍ତି କହିଲ?”

- “ଏମିତି କାନୁନ୍ କ’ଣ କୋଉଦିନ ହେବ?”

- “ହେବା ଉଚିତ । ଅସଲରେ ସେମାନଙ୍କଆଡ଼ୁ କହିଲା ଭଳି ଲୋକ କିଏ ଅଛି? ସେମାନଙ୍କର ଭାଗ୍ୟ ହିଁ ଏମିତି । ବିର୍ସା ମୁଣ୍ଡା ପଢ଼ା-ଲେଖା ଜାଣିଥିଲା । ଆଉ ଅଧିକ ଶିଖିଥିଲେ ସେମାନଙ୍କପାଇଁ କହିଲା ଭଳି ଲୋକଟିଏ ହୋଇପାରନ୍ତା । କାରଣ ତା’ର ବୁଦ୍ଧି ଯେମିତି ପ୍ରଖର, ମିଜାଜ ମଧ୍ୟ ସେମିତି ଥଣ୍ଡା । ବ୍ୟବହାର ତାର ଭଲ, କିନ୍ତୁ ଭଗବାନ୍ ହୋଇଗଲା ।”

ଅମୂଲ୍ୟବାବୁ ହସି ହସି ବାହାରି ଆସିଲେ । ଘରକୁ ଆସି ସେ ଲେଖିଲେ: ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ବିର୍ସାର କୌଣସି ପତ୍ତା ନାହିଁ । ଚୁଟିଆ ଓ ଜଗନ୍ନାଥପୁର-ଦୁଇଟା ଯାକ ଜାଗାରୁ ଯିବା ପରେ ସେ କୁଆଡ଼େ ଚାଲିଯାଇଛି । ରାଞ୍ଚି ଓ ସିଂହଭୂମିର ପୁଲିସମାନେ ତାକୁ ଖୋଜୁଛନ୍ତି । ବନଗାଁରେ ମଧ୍ୟ ପୋଲିସ ଚୌକି ବସିଛି । ବିର୍ସାକୁ ଧରାଇଦେଲେ ବକ୍‌ସିସ୍ ମିଳିବ ବୋଲି ମଧ୍ୟ ମୁଖିଆମାନେ ହୁକୁମ୍ କରିଛନ୍ତି । ଶୁଣାଯାଉଛି ପିଅର୍ସ ମଧ୍ୟ ବନଗାଁ ଯାଉଛି । ଯିଏ ପୂର୍ବରୁ ବିର୍ସାକୁ ଗିରଫ କରିଥିଲା ।

ପିଅର୍ସ ବନଗାଁ ଗଲେ । ଚାରିଆଡ଼େ ପୁଲିସମାନେ ମଧ୍ୟ ଘେରି ରହିଲେ । ଗିଡ଼ିୟନ୍‌, ମାର୍କ୍‌ସ, ପ୍ରଭୁଦୟାଲ-ତିନିଜଣଙ୍କୁ ଧରି ପୁଲିସମାନେ ଫେରିଆସିଲେ । ସିଂହଭୂମିର ପୋଲିସ ସୁପରିଟେଣ୍ଡେଣ୍ଟଙ୍କୁ ପିଅର୍ସ ପ୍ରଶ୍ନ କଲେ: ଏହି ତିନିଜଣ ବୁଢ଼ା ସର୍ଦ୍ଦାରଙ୍କୁ ଧରିନେଲେ ହୋଇଯିବ?”

ସୁପରିଟେଣ୍ଡେଣ୍ଟ କହିଲେ: “ବେକାର ଧାଁଧଉଡ଼ରେ କ’ଣ ଫାଇଦା?”

- “ଦେଟ୍ ବିର୍ସା ଇଜ୍ ଏ ପୋର୍ଟେବଲ ଡେଞ୍ଜର ।”

- “ତାକୁ ଧରାଇଦେଲେ ପୁରସ୍କାର ମିଳିବ ବୋଲି ତ ଘୋଷଣା କରାଯାଇଛି ।”

- “ଏତିକିରେ କାମ ହୋଇଯିବ?”

- “ଏବେ ଧରିହେବ ନାହିଁ । ତା’ ଡେରା ଜଙ୍ଗଲରୁ ବହୁତ ଦୂରରେ । ସେଇଠି ବସ୍ତି ନାହିଁ । ଜଙ୍ଗଲରେ ଖୁବ୍ ଖାଇବାକୁ ମିଳିବ । ଲୁଚିବାର ମଧ୍ୟ ଯଥେଷ୍ଟ ସୁବିଧା ।”

 

- “ହୁଁ ।”

ପିଅର୍ସ ଚୁପ୍ ରହିଲେ । ସୁପରିଟେଣ୍ଡେଣ୍ଟ କହିଲେ: “ସରକାରୀ କାମରେ ଖୁଣ୍ଟି ଥାନାର ଦାରୋଗା ମୃତ୍ୟୁଞ୍ଜୟନାଥ ଲାଲୁ ଅବହେଳା କଲେ । ତାକୁ ପଚାର ।”

 

- “କ’ଣ ଅବହେଳା କଲି ସାହେବ?” ମୃତ୍ୟୁଞ୍ଜୟନାଥ ପଚାରିଲା ।

- “ବିର୍ସା ପାହାଡ଼ରେ ନାଚ-ଗୀତ କରିବ ଏ ଖବର ମିଳିନଥିଲା? ଯିଏ ଖବର ଦେଇଥିଲା ତାକୁ ତୁମେ କହିନଥିଲ ପାହାଡ଼ ଉପରେ ନାଚୁଛି, ନାଚୁ । ଯେତେବେଳେ କାନୁନ୍ ଭାଙ୍ଗିବ ଗିରଫ କରିବି ।”

ଦାରୋଗା ହାତଯୋଡ଼ି କହିଲା: “ଭୁଲ କ୍ଷମା କରନ୍ତୁ ହଜୁର । ଯିଏ କହିଥିଲା, ସିଏ କହିଲା-ଏଇଠି ବିର୍ସାକୁ ଦେଖିଲି । ବୁଦ୍ଦୁ ଧାଇଁଲା । ଅଜଗର ଭଳି ଲମ୍ବା ଜଙ୍ଗଲ ହଜୁର । ଦିନ ଦିପହରେ ବାଘ-ଭାଲୁ ବୁଲନ୍ତି । ସେଇଠି ଗୋଟେ ବୁଢ଼ା ଗାଈ ଚରାଉଥିଲା । ତା’ ନାଆଁ ମଧ୍ୟ ବିର୍ସା । ଦ୍ୱିପହରରେ ସେଇଠୁ ଫେରିଲାବେଳେ ବାଘ ଗର୍ଜନ ଶୁଣି ଘୋଡ଼ା ଡରିଗଲା । ମତେ ଜଙ୍ଗଲରେ ପକାଇ ଦେଇଥାଆନ୍ତା । ପୁଣି ସେଇ ଲୋକ କହିଲା: ବିର୍ସା ରୋଗୋତା ବଜାରରେ ବୁଲୁଛି । ବହୁତ ଧାଁଧପଡ଼ କଲି ହଜୁର, ବିରକ୍ତ ହୋଇଗଲି ।”

- “ଜଗମୋହନ ସିଂହର କଥା କ’ଣ?”

ଡରରେ ଦାରୋଗା ଥରଥର କମ୍ପିଲା । ମୁଣ୍ଡ ତଳକୁ କରି କହିଲା: “ହଜୁର ମୁଁ ତାଙ୍କୁ ଡରେ-।”

- “ତମକୁ ଡର । ତମେ ତ ସରକାରୀ ଚାକିରିଆ ।”

- “ମୁଁ ଜାଣିନି । ଭରତକୁ ପଚାରନ୍ତୁ । ସିଏ ତା’ ଜାତିର ସାହେବ ।”

ଭରତ ସିଂହ କହିଲା: “ଜଗମୋହନର ଭୟ କାଳେ ବିର୍ସା ସାକ୍ଷ୍ୟ ଦେଲାବେଳେ ପ୍ରତିଶୋଧ ନେବ । ଏଥିପାଇଁ ବିର୍ସାକୁ ଧରିବାପାଇଁ ବନଗାଆଁର ପି.ଡ଼ବ୍ଲ୍ୟୁ.ଡ଼ି ବଙ୍ଗଳାର ପଙ୍ଖା ଭାଙ୍ଗି ହଲ୍ଲା କରିଛି ଯେ ବିର୍ସା ଆସି ଦଙ୍ଗା କରିଛି । କେଶ୍ ଚାଲିଲାନି ହଜୁର ।”

- “ହାଓ ସିଲି !”

ପିଅର୍ସ କ୍ରୋଧିତ ହେଲେ ।-“ବିର୍ସାକୁ ଧରିବାପାଇଁ ସିଂହଭୂମି ପୋଲିସ ମହତ୍ତ୍ୱ ଦେଉନାହାନ୍ତି ସାର୍ ।”

ସୁପରିଟେଣ୍ଡେଣ୍ଟ୍ କହିଲେ: “ତାହା ହେଲେ କ’ଣ ରାଞ୍ଚି ପୋଲିସ ସହଯୋଗ କରୁଛି?”

- “ତାହା ହେଲେ ତଲାସୀ ଜାରି ରହୁ ।”

ସୁପରିଟେଣ୍ଡେଣ୍ଟ ଚକ୍ରଧରପୁର ଫେରିଗଲେ । ପିଅର୍ସ ରାଞ୍ଚି ଫେରି ଆସିଲେ । କିଛିଦିନ ପରେ ବାକି କନେଷ୍ଟବଳମାନେ ମଧ୍ୟ ଫେରିଆସିଲେ ।

 

ପିଅର୍ସ କହିଲେ: ଆଉ କିଛି କହିବାର ନାହିଁ । କାହିଁକି ଆସିଲେ?”

- “କେବଳ କନେଷ୍ଟବଳମାନଙ୍କର ଅସୁବିଧା ହେଉଛି । ତାଙ୍କର ଭୟ-ବିଶ୍ୱାସ, ଶାପ ଲାଗିଗଲା ହଜୁର । ଏଥିପାଇଁ ଅସୁବିଧା ହେଉଛି ।”

 

- “ହ୍ୱାଟ୍ ଡୁ ୟୁ ମିନ୍‌?”

- “ବିର୍ସା ଶାପ ଦେଇଦେଲା ହଜୁର ।”

- “କ’ଣ ସବୁ କହିଯାଉଛ । ବିର୍ସା ପାଞ୍ଚଫୁଟ ଚାରିଇଞ୍ଚ ଲମ୍ବାର ଗୋଟେ ସାମାନ୍ୟ ବଣ୍ଡା । ଭଙ୍ଗା-ଭଙ୍ଗା ଇଂରାଜୀ କହି ତାମ୍‌ସା ଚଲେଇଛି । ତାକୁ ପୁଣି ଭୟ ।”

 

କନେଷ୍ଟବଲ ଚୁପ୍ ରହିଲେ ।

•••

 

ରୋମାନ୍ କ୍ୟାଥୋଲିକ୍ ମିଶନ୍‌ର ରେଭରେଣ୍ଡ ଜନ୍ ହଫ୍‌ମ୍ୟାନ୍ ମୁଣ୍ଡାରୀ ଜାଣନ୍ତି । ସିଏ ରୋମନ୍ ଅକ୍ଷରରେ ତାର ଭାଷାକୋଷ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ମୁଣ୍ଡାମାନଙ୍କ ବିଷୟରେ ସରକାର ତାଙ୍କୁ ବିଜ୍ଞ ମାନନ୍ତି ।

ହଫ୍‌ମ୍ୟାନ୍ ରିପୋର୍ଟ ଲେଖିଲେ । ଆଶ୍ଚର୍ଯ୍ୟର କଥା ଭରତ ସିଂହ ନିଜ ରିପୋର୍ଟର କଥା ନବୁଝି ତାର ସାରାଂଶ ଦେଇଥିଲା । ପ୍ରବଳ ପ୍ରତାପଶାଳୀ ଜମିଦାର ଜଗମୋହନ ସିଂହ କଚେରୀକୁ ଗଲେ । ଦାରୋଗା ଥିଲା, ଆତ୍ମୀୟମାନେ ବି ଥିଲେ । ଠିକ୍ ଦ୍ୱିପହର ସମୟ ।

ଜଗମୋହନର କୋଠା ଗଡ଼ ଭଳି ଉଚ୍ଚାକାନ୍ଥ ଘେରା । ଦୁଇ ମହଲା ଘର । ମୋଟା କାନ୍ଥ । ବଡ଼ ବଡ଼ କବାଟ । ଖପରା, ଟାଇଲ ଘର । କାନ୍ଥରେ ବିଭିନ୍ନ ଚିତ୍ର, ହାତୀ, ଘୋଡ଼ା, ରାମ, ମହାବୀର ଇତ୍ୟାଦି । ଅଗଣାରେ ଧାନ, ଗହମ, ବାଜରା ବସ୍ତା ଭର୍ତ୍ତି । ଗୁହାଳରେ ଅନେକ ଗାଈ ମଇଁଷି । ବଡ଼ ବଡ଼ ପିତ୍ତଳ ବାସନରେ ଘିଅ, ତେଲ ଭର୍ତ୍ତି ।

ରୁଟି, ଶାଗ, ଡାଲି, ଖଟା, ଦହି, ଗୁଡ଼ ଆଦି ଭରତସିଂହ ଖାଇଲା । ତା ପରେ ଯାଇ ଜଗମୋହନ ସିଂହ ପାଖରେ ବସିଲା । କହିଲା: “ବହୁତ ଦିନ ହେଲା କିଛି ହୁକୁମ ହୋଇନି?”

- “ହୁକୁମ୍ ? ତମ ଥାନାକୁ ମୁଁ ଜାଣିଲିଣି । ବିର୍ସାକୁ ଏପର୍ଯ୍ୟନ୍ତ ଧରିପାରିଲ ନାହିଁ । ତା’ର ଡରରେ ମୁଁ ଜମିଦାରୀକୁ ଯାଇପାରୁନି ।”

 

- “ଡର? ବିର୍ସା କାହିଁ?”

- “ମୁଁ ଜାଣିଛି? ସବୁବେଳେ ଲାଗୁଛି ସିଏ ସବୁ ଜାଣେ । ମତେ ଦେଖିଲେ ତୀର ଛାଡ଼ିଦେବ-।”

- “ଦିବର୍ଷ ଅକାଳ ହେଲା । ତମେ କେତେଦିନ ସାମାନ୍ୟ କେଇଟା ଟଙ୍କାପାଇଁ ସେମାନଙ୍କୁ ଶୋଷଣ କରିବ । ନିଜ ଘରେ ଫସଲ ଭର୍ତ୍ତି, ହେଲେ ସରକାର କହିଲେ ବି ସେମାନଙ୍କୁ ଦେବନାହିଁ-। ତମେ ସରକାରକୁ ଦେଖୁଛ, ନା ସରକାର ତମକୁ ଦେଖିବ !”

- “ଏଇଟା ଆମର କାମ ନା ସରକାରର?”

- “ନିଜ ନାଆଁ ବଦନାମ କରି ରଖିଛ । ଆରେ ବାବା, ସରକାରକୁ ବି ଡର । ସରକାର କ’ଣ ତାକୁ ଧରନ୍ତା ନାହିଁ- ଯଦି ରାଞ୍ଚି ଓ ସିଂହଭୂମି ପୋଲିସ ମିଶି କାମ କରନ୍ତେ । କ’ଣ କଲେ? ତାମାର ଥାନାରୁ ଚକ୍ରଧରପୁର ଥାନା, ରାଞ୍ଚି ଓ ଚାଇଁବାସା- ଏଇ ଜାଗାରେ ବିର୍ସା ବୁଲୁଛି । ଏଇଟା ସମସ୍ତେ ଜାଣନ୍ତି । ମୁଁ କ’ଣ କହିବି? କିଏ କାହାକୁ ରିପୋର୍ଟ ଦେଲା ନାହିଁ, ରିପୋର୍ଟ ନେଲା ନାହିଁ । ସରକାର କିଛି କଲା ନାହିଁ । ଆମେ କାହିଁକି ମରିବୁ?”

- “ତମେ ସରକାରର ଲୋକ ।”

- “ତା’ର ଅର୍ଥ କ’ଣ ତାକୁ ଜଙ୍ଗଲରେ ଖୋଜିବୁ ଓ ତା’ହାତରେ ମରିବୁ?”

- “ତମ ପାଖରେ ତ ବନ୍ଧୁକ ଅଛି ।”

- “ବନ୍ଧୁକ କ’ଣ ତମ ପାଖରେ ନାହିଁ । ସେ ଦିନ ରାତିରେ ପି.ଡ଼ବ୍ଲ୍ୟୁ.ଡ଼ି ବଙ୍ଗଳାରେ ଯାହା କଲ ସେଥିରେ ସାହେବ ଖୁବ୍ ରାଗୁଥିଲେ, ଜାଣିଛ?”

 

- “ରାଗିଲେ କ’ଣ ହେବ? ସରକାର କ’ଣ ଆମର ଜାଣନ୍ତି ନାହିଁ, ଆମର କାମ ସେୟା ।”

- “ଆରେ ବାବୁ, ପଶୁଠାରୁ କ୍ଷୀର ନେବା ପୂର୍ବରୁ ତାକୁ ଘାସ ଦେବାକୁ ହୁଏ । ତମେ ମୁଣ୍ଡାମାନଙ୍କଠାରୁ ସବୁକିଛି ନେଲ, ଅକାଳବେଳେ ସାହାଯ୍ୟ କରିବ ନାହିଁ? ଏଇଟା କ’ଣ ଠିକ୍‌?”

- “ତାହାହେଲେ କ’ଣ କରିବି? ବହୁତ ଡର ଲାଗୁଛି ।”

- “ଜଲ୍‌ଦି ସବୁ ଠିକ୍ ହୋଇଯିବ । ନହେଲେ ତୀର୍ଥକୁ ଚାଲିଯାଅ । ବୁଲାବୁଲି କରି ଆସିବ-।”

- “ତାହା କରିପାରିବିନି । ଘରେ.... ।”

- “କ’ଣ ରେକର୍ଡ଼ରେ ଲେଖିଛ, ଧାନ ନାହିଁ ବୋଲି?”

- “ରେକର୍ଡ଼ ଯାହାହେଉ, ଦଶଟଙ୍କାରେ ମନମୁତାବକ ହୋଇପାରିବ ।”

- “ତାହାହେଲେ ପହରା ଦିଅ ।”

- “ପହରା ଦେଲେ ମୁଣ୍ଡାମାନେ ଚୁପ୍ ରହିବେ । ଆଗେ ବୁଝେଇ ପାରୁଥିଲି, ଏବେ ପାରୁନାହିଁ । ଏବେ ଆଉ ସେମାନେ କଥା ହେଉ ନାହାନ୍ତି । ନିଶ୍ଚୟ କିଛି ଗଡ଼ବଡ଼ ହେବ । ରାଞ୍ଚିର ସାହେବ, ଚକ୍ରଧରପୁରର ସାହେବ ଆସିଲେ, ହାରି ଚାଲିଗଲେ । କିନ୍ତୁ ବିର୍ସା କଥା ଅଲଗା ।”

 

- “ବିର୍ସା ପ୍ରକୃତରେ ଆମପାଇଁ ବିପଦ ।”

- “ତାହାହେଲେ ତମେ ବିର୍ସାକୁ ଡରୁଛ?”

- “ପରିବାର ସହ ଅଛି, ଡରିବିନି । ତମ ଉପରେ ତ ଥାନାର ସମସ୍ତଙ୍କର ରାଗ ।”

ଅରଣ୍ୟର ଅଧିକାର

- “କାହିଁକି?”

- “ଜାଣିନାହିଁ? ବିର୍ସାକୁ ପୋଲିସ ଧରିନେଉ ଏଥିପାଇଁ ବଙ୍ଗଳାରେ କାଣ୍ଡ କଲି, କ’ଣ ହେଲା? ଏବେ ପୋଲିସ ଚୌକି ବସିଛି । ସଦରରୁ ତିରିଶ ଜଣ ଆସିଲେ । ପାଣିରେ ଗୋବର ମିଶାଇଦେଲ । ଭାବିଲ ସେଇ ଲୋକଙ୍କୁ କଷ୍ଟ ହେବ । ସରକାର ଭାବିବ ଏଇଟା ବୀରସାଇତଙ୍କ କାମ । କିନ୍ତୁ ସେମାନେ ସବୁ ପଳେଇଲେ । ନିଜ ବୁଦ୍ଧିରେ କାମ କର । କାହାକୁ ପଚାର ନାହିଁ । ଏବେଠାରୁ ଠିକ୍ ହୋଇଯାଅ, କେହି ଥାନାକୁ ନେବ ନାହିଁ ।”

 

- “ଯାହା ଭାବିଥିଲେ, ତାହା ହେଲାନାହିଁ ।”

ଜଗମୋହନ ସିଂହକୁ ଡରାଇ ଭରତ ସିଂହ ଖୁସିହୋଇ ଚାଲି ଆସିଲା । ଆସିଲାବେଳେ କହିଲା: “ମୁଣ୍ଡାମାନେ କ’ଣ ଏତେ ବୁଦ୍ଦୁ? ଯେତେବେଳେ କନେଷ୍ଟବଲମାନଙ୍କଦ୍ୱାରା, ତମଦ୍ୱାରା ହୋଇଥିବା କଥାସବୁ ଜାଣିବେ, ତାକୁ ମଧ୍ୟ ବିର୍ସାର ଶାପ ବୋଲି କହି ବୁଲିବେ ।”

ଜଗମୋହନ ସିଂହ କହିଲା-“କୁହ ଆଉ କ’ଣ କରିବା । ଦୁଇଟି ବନ୍ଧୁକ ମଗାଇବି ।”

- “ବାବା ! ସରକାର ସମସ୍ତଙ୍କ ଉପରେ ରାଗିଯାଇଛନ୍ତି । ସମସ୍ତଙ୍କୁ ଠକେଇବାରେ ଲାଗିଛ-। ଏମିତି ତ’ ଛୋଟ ନାଗପୁରର ରାଜା ମଧ୍ୟ କରୁନଥିଲା ।

ବିର୍ସାକୁ ସରକାର ଧରି ପାରୁନଥିଲା । ରାଞ୍ଚି ଓ ଚାଇଁବାସାର ଜଙ୍ଗଲର ଆଖପାଖରେ ଯେତେସବୁ ଥାନା ଥିଲା, ସେଇ ସବୁ ଜାଗାରେ ପୁଲିସ ଧରିବାପାଇଁ ଚାହୁଁ ନଥିଲା । ଡରି ଯାଉଥିଲା । ବିର୍ସା ବୀରସାଇତମାନଙ୍କୁ କହିଲା: “ଭାବ ନାହିଁ ଯେ ସରକାର ଚୁପ୍ ହୋଇ ବସିଛି ।”

- “ତାହେଲେ ଧରୁନି କାହିଁକି?”

- “ସମୟ ଆସିଲେ ଧରିବ ।”

- “କେବେ?”

- “ଯେତେବେଳେ ସମୟ ଆସିବ ।”

- “ସେତେବେଳେ?”

- “ମୁଁ ସେମାନଙ୍କୁ ସେଇ ସୁଯୋଗ ଦେବିନି ।”

- “ଦବନି?”

- “ନା । ତା ଆଗରୁ ହିଁ ନିଆଁ ପ୍ରଜ୍ୱଳିତ ହୋଇଯାଇଥିବ ।”

•••

 

ନୌରତନଗଡ଼ ଯିବାପାଇଁ ସ୍ତ୍ରୀ ଲୋକମାନେ ଏଠାକୁ ଆସିଗଲେ । ସେମାନେ ଅଗଣାରେ ବସି କଥାବାର୍ତ୍ତା ହେଉଥିଲେ, ସାଲୀର ପୁଅ ପରିବା ଅନ୍ୟ ପିଲାମାନଙ୍କ ସହ ଖେଳୁଥିଲା । ତାଙ୍କୁ ଖେଳିବା ଦେଖି ବିର୍ସା କହିଲା-“ନିଆଁ ପ୍ରଜ୍ୱଳିତ ହେବ ।”

ତା’ପର ଦିନ ରାତିରେ ସେମାନେ ବାହାରିଲେ । ନାନକ, ଯୁବତୀ, ପ୍ରଚାରକ, ବୁଢ଼ୀ, ସମସ୍ତଙ୍କର ଅନ୍ତରରେ ପୁରାଣ-ପୁରୁଷ ବିଜେ କରିଥିଲେ । ସ୍ତ୍ରୀମାନଙ୍କର ମୁଣ୍ଡରେ ଛୋଟ ଛୋଟ ନୂଆ ବାସନ ଥିଲା । ସେଇ ବାସନରେ ନୌରତନର ଝରଣାରୁ ପବିତ୍ର ଜଳ-ବୀର-ଦା ଆଣିବେ ।

ବଡ଼ ଲମ୍ବା ଯାତ୍ରା ଥିଲା । ଚୁପ୍‌ଚାପ୍‌, ସତର୍କ, ଜଲ୍‌ଦି-ଜଲ୍‌ଦି ପାଦ ପକାଉଥିଲେ । ଅନ୍ଧାରରେ ଯିବାକୁ ହେବ ନହେଲେ ଲୋକଙ୍କ ନଜର ପଡ଼ିଯିବ । ସେମାନେ ଯାଉଥିଲେ ଏବଂ ଯାଉଥିଲେ । ଦିନେ ମୁଣ୍ଡାଲୋକଙ୍କ ଆଦିପୁରୁଷ ଓ ତାଙ୍କ ପୁଅମାନେ ଏଇ ନୌରତନଗଡ଼ ବସାଇଥିଲେ । ସକାଳ ହୋଇଗଲା, ତଥାପି ସେମାନେ ଯାଉଥିଲେ । ଯେତେବେଳେ ସୂର୍ଯ୍ୟ ବହୁତ ଉଚ୍ଚରେ ରହିଲା, ସେତେବେଳେ ବିର୍ସା ହାତ ଉଠାଇଲା ।

ସାମ୍‌ନାରେ ଏକ ଜଙ୍ଗଲ ଥିଲା । ତା’ର ନାମ ସରାନା । ଜରିଆ ଗାଁର ସାରାନା ବହୁତ ପ୍ରସିଦ୍ଧ ଥିଲା । ସରାନା ପବିତ୍ର ଜଙ୍ଗଲ ଥିଲା । ସେଇ ଜଙ୍ଗଲରେ ମୁଣ୍ଡାମାନେ ବେଳେବେଳେ ଆସି ଦେବତାଙ୍କୁ ବଳି ଚଢ଼ାଉଥିଲେ । ଆଉ କେବେ ସେଇ ବଣରେ କିଏ ବୁଲୁ ନଥିଲା । ଏଇ ଦିନ, ଭୀଷଣ, ନିର୍ଜନ ବନରେ ବୀରସାଇତମାନେ ଆଶ୍ରୟ ନେଲେ । କିଏ ମଧ୍ୟ କଥା କହୁନଥିଲା । ସମସ୍ତେ ଚୁପ୍ ଥିଲେ । ବଣ ଭିତରେ ଗୋଟେ ଗଭୀର ଗାଡ଼ିଆ ଥିଲା । ସମସ୍ତେ ସେଠାରେ ବିଶ୍ରାମ ନେଲେ ଗାମୁଛାରେ ବନ୍ଧା ଛତୁଆ ସହିତ ଲୁଣ ଖାଇଲେ ।”

ସୁନାରା ଗଛ ଉପରେ ଚଢ଼ିକରି ଚାରିଆଡ଼େ ଦେଖୁଥିଲା । ସହସା ସେ ଓହ୍ଲାଇ ପଡ଼ିଲା । କହିଲା-“ଲୋକମାନେ ଆସୁଛନ୍ତି ।”

 

ଗୋଟେ ବୁଢ଼ା, ସାଥୀରେ କେତେ ଜଣ ଲୋକ ଥିଲେ । ବୁଢ଼ା ଆଗକୁ ଆସି କହିଲା-‘ଭଗବାନ କାହାନ୍ତି, ବିର୍ସା ଭଗବାନ କାହାନ୍ତି?”

- “ଇଏ ।”

ବିର୍ସା ଆଗକୁ ଆସିଲା ।

- “କାହାନ୍ତି?”

- “ଏଇଠି ଅଛନ୍ତି ।”

ବୁଢ଼ା କହିଲା-“ପାଖକୁ ଆସ । ମୋର ଆଖି ନାହିଁ ।”

ବିର୍ସା ପାଖକୁ ଚାଲିଗଲା ।

ବୁଢ଼ା କହିଲା-“ତୁମେ ଆସିଯାଇଚ । ଆମେ ଜରିଆ ଗାଁରୁ ଆସିଚୁ । ମୁଁ ସେଇ ଗାଁର ମୁଖିଆ । ତୁମେ ଏଠାରେ ରହ, କିଛି ଚିନ୍ତା ନାହିଁ । ଯେତେବେଳ ଚୁଟିଆ ଯାଇଥିଲ, ଜଗନ୍ନାଥପୁର ଯାଇଥିଲ, ସମସ୍ତଙ୍କୁ ଜଣାଥିଲା ଯେ ନୌରତନଗଡ଼ ଆସିବ । କୃଷ୍ଣପକ୍ଷ ରାତ୍ରୀ- ଏବେ କିଛି ବାଧା ନାଇଁ । ଏଥିପାଇଁ ଆମେ କେତେଦିନରୁ ବାଟ ଦେଖୁଥିଲୁ-ସବୁ ମାସ-କୃଷ୍ଣ ପକ୍ଷରେ । ତୁମେ ଆଜି ହିଁ ମିଳିଗଲ ।”

- “ତୁମେ ବୀରସାଇତ ହୋଇନ?”

- “ନା, କିନ୍ତୁ ଯାହା ହେଲା, ଯାହା ନହେଲା, ତୁମେ ସମସ୍ତଙ୍କର ଭଗବାନ୍‌-ସବୁ ମୁଣ୍ଡାମାନଙ୍କର ।”

 

ବିର୍ସା ତା’ର ହାତ ଧରିପକାଇଲା ।

ବୁଢ଼ା ବିର୍ସାର ଶରୀରରେ ହାତ ବୁଲେଇଲା । କହିଲା: “ଫେରିବାବେଳକୁ ଜରିଆରେ ଆରାମ୍ କରିଯିବ । ତମେ ଏମିତି ସମୟରେ ଆସିଲ ଭଗବାନ୍‌, ଉଲ୍‌ଗୁଲାନ୍ କଥା କହିଲ- ଯେତେବେଳେ ମୋର ଆଖି ନାହିଁ । ମୁଣ୍ଡାମାନଙ୍କର ଶାସନ ହେବ । ଦିକୁମାନେ ତଡ଼ା ଖାଇବେ । ସବୁ ହେବ, ହେଲେ ମୁଁ ଦେଖିପାରିବି ନାହିଁ ।”

ବୁଢ଼ା ପଛକୁ ହଟିଯାଇ ସାଷ୍ଟାଙ୍ଗ ପ୍ରଣାମ କଲା । ତାର ସାଙ୍ଗମାନେ ମଧ୍ୟ ପ୍ରଣାମ କଲେ । ତାପରେ ଭିତରେ ରଖିଥିବା କିଛି ଗୁଡ଼ କାଢ଼ିଲେ ଓ ଛତୁଆ ତା ସହ ମିଶାଇ ପଥର ଉପରେ ରଖିଦେଲେ । କହିଲେ: “ଆମେ ଚାଲିଲୁ, କିଛି ଡର ନାହିଁ । ଆମେ ପ୍ରାୟ ତିରିଶି ଜଣ ଅଛୁ ।”

ବିର୍ସା ସେମାନଙ୍କୁ ବିଦାୟ ଦେଲା । ତାର ଆଖି ବିଷାଦଯୁକ୍ତ ଥିଲା । ଯେଉଁମାନେ ତା’ର ଧର୍ମଦୀକ୍ଷିତ, ଦୀକ୍ଷିତ ନୁହନ୍ତି ତାକୁ ସମସ୍ତେ ଭଗବାନ୍ ମାନୁଥିଲେ । ଏହି ବିଶ୍ୱାସ ହେଉଛି ସେମାନଙ୍କପାଇଁ ରକ୍ଷା କବଚ । ଯେଉଁ ମହାନ୍‌, ଯେଉଁ ଦେଓଁରା ବିର୍ସାକୁ ଅସ୍ୱୀକାର କରିଦେଇଥିଲେ, ସେମାନେ ମଧ୍ୟ ସିମ୍ବୁଆ ପାହାଡ଼ର ସଭା ପରେ ତାକୁ ଚୁପ୍‌ଚାପ୍ କହିଯାଇଥିଲେ, ସିମ୍ବୋଡ଼ା ଓ ବିର୍ସା ମଧ୍ୟରେ ଯଦି ପରେ ବିରୋଧ ହୁଏ ତେବେ ସେମାନେ ଅନ୍ୟ ଦେବତାମାନଙ୍କର ପରାମର୍ଶ ନେବେ । ଉଲ୍‌ଗୁଲାନ କାମରେ ପହାନ ଓ ଦେଓଁରା (ଯେଉଁମାନଙ୍କୁ ମୁଣ୍ଡାମାନେ ଦେବତା ମନେକରନ୍ତି)ମାନେ ଅଂଶଗ୍ରହଣ କରିବାକୁ ଚାହାଁନ୍ତି କାରଣ, ଯେତେବେଳେ ମୁଣ୍ଡା ଶାସନ ହେବ, ସେଇ ଶାସନରେ ସେମାନେ ବି ଭାଗନେବାକୁ ଚାହାଁନ୍ତି ।

ବିର୍ସା କହିଲା-“ଠିକ୍ ସମୟରେ ସମସ୍ତଙ୍କର ଉପକାର ଆବଶ୍ୟକ ।

କେବଳ ବିର୍ସା ଜାଣେ, ସେ କିପରି ରାସ୍ତା ବାଛିଛି । ପ୍ରାଚୀନ ଜଡ଼ତା ଓ ଅନ୍ଧ କୁସଂସ୍କାରରୁ ମୁଣ୍ଡାମାନଙ୍କୁ ମୁକ୍ତ କରି ସେ ସେମାନଙ୍କୁ ଆଧୁନିକ ଦୁନିଆକୁ ଆଣିବାକୁ ଚାହେଁ । ବିର୍ସା ମୁଣ୍ଡାମାନଙ୍କର ଅନେକ ବର୍ଷର ଅନ୍ଧକାରକୁ ଗୋଟେ ଥରେ ଦୂରକରି ଆଧୁନିକ ଯୁଗକୁ ଆଣିବାକୁ ଚାହେଁ-କିନ୍ତୁ ଯେଉଁଠି ପହଞ୍ଚି ମୁଣ୍ଡାମାନେ ନିଜର ଆଦିମ ସରଳତା, ନ୍ୟାୟବୋଧ, ସାମ୍ୟନୀତି ଯେମିତି ଅତୁଟ ରଖିପାରିବେ ।

ମୁଣ୍ଡା ରକ୍ତ ବହୁତ ପ୍ରାଚୀନ । ମୁଣ୍ଡାମାନେ ସେହି କୃଷ୍ଣବର୍ଣ୍ଣର ମଣିଷ, ଯେତେବେଳେ ଭାରତରେ ଶ୍ୱେତଜାତି ପାଦ ରଖିଥିଲେ । ବିର୍ସା ଏକ ଦୁଃସାଧ୍ୟ ବ୍ରତ ନେଇଥିଲା । ବାହାରୁ ଆସିଥିବା କରମା ପୂଜା, ଅନ୍ୟ ରୀତିନୀତି, ପ୍ରାଚୀନ ଅସୁର ଧର୍ମ, ଯାଦୁ ପ୍ରକ୍ରିୟା, ରକ୍ତୋତ୍ସବ ଆଦି ହଟାଇବାକୁ ଚାହୁଁଥିଲା । ସେଇଥିପାଇଁ ବିର୍ସା ଭଗବାନ୍ ହୋଇ ଧର୍ମରେ, ଆସ୍ଥାରେ କ୍ରାନ୍ତି ଆଣିବାକୁ ଆରମ୍ଭ କଲା ।

ମୁଣ୍ଡାମାନେ ଜଙ୍ଗଲ ଚାହାଁନ୍ତି-ପୂର୍ବପରି । ଆଦିମ ଗ୍ରାମ୍ୟବ୍ୟବସ୍ଥା ଆବଶ୍ୟକ, ଅବାଧ ଜୀବନ ଭଳି ଜୀବନର ରହଣି ସହଣି ଦରକାର । ଗୋଟିଏ ଭୋକିଲା ମୁଣ୍ଡା ଆଉ ତା’ର ପ୍ରାର୍ଥୀତ ଲକ୍ଷ୍ୟ ମଧ୍ୟରେ ଯେଉଁ କାନ୍ଥ ରହିଛି-ଜମିଦାରର-ମହାଜନ-ବଣିଆ-ଠିକାଦାର-ସାହେବ-ର କାନ୍ଥ, ଯେଉଁ ଇଂରେଜଙ୍କ ବଳରେ ଏହି କାନ୍ଥ ଉଠିଛି, ତାକୁ ଭାଙ୍ଗିଦେବାର ଉଦ୍ଦେଶ୍ୟରେ ବିର୍ସା ଭଗବାନ୍ ହୋଇଛି ।

ମୁଣ୍ଡାମାନେ ନିଜକୁ ମୁଣ୍ଡା କହିବାର ଗୌରବ ଭୁଲି ସାରିଥିଲେ । ସେଇ ଆତ୍ମବିଶ୍ୱାସ ଫେରାଇବାକୁ ହେବ । ପୁଣି ସେମାନେ ନିଜକୁ ମୁଣ୍ଡା ଭାବି ଗୌରବାନ୍ୱିତ ହେବେ-ଏହା ବିର୍ସାର ସବୁଠାରୁ ପ୍ରିୟ ଓ ମହାନ୍ ଇଚ୍ଛା ଥିଲା ।

ଏଥିପାଇଁ ବିର୍ସା ଭଗବାନ୍ ହୋଇଥିଲା ।

ଦେଖୁ ଦେଖୁ ବିର୍ସା ଅନ୍ୟମନସ୍କ ହୋଇଗଲା । ଭଗବାନ୍ ହେବାର ଯଥେଷ୍ଟ ମୂଲ୍ୟ ଦେବାକୁ ପଡ଼ିଥିଲା ତାକୁ । ଭଗବାନ୍‌ର ଜୀବନ କୌଣସି ବର ସହ ସମାନ ନୁହେଁ, ଯିଏ ବାଜା ବଜାଇ, ଜଳ ଛିଞ୍ଚି, ବାହା ହୋଇ, ପତ୍ନୀକୁ ତାହାର ଅଧିକାର ଦେଇପାରିବ । ବିର୍ସା ତେଲ ହଳଦୀ ଗାଧୋଇ, କୌଣସି ଝିଅକୁ କୋଳରେ ବସାଇପାରିବ ନାହିଁ । ବିର୍ସା କୌଣସି ଝିଅ ସହ ତିଳକ, ମାଳାର ବିନିମୟ କରିପାରିବ ନାହିଁ । ଜଳ, ଅଗ୍ନି, ଧାନ, ଦୁଧ, ତଲୱାର, ତୀର ଆଉ ଧନୁ-ସାତ ଜିନିଷ ଥିଲେ ମଧ୍ୟ କାହାକୁ ସ୍ୱୀକାର କରିବ ନାହିଁ ।

ତା ଜୀବନରେ କେବଳ ଅନ୍ଧକାରରେ ଚାଲିବା ହିଁ ଶ୍ରେୟ । ମନୁଷ୍ୟ ବିର୍ସାକୁ ଯାହାସବୁ ଭଲ ଲାଗୁଥିଲା, ସବୁ ଛାଡ଼ିବାକୁ ହେବ । ସିଏ ଭଗବାନ୍ ନା !

 

ବିର୍ସା ଆଖି ବନ୍ଦ କଲା ।

ପରଦିନ ସକାଳେ ନୌରତନଗଡ଼ ଯାଇ ଜଙ୍ଗଲର ଭଙ୍ଗାଗଡ଼ରୁ ବିର୍ସା ମାଟି ନେଲା । ସ୍ତ୍ରୀମାନେ ନୂଆ ବାସନରେ ପବିତ୍ର ଝରଣାର ଜଳ ଆଣି ଫେରିଆସିଲେ । ବିର୍ସା କହିଲା: “ସକାଳୁ ମୁଣ୍ଡାମାନେ ତୋମ୍ବାରୀ ପାହାଡ଼ ଉପରକୁ ଯିବେ । ଏଇଟା ମାର୍ଗଶୀର ମାସ । ପୌଷ ଲାଗିବାକୁ କୋଡ଼ିଏ ଦିନ ଅଛି । ପୌଷ ଲାଗିଲା ପୂର୍ବରୁ ଆହୁରି ଷୋହଳ-ସତରଟି ସଭା କରିବାକୁ ହେବ ।

ସୋମା କହିଲା-“କାଲି !”

- “ସମୟ କୋଉଠି ଅଛି?”

କୋମ୍‌ତା ମାଟି ଉପରେ ପାଦର ଗଡ଼ି କହିଲା-“ଘରେ ମାଆ କଥା ମନେପଡ଼ୁଛି । ଥରେ ଦେଖି ଆସନ୍ତି!”

- “ଯିବ ଯଦି ଯାଅ, ଆଉ ଆସିବ ନାହିଁ । ପଛର ମୋହ ରହିଲେ ଏଇ କାମକୁ ଆସିବନି । ମୁଁ ଆଗରୁ କହିଛି ।”

 

ବିର୍ସାର କଥାରେ କୋମ୍‌ତା ଆହତ ହେଲା । କହିଲା-“ଭଗବାନ୍ ଭୁଲ ହୋଇଗଲା ।”

ଡୋମ୍ବାରୀ ପାହାଡ଼ର ତୀଖ, ଶୀର୍ଷ ବୋଲି କିଛି ନାହିଁ । ସେଇଟା ଉପରୁ ସମତଳ, ପ୍ରାୟ ତିନିଶ ଫୁଟ ଉଚ୍ଚା । ପଥରରେ ଠେସ ଦେଇ, ଦୁଶିଲା ଘାସମାନଙ୍କୁ ଧରି ଉପରକୁ ଚଢ଼ିବାକୁ ହୁଏ ।

ତୋମ୍ବାରୀ ଉପରେ ଶହେରୁ ଅଧିକ ମୁଣ୍ଡା ଜମାହେବାରୁ ବିର୍ସା ଗୋଟେ ଧଳା ପତକା ପୋତିଲା । ସେଇଟା ପୂର୍ବ ଦିଗରେ ଥିଲା । ଆଉ ଗୋଟେ ଲାଲ ପତାକା ପଶ୍ଚିମରେ ପୋତିଲା । କହିଲା: “ଧଳା ପତାକା ମୁଣ୍ଡା ଲୋକମାନଙ୍କର । ଲାଲ ପତାକା ଦିକୁମାନଙ୍କର । ଦିକୁମାନଙ୍କର ଅତ୍ୟାଚାରରୁ ଲାଲ ପତାକାକୁ ଉପାଡ଼ି ଚିରିଦେଲି । ତମେ ସବୁ ଯୁଦ୍ଧକୁ ଯାଉଛ । ପଥର ଏହିପରି ରକ୍ତରେ ଲାଲ ହୋଇଯିବ । ତମେ ସବୁ କେଉଁ ରାସ୍ତାରେ ଚାଲିବ?”

- “ଉଲ୍‌ଗୁଲାନ ! ଉଲ୍‌ଗୁଲାନ !”

- “ସିଙ୍ଗେଲ-ଦା ! ଅଗ୍ନିବର୍ଷାର ଦହନରେ- ଯନ୍ତ୍ରଣାରେ ପୃଥିବୀର ଶରୀର କମ୍ପି ଉଠିଥିଲା । ସେଇ କମ୍ପନରେ ଏମାନେ ପାହାଡ଼ ହୋଇଛନ୍ତି । ଏବେ ଏହି ପାହାଡ଼ର ଗୁମ୍ଫାରୁ ତମେ ସବୁ ଚାଲିଯିବ । ସବୁ ବିର୍ସାଙ୍କ ଘର ଗଡ଼ ହେବ । ଏହି ପାହାଡ଼ କେମିତି ହୋଇଛି? ସେହି ଘରମାନଙ୍କରେ ଯେତେ ଲୋକ ଅଛନ୍ତି, ସେମାନେ ଟାଙ୍ଗିଆ-ଫାର୍ଶା-ତୀର ସବୁ ଜମା ରଖିବେ । ଏହି କାମ ନାନକ କରିବେ । କାହିଁକି କରିବେ?”

- “ଉଲ୍‌ଗୁଲାନ ! ଉଲ୍‌ଗୁଲାନ୍ ।”

- “ପ୍ରଚାରକମାନେ ମାଇପିଙ୍କ ସାହାଯ୍ୟ ନେବେ । ତୁମେ ରୋଗୋତୋ, ବୋତାର୍ଦି, ଚାରିଆଡ଼େ-ଗାଁ ଛାଡ଼ି ଜଙ୍ଗଲରେ ଚାରିଆଡ଼େ ଲୁଚିବ । ଘନଜଙ୍ଗଲ ମଧ୍ୟରେ ପଶି ଘର ତିଆରି କରିବ । ଘର ଏମିତି ହେବ ଯାହା ମଞ୍ଚା ଉପରେ ହୋଇଥିବ । ଚାରି ମଣିଷ ଉଚ୍ଚ ମଞ୍ଚା, ବାଉଁଶର ସିଡ଼ି, ମଞ୍ଚା ଉପରେ ଘର । କ’ଣ ଘର କରିବ?”

- “ଉଲ୍‌ଗୁଲାନ୍ । ଉଲ୍‌ଗୁଲାନ !”

- “ତମର କାମ ଏୟା । ତମେ ସବୁବେଳେ ମୋ ସହିତ ମିଶିପାରିବ ନାହିଁ । ଏବେ ବସିଥା, ସସାଈ, କେଲୋରି, ବାଦୋ, ଲୋହାର ଡଗା, ତୁରୁପା, କରା, ଖୁଣ୍ଟି, ମୁରୁହୁ, ତାମାର, ବୁନ୍ଦୁ, ସୋନାହାଡ଼ୁ, କୋରହାଟ, ଜିଲିତ୍ ସରେତ, କ୍ରୋନ୍ତେଆ, ଚରାରୀ, ମନିସାଈ, ଜୀରତା, କୋଆମ, ସୋନପୁରଗଡ଼, ତାଉ, ତିଲାଇ-ମରଚା, ନାଗଫେଣୀ, ପାଲକୋଟ, ତିରଲା, ମଣିହାନ୍ତୁ, ଚାତ୍ରାଦି, କୁସୁମଟୋଲି, ଦେମ୍ବୁକେଲ, କମରା, ପିପି, ଦୋର୍ମା, ଗୁରାଇଦି, ବିଚାକୁଟି, କାରିକା, କୋଟୀମର- ଯେଉଁଠି ଯେଉଁଠି ମୁଣ୍ଡାମାନେ ଅଛନ୍ତି- ସବୁଆଡ଼େ ମୁଁ ଯିବି । ଗୋଟେ କଥା କହିବି । କିଏ ହାତ ଉଠାଇଲା? କ’ଣ କହିବ?”

- “ମୁଁ? ଗୟା ମୁଣ୍ଡା ।”

- “କ’ଣ କହିବୁ?”

- “ଭଗବାନ୍‌ ! ଯେଉଁ ମୁଣ୍ଡାମାନେ ତମର ଧର୍ମ ନେଇନାହାନ୍ତି । ସେମାନେ ମଧ୍ୟ ଉଲଗୁଲାନରେ ମିଶିବେ?”

- “ତମେ ନୌରତନ ଗଲ ନାହିଁ । ଗଲେ ଜରିଆ ଗାଁର ମୁଖିଆ, ଗୋଟେ ଅନ୍ଧ ମୁଣ୍ଡା, ତମର ଆଖି ଖୋଲିଦିଅନ୍ତା । ତମ ସମସ୍ତଙ୍କର । ମୁଣ୍ଡାମାନଙ୍କ ଆନ୍ଦୋଳନରେ ସବୁ ମୁଣ୍ଡାମାନଙ୍କୁ ସାମିଲ କରିବାକୁ ହେବ ।”

- “ସାମିଲ ହେବେ?”

- “ହେବେ, ହେବାକୁ ପଡ଼ିବ । ମୁଁ ସମସ୍ତଙ୍କୁ ଡାକିବି । ଏଇଟା ମୋର କାମ, ବୁଝିଲ?”

- “ହଁ ।”

- “ତମେ ସବୁ ଯେମିତି ଅଲଗା କାମ କରୁଛ, ସେମାନେ ବି କରିବେ । ବୁଝିନିଅ । ରାଞ୍ଚି ଜିଲ୍ଲାରେ ଉଲ୍‌ଗୁଲାନ ଚାଲିବ । ଚାଇଁବାସାରେ ଉଲ୍‌ଗୁଲାନ ଚାଲିବ । ସେମାନେ କେତେ ସିପାହୀ ଲଗେଇବେ ! କେତେ ବନ୍ଧୁକ ଆଣିବେ?”

- “ତମେ ଏକେଲା କୁଆଡ଼େ ଯିବ?”

- “ମୁଁ ଏକେଲା? ତମେ ସବୁ ସାଙ୍ଗରେ ନାହଁ?”

- “ହେ ଭଗବାନ୍‌ !”

- “ତାହାହେଲେ ଶୁଣ । ଆଜି ଦଶ ତାରିଖରେ କହୁଛି । ପୌଷ ଦଶ ତାରିଖରେ ବଡ଼ ଦିନ-। ସେଦିନ ଉଲଗୁଲାନ ଆରମ୍ଭ ହେବ । ସାତ ତାରିଖରେ ଚାରି ଦିଗରେ, ପାହାଡ଼ ଉପରେ, ଜଙ୍ଗଲରେ ନିଆଁ ଜଳିବ । ଆଉ !”

 

- “କୁହ !”

- “ସାରା ମୁଣ୍ଡା ଅଞ୍ଚଳ ବୁଲିଆସିଲା ଉତ୍ତାରେ, ଉଲଗୁଲାନ ପୂର୍ବରୁ ମୁଁ ତମ ସହ ମିଶିବି । କାହିଁକି ମିଶିବି?” ସେ କଥା ପରେ କହିବି ।

- “ଉଲ୍‌ଗୁଲାନ୍‌, ଉଲଗୁଲାନ !”

ମୁଣ୍ଡାମାନେ ସେମାନଙ୍କର ଗୀତ ଗାଇଲେ । ତାହା ମନ୍ତ୍ରପରି ଶରୀରକୁ ବିଦ୍ଧ କରୁଥିଲା । ରାତି ବଢ଼ୁଥିଲା । ଆକାଶର ତାରାମାନେ ଓହ୍ଲାଉଥିଲେ । ପବନରେ ଶୁଷ୍କତା । ଜଙ୍ଗଲ ଭିତରୁ କେମିତି ଗୋଟେ ଅଜଣା ସ୍ୱର ବାହାରୁଥିଲା । ଚୁଟିଆ, ଜଗନ୍ନାଥପୁରର ମନ୍ଦିରରେ କବ୍‌ଜା କରି, ପୁଣି ସେଥିରେ କବ୍‌ଜା ନରଖି ବିର୍ସା ଚାଲିଗଲା । ତାକୁ ଧରାଗଲା ନାହିଁ ତା’ର ପତ୍ତା ମିଳିଲା ନାହିଁ-। ପୁଲିସମାନେ ସାରା ଜଙ୍ଗଲ ଆଉ ପାହାଡ଼ ସାରା ଖୋଜିଦେଲେ ।

କୌଣସି ମୁଣ୍ଡାର ପତ୍ତା ନମିଳିବାରୁ ପିଅର୍ସ ବ୍ୟସ୍ତ ହେଲେ । ସେ ଉପରବାଲାଙ୍କୁ କିଛି ବୁଝାଇ ପାରିଲେ ନାହିଁ । ତାଙ୍କର ମନେ ହେଉଥିଲା ମୁଣ୍ଡା ଅଞ୍ଚଳ ଏବେ ଅଗ୍ନି-ଗର୍ଭ, ଜ୍ୱାଳାମୁଖୀ ପରି ଫାଟିବା ଉପରେ । କୌଣସି ଦିନ ଜ୍ୱାଳାମୁଖୀ ଫାଟିଯାଇପାରେ ।

- “କିନ୍ତୁ ମୁଣ୍ଡାମାନେ କାହାନ୍ତି?”

ମୁଣ୍ଡାମାନେ ଜଙ୍ଗଲ ଓ ପାହାଡ଼ରେ ଲୁଚିଥିଲେ । ପୁଲିସମାନଙ୍କ ବ୍ୟର୍ଥତାରେ ସେମାନେ ହସୁଥିଲେ, ଚାଲିଗଲା ପରେ ଗୀତ ଗାଉଥିଲେ । ରକ୍ତର ନିଶା ସେମାନଙ୍କୁ ଘାରିଥିଲେ । ଏମିତି ନିଶା ମଦରେ ବି ନାହିଁ । ଉଲଗୁଲାନରେ ମୁଣ୍ଡା ପାଗଳ ।

- “ବିର୍ସାବିହୁନେ ବିର୍ସା ସଙ୍ଗୀତରେ ଚତୁର୍ଦ୍ଦିଗ ବିର୍ସାମୟ...”

“ ବିର୍ସା ଭଗବାନ୍ ଡାକିଲେ, ଓ ଭାଲ ଚାଲ ଯିବା

ଚୁଟିଆ ମନ୍ଦିର ।

ସେଇ ମନ୍ଦିରରୁ ବାହାରି କହିଲେ

ଚାଲ ଯିବା ଜଗନ୍ନାଥପୁର ମନ୍ଦିର,

ଆମେ ଗଲୁ, ରହିଲୁ ତିନି ରାତି, ତିନି ଦିନ

ଦେବତାଙ୍କୁ ପ୍ରଣାମ କଲୁ ।

ଚୁଟିଆ କମ୍ପି ଉଠିଲା

ଦେଖ କମ୍ପୁଛି ରାଞ୍ଚି ଓ ଡୁରାଣ୍ଡା ।”

ଯେମିତି କୋଉଠୁ ମାନବ ମନରେ ଆପାରଶକ୍ତି ଆସିଯାଇଛି । ରକ୍ତରେ କଠୋର ବିଶ୍ୱାସ ଜାଗ୍ରତ ହେଉଥିଲା-ବିଶ୍ୱାସର ଜ୍ୱାଳା ଜଳିଉଠୁଥିଲା ।

ସେମାନେ ଗାଉଥିଲେ:

“ଜମିଦାରଙ୍କ ଅତ୍ୟାଚାର ଯନ୍ତ୍ରଣାରୁ

ମାନବ ଦୁଃଖର ଦେଶ ଜଳିଉଠୁଛି

ଚାଲ, ଧର ବନ୍ଧୁକ, ଧର ତୀର ଟାଙ୍ଗିଆ

ବଞ୍ଚିବାଠାରୁ ମରିବା ଆଜି ଭଲ ।

ଆମର ନେତା ବିର୍ସା ଭଗବାନ୍‌

ଆମପାଇଁ ସେ ଏଠାକୁ ଆସିଲେ

ବଞ୍ଚିବାଠାରୁ ମରିବା ଆଜି ଭଲ ।

ପ୍ରସ୍ତୁତ ହୁଅ ଧନୁ ତୁଣୀର ଧରି ଆଜି ଚାଲ

ଡୋମ୍ବାରୀ ପାହାଡ଼ରେ ଜମା ହୁଅ

ଧରିତ୍ରୀର ଆବା କହିବେ ସେଠି ।

ଆମେ ଛାଡ଼ିବା ନାହିଁ ଜମିଦାରର ମହାଜନଙ୍କୁ,

ବଣିଆ-ବିଦେଶୀମାନଙ୍କୁ

ସେମାନେ ଛଡ଼େଇ ନେଇଛନ୍ତି ଆମର ଦେଶ !

ନିଜ ଅଧିକାର ଛାଡ଼ିବା ନାହିଁ,

ତାଙ୍କଠାରୁ ଛଡ଼େଇ ନେବା ଆମ ଦେଶ ।”

ଏମିତି ଗୀତ ଶୁଣି ବିର୍ସା ବି ଭୟଭୀତ ହୁଏ । ମୁଣ୍ଡାମାନେ ଏ କ’ଣ କହୁଛନ୍ତି? ଜୀବନଠାରୁ ମୃତ୍ୟୁ ଭଲ? କିଏ ଏ ଗୀତ ଲେଖିଲା, କିଏ ଏହି ସ୍ୱର ଦେଲା?

 

କିଏ କହି ପାରିଲେ ନାହିଁ । ବିର୍ସା ବୁଝିଲା ଏ ଗୀତର ଲେଖକ ହେଉଛି ସମୟ, ସିଏ ହିଁ ସ୍ୱର ଦେଇଛି ।

ବିର୍ସା ଭାବୁଥିଲା: ପାଞ୍ଚ ବର୍ଷ ହେଲା । ସାଲ ୧୮୯୫ରେ ମୁଣ୍ଡାମାନେ କିଛି ଭାବିଥିଲେ, ଯାହା ସର୍ଦ୍ଦାରମାନେ ବୁଝାଇଥିଲେ, ସେ ବି ତାହା ବୁଝିଥିଲା ।

ମୁଣ୍ଡାମାନେ ଜାଣିଥିଲେ ଲଢ଼ିବା ତ ନିଶ୍ଚୟ । କିନ୍ତୁ ଲଢ଼େଇର ଅର୍ଥ କ’ଣ? ତାର ଅଭୀଷ୍ଟ ଅର୍ଥ କ’ଣ?

 

ଜମିଦାରକୁ ଲଗାଣ ଦେବା ନାହିଁ!

ବିନା କରରେ ଜମି ହାସଲ କରିବା !

ଜଙ୍ଗଲକୁ ଅଧିକାର କରିବା !

ହଁ ବିର୍ସା ସର୍ଦ୍ଦାରମାନଙ୍କପାଇଁ କୃତଜ୍ଞ । ସେମାନେ ଆନ୍ଦୋଳନକୁ ଉଜ୍ଜୀବିତ ରଖିଛନ୍ତି । ବିର୍ସାର କାମ ସେମାନଙ୍କ ଯୋଗୁଁ ସହଜ ହୋଇଛି ।

 

ବିର୍ସା ନିଜକୁ ପ୍ରଶ୍ନକଲା । ବିର୍ସା କ’ଣ ଭଗବାନ୍ ହେବାକୁ ଚାହିଁଥିଲା? ସିଏ ଏହାକୁ ସ୍ୱୀକାର କଲା କାହିଁକି?

 

ସର୍ଦ୍ଦାରମାନେ ତାର କାମନା କାହିଁକି କଲେ? ସେମାନଙ୍କ ଲଢ଼େଇ କରିବାର ଇଚ୍ଛା ଅଛି, ସେନା ନାହିଁ ଏଇଥିପାଇଁ?”

 

ତାଙ୍କର ରାସ୍ତା କାନୁନ୍‌ର, ବିର୍ସାର ରାସ୍ତା ଯୁଦ୍ଧର । ଦୁଇଟା ସାମନ୍ତରାଳ ରେଖା ମିଶିଲେ କେମିତି?

ବିର୍ସା କ’ଣ ଚାହିଁଥିଲା? ପ୍ରାଚୀନ ମନ୍ଦିରକୁ କାହିଁକି ଗଲା? ସେ କ’ଣ ଏହାର ଉତ୍ତର ଜାଣେ-। ମୁଣ୍ଡାମାନେ ଧର୍ମର ଆଦିମତା ହରାଇଛନ୍ତି । ତାହା ଫେରାଇବାକୁ ହେବ, ଏଇଥିପାଇଁ?

ଆଉ କୌଣସି ରାସ୍ତା ନାହିଁ । କାରଣ ବିର୍ସାର ସେଇ ଆଦିମ ଜଙ୍ଗଲ, ଧର୍ଷିତା, ଅଶୁଦ୍ଧ, ଅଶୁଚି ମାଆ କାନ୍ଦୁଛି, ମତେ ଶୁଦ୍ଧ କର ବାପ । ସେଇଥିପାଇଁ ତ ବିର୍ସାର ଏହିସବୁ ଆୟୋଜନ, ସମସ୍ତ ସୁଖ ଶାନ୍ତିର ବିସର୍ଜନ ।

ଏଇଥିପାଇଁ ତ ଚାରି ପାଞ୍ଚ ବର୍ଷରେ ବିର୍ସା ନିଜେ ବୁଝିସାରିଥିଲା, ସିଏ ମୁଣ୍ଡାମାନଙ୍କୁ ବିଶ୍ୱାସ ଦେଇପାରେ, କାରଣ ସେମାନେ ଯାହା ଚାହୁଁଥିଲେ ତାହା ସାକାର ରୂପ ନେବାକୁ ଯାଉଛି!

 

“ଯିଏ ଆଦିବାସୀ ନୁହେଁ, ସିଏ ଦିକୁ

ମୁଣ୍ଡା ହିଁ ଧରିତ୍ରୀର ଅସଲ ମାଲିକ ।”

•••

 

ପ୍ରତି ସଭାରେ ବିର୍ସା ଗୋଟେ କଥା କହିଥିଲା । ଡୋମ୍ବାରୀରେ ମାର୍ଗଶୀର ମାସରେ ସଭା ହୋଇଥିଲା ।

ଭୟାନକ ଥଣ୍ଡା । ଡୋମ୍ବାରୀ ପାହାଡ଼ ଉପରେ ପଥରଟିଏ ଉପରେ ବିର୍ସା ବସିଥିଲା । ସତୁରୀ ଅଶୀ ଲୋକ ସେଇଠି ଜମା ହୋଇଥିଲେ- କୁଡ଼ା ଗ୍ରାମର ରତନମୁଣ୍ଡା ସବା ପଛରେ ଆସିଲା ।

ବିର୍ସା ପଚାରିଲା: “କୁହ କ’ଣ କହିବାର ଅଛି?”

ତିନି ଚାରିଜଣ କହିଲେ: “ଜମିଦାରର ଅତ୍ୟାଚାରର କାହାଣୀ ।”

- “ତାହାହେଲେ ଧନୁ-ତୀର-ଟାଙ୍ଗିଆ ମହଜୁଦ ରଖ ।”

- “ରଖିବୁ ।”

- “କହିଲ, ହତିଆର କି କାମରେ ଆସିବ?”

- “ତମେ କୁହ ।”

- “ସେଇ ହତିଆରରେ ତମେ ଠିକାଦାର, ଜାଗିରଦାର, ରାଜା-ହାକିମମାନଙ୍କୁ ମାରିକାଟିବ-।”

- “ଯଦି ଆମ ଉପରେ ଗୁଳି କରନ୍ତି?”

- “ସେମାନଙ୍କ ଗୁଳି ଜଳସ୍ରୋତ ହୋଇଯିବ । ଦେଖ ଚଉଦ ଦିନ ପରେ ମୁଁ ଆସିବି । ସେଦିନ ବଡ଼ ଦିନ । ତୁମେ ହତିଆର ରଖିଥିବ ।”

କଥା ହେଉ ହେଉ ଭୋର୍ ହୋଇଗଲା ।

•••

 

ସଭା-ସଭା-ସଭା ! ସଭା ପରେ ସଭା । ବିର୍ସା କେତେ ରାସ୍ତା ଚାଲିଲାଣି । ସାଲ ୧୮୯୯ରେ ଅକ୍ଟୋବର-ଡିସେମ୍ବର ମଧ୍ୟରେ ରାଞ୍ଚି ଆଉ କେତେ ଜାଗା ବିର୍ସା ଗଲାଣି ।

 

ଚାଲକାଡ଼ରେ କରମୀ କାନ୍ଦୁଥିଲା-“ବିର୍ସା ! ବିର୍ସା ! ବିର୍ସା !”

ସେଇ ମାଆର କ୍ରନ୍ଦନ ଶୁଣିପାରୁଥିଲା, ତେଣୁ ବିର୍ସା ମୁଣ୍ଡାମାନଙ୍କର ବିଶ୍ୱାସ ପାଇଥିଲା ।

 

ସାରା ମୁଣ୍ଡା ଜାତି ତା’ପାଇଁ ମରି ପାରନ୍ତି । ଜୀବନ ଅପେକ୍ଷା ମରଣ ଭଲ । ତାଙ୍କ ରାସ୍ତା ରକ୍ତିମ । ପଥ ଦୁର୍ଗମ... ।

ବିର୍ସା ବୀରସାଇତଙ୍କ ମନରେ ଗର୍ବ ଭରିଦେଇଛି । ବୀରସାଇତ ହେବା ପରେ ମୁଣ୍ଡ ଉଚ୍ଚା କରି ସେମାନେ ଚାଲନ୍ତି । ବୁଢ଼ା ଧାନୀ ବେସୁରା କଣ୍ଠରେ ଗୀତ ଗାଏ, ହାତ ଉଠାଇ ନାଚି ନାଚି କହେ: “ମୁଣ୍ଡା ହୋଇ ଜନ୍ମହେଲି, ହେଲେ ଦିନେ ଏହି ରକ୍ତ ଗରମ ହେବ, କିଏ ଜାଣିଥିଲା? ହେ ଭଗବାନ୍‌, ମୁଁ ଚନ୍ଦ୍ରକୁ ଧରିପକାଇଲିଣି । ତମକୁ ଆଉ କିଛି ମାଗୁନାହିଁ ।”

ରାତିରେ ପାହାଡ଼ ପରେ ପାହାଡ଼ ଆଉ ଜଙ୍ଗଲ ଦେଇ ମାଇଲ ମାଇଲ ଚାଲି ବିର୍ସା କହିଲା: “ମାଆ । ଆଉ କାନ୍ଦ ନାହିଁ । ମୁଁ ତୋପାଇଁ କିଛି କରିବି । ଏଇଥିପାଇଁ ତ ଏଠାକୁ ଆସିଛି ।

ମୋର ମନ ମିଶନ୍‌କୁ ଯାଇ ତୃପ୍ତ ହେଲା ନାହିଁ । ମନ ତୃପ୍ତ ହେଲା ନାହିଁ ମାଆ ନହେଲେ ସାଲୀ, ପରମୀ ପରି କାହାକୁ ବାହା ହୋଇଥାଆନ୍ତି-ଗାଁ ପହାନର ହୁକୁମ ମାନି-ସୁଗାନା କରମୀର ବଂଶ ଚଳେଇ-ଜୀବନ ବିତାଇ ଥାଆନ୍ତି । କିନ୍ତୁ ମୋର ମନେ ହେଉଛି, ମୁଁ ଆଉ କିଛି କରିବାକୁ ଆସିଛି । ଏବେ ମୁଁ ମୋର କର୍ତ୍ତବ୍ୟ ବୁଝିପାରୁଛି ।

ନିଜ ଗାଁରେ ଦଳିତ ହୋଇ, ଅତ୍ୟାଚାର ସହି ମୁଣ୍ଡାମାନେ ଏବେ ଶକ୍ତିହୀନ ।

ସେଇଥିପାଇଁ ମୁଁ ଏତେ କଠୋର । ହଁ ମୁଁ ତୋର ଭଗବାନ୍ ।”

ପୁଣି ନାଚ ଗୀତ-

କରମ- ହୋଲି-ସୋହରାଇ ପର୍ବରେ ମସ୍ତି ନାହିଁ,

ମୁଣ୍ଡରେ ଫୁଲ-ବାଳରେ ଫୁଲ-ହାଣ୍ଡିଆ ତାଡ଼ିର ନିଶା ନାହିଁ ।

ସବୁ ଭୁଲି ଏକ ମନ, ଏକ ଲକ୍ଷ୍ୟ ହେଉ ।

ଏହିପରି ମୁଣ୍ଡାମାନେ ଏଇ ବନ୍ଧନରେ ବନ୍ଧା, ଜୀବନ ମରଣର ମାପକାଠି ପ୍ରତି ସେମାନେ ଅଭିଜ୍ଞ ।

 

ଯାହା ଶିଖାଇଛି, ଶିଖିଛ ନା ନାହିଁ, ପରୀକ୍ଷା କରିବି ୨୪ ଡିସେମ୍ବରରେ ।

୨୪ ଡିସେମ୍ବର ....୨୪ ଡିସେମ୍ବର......ମୁଣ୍ଡାମାନେ ମନ୍ତ୍ର ପରି ଜପୁଥିଲେ ।

ସାହେବମାନେ କିଛି ଜାଣିନଥିଲେ ।

ସେମାନେ କ’ଣ କରୁଥିଲେ?

•••

 

ରାଞ୍ଚିର ୟୁରୋପିୟନ କ୍ଲବର ବିଲିଆର୍ଡ଼ ଟେବୁଲ ଅସାଧାରଣ । ଯେମିତି ପାଲିସ, ସେମିତି ଶ୍ରେଷ୍ଠ କାରିଗରୀ । ଡେପୁଟୀ କମିଶନରଙ୍କର ବିଲିଆର୍ଡ଼ ପ୍ରତି ଆଗ୍ରହ । ରାଞ୍ଚିର ଶ୍ୱେତାଙ୍ଗ ସମାଜର ଡେପୁଟୀ କମିଶନରଙ୍କ ବିଲିଆର୍ଡ଼ ପ୍ରେମ ଅଦ୍ଭୁତ ।

ରାଞ୍ଚି ପରି ଜଙ୍ଗଲୀ ଜାଗାରେ ଥିବାରୁ ମେମ୍ ସାହେବ ଖୁସି ନୁହନ୍ତି । କ’ଣ ଅଛି ଏଇଠି? ଜଙ୍ଗଲ, ପାହାଡ଼? ଡେପୁଟୀ କମିଶନର ପୁରୁଷ । ଶିକାର କରି ମଉଜ କରନ୍ତି । କିନ୍ତୁ ତାଙ୍କ ପତ୍ନୀ କ’ଣ ଏସବୁ କରିପାରିବେ?

 

ମେମ୍ ସାହେବ ସାହେବଙ୍କ ସହ ଯୁକ୍ତି କରନ୍ତି । ଯୁକ୍ତିରେ ସାହେବ ପରାଜିତ ହୁଅନ୍ତି । ସେତେବେଳେ ବିଲିଆର୍ଡ଼ ଆରମ୍ଭ ହୋଇଯାଏ ।

 

ଏମିତି ଖେଳନ୍ତି, ଖେଳୁଥାଆନ୍ତି । ପୁଲିସ-ସୁପରିଟେଣ୍ଡେଣ୍ଟ୍ ଯେମିତି ଦେଖୁଥିଲେ, ଦେଖୁଥିଲେ । ସାହେବଙ୍କ ଖେଳ ଦେଖି ସେ ଚକିତ ହୁଅନ୍ତି ।

ଡେପୁଟୀ କମିଶନର ସୁପରିଟେଣ୍ଡେଣ୍ଟଙ୍କୁ କହିଲେ: ଦ୍ୟାଟ୍ ବୋଗୀମ୍ୟାନ୍‌, ଦ୍ୟାଟ୍ ବିର୍ସା । ମରିଗଲା?

 

- “ମଲା ଭଳି ।”

- “କିଏ?”

- “ଏକଦମ୍ ଶାନ୍ତ । ତାର ଅଣ୍ଟା ଭାଙ୍ଗିଦେଇଛି । ବୁଝିଗଲାଣି, ବେଶୀ ଭଡ଼ ଭଡ଼ ହେଲେ ଲାଭ ନାହିଁ ।”

 

- “ପିଅର୍ସ କ’ଣ କହୁଛି?”

- “ସିଏ କହିବ?”

- “ପିଅର୍ସ ବେକାରର ଲୋକ ନୁହେଁ ।”

- “ସେଥର, ୧୮୯୮ରେ ପିଅର୍ସ ସିଂହଭୂମି ପୁଲିସଙ୍କ ସହ ଝଗଡ଼ା କରିନଥିଲା?”

- “ସେଇଟା ତ ବିର୍ସାକୁ ଧରିବାପାଇଁ । ବିର୍ସା ଏବେ କୋଉଠି ଥିବ?”

- “ହୁଏତ ରାଞ୍ଚି ଓ ସିଂହଭୂମିରେ ରହି କାମ ଚଳେଇଛି । ତା’ର ଉଦ୍ଦେଶ୍ୟ କ’ଣ ହୋଇପାରେ !”

 

- “ସିଏ ସୁପରମ୍ୟାନ୍ ନୁହେଁ ତ !”

- “ମୁଣ୍ଡାମାନେ ତାକୁ ସୁପରମ୍ୟାନ୍ ମାନନ୍ତି ।”

- “ହଫ୍‌ମ୍ୟାନ କ’ଣ କହୁଛି ।”

- “ସିଏ କ’ଣ କହିବ? ଲେଖୁଛି, ଲଗାତାର ଲେଖୁଛି । ତା ମୁଣ୍ଡରେ ବିର୍ସାର ଭୂତ ସବାର । ଚାରିଆଡ଼େ ବିର୍ସାର ପ୍ରଭାବ । ମିଶନର ଯେତେସବୁ ମୁଣ୍ଡା ବୀରସାଇତ ହୋଇଯାଉଛନ୍ତି ।”

 

- “ପତ୍ତା ଲଗେଇଲ?”

- “କି ପତ୍ତା? ମୁଣ୍ଡାମାନେ ଏବେ ବେଶୀ ଶାନ୍ତ । ହୋଲି ପରେ ଶିକାର ବି ଖେଳି ନାହାନ୍ତି?”

 

- “ଲକ୍ଷଣ ବି ଭଲ ନାହିଁ ।”

- “ଶୀତ ଦିନ । କଷ୍ଟ ବହୁତ । ମିଶନରେ ବି ବେଶୀ ଲୋକ ।”

- “ସବୁ ମିଶନରେ କୁହାଯାଇଛି, ଏଥର ବେଶୀ କମ୍ବଳ, କପଡ଼ା ବଣ୍ଟାଯିବ ।”

- “ହଫ୍‌ମ୍ୟାନ୍ ଗୋଟେ ପରେ ଗୋଟେ ଚିଠି ଦେଉଛି ।”

- “ହଫ୍‌ମ୍ୟାନ୍ ଫାଲ୍‌ତୁ ଲୋକ ନୁହେଁ ।”

- “ସେସବୁ ତମପାଇଁ । ସିଏ ତ ‘ଏନ୍‌ସାଇକ୍ଲୋପିଡ଼ିଆ ମୁଣ୍ଡାରିକା’ ଲେଖିଛି । ତାକୁ ସବୁ ଜଣା ।”

- “ହଫ୍‌ମ୍ୟାନ୍ ମୁଣ୍ଡା ସମାଜ, ସ୍ଥିତି, ସବୁ ଭଲଭାବେ ଜାଣେ । ଯଦି ଡରୁଛି, ତେବେ ଅବସ୍ଥା ସାଂଘାତିକ । ଦେଶର ଅବସ୍ଥା ବି ଏବେ ଭଲ ନୁହେଁ ।”

 

- “ନଖାଇଲେ ମୁଣ୍ଡା ମରିବେନି । ସେମାନଙ୍କୁ କେବେ ଖାଇବାକୁ ମିଳିଲା ଯେ ନଖାଇଲେ ମରିଯିବେ । ଜନ୍ମ ହେଲେ କୁକୁର ପରି, ଗାଣ୍ଠିଏ ପିଲା । ଦେଖି ନାହଁ !”

 

- “ନା, ବିର୍ସା କଥା ଅଲଗା । ମୁଣ୍ଡାମାନଙ୍କୁ ସେ କ’ଣ କହିଛି ଜଣାନାହିଁ । ଏବେ ସବୁ ଅଲଗା ଲାଗୁଛି ।”

 

- “ଆରେ ବାବା, ଆଗକୁ ବଡ଼ ଦିନ । ଡିନର, ନାଚ, ଫ୍ୟାଟ୍‌, ଶିକାର ଏସବୁ ବିଷୟରେ ଭାବୁନାହଁ । ତମେ ବି ହଫ୍‌ମ୍ୟାନ୍ ପରି କହୁଛ ।”

•••

 

ହଫ୍‌ମ୍ୟାନ୍ ଜାଣିଥିଲେ ରାଞ୍ଚିରେ ସମସ୍ତେ ତାଙ୍କୁ ପାଗଳ ଭାବନ୍ତି । ତଥାପି ସେ ଚିଠି ଲେଖିଲେ ।

 

ଆଶ୍ଚର୍ଯ୍ୟର କଥା ଡେପୁଟୀ କମିଶନର ହଫ୍‌ମ୍ୟାନ୍‌ଙ୍କ କଥାକୁ ଉଡ଼ାଇଦେଲେ ନାହିଁ । ମୁଣ୍ଡାରୀ ଜାଣିଥିବା ଗୋଟେ ଦାରୋଗା ଆଉ କନେଷ୍ଟବଳକୁ ଯାଞ୍ଚ କରିବାକୁ ପଡ଼ିବ । ନିଜେ ଟୁର୍‌ରେ ବାହାରିଗଲେ ।

ରାଞ୍ଚିରୁ ଫେରି ଡେପୁଟୀ କମିଶନର ସୁପରିଟେଣ୍ଡେଣ୍ଟଙ୍କୁ କହିଲେ: “ଅଗିଆ ବେତାଳ । ତା ପଛରେ ଧାଇଁବା ଅସମ୍ଭବ ।”

 

- “କ’ଣ ଶୁଣି ଆସିଲେ?”

- “ଶୁଣିଲି ବିର୍ସା ଦିନେ ନିର୍ଜନରେ ତପସ୍ୟା କଲା । ଏବେ ତାର ପ୍ରକଟ ହେବ ।”

- “କେବେ?”

- “କେବେ ଜଣାନାହିଁ । ଶୁଣିଲି ବିର୍ସା ଶହେ ମାଇଲ ଦୂର ପର୍ଯ୍ୟନ୍ତ ଇଲାକାକୁ ଯିବ ।”

- “ଏହାର ଅର୍ଥ?”

- “ଜାଣେନା ।”

ଡେପୁଟୀ କମିଶନର ଆଉ ସୁପରିଟେଣ୍ଡେଣ୍ଟ ଯେତେବେଳେ କଥା ହେଉଥିଲେ, ସେଇଟା ୨୩ ଡିସେମ୍ବର ୧୮୯୯ । ବିର୍ସା ମୁଣ୍ଡାମାନଙ୍କୁ କହିଥିଲା ଉଲ୍‌ଗୁଲାନ୍ ଦୁଇଖଣ୍ଡ । ପ୍ରଥମ ଖଣ୍ଡରେ ନିଆଁ ଲଗାଇ, ତୀର ଛାଡ଼ି ଖ୍ରୀଷ୍ଟିୟାନଙ୍କୁ ଡରାଇବା । ଦ୍ୱିତୀୟ ଖଣ୍ଡରେ ସଶସ୍ତ୍ର ସଂଗ୍ରାମ ।”

୨୪ ଡିସେମ୍ବର କ୍ରିସ୍‌ମାସ ଉତ୍ସବ । ୟୁରୋପିଆନ୍ କ୍ଲବ ଆଲୋକିତ । ଟ୍ରେରେ କାଚ ଗ୍ଲାସ ଓ ବୋତଲ ସଜାଇ ୱେଟରମାନେ ବୁଲୁଛନ୍ତି । ରଙ୍ଗୀନ କାଗଜ ଓ ମାଳା ଝୁଲୁଛି । କ୍ରିସମାସ୍ ଗଛ ପାଖରେ ପୁରୁଷ, ସ୍ତ୍ରୀମାନେ କଥା ହେଉଛନ୍ତି ।

 

ସହସା ବାହାରେ ଶବ୍ଦ ଶୁଭିଲା ।

ନାଚ ବନ୍ଦହେଲା । ବାଜା ମଧ୍ୟ । ସମସ୍ତେ ଏକ ଅପରକୁ ଦେଖିଲେ । ଧାଇଁ ଧାଇଁ ଖାନସାମା ଭିତରକୁ ଆସିଲା । ଡେପୁଟୀ କମିଶନର କହିଲା: “ହଜୁର, ଆମେ ଯାଉଛୁ, ବୀରସାଇତମାନେ ସହରରେ ତୀର ଚଳାଉଛନ୍ତି ।”

ସୁପରିଟେଣ୍ଡେଣ୍ଟ୍ କହିଲେ: “ମିଛ କଥା । ସହରରେ ଗୋଟେ ବି ବୀରସାଇତ ନାହାନ୍ତି ।”

- “ଆପଣଙ୍କ ବଙ୍ଗଳା ସାମ୍ନାରେ ତୀର ଚାଲୁଛି । ଆପଣଙ୍କର ଗାରଦ ଆହତ ହୋଇଛି । ଆମେ ପଳେଇବୁ । ଏଇଠି ରହିଲେ ଆମକୁ ସେମାନେ ମାରିଦେବେ ।”

ସହସା ଜେଲ୍‌ରେ ପଗଲି ଘଣ୍ଟି ବାଜିଲା । ସେଇଠି କ’ଣ ହେଲା?

ଡେପୁଟୀ କମିଶନର କହିଲେ: “ସୁପରିଟେଣ୍ଡେଣ୍ଟ, ଜେଲ୍ ଯାଆନ୍ତୁ । ମୁଁ ପୋଲିସ ଦଳ ନେଇ ଯାଉଛି । ସେଇଠୁ ଅଫିସ ।”

ବଡ଼ ଦିନ । ସବୁ ଅଫିସ୍ ଛୁଟି । ସରକାରୀ ଅଫିସ ବନ୍ଦ । କେମିତି ଜଣାପଡ଼ିବ? କେମିତି ବ୍ୟବସ୍ଥା ହେବ?

 

- “ଘୋଡ଼ା ଆଣିବାକୁ କୁହ ।”

- “କାହାକୁ କହିବି? ସବୁ ପଳେଇଲେଣି ।”

- “ରିୟଲି? ଫୁଲ୍‌? ଏମାନଙ୍କର କୌଣସି କର୍ତ୍ତବ୍ୟବୋଧ ନାହିଁ ।

ଡେପୁଟୀ କମିଶନର ବାହାରକୁ ଆସିଲେ । କହିଲେ: “ସହରରେ ରାଉଣ୍ଡ ଲଗାଅ । ଅବସ୍ଥା ଦେଖିଲ । ଜରୁରୀ ହେଲେ ଗୁଳି ଚଳେଇବ । ମୁଁ ଅଫିସ ଯାଉଛି ।”

ଡେପୁଟୀ କମିଶନର ଅଫିସ ଆସିଲେ । ଦେଖିଲେ ଘରର ଆଲୋକ ବନ୍ଦ କରି ଚାକର, ଅର୍ଦ୍ଦଳି, ବେହେରା, ମେହେନ୍ତର, ସଇସ୍ତ, ମାଳୀ- ସବୁ ବୈଠକଖାନାରେ ବସିଛନ୍ତି । ତାଙ୍କୁ କହିଲେ: “କଚୋରୀରେ ଶେଜ ପକାଅ । କବାଟ ଖୋଲା ରହୁ, ମୁଁ ବନ୍ଦ କରିବି ।”

- “ହଜୁର !”

- “କ’ଣ?”

- “ଆମେ.... ।”

- “ଡର ନାହିଁ ।”

- “କିନ୍ତୁ... ।”

- “ଚବିଶ ଘଣ୍ଟାରେ ଠିକ୍ ହୋଇଯିବ ।”

ସକାଳ ହେଲା । ସମାଚାର ଆସିଲା, ଗୁଳି ଚଳାଇବା ଦରକାର ହେଲା ନାହିଁ କାରଣ ସହରରେ ଗୋଟେ ବି ତୀରଧାରୀ ମୁଣ୍ଡା ନଥିଲେ । ଅନ୍ଧକାରରେ ବୀରସାଇତମାନେ ଗାଏବ ହୋଇଯାଇଥିଲେ । ପୁଣି ମୌନ ଅନ୍ଧକାର ଛାଇଗଲା । ସେମାନେ କେହି ନଥିଲେ ।

•••

 

ସକାଳ ସମାଚାର ଆସିଲା । ଦିନସାରା ରାଞ୍ଚିକୁ ଘୋଡ଼ା ସବାର ଆସୁଥିଲେ । ଡେପୁଟୀ କମିଶନର ଓ ପୋଲିସ ସୁପରିଟେଣ୍ଡେଣ୍ଟ ସମାଚାର ପାଉଥିଲେ । ସିଂହଭୂମି ଜିଲ୍ଲା ଅଧୀନରେ ଥିବା ସବୁ ଥାନାରୁ ଖବର ଆସୁଥିଲା, ତୀର ଛୁଟୁଛି, ନିଆଁ ଲାଗୁଛି ।

ପୂର୍ବ ଦିନ ରାତିରେ ଅମୂଲ୍ୟ ବାବୁ ଅନ୍ଧାରରେ ଠିଆହୋଇଥିଲେ । ହତିଆର ଧରିଥିବା ମୁଣ୍ଡାବାହିନୀ ଚାଲୁଥିବାର ସେ ଦେଖିଥିଲେ । ଦେଖି ସେ ଜେଲ୍‌କୁ ଫେରିଆସିଲେ । ସେଦିନ ରାତିରେ ଜେଲ୍ ଅଧିକାରୀମାନଙ୍କୁ ଉପସ୍ଥିତ ରହିବାକୁ ହୁକୁମ ହୋଇଥିଲା । ଜେଲ୍‌ରୁ କଏଦିମାନେ ଫେରାର ହୋଇପାରନ୍ତି । ସୁପରିଟେଣ୍ଡେଣ୍ଟ୍ ମଧ୍ୟ ଘରକୁ ଯାଇନଥିଲେ ।

ଉଲଗୁଲାନ୍ ଆନ୍ଦୋଳନର ପରଦିନ ଅର୍ଥାତ୍ ୨୫ ତାରିଖ ଦିନ ପିଅର୍ସ କହିଲେ: “ମୁଁ ଜାଣିଥିଲି ।”

 

- “କ’ଣ ଜାଣିଥିଲ ? କ୍ରିସ୍‌ମାସ୍ ଦିନ ଇବ୍‌ଠାରେ ମୁଣ୍ଡାମାନେ ବିଦ୍ରୋହ କରିବେ !”

- “ନା । ମୁଁ ଜାଣିଥିଲି, ଯାହାକୁ ଆମେ ଶାନ୍ତ ଅବସ୍ଥା ବୋଲି ଭାବୁଛୁ ସେଇଟା ଝଡ଼ର ପୂର୍ବାବସ୍ଥା ନିଶ୍ଚୟ ।”

ଡେପୁଟୀ କମିଶନର ଜାଣିଥିଲେ ସିଏ ଗୋରା ଅଫିସର, ମିଶନାରୀ ଜମିଦାର-ମୁଣ୍ଡାମାନଙ୍କର ପକ୍ଷ ନେଉଥିବାରୁ, ତାଙ୍କୁ ସମସ୍ତେ ମନେ ମନେ ଦୋଷୀ ଭାବୁଛନ୍ତି ।

କିନ୍ତୁ ତାଙ୍କର ଦୋଷ କ’ଣ?

ସେ କହିଲେ-“ମୁଁ ବା କ’ଣ କହି ପାରିବି?”

- “ମୁଁ ଏହି କଥାରେ କିଛି କହିବାର ଅଧିକାର ନାହିଁ ।”

- “ଗାଁ ମାନଙ୍କରେ ଜୋରିମାନା ଲଗାଇଲ ନାହିଁ?”

- “ତାକୁ ଅଟକାଇ ଦିଆଯାଇଥିଲା ।”

- “ସରକାରୀ କାମରେ ବହୁତ ନିୟମ କାନୁନ୍ ମାନିବାକୁ ପଡ଼େ । ଜୋରିମାନା ଅନିଶ୍ଚିତ ସମୟପାଇଁ ତ ଲଗା ଯାଇପାରିବନି ।”

 

- “ସେତେବେଳଠୁ ଅବସ୍ଥା ବିସ୍ଫୋଟକ ହେଉଛି ।”

ଡେପୁଟୀ କମିଶନର ଆଙ୍ଗୁଠିରେ ବାଳକୁ ଟାଣିଲେ । ରୁକ୍ଷ ସ୍ୱରରେ କହିଲେ-“ହଁ, ଦି’ବର୍ଷର ମରୁଡ଼ି, ଅକାଳ, କ୍ଷେତବାଡ଼ି ନଷ୍ଟ, ଜମିଦାର ଓ ମହାଜନଙ୍କର ଅବାଧ ଲୋଭ-ଛୋଟ ନାଗପୁରର ରେଣ୍ଟଲ-ସମସ୍ତେ ଇନ୍ଧନ ଜୁଟାଇଲେ ।”

 

- “କିନ୍ତୁ ଏବେ?”

- “ବିର୍ସା ବଚନ ଦେଇଥିଲା ।”

•••

 

ଡେପୁଟୀ କମିଶନର କୌଣସି ପ୍ରକାରେ କହି ପାରୁନଥିଲେ ଯେ ଏବେ ଦରକାର ପଡ଼ିଲେ ଫୌଜର ସାହାଯ୍ୟ ନେଇ ବିଦ୍ରୋହକୁ ଦମନ କରିବାକୁ ହେବ । ତଥାପି, ତଥାପି ବିର୍ସା ଉପରେ ତାଙ୍କର ଶ୍ରଦ୍ଧା ଆସୁଥିଲା । ଟୋକା ଗରିବ, ମୁଣ୍ଡା ହୋଇ ଗୋଟେ ବିଶାଳ, ବିରାଟ ଶକ୍ତିଶାଳୀ, ପ୍ରବଳ ପ୍ରଶାସନିକ ବ୍ୟବସ୍ଥାକୁ ବଡ଼ ଆଘାତ ଦେଲା । ହଁ, ଶ୍ରଦ୍ଧା ଆସେ । ଦିନରେ ଅନ୍ତତଃ ଟିକେ ଚିନା ଘାସର ଜାଉ ଖାଇବାକୁ ମିଳେ, ପିନ୍ଧିବାକୁ ଚିରା ଫଟା ଲୁଗା, ଯାହା ପାଖରେ ହତିଆର କେବଳ ଧନୁତୀର, ସେଇ ମୁଣ୍ଡା ଜାତିକୁ ଇଂରେଜ ସରକାରଙ୍କ ବିରୁଦ୍ଧରେ ଠିଆ କରିଦେଲା । ଆଉ ସେ କେମିତି ଶାନ୍ତ, ନମ୍ର, ନିରୀହ ଲାଗୁଥିଲା.... ।

ମନେ ପଡ଼ିଲା ଯେ ଚାଲକାଡ଼ ଆସିବା ଆଗରୁ ଘୋଡ଼ା ଉପରେ ସବାର ହୋଇ ସେ କହିଥିଲେ- “ସରକାର ସହିତ ଶପଥ କରିଛି ଯେ କିଛି ଓଲଟାସିଧା କରିବନି । ମନେ ରଖ । ଶପଥ ଭାଙ୍ଗିଲେ ଦଣ୍ଡ ମିଳିବ ।”

•••

 

ଡିସେମ୍ବର ମାସ । ଜମିଦାରଙ୍କ ଘରକୁ ଫସଲ ଆଣି ରଖାଯାଉଥିଲା । ମୁଣ୍ଡାଲୋକଙ୍କ ଅଗଣାରେ ଧାନ ଓ ବାଜରା । ସ୍ତ୍ରୀ ଲୋକମାନେ ଜମାହୋଇ କହୁଥିଲେ-ଫସଲ ସଫା କରୁଛୁ । ଶୀତଳ ପବନ ଅତି ବେଗରେ ରହୁଥିଲା । ବିର୍ସାର ଦେହରେ ଚାଦର ଥିଲା । ପାଦ ଖାଲି ଥିଲା । ବିର୍ସା ସେମାନଙ୍କର ଘୋଡ଼ାର ଶରୀର ଉପରେ ହାତ ବୁଲାଉଥିଲା ।

ସେ କହିଲେ-“ମନେ ରଖ!”

ବିର୍ସା ଆଖି ଉଠାଇଲା । ହସରେ ଦୁଇ ଆଖି ଚମକୁ ଥିଲା । କହିଲା-“ମନେ ଅଛି ।” ତା’ପରେ ତାଙ୍କ ସହିତ ପାଦରେ ଚାଲି ଚାଲି ଗାଁର ହ୍ରଦ ପର୍ଯ୍ୟନ୍ତ ଗଲା । ପୁଅ-ଝିଅ, ବୁଢ଼ା-ବୁଢ଼ୀ- ସମସ୍ତେ ତାକୁ ଦେଖୁଥିଲେ । ବିର୍ସା ଠିଆହୋଇ ରହିଲା, ସେମାନେ ଚାଲିଗଲେ । ବେକ ବୁଲାଇ ଦେଖିଲେ-ସେ ତେନ୍ତୁଳି ଗଛର ତଳେ ହାତ ଉଠାଇ ଠିଆ ହୋଇଛି । ତାକୁ ଆଉ ଦେଖିହେଲାନି, ପୁଣି ଦେଖିହେବ-ଏଇ ଆଶା ମଧ୍ୟ ନଥିଲା ।

ପିଅର୍ସ କହିଥିଲେ-“ଜେଲ୍‌ରେ ବିର୍ସାର ରହିବା, କଥାବାର୍ତ୍ତା ହେବା, ସବୁ କଥାରେ ଗୋଟେ ସର୍ବନାଶୀ ଆତ୍ମ-ବିଶ୍ୱାସର ଭାବ ଦେଖାଯାଉଥିଲା । ଯେମିତି ରାଜା ସେମିତି ତା’ର ବିଚାର ।”

କିନ୍ତୁ, ରାଜା ପରି ସହଜ, ସ୍ୱାଭାବିକ ଆଭିଜାତ୍ୟ ଭରା ଚାଲି, କଥାବାର୍ତ୍ତା-ବିର୍ସା ପାଖରେ ହିଁ କାହିଁକି? କାହିଁକି ଭରମୀ, ସେନା, ଡୋନ୍‌କା ଆଦି ସାଧାରଣ ଲୋକ ତାକୁ ଦେଖିବାକୁ ଆସିଥିଲେ-। ନିଃସ୍ୱ-ଦୀନ-ଅଭାଗା ମୁଣ୍ଡାମାନଙ୍କ ମଧ୍ୟରେ ଏଇ ସହଜ, ସ୍ୱାଭାବିକ ଆଭିଜାତ୍ୟ କୁଆଡ଼ୁ ଆସିଗଲା? ସେମାନଙ୍କ ଜୀବନତ ପ୍ରାଚୀନ ସଭ୍ୟତାର ଧାରାରେ ପ୍ରବାହିତ ଜୀବନ ଥିଲା? ସେଥିପାଇଁ? କିନ୍ତୁ ତାଙ୍କର ଏଇ ସଭ୍ୟତାଟି କ’ଣ? ସେମାନେ ତ ବର୍ବର ଅସଭ୍ୟ... ।

ଡେପୁଟୀ କମିଶନର ପୁଣି ମୁଣ୍ଡ ହଲାଇଲେ । ଯେମିତି ଏବେ ସବୁକିଛି ବୁଝିଯିବେ, ବିର୍ସା ସମ୍ପର୍କରେ ସବୁ ବୁଝିନେବେ, ମୁଣ୍ଡାଲୋକେ ତାକୁ କାହିଁକି ମାନୁଛନ୍ତି-ସେ କାହିଁକି ବିଦ୍ରୋହ କରୁଛି-କିନ୍ତୁ ଏଇଟା ବୁଝି ହେଉନଥିଲା । ପାରା ଯେମିତି ଖସି ଖସିଯାଏ, ସେଇପରି ସେମାନଙ୍କର ହାତରୁ ଅସଲି ସତ୍ୟ ଖସି ଖସି ଯାଉଥିଲା ।

କିନ୍ତୁ ସେ ଡେପୁଟୀ କମିଶନର । ବିର୍ସା ବିଦ୍ରୋହୀ । ପ୍ରମାଣ ମିଳିଲେ, ନାଲିସ ହୋଇଗଲେ ନିଶ୍ଚୟ ତାକୁ ଦଣ୍ଡ ମିଳିବ । ଛୋଟାନାଗପୁରରେ ଯେଉଁ ରେଣ୍ଟଲ ସହିତ ମୁଣ୍ଡାଲୋକଙ୍କ କୌଣସି ସ୍ୱାର୍ଥ ସଂରକ୍ଷିତ ନାହିଁ, ସେହି କାନୁନ୍‌କୁ ସଂଶୋଧିତ କରିବାକୁ ତ’ ସେମାନେ ଚେଷ୍ଟା କରିଥିଲେ । କାନୁନ୍‌କୁ ସଂଶୋଧିତ କରିବାରେ ବର୍ଷ ବର୍ଷ ଲାଗିଯାଏ । କିଛି ବର୍ଷ ଆଉ ଅପେକ୍ଷା କରିନେଲେ କ’ଣ ହୋଇଯିବ? ସରକାର କ’ଣ ଜମିଦାରମାନଙ୍କୁ ସାହାଯ୍ୟ କରୁଛି? ଜମିଦାର ଓ ସରକାର-ଦୁହେଁ କ’ଣ ମୁଣ୍ଡାଲୋକଙ୍କୁ ଶୋଷଣ କରୁଛନ୍ତି? ଏଥିରେ ଧୈର୍ଯ୍ୟ ହରାଇବାର ଅର୍ଥ କ’ଣ? କେବେ ମୁଣ୍ଡାମାନଙ୍କର ଶୋଷଣ ହୋଇନି? ତାଙ୍କୁ କେବେ ପେଟପୂରା ଖାଇବାକୁ ମିଳିଛି? ତାଙ୍କୁ କେବେ ନ୍ୟାୟ ମିଳିଛି....?

ଡେପୁଟୀ କମିଶନର୍ ଶୁଖିଲା ଗଳାରେ କହିଲେ-“ରିପୋର୍ଟ ପଢ଼ ।”

- “ତାମାର ଥାନାରେ ଦୁଇ ଜାଗାରେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଆକ୍ରମଣ ହୋଇଛି । ବିର୍ସାର ଆଦିମ ସ୍ଥାନ ଉଲିହାଡ଼ୁ ଗାଁ’ର ଗୀର୍ଜାରେ ତୀର ଛଡ଼ାଯାଇଥିଲା । ତୀରପାତରେ ମଧ୍ୟ ଖ୍ରୀଷ୍ଟିୟାନ୍‌ମାନଙ୍କ ଉପରେ ତୀର ଛଡ଼ାଯାଇଥିଲା । ମାରବୀ ଗାଁରେ ପହାନ୍‌କୁ ମଧ୍ୟ ଏମିତି କରାଯାଇଥିଲା । ବାସିୟାରେ ଜର୍ମାନୀ ମିଶନ୍‌ରେ ତୀର ବର୍ଷା ହୋଇଥିଲା, କାଜାରାରେ ମଧ୍ୟ । ରାମଟୋଲିଆରେ ଗୋଟେ ଖ୍ରୀଷ୍ଟିୟାନ୍ ପାଗଳ ହୋଇଯାଇଥିଲା ।”

- “ଆହୁରି ମଧ୍ୟ ଅଛି?”

- “ଖୁଣ୍ଟୀ ଥାନାର ବହୁତ ଗାଁରେ ନିଆଁ ଲଗାଇ ଦିଆଯାଇଥିଲା ।”

- “ସେ ଗାଁ ମୁଣ୍ଡାଲୋକଙ୍କର?”

- “ନା, ମୁରୁହୁରେ ଏଙ୍ଗ୍‌ଲିକାନ୍ ଚର୍ଚ୍ଚ ସ୍କୁଲରେ ରେଭରେଣ୍ଡ୍ ଲାଷ୍ଟୀ ଉପରକୁ ତୀର ଛଡ଼ାଗଲା । କିଏ ପାଗଳ ହେଲାନି ।”

- “ବିର୍ସା ଆଗରୁ ବନ୍ଦୀ ହେବା ସମୟରେ ଲାଷ୍ଟୀ ଚାଲକାଡ଼ ଯାଇଥିଲେ । ସେ ବି ପାଗଳ ହେଲେନି ।” ପୁଣି ଆଗକୁ ପଢ଼ିଲେ-

- “ନୋ । ଦିସ୍ ଆଇ ଡୋଣ୍ଟ୍ କ୍ୱାଇଟ୍ ଅଣ୍ଡର୍‌ଷ୍ଟେଣ୍ଡ୍ ।”

- “ଆଇ ଡୁ ।”

- “କ’ଣ?”

- “ମାରିଦେବା ବା ଗଭୀର ଜଖମ କରିବା ଏହି ସମୟର କାର୍ଯ୍ୟକ୍ରମ ନାଇଁ । ସେମିତି ହୋଇପାରେ । କିନ୍ତୁ ଏହି ସମୟରେ ସବୁ କାର୍ଯ୍ୟକ୍ରମକୁ, ଏହି ଅବସ୍ଥାରେ, ଅଲଗା ଉଦ୍ଦେଶ୍ୟ ।”

 

- “ତା ହେଲେ...”

- “ଦେ ଆର୍ ଇଜ୍ ମୋର ଟୁ ଫଲୋ । ରିପୋର୍ଟ ପଢ଼ ।”

- “ସରୟାଡ଼ା ମିଶନ୍‌ର ଗୋଦାମରେ ନିଆଁ ଲାଗିଯାଇଛି । ରେଭରେଣ୍ଡ୍ ହମ୍ପମେନ୍ ଓ ରେଭରେଣ୍ଡ୍ କାର୍ବେରୀଙ୍କୁ ଲକ୍ଷ୍ୟକରି ତୀର ଛଡ଼ାଯାଇଥିଲା । ଜଣେ ଦୁଇଜଣ ଲୋକଙ୍କ ଛାତିରେ ତୀରର ଚୋଟ ଲାଗିଛି । ଚନ୍ଦାଗୁଟୁର ଜଣେ ପ୍ରଚାରକ ମଧ୍ୟ ତୀରର ଚୋଟରେ ପାଗଳ ହୋଇଛି । ହମ୍ପମ୍ୟାନ୍‌, କାର୍ବେରୀ ଓ ଅନ୍ୟଲୋକମାନେ ଇଟା ପଥର ଜମାକରି ବିଦ୍ରୋହୀମାନଙ୍କୁ ରୋକିବାପାଇଁ ଆଗରୁ ସଚେତନ ଥିଲେ ।”

 

- “ସବୁଆଡ଼େ ପୁଲିସ ପଠାଅ । ତା’ପରେ....?”

- “ସିଂହଭୂମିର ଘଟଣାଗୁଡ଼ିକ ଆହୁରି ଗମ୍ଭୀର । କୁନ୍ଦୁରୁଗୁଟରେ ଜର୍ମାନ ମିଶନ୍ ଚର୍ଚ୍ଚ ଜଳି ଜରି ପାଉଁଶ ହୋଇଯାଇଛି । ଲାଗରାରେ ଗୋଟେ କନେଷ୍ଟବଲ ମରିଯାଇଛି । ଚକ୍ରଧରପୁରରେ ଜର୍ମାନ୍ ଚର୍ଚ୍ଚର ଚୌକିଦାର ମରିଯାଇଛି । ସୋମପୁର ଅଞ୍ଚଳର ଗୋଟେ ଜର୍ମାନ୍ ବ୍ୟବସାୟୀ ମରିଯାଇଛି । ବୀରସାଇତ ଲୋକେ ଯୁଦ୍ଧର ନାଟ ଲଗାଉଛନ୍ତି । ‘ଇନ୍ଦ୍ରୋ ରାନ୍‌ବ୍ରା କେଚୋ- କେଚୋ । ପୁନ୍‌ଡ଼୍ରି ରାନ୍‌ବ୍ରା କେଚୋ- କେଚୋ ।’ ଏହାର ଅର୍ଥ କ’ଣ?”

- “କଳା ଖ୍ରୀଷ୍ଟିୟାନମାନଙ୍କୁ କାଟି ଫିଙ୍ଗ । ଧଳା ଖ୍ରୀଷ୍ଟିୟାନମାନଙ୍କୁ କାଟି ଫିଙ୍ଗ । ତା’ପରେ?”

 

- “ଏବେ ପର୍ଯ୍ୟନ୍ତ ଏଇ ଖବର ଅଛି ।”

- “ଡୁରାଣ୍ଡାକୁ ଖବର ପଠାଅ ।”

- “କେଉଁଠି କି?”

- “ଆର୍ମି ଅଫିସକୁ । କାମାଣ୍ଡିଂ ଅଫିସରକୁ କୁହ, ଛୋଟ ନାଗପୁରର ଡେପୁଟୀ କମିଶନର୍ ଜରୁରୀ କଥା ହେବାପାଇଁ ଡକାଇଛନ୍ତି......ହଁ କେବଳ ଡାକିବାକୁ ହୁକୁମ ଦେଉଛି । ଲେଖିଦେବିନି.... । କ୍ୟାପଟେନ୍ ରୋଶକୁ ଛୁଟିରୁ ପୁଣି ନେଇଆସ । ମୁଁ ରୋଶକୁ ନେଇ, ରାଇଫଲ୍ ନେଇ ଉପଦ୍ରବଗ୍ରସ୍ତ ଅଞ୍ଚଳକୁ ଯାଉଛି ।”

- “ହଁ, ସାର୍‌ ! କିନ୍ତୁ.... ।”

- “ଆର୍ମିକୁ ଖାଲିରେ ଡାକିବା ଉଚିତ ନୁହେଁ । ଏହା ନା? କିନ୍ତୁ ଆର୍ମି ଛୋଟ ନାଗପୁରରେ କାହିଁକି ଅଛି? ବିଦ୍ରୋହ ହେଲେ ଦମନ କରିବାକୁ ନା ! ମୁଁ ଭାବୁଛି ଯେ ମୁଣ୍ଡାମାନଙ୍କର ଏଇଟା ବିଦ୍ରୋହର ଆରମ୍ଭ, ବିର୍ସା ଏମାନଙ୍କର ନେତା । କମାଣ୍ଡିଙ୍ଗ୍ ଅଫିସର, ଆର୍ମି-ଦପ୍ତର ସହିତ ବୁଝି ନେବ । ଏବେ ତାଙ୍କୁ କହିବ ମତେ ସିକ୍ସଥ୍ ଜ୍ୟାଟ୍ ରାଇଫଲ୍‌ସ ସରକାର ।”

 

- “ୟେସ୍ ସାର୍ ।”

•••

 

ଏଇ କଥାବାର୍ତ୍ତା ୨୫ ଡିସେମ୍ବର ୧୮୯୯ରେ ହେଲା ।

୨୯ ଡିସେମ୍ବର ଦିନ ଡୁରାଣ୍ଡାର କମାଣ୍ଡିଂ ଅଫିସର ପାଖକୁ ଗୋଟେ ଡିସ୍ପେଚ୍ ଏଡ଼୍‌ଜୁଟେଣ୍ଟ୍‌‌- ଜେନେରାଲ୍ ଇନ୍ ଇଣ୍ଡିଆ, ହୋମ ଡିପାର୍ଟମେଣ୍ଟକୁ ଗଲା-

“ଛୋଟ ନାଗପୁରର କମିଶନର ମାଗିବା ଯୋଗୁଁ ଡୁରାଣ୍ଡାର କମାଣ୍ଡିଂ ଅଫିସର ଆଜି ସକାଳେ (୨୯-୧୨-୧୮୯୯) କେପ୍ଟେନ୍ ରୋଶ୍‌ଙ୍କ ନେତୃତ୍ୱରେ ସିକ୍ସଥ୍ ଜ୍ୟାଟ୍ ରାଇଫଲ୍‌ସ ସହିତ ଅଶି ଲୋକଙ୍କ ଫୌଜକୁ ଡୁରାଣ୍ଡାରୁ ୨୦ମାଇଲ ଦକ୍ଷିଣ ଚାଇଁବାସା ରୋଡ୍‌ର ସ୍ମିଥ୍ ଖୁଣ୍ଟୀକୁ ପଠାଇଛନ୍ତି । ପାର୍ଟି ରେଗୁଲେଶନ୍ ଅନୁସାରେ ଗୋଳା-ବାରୁଦ ନେଇଛନ୍ତି ।”

୨୯ ଡିସେମ୍ବର ଦିନ ଷ୍ଟ୍ରଟ୍‍ଫିଲ୍ଡ ଓ କ୍ୟାପଟେନ୍ ରୋଶ ସେନାକୁ ନେଇ ବାହାରି ପଡ଼ିଲେ । ଉପଦ୍ରବଗ୍ରସ୍ତ ଅଞ୍ଚଳକୁ ନିରୀକ୍ଷଣ ଓ ବିଦ୍ରୋହ ହେବା ଆଗରୁ ଦବାଇଦେବାପାଇଁ ଉଦ୍ଦେଶ୍ୟ ଥିଲା ।

ଏହି ସନ୍ଦର୍ଭରେ ଷ୍ଟ୍ରଟ୍‌ଫିଲ୍ଡ, ଲେଫ୍ଟନେଣ୍ଟ-ଗଭର୍ଣ୍ଣରଙ୍କୁ ଗୋଟେ ଚିଠି ପଠାଇଲେ । ତା’ର ଉତ୍ତରରେ ସେ ଲେଖିଲେ-ବନଗାଁ, ସିଂହଭୂମିରେ ତଥା ଅନ୍ୟ ଜାଗାମାନଙ୍କର ଯାଞ୍ଚରୁ ଜଣାପଡ଼ିଲା ଯେ, ବୀରସାଇତ ସଙ୍ଗଠନ ଏହି ଅଞ୍ଚଳମାନଙ୍କରେ ବହୁତ ଶକ୍ତିଶାଳୀ ହୋଇଗଲେଣି । ସିଂହଭୂମି ଜିଲ୍ଲାର ୧୫୦ ବର୍ଗମିଟର ଅଞ୍ଚଳ, ଖୁଣ୍ଟୀ ଓ ତାମାର ଥାନାର ୩୦୦ ବର୍ଗମିଟର ଅଞ୍ଚଳ ଓ ରାଞ୍ଚି ଜିଲ୍ଲାର ବସିଆ ଥାନାର ୧୦୦ବର୍ଗମିଟର ଅଞ୍ଚଳକୁ ଶୀଘ୍ର ପୁଲିସର ଦଳ ପଠାଇଦେବା ଦରକାର । ପୁଲିସ ଏଇ ସବୁ ଅଞ୍ଚଳର ସବୁ ଗାଁକୁ ଗସ୍ତ କରିବ ଓ ଗାଁର ଲୋକ ଏଇ ପୁଲିସ ବା ସେନାର ରହିବାର ଖର୍ଚ୍ଚ ଉଠାଇବାକୁ ବାଧ୍ୟ । ଦୁଇ ଜିଲ୍ଲାର ମଧ୍ୟବର୍ତ୍ତୀ ସୀମାନ୍ତରେ ସ୍ଥିତ ବନଗାଁ, ଏଇ ନିୟନ୍ତ୍ରଣ-ବ୍ୟବସ୍ଥାର କେନ୍ଦ୍ର ହେବ । ସମାଚାରରୁ ଜଣାପଡ଼ିଛି ଯେ ଦୁମ୍‌କା ଓ ଚୁଞ୍ଚୁଡ଼ାରୁ ମିଲେଟ୍ରୀ ପୋଲିସ ରାଞ୍ଚିଆଡ଼କୁ ଯାଉଛନ୍ତି ।

ଏଇ ସମୟରେ ରାଞ୍ଚିରେ ରହୁଥିବା ଜଣେ ଓକିଲ ଲକ୍ଷ୍ମଣ ପ୍ରସାଦକୁ ସବ୍‌ଇନିସ୍‌ପେକ୍ଟର ହଜାରୀ ପ୍ରସାଦ ଏକ ଚିଠି ପଠାଇଲେ- “ଯୋଗ୍ୟ ସମ୍ମାନ ସହିତ ନିବେଦନ ପରେ ହଜାର ପ୍ରଣାମ କରି କହୁଛି କକା, ବିନତି ଯେ ମୋର ବଦଳିପାଇଁ ଆପଣ ଦପ୍ତରରେ ଯେମିତି ବି ଚେଷ୍ଟା କରନ୍ତୁ । ଆପଣଙ୍କଠାରୁ ଯେତେ ପଇସା ନେଇଥିଲି ଶଶୁରଙ୍କ ଜମି ବିକି ସୁଝିଦେବି । ଯେମିତି ବିପଦ ପଡ଼ିଛି, ମହାବୀରଜୀ ମଧ୍ୟ ସାହାଯ୍ୟ କରିବେ- ଏ ଆଶା ରଖି ପାରୁନି ।

କକା । କମିଶନର୍ ସାହେବ ଖପ୍‌ପା ହୋଇଗଲେଣି- ବିର୍ସାକୁ ଧରିବେ । ମୋର ସାରା କ୍ଷେତ-ବାଡ଼ି, ଯାହାକିଛି ଶଶୁର ଦେଇଥିଲେ, ସବୁ ଆପଣଙ୍କ କୃପାରୁ ଆଦିମ ଗାଁକୁ ଉଜାଡ଼ି ମିଳିଥିଲା । ବୀରସାଇତମାନେ ପ୍ରଥମେ ମୋର ଗୋଦାମ ଘର ଜଳାଇ ଦେଇଥିଲେ । ଏବେ ଆମର ଗୋଦାମ ଘରେ ତୀର ଛାଡ଼ି ଶଶୁରକୁ କଚେରୀରେ ରଖିଦେଇଛନ୍ତି । ଏପରି ପରିସ୍ଥିତିରେ ଅଞ୍ଚଳରେ ଗସ୍ତ କରିବାର ଅର୍ଥ ଆତ୍ମହତ୍ୟା କରିବା । ବହୁତ ବିପଦରେ ଏହି ସବୁ କଥା କହୁଛି ।

ଛ’ଜାନୁଆରୀ ପର୍ଯ୍ୟନ୍ତ ଆମେ ବିର୍ସାର ତଲାସରେ ଜମକପୋଇ, ରୋଗୋଡ଼ି ଓ ଶଙ୍କରା ଗାଁରେ ବୁଲିଲୁ । ଜମକପୋଇରେ ରାତିର ଅନ୍ଧାରରେ ରିଜର୍ଭ ଫରେଷ୍ଟର ନାଳ କୂଳରେ କିଛି ଦୂର ଗଲାପରେ ଗାଇଡ଼ ପଳାଇଲା । ବିର୍ସାର ଡରରେ ସେମାନେ ଜାଣିଥିବା ରାସ୍ତା ମଧ୍ୟ ଭୁଲିଗଲେ । ଶଙ୍କରା ଗାଁକୁ ଯାଇ ଦେଖିଲୁ ଯେ ସବୁ ଘର ଲୋକ ବିନା ଖାଁ ଖାଁ । ବୁଝିପାରିଲୁ, ଗାଇଡ଼ ଖବର ଦେଇଦେଇଥିଲା ତଲାସୀ ହେବ । ସମସ୍ତେ ପଳାଇଥିଲେ । ଗଛ ଉପରେ ଚଢ଼ି ବୀରସାଇତ ଟୋକା ଦେଖିଥିଲା, ସତର୍କ କରି ଦେଇଥିଲା । ବୁଝାପଡ଼ିଲା ଯେ ଫୌଜ ନେଇ, ରୋଷୋଣୀ ଜଳାଇ, ପାଟିତୁଣ୍ଡ କରି ତଲାସୀ ନେଲେ ମଧ୍ୟ ବିର୍ସାକୁ ଧରିହେବନି । ମୁଁ କ’ଣ କରିବି । ରୋଗାଡ଼ି ଗାଁ ମଧ୍ୟ ଜନଶୂନ୍ୟ ଥିଲା । ମାଲଗୋ ମୁଣ୍ଡାର ଘରୁ ବିର୍ସା ବ୍ୟବହାର କରିଥିବା ଗୋଟେ ଘୋଡ଼ା ଜବତ କରି ନେଇଆସିଚି । କିନ୍ତୁ ମୁଣ୍ଡାମାନେ ମାରିଦେବେ-ଏହି ଡରରେ ନିଜେ ମରିଯାଉଛି । ଅଧିକ କ’ଣ । ଜମିଦାର ଈଶ୍ୱର ସିଂହ ରାଞ୍ଚିରୁ ଡାକ ନେଇ ଯାଉଛି, ତା’ ହାତରେ ଏଇ ଚିଠି ଦେଉଛି ।”

କ୍ୟାପଟେନ୍ ରୋଶଙ୍କ ଡାୟାରୀର ଗୋଟେ ପାରା ଏମିତି ଲେଖାଯାଇଥିଲା ।

- “ଯେଉଁଠାରେ ମୁଣ୍ଡା ଲୋକଙ୍କୁ ଧରାଗଲା, ସେଠାରେ ଯାଞ୍ଚ କଲା ପରେ ଯାହା ଜଣାପଡ଼ିଲା ସେଇଟା ବିଶ୍ୱାସଯୋଗ୍ୟ ନୁହେଁ । ଯାଞ୍ଚର ପୂରା ବିବରଣୀ ହେଲା ।

- ଡେପୁଟୀ କମିଶନର : “ତୁମେ ମିଶନ୍‌ରେ କାହିଁକି ନିଆଁ ଲଗାଇବାକୁ ଚାହିଁଥିଲ ?”

- “ବିର୍ସା ଭଗବାନ କହିଥିଲା ।”

- “ବିର୍ସା ଡରେଇଦେଇ କହିଥିଲା?”

- “ନା, ଡରେଇବ କାହିଁକି?”

- “ତୁମେ ନିଜେ ଶୁଣିଥିଲ? ନିଜ କାନରେ?”

- “ନା, ମୁଁ ତାକୁ ଆଖିରେ ଦେଖିନି । ମୋ ଘର ବହୁ-ତ ଦୂର ।”

- “ଖାଲିପାଦରେ ଜଙ୍ଗଲ ରାସ୍ତାରେ କାହିଁକି ଆସୁଥିଲୁ?”

- “ମିଶନ୍‌ରେ ନିଆଁ ଲଗାଇବାକୁ । ମତେ କ’ଣ ଜଣାଥିଲା ଯେ ସବୁକିଛି ଆଗରୁ ଭସ୍ମ ହୋଇଯାଇଛି ।”

•••

 

ଏଇ ସମୟରେ ଷ୍ଟ୍ରଟ୍‌ଫିଲ୍ଡ ଲେଫ୍ଟନେଣ୍ଟ-ଗଭର୍ଣ୍ଣରଙ୍କୁ ଗୋଟେ ଚିଠି ଲେଖିଲେ: “କେବଳ ଆତଙ୍କ ସୃଷ୍ଟି କରିଲା ଭଳି ହରକତ କରି ଡର ଦେଖାଇ ଯଦି ବିର୍ସା ଜନସାଧାରଣଙ୍କ ବଡ଼ ଅଂଶକୁ ନିଜଆଡ଼କୁ ଟାଣି ଆଣିବାରେ ସମର୍ଥ ତା ହେଲେ ଆକ୍ରମଣ କାର୍ଯ୍ୟକ୍ରମ ବଢ଼ି ବଢ଼ି ଯିବ-ଏହି ଆନ୍ଦୋଳନ ଏକ ବ୍ୟାପକ ବିଦ୍ରୋହରେ ପରିଣତ ହେଲା ପର୍ଯ୍ୟନ୍ତ ବଢ଼ୁଥିବ- ଏଥିରେ କିଛି ସନ୍ଦେହ ନାହିଁ ।”

•••

 

ପୋରାହାଟର ଦୁର୍ଗମ ଜଙ୍ଗଲରେ ବିର୍ସାର ତଲାସରେ ଷ୍ଟ୍ରଟ୍‌ଫିଲ୍ଡ ଚକ୍କର ଲଗାଇବାକୁ ଲାଗିଲେ । ଏଇ ସମୟରେ ବିର୍ସା ତାଙ୍କର ବଡ଼ ଅପମାନର କାରଣ ଥିଲା । ଏବେ ଷ୍ଟ୍ରଟ୍‌ଫିଲ୍ଡଙ୍କୁ ଲାଗିଲା ଯେ ବିର୍ସାକୁ ସବୁ ଜଣାଅଛି-ସେ ଏଇଠି ମୁହଁ ଲୁଚାଇ ହସୁଛି !

•••

 

ରୋଶ୍ ଟିକେ ଗରମ ହୋଇ କହିଲେ-“ଯଦି ଗୁଳି ଚଳାଇବାକୁ ମନା, ହ୍ୱାଇ କଲ୍ଡ ଦ ଆର୍ମି? ହ୍ୱାଇ?”

 

ଷ୍ଟ୍ରଟ୍‍ଫିଲ୍ଡ କହିଲେ-“ନା, ଗୁଳି ଚଳାଯିବନି ।”

- “କାହିଁକି?”

- “କାହା ଉପରେ ଗୁଳି ଚଳାଇବ? ବୁଢ଼ା-ବୁଢ଼ୀ, ପିଲାମାନଙ୍କ ଉପରେ?”

- “ବଟ୍ ଦିସ୍ ଇଜ୍ ରିବେଲିୟନ୍ ।”

- “ଇଜ୍ ଇଟ୍‌? ଆପଣ କ’ଣ ଡିକ୍ସିନାରୀ ଦେଖିଛନ୍ତି?”

- ‘ନା ।”

 

- “ଡିକ୍ସନାରୀରେ କୁହାଯାଇଛି, ପ୍ରତିଷ୍ଠିତ ସରକାରର ବିରୁଦ୍ଧରେ ସଂଘବଦ୍ଧ ସଶସ୍ତ୍ର ବିରୋଧର ନାଁ ରିବେଲିୟନ୍ । ଏବେ ପର୍ଯ୍ୟନ୍ତ ସେମିତି କିଛି ହୋଇନି । ବ୍ୟାପକରୂପେ ଆକ୍ରମଣ କାମ ହୋଇନି । ପ୍ରତିଷ୍ଠିତ ସରକାରର ବିରୁଦ୍ଧରେ ସଶସ୍ତ୍ର ଓ ସଂଘବଦ୍ଧ ବିରୋଧ ଏହାକୁ କୁହାଯିବନି ।”

- “ଏଥିରେ କାହିଁକି ହେଳା ହେଉଛି ।”

- “ନା, ମୁଁ ଯେତିକି ବୁଝିପାରୁଛି, ଆଉ ବେଶୀ ଡେରି ହେବନି ।”

- “କିଛି ଖବର ମିଳିଲା?”

- “ନା, ଦୁଇ ଓ ଦୁଇ ମିଶେଇ ଦେଖୁଛି ଯେ ଚାରି ହେଉଛି ।”

ରୋଶ ଶିର ହଲାଇଲେ । ସିଭିଲ୍-ପ୍ରଶାସନର ଯୁକ୍ତିଗୁଡ଼ିକ ସେମାନଙ୍କୁ ବୁଝାପଡ଼ୁ ନଥିଲା । ଛୋଟାନାଗରପୁରପାଇଁ ବର୍ତ୍ତମାନର ଡେପୁଟୀ କମିଶନର ବୋଧେ ବହୁତ ଯୋଗ୍ୟ ଥିଲେ ।

ଡେପୁଟୀ କମିଶନର ବୁଝିବାରେ ବିଳମ୍ବ କରି ନଥିଲେ । ପାଞ୍ଚ ଜାନୁୟାରୀ ପର୍ଯ୍ୟନ୍ତ ଡେପୁଟୀ କମିଶନର ଚକ୍କର ଲଗାଇବାକୁ ଲାଗିଲେ । ଡେପୁଟୀ କମିଶନର୍‌ଙ୍କର ହଜାର ହଜାର ପୁଲିସ ଓ ଗୁପ୍ତଚରଙ୍କର ଏକ ବଡ଼ ଭାଗ ଖୁଣ୍ଟୀରେ ରାତି-ଦିନ ବିର୍ସାକୁ ତଲାସ କରୁଥିଲେ ।

ସେହି ଖୁଣ୍ଟିରେ ହିଁ ୨୭ ଡିସେମ୍ବରରେ ବିର୍ସାର ଆହ୍ୱାନ ଖେଳିଗଲା-

“ବଡ଼ ଦିନର ଦୁଇଦିନ ବିତିଗଲା । ସରକାର ଏବେ ମୁଣ୍ଡାଲୋକଙ୍କ, ବିଦ୍ରୋହୀ ମୁଣ୍ଡାଲୋକଙ୍କ ଦମନପାଇଁ ତିଆର ହୋଇଗଲାଣି । ଏଇଥର ଆମେମାନେ ଖ୍ରୀଷ୍ଟିୟାନ ମୁଣ୍ଡାମାନଙ୍କ ଉପରେ ତୀର ଛାଡ଼ିଲେ ସତ, କିନ୍ତୁ ଏବେ ବୀରସାଇତମାନେ କୌଣସି ମୁଣ୍ଡା ଉପରକୁ ଆକ୍ରମଣ କରିବେନି । ତାଙ୍କର ଶତ୍ରୁ ଦିକୁ ଓ ସରକାର-ସାଧାରଣତଃ ସରକାର । ସାହେବ ଓ ସରକାର ହିଁ ଆମର ଶତ୍ରୁ । ମୁଣ୍ଡା, ସେମାନେ ଖ୍ରୀଷ୍ଟିୟାନ୍ ହୁଅନ୍ତୁ ବା ନ ହୁଅନ୍ତୁ ସେମାନେ ଡରିବା ଉଚିତ ନୁହେଁ ।”

•••

 

ବୁର୍ଜୁମିଶନ୍‌ର ରେଭରେଣ୍ଡ୍ ପାଟ୍‌ସିଗ୍ ଡେପୁଟୀ-କମିଶନରଙ୍କୁ କହିଲେ-ଡେପୁଟୀ-କମିଶନ ମୁଣ୍ଡା ଲୋକଙ୍କ ନାମ, ଚିହ୍ନ ସୁଦ୍ଧା ପାଉନାହାନ୍ତି, ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା । ସେମାନଙ୍କୁ ଖବର ମିଳିଛି ଯେ-ମୁଣ୍ଡାମାନେ ଜଙ୍ଗଲରେ ଜମା ହେଉଛନ୍ତି-ଉଦ୍ଦେଶ୍ୟ ହେଲା ପୁଲିସ ଓ ମିଲ୍‌ଟାରୀ ସହିତ ଲଢ଼େଇ । ୬ ଜାନୁୟାରୀରେ ବୁର୍ଜୁମିଶନ୍‌ର ପାଖ ଜଙ୍ଗଲରେ କାଠ ଠିକାଦାର ଜିୟେସ୍ ସାହେବ ଓ ତାଙ୍କ ଚାକରର ତୀର ମରାଯାଇଥିବା ଶବ ମିଳିଲା ।

ଜିଉରା ଘନ ଜଙ୍ଗଲରେ, ଦିନରେ ମୁଣ୍ଡା ପଶନ୍ତି ନାହିଁ । ଜିଉରାର ଜଙ୍ଗଲରେ, ଆଶ୍ଚର୍ଯ୍ୟର କଥା, ସବୁ ଗଛ ପ୍ରାୟ ବହୁତ ଉଚ୍ଚ । ସବୁଗଛ ଏକା ପରି । କୌଣସି ଜଳାଶୟ ନାହିଁ । ଏଥିପାଇଁ ସେଠାରେ ଅଧିକ ଜୀବଜନ୍ତୁ ମଧ୍ୟ ଦେଖା ଯାଆନ୍ତିନି । ଏହାଛଡ଼ା, ଲୋକଙ୍କର କହିବା ହେଲାଯେ ଏହି ଜଙ୍ଗଲ-ମା’ର ରକ୍ଷୟିତ୍ରୀ ପରୀମାନଙ୍କର ଲୀଳାଭୂମି-କୌଣସି ଲୋକକୁ ଦେଖିଲେ ହାତ ଠାରି ଜଙ୍ଗଲର ଭିତରକୁ ନେଇ ବାଳରେ ବେକକୁ ଚିପି ଦେଇ ମାରିଦିଅନ୍ତି ।

ରାତିରେ ଜିଉରା ଜଙ୍ଗଲରେ ବୀରସାଇତମାନେ ଏକାଠି ହେଲେ । ଚନ୍ଦ୍ରମାର ପ୍ରକାଶ ମଧ୍ୟ ଜଙ୍ଗଲରେ ପ୍ରବେଶ କରି ପାରୁନଥିଲା, ତଥାପି ଦୁଧ ପରି ଅନ୍ଧାର ଖେଳି ଯାଇଥିଲା । ବିର୍ସା କହିଲା-“ୟା ପରେ ସାହେବ, ଧଳା ଚମଡ଼ା ପିନ୍ଧା ସାହେବ ସହିତ ଲଢ଼େଇ ହେବ । ଯେତେସବୁ କଥା ଆଗରୁ କହିଲି ତୁମେ ସବୁ ମନେ ରଖିଛ, ସରକାର କାହାକୁ ଧରି ପାରିଲାନି । ଆମ ହତିଆର ଅପେକ୍ଷା ତାଙ୍କ ହତିଆର ଭଲ । ସେମାନେ ତାରରେ ଖବର ଦିଅନ୍ତି । ରେଳରେ ସିପାହୀ ମାଗନ୍ତି । ବହୁ-ତ ବନ୍ଧୁକ, ବ-ହୁ-ତ ପଇସା, ବ-ହୁ-ତ ସିପାହୀ ସେମାନଙ୍କ ପାଖରେ । କିନ୍ତୁ ଆମମାନଙ୍କର ନିଜ ଦୁନିଆ ଚଳୁଛି । ତାଙ୍କ ଦୁନିଆର କଥା କାହିଁକି ହେବା? ସିପାହୀ ପଇସା ନେଇ ଲଢ଼ନ୍ତି । ହଁ, ସରକାର ସହଜରେ ଛୋଟ ନାଗପୁରରୁ ଆମ ହାତରେ ଦେବନି । କିନ୍ତୁ ଆମେ କେବେ ଭାବିନେ, ମୁଁ ତୁମକୁ କେବେ କହିନି ଯେ ଏଇ ଲଢ଼େଇଟା ସହଜ । ଉଲ୍‌ଗୁଲାନ୍ ସହଜ ଜିନିଷ ନୁହେଁ ।”

ମୁଣ୍ଡାମାନେ ଚୁପ୍ ଥିଲେ ।

- “ଏତକେଦୀ ଯାଇଥିବା ମୁଣ୍ଡା ଘରକୁ ଷାଠିଏ ବୀରସାଇତ ଯିବେ । ସେଠାରେ ସଭା କରି ଲଢ଼େଇ କଥା ଷାଠିଏ ଲୋକ ଷାଠିଏ ଜାଗାରୁ ଶୁଣି ଆସିବେ ।”

•••

 

- “ଭଗବାନ !”

- “କୁହ, କ’ଣ?”

- “ମୁଁ ମୁଣ୍ଡା ଲୋକଙ୍କ ସର୍ଦ୍ଦାର । ଏଥିପାଇଁ ବୀରସାଇତ ହୋଇଗଲି । ଆମର ସଭା ଚାଲିଲାବେଳେ ଯଦି ସିପାହୀମାନେ ପହଞ୍ଚିଯିବେ?”

- “ଯେମିତି ପରିସ୍ଥିତି ହୋଇଥିବ, ସେମିତି ପରିସ୍ଥିତି ଅନୁସାରେ ଲଢ଼ିବ, ହେଲା । ମୁଁ ସବୁ ମୁଣ୍ଡାମାନଙ୍କ ସହିତ ସବୁ ସମୟରେ ଶରୀରରେ ଉପସ୍ଥିତ ନରହି ମନରେ ଉପସ୍ଥିତ ରହୁଛି । ବାସ୍‌, ସଭା ଶେଷ । ଯେମିତି ଚୁପ୍‌ଚାପ୍ ଆସିଛ ସେମିତି ଚୁପ୍‌ଚାପ୍ ଚଲିଯାଅ ।”

ଗୟା କହିଲା-“ଯେଉଁମାନେ ସଭା କରନ୍ତିନି, ଆମ ସହିତ କଥାବାର୍ତ୍ତା ହୋଇ କାମ କରନ୍ତିନି, ସେଇ, ସେଇସବୁ ମୁଣ୍ଡା ମଧ୍ୟ, ଆମରି ପରି ଭଗବାନଙ୍କ ବାଟରେ ଉଲ୍‌ଗୁଲାନ କରନ୍ତି, ପୁଣି ଉତ୍ତେଜିତ ହୋଇ ଏତକେଦୀର ପୁଲିସଆଡ଼େ ଲକ୍ଷ୍ୟ କରନ୍ତି । ଆମର ଦିନେ ତୀର ଛାଡ଼ିବାର, ନିଆଁ ଲଗାଇବାର କାମ ଥିଲା । ଆମେ ଅଟକି ଗଲେ । କିନ୍ତୁ ମୁଣ୍ଡାମାନେ ତୀର ଛାଡ଼ି ଛାଡ଼ି ଯେଉଁଠି ସେଇଠି ନିଆଁ ଲଗାଇ ବିପଦ ସୃଷ୍ଟି କରୁଛନ୍ତି ।”

ବିର୍ସା କହିଲା-“ଆଉ କିଛି ଉପାୟ ନାହିଁ । ଏମିତି ତ ହେବ, ଭାଇ!”

•••

 

ଖୁଣ୍ଟୀର ହେଡ଼୍‍-କନେଷ୍ଟବଳ ଚାରି ଜାନୁୟାରୀରେ ଏତକେଦୀରେ ପହଞ୍ଚିଲା ।

ଏତକେଦୀରୁ କିଛିଦୂରରେ ତମ୍ବୁ ବାନ୍ଧିଲା । ସାମ୍‌ନାରେ ତାଜନେ ନଦୀ ଥିଲା । ନଦୀର ପାଣି ବଡ଼ ବଡ଼ ପଥରମାନଙ୍କଦ୍ୱାରା ଅଟକି ଗୋଟେ ସୁନ୍ଦର କୁଣ୍ଡ ହୋଇଯାଇଥିଲା । ସାଇକୋ ଓ ଏତକେଦୀ ଗାଁର ଲୋକଙ୍କପାଇଁ ଏହି ନଦୀ ସାରା ବର୍ଷର ସାହାରା ଥିଲା ।

ସନ୍ଧ୍ୟାରେ ସ୍ତ୍ରୀଲୋକେ ନଦୀକୁ ପାଣି ଆଣିବାକୁ ଗଲେ । କହିଲେ- ଘୋଡ଼ା ହଟାନ୍ତୁ । ଲାତ ମାରି ଆମର କଳସୀ ଭାଙ୍ଗିଦେବ ।

- “ଘୋଡ଼ା କେଉଁଠି ଅଛି, ତୁମେମାନେ କେଉଁଠି ଅଛ?”

- “ଡର ଲାଗୁଛି । ତମ୍ବୁ କାହିଁକି ବାନ୍ଧିଛ?”

- “ତମାସା ଦେଖେଇବି ଚାଲ ଦେଖିବ ।”

ଦାନ୍ତୁ ମୁଣ୍ଡାର ସ୍ତ୍ରୀ, ସବୁବେଳେ କଡ଼ା କଥା କହୁଥିବା, ଅଖାଡ଼ୁଆ ରାଗୀ ସ୍ତ୍ରୀଲୋକ ଥିଲା । ସେ କହିଲା-“ଦୁଇ ବରଷ ହେଲା ତୁମମାନଙ୍କର ତମାସା ଦେଖି ଦେଖି ଆଉ ତମାସା ଦେଖିବାକୁ ଆମେ ଚାହୁଁନୁ । ଯଦି ତମାସା ଦେଖିବ ତାହେଲେ ଆମର ବି ଦେଖିନେବ ।”

 

- “କ’ଣ କରିଦେବୁ?”

- “ତୋର ତମ୍ବୁରେ ମହୁମାଛିମାନଙ୍କର ବସା ଛାଡ଼ିଦେବି । ଗଛରେ ବସା ଲାଗିଛି । ଡାଳ କାଟି ଆଣିଦେବି ।”

 

- “ଆରେ ଆମେତ ସରକାରୀ କାମରେ ଆସିଛୁ ।”

ସକାଳେ ଖବର ମିଳିଲାଯେ ହେଡ଼୍‍ କନେଷ୍ଟବଲ ତମ୍ବୁରେ ବସିଛି । ଆହୁରି ତିନିଜଣ ଚୌକିଦାରର ଗାଆଁକୁ ଆସିବେ । ସେଥିପାଇଁ ନଦୀସ୍ରୋତରେ ଓହ୍ଲାଇଛନ୍ତି ।

ନଦୀସ୍ରୋତରେ ବାଲି ଓ ପଥର ଭାଙ୍ଗି ଭାଙ୍ଗି କନେଷ୍ଟବଲ୍ ମୁଣ୍ଡ ଉଠେଇଲେ । ସେ ତଳେ ଥିଲେ । ଉପରେ କୂଳରେ ଉଚ୍ଚ ଉଚ୍ଚ ପଥର ଉପରେ ମୁଣ୍ଡାମାନେ ଠିଆ ହୋଇଥିଲେ । ହାତରେ ଟାଙ୍ଗିଆ ଓ ଧନୁ ତୀର ଥିଲା ।

 

ବାୟା ହାତ ଉଠାଇ କହିଲା, “ସାମାରେ ହୁଜୁଲେ ନାକୋ ମାର ଗୋୟେକୋ ! ୟେ ବୋଧେ ହରୀଶ ଆସିଛି, ତାକୁ ମାର !”

କନେଷ୍ଟବଲ ଓ ଚୌକିଦାରମାନେ ଧାଇଁବାକୁ ଚେଷ୍ଟା କଲେ । କନେଷ୍ଟବଲର ହାତରେ ବନ୍ଧୁକ ଥିଲା । ଏପଟେ ପାଣିର ଧାରଆଡ଼କୁ ମୁଣ୍ଡାମାନେ ଓହ୍ଲାଇ ପଡ଼ିଲେ । ଗୟା କହିଲା-“ଆରେ ଜୟରାମକୁ ମୁଁ ମାରିବି । ସେ ମୋର ଧାନର କୋଠାକୁ ଭାଙ୍ଗି ଜମିଦାରର ହାତୀକୁ ଆଣି ସବୁ ଧାନ ଖୁଆଇ ଦେଇଥିଲା ।”

- “ମତେ ମାରନା, ମତେ ମାରନା ଗୟା...” ଜୟରାମର କଥା ପୁରା ହୋଇ ପାରିଲାନି । ଟାଙ୍ଗିଆ ଚକ୍‌ଚକ୍ ହେଉଥିଲା । ଇସ୍ପାତ ଚକ୍‌ଚକ୍ ହେଉଥିଲା.....ସେଇ ଜୟରାମ ତଳକୁ ଆସିଲା....ଉଠିଲା....ପୁଣି ତଳକୁ ଗଲା....ଉଠିଲା... ।

ତା’ପରେ ମୁଣ୍ଡାମାନେ ଫେରିଗଲେ । କନେଷ୍ଟବଲର ଶରୀର ସେଠାରେ ପଡ଼ିରହିଲା । ଦ୍ୱିପହରେ ହେଡ଼୍‍ କନେଷ୍ଟବଲ ଦେଖିଲାଯେ ଚାରିଆଡ଼େ ଧ୍ୱଂସ ହୋଇଯାଇଛି । ‘କେଉଁଠି ଟିକେ ଛଡ଼ା ହୋଇନି’ ବିତୃଷ୍ଣାର ସହ ଏପରି କହି, ଜୟରାମ ଓ ବୃଦ୍ଧର ଦେହକୁ ଅଖାରେ ପୂରାଇ, ଘୋଡ଼ାର ପିଠିରେ ବାନ୍ଧି ପୁଣି ରାଞ୍ଚିକୁ ଫେରି ଆସିଲା ।

ମୁଣ୍ଡାମାନେ ଗାଆଁକୁ ଫେରିଲେ । ତାଙ୍କ ରକ୍ତରେ ଢୋଲ, ମାଦଳ, ବାଜା-ସବୁ ଏକାସଙ୍ଗେ ବାଜୁଥିଲା । ଏଇଟା ହୋଲି ପରେ ସଫଳ ଶିକାରର, ଆନନ୍ଦର ତୀବ୍ର ଅନୁଭୂତି ଥିଲା-ପ୍ରାଚୀନ ଧର୍ମର ରକ୍ତୋତ୍ସବର ଅପାର ଆନନ୍ଦ ।

ସ୍ତ୍ରୀମାନେ ପୁରୁଷମାନଙ୍କ ଗୋଡ଼କୁ ପାଣିରେ ଧୋଇଲେ । ପୁରୁଷ ଓ ସ୍ତ୍ରୀ ମିଶି ଗୀତ ଗାଇବାକୁ ଲାଗିଲେ ।

•••

 

ବନଗାଁରେ ତମ୍ବୁରେ ବସି ରୋଶ୍ ଷ୍ଟ୍ରଟ୍‍ଫିଲ୍ଡକୁ କହିଲେ-“ଏବେ?”

ଡେପୁଟୀ କମିଶନର୍ କହିଲେ-“ରିବେଲିୟନ୍‌!”

“ତା’ପରେ?”

- “ହେଜ୍ ଟୁ ବି କ୍ରଶଡ଼୍‍ ।”

- “କିଏ ଯିବ?”

- “ମୁଁ ।”

- “କମିଶନର୍ ଫାର୍ବସ୍‌?”

- “ନା ମୁଁ ଯିବି ।”

ହଜାରେ ଜଣ ଥିଲେବି, ସରକାରୀ ପ୍ରଶାସନରେ ଗୋଟେ ନିୟମ ଅଛି । ସଙ୍କଟ ସମୟରେ ପ୍ରଥମେ ଯିବ କନେଷ୍ଟବଲ୍‌, ତା’ପରେ ହେଡ଼୍‍ କନେଷ୍ଟବଲ, ତା ପରେ ଛୋଟ ଦାରୋଗା, ତାପରେ କ୍ରମାନୁସାରେ ଉପର ଅଫିସରମାନେ । ଏଇ ହିସାବରେ ପ୍ରଥମେ ଡେପୁଟୀ କମିଶନର ତା ପରେ କମିଶନର ।

•••

 

ଏପଟେ ଏତକେଦୀରେ ଗୟା ମୁଣ୍ଡାର ପତ୍ନୀ ମାକି ଅଣ୍ଟାରେ ହାତ ରଖି ଗୟାକୁ ଗାଳି କରୁଥିଲା ।

- “ହଁରେ ! ତୋର କୋଉ ଦିନ ବି ଅକଲ ନାହିଁ । କେବଳ ଜିଦ୍ ଧରି ବସିଥା । ପୁଲିସ୍‌କୁ ମାରିଦେଲୁ । ଏବେ ସାହେବମାନେ ତତେ ଛାଡ଼ିବେ? ଘରେ ବସି ଟାଙ୍ଗିଆକୁ ମୁନିଆଁ କରି ଉଲ୍‌ଗୁଲାନ୍ କରୁଛୁ । ଯା’ଜଙ୍ଗଲକୁ ପଳାଇ ଯା ।’

- “ହଁ, ପଳାଇବି । ଭଗବାନ୍ ମୋତେ ସମ୍ଭାଳିବାକୁ ଏଠାକୁ ପଠାଇଛନ୍ତି ।”

- “ଆରେ ବୁଦ୍ଦୁ । ଗଧ । ଭଗବାନ କହିନାହାନ୍ତି ପରିସ୍ଥିତି ଦେଖି କାମ କରିବାକୁ? ଏବେ ଜାଣିନେ କେଉଁ ସମୟରେ ସେମାନେ ଆସିଯିବେ? ତଥାପି ଏତକେଦୀକୁ ଧରି ରହିବୁ? ଲୋକମାନଙ୍କୁ ମାରିବୁ?”

- “ତତେ ଛାଡ଼ି ପଳାଇନି?”

ମାକୀ କହିଲା- “ମତେ ଛାଡ଼ି ଯିବୁନି? ତୁ କେତେ ଦିନ ଘରେ ରହୁଛୁ । ମୁଲକ ଲଢ଼େଇରେ ଆଜି ପର୍ଯ୍ୟନ୍ତ କାହାର ସାହାରାରେ ଘର ଚାଲିଛି? ମୋର ସାହାରାରେ । ମୋ ଉପରେ ଏବେ ମଧ୍ୟ ଭରସା ନାହିଁ?”

ଗୟା ମୁଣ୍ଡା ଅବିଚଳିତ ଥିଲା, ବାହାରକୁ ଯାଇ ବସିଥିବା ସାମରେକୁ କହିଲା-“ତୋର ମା ବହୁତ ବିଗିଡ଼ି ଯାଇଛି ।”

 

- “ତୁ ବି ଚାଲି ଯା’ । ମା’ର କଥାର ଜବାବ ଦିଅନି । କାଲି ମୁଁ ଜଙ୍ଗଲରେ ଥିବାବେଳେ ମାରିବାକୁ ଉଠି ଆସିଥିଲା ।”

- “ସେ ବହୁତ ତେଜରେ । ଥରେ ବାଘ ମୋର ପାଦ ଧରିଦେଇଥିଲା । ତୁ ତା’ର ପିଠିରେ ବାନ୍ଧି ହୋଇଥିଲୁ । ଟାଙ୍ଗିଆରେ ବାଘର ମୁହଁ ଫଡ଼ା କରି ମତେ ଟାଣି ନେଇ ଆସିଥିଲା ।”

•••

 

ଡେପୁଟୀ କମିଶନର୍ ବନଗାଁ କ୍ୟାମ୍ପରୁ ଆସିଲେ । ମୁଣ୍ଡାଲୋକଙ୍କୁ କହିଲେ-“ତୁମେମାନେ ଆତ୍ମସମର୍ପଣ କର । ମୁଁ ଏଠାକାର ଡେପୁଟୀ କମିଶନର୍ କହୁଛି ।”

ଭିତରୁ ଗୟା ଜୋର୍‌ରେ କହିଲା- “ଡି.ସି. ହୋ, ଡି.ସି. ରୁହ । ମୋ ଘରେ ପଶିବାର ଅଧିକାର ତୁମର ନାହିଁ । ଟିକେ ବି ଅଧିକାର ନାହିଁ ।”

 

- “ଆତ୍ମସମର୍ପଣ କର ।”

- “ଏବେ ସକାଳ ହୋଇଛି । ମୋର କାମ ଅଛି ତୁମେ ଯାଅ ।”

•••

 

ଏହି ଘଟଣାର ଯେଉଁ ରିପୋର୍ଟ ଡି.ସି. କମିଶନରକୁ ଦେଇଥିଲେ, ସେଇଟା ହେଲା-

“ମୁଁ ବହୁତ ବୁଝାଇଲି, କହିଲି ଯେ ମୁଁ କିଏ, କିନ୍ତୁ କୌଣସି ଫଳ ହେଲାନି । ଶେଷରେ ସବ୍‌-ଇନିସ୍‌ପେକ୍ଟର ଅଲତାଫ୍ ହୁସେନ୍‌ଙ୍କ ସଙ୍ଗେ ଘର ଭିତରେ ଯେଉଁମାନେ ଥିଲେ ସେମାନଙ୍କୁ ବୁଝାଇବାପାଇଁ ଘରର କାନ୍ଥ ପାଖରେ ପହଞ୍ଚିଲି । ସଙ୍ଗେ ସଙ୍ଗେ ଗୋଟେ ଟାଙ୍ଗିଆ ଅଲ୍‌ତାଫ୍‌କୁ ଲକ୍ଷ୍ୟ କରି ପକାଯାଇଥିଲା । ଗୋଟେ କାଠକୁ ବାଜିଯିବା ଫଳରେ ଅଲ୍‌ତାଫ୍‌କୁ ଟାଙ୍ଗିଆରେ ଚୋଟ ଲାଗିଲାନି, ନହେଲେ ଆଲ୍‌ତାଫ୍ ସେଠାରେ ମରିଯା’ନ୍ତା । ଆଲ୍‌ତାଫ୍‌ର ପଗଡ଼ିରେ ଟାଙ୍ଗିଆ ଲାଗିଯିବାରୁ ସେଇଟା କିଛି ଦୂରରେ ଯାଇ ପଡ଼ିଲା ।”

 

ଆଲ୍‌ତାଫ୍ ଚିତ୍କାର କରି କହିଲା-“ସାହେବ ଗୁଳି ଚଳାନ୍ତୁ ।”

•••

 

- ଗାର୍ଡ଼ । ପୂରା ଘରେ ସ୍ତ୍ରୀ ଓ ପିଲମାନେ ଅଛନ୍ତି ।”

ଡି.ସି. ଛାତ ଆଡ଼କୁ ଗୁଳି ଚଳାଇଲେ । ମାକୀ ଚିତ୍କାର କରି କହିଲା-“ଆମେ ଯିବୁନି । ତୁ ଆସିଲେ ମାରିଦେବୁ ।”

 

ଗୟାର ହାତରେ ତଲବାର ଥିଲା । ସେ କହିଲା-“ଆସିଲୁ ଦେଖି, ଦେଖିବା ତୁ କେମିତିକା ସାହେବ, ମାର ଗୁଳି ।

 

ଡି.ସି.ଗୟା ହାତକୁ ଲକ୍ଷ୍ୟକରି ଗୁଳି ଛାଡ଼ିବା ବେଳେ ସେ ତଲବାର ଫିଙ୍ଗିଦେଲା । ଗୁଳି ଖାଲିରେ ନଷ୍ଟ ହେଲା ।

 

- “ଘର ଜଳାଇ ଦେବି ଗୟା, ଡି.ସି. ଦିଆସିଲି ଦେଖାଇ କହିଲେ ।”

- “ଜଳାଇ ଦେ । ଦୁଇ ଶ’ ବୀରସାଇତ ଏଠାକୁ ଆସିଯିବେ !”

•••

 

ଡି.ସି. ଦିଆସିଲି ଜଳାଇଲେ ଘରର ଚାଳ ଉପରକୁ ଫିଙ୍ଗି ଦେଲେ । ଚାଳ ହୁହୁ ହୋଇ ଜଳି ଉଠିଲା । ପଛୁଆ ପବନ ବହୁଥିଲା ।

ଘରୁ ସ୍ୱର ଶୁଭିଲା-“ହେଇ, ତୋର ସାହେବ ପୁରୁଷରେ-କାହାକୁ ଡରାଉଛୁ?”

•••

 

ସେମାନେ ବାହାରି ଆସିଲେ । ଗୟାର ହାତରେ ତଲବାର ଥିଲା । ମାକୀର ହାତରେ ବଡ଼ ଠେଙ୍ଗାଟିଏ ଥିଲା । ତା’ର ଛୋଟ ପୁଅର ହାତରେ ଟାଙ୍ଗିଆ, ଚଉଦ ବର୍ଷର ନାତି ରାମୁ ହାତରେ ଧନୁ-ତୀର ଥିଲା, ତିନି ଝିଅ-ଧୋଗୀ, ନାଗୀ, ଓଲେମ୍ବୁ-ର ହାତରେ ଲାଠୀ, ତରବାରୀ ଓ ଟାଙ୍ଗିଆ ଥିଲା । ଗୟା କହିଲା-“ସାମ୍‌ନାକୁ ଚାଲି ଆ ।”

ଡି.ସି. ରିଭଲ୍‌ଭର୍ ଛାଡ଼ିଲା । ଗୟାର ଡାହାଣ କାନ୍ଧକୁ ଗୁଳି ବାଜିଲା । ଡି.ସି. ଭାବିଲେ ଏବେ ଗୟା ପଡ଼ିଯିବ । କିନ୍ତୁ ନା, ଗୟା ତଲବାର ଫିଙ୍ଗି ତାଙ୍କ ଉପରକୁ ଝପଟି ପଡ଼ିଲା । ପଛରୁ ଗୟାର ପତ୍ନୀ ମାକୀ ଡି.ସି.ର ମୁଣ୍ଡରେ ଠେଙ୍ଗା ପିଟିବାକୁ ଲାଗିଲା । ଏବେ ପୁଲିସ ରାଗରେ ସ୍ତ୍ରୀ ଓ ପିଲାମାନଙ୍କ ଉପରକୁ ଝପଟି ପଡ଼ିଲା । ଘର ଜୋର୍‌ରେ ଜଳୁଥିଲା । ପଛୁଆ ପବନ ବହୁଥିଲା ।

ଏବେ ଗାଁରୁ ଖାଲି ହାତରେ ଯୋଉ ମୁଣ୍ଡାମାନେ ପଳାଇ ଆସିଥିଲେ, ସେମାନେ ବୀରସାଇତ ନଥିଲେ । ଆହୁରି ପୁଲିସ ମଧ୍ୟ ଥର ଥର ହୋଇ ଆସିଲା । ଗୁଳି ବର୍ଷିବାକୁ ଲାଗିଲା । ଦୁଇଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ ହେବା ପରେ ଗୁଳିରେ ଆହତ ଗୟା, ମାକୀ, ଗୟାର ନାତିମାନଙ୍କୁ, ଝିଅମାନଙ୍କୁ ଓ ପୁଅମାନଙ୍କୁ ଗିରଫ କରାଗଲା । ଅନ୍ୟ ମୁଣ୍ଡାମାନଙ୍କୁ ମଧ୍ୟ ଗିରଫ୍ କରାଗଲା ।

•••

 

ଚାରି ମାସ ପରେ, ମଇ ମାସରେ ରାଞ୍ଚି ଅଦାଲତରେ ବାରିଷ୍ଟର କେବଳ ପଚାରିଲେ-“ସ୍ତ୍ରୀ ଓ ପିଲାମାନେ ଥିଲେ-ତଥାପି ଡି.ସି. କ’ଣ ଗୁଳି ମାରିବା ଉଚିତ ହେଲା? ସେ କେମିତି ନିଜକୁ ନିର୍ଦ୍ଦୋଷ ମାନୁଛନ୍ତି?”

- “ଗୟାକୁ ମାରିବା ହିଁ ମୋର ଉଦ୍ଦେଶ୍ୟ ଥିଲା । କମ୍ ଲୋକଙ୍କୁ ମାରି ମୌକାକୁ ନିଜ କାବୁରେ ଆଣିବାପାଇଁ ମୁଁ ଗୁଳି ଚଳାଇଥିଲି ।”

ବଙ୍ଗଳାର ଶାସକ ଲେଫ୍ଟନାଣ୍ଟ-ଗଭର୍ନର, ଛୋଟ ଲାଟ୍ ସାହେବ ଡି.ସି.ଙ୍କୁ ସମର୍ଥନ କଲେ । ଜେକବଦ୍ୱାରା ସତ କଥାକୁ ପ୍ରଘଟ କରିବା ଚେଷ୍ଟା ବିଫଳ ହେଲା ।

ରାଞ୍ଚିରୁ ଫେରି ଡି.ସି. କହିଲେ ଯେ, ଗୟାର ସାହସ ଓ ଯୁଦ୍ଧ, ସ୍ତ୍ରୀମାନଙ୍କର ପ୍ରତିରୋଧ-ମତେ ସବୁକିଛି ଆଶ୍ଚର୍ଯ୍ୟ ଲାଗୁଛି । ବୀରସାଇତମାନେ ଏବେ ନିଶ୍ଚୟ ମିଶନ୍ ଉପରେ ଆକ୍ରମଣ କରିବେ ।

•••

 

କିନ୍ତୁ ବିର୍ସାର ଫୌଜ ଖୁଣ୍ଟୀ ଥାନାଆଡ଼କୁ ୭ ଡିସେମ୍ବର ଦିନ ଆଗେଇଲା । ଡି.ସି.କୁ ଏହା କଣା ନଥିଲା । ଗୟା ଜମି ଉପରେ ଥୁକି କରି କହିଥିଲା-“ଡି.ସି.କୁ ରୋକି ଦିଆଗଲା । ଭଗବାନ ଏହା କହିଥିଲେ, ନହେଲେ ଖୁଣ୍ଟୀରେ ହିଁ ଲଢ଼େଇ ହୋଇଥାନ୍ତା ।”

ବୀରସାଇତମାନଙ୍କୁ ପିନ୍ଧିବାପାଇଁ ଛୋଟ, ଉଜ୍ଜ୍ୱଳ ଧୋତି, ମୁଣ୍ଡରେ ପଗଡ଼ି ଥିଲା । ଧନୁ ଓ ତୀର, ଢାଲ ଓ ତଲବାର, ବର୍ଚ୍ଛା ଓ ଟାଙ୍ଗିଆ ସୂର୍ଯ୍ୟଆଡ଼କୁ ଦେଖାଇ ସେମାନେ ନାଚି ନାଚି ଆସୁଥିଲେ- ମଝିରେ ମଝିରେ ରହିଯାଉଥିଲେ । ଡୋନ୍‌କା ଆଗରେ ଓ ମାଝିଅ ପଛରେ ଥିଲା ସେମାନେ ଗାଉଥିଲେ-

“ଜିଲିବା ଜିଲିବା

ଜୋଲୋବା ଜୋଲୋବା

ପାନତିଆ କାନାଲେ ବିର୍ସା ହୋ ।

ତିରୋଦା ସେନଦେରା

ଲେଙ୍ଗା ତିରିୟା

ଜୋମ ତିରେ ସାର୍‌

ପାନତିୟା କାନାଲେ ବିର୍ସାହୋ !”

ମଝିରେ ମଝିରେ ବିର୍ସା ଡୋନ୍‌କା ଗୀତ ମଝିରେ କହୁଥିଲା-

“ମୁଣ୍ଡା ଅଞ୍ଚଳରେ ଖୁଣ୍ଟୀର ଏଇ ଥାନା ସରକାର ବନି ବସିଛି ।”

ଚିତ୍କାର କରି କହୁଥିଲା-“ଚାଲ ହେ ମୁଣ୍ଡାମାନେ ! ହତିଆର ନେଇ ଚାଲ । ଖୁଣ୍ଟୀ ଥରହର ହେଉଛି । ଆମେ ତାମାର ଥାନାରୁ, ହାଗାଦା ଥାନାରୁ ଆସିଛେ ହୋ ଚାଲ ।”

ହୁଟୁବଦାଗ, ପତରା, ଗୌରୀମାରା-ସାରା ଜାଗାରୁ ମୁଣ୍ଡାମାନେ ଆସି ମିଶୁଥିଲେ । ମୁଣ୍ଡା ଲୋକଙ୍କ ଯାତ୍ରା ଲମ୍ବା ହେଉଥିଲା । ଆକାଶରେ ସୂର୍ଯ୍ୟ ଚମକୁଥିଲେ, ଆଉ ଚମକୁଥିଲା ସେମାନଙ୍କ ହାତରେ ହତିଆର !

•••

 

ଖୁଣ୍ଟୀରେ କେବଳ ପାଞ୍ଚଜଣ କନେଷ୍ଟବଳ-ଦୁଇଟି ବନ୍ଧୁକ ଓ ଦୁଇଟି କମାଣ ଥିଲା । ଖୁଣ୍ଟୀର ଲୋକମାନେ କହୁଥିଲେ- “କିଏ ନାହିଁ । ବୀରସାଇତମାନଙ୍କୁ ଧରିବାପାଇଁ ବାକି ସମସ୍ତେ ଚାରିଆଡ଼େ ଯାଇଛନ୍ତି ।” ଏହା ଶୁଣି ମୁଣ୍ଡାମାନେ ଯୁଦ୍ଧର ଲଲକାର-‘କୁଳକୁଳି’-ଦେଉଥିଲେ, ସୂର୍ଯ୍ୟଆଡ଼କୁ ହତିଆର ଉଠାଇ ଦେଖାଉଥିଲେ । ସେମାନଙ୍କର ରଡ଼ି ଶୁଣି କନେଷ୍ଟବଲମାନେ ଥାନା ଛାଡ଼ି ଧାଇଁଲେ, କିନ୍ତୁ କନେଷ୍ଟବଲ୍ ରଘୁନୀରାମ ଧାଇଁ ପାରିଲାନି, ପଡ଼ିଗଲା ଓ ପ୍ରାଣ ଭିକ୍ଷା ମାଗିଲା । ଡୋନ୍‍କା କହିଲା-“ତୁ ମୁଣ୍ଡାମାନଙ୍କୁ କେବେ ଦୟା ଦେଖାଇଛୁ? ଦୟା କ’ଣ ଗଛରେ ଫଳୁଛି ଯେ ତୋଳି କରି ଆଣିଦେବି?” ଡୋନ୍‍କା ଓ ମାଝିଆର ହାତ ଉଠିଲା, ଖସିଲା, ଉଠିଲା ପୁଣି ଖସିଲା । ରଘୁନୀରାମର ରକ୍ତ ଚାରିଆଡ଼େ ଖେଳିଗଲା ପରେ ବୀରସାଇତମାନେ ଖୁସିରେ ନାଚି-“ଏଇଟା ସେଇ ଥାନା ! ଏଠାରୁ ମୁଣ୍ଡାମାନଙ୍କୁ ମାରିବାପାଇଁ ପୁଲିସ ଯାଉଛି, କହି ତୀରଫଳ ବାନ୍ଧି ସେଥିରେ ନିଆଁ ଲଗାଇ, ଥାନାକୁ ଜଳାଇବାପାଇଁ ଛାତଆଡ଼କୁ ସେଇଟା ଛାଡ଼ିଦେଲେ । ନିଆଁ ହୁତ୍ ହୁତ୍ ହୋଇ ଜଳିଉଠିଲା ।

ଥାନାରେ ବେତନ ପଇସା ଥିଲା । ବହୁତ ପଇସା ଥିଲା । ବୀରସାଇତ୍‌ମାନେ ତାକୁ ଟିକେ ମଧ୍ୟ ଛୁଇଁଲେନି । ତଥାପି ତାପରେ ସେମାନେ ଫେରି ମହୁଆ ଟୋଲିଆଡ଼କୁ ଚାଲିଲେ । ସେମାନେ ଗାଁର ଗୋଟିଏ ଘରେ ମଧ୍ୟ ପଶିଲେନି । କୌଣସି ଜିନିଷ ଲୁଟିଲେନି । ସେମାନେ ଗାଉଥିଲେ । ମଝିରେ ମଝିରେ ସୂର୍ଯ୍ୟଆଡ଼କୁ ହତିଆର ଉଠାଇ ହଲାଉଥିଲେ ।

୧୨ ଜାନୁଆରୀରେ ବଡ଼ଲାଟ୍ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଫର୍ ଇଣ୍ଡିଆକୁ ତାର ପଠାଇଲେ-“ଜନ-ବିଦ୍ରୋହ ବେଶୀ ହେଉଛି ।”

•••

 

ସବୁକିଛି ହୋଇଗଲାପରେ ବହୁତ-ବହୁତପରେ, ରେଭରେଣ୍ଡ ହମ୍ପମ୍ୟାନଙ୍କ କଥାକୁ ମହତ୍ତ୍ୱ ନଦେବାପାଇଁ ସୁପରିଟେଣ୍ଡେଣ୍ଟ ନିଜ ହାତ କାଟି ନେଇଥିଲେ । ୨୪ ଡିସେମ୍ବରର ଘଟଣା ପରେ ହମ୍ପମ୍ୟାନ୍ ଲେଖିଥିଲେ : “ସିବୁଆ ଗାଁର ଗୋଟେ ନୂଆ ବୀରସାଇତକୁ ତା’ଭାଇ ବୁଝାଇ ସୁଝାଇ ଶାନ୍ତ କରିଥିଲା । ତା’ଠାରୁ ଶୁଣିଲି, ୨୪ ଡିସେମ୍ବର ପରେ ତିନୋଟି ପଞ୍ଚାୟତରେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଆକ୍ରମଣ କରିବାର ଯୋଜନା କରାଯାଇଥିଲା । ପ୍ରଥମ ପଞ୍ଚାୟତରେ ପୁରାଣ-ପୁରୁଷ ଉପସ୍ଥିତ ଥିଲେ ।

ସେତେବେଳେ ତାରିଖ ନିଶ୍ଚିତ ହୋଇଗଲା । ତିନି ବା ଚାରି ବୀରସାଇତ ଅଲଗା ଅଲଗା ଅଞ୍ଚଳରେ ଭାଗ ହୋଇଯାଇଥିଲେ । ସେମାନଙ୍କୁ ୨୪ ଡିସେମ୍ବରରେ ଖ୍ରୀଷ୍ଟିୟାନଙ୍କ ଘରେ ନିଆଁ ଲଗାଇବା ଓ ତୀର ଚଳାଇବାର ଆଦେଶ ମିଳିଥିଲା । ଅନ୍ତିମ ପଞ୍ଚାୟତର ନାନକ ବା ନୂଆ ଦିକ୍ଷିତ ବୀର ସାଇତଙ୍କୁ ଏଇ କଥା ମାଲୁମ ଥିଲା । ମୁଁ ଯାହାର କଥା କହୁଛି, ସେ ସେଇଦିନ ହିଁ ନିଜ ଭାଇ ପାଖକୁ ଯାଇଥିଲା ଓ କହିଥିଲା ଯେ ଆଜିଠୁ ତା’ର ଓ ତା’ ଭାଇର ସମ୍ପର୍କ ତୁଟିଗଲା ।”

କିନ୍ତୁ ହମ୍ପମ୍ୟାନଙ୍କ ରିପୋର୍ଟକୁ ରାଞ୍ଚିର ସରକାର ଉଚିତ ମହତ୍ତ୍ୱ ଦେଲେନି ।

ଛୋଟନାଗପୁରର ଇବେଞ୍ଜଲିକଲ୍ ପତ୍ରିକାର ନାମ ‘ଘର-ବନ୍ଧୁ’ । ତା’ର ୧୫ ଜାନୁୟାରୀ ୧୯୦୦ରେ ଗୋଟେ ସମାଚାର ପ୍ରକାଶିତ ହେଲା-“ଆଠ ଜାନୁୟାରୀରେ ବୀରସାଇତମାନେ ରାଞ୍ଚିକୁ ଆକ୍ରମଣ କରିବେ, ଏହା ପଢ଼ି ସହରରେ ଆତଙ୍କ ଖେଳିଗଲା । ସ୍ୱୟଂସେବକ, ପୁଲିସ କନେଷ୍ଟବଳ ଓ ଅଫିସର କାନ୍ଧରେ ବନ୍ଧୁକ ରଖି ଚବିଶି ଘଣ୍ଟା ସହରକୁ ଆସିବା ରାସ୍ତାରେ ପହରା ଦେଉଥିଲେ ।”

ଖୁଣ୍ଟୀ ଥାନାରେ ଆକ୍ରମଣର ଖବର ମିଳୁ ମିଳୁ ହିଁ ରାଞ୍ଚିର ସୁରକ୍ଷାପାଇଁ ଚାରି ଶହ ସୈନିକ ଡକାଗଲା । ଅନ୍ଧାର ହେଉ ହେଉ ରାସ୍ତା ଶୁନ୍‌ଶାନ୍ ହୋଇଗଲା । ‘ଦ ଇଙ୍ଗ୍‌ଲିସ୍ ମେନ୍‌’ ଲେଖିଲେ-“ନଗରବାସୀମାନଙ୍କୁ ଡର ଥିଲା ଯେ ପତ୍ର ଗହଳରେ ଲୁଚି ବୀରସାଇତମାନେ ବିଷ ତୀର ଛାଡ଼ିବେ । ୧୬ ଜାନୁଆରୀ ମଧ୍ୟରେ ସବୁ ଇଂରେଜ ଅଫିସରଙ୍କ ବଙ୍ଗଳାର ଆଗରେ ହତିଆର ଧରିଥିବା ସୈନିକ ପହରା ଦେଲା । ରାଞ୍ଚିରେ ପୁଲିସ ଓ ସୈନିକ ନିୟମିତରୂପେ ଗସ୍ତ କଲେ । ସିକ୍ସଥ ଜାଟ ରାଇଫଲ୍ସ ଡୁରାଣ୍ଡା ସେନା ଛାଉଣୀ ପହରା ଦେଉଛି.... ।”

•••

 

କିନ୍ତୁ ବିର୍ସା ଆଉ କ’ଣ ଭାବୁଥିଲା ।

ଡୁରାଣ୍ଡାର କମାଣ୍ଡିଙ୍ଗ୍ ଅଫିସର ସିକ୍ସଥ ଜାଟ୍‌ର ଦେଢ଼ ଶ’ ରାଇଫଲ୍ସ ଧାରୀ ସୈନିକଙ୍କୁ ନେଇ ଖୁଣ୍ଟୀ ଚାଲିଗଲା । କମିଶନ୍‌ର ଫାର୍ବସ୍ ନିଜେ ରାଞ୍ଚିରୁ ଆସିଗଲେ । ବାଟରେ ତାଙ୍କ ସାଥୀରେ ଆସିଲେ ସେନାମାନଙ୍କର କର୍ଣ୍ଣେଲ୍ ବେଷ୍ଟମୋର୍‌ଲେଣ୍ଡ । ଖୁଣ୍ଟୀରେ ‘ଯାଞ୍ଚ’ ହେଲା । ଫାର୍ବସ୍ ଓ କର୍ଣ୍ଣେଲ୍ ବୁର୍ଜୁ ଚାଲିଗଲେ ଓ ଷ୍ଟ୍ରଟ୍‌ଫୀଲ୍ଡଙ୍କ ସହିତ ମିଶିଗଲେ ।

ଫାର୍ବସ୍ କହିଲେ-“ଡାକ୍ତର ନଂଟ୍ରଟ୍ ପ୍ରଥମେ ହିଁ କହିଥିଲେ...ହଁ, ମିଶନ୍‌ର ନଂଟ୍ରଟ୍ ....ଯେ ମୁଣ୍ଡା ଲୋକେ ଜନ-ବିଦ୍ରୋହ ନିଶ୍ଚୟ କରିବେ । ବୁର୍ଜୁରୁ ଛ ମାଇଲ୍ ଦୂର ସାଇକୋରେ ସେମାନେ ଜମା ହେବେ, ଏମିତି ତାଙ୍କର ଧାରଣା ଥିଲା ।”

 

- “କିନ୍ତୁ.... ।”

- “ନା, ଡି.ସି.! ସମସ୍ତଙ୍କର ଧାରଣାକୁ ଭୁଲ୍ ବିଚାର କହି, ନିଜ ଧାରଣାକୁ ଭଲ ବୋଲି କହିବାର ପରିଣାମ ଭଲ ହେଲାନି ।”

 

- “ହୁଁ !”

- “ଏବେ ମୁଁ ଚାର୍ଜରେ ଅଛି । ଏବେ ପରିସ୍ଥିତି ଭଲ ନାହିଁ । ଦେଖ, ଯେତେବେଳେ ଦୁଇବର୍ଷ ଆଗରୁ ପ୍ଲେଗ୍ ହୋଇଥିଲା, ସେତେବେଳେ କ’ଣ କିଛି ହୋଇନଥିଲା? ତଥାପି ମହାରାଷ୍ଟ୍ରରେ ଆତଙ୍କ ଚାଲୁଛି । ଚାପେକର୍ ବ୍ରଦର୍ସଙ୍କୁ ଫାଶୀ ଲାଗିଗଲା । ଗଭର୍ନର-ଜେନେରାଲ କର୍ଜନ ପ୍ରଦେଶକୁ ସିରିୟସ୍‌ଲି ବିଭାଜିତ କରି, ଛୋଟ କରିବାକୁ ଭାବୁଛନ୍ତି । କଲିକତାର ନେଟିବ ପ୍ରେସ୍‌ରେ ମଧ୍ୟ ବହୁତ ଅସନ୍ତୋଷ ବ୍ୟାପିଛି ।”

 

- “ସେଇଟା ତ’ ଶିକ୍ଷିତ ଲୋକଙ୍କ ବିରୋଧ ।”

- “ଡିୟର ଡି.ସି. । ଶିକ୍ଷିତ ଲୋକ ହଜାରେ ବିରୋଧ କରନ୍ତୁ, ତଥାପି ସେମାନଙ୍କୁ ସେତେବେଳେ ହତାଶ ଅବସ୍ଥା ଜଣାପଡ଼େ, ଯେତେବେଳେ କିଛି ବର୍ବର ଆଦିବାସୀ ପ୍ରତିଷ୍ଠିତ ସରକାରଙ୍କୁ ଆହ୍ୱାନ କରନ୍ତି ।”

 

- “ତା ହେଲେ?”

- “ପଞ୍ଚ’ର କାର୍ଟୁନ ମନେଅଛି? ବାରୁଦର ଗଡ଼ ଉପରେ ବସି ଦୁଇଜଣ ଇଂରେଜ ଅଫିସର ପାଇପ ପିଉଥିଲେ, ପାଉଁଶ- ନିଆଁ ଛାଡ଼ୁଥିଲେ, ବାରୁଦକୁ ଧୂଆଁ ଉଠୁଥିଲା!”

 

‘ହଁ । କିନ୍ତୁ... ।”

- “ତୁମେ ଆଉ ମୁଁ-ସେଇ ଦୁଇଟି ଲୋକ । ଏବେ ଛୋଟ ନାଗପୁର ବାରୁଦର ଗଡ଼ । ଏବେ ସବୁକଥା ମୋ ଉପରେ ଛାଡ଼ିଦିଅ । ହଜାର ହୋଇଗଲେ ବି ଲେଫ୍ଟେନେଣ୍ଟ-ଗଭର୍ନରଙ୍କୁ ଜବାବ ମୋତେ ହିଁ ଦେବାକୁ ପଡ଼ିବ, ତୁମକୁ ନୁହେଁ ।”

- “ହଉ ।”

- “ରାଞ୍ଚିର ରିଜର୍ଭ ପୁଲିସ ସାଇକୋ ଚାଲି ଯାଆନ୍ତୁ । ମୁଁ ବନଗାଁ ଯାଉଛି । ସେଠାରେ ସିଂହଭୂମିର ଡି.ସି. ଟାମ୍‌ସନ୍ ଅଛନ୍ତି । ସିଂହଭୂମିର ବନଗାଁ, ବେରିଙ୍ଗ, କୁନ୍ଦରୁଗୁଟୁ, ଲାଗରା, ସାଂଗଦା, ଗିର୍ଗା, ଓ ଡୋଙ୍କା ଗାଁରୁ ବୀରସାଇତମାନଙ୍କୁ ଆଣିବାକୁ ପଡ଼ିବ । ଫୌଜର ଆଠ ଟୁକୁଡ଼ା ଗାଁ ଗାଁରେ ବସିରହିବ । ବାକି ସିପାହୀମାନଙ୍କୁ ନେଇ ସବ୍‌-ଇନିସ୍‌ପେକ୍ଟର ବୁଲି ବୁଲି ସେହି ଟୁକୁଡ଼ାମାନଙ୍କୁ ମିଶି ସମାଚାର ଦେବ, ସଦର ପଠାଇବ, ହତିଆର ଜବତ କରିବ । ତା’ପରେ ଦେଖାଯିବ ।”

- “ମୁଁ କ’ଣ ରାଞ୍ଚି ଫେରିଯିବି?”

- “ତୁମେ କ୍ୟାପଟେନ୍ ରୋଶଙ୍କ ସହିତ ରିଜର୍ଭ ପୁଲିସ ଓ ଜାଟ ରାଇଫଲ୍‌ସ୍‌ର ଚାଳିଶି ଲୋକଙ୍କୁ ନେଇ ସାଇକୋ ଚାଲିଯାଅ ।”

- “ଆଛା । ତାହେଲେ ଏବେଠୁ .... ।”

- “ଜଷ୍ଟ ଓବେ ମି ।”

ଷ୍ଟ୍ରଟ୍‌ଫୀଲ୍ଡ ସନ୍ଧ୍ୟା ସାତଟାବେଳେ ସାଇକୋରେ ପହଞ୍ଚିଲେ । ଦ୍ୱିତୀୟ ଦିନ, ୯ ଜାନୁୟାରୀର ସକାଳ ଆଠଟାବେଳେ ସବ୍‌-ଇନ୍ସପେକ୍ଟର୍ ରାମକୃଷ୍ଣ ସିଂହ କ୍ୟାମ୍ପକୁ ଆସିଲେ । ଶୁଖିଲା ଗଳାରେ କହିଲେ-“ହଜୁର, ସେଲରାକାର ପାହାଡ଼ । ବୀରସାଇତମାନଙ୍କଦ୍ୱାରା ଭର୍ତ୍ତି ହୋଇଯାଇଛି ।”

- “ନିଜେ ଦେଖିଛ?”

- “ରାତିରେ ଗଛ ଉପରେ ବସିଥିଲି, ହଜୁର । ରାତିଟା ସାରା ସେମାନେ ଆସିବାକୁ ଲାଗିଲେ । ପତ୍ରମାନଙ୍କର ଖଡ଼ଖଡ଼ରେ ତାଙ୍କର ପାଦର ଶବ୍ଦ ଶୁଭୁଥିଲା । ଲାଗୁଛି-ସ୍ତ୍ରୀଲୋକ ମଧ୍ୟ ଅଛନ୍ତି, ହଜୁର । ଦୂରୁର ଛୋଟ ପିଲାଙ୍କ କାନ୍ଦିବା ଶବ୍ଦ ମଧ୍ୟ ଶୁଣାଯାଉଛି ହଜୁର ।”

- “କମିଶନରଙ୍କୁ କହିବାକୁ ପଡ଼ିବ ।”

- “ତାଙ୍କୁ ଜଣାଅଛି ସେ ଆସୁଛନ୍ତି ।”

•••

 

ଷ୍ଟ୍ରଟ୍‌ଫିଲ୍ଡ ରୋଶଙ୍କୁ କହିଲେ-“ସାଇକୋ ପରେ ଦାଉଦୀ । ଦାହିମୀ ଓ ଡୋମ୍ବାରୀ-ବୁରୁ ।”

- “ହ୍ୱାଟ୍‌?”

- “ବୁରୁ । ଛୋଟ ପାହାଡ଼ । ଡୋମ୍ବାରୀ ବୁରୁର ଉତ୍ତର ପୂର୍ବରେ ବୋର୍ତାଦି ଗୋଟେ ଗାଁ । ସେଲରାକାରର ଦକ୍ଷିଣ ପୂର୍ବରେ ବିଚା-ବୁରୁ, ଉତ୍ତରରେ କୁରୁମ୍ବା-ବୁରୁ, ଗୁଟୁହାଟୁ ଗାଁ ଅଛି- ପଶ୍ଚିମରେ ତିରିଲ କୁଟ-ବୁରୁ, କେରାଉରା ବୁରୁ ଅଛି ।”

- “ହ୍ୱାଇ ଟେଲ୍ ମି ଅଲ୍ ଦିସ୍‌?”

- “ସେଲରାକାରର ଚାରିଆଡ଼ ପାହାଡ଼ରେ, ଜଙ୍ଗଲରେ, ଗାଁ ମାନଙ୍କରେ ବିଦ୍ରୋହ ଆଡ୍ଡା ହୋଇଯାଇଛି ।”

- “ତାହେଲେ?”

- “ଏବେ ଗୁଳି ଚଳାଇବାର ମୌକା ମିଳିବ ।”

- “ତୁମ ପରି ଏବେ ବୈଠକରେ ରହିବା ଝିଅମାନଙ୍କୁ ଛାଡ଼ିବିନି !”

- “ଦେଖା ଯିବ ।”

•••

 

ପଶ୍ଚିମରେ ଖୁଣ୍ଟୀରୁ ଫୌଜ ଆସିଲା । ଦକ୍ଷିଣରେ ସାଇକୋରୁ ପୁଲିସ ଫୌଜ । ମୁଣ୍ଡ ଉପରେ ସିପାହୀ ଟୋପି, କାନ୍ଧରେ ବନ୍ଧୁକ ଥିଲା । କମିଶନର, ଡି.ସି., ପୁଲିସ-ସୁପରିଟେଣ୍ଡେଣ୍ଟ, ଫୌଜର କର୍ଣ୍ଣେଲ୍‌, କ୍ୟାପ୍‌ଟେନ୍‌- ସମସ୍ତେ ପାଦ ବଢ଼ାଇ ଯାଉଥିଲେ । ଅଧ ମାଇଲ ଦୂର ଗଲା ପରେ ସେଲରା କାରରେ ଲୋକମାନଙ୍କର ବୁଲା ଚଲା ଦେଖି ବୁଝାପଡ଼ିଗଲା ସରକାରୀ ଫୌଜ ଜଙ୍ଗଲରେ ପଶିଲେ । ନାଳର କୂଳେ କୂଳେ ଚାଲିବାକୁ ଲାଗିଲେ । ଲୋକହାଟୁର ମାଗନ ମୁଣ୍ଡା ଶାଳ ଗଛ ଉପରେ ବସି ସେମାନଙ୍କୁ ଦେଖିବା ମାତ୍ରକେ ସିଟି ବଜାଇଲା । ସେଲରାକାରରେ ସିଟିର ଶବ୍ଦ ଶୁଭିଲା । ତା’ପରେ ସବୁ ଚୁପ୍ ହୋଇଗଲା ।

ପାହାଡ଼ର ଦକ୍ଷିଣରେ ଗୋଟେ ବଡ଼ ଉଚ୍ଚଭୂମି ଥିଲା । ସେଠାରେ ଠିଆହୋଇ ବିର୍ସା ଦେଖିବାକୁ ଲାଗିଲା ସେମାନେ ମାଡ଼ି ଆସୁଥିଲେ, ମାଡ଼ି ଆସୁଥିଲେ । ପୁଲିସ ଫୌଜ ମାଡ଼ି ଆସି ପାହାଡ଼ ଘେରିନେଲେ । ପଳାଇବାର ରାସ୍ତା ବନ୍ଦ ।

•••

 

- “କ’ଣ ବୁଝିଲୁ?” ଧାନୀ ପଚାରିଲା ।

- “ପୁଲିସକୁ ଘେରାଉ କରିବାପାଇଁ ସମୟ ଦିଆଯାଉଛି ।”

- “ସେମାନେ ଆଗକୁ ଆସିଲେ ବତେଇବୁ ।”

- “ଏବେ ଆଗକୁ ବଢ଼ି ଆସୁଛନ୍ତି । କୌଣସିଆଡ଼େ ଯିବାର ପଥ ନାହିଁ । ସେ କମିଶନର୍ ପଶ୍ଚିମରେ ତିରିଲକୁଟି-ବୁରୁ ଉପରେ ବଢ଼ି ଆସୁଛି । ବୋଧେ ସେଇଠୁ ଗୁଳି ଚଳାଇବ ।”

- “ମଝିରେ ନାଳ ଅଛି ।”

- “କିନ୍ତୁ ତାଙ୍କ ପାଖରେ ତ’ ବନ୍ଧୁକ ଅଛି ।”

- “ୟା ପୂର୍ବରୁ ସେମାନେ ବହୁତ ଗୁଳି ଛାଡ଼ିଲେଣି । ତୋର ନାଁରେ ସେମାନେ ସବୁ ଗୁଳି ଛାଡ଼ୁଛନ୍ତି । କି-ଏ ମଧ୍ୟ ମରିନି ।”

- “ଯେତେବେଳେ ମୁଁ ନିଜେ ହାଜିର ଅଛି....ଡୋନ୍‍କା କାହିଁ?

- “ଡୋନ୍‍କା, ଗୁଟୁହାଟୁର ହାତୀରାମ, ହରି-ସମସ୍ତେ ସାମ୍‌ନାରେ ଅଛନ୍ତି ।”

-“ବୋର୍ତାଦୀର ବୀର ସାଇତ ।”

- “ସମସ୍ତେ ପୂର୍ବରେ ଅଛନ୍ତି ।”

- “ଜିଉରାର ମୁଣ୍ଡାମାନେ କାହାନ୍ତି?”

- “ସେଠାରେ ।”

ଜିଉରାର ବସ୍କାନ୍ ମୁଣ୍ଡା, ମଝିଆ ମୁଣ୍ଡା, ଦୁଡ଼ାଙ୍ଗ ମୁଣ୍ଡାର ପତ୍ନୀମାନେ କହିଲେ-“ସେଇଠି । ତାଙ୍କର କାମ ପଥର ଏକାଠି କରି ଫିଙ୍ଗିବା । ତାଙ୍କୁ କେହି ରୋକି ପାରିବନି ।”

- “ଆମେ ବୀରସାଇତ ହେଇଛୁ ପିଲାମାନଙ୍କର ଦେଖାଶୁଣାପାଇଁ । ଭଗବାନ ସହିତ ରହିବୁ ମଲାବେଳେ ସ୍ୱର୍ଗକୁ ଯିବୁ ।”

ବିର୍ସା ଆଖି ଓ ମୁହଁ ପୋଛିଲା । ମୁହଁରେ ରକ୍ତର କ’ଣ କ’ଣ ଅଧିରତା ଉଛୁଳୁଥିଲା । ୨୫ ଡିସେମ୍ବରରୁ ସେଲରାକାରକୁ ବୀରସାଇତମାନେ ଆସୁଥିଲେ । ଗୁମ୍ଫାମାନଙ୍କରେ ପାଣି ଓ ପରିବାର ନେଇ ପଶୁଥିଲେ । ‘ଆରେ, ତୁମ କୋଳରେ ପିଲା ଅଛି, ଏଇ କଥା କହି ମଧ୍ୟ ସେମାନଙ୍କୁ ରଖାଯାଇ ପାରୁନଥିଲା । ପାହାଡ଼ର ଚାରିଆଡ଼େ ମଝି ମଝିରେ ଛୋଟ ଛୋଟ ପଥର ଆଣି ବୁରୁଜ ତିଆରି କରିବାକୁ ପଡ଼ୁଥିଲା । ଟାଙ୍ଗିଆ-ତୀର-ଧନୁ ଇତ୍ୟାଦିର ପ୍ରବନ୍ଧ କରିବାକୁ ପଡ଼ୁଥିଲା ।

•••

 

ବିର୍ସା ଜାଣିଥିଲା, ବନ୍ଧୁକର ସାମର୍ଥ୍ୟ କ’ଣ । କିନ୍ତୁ ସେ ତ’ ଭଗବାନ । ତା’ର କହିବା ଅନୁସାରେ ମୁଣ୍ଡାମାନେ ମରିବା-ଜିଇଁବାର ବାଜି ଲଗାଇ ଦେଇଛନ୍ତି । ସେମାନଙ୍କୁ ଜଣାଥିଲା ଯେ, ବିର୍ସା ତୀରରେ ସେମାନଙ୍କୁ ଜିତାଇ ଶତ୍ରୁର ଗୁଳିକୁ ବେକାର କରିଦେବ । କିନ୍ତୁ ବିର୍ସା ଜାଣିଥିଲା ଯେ ବନ୍ଧୁକର ଗୁଳିର କ୍ଷମତା ତୀରଠାରୁ ଅଧିକ । ବିର୍ସା ଏହା ମଧ୍ୟ ଜାଣିଥିଲା ଯେ କେବଳ ଅପେକ୍ଷାକୃତ ଆଧୁନିକ ହତିଆର ନେଇ ସବୁଯୁଦ୍ଧ ଜିତି ହୁଏନି । ବିର୍ସା ମଧ୍ୟ ଜାଣିଥିଲା ଯେ ହାର-ଜିତା, ସଫଳତା-ଅସଫଳତାର ସମ୍ଭାବନାଗୁଡ଼ିକ ସାମ୍‌ନାରେ ରଖି ସବୁ ଯୁଦ୍ଧର ଯୋଜନା ତିଆରି ହୁଏନି । ସାନ୍ତାଳମାନେ ଆନ୍ଦୋଳନରେ ଜିତି ନଥିଲେ । ସତାବନ ବରଷ ଆଗରୁ ଜେଲରେ ଜିତି ନଥିଲେ । ସବୁବେଳେ ଇଂରେଜ ଜିତିଲେ-ସବୁବେଳେ, ସବୁ ଲଢ଼େଇରେ ।

ସାହେବ ସବୁବେଳେ ସବୁ ଲଢ଼େଇରେ ଜିତନ୍ତି ।

ସାନ୍ତାଳ, ଖୋଲ, ଖରୁଆ, ସରଦାର ଜିତିଲେ କାରଣ ସବୁ ପରାଜୟ ପ୍ରମାଣ କରିଦେଲା ଯେ ଜିତିବା ପକ୍ଷର ନାମ ରେକର୍ଡ଼ରେ ରହୁଛି-ହାରିଯିବା ପକ୍ଷର ନାମ, ମନୁଷ୍ୟର ରକ୍ତରେ, ଅଭାବରେ, ଭୋକରେ, ଶୋଷରେ, ଧାନ ମଞ୍ଜି ପରି ରହେ-ସେଇ ନାମ କଳା ଲୋକର ପ୍ରତି ଗୀତରେ, ସ୍ମୃତିରେ, ଜାଉରେ, ନିରସ ସ୍ୱାଦରେ, ଉଲଗ୍ନ ମୁଣ୍ଡା ଶିଶୁଙ୍କ ବିବର୍ଣ୍ଣ ଚମଡ଼ାରେ ଓ ମହାଜନର ଧାନକୋଠାରେ ଥରେ କରିଥିବା ପରିଶ୍ରମରେ ଚିରନ୍ତନ ହେଇ ରହିଯାଏ ।

•••

 

ବିର୍ସା ଆଖି ପୋଛିଲା, ଆଖିରେ ଜ୍ୟୋତି ଝଲକୁ ଥିଲା । ସୂର୍ଯ୍ୟ ଚମକୁ ଥିଲା । ତାକୁ ଜଣେ କହିଲା-“ଦୁଇଜଣ ସାହେବ ଆସୁଛନ୍ତି ।”

ବିର୍ସା ବୁଲିପଡ଼ି ଦେଖିଲା, ସୁନାରା-ସେଇ କିଶୋର ଟୋକା । ତା’ର ଓଠ ସଫା ଥିଲା । ଆଖିରେ ଆଶ୍ଚର୍ଯ୍ୟଜନକ ଚାହାଣୀ ।

ଟୋକାକୁ କୁକୁଡ଼ା କାଟିବା ଦେଖି ଡର ଲାଗୁଥିଲା । ଦିନେ ତାକୁ ଦିକୁମାନେ ଚାକିରି-ପଟ୍ଟା ଲେଖାଇ ଦେଇଥିଲେ । ସେଇ ଦିକୁ ତା’ର ମହାଜନ ଥିଲା-ତା’ର ଏଇ ଜୀବନ ଓ ଆଗ ଜୀବନର ମାଲିକ ଥିଲା । ମୁଣ୍ଡାମାନଙ୍କୁ ଚାକିରି ପଟ୍ଟା ଲେଖାଇବା ବଡ଼ ସହଜ ନା । ଆଙ୍ଗୁଠି ଚିହ୍ନ ଲଗାଇ ଗୋଲାମ ହୋଇଯାଏ । ଦାସ-ପ୍ରଥା ବ୍ୟବସାୟ ନାହିଁ, ଏହା କହିଲେ କିଛି ଲାଭ ନାହିଁ । କୋଉ ମୁଣ୍ଡା କଚେରୀକୁ ମକଦ୍ଦମାପାଇଁ ଯିବନାହିଁ କାରଣ ଗୋଲାମି-ପଟ୍ଟାର ମାଲିକ ସବୁ ଅସ୍ୱୀକାର କରିଦେବ । ମୁଣ୍ଡାମାନେ ଜାଣନ୍ତି ଦିକୁମାନଙ୍କର ପଞ୍ଝା ବାଘ ପଞ୍ଝାଠାରୁ ଭୟଙ୍କର । ସେଇ ପଞ୍ଝା ମୁଣ୍ଡାମାନଙ୍କର ଇହକାଳ ଆଉ ପରକାଳର ପୀଡ଼କ ।

ଏଇ ଟୋକା ସେସବୁକୁ ଦମନ କରିବାକୁ ଆସିଛି । ସେଲରାକାର ପାହାଡ଼ ଉପରେ ବନ୍ଧୁକ ହାତରେ ଧରି ଠିଆହୋଇଛି । ବିର୍ସାଆଡ଼କୁ ଚାହିଁ କହୁଛି: “ଦି ଜଣ ସାହେବ, ଏଇଆଡ଼କୁ ଆସୁଛନ୍ତି କାହିଁକି?”

ବିର୍ସା ବୁଝିଲା ସେ ସେଇ ଅସମ୍ଭବକୁ ସମ୍ଭବ କରିପାରିବ । ସିଏ ହେଉଛି ଈଶ୍ୱର । ଏକ ଅଣୁ-କ୍ଷଣରେ ମନେହେଲା ‘ମୁଁ ଭଗବାନ୍ । ମିଶନରେ ଶୁଣିଥିଲି ଯୀଶୁ ଗୋଟେ ରୁଟି ଅଗଣିତ ଲୋକଙ୍କୁ ଖୁଆଇଥିଲେ । ଆନନ୍ଦ ପାଣ୍ଡେ ଶିଖାଇଥିଲେ ପ୍ରହ୍ଲାଦର ପ୍ରାର୍ଥନାରେ ନରସିଂହ ଖମ୍ବ ଓପାଡ଼ି ବାହାରିଥିଲେ । ଦେଖ, ମୁଁ ବି ତାଙ୍କ ପରି । ଭଗବାନ୍‌ ! ଲେଙ୍ଗୁଟି ପିନ୍ଧା, ଦାସର ଦାସ, ଅତ୍ୟନ୍ତ ଗରିବ ମୁଣ୍ଡାଙ୍କ ହାତରେ ବାଉଁଶ ଧନୁ, କୋଚିଲା ତୀର ଧରାଇ ମୁଁ ଅଧା ପୃଥିବୀର ମାଲିକଙ୍କ ଆଗରେ ଠିଆ କରାଇଛି । ତାଙ୍କ ମନରୁ ଡର ଦୂର କରିଛି । ମୁଁ ଭଗବାନ୍‌, ଭଗବାନ୍‌....-

ହଁ, ମୁଁ ଭଗବାନ । ଯେଉଁମାନେ ଢେଲା ମାରି ଆଗକୁ ମାଡ଼ନ୍ତି, ସେଇ ଦିକୁମାନଙ୍କୁ ଘରେ ଗାଲିଚା, ପଙ୍ଖା, ଖଟ, ବିଛଣା, ଚୌକି, କାଚବତୀ, ରୂପାଥାଳି, ମଦ ବୋତଲ, ଗାଡ଼ି, ଘୋଡ଼ା ଯୋଡ଼ି, ଚାକର ଅଛନ୍ତି । ଆମ ମୁଣ୍ଡା ଘରେ କିଛି ନାହିଁ । ମୁଣ୍ଡାମାନଙ୍କର ମନପ୍ରାଣ ନଥାଏ । ସେମାନେ ଘର ଜଳିଲେ ନିଆଁ ଲିଭାନ୍ତି ନାହିଁ, ଘର ଛାଡ଼ି ଚାଲିଯାଆନ୍ତି । ମୁଣ୍ଡାମାନଙ୍କର ଘର ଯେତେବେଳେ ଜଳେ କ’ଣ ବା ଜଳେ । ମୁଣ୍ଡାର ଘର ମାଟି-କାଠ-ପତ୍ରରେ ତିଆରି । ସେଇ ଘରେ ଥାଏ ବା କ’ଣ? ଯେଉଁମାନେ ଲାଠି ଧରି ଆଗକୁ ଯାଆନ୍ତି, ସେମାନେ ହିଁ ଅସଲ ଶତ୍ରୁ, ଦିକୁମାନେ ସେମାନଙ୍କ ସହ ଥାଆନ୍ତି । ମୁଣ୍ଡାମାନଙ୍କ ରକ୍ତରେ ମୁଁ ଏଇ କଥା ପକାଇଦେଲି । ମୁଁ ଭଗବାନ୍‌, ଭଗବାନ୍ ।’

ବିର୍ସା ମୁହଁ ବୁଲାଇଲା । ସୁନାରା ମୁଣ୍ଡରେ ହାତ ରଖିଲା । କହିଲା: “ସେମାନେ କମିଶନର ଓ ଡି.ସି. । କଥା ହେବେ ।”

 

- “କାହିଁକି?”

ବିର୍ସା ହସିଲା । କହିଲା: “ସେମାନେ ସାହେବ ନା । ଗୟାକୁ ଧରିବା ପୂର୍ବରୁ କହିଥିଲେ ଏବେ ମଧ୍ୟ କହିବେ । ଏମାନଙ୍କର ଅଜବ କାଇଦା । ପ୍ରଥମେ ଦି ତିନିଟା କଥା କହି ଆରୋପ ଲଗାଇବେ ।”

- “ତା ପରେ?”

- “ଗୁଳି ଚଳାଇବେ । ଆମକୁ ମାରିବେ । କିନ୍ତୁ ରେକର୍ଡ଼ରେ ଲେଖିବେ ଆମେ ମୁଣ୍ଡାମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଲୁ, ସେମାନେ କଲେ ନାହିଁ । ବାଧ୍ୟହୋଇ ଗୁଳି ଚଳାଇବାକୁ ପଡ଼ିଲା-।”

- “ଯଦି ଆତ୍ମ-ସମର୍ପଣ କରିବ ।”

- “ତେବେ ବି ମାରିବେ । କହିବେ ମୁଣ୍ଡାମାନେ ହିଂସ୍ର ଭଳି ଆଗଉଥିଲେ । ବାଧ୍ୟ ହୋଇ ଗୁଳି ଚଳେଇଲୁ ।”

 

- “ସେମାନେ କିଏ?”

- “ଦୋଭାଷୀ । ମୁଣ୍ଡାରୀ ଭାଷା ତ ସାହେବ ଜାଣନ୍ତିନି ।”

- “ଜାଣନ୍ତିନି । ଦିକୁମାନେ କହନ୍ତି ସାହେବ ସବୁ ଜାଣନ୍ତି ।”

- “ଜାଣନ୍ତିନିରେ । ଦୋଭାଷୀ ଯାହା କହେ, ତାହା ହିଁ ଠିକ୍ ମନେକରନ୍ତି ।”

•••

 

ଷ୍ଟ୍ରଟ୍‌ଫିଲ୍‌ଡ଼ ଠିଆହେଲେ । ହାତ ଉଠାଇଲେ । ଏବେ ସେମାନଙ୍କୁ ସେ ସଫା ସଫା ଦେଖିପାରନ୍ତି । ସେମାନଙ୍କ ଆଖିରେ ଯେମିତି ପ୍ରକାଶ ଚମକୁ ଥାଏ, ଟାଙ୍ଗିଆ ବି ସେମିତି ଚକ୍ ଚକ୍ କରୁଥାଏ । ଦୋଭାଷୀ କହିଲା:

“ତମେ ନିଜକୁ ଧରାଇଦିଅ । ହତିଆର ତଳେ ରଖିଦିଅ ।”

ବିର୍ସା ସୂର୍ଯ୍ୟଆଡ଼କୁ ଟାଙ୍ଗିଆ ଉଠାଇଲା । ପାଟିକରି କହିଲା: “ହତିଆର ରଖ ତମେ ସବୁ ଚାଲିଯାଅ, ହେ ।”

- “ଏଇ ଲଢ଼େଇରେ ଯେଉଁମାନେ ସର୍ଦ୍ଦାର ଆଗକୁ ଆସ ।”

- “ଏ ଲଢ଼େଇରେ ସମସ୍ତେ ସର୍ଦ୍ଦାର ।”

- “ବିର୍ସାକୁ ଆମକୁ ଦେଇଦିଅ ।”

•••

 

ନରସିଂହ ମୁଣ୍ଡା ଆଗକୁ ଆସି କହିଲା- “ଶାସନ କିଏ କରୁଛି? ସାହେବମାନେ ତ’? ଆମେ ଶାସନ କରୁଛୁ? ଆମେ ତାଙ୍କ ରାଜ୍ୟକୁ ଶାସନ କରିବାକୁ ଯାଉଛୁ? ନା ସେମାନେ ଏଠାକୁ ଆସୁଛନ୍ତି? ତା ହେଲେ ହତିଆର କିଏ ରଖିବ? ସାହେବମାନେ ହତିଆର ରଖି ଚାଲିଯା’ନ୍ତୁ । ଆମେ ହତିଆର ପକାଇବାପାଇଁ ଏଠାକୁ ଆସିଛୁ? ନିଜେ ନିଜ ରାଜ୍ୟରେ ଶାସନ କରିବାପାଇଁ ଏଠାକୁ ଆସିଛୁ ।”

•••

 

ଆଉକିଛି କଥା କହିବାକୁ ନଥିଲା, କିଛି ବି ନଥିଲା । ଫାର୍ବସ୍ କହିଲେ- “ପାହାଡ଼ ଘେରା ହୋଇଯାଇଛି । ଏବେ ଉତ୍ତରଆଡ଼ୁ ଆକ୍ରମଣ କଲେ ବିଦ୍ରୋହୀମାନେ ପରାସ୍ତ ହେବେ । ସେତେବେଳେ ଗୁଳି ଚଳାଇବାର ଦରକାର ନାହିଁ ।”

କିନ୍ତୁ କ୍ୟାପ୍‌ଟେନ୍ ରୋଶ୍ କହିଲେ-“ଏତେ ପାଖକୁ ଗଲେ ସିପାହୀମାନେ ବିପଦରେ ପଡ଼ିପାରନ୍ତି । ପଶ୍ଚିମରେ ତିରିଲକୁଟି-ବୁରୁଠାରୁ ଗୁଳି ଚଳାଅ ।” ତିନିଥର ଗୁଳି ଚଳାଗଲା । କାହାକୁ ଗୁଳି ଲାଗିଲାନି । ମୁଣ୍ଡାଲୋକମାନେ ଚିତ୍କାର କରି କହିଲେ-“ଭଗବାନ, ତୁମେ ଶତ୍ରୁମାନଙ୍କର ବନ୍ଧୁକକୁ ବେକାର କରିଦେଲ । ଗୁଳି ନିଷ୍ଫଳ ହୋଇଗଲା । ଦେଖ, ସବୁ ଗୁଳି ବେକାର ହୋଇଗଲା-। କିଏ ବି ପଡ଼ିଲା ନାହିଁ, କିଏ ବି ମରିଲା ନାହିଁ ।”

କିନ୍ତୁ ମିଲିଟାରୀ ରେଜିମେଣ୍ଟଙ୍କ ହାତରେ ରାଇଫଲ୍‌ଗୁଡ଼ିକ ରହିଥିବାରୁ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ହାତ ରାଇଫଲ୍‌କୁ ଚଳାଏ, ତା’ପରେ ରାଇଫଲ ହାତକୁ ଚଳାଏ । ହାତକୁ ରଖି ରଖି ଗୋଟେ ପରେ ଗୋଟିଏ ଗୁଳି ରାଇଫଲ୍ ଭର୍ତ୍ତି କରାଯାଏ-ଆଙ୍ଗୁଠିରେ ଟ୍ରିଗରକୁ ଦବାଇବାପାଇଁ ନାଚାର କରିଦିଏ । କ୍ୟାପଟେନ୍ ରୋଶ୍‌ଙ୍କ ଆଖିର ଉତ୍ସାହ, ପ୍ରଶଂସା-‘ୱେକ୍ ଅପ୍ ବୟେଜ୍‌’- ଚିତ୍କାର ଖରାପ ରାଇଫଲ୍‌ମାନଙ୍କୁ ମଧ୍ୟ ଭଲ କରିଦେଉଥିଲା । ସେତେବେଳେ ଯଦି ହୃଦୟ କହିବ ଯେ ମୁଣ୍ଡାମାନେ ନିରସ୍ତ୍ର, ତା ହେଲେ ବୁଦ୍ଧି କହେ ଯେ ରାଇଫଲ୍‌ର କଥା ଶୁଣିଲେ ନିଶ୍ଚୟ ପ୍ରମୋଶନ ମିଳିବ ।

ଏଥିପାଇଁ ଗୁଳି ପୁଣି ଚାଲିଲା । ଏବେ ପବନରେ ବାରୁଦ ଗନ୍ଧ ଭରି ଯାଉଥିଲା । ଆଶ୍ଚର୍ଯ୍ୟଜନକ ରୂପରେ ରୁକ୍ଷ, ଖଟ୍‌ଖଟ୍ ଶବ୍ଦ ଶୁଭୁଥିଲା । ଗୁଟୁହାଟୁର ହାତୀ ରାସ୍ତା ବର୍ତ୍ତୋଲୀର ସିଗରାଇ ପଥରରେ ପଡ଼ିଗଲେ । ବିର୍ସାକୁ ବୀରସାଇତମାନେ ଟାଣି ଆଣି ପଛରେ ରଖିଦେଲେ । ଲାଲ-ଲାଲ ରକ୍ତ କଳା କଳା ଶରୀରରୁ ବାହାରି କଳା ପଥରରେ ବହିବାକୁ ଲାଗିଲା ।

•••

 

ମଙ୍ଗଳ ମୁଣ୍ଡାର ହାତୀରାମ ଛଡ଼ା ଆଉ ଗୋଟେ ପୁଅ ଅଛି-“ଲେଙ୍ଗୁଟି ପିନ୍ଧି, ଧନୁ ଉଠାଇ ହାତୀରାମର ଭାଇ ଆଗକୁ ଚାଲି ଆସିଲା । ଗୋଟେ ପଟେ କିଶୋର ବାଳକ-“ହାତୁ କିଏ? ‘ନାନକଟା ।’ ‘କେତେ ବୟସ?’ ‘ବାରବର୍ଷ ହୋଇଗଲାଣି ।’ ‘ତା ହେଲେ ଆ’, ମୁଣ୍ଡା କୌଣସି ବୟସରେ ବି ମରିପାରିବ... ।’ ‘ସେମାନେ କାହିଁକି ମରିବେ?’ ‘ପଥର ଉପରେ ଚଢ଼ି ଯା’ ଗୁଲତି ଉଠା ।’ ‘ସେ କାହିଁକି ମରିଗଲା?’ ‘ଜାଣିନି ।’ ‘ମୋ ପାଖରେ ରହ, ଏକେଲା ମରିଲେ ବଡ଼ ଡର ଲାଗୁଛି ।’ ‘ପାଖରେ? ହଁ !”

•••

 

ଗୁଳିର ଶବ୍ଦ । ବାରୁଦର ଗନ୍ଧ ! ଗୁଳିର ଶବ୍ଦ ! ପିଲାମାନେ ଧନୁଆଡ଼କୁ ଝୁଙ୍କିପଡ଼ି ତଳକୁ ଗଡ଼ିଗଲେ-ହରି ପଥର ଉପରେ ଚଢ଼ିଲା ।

ପୁଲିସ ଓ ସେନାମାନେ ଆଗକୁ ମାଡ଼ି ଆସିଲେ । ଫାର୍ବସ୍‌ଙ୍କ ସ୍ୱର-‘ଷ୍ଟପ୍ ଫାୟରିଙ୍ଗ୍ ।’ ଏବେ ଚାରିଆଡ଼ୁ ପାହାଡ଼ ଉପରେ ଆକ୍ରମଣ କର । ଗୁଳି ଚଳାଅନି । ନା, ପୁଣି ଅର୍ଡ଼ର ନ ଦେଲା ପର୍ଯ୍ୟନ୍ତ ଗୁଳି ଚଳାଇବନି । ନୋ ମୋର କିଲିଙ୍ଗ୍ ।”

ସୈନ୍ୟମାନେ ଆଗକୁ ଆସି ବନ୍ଧୁକ ଉଠାଇଲେ, ପୁଲିସ ବି । ଗୌରୀ ମୁଣ୍ଡାନୀର ପିଠିରେ ପିଲା, ହାତରେ ପଥର । ମନଝିଆର ମୁଣ୍ଡାନୀ କୁଆଡ଼େ ଗଲା? ବନ୍ଧନର ମୁଣ୍ଡାନୀ? ଏବେ ଗୌରୀ ମୁଣ୍ଡାନୀ ନିଜର ୨୨ବର୍ଷର ଭରା ଯୌବନର ସବୁ ଶକ୍ତିରେ ଦୁଇ ହାତକୁ ମୁହଁ ପାଖରେ ରଖି ଚିତ୍କାର କଲା-“ଜିଉଡ଼ି ଗାଁର କିଏ ଅଛି, କିଏ ଅଛି । ଆଗକୁ ଆସ ।” ବୁଲିପଡ଼ି-“ବୁଢ଼ା ତୁ କିଏ?” ନାମରୁ କ’ଣ ମିଳିବରେ, ମୁଁ ପୁରାଣ-ପୁରୁଷ ଧର, ହାତରେ ପଥର ଦେବି ।

ପଥର ଘଡ଼ଘଡ଼ ହୋଇ ବର୍ଷୁଥିଲା । ବନ୍ଧୁକ, ସୈନିକ ଆଗକୁ ମାଡ଼ି ଆସୁଥିଲେ । ରେଜିମେଣ୍ଟଙ୍କ ଡାକ-“କ୍ୟାପ୍‌ଟେନ୍ ସାହେବ । କ’ଣ ଅର୍ଡ଼ର?” କ୍ୟାପ୍‌ଟେନ୍ ରୋଶ୍ କହିଲେ-“ୱେକ୍ ଅପ୍ ବୟେଜ୍ ।” “କ୍ୟାପ୍‌ଟେନ୍ ସାହେବ କ’ଣ ଅର୍ଡ଼ର?” ଫାର୍ବସ୍‌ଙ୍କ ଚିତ୍କାର-“ଡୋଣ୍ଟ ସୁଟ୍ ।” କ୍ୟାପ୍‌ଟେନ୍ ରୋଶ୍‌ର ଜବାବ-“ଫାୟାର !” ସିପାହୀମାନଙ୍କର ଚିତ୍କାର-“ସେମାନଙ୍କର ପିଲା, ସ୍ତ୍ରୀ? ପିଠିରେ ପିଲା ବନ୍ଧା ହୋଇଛନ୍ତି ।” କିନ୍ତୁ ରାଇଫଲ୍ କହିଲା-“ଶୁଟ୍ ।” କିଏ କହିଲା-“ଛୋଟ ପିଲାମାନେ କାନ୍ଦୁଛନ୍ତି ।” କିନ୍ତୁ ରାଇଫଲ୍ କହିଲା-“ଶୁଟ୍ ।” ଏବେ ଗୋଟେ ପରେ ଗୋଟେ ଗୁଳି । ଏବେ ସିପାହୀ-ପୁଲିସ, ବୀରସାଇତ ସ୍ତ୍ରୀ-ପୁରୁଷ ସାମ୍‌ନା ସାମ୍‌ନିରେ ଥିଲେ । ଡୋନ୍‍କା ମୁଣ୍ଡାର ଚିତ୍କାର-“ପଳାଇ ଯାଅ ।” ସୋମା ମୁଣ୍ଡାର ଚିତ୍କାର-“ସ୍ତ୍ରୀଲୋକମାନେ, ପିଠିରେ ପିଲା ବନ୍ଧା ହୋଇଛି ।” କିନ୍ତୁ ରାଇଫଲ୍ କହିଲା- ଶୁଟ୍‌ ! କମାଣ -ଗୁଳି । ଗୁଳି-କମାଣ । ଗୌରୀ ବୁଝିଗଲା ଯେ କମାଣର ଫଳ ତା’ର ପିଲାକୁ ଛେଦକରି ତା’ର ପେଟରେ ପଶିଛି, ଛାତିରେ ଗୁଳି ଲାଗିଛି-ସେତେବେଳେ ଗୌରୀ ନିଶ୍ଚଳ ହେଲା । ତାପରେ ଗୁଳି, ଚିତ୍କାର, ଉଲ୍ଲାସ, ଆର୍ତ୍ତନାଦ, ବୁଟ୍‌ର ଶବ୍ଦ, ବାରୁଦର ଗନ୍ଧ-କାକ୍‌ନୀରେ ଗାଳିଗୁଲଜ । ‘ମା ରେ’! କିଏ ଗୋଟେ ପିଲା ରଡ଼ି ଛାଡ଼ିଲା-ପୁଣି ଗୁଳି-!

ଅପରେଶନ୍ ସେଲରାକାର ଓବର୍‌ ! ୟେସ୍‌....ଓବର୍ । ଓବର୍‌- ଓବର୍‌- ଓବର୍‌- ଓବର୍‌- ଓବର୍‌.... ।

•••

 

ପରେ ବହୁତ ପରେ, ମୁଣ୍ଡାରୀ ସ୍ତ୍ରୀମାନଙ୍କ ହତ୍ୟାପାଇଁ ଫାର୍ବସ, ରୋଶ୍ ଓ ଷ୍ଟ୍ରଟ୍‌ଫିଲ୍ଡଙ୍କୁ ଟିକେ ଗାଳି ଶୁଣିବାକୁ ପଡ଼ିଲା । କିନ୍ତୁ ତିନିହେଁ କହିଲେ-“ଗୁଳି ନ ଚଳାଇବା ହୁକୁମ ଭଲ ଭାବରେ ବୁଝା ପଡ଼ିଲାନି । ମୁଣ୍ଡା ପୁରୁଷ ଓ ସ୍ତ୍ରୀମାନେ ଲମ୍ବା ବାଳ ରଖୁଛନ୍ତି ତାଙ୍କର ରଙ୍ଗ ପୂରା କଳା । ଏଥିପାଇଁ ପୁରୁଷ ଓ ସ୍ତ୍ରୀ ଜଣାପଡ଼ିଲେନି । ନା, ଛୋଟ ପିଲାମାନଙ୍କର କାନ୍ଦ ଶୁଣି ମଧ୍ୟ ଫରକ ପଡ଼ିଲାନି । କିନ୍ତୁ ଫୌଜୀ ଓ ଦୀବାନୀ ଦପ୍ତର ତିନିଜଣଙ୍କୁ ନିର୍ଦ୍ଦୋଷ କରିଦେଲା, ପ୍ରତ୍ୟେକଙ୍କ ସାହସ ଓ ସମୟରେ ଜରୁରୀ ବିବେକର ପ୍ରଶଂସା କଲେ । ସ୍ୱୟଂ ଗଭର୍ଣ୍ଣର-ଜେନରଲ ମଧ୍ୟ ପ୍ରଶଂସା କଲେ ।

•••

 

ଏହିପରି ହତାହତର ଠିକ୍ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ଅନୁମାନ ମିଳିଲା । ୨୦ ଜାନୁୟାରୀରେ ‘ଦ ଇଙ୍ଗ୍‌ଲିଶ୍‌ମେନ୍‌’ ସମାଚାର ପତ୍ର ବତାଇଲା ଯେ-“ସରକାରୀ ମୁଖପାତ୍ର ହତାହତର ସଂଖ୍ୟା ବିଷୟରେ ମୌନ ଅଛନ୍ତି । ଖବର ଯେ ପନ୍ଦରରୁ କୋଡ଼ିଏ ଲୋକ ମରିଗଲେ । ଏଇ ସଂଖ୍ୟା ଅଧିକ ହେବା ସ୍ୱାଭାବିକ, କାହିଁକି ନା ମୁଣ୍ଡାମାନେ ଜଙ୍ଗଲକୁ ପଳାଇଛନ୍ତି, ସେଠାରେ ମଧ୍ୟ ମରିଥିବେ, ଓ ରାତିର ଅନ୍ଧାରରେ ପାହାଡ଼ରେ କିଛି ସାଥୀମାନଙ୍କର ଶବ ନେଇ ସମାଧି ଦିଆଯାଇଥିବ ।”

୨୫ ମାର୍ଚ୍ଚରେ ‘ଦ ଷ୍ଟେଟ୍‌ସ୍‌ମେନ୍‌’ ଖବର କାଗଜ ଲେଖିଥିଲା-“କମ୍‌ସେ କମ୍ ଚାରି ଶ’ ମୁଣ୍ଡା ମରିଗଲେ । ଆବଶ୍ୟକ ଯାଞ୍ଚ ହେବା ଦରକାର ।” ବାରିଷ୍ଟର ଜ୍ୟାକବ୍ ଏହି ଅନୁମାନକୁ ଠିକ୍ ମାନିଲେ ।

 

୧୬ ଫେବୃୟାରୀରେ ‘ବଙ୍ଗଳା ପୁଲିସ ଇଣ୍ଟଲିଜେନ୍‌ସ୍‌’ ଲେଖିଥିଲା-“ସର୍ଦ୍ଦାର କହିଥିଲେ ଯେ ସାତ ଶହ ମୁଣ୍ଡା ମରିଗଲେ ।”

‘ଦ ଷ୍ଟେଟସ୍ ମେନ୍‌’ ପୁଣି ଲେଖିଥିଲା ଯେ ଚାଳିଶ ଲୋକ ମରିଗଲେ । ରେଭରେଣ୍ଡ୍ ହମ୍ପମ୍ୟାନ୍‍ ‌କହିଲେ-“କେବଳ କୋଡ଼ିଏ ଜଣ ମରିଲେ ।” ଏବେ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି-“ସେଲରାକାରରେ ଦଶ ଜଣ ମଲେ ଓ ସାତ ଜଣ ଆହତ ହେଲେ । ସରକାରୀ ବିଜ୍ଞପ୍ତିର ବିରୋଧରେ କେତେଜଣ ପାଠକ ‘ଦ ଇଙ୍ଗ୍‌‌ଲିଶ୍‌ମେନ୍‌’ର ସମ୍ପାଦକଙ୍କୁ ଚିଠି ଲେଖିଲେ-“ଆମ ସହିତ ବହୁତ ଦିନର ପରିଚୟ ଯାହାଙ୍କ ସହିତ ଅଛି, ସେସବୁ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଜଙ୍ଗଲକୁ ଯାଇ, ଲୁଚାଇ ଛପାଇ କେଉଁଠି କେଉଁଠି ମୁଣ୍ଡାମାନଙ୍କର ସମାଧି ଦିଆଯାଇଛି-ସେଇଟା ଦେଖାଇବୁ । କଥାଟା ବହୁତ ମହତ୍ତ୍ୱପୂର୍ଣ୍ଣ । ଏବେ ୟାର ବିସ୍ତୃତ ଯାଞ୍ଚ ଜରୁରୀ ଅଟେ ।” ଗୋଟେ ପାଠକର ଚିଠି ବର୍ଷ ୧୯୦୦ର ୧୭ ଏପ୍ରେଲରେ ପ୍ରକାଶିତ ହେଲା । ତା’ପରେ ଜଣାପଡ଼ିଲା ଯେ ସରକାରୀ ବିଜ୍ଞପ୍ତି ହିଁ ଅନ୍ତିମ ରୂପରେ ସତ୍ୟ । ଏହି ସମ୍ପର୍କରେ ଆଉ କୌଣସି ଚିଠି କୌଣସି ସମାଚାର-ପତ୍ରରେ ପ୍ରକାଶିତ ହୋଇନଥିବ ।

•••

 

ସନ୍ଧ୍ୟାରେ ସବୁ ସିପାହୀ ଫେରି ଯାଇଥିଲେ । ପୁଲିସ ସେଲରାକାରରେ ପହରା ଦେଉଥିଲା-। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ସେଲରାକାରର ଗୁମ୍ଫାମାନଙ୍କରୁ ସ୍ତ୍ରୀଲୋକମାନେ, ପିଲାମନେ, ହତିଆର, ଧାନ, ଚିନା-ଦାନା, ମାଟି ହାଣ୍ଡିଆ କାଢ଼ି ଆଣିଲେ । ସନ୍ଧ୍ୟା ପର୍ଯ୍ୟନ୍ତ କଏଦୀ ବୀରସାଇତମାନେ କାଠ କାଟି ଡୋଲି ବନାଇଲେ । ସନ୍ଧ୍ୟାରେ ଡୋଲିମାନଙ୍କରେ ଆହତମାନଙ୍କୁ ନେଇଯିବାର କାମ ମଧ୍ୟ ହୋଇଗଲା ।

ତା’ପରେ ଅନ୍ଧାର ହୋଇଗଲା । ଶରତର ରାତି । ତା’ପରେ ପବନ ବହିବା ଆରମ୍ଭ ହେଲା-। ଆକାଶରେ ଫଟା ଫଟା ବାଦଲ, ଧୀରେ ଧୀରେ ଟୋପା ଟୋପା ବର୍ଷା, ଜଙ୍ଗଲର ପତ୍ର ଉପରେ ବର୍ଷା, ଧୀର ମିଠା ନିଶ୍ୱାସ-ଜଙ୍ଗଲ ନିଶ୍ୱାସ ଛାଡ଼ିଛି ।

•••

 

ଜଙ୍ଗଲ ଭିତର ଘନ ଅନ୍ଧକାରରେ, ଧରତୀରୁ ମୁଣ୍ଡ ଉଠାଇ ନରସିଂହ ମୁଣ୍ଡା କହିଲା-“କିଏ ମାଟି ଖୋଳିଲାରେ ଗୋମୀ?”

- “ଆମର ପୁଅମାନେ ଖୋଳିଲେରେ ଭାଇ ।”

- “କାହିଁକି?”

- “ଯୋଉମାନେ ମରିଗଲେ, ସେମାନଙ୍କୁ କବର ଦେବାପାଇଁ ।”

- “ମତେ ବି କବର ଦେବୁ?”

- “ପ୍ରେତ ପାଖକୁ ନେବିନି?”

- “ନା ! ଯେଉଁଠି ବୀରସାଇତମାନଙ୍କର କବର ଅଛି ସେଠାରେ ରଖିବୁ । ତୁ ମତେ ଘୋଷାଡ଼ି ଆଣିଲୁ ନା ଆଉ କିଏ?”

- “ମୁଁ ଘୋଷାଡ଼ି କରି ଆଣିଲି । ଏବେ ସେମାନେ ଅନ୍ୟମାନଙ୍କୁ ଆଣୁଛନ୍ତି । ସେଲରାକାରରୁ ଜଙ୍ଗଲ ପର୍ଯ୍ୟନ୍ତ ବହୁତ ଲୋକ ପଡ଼ିଛନ୍ତି-ଅଗଣିତ !

- “କାହାକୁ ଜଣାପଡ଼ିବନି ଯେ କେଉଁଠି କବର ଦେବା ସ୍ଥାନରେ ଗୋମୀ । କବରକୁ ବହୁତ ରାଗ ହୁଏ । ଯାହାର ଶବ ଦେଖିବେ, ତାର ଶବ ଜାଳିଦେବେ । ପରିବାରରୁ ପରିବାର ଉଜାଡ଼ି ହେବେ ।”

- “କାହାକୁ ଜଣାପଡ଼ିବନି ।”

- “ତୁମେମାନେ?”

- “ପଳାଇଯିବୁ ।”

- “ପଳାଇଯାଅ । ମୋ ମୁହଁ ଉପରେ ହାତ ରଖିଦେ’ ।”

- “କାହିଁକି ଭାଇ?”

- “ରାତିରେ ବହୁ-ତ ଦୂର ପର୍ଯ୍ୟନ୍ତ ଶବ୍ଦ ଯିବ । କବରମାନେ ଶୁଣିଦେବେ ।”

- “ରଖି ଦେଉଛି ।”

ନରସିଂହ ମୁଣ୍ଡାର ମୁହଁ ଉପରେ ଗୋମୀ ହାତ ରଖିଦେଲା । ଡାହାଣ ହାତ । ନିଜର ବାଁ ହାତ ନିଜ ମୁହଁ ଉପରେ ରଖିଲା । ତା’ର ହୃଦୟରେ ମଧ୍ୟ ହାହାକାର ଉଠୁଥିଲା.... ।

ମାଟି ଖୋଳିବା, ଶବ ଘୋଷାଡ଼ି ଆଣିବାର ଶବ୍ଦ । ପତ୍ରମାନଙ୍କରେ ବର୍ଷାର ମର୍ମର । ଗୋମୀର ହାତ ହଟାଇ ନରସିଂହ କହିଲା-“ଏଠି ଜଙ୍ଗଲ ପୁଣି କଅଁଳିବ କୌଣସି ଚିହ୍ନବର୍ଣ୍ଣ ରହିବନି-। ଗଛ ଦେଖି ମୁଣ୍ଡା ବୁଝିଯିବ ଯେ ଏଠାରେ କାହାର ଶବ ଅଛି ।”

୧୧ ଜାନୁଆରୀ । ଫାର୍ବସ୍ ଖୁଣ୍ଟୀରୁ ମୁଣ୍ଡା ଲୋକଙ୍କୁ, ମୁଖିଆ ଲୋକଙ୍କୁ ଡାକିଲେ, ସେମାନଙ୍କ ସହିତ କଥା ହେଲେ ।

ଷ୍ଟ୍ରଟ୍‌ଫିଲ୍ଡ କହିଲେ-“ରେଭରେଣ୍ଡ୍ ହମ୍ପମ୍ୟାନ୍ ଯାହା କିଛି କହିବେ, ସେଇଟା ହିଁ ଆମର ରାୟ-। ରେଭରେଣ୍ଡ ହମ୍ପମ୍ୟାନ୍ ଜାଣିଛନ୍ତି । ମୁଣ୍ଡାମାନଙ୍କୁ ଜାଣିଛନ୍ତି । ସେ ମିଶନ୍‌ର ଲୋକ । ତାଙ୍କର ଦୃଷ୍ଟିକୋଣ ଉଦାର, ମନରେ ମଧ୍ୟ କରୁଣା ଭରି ରହିଛି ।”

ହମ୍ପମ୍ୟାନ୍ କହିଲେ-“ସେମାନଙ୍କ ଉପରେ ଦୟା ଦେଖାଇବା କଟା ଘା’ରେ ଲୁଣ ଛିଞ୍ଚିବା ପରି ହେବ । ବିର୍ସାର ଭକ୍ତମାନେ ପୁରୁଷମାନଙ୍କର କଥା କହୁଛନ୍ତି ନା? ସେମାନଙ୍କର ସ୍ତ୍ରୀମାନେ ସାମୂହିକ ଲକ୍ଷ୍ୟ କ’ଣ ଏତିକି ହିଁ ଜାଣିଛନ୍ତି । ନା, ଏମାନଙ୍କୁ କଠୋର ଦଣ୍ଡ ଦିଅନ୍ତୁ ।”

- “କି ପ୍ରକାର ଦଣ୍ଡ?”

- “ବିର୍ସାର ସମ୍ପତ୍ତି ଦଖଲ କରନ୍ତୁ । ସ୍ତ୍ରୀମାନେ ଯେପରି ଗାଁର ବାହାରକୁ ଯିବେନି । ଯିଏ ଧରା ପଡ଼ିବ, ତାକୁ ମାରି ଦିଆଯିବ । ପ୍ରଥମ ଦଳ ଯଦି ଜଲ୍‌ଦି ମାରି ହୋଇଯିବ ତା ହେଲେ କାମଟା ଟିକେ ସହଜ ହୋଇଯାଆନ୍ତା ।”

- “ନାଇସ୍ ।”

-“ଯେତେବେଳ ପର୍ଯ୍ୟନ୍ତ ସଶସ୍ତ୍ର ବୀରସାଇତମାନଙ୍କୁ ଧରାଯିବନି, ସେତେବେଳ ପର୍ଯ୍ୟନ୍ତ ଅନ୍ୟ ବୀରସାଇତମାନଙ୍କୁ ବନ୍ଦୀକରି ରଖାଯାଉ । ମୁଖିଆମାନେ ଯଦି ଏମିତି କରିବେ ତାହେଲେ ସେମାନଙ୍କୁ ମଧ୍ୟ ଭବିଷ୍ୟତରେ ଆଶ୍ରୟ ମିଳିବନି ।”

 

- “ଡି.ସି.ଙ୍କର କ’ଣ ଏହି ରାୟ?”

- “ହଁ ।”

- “ଆଶ୍ଚର୍ଯ୍ୟ । ଜଣେ ମିଶନାରୀ, ଆଉ ଜଣେ ଡି.ସି. । ଉପଯୁକ୍ତ ପ୍ରସ୍ତାବ । ଶୁଣନ୍ତୁ, ଏତେ ଉତ୍ତେଜନାରେ ଭାବିଥିବା ଅତ୍ୟାଚାର ଚାଲିବନି, କାହିଁକି ନା ସେମିତି କରିବା ବୀରସାଇତମାନଙ୍କୁ ପୁଣି ବିଦ୍ରୋହର ରାସ୍ତାରେ ଚଲେଇବା ପରି ହେବ । ଆଇନ୍‌ଙ୍କୁ ଭାଙ୍ଗିବାର ସବୁ ଚେଷ୍ଟାକୁ ଅଟକାଇବାକୁ ହେବ । କିନ୍ତୁ, ବିର୍ସା କରିଥିବା ଧର୍ମ ପ୍ରତି ସରକାରର ଆକ୍ରୋଶ ନାହିଁ । ଏବେ ନୂଆ ନୀତିରେ କାମ ଚଳାଇବାକୁ ହେବ ।”

- “ଯେମିତି...?”

ଫାର୍ବସ୍ ଗୋଟେ କାଗଜ ବଢ଼ାଇଦେଲେ, ଯେଉଁଥିରେ ଲେଖାଥିଲା-

“ଆନ୍ଦୋଳନକାରୀମାନଙ୍କର ଦଳକୁ ଆବଶ୍ୟକ ହେଲେ ବଳଦ୍ୱାରା ଭାଙ୍ଗିବାକୁ ହେବ । ଯେଉଁ ଲୋକମାନେ ଦଙ୍ଗା ବା ଅନ୍ୟ କିଛି ଦଣ୍ଡନୀୟ କାମ କରିଛନ୍ତି, ସେମାନଙ୍କୁ ଜେଲ୍‌ରେ ଦଣ୍ଡ ଦିଆଯିବ ।

 

ହତ୍ୟା, ହତ୍ୟାର ଚେଷ୍ଟା ଓ ପୁଲିସ ଅନୁସାରେ ଅପରାଧରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ ଓ ତାଙ୍କ ଉପରେ ମକଦ୍ଦମା ଚଳାଯିବ ।

ବର୍ତ୍ତମାନ ଏହି ଘଟଣା ଘଟିଲା ସମୟରେ ଯେଉଁ ଲୋକମାନେ ନିଜ ଗାଁରେ ଉପସ୍ଥିତ ଅଛନ୍ତି-ଯେଉଁ ବୀରସାଇତମାନଙ୍କର ପ୍ରମାଣ ମିଳିବ ତାଙ୍କର ଉଲ୍ଲିଖିତ ଅନୁପସ୍ଥିତିପାଇଁ ସନ୍ତୋଷ ଜନକ ବିବରଣୀ ଦାବି କରାଯିବ । କାହିଁକି ସେମାନେ ଶାନ୍ତିପୂର୍ଣ୍ଣ ଆଚରଣପାଇଁ ରାଜି ହେଉନାହାନ୍ତି-ଏଥିପାଇଁ କାରଣ ବତାଇବାକୁ ପଡ଼ିବ ।

ଏଇ ସବୁ କ୍ଷେତ୍ରରେ ଏଥିପାଇଁ ପୁଲିସ ରଖିବାକୁ ପଡ଼ିବ, ଯେମିତି ଭବିଷ୍ୟତରେ ଶାନ୍ତି ବ୍ୟବସ୍ଥା ରହିବ ।”

ହମ୍ପମ୍ୟାନ୍ କହିଲେ-“ଠିକ୍ ଅଛି । ଆପଣମାନେ ଯାହା ଚାହୁଁଥିଲେ, ତା ଠାରୁ ଅଧିକ ଦଣ୍ଡ ଦିଆଯାଇଛି । କେବଳ ଗୁଳିରେ ମରାଯିବନି ।”

- “ପୁଲିସ ଯଦି ଗାଁ ମାନଙ୍କରେ ବୁଲୁଥିବ ତା ହେଲେ ସ୍ଲୋ ଡେଥ୍ ହେବ ।”

“ବିଲ୍‌କୁଲ୍ ଠିକ୍‌ ! ପୁଲିସ ରଖିବାର ଅନ୍ୟ କୌଣସି ମତ୍‌ଲବ୍ ଅଛି? ପୁଲିସ ରହିବ, ମିଲିଟାରୀ ରହିବ, ସେମାନଙ୍କ ଘୋଡ଼ା ଘାସ ଖାଇବେ, ସେମାନଙ୍କର କାଠ, ପାଣି, ଖାଇବା ଖର୍ଚ୍ଚ ସେମାନଙ୍କ ଉପରେ ଲାଗିବ । ମୁଣ୍ଡା ଲୋକଙ୍କ ଭାଗ୍ୟରେ ତିଳ-ତିଳ ହୋଇ ମରିବା ଅପେକ୍ଷା ଆଉ କ’ଣ ଅଛି ।”

 

- “ବିଦ୍ରୋହୀମାନଙ୍କୁ ଧରିବା ଆଗରୁ ଥାନା ଓ ମିଶନ୍‌ରେ ପହରା ଦେବା କଥା କଣ?”

- “ସବୁ ହୋଇଯାଇଛି ।”

•••

 

ଫାର୍ବସ୍ ହସିଲେ । ବିର୍ସା ? ବିର୍ସା ଦାଉଦ ! ବିର୍ସା ଭଗବାନ ! ବିର୍ସା ସେମାନଙ୍କର ଜୀବନରେ କ’ଣ ସତରେ ଭଗବାନ ହୋଇ ଆସିଛି? ଛୋଟ ନାଗପୁର ପରି ଅଭାଗା ଜାଗାକୁ କମିଶନର ହୋଇ ଆସିଲା ପରେ ଏମିତି ସୌଭାଗ୍ୟ ମିଳିବ-ଏମିତି କିଏ ଜାଣିଥିଲା? ରାଜଦ୍ରୋହକୁ ଦମନ କରିବାର ସୁଯୋଗ ମିଳିବ କ’ଣ ଏତେ ସହଜ କଥା?”

କହିଲେ-“ରାଞ୍ଚି ଓ ସିଂହଭୂମିର ସବୁ ଉପଦ୍ରବଗ୍ରସ୍ତ ଅଞ୍ଚଳରେ, ସବୁ ଥାନାରେ, ସବୁ ଗାଁରେ, ସବୁ ମିଶନ୍‌ରେ ରାଇଫଲଧାରୀ ପୁଲିସ ଓ ମିଲିଟାରୀ ଅଛନ୍ତି । ଦୁମକା ଓ ଅନ୍ୟ ଜାଗାମାନଙ୍କରୁ ମିଲିଟାରୀ ପୁଲିସ ଆସୁଛି । ପରିସ୍ଥିତି କ’ଣ-କିଛି ଜଣାପଡ଼ୁଛି?”

- “ବହୁତ ବଡ଼ କାମ ଅଛି ।”

ଫାର୍ବସ୍ ପୁଣି ହସିଲେ । ବିର୍ସା! ବିର୍ସା ଦାଉଦ ! ବିର୍ସା ଭଗବାନ । କହିଲେ-ଡି.ସି. । ନେଭର ଇଗ୍‌ନୋର୍ ଦ ବ୍ରିଟିଶ୍ ଲ । ବ୍ରିଟିଶ୍ କାନୁନ୍‌କୁ ହେୟ ଭାବନା । କାନୁନ୍‌କୁ ନିଜ ପଞ୍ଝାରେ ଧରିବାକୁ ଚେଷ୍ଟା କରିବାରୁ ମୁଣ୍ଡାଲୋକଙ୍କୁ ଯେଉଁ ଦଣ୍ଡ ମିଳିବ, ତାହା ଆଉ କୌଣସି ପ୍ରକାରେ ମିଳିବନି । ପ୍ରଥମ ସୁବିଧା ହେଲା, ଜଳ ମୁଣ୍ଡାରୀ ବୁଝି ପାରନ୍ତିନି । ଦ୍ୱିତୀୟ ସୁବିଧା ହେଲା ମୁଣ୍ଡା ଲୋକେ କାନୁନ୍ ଓ ଇଂରାଜୀ ଭାଷା ବୁଝନ୍ତିନି । ତୃତୀୟ ସୁବିଧା ହେଲା-ପ୍ରଥମେ ସେମାନଙ୍କୁ ଗିରଫ କରି ଜେଲ୍‌ରେ ରଖିଦିଅ । ମକଦ୍ଦମା କରିବାପାଇଁ ସେମାନଙ୍କର ଯାଞ୍ଚ ଚାଲୁଥିବ । ମାସଟିଏ ଜେଲ୍‌ରେ ରହିଗଲେ ମୁଣ୍ଡାମାନେ ଆପେ ଆପେ ଭାଙ୍ଗିଯିବେ ।”

ଫାର୍ବସ୍ ହସିଲେ । ମନର ଆଖିରେ ଦେଖିବାକୁ ଲାଗିଲେ ଯେ ରାଜଦ୍ରୋହ ଦବାଇବା ଯୋଗୁଁ ପୁରସ୍କାର ମିଳୁଛି । ନା, ୧୮୫୭ ଗଦର ପରି ସୁଅବସର ଆଉ ଆସିବନି । ସେତେବେଳେ ଏପଟୁ ପ୍ରମୋଶନ ହେଲା, ସେପଟୁ ରାଜା-ଜମିଦାରଙ୍କର ଘର ଲୁଟି ନିଜେ ରାଜା ହେବାକୁ ବସି ପଡ଼ିଥିଲେ । ମୁଣ୍ଡା ଲୋକଙ୍କ ଘର ଲୁଟିଲେ ରାଜା ହୋଇ ପାରିବନି । କିନ୍ତୁ ପ୍ରମୋଶନ ନିଶ୍ଚୟ ହେବ । ପ୍ରୋମୋଶନ ତ’ ହେବ । ଫାର୍ବସ୍ ବୋର୍ଡ଼ ଅଫ୍ ରେଭିନ୍ୟୁର ମେମ୍ବର ହେବ । ଏବେ କିଏ ରୋକି ପାରିବ?

•••

 

- “ଗୋଟେ ନୋଟିସ ଦେବା ଦରକାର?”

- “ଡି.ସି. । ସବୁ ସ୍ଥିରୀକରଣ କରାଗଲାଣି । ନୋଟିସ ପଢ଼ନ୍ତୁ । ଏଇଟା ପ୍ରତି ଗାଁର ମୁଖିଆ, ହାଟ, ସରକାରକୁ ଓ ଅନ୍ୟତ୍ର ପଠାଇ ଦିଆଯିବ । ସରଗୁଜା, ଉଦୟପୁର, ଜସପୁର, ରାମଗଡ଼, ଦନାଇ-ଏଇ ସବୁ ଦେଶୀ ରାଜ୍ୟକୁ ମଧ୍ୟ ଯିବ । ସରାୟକେଲା ଓ ପୋରାହାଟର ରାଜାମାନେ ସିପାହୀ ପଠାଇବେ । ନିଜେ ବିର୍ସାକୁ ଖୋଜିବେ । ନୋଟିସର ସରକାରୀ ଅର୍ଡ଼ରର ହିନ୍ଦୀ ଓ ମୁଣ୍ଡାରୀରେ ଅନୁବାଦ ହୋଇଛି । ଟିକେ ଜୋର୍‌ରେ ପଢ଼ ।”

ଷ୍ଟ୍ରଟ୍‌ଫିଲ୍ଡ ପଢ଼ିବାକୁ ଲାଗିଲେ-“ଏହି ବିଜ୍ଞପ୍ତିଦ୍ୱାରା ଘୋଷିତ କରାଯାଉଛି ଯେ ବୀରସାଇତମାନଙ୍କଦ୍ୱାରା କରାଯାଇଥିବା ବିପ୍ଳବ ଯୋଗୁଁ ସରକାର-ବାହାଦୁର ବିର୍ସା ଓ ତା’ର ଅନୁଚରମାନଙ୍କୁ ଜରୁରୀ ଗିରଫ କରିବାକୁ ହୁଲିଆ ଜାରି କରିଛନ୍ତି । ଉକ୍ତ ଉଦ୍ଦେଶ୍ୟରେ ବନଗାଁ, ଖୁଣ୍ଟୀ, ସିଂହଭୂମି, ରାଞ୍ଚି ଛଡ଼ା ମଧ୍ୟ ଅନ୍ୟ ଜାଗାମାନଙ୍କୁ ଫୌଜ ପଠାଯାଇଛି । ଆଦେଶ ଦିଆଯାଇଛି ଯେ ସବୁ ଲୋକ ସରକାରୀ କର୍ମଚାରୀମାନଙ୍କର ସହାୟତା କରନ୍ତୁ । ବିର୍ସା ବା ତା’ର ମୁଖ୍ୟ ଲୋକଙ୍କୁ ଯଦି ତୁମମାନଙ୍କର ଗାଁ ପାଖରେ ବା ଗାଁ ପାଖ କୌଣସି ଜଙ୍ଗଲରେ ଯଦି ଲୁଚିବାର ଦେଖନ୍ତି, ତା ହେଲେ ସଙ୍ଗେ ସଙ୍ଗେ ରାଞ୍ଚି ବା ସିଂହଭୂମିର ଡି.ସି. ନହେଲେ ସିପାହୀ, ପୁଲିସ, କୌଣସି ବିଶ୍ୱସ୍ତ ସରକାରୀ କର୍ମଚାରୀକୁ ସୂଚନା ଦିଅ ଓ ଯଦି ତୁମର ଗାଁର ଲୋକମାନଙ୍କୁ ସୁବିଧା ହେବ ତାହେଲେ ବିର୍ସା ଓ ତା’ର ମୁଖ୍ୟ ଲୋକଙ୍କୁ ଗିରଫପାଇଁ ସରକାରୀ କର୍ମଚାରୀଙ୍କ ସହିତ ଯିବ । ଯଦି ସେଥିରେ ଟିକେମାତ୍ର ଅବହେଳା ହେବ ତାହେଲେ ତୁମେମାନେ ନିଜେ ଉପଯୁକ୍ତ ଶାସ୍ତି ପାଇବ । ତୁମ ଗାଁର ସମସ୍ତ ଲୋକ ପୁଲିସର ଖର୍ଚ୍ଚ ଉଠାଇବାପାଇଁ ବାଧ୍ୟ ହେବେ । ଯଦି ତୁମେ ଓ ତୁମମାନଙ୍କର ଗାଁ ଲୋକ ସମର୍ଥ ତା ହେଲେ ନିଜେ ବିର୍ସାକୁ ବନ୍ଦୀ କରି ଡି.ସି.ଙ୍କ ପାଖକୁ ନେଇ ଆସ ।

କୌଣସି ବ୍ୟକ୍ତି ବିର୍ସା ବା ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ବନ୍ଦୀ କଲେ ବା ବନ୍ଦୀ କରିବାରେ ସାହାଯ୍ୟ କଲେ ବା ବନ୍ଦୀ କରିବା ଭଳି କୌଣସି ଖବର ଦେଲେ ନିମ୍ନଲିଖିତ ଦରରେ ପୁରସ୍କାର ମିଳିବ ।

ବିର୍ସାକୁ ଗିରଫ୍ କରିବାପାଇଁ

୫୦୦ଟଙ୍କା

ଡୋନ୍‍କା ମୁଣ୍ଡା,

 

ଗ୍ରାମ ବୋର୍ତାଦି, ଥାନା ଖୁଣ୍ଟୀର ଗିରଫପାଇଁ

୧୦୦ ଟଙ୍କା

ମାଝିଆ ମୁଣ୍ଡା,

 

ଗ୍ରାମ ସେରାନ୍ଦୀ, ଥାନା ତାମାରପାଇଁ

୧୦୦ ଟଙ୍କା

ବୁଦ୍ଧୁ ମୁଣ୍ଡା,

 

ଗ୍ରାମ ସିତିବିର ଗିରଫ୍ପାଇଁ

୧୦୦ଟଙ୍କା

ପରାନ୍ ପହାନ,

 

ଗ୍ରାମ କାର୍ଟିକେଲର ଗିରଫ୍ପାଇଁ

୧୦୦ଟଙ୍କା

୧୨-୧-୧୯୦୦

ହ.ଏ.ଫାର୍ବସ୍‌,

କମିଶନର୍‌,

ଛୋଟ ନାଗପୁର ।

ଷ୍ଟ୍ରଟ୍‌ଫିଲ୍ଡ ନୋଟିସ୍‌କୁ ଫାର୍ବସ୍‌କୁ ଫେରାଇଦେଲେ । ଫାର୍ବସ୍ କହିଲେ: “ସିଂହଭୂମିର କମିଶନର ଆଉ ଡି.ସି.- ସିକ୍ସଥ ବଙ୍ଗାଲ ଇନ୍‌ଫେଣ୍ଟ୍ରିର ଗୋଟେ କମ୍ପାନୀ ନେଇ କେପ୍‌ଟାନ୍ ରୋଶ୍ ବନଗାଁ ଆଉ ସିଂହଭୂମି ଛଡ଼ା ଅନ୍ୟ ଜାଗା ମଧ୍ୟ ବୁଲିବେ । ଡି.ସି. ଆଉ ତମେ କର୍ଣ୍ଣେଲ ବେଷ୍ଟମୋର ଲ୍ୟାଣ୍ଡ ପୂର୍ବଆଡ଼କୁ ଖୁଣ୍ଟୀ ଓ ତାମାର ଥାନାର ଇଲାକାରେ ବୁଲିବେ । ଆସିଷ୍ଟାଣ୍ଟ ଏସ୍‌.ପି. ଷ୍ଟିଫେନ୍‌ସ ଓ ଲେଫ୍‌ଟନାଣ୍ଟ ମିଡ଼ିଲମ୍ୟାନ୍ ତୁର ପାଓ ବସିଆ ଥାନାରେ ବୁଲିବେ । ମିଲିଟାରୀ-ପୋଲିସ ଆହତ ଓ ଅନ୍ୟ ବୀରସାଇତଙ୍କୁ ଧରିବେ । ଫେରାର୍ ବୀରସାଇତ ମାନଙ୍କର ଧାନ, ଗହମ, ଡାଲି, ବାଜରା ସବୁ ଜବତ କରିନିଆଯିବ । ବିର୍ସା ଆଉ ତାର ମୁଖ୍ୟ ଚେଲାମାନଙ୍କୁ ଧରିବାରେ ଯେମିତି ଅବହେଳା ନହୁଏ ।”

ଷ୍ଟ୍ରଟ୍‌ଫିଲ୍ଡ ହାଲ୍‌କା ଆଉ ଦୁର୍ବୋଧ୍ୟ ହସ ହସିଲେ ।

- “ଡି.ସି., କ’ଣ ଭାବୁଛନ୍ତି, କ’ଣ ଅପରେଶନ ଫେଲ୍ ହେବ ।”

- “ନାଁ, ମୁଁ ସେମିତି ଭାବୁନାହିଁ ।”

- “ତେବେ?”

- “କିଛି ନାହିଁ ।”

ବିର୍ସାକୁ ଦେଖିଲେ ଡି.ସି. ଗିରଫ କରିନେବେ, ଗିରଫଦାରୀରେ ପ୍ରତିବନ୍ଧକ ହେଲେ ଗୁଳି ଚଳାଇବେ । ଡି.ସି. ମୁଣ୍ଡାମାନଙ୍କ ପ୍ରତି ନିର୍ଦ୍ଦୟ । ଫାର୍ବସ୍‍ଠାରୁ ବି ନିର୍ଦ୍ଦୟ ।

ସବୁକିଛି ହେଲା । ଢୋଲ ବଜାଇ ଘୋଷଣା ହେଲା । ପୋଷ୍ଟର ମରାଗଲା । ମିଲିଟାରୀ, ପୁଲିସ୍‌, ଇଂରେଜ ଅଫିସର-ଗାଆଁଆଡ଼କୁ ମୁହାଁଇଲେ । ବୀରସାଇତମାନଙ୍କର ସବୁ ଖାଦ୍ୟଶସ୍ୟ ଲୁଟି ନେଇଗଲେ । ବହୁତ ଧରାପଡ଼ିଲେ, ମାଡ଼ ଖାଇଲେ କିନ୍ତୁ ବିର୍ସା ମିଳିଲା ନାହିଁ । ଜିଉରୀ ଗାଁର ମୁଖିଆ କହିଲା: “ବିର୍ସା ଧରାପଡ଼ିଲେ ମୁଁ ଟଙ୍କା ପାଇବି । ତମକୁ ମିଳିଲେ ଖୋଜିଦିଅ ।” ତା ଉପରେ ଚାବୁକ ମାଡ଼ ଆରମ୍ଭ ହେଲା-କଲିକତାରୁ ଆସିଥିବା ସ୍ପେଶାଲ ଚାବୁକ । ଚାବୁକବାଲାର ନାଁ ଶ୍ୟାମ ଚାନ୍ଦ । ଚାଳିଶ ବର୍ଷପରେ ଶ୍ୟାମଚାନ୍ଦପାଇଁ ଅର୍ଡ଼ର ମିଳିଲା । ଖାସ୍ ମୁଣ୍ଡାମାନଙ୍କର ଦମନପାଇଁ ।

ମାଡ଼ ଖାଉ ଖାଉ ମୁଖିଆ କହିଲା: “ସେ ଜଙ୍ଗଲରେ ବୁଲୁଛି, ତମେ ଜଙ୍ଗଲଠାରୁ ବଡ଼?”

ବିର୍ସା ମିଳିଲା ନାହିଁ । ଅପରେଶନ-ବିର୍ସା ଚାଲୁଥିଲା । ଫାର୍ବସ୍ କହିଲେ- “ଚାଲୁଛି, ଚାଲିବ ଆଉ ଚାଲିବ ।”

•••

 

ସୈଲରାକାରରୁ ବୋର୍ତାଦି, ବୋର୍ତାଦିରୁ ଆୟୁଭାତୁ, ଆୟୁଭାତୁରୁ ବିର୍ସା ମାରାଙ୍ଗ ଗହାଡ଼ା ବୁଲୁଥିଲା । ସାଥୀରେ ଡୋନ୍‍କା, ମାଝିଆ, ସୁନାରା ଆଉ ଅନ୍ୟମାନେ । ଦିନରେ ଜଙ୍ଗଲରେ ରହନ୍ତି-। ଦିନରାତି ଗାଆଁରେ ପୋଲିସ ପହରା । ରାତି ଅନ୍ଧାରରେ ତିନିଜଣ ଯୁବତୀ ବାହାରକୁ ଯାଉଛୁ କହି ବାହାରନ୍ତି । ‘ହୋଇଗଲା’ କହି ଦିଜଣ ଚାଲି ଆସନ୍ତି । ବାକି ଯୁବତୀଟି ଲୁଗାଖୋଲି, ଲଙ୍ଗଳା ହୋଇ, କଳା ଶରୀରକୁ ଅନ୍ଧକାରକୁ ସମର୍ପଣ କରି ଜଙ୍ଗଲରେ ଖାଦ୍ୟ, ପାଣି ରଖି ଚାଲି ଆସେ । କହିଯାଏ: ସେଇ ଗାଆଁରେ ଡର କମ୍ । ପୋଲିସ ଆସିନାହିଁ । ସେଇ ବାଟ ଦେଇ ହାତୀଦଳ ଯାଇଛନ୍ତି, ତେଣୁ ସିପାହୀମାନେ ଭୟରେ ଲୁଚିଛନ୍ତି । ପଅର ଦିନ ଆସିବେ । ସେମାନେ ଚାଲିଯାଆନ୍ତି । ବିର୍ସା ମଧ୍ୟ ଯାଆନ୍ତା, ଊଣେଇଶ ଦିନ ହେଲା ସେ ପୁଲିସକୁ ଚକ୍‌ମା ଦେଉଥିଲା । କିନ୍ତୁ ସୁନାରାକୁ ବିର୍ସାର ଆଶ୍ରାରେ ଚାଲିବାକୁ ପଡ଼ୁଥିଲା । ସେମାନେ ତିଲାଡୁବୁ ଜଙ୍ଗଲରେ ରହିଲେ-

ସୁନାରା କହିଲା: “ମୁଁ ଆଉ ଯିବି ନାହିଁ ଭଗବାନ୍ । ମତେ ରଖି ଚାଲିଯାଅ । ମୁଁ ଆଉ ବଞ୍ଚିବି ନାହିଁ ।”

 

ବିର୍ସାକୁ ଖରାପ ଲାଗିଲା । ଏଇ ଜଙ୍ଗଲ ସେତେ ଘଞ୍ଚ ନଥିଲା । ସୁନାରାକୁ ଟେକି ଟେକି ନେବା କଷ୍ଟକର ଥିଲା । ସେ ସୁନାରାକୁ କହିଲା: “ଏଇ ପଥରରେ ଶୋଇ ରହ । ମୁରୁ ମୁଣ୍ଡା କଣ କହୁଛି ଶୁଣିନେବା । ସିଏ ଆସିବ ବୋଲି ଖବର ପଠାଇଛି ।”

- “ଏଇଠିକୁ କାହିଁକି ଆସିବ? ଏଇ ଜଙ୍ଗଲ ତ ଘଞ୍ଚ ନାହିଁ ।”

- “ମୁରୁ ତତେ ଔଷଧ ଦେବ ।”

- “ଔଷଧ କ’ଣ ହେବ? ତମେ ଏଇଆଡ଼େ ଆସ?”

- “ମୁଁ ତ ଏଇଠି ଅଛି ।”

- “ଭଗବାନ୍‌, ମନେଅଛି, ମୁଁ ତମକୁ ଗୀତ ଶୁଣାଇଥିଲି!”

- “ହଁ । ମୁଁ ସେଇ ଗୀତକୁ ଭଲ ଭାବେ ଶିଖିଦେଇଛି, ଶୁଣେଇବି?”

ବିର୍ସା ହାଲ୍‌କା ଆୱାଜ୍‌ରେ ଗାଉ ଗାଉ ଚମକି ପଡ଼ିଲା । ଡୋନ୍‍କା ଓ ମାଝିଆ ବସିଥିଲେ । ସାମ୍ନାରେ ସାଲୀ, ପରମୀ ।

 

- “ତମେ ସବୁ !”

- “ମୁରୁ ଆସିବ ନାହିଁ । ସିଏ ସକାଳେ ଧରାପଡ଼ିଗଲା । ମୁଖିଆର ଭାଇ ତାକୁ ଧରାଇ ଦେଲା ।”

ପରମୀଆଡ଼କୁ ଦେଖି ବିର୍ସାକୁ କଷ୍ଟ ହେଲା । ବିର୍ସା ପରମୀର ବାପାର ଅନୁରୋଧରେ କେବେ ବାହା ହେବାକୁ କହିଥିଲା, କିନ୍ତୁ ପରମୀର ମନ ବାନ୍ଧିହୋଇଥିଲା କନୁ, କନୁ ମୁଣ୍ଡା ପାଖରେ-। କନୁ ସେଲରାକାର ଯୁଦ୍ଧରେ ଶହୀଦ ହେଲା ।

ଡୋନ୍‍କା ପଚାରିଲା: “ପରିବା କେଉଁଠି ଅଛି?”

- “ମାଆ ପାଖରେ ।”

- “କ’ଣ ଖବର?” ବିର୍ସା ପଚାରିଲା ।

ସାଲୀ କହିଲା: “ତମ ଧର୍ମରେ ଯେଉଁମାନଙ୍କର ବିଶ୍ୱାସ ଅଛି, ସେଇ ମୁଖିଆମାନଙ୍କୁ ସରକାର ହଟାଇଦେଲେ । ନୂଆ ମୁଖିଆ ନିଯୁକ୍ତ ହୋଇଛନ୍ତି । ଯିଏ ତମକୁ ଧରାଇଦେବ, ତାକୁ ଜମିପଟ୍ଟା ମିଳିବ, ପୁଣି ମୁଖିଆ ପଦ ପାଇବ ।”

- “ଆଉ କହ ।” ଡୋନ୍‍କା ପଚାରିଲା ।

- “ସ-ବୁ ଧାନ-ଡାଲି, ଲୁଣ-ମୋ ଘରୁ, ସମସ୍ତଙ୍କ ଘରୁ ନେଇଗଲେ । ମୁଣ୍ଡାମାନେ ଭୋକରେ ମରୁଛନ୍ତି ।”

 

- “ଆଉ?”

- “ଚାବୁକ ମାରି ଛାଲ ଉତାରି ଦେଉଛନ୍ତି ।”

- “ଆଉ?”

- “ତମମାନଙ୍କୁ ନପାଇଲେ, ଚାବୁକ ମାରି ମାରି, ଧାନ-ଚାଉଳ ନେଇ ଯାଉଛନ୍ତି” କହୁ କହୁ ସାଲୀ କାନ୍ଦି ପକେଇଲା ।

ବିର୍ସା ଡୋନ୍‍କା ଓ ମାଝିଆଆଡ଼କୁ ଦେଖିଲା । ସେମାନଙ୍କର ଆଖିରେ ବେଦନା, ପ୍ରଶ୍ନ, ଦୁଃଖ ଓ ଲଜ୍ଜା । ଡୋନ୍‍କା କହିଲା: “କେତେ ମୁଣ୍ଡା ଧରାପଡ଼ିଛନ୍ତି, ଅଧିକ ବାହାରେ ଅଛନ୍ତି । ତମେ ବାହାରେ ରହିଲେ ଉଲଗୁଲାନ ଜାରି ରହିବ । ମୁଁ ଧରାପଡ଼ିଲେ ଗାଆଁ ବଞ୍ଚିଯିବ, ମୁଣ୍ଡାମାନେ ବଞ୍ଚିଯିବେ ।”

- “ତୁ ଏକେଲା..... ।”

- “ମୁଁ କାଠ ପରି ବଳୁଆ ଥିଲି ଭଗବାନ୍ । ତମେ ମତେ ପ୍ରଚାରକ, ପ୍ରଚାରକରୁ ସିପାହୀ କଲ । ମୁଁ ଧରାପଡ଼ିଲେ କ୍ଷତି କିଛି ହେବ ନାହିଁ ।”

ଡୋନ୍‍କା ଓ ମାଝିଆ ସୁନାରାକୁ ଧରି ସେଦିନ ରାତିରେ ପଳାଇଲେ । ତାପରେ ନଅ ମାଇଲ ଦୂରରେ ଥିବା ତୁରପା-ଆଉଟ ପୋଷ୍ଟରେ ନିଜକୁ ଧରାଇଦେଲେ । କହିଲେ-“ବିର୍ସା ସେଇଠି ତୁରାବୁ ଜଙ୍ଗଲରେ ଲୁଚିଛି ।”

ଜମକୋପୋଇ ଆଉ ଆଖପାଖ ଗାଆଁର ଲୋକଙ୍କୁ ପିଟିପିଟି ପୋରାହାଟର ରାଜକୁମାର, କମିଶନର, ଡି.ସି., ଟାମ୍‌ସନ୍‌, ପୁଲିସ ମିଲିଟାରୀ ଆଉ ଏକ ହଜାର ଗାଆଁବାଲାଙ୍କୁ ଧରି ବାହାରିଲେ ।

ଡୋନ୍‍କା କହିଲା: “ମତେ ଧରାଇଦେବ ବୋଲି ମାନୀ ପହାନୀ କହିଛି, ବୋର୍ତାଦିର ମାନୀ ପହାନୀ । ତାକୁ କିଛି ଦେଇଦବ । ଯେମିତି ଅନ୍ୟମାନଙ୍କୁ ଟଙ୍କା ଦେଇଛ ।”

ମାନୀ ପହାନୀକୁ ଡକାଗଲା । ସେ କିଛି ନକହି ଟଙ୍କା ନେଇନେଲା । ଡୋନ୍‍କା କହିଲା: “ତୋ ଭାଇ ପାଖରେ ଯାଇ ରହିବୁ । ବୀରସାଇତକୁ ଧରେଇଛ, ଗାଆଁକୁ ଗଲେ ତୋ ମୁହଁରେ ଛେପ ପକେଇବ ।”

 

ମାନୀ ଚାଲିଗଲା ।

•••

 

ରୋଗାତା ଗାଁ ପାଖ ଜଙ୍ଗଲରେ ଶାଳଗଛର କାଠ ଉପରେ ମଞ୍ଚା, ମଞ୍ଚା ଉପରେ ଘର । ସାଲୀ ସେଇଠି ରହିବାକୁ ଚାହୁଁ ନଥିଲା, କିନ୍ତୁ ବିର୍ସା ପୂର୍ବରୁ ପୀଡ଼ା-ଭରା କଣ୍ଠରେ କହିଲା: “ପଳେଇଲେ କୁଆଡ଼େ ଯିବି?” ତା ପରେ କହିଲା: “ଏଇଠି ରହ । ସରକାରର ଭୟ ନାହିଁ ।”

ମଞ୍ଚା ଉପରକୁ ସିଡ଼ି । ସିଡ଼ି ଚଢ଼ି ମାନୀ ପହାନୀ ଉପରକୁ ଗଲା । କହିଲା: “ମାଝିଆ, ଡୋନ୍‍କାକୁ ଧରାଇ ଦେବାକୁ କହିଥିଲି, ସେଥିରୁ କୋଡ଼ିଏ ଟଙ୍କା ମିଳିଲା । ସାଲୀ ଚାଉଳ ନେଇ ଆସିଛି, ତାକୁ ଚୋବେଇ ପାଣି ପି’ଦେ । ରାନ୍ଧିବୁ ନାହିଁ, ଧୂଆଁ ଉଠିବ । ସମସ୍ତେ ଜାଣିନେବେ ।” ମାନୀ ବିର୍ସାକୁ ପ୍ରଣାମ କଲା ।

- “ଖବର କ’ଣ?”

- “ବହୁତ ଖରାପ । ଦେଉଁରା, ପହାନ, ଜମିଦାର, ବଣିଆ ସମସ୍ତେ ମୁଣ୍ଡାମାନଙ୍କୁ ଡରାଉଛନ୍ତି । ପୁଲିସ ପିଟୁଛନ୍ତି । ଡରରେ ସମସ୍ତେ ଖ୍ରୀଷ୍ଟିୟାନ୍ ହୋଇ ଯାଉଛନ୍ତି ।”

- “ତା’ପରେ ।”

- “ତା ପରେ ଆଉ କ’ଣ? ମୁଣ୍ଡାମାନେ ଏମିତି ଖ୍ରୀଷ୍ଟିୟାନ୍ ହେଉଛନ୍ତି, ଉଲଗୁଲାନ ଆରମ୍ଭ ହେଲେ ପୁଣି ଆସିବେ । ଉଲଗୁଲାନ ପୁଣି ଆରମ୍ଭ ହେବ ନା ଭଗବାନ୍‌?

ମାନୀ ପହାନୀର ବୁଢ଼ୀ ଚେହେରାରେ ସ୍ମିତ ହସ ଦେଖି ବିର୍ସାର ଛାତି କୋରି ହୋଇଗଲା । ମୁଣ୍ଡା ଦେଶର ଛାତି ଉପରେ ସେନା-ପୋଲିସ-ରାଜାଙ୍କ ହାତୀମାନଙ୍କର ମଦମତ୍ତ ଅଭିଯାନ ଚାଲିଛି-। ହୋଲି ପରେ ଯେମିତି ମୁଣ୍ଡାମାନେ ଧର୍ମ ଅନୁସାରେ ଶିକାରକୁ ଯାଆନ୍ତି, ସରକାର ସେମିତି ମୁଣ୍ଡାମାନଙ୍କର ଗାଆଁ ଆଉ ଧାନଖଳାମାନଙ୍କୁ ଜଳାଇ ଯେଉଁ ହୋଲି ପାଳନର ଭ୍ରମ ସୃଷ୍ଟି କରୁଛି-ବିର୍ସା ଓ ତା’ର ସାଥୀମାନଙ୍କର ଗ୍ରାମରେ ଅନୁପସ୍ଥିତି ଯୋଗୁଁ ତାହା ଦିଆଲୀର ସଙ୍କେତ ବହନ କରୁଛି । ଏଇ ଉତ୍ସବର ନାମ ରକ୍ତ ଉତ୍ସବ ।

ତଥାପି ମାନୀ ପହାନୀ ହସୁଥିଲା, କହୁଥିଲା ଉଲଗୁଲାନ୍ ପୁଣି ହେବ । ବିର୍ସା ନିଶ୍ଚିତ ଧରିତ୍ରୀର ଆବା, ଭଗବାନ ।’

 

ମାନୀ କହିଲା: “ସାହେବ ଓ ପୋରାହାଟର ରାଜା ଦଶଟା ହାତୀ, ହଜାରେ ଲୋକ ସିପାହୀ ନେଇ ଏଇଆଡ଼େ ଆସୁଛନ୍ତି । ଡୋନ୍‍କା କହିଛି ତମେ ସେନ୍ତ୍ରା ଜଙ୍ଗଲକୁ ଚାଲିଯାଅ । ଦେଖ ଭଗବାନ୍‌! ଷଢ଼େଇଖଳା, କରାଇଖଳାର ରାଜା କାହିଁକି ଡରୁଛନ୍ତି? ସେମାନଙ୍କ ଦେଶରେ ମୁଣ୍ଡା ଅଛନ୍ତି? ସେମାନେ ସରକାର ସହ ହାତ ମିଳାଇଛନ୍ତି କାହିଁକି?”

- “ସମସ୍ତେ ଏକା ପରି ।”

ମାନୀ ପହାନୀ ଚାଲିଗଲା ।

ପରମୀକୁ ଦେଖି ଥଣ୍ଡା ଶ୍ୱାସ ନେଇ ବିର୍ସା କ୍ଷୀର ହସ ହସି କହିଲା: “ବହୁ ଲୋକଙ୍କ ଆଶା ଭରସାରେ ନିଆଁ ଲାଗିଗଲା ସାଲୀ । କିନ୍ତୁ ଉଲଗୁଲାନର ରୀତି ଅଲଗା । ତୋର ପୁଅ, ମରଦ, ଧାନ, ଘର-ସବୁ ଛଡ଼ାଇନେଲେ । ପରମୀର ମଧ୍ୟ ସବୁ ଗଲା ।”

- “ଦୁଃଖ କରୁଛ ଭଗବାନ୍‌?”

- “ନା । ଆଗରୁ ଆମ ସାଙ୍ଗରେ ଯେତେଜଣ ଥିଲେ, ଏବେ ସେତେଜଣ ନାହାନ୍ତି । କିନ୍ତୁ ଉଲଗୁଲାନ ସଫଳ ନହେଲେ ସମାପ୍ତ ହୋଇଯିବ ନାହିଁ । ମୋର ମରଣ ହେବ ନାହିଁ । ତୁ ସମସ୍ତଙ୍କୁ କହିଦେବୁ ସାଲୀ ।”

ରାତିରେ ରୋଗାତା ଜଙ୍ଗଲ ଛାଡ଼ି ସେନ୍ତ୍ରା ଜଙ୍ଗଲଆଡ଼କୁ ଚାଲିଲେ ।

•••

 

ପରେ, ବହୁତ ପରେ ବାରିଷ୍ଟର ଜ୍ୟାକବ୍ ଅମୂଲ୍ୟବାବୁଙ୍କୁ ପଚାରିଲେ: “ବିର୍ସାର ଅନ୍ତିମ ପରିଣତି କ’ଣ ହେବ, ଏଇ ଚିନ୍ତାରେ ପଡ଼ିଗଲ? ତୁମେ ଯାହା ଭାବିଥିଲ, ତା’ର ପରିଣାମ କ’ଣ ହେଲା? ତା’ ନାଁ ନେଉ ନେଉ ତୁମ ମୁହଁ ଚମକି ଉଠେ କାହିଁକି?”

- “ପ୍ରଥମେ ଗୋଟେ କଥାର ଜବାବ ଦିଅନ୍ତୁ ।”

- “କୁହ ।”

- “ଆପଣ ବିଶ୍ୱାସ କରନ୍ତି ଯେ ସିଏ ଭଗବାନ୍ ।”

- “ନା । ମୁଁ ଭାବୁଛି ବିର୍ସା ଦଳିତ, ମୁଣ୍ଡାମାନଙ୍କର ଉପଯୁକ୍ତ ନେତା, ଯୋଗ୍ୟ ବ୍ୟକ୍ତି ।”

- “ମୁଁ ଭାବୁଛି ସିଏ ନିଶ୍ଚୟ ଈଶ୍ୱର ।”

- “କେଉଁ କାରଣରୁ?”

- “କାରଣ, ଲୋକ ଯେତେବେଳେ ଭଗବାନ୍ ହୋଇଯାଏ, କୌଣସି ନା କୌଣସି ପ୍ରକାର ବେଇମାନୀ ତା’ର ପରାଭବର କାରଣ ହୁଏ-ଏହାହିଁ ତାର ଐଶୀ ମହତ୍ୱର ପ୍ରମାଣ । ଶେଷରେ ବିଶ୍ୱାସଘାତୀ ଲୋକମାନେ ତାକୁ ଧରାଇଲେ, ନୁହେଁ?”

- “କହିପାର, କିନ୍ତୁ ଏହା ଗୋଟେ ଆଶ୍ଚର୍ଯ୍ୟ ବିଷୟ ।”

- “କ’ଣ?”

- “ସେମାନେ ନିଜର ସବୁ ସମ୍ପତ୍ତି ହରାଇଲାବେଳେ, ମାଡ଼ ଖାଉଥିଲା ବେଳେ ମଧ୍ୟ କୌଣସି କଥା ଭାବୁନଥିଲେ ।”

- “ଯେତେବେଳେ ସେମାନେ ଲଢ଼ୁଥିଲେ, ସେତେବେଳେ ମଧ୍ୟ ଭାବିନଥିଲେ ।”

- “ବିର୍ସାର ଆନ୍ଦୋଳନ ଭାଙ୍ଗିଯିବା ପରେ ମୁଣ୍ଡାମାନଙ୍କ ପ୍ରତି ଲୋକମାନଙ୍କର ଆକର୍ଷଣ ବଢ଼ୁଛି ତା ସହ ସହାନୁଭୂତି ମଧ୍ୟ ।”

“କେମିତି ଅସମ୍ଭବ କଥା ସମ୍ଭବ ହେଲା? ଚାରିଶହ ବୟାଅଶୀ ଲୋକ ଧରାପଡ଼ିଲେ । ପ୍ରମାଣ ଖୋଜିବା ବାହାନାରେ ସେମାନଙ୍କୁ ଜେଲ୍‌ରେ ରଖାହୋଇଛି । କି ଅନ୍ୟାୟ !”

- “ବହୁ ଛୋଟ ଅପରାଧୀମାନଙ୍କୁ ବି ବଡ଼ ବଡ଼ ସଜା ଦିଆଯାଇଛି । ମିଶନାରୀମାନଙ୍କଆଡ଼କୁ ତୀର ଫୋପାଡ଼ିବାରୁ ପରାନ ମୁଣ୍ଡାକୁ ଆଜୀବନ କଳାପାଣି ହେଲା । ଗୟାର ସ୍ତ୍ରୀ, ପୁଅ, ବୋହୂ, ଆଠବର୍ଷର ନାତିକୁ ବି ଜେଲ୍ ହେଲା ।”

- “ମୁଣ୍ଡାମାନଙ୍କ ବିରୁଦ୍ଧରେ ଫୌଜଦାରୀ କାନୁନ୍‌ର ଧାରା ୧୦୭ ଅନୁସାରେ ଯେଉଁ ମକଦ୍ଦମା ଚାଲୁଥିଲା ତାକୁ ଉଠାଇ ନିଆଯିବା କ’ଣ ସତ୍ୟ?”

 

- “ଯଦି ଉଠାଇ ନିଆଗଲା ତେବେ ମକଦ୍ଦମା ଉଠାଇନେବାପାଇଁ ପ୍ରଥମେ କେତେଦିନ ପର୍ଯ୍ୟନ୍ତ ମୁଣ୍ଡାମାନେ କେତେଦିନ ଜେଲ୍‌ରେ ଜେଲ୍‌ରେ ରହିଲେ?”

- “ଖବର କାଗଜରେ ଯାହା ବାହାରିଛି ତାହା କ’ଣ ସତ, ବହୁ ମୁଣ୍ଡାଲୋକଙ୍କୁ ପୁଣି ନୂଆ ମାମଲାରେ ଧରିନିଆଯାଇଛି?”

 

- “ଯେଉଁମାନେ ସେଦିନ ସୁରେନ୍ ବାନାର୍ଜୀଙ୍କର ଭାଷଣ ଶୁଣିଥିଲେ, ସେମାନେ କହିଲେ: “ହେ, ପରମାତ୍ମା! ଏ ବୁଢ଼ା ତ ନିଆଁ ଉଗାଳିଦେଲା ।”

- “ଫାଇଦା କ’ଣ ହେଲା? ହଁ, ମକଦ୍ଦମା କେତେ ଦିନ ଚାଲିଲା ଅବଶ୍ୟ । କିନ୍ତୁ ତା ପୂର୍ବରୁ ବହୁ କଏଦୀ ମରିଗଲେ । ଯେଉଁ କମିଶନର, ଡି.ସି., ପୁଲିସ ସେମାନଙ୍କୁ ବିନା ମକଦ୍ଦମାରେ ଜେଲ୍‌ରେ ସଢ଼େଇଲା, ଏତେ କଷ୍ଟ ଦେଲା, ଲେଫ୍ଟନାଣ୍ଟ ଗଭର୍ନର ଆସି ରାଞ୍ଚିରେ ସେମାନଙ୍କର ପ୍ରଶଂସା କଲେ । ଗଭର୍ନର ଜେନେରାଲ କର୍ଜନ କିଛି କହିଲେ ନାହିଁ ।”

- “ସମସ୍ତେ ଇଂରେଜ ! ବିର୍ସା ଚାଇଁବାସା ସ୍କୁଲରେ କହିଥିଲା ନା !”

- “ସେଇଟା ତ ମୋ ସାମ୍ନାରେ କହିଥିଲା । କହିଥିଲା: “ଜାଣେ, ଜାଣେ । ସବୁ ସାହେବ ଗୋଟେ ଟୋପି । ବାସ୍ । ଏମିତି ଗାଳି କରିଥିଲା ।”

 

- “ଗୋଟେ ସ୍ୱାଧୀନଚେତା ଯୁବକ ।”

- “ଆପଣ ମଧ୍ୟ ତ ଇଂରେଜ ।”

- “ଇଂରେଜମାନେ ମତେ ପସନ୍ଦ କରନ୍ତି ନାହିଁ ।”

- “ମୁଣ୍ଡାମାନଙ୍କର ସବୁ ପରିଶ୍ରମ ବେକାର ଗଲା ।”

- “ନା, ଅମୂଲ୍ୟବାବୁ ।”

ଜ୍ୟାକବ୍ ସ୍ନେହର ସହିତ ଅମୂଲ୍ୟବାବୁଙ୍କ ହାତ ଧରିପକାଇଲେ, କହିଲେ: “ଏମିତି କେବେ ଭାବିବ ନାହିଁ । ମୁଁ ସର୍ଦ୍ଦାର ଆନ୍ଦୋଳନବେଳରୁ ମୁଣ୍ଡାମାନଙ୍କ ସପକ୍ଷରେ ଲଢ଼ୁଛି । କେବେ ଜିତିଛି? କେବେ ବି ଉଦ୍ୟମ ସଫଳ-ସାର୍ଥକ ହୋଇଛି-ଏଇଠି ଗାଣିତିକ ହିସାବ ଲଗାଇବା ସମ୍ଭବ ନୁହେଁ ।”

 

- “ଜାଣେ ।”

•••

 

ବିର୍ସା ଦି’ଦିନ, ଦି’ରାତି-ପାଦରେ ଚାଲିଥିଲା । ସେନ୍ତ୍ରା ଜଙ୍ଗଲରେ ଆଶ୍ରୟ ନେବା ପରେ ସାଲୀ ଓ ପରମୀକୁ ଶୋଇବାକୁ କହି ବିର୍ସା ବସିରହିଲା । ତା ହାତରେ ଦି’ଟା ଖଣ୍ଡା । ସମୟ ଆସିଲେ ଗୋଟେ ବି ଚଳାଇ ପାରିବ କି ନାହିଁ ଜାଣେନା । ଶରୀର ଶିଥିଳ-କ୍ଲାନ୍ତ । ନିଦ୍ରାକୁ ଅପେକ୍ଷା ।

ରସାଲୀ କହିଲା-“ଭଗବାନ୍ ନିଦ ଲାଗୁନି?”

- “ତୁ ଶୋଇ ପଡ଼ନା ।”

- “ନିଦ ଆସୁନାହିଁ ।”

- “ଶୋଇବୁ ନାହିଁ ।”

- “ପରମୀ ଶୋଇଛି ।”

- “ଶୋଇଥାଉ ।”

•••

 

ବିର୍ସା ଆଉ କିଛି କହିଲା ନାହିଁ । ଜଙ୍ଗଲର ଶବ୍ଦ ଶୁଣୁଥିଲା । ଝରାପତ୍ରର ମର୍ମରରେ, ପବନର ରୋଦନରେ, ବାଘ ଜଲ୍‌ଦି ଜଲ୍‌ଦି ଧାଇଁବାରେ, ଜଙ୍ଗଲ ତା ସହିତ କଥା ହେଉଥିଲା । କହୁଥିଲା: “ସେ ସବୁ ଜାଣେ, ସବୁ ବୁଝେ । ସିଏ ଜାଣେ ବିର୍ସା ସବୁ ମୁଣ୍ଡାମାନଙ୍କୁ ତା କୋଳକୁ ଫେରାଇ ଦେବାକୁ ଚାହେଁ । ସିଏ ବୁଝେ, ବିର୍ସା ସେମିତି, ସେମିତି କରିପାରିବ ନାହିଁ ।”

କରମୀର ବୁଦ୍ଧିରେ, ଅବୋଧ ମୁଣ୍ଡା ମାଆମାନଙ୍କର ସ୍ୱୀକୃତିରେ ଜଙ୍ଗଲ ମାଆ, ଗୁଣୁଗୁଣୁ ହୋଇ ବିର୍ସାକୁ ସାନ୍ତ୍ୱନା ଦେଉଛି । “ବାପ ! ବାପ ! ତୁ ଯାହା ଚାହିଁଥିଲୁ, ତୁ ଜାଣିନଥିଲୁ ସବୁ କିଛି ତୋ ହାତରେ ନାହିଁ । ମୁଁ, ଏଇ ବନଭୂମି କ’ଣ ଏବେ ମୋର? ତୁମର ପୁରୁଖାମାନେ ଏଇ ଜଙ୍ଗଲର ପେଟକାଟି ଏହାକୁ ନିଜର କରିଥିଲେ । ତା ପରେ, ମୁଣ୍ଡାମାନଙ୍କର ହାତରୁ ଦିକୁ, ଦିକୁଙ୍କ ହାତରୁ ସରକାର ଏହାକୁ କିଣା-ବିକା, ବିକା-କିଣା କରି ମୋତେ ଅଶୁଦ୍ଧ କରିଦେଲେ । ତୋର ଦୋଷ କିଛି ନାହିଁରେ !”

ଆଦି ମାତାର କଣ୍ଠସ୍ୱର ବିର୍ସା ଅନ୍ତରରେ ପ୍ରବେଶ କରୁଥିଲା । ବିର୍ସାର ଆଖି ଲାଲ । କହିଲା: “ସାଲୀ ତୁ ଶୋଇପଡ଼ । ମୁଁ ବି ଶୋଉଛି । ମତେ ଚିରନିଦ୍ରା ଆସିଯିବ, ନିଦ୍ରାର ବିଷରେ ଶରୀର ଭାଙ୍ଗିପଡ଼ୁଛି । ପରମୀ, ତୁ ଉଠିପଡ଼ । ନିଆଁ ଲଗେଇବୁନି ।”

କିନ୍ତୁ ପରମୀ ନିଆଁ ଲଗେଇଲା । ପବନରେ ନିଆଁ ଉଠିଲା । ପରମୀ ଭାତ ରାନ୍ଧୁଥିଲା । ଭାତର ଗନ୍ଧ ଶୁଙ୍ଘୁଥିଲା ।

ସେମାନେ ଧୂଆଁ ଦେଖି ଆଗେଇ ଆସିଲେ । ପାଞ୍ଚଶହ ଟଙ୍କା ବହୁତ କିଛି । ଦେଖିଲେ ବିର୍ସା ଶୀର୍ଣ୍ଣ, କ୍ଲାନ୍ତ ଦିଶୁଛି । ଦୂରରେ ସାଲୀ ଶୋଇଛି । ସେମାନେ ବିର୍ସାକୁ ଧରିପକାଇଲେ । ପାଞ୍ଚଶହ ଟଙ୍କା ! ସାଲୀର ଚିତ୍କାରରେ, ପରମୀର କରୁଣ, ଭୟାର୍ତ୍ତ ଚିତ୍କାରରେ ବିର୍ସା ଉଠିପଡ଼ିଲା । ସିଏ ବି ଚିତ୍କାର କଲା, କାରଣ ସେ ଶଶିଭୂଷଣ ରାୟ ଓ ତମରିଆ ମାଝିକୁ ଆଉକିଛି ଲୋକ ସହ ଦେଖିଲା । ଶଶି ଆଉ ମାଝି ଏହି ସୁଅବସରରେ ବିର୍ସା ଛଡ଼ା ଆହୁରି କେତେଜଣ ମୁଣ୍ଡାମାନଙ୍କୁ ଧରି ଆହୁରି ଦୁଇଶହ ପଞ୍ଚାନବେ ଟଙ୍କା ଅଧିକ ପାଇଥିଲେ । ସାଲୀ ଚିତ୍କାର କଲା । ବିଜୁଳି ଚାଲିଯିବାରୁ ବିର୍ସାର ହତିଆର ଖୋଜୁଥିଲା କିନ୍ତୁ ବିର୍ସା ତାକୁ ପଳେଇଯିବାକୁ କହିଲା । ସାଲୀ ଧାଇଁଲା କାରଣ ବିର୍ସା ଅଟ୍ଟହାସ କରୁଥିଲା: “ତୁ ବଡ଼ ଲୋକ ହୋଇଗଲୁରେ ମାଝି, ପାଞ୍ଚଶହ ଟଙ୍କା, ଜମିପଟ୍ଟା ! କୁଆଡ଼େ ନେବୁ?”

- “ବନଗାଆଁ ।”

ସାଲୀ ଏତକ ହିଁ ଶୁଣିପାରିଲା । ତା’ପରେ ଧାଉଁ ଧାଉଁ ଚିତ୍କାର କଲା: “ଭଗବାନ୍‌କୁ ମାଝି ଆଉ ଶଶିଭୂଷଣ ରାୟ ଧରାଇଦେଲେ । ତମେ ସବୁ ବଞ୍ଚିଛ ନା ମରିଗଲଣି । ସେମାନେ ବନଗାଆଁ ନେଉଛନ୍ତି । ଦେଖ, ପାଞ୍ଚଶହ ଟଙ୍କାପାଇଁ ଭଗବାନକୁ ନେଇଗଲେ.... ।” ଆର୍ତ୍ତଚିତ୍କାର ସହ ଛାତିକୁ ପିଟିପିଟି ସେ ଧାଉଁଥିଲା ।

ବନଗାଆଁରୁ ଖୁଣ୍ଟି, ଖୁଣ୍ଟିରୁ ରାଞ୍ଚି ରାସ୍ତା ଆଉ ଦି ଜଣ ଥିଲେ । ପୁଲିସ ଜାଣିନଥିଲେ ଏତେ ଅତ୍ୟାଚାର ପରେ ମଧ୍ୟ ଗାଆଁରେ ଏତେଗୁଡ଼ିଏ ମୁଣ୍ଡା ଅଛନ୍ତି । ରାଇଫଲଧାରୀ ପୁଲିସ ଆଉ ମିଲିଟାରୀ ବିର୍ସାର ଆଗପଛରେ ପହରା ଦେଉଥାଆନ୍ତି । ବିର୍ସାର ମୁଣ୍ଡରେ ପଗଡ଼ି, କାନ୍ଧରେ ଚାଦର, ହାତରେ ଜଞ୍ଜୀର, ଉଚ୍ଚମଥା, ମୁହଁରେ ସ୍ମିତହସ, ଦୃଷ୍ଟି ଭବିଷ୍ୟତଆଡ଼କୁ । ତାକୁ ଏକେଲା । ଜଣାଥିଲା ଏଇ ରାସ୍ତାରେ ଆସି ସେ ଆଉ ଘରକୁ ଫେରିବ ନାହିଁ ।

•••

 

ବିର୍ସାକୁ ନିଆଯାଉଥିଲା । ଗୋଟେ କୋଠରୀ ତା’ପାଇଁ ଅଲଗା ଖୋଲାଯାଉ, ଏହାକୁ ଅମୂଲ୍ୟବାବୁ ବିଶ୍ୱାସ କରିପାରୁ ନଥିଲେ । ତା ପରେ ମାଗୁ ରାମ ୱାର୍ଡ଼ର ଚୁପ୍‌ଚାପ୍ ଆସି କହିଗଲା-“ଧାନୀ ଓ ଭରମୀ ତାକୁ ଦେଖା କରିବାକୁ ଚାହାଁନ୍ତି ।” ଧାନୀ ଆଖିରୁ ଲୋତକଧାରା । ଧାନୀ କହିଲା, “ଗୋଟେଦିନ ତାକୁ ମୋ ସହିତ ରଖ ।” ଅମୂଲ୍ୟବାବୁ କହିଲେ, “ଗାଧୋଇବାପାଇଁ ତାକୁ ବାହାରକୁ ଆଣିଲେ କଥାହେବ ।” ଉଦାସ ହସ ହସି ଧାନୀ କହିଲା:-“ମୋ ସହିତ ତ କଥା ହେବ ନାହିଁ, ନହେଲେ ମୁଁ କହିଥାଆନ୍ତି ।”

କୋଠରୀ ପ୍ରସ୍ତୁତ କରିବାକୁ କୋଡ଼ିଏ ମିନିଟ୍ ଲାଗିଲା । ବିର୍ସା ସେହି ସମୟ ତକ ଭରମୀ ଆଦିଙ୍କ କୋଠରୀରେ ରହିଲା । ବିର୍ସା ଧୀରେ କହିଲା-“କଥା ଆଗ, କାନ୍ଦ ପଛେ, ପ୍ରଥମେ ଶୁଣ, କଚେରୀରେ କହିବ, ମୁଁ ତମକୁ ଯାହା କହୁଥିଲି, ତମେ କିଛି ବୁଝୁନଥିଲ, ତମେ ମତେ ଭଲଭାବେ ଚିହ୍ନନାହଁ । କିନ୍ତୁ ନବୁଝି ଉଲଗୁଲାନ କରିଥିଲ ।”

“ଭଗବାନ୍‌...!”

- “ତମେ ମତେ ଠକ କୁହ, ଗାଳିଦିଅ । କିନ୍ତୁ ତୁମେ ସବୁ ମୁକ୍ତ ହୋଇଗଲେ ମୁଁ ଶାନ୍ତି ପାଇବି ।”

- “ଆଉ ତମେ?”

- “ମତେ ଏଇମାନେ ବାହାରକୁ ଆଉ ଛାଡ଼ିବେ ନାହିଁ । ଏଇ କୋଠରୀରେ ଏକେଲା ରଖିବେ । ମୁଁ ଆଉ ଏଠାରୁ ବଞ୍ଚି ଯାଇପାରିବି ନାହିଁ ।”

- “ଭଗବାନ୍‌... ।” ଭରମୀ କାନ୍ଦି ପକାଇଲା ।

- “ମୁଁ ତମର ଭଗବାନ୍ । ଏଇଥିପାଇଁ ତମ ସହ ମିଶିଲି, ସାଥୀ ହେଲି । କେତେ ଲୋକ ମଲେ?”

- “କରାର ଦୁନାମୁଣ୍ଡା, ଲୋହାଜିମିର ସୁଖରାମ ।”

- “ଔଷଧ ଦେଇଥିଲେ?”

- “ଯାହା ଦେଇଥିଲେ ଏହି ବଙ୍ଗାଳୀବାବୁ ।”

ବିର୍ସା ସାମାନ୍ୟ ହସିଲା ।

ପରେ ତାକୁ ସେଇ ଏକେଲା କୋଠରୀରେ ଛାଡ଼ିଦିଆଗଲା । କମାର ଆସି ବିର୍ସାର ହାତ ଓ ଗୋଡ଼ରେ ଶିକୁଳି ବାନ୍ଧିଦେଲା । କହିଲା: “ମତେ ଶାପ ଦେବନାହିଁ ।” ବିର୍ସା ବୁଝିଗଲା ସେ ଆଉ ଜେଲ୍‌ରୁ ଜିଅନ୍ତା ବାହାରିବ ନାହିଁ । ସାମ୍ନାରେ ଗାରଦ୍ ଦରଜା । ସେଇଠି ଚବିଶ ଘଣ୍ଟା ଗୋଟେ ପହରାଦାର । କାନ୍ଥରେ ଗୋଟେ ଛୋଟ ରାସ୍ତା । ସରକାରର ନିର୍ଣ୍ଣୟ ଥିଲା, ଏକ ମାମୁଲି ଅପରାଧୀ ପରି ତା’ ଉପରେ ଫୌଜଦାରୀ ମକଦ୍ଦମା କରାଯିବ । ଅପରାଧ ଥିଲା-ବହୁତ ଦିନ ଧରି ନରହତ୍ୟା । ସରକାରୀ ନିର୍ଣ୍ଣୟ ଥିଲା- ମୁଣ୍ଡାମାନଙ୍କ ସାମ୍ନାରେ ଏକ ଫୌଜଦାରୀ ଅଭିଯୁକ୍ତ କରାଯିବା, କିନ୍ତୁ ସାବଧାନତା ଓ ସତର୍କତାର ସହ କରାଯାଉଥିଲା । ବିର୍ସା ବୁଝିଗଲା ଇଂରେଜ ସରକାର ତାକୁ କ୍ଷମା କରିବେ ନାହିଁ ।

ବିର୍ସା ଶୁଣିଲା ମାଜିଷ୍ଟ୍ରେଟ୍ କହୁଥିଲେ: ପୋଲିସଦ୍ୱାରା ବିର୍ସାର ସବୁ ଅଭିଯୋଗର ଫାଇଲ ନହେଉଣୁ ସେ କିଛି କରିପାରିବେ ନାହିଁ ।

•••

 

ଏମିତି ମାସ ପରେ ମାସ ବିତିଗଲା । ଯେମିତି କୌଣସି ତମାସା । ‘ବେଙ୍ଗୋଲୀ’ ଓ ‘ଷ୍ଟେଟସ୍‌ମ୍ୟାନ’ ସମ୍ବାଦପତ୍ରରେ ମୁଣ୍ଡାମାନଙ୍କର ମକଦ୍ଦମାକୁ ନେଇ ଲଗାତାର ଲେଖାଯାଇ ସରକାରକୁ ବୁଝାଇବାର ଯତ୍ନ କରୁଥିଲେ: ମୁଣ୍ଡାମାନେ ହାତ, ମୁଣ୍ଡ, ଦେହରେ ଶିକୁଳି ବାନ୍ଧି ମେ’ ମାସର ଭୀଷଣ ଗରମରେ ବି କଚେରୀରେ ହାଜିରା ଦେଉଥିଲେ । ପୁଣି, ସେମାନଙ୍କ ମଧ୍ୟରୁ ଜଣେ ଜଣେ ମରୁଥିଲେ ମଧ୍ୟ ।

ବିର୍ସା ଗୋଡ଼, ଦେହରେ ଶିକୁଳି ଘୋଷାରି ଘୋଷାରି ସେ ଚାଲୁଥାଏ । ଝମ୍‌ଝମ୍‌...ଝମ୍‌ଝମ୍-। ପାଖ କୋଠରୀରେ ଧାନୀ, ଭରମୀ, ଗୟା, ସୋନା, ଡୋନ୍‍କା, ମାଝିଆ-ମୁଣ୍ଡାମାନେ ଏହି ଶବ୍ଦ ଶୁଣୁଥିଲେ । ଝମ୍‌-ଝମ୍‌- ଝମ୍‌, ଲୁହା ଆଉ ପଥର ପରସ୍ପର ଘଷି ହେବାର ଶବ୍ଦ....ପଥରରେ ଶିକୁଳି ଟାଣି ଚାଲିବାର ଶବ୍ଦ । ବିର୍ସା ଜାଣୁଥିଲା, ତା’ର ଆଉ ପାଦରେ ଏତେ ଶକ୍ତି ନାହିଁ ଯେ ସେ ଏତେ ସମୟ ଟାଣି ଚାଲିପାରିବ । ଶିକୁଳି ଭାରୀ । କିନ୍ତୁ ବିର୍ସା ଏହା ମଧ୍ୟ ଜାଣିଥିଲା, ଡରିଥିବା ବିଚଳିତ ବନ୍ଦୀ ମୁଣ୍ଡାମାନେ, ପାଖ କୋଠରୀରେ ଏହି ଶବ୍ଦ ଶୁଣିବାକୁ କାନ ଲଗାଇଥିବେ । ଯିଏ ସେମାନଙ୍କୁ ଭୂମି-ପର୍ବତ-ଜଙ୍ଗଲ ଦେବାକୁ କହିଥିଲା, ସିଏ ଏବେ ଦେଇଛି କେବଳ ଜେଲ୍‌ର କୋଠରୀ । ସିଏ ଆଉ କିଛି ଦେଇପାରିବ ନାହିଁ-କେବଳ ଶିକୁଳିର ଶବ୍ଦ ଛଡ଼ା, ତାହା ପୁଣି ସିଏ ବଞ୍ଚିଛି ବୋଲି ଜଣେଇବାପାଇଁ ।

•••

 

ସେଦିନ ଗାରଦରେ ଶରୀରରେ ହାତକଡ଼ି ଟାଣି ବିର୍ସା ଚିଲ୍ଲାଇଲା: “ଶୁଣରେ ମୁଣ୍ଡାମାନେ । ମୁଁ ଧରିତ୍ରୀର ଆବା, ଏହି ଦେହ ନଛାଡ଼ୁଣୁ ତୁମର ଉଦ୍ଧାର ନାହିଁ । ସାହସ ଛାଡ଼ ନାହିଁ । କହିବନି ଭଗବାନ୍ ଆମକୁ ଜେଲ୍‌ରେ ଠୁଙ୍କି ଚାଲିଗଲା । ସବୁ ହତିଆର ତମକୁ ଦେଇଛି, କଲିଜାରେ ସାହସ ଦେଲି, କିଏ ଶତ୍ରୁ ତମକୁ ଚିହ୍ନାଇଦେଲି । ହତିଆର ଛାଡ଼ିଦେବ ନାହିଁ । ଦିନ ଆସିବ ତମେ ହିଁ ଜିତିବ-।”

ମାଗୁରାମ ୱାର୍ଡ଼ର ଧାଇଁ ଧାଇଁ ଆସି କହିଲା: “ଚୁପ୍ ରହ ବିର୍ସା ।”

- “ମତେ କ’ଣ ଦେଲ? ମୋର କଣ୍ଠ ଜଳୁଛି, ଗଳା ଶୁଖି ଯାଉଛି ।”

- “ଚୁପ୍ ରହ ।”

- “ମୁଁ ଚୁପ୍ ହେବି ନାହିଁ । ପୁଣି ଦିନେ ଆସିବି । ଥାନା-ଥାନାରେ ହୋଲି କରିଦେବି । ସୋମପୁରରେ ଝଡ଼ ସୃଷ୍ଟି କରିବି ।”

ଜେଲ୍‌ଖାନାରେ ଘଣ୍ଟି ବାଜିବା ଆରମ୍ଭ ହେଲା । ପ୍ରହରୀ ଧାଇଁ ଧାଇଁ ଆସି ଦରଜା ଖୋଲିଲା । ବିର୍ସା ପୀଡ଼ାରେ କଷ୍ଟ ଭୋଗୁଥିଲା । ତା’ଆଡ଼କୁ ଚାହିଁଲା । କହିଲା: “ମତେ ପହରା ଦେଉଛ । ଦିନେ ତମେ ବି ଦେଖିବ, ଶତ୍ରୁମାନଙ୍କୁ ଛୋଟନାଗପୁରରୁ ମୁଁ ତଡ଼ିଦେବି । ମତେ କ’ଣ ଦେଲ? ମୋର କଣ୍ଠ ଜଳୁଛି । କ’ଣ ଦେଲ?”

- “ସାହେବଙ୍କୁ ଡାକିବି?”

- “ସାହେବ ଔଷଧ ଦେଲେ ମୁଁ ଖାଇବି? ମୋର କଣ୍ଠ କାହିଁକି ଜଳୁଛି?”

- “ଯାଉଛି । ଏବେ ଯାଉଛି । ମାଘମାସ ଦଶ ତାରିଖରୁ ଆଜିଯାଏଁ । ଜ୍ୟେଷ୍ଠ ମାସ ସରିଆସୁଛି । କଚେରୀ ଯାଉଛି, ଯିବି । କିନ୍ତୁ ସାହେବ ଯାହା ଭାବିଛନ୍ତି, ହେବ ନାହିଁ । ମୋର ମରଣ ହେବ ନାହିଁ ।”

ଅମୂଲ୍ୟବାବୁ କହିଲେ: “ବାବୁ ନନେଲେ ଚଳିବନି?”

ସୁପରିଟେଣ୍ଡେଣ୍ଟ କହିଲେ: “କାହିଁକି?”

- “ସିଏ ବେମାର ଅଛି ।”

- “ମୋର ମନେ ଦେଉଛି ସେ ଠିକ୍ ଅଛି ।”

ଜୁନ୍ ମାସର ଗରମ । ଶିକୁଳିର ବୋଝ । ନିର୍ମମ ସୂର୍ଯ୍ୟର କିରଣ । ବାଦଲ-ବର୍ଷାର ନାମ ନାହିଁ । ଶୁଣିବାକୁ ମିଳିଲା ବିର୍ସା କଚେରୀରେ ମୂର୍ଚ୍ଛା ଯାଇଥିଲା ।

 

ସକାଳେ ସୁପରିଟେଣ୍ଡେଣ୍ଟ ଭାବିଥିଲେ, ବିର୍ସା ଠିକ୍ ଅଛି । ତୃତୀୟ ପହରରେ ବିର୍ସା ପାଟିକଲା । ଡି.ସି. ଧାଇଁ ଆସିଲେ । ସୁପରିଟେଣ୍ଟଣ୍ଟ ଅମୂଲ୍ୟବାବୁଙ୍କୁ ଡାକିଲେ ।

 

ଅମୂଲ୍ୟବାବୁ କହିଲେ: “ତାକୁ ଭୀଷଣ ଶୋଷ ହେଉଛି ।”

ସୁପରିଟେଣ୍ଡଣ୍ଟ ଡି.ସି.ଙ୍କୁ କହିଲେ: “ତାକୁ ହଇଜା ହୋଇଛି, ବଞ୍ଚିବାର ଆଶା କମ୍ ।”

ଅମୂଲ୍ୟବାବୁ ଏହି କଥା ଶୁଣିଲେ । ତାଙ୍କର ଶରୀର କମ୍ପିଉଠିଲା । ବାନ୍ତି ନାହିଁ, ଝାଡ଼ା ନାହିଁ, ହଇଜାର ଲକ୍ଷଣ ନାହିଁ । ହଇଜା ହେବାର କାରଣ ନାହିଁ । ସୁପରିଟେଣ୍ଡେଣ୍ଟଙ୍କର ଆଦେଶ ବିନା ବିର୍ସାକୁ ଗୋଟେ ଦାନା ଭାତ, ଏକ ଗ୍ଲାସ୍ ପାଣି ମଧ୍ୟ ମିଳେ ନାହିଁ । ଡାକ୍ତର ହୋଇ ମଧ୍ୟ ସୁପରିଟେଣ୍ଡେଣ୍ଟ କାହିଁକି କହୁଛନ୍ତି ତାକୁ ହଇଜା ହୋଇଛି । କାହିଁକି କହୁଛନ୍ତି ତା’ର ବଞ୍ଚିବାର ଆଶା କମ୍ ।

 

ପ୍ରଶାସନର ଅରାଜିକୁ ଉପେକ୍ଷା କରି ଅମୂଲ୍ୟବାବୁ ଡି.ସି.ଙ୍କୁ ପଚାରିଲେ: “ମୁଁ ତାକୁ ଦେଖିପାରେ?”

- “ୟେସ୍‌, ଡୁ ।”

ଅମୂଲ୍ୟବାବୁ ଦରଜା ଖୋଲି ପଶିଲେ । ବିର୍ସା ମୁହଁପୋତି ବସିଥିଲା । ଅମୂଲ୍ୟବାବୁ କହିଲେ: “ମୋ ସହ କଥା ହେବୁ ନାହିଁ, କିନ୍ତୁ ମାଗୁରାମ୍ ୱାର୍ଡ଼ର ଯେଉଁ ଔଷଧ ଦେବେ, ତାକୁ ଛାଡ଼ି ଅନ୍ୟ କିଛି ଖାଇବୁ ନାହିଁ । ପାଣି ବି ପିଇବୁ ନାହିଁ । ସାବଧାନ ।”

- “କଥା ହେଉନି, ତାହା ରାଗ ଯୋଗୁଁ ନୁହେଁ । ମୋ ସହ କଥା ହେଲେ ତମେ ଅସୁବିଧାରେ ପଡ଼ିଯିବ ।”

 

- “କାହିଁକି?”

- “ମୁଁ ଜାଣେ, ତମେ ମୁଣ୍ଡାମାନଙ୍କର ସମର୍ଥକ । କିନ୍ତୁ ସବୁ ଚେଷ୍ଟା ବେକାର ।”

- “କାହିଁକି ?”

- “ମୋତେ ହଇଜା ହୋଇନି, ଏହା ସବୁଠାରୁ ଭଲଭାବେ ସୁପରିଟେଣ୍ଡେଣ୍ଟ ଜାଣନ୍ତି । ମୁଁ ବଞ୍ଚିରହେ, ସେମାନେ ଚାହାଁନ୍ତି ନାହିଁ ।”

 

- “ମୁଁ ଯାଉଛି ।”

- “ଯାଅ । ସବୁ ଚେଷ୍ଟା ବେକାର ।”

- “ମୁଣ୍ଡାମାନେ ଭାଙ୍ଗି ପଡ଼ିଛନ୍ତି ।”

•••

 

ଛଅ ଦିନରେ ବିର୍ସାର ସ୍ୱାସ୍ଥ୍ୟରେ ଉନ୍ନତି ହେଲା । ମୁଣ୍ଡାମାନେ ଭାବିଲେ ସେମାନଙ୍କର ଭଗବାନ୍ ବଞ୍ଚିଗଲେ ।

କିନ୍ତୁ ଆଠଦିନପରେ ପୁଣି ଡି.ସି. ଆସିଲେ । ସୁପରିଟେଣ୍ଡେଣ୍ଟ ଓ ଡି.ସି.ଙ୍କ ମଧ୍ୟରେ କଥାବାର୍ତ୍ତା ହେଲା । ସୁପରିଟେଣ୍ଡେଣ୍ଟ କହିଲେ: “ଏବେଠାରୁ ମୋ ଛଡ଼ା ଆଉ କିଏ ବିର୍ସାର କୋଠରୀକୁ ଯିବ ନାହିଁ ।”

ଅମୂଲ୍ୟବାବୁ ଦେଖିଲେ, ବିର୍ସା କୋଠରୀରେ ଗୋଟେ କଳା କମ୍ବଳର ପର୍ଦ୍ଦା ଟଣାଯାଇଛି । ସିଏ ମୁଣ୍ଡ ହଲାଇ ଚାଲିଗଲେ ।

•••

 

ନଅ ଜୁନ୍ ସକାଳେ ଜଣାଗଲା ରାତିରେ ବିର୍ସାକୁ ତିନିଥର ବାନ୍ତି ହୋଇଥିଲା ।

ସକାଳ ଆଠଟାବେଳେ ବିର୍ସା ରକ୍ତ ବାନ୍ତି କରି ଚେତା ହରାଇବସିଲା । ସୁପରିଟେଣ୍ଡେଣ୍ଟ ନାଡ଼ି ଦେଖିଲେ, ଘଣ୍ଟା ଧରି ଠିଆହେଲେ । ଏବେ ରାଞ୍ଚି ଜେଲରେ ପ୍ରତି କୋଠରୀରୁ କାନ୍ଦ ଶୁଭୁଥିଲା, କିନ୍ତୁ ସୁପରିଟେଣ୍ଡେଣ୍ଟ୍ ତା ଉପରେ ଦୃଷ୍ଟି ଦେଲେ ନାହିଁ । ସ୍ପଷ୍ଟ ଜଣାପଡ଼ୁଥିଲା, ବିର୍ସାର ମୃତ୍ୟୁ ନିଶ୍ଚିତ ।

ସୁପରିଟେଣ୍ଡେଣ୍ଟ ମନେ ମନେ ବ୍ୟସ୍ତ ହେଲେ । ମୃତ୍ୟୁର କାରଣ ବତାଇବାକୁ ହେବ ହଇଜା-। ସନ୍ଧ୍ୟାବେଳକୁ ପୋଷ୍ଟମର୍ଟମ କରିବାକୁ ହେବ । ତା’ପରେ ଲାଲ ଆଲୁଅ ଜଳାଇଦେବାକୁ ହେବ । ପୋଷ୍ଟ-ମର୍ଟମରେ ଲେଖିବାକୁ ହେବ ! ବିର୍ସାର ଛାତିରେ ଉଚ୍ଚନୀଚା ଦେଖି ସୁପରିଟେଣ୍ଡେଣ୍ଟ ଭାବିନେଲେ......ଲେଖିବାକୁ ହେବ, ପାକସ୍ଥଳୀର ସ୍ଥାନେ ସ୍ଥାନେ ସଙ୍କୁଚିତ ହୋଇଯାଇଥିଲା, ତାହା କ୍ରମେ ପତଳା ହୋଇଗଲା । ବହୁତ ପରୀକ୍ଷା ପରେ ମଧ୍ୟ ସେଠାରୁ ବିଷ ମିଳିଲା ନାହିଁ । ମୃତ୍ୟୁର କାରଣ ହଇଜା ।

ତା’ପରେ ଲାଶ ଜଳାଇବାକୁ ହେବ । ମୁଣ୍ଡାମାନେ କବର କରନ୍ତି, ଲାଶ ଜଳାନ୍ତି ନାହିଁ । ଜଳାଇଲେ, ସେମାନେ ବୁଝିବେ, ବିର୍ସା ସାମାନ୍ୟ ମଣିଷଟିଏ ଥିଲା-ଭଗବାନ୍ ନଥିଲା । ଚିର ଶାଶ୍ୱତ ମୃତ୍ୟୁ ତାକୁ ମଧ୍ୟ ଆବୋରି ନେଲା ।

 

ଲାଶ ଜଳାଇଲେ ଜ୍ୟାକବ ଓ ସାଙ୍ଗମାନେ ବି ଶରୀରକୁ ମାଗିପାରିବେ ନାହିଁ ।

ସକାଳ ନଅଟା । ସୁପରିଟେଣ୍ଡେଣ୍ଟ୍ ନଇଁଲେ । ବିର୍ସାର ଶରୀରକୁ ପରୀକ୍ଷା କଲେ । ଉଠି ଠିଆ ହେଲେ ।

 

ଜେଲର୍‌କୁ କହିଲେ: “ଲେଖ, ବିର୍ସାମୁଣ୍ଡା, ବାପା ସୁଗାନା ମୁଣ୍ଡା, ଜନ୍ମ ୧୮୭୫ । ବୟସ ୨୫ । ଡାଇଡ୍ ଅଫ୍ ଏଶିୟାଟିକ କ୍ୟାଲୋରା- ୯ ଜୁନ୍ ୧୯୦୦ ।” ୱାର୍ଡ଼ରକୁ ଡାକି କହିଲେ : “ମେହେନ୍ତରକୁ ଡାକ, ଲାଶ ଢାଙ୍କି ଦେ ।”

•••

 

ହଁ, ନଅ ଜୁନ୍‌, ଊଣେଇଶ ମସିହା । ରାଞ୍ଚି ଜେଲ୍ । ସକାଳ ନଅଟା ବାଜି ଦଶମିନିଟ୍ ।

•••